~ ନିମାଇଁ ଚରଣ ~
ଲେଖା: ଅମୃତେଶ ଖଟୁଆ
“ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ…
ଡକାବଜା ପ୍ରଭୁ ଥକା ହୋଇ ବସି
ବିକଶିଲ ତୁମ୍ଭେ ଏ କେଉଁ ଗୁଣ।”
ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ –
ଦୁଃଖୀ ଜଣାଇଲେ ଦୁଃଖ କେବେ ହେଁ ନୁହଁ ବିମୁଖ
ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ।
ସେହି ପ୍ରଭୁ ନୁହଁ କି ତୁମ୍ଭେ,
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ।”
ତୃଷାତୁର-କଣ୍ଠରେ ତାଙ୍କ ବାଣୀ ସୁଧାକାର ହୋଇ ତାହାର ସନ୍ତାପ ଦୂରୀଭୂତ କରିଦିଏ…. ଶଗଡିଆ ଚଳିଗଲେ, ପୁଣି ଥରେ କର୍ଣ୍ଣପୁଟ ଭରିଦିଏ ଏକାନ୍ତ ସ୍ମୃତିଂଶ୍ରୁତଂ ଆତ୍ମୀୟତା ! ଯୁବକ ଥିଲେ ଯେତେବେଳେ, ସେ ମର୍ମେ ମର୍ମେ ଅଣୁରୁ ଅଣୀୟନ ତାଙ୍କ ପିଣ୍ଡ ଯେପରି ସଂଗୀତର ରସରେ ପ୍ରତ୍ୟହ ପରିସ୍ଫୁଟ ହେଉଥାଏ। ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗୀକୃତ ତାଙ୍କ ଭଜନାବଳୀ ଦେଶବିଦେଶରେ ଅନୁରଣିତ ହୋଇଥିଲା।
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନିଧନାନ୍ତେ ସମଗ୍ର ଓଡ଼ିଆ ମାଟି ହୋଇ ଯାଇଥିଲା ସ୍ତମ୍ଭୀଭୂତ। ତରୁଣ କଣ୍ଠରେ ଆଗାମୀ ଦିନର ଆହବ ଓ ସ୍ଥବିର ହୃଦୟର ଚିନ୍ତନରେ ଏକମାତ୍ର ଅତୀତର ମହାନାୟକଙ୍କ ସ୍ମୃତିଚାରଣ। ସବୁ କୋଠା ଯେପରି ଚଞ୍ଚଳ ଉଠେ ଜନ ସମାଗମରେ । ସେତେବେଳେ, ତରୁଣମାନଙ୍କ କ୍ଳାନ୍ତ କଣ୍ଠ ଶୋକାହତ। ପଟୁଆର କ୍ଷଣେ ଶାନ୍ତ ପଡିଯାଏ, ସାମୟିକ ଭାବରେ ଏକ ମୁହ୍ଯମାନ ନୀରବତା ଖେଳି ଯାଏ !
ହଠାତ୍, ସେହି ନୀରବତା ଭଙ୍ଗ କରି ଜଣେ ତରୁଣଙ୍କ କଣ୍ଠରେ ନିନାଦ ଲଭିଲା, ମଧୁବାବୁଙ୍କ ମୃତ୍ୟୁଞ୍ଜୟୀ ଆଦର୍ଶର ଗାନ ! ସେତେବେଳେ, ଏହି ଗାନକୁ ଲେଖୁଥାଆନ୍ତି କବି ନିକୁଞ୍ଜ କିଶୋର ଦାସ, ମାତ୍ର, ସେହି ତରୁଣଙ୍କ କଣ୍ଠର ଉଦାତ୍ତ ଅନୁରଞ୍ଚନରେ କ୍ଷଣମାତ୍ର ମଧ୍ୟରେ ପ୍ରତୀୟମାନ ହେଇସାରିଥିଲା – ଏହା ଯେ ଅମରତ୍ଵର ଜୟଯାତ୍ରା –
              “ସୁମେରୁର ଶୃଙ୍ଗ ପଡିଗଲା ଟଳି
                             ଲୁଚିଗଲା ଅଂଶୁମାଳି ହେ,
               ଗମ୍ଭୀରି ଘରର ସୁନା ଦୀପ ଆଜି
                             ଲିଭିଗଲା ଶେଷେ ଜଳି ହେ।
              ଭାଇ କାନ୍ଦିବା ହେ ସତ-ଫେରି ଆସେ କି
                             ପୁଷ୍ପକ ରଥ ହେ ।।
                           
               ଓଡ଼ିଆ ଜାତିର ମଥାମଣି ଆଜି
                             ହଜି ଯାଇଛି ଅତଳେ ହେ,
               ଅରଚନା ଠୁଳ କୋଣାର୍କ ଦେଉଳ
                             ଲୋଟି ପଡିଛି ଭୂତଳେ ହେ।
              ଭାଇ କାନ୍ଦିବା ହେ ସତ-ଫେରି ଆସେ କି
                             ପୁଷ୍ପକ ରଥ ହେ . . . . ।। “
ଏ ତରୁଣ ଥିଲେ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ! ଗୀତ ନୁହେଁ ତ ତାଙ୍କ କଣ୍ଠ ଥିଲା ଏକ ମାନ୍ତ୍ରିକର ଉଦ୍ଗାନ ! ଅତୀବ ତରୁଣ ଅବସ୍ଥାରୁ ତାଙ୍କ ଚମତ୍କାରିତା ଥିଲା ଆଖିଦୃଶିଆ। ୧୯୦୯ ମସିହା ଜୁଲାଇ ୯ ତାରିଖ କେନ୍ଦ୍ରାପଡାର ଏକ ଜମିଦାର ପରିବାରରେ ପିତା ବୃନ୍ଦାବନ ହରିଚନ୍ଦନ ଓ ମାତା ଇନ୍ଦ୍ରମଣି ଦେବୀଙ୍କ କୋଳମଣ୍ଡନ କରିଥିଲେ। ତାଙ୍କ ସାଧନାପ୍ରସୂତ କୃତୀ ଜନମନ ମୋହିତ କରିଥିଲା ଶତାଧିକ ଗ୍ରାମୋଫୋନ୍ ରେକର୍ଡ଼୍ ନିଃସୃତ ଉଦ୍ଗାନରେ !
କେନ୍ଦ୍ରାପଡା ଜିଲ୍ଲା ଗୋବରୀ ବା ଗୌରୀ ନଦୀକୂଳରେ ଥିବା ବଡ଼କୋଠା ଥିଲା ନିମାଇଁଙ୍କ ପାଇଁ ଏକ ଐତିହାସିକ ପବିତ୍ର ସାଧଧାର ପୀଠ ! ଏହି କୋଠାରେ ପୁଣି ରହୁଥିଲେ ଦିନେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର, ମହାପୁରୁଷ ଅରକ୍ଷିତ ଦାସ, ନାଟ୍ଯରସିକ ସଂଗୀତଜ୍ଞ ଗୋବିନ୍ଦ ଚନ୍ଦ୍ର ଶୂରଦେଓ ତଥା ତାଙ୍କ ବଂଶର ବଦାନ୍ୟ ମହାମହିମ ରାଧାଶ୍ୟାମ ନରେନ୍ଦ୍ର ! ବଡ଼ ଉଆସକୁ ଲାଗି କୁଳଦେବତା ରାଧାଗୋବିନ୍ଦ ଜୀଉଙ୍କ ମନ୍ଦିର, ଯାହାର ଚାରିପାଞ୍ଚ କିଲୋମିଟର ଦୂରରେ ତୁଳସୀକ୍ଷେତ୍ର ଅବସ୍ଥିତ !
ଜଣାଣ, ଛାନ୍ଦ, ଚମ୍ପୂ, ପଲ୍ଲୀଗୀତ, ପୋଈ, ଚଉପଦୀ ଭଳି ଅବିମିଶ୍ର ସାଙ୍ଗୀତିକ ଉପଜୀବ୍ୟ ତାଙ୍କ କଣ୍ଠେ ଥିଲା ବାଣୀଦତ୍ତ ! ପିତା ମାତ୍ର ଥିଲେ ରୁଗ୍ଣ । ପିଲାଦିନରୁ ତାଙ୍କ ପାଠପଢା ରୁନ୍ଧା ପଡି ପରିବାର କୁଟୁମ୍ଵ ପୋଷଣେ ସେ ବସ୍ ଡ୍ରାଇଭିଂ କଲେ। ବଡ଼ଘରର ଝିଅମାନଙ୍କୁ ସଂଗୀତ ଶିଖାଇଛନ୍ତି। ମାତ୍ର, ସମ୍ପତ୍ତି ପାଇଁ ତାଙ୍କ ଘରେ ସେତେବେଳେ ପାରିବାରିକ ସମସ୍ୟା ଉତ୍କଟ। ଏପରିକି ଶେଷକୁ କଚେରୀ ମକଦ୍ଦମାରେ ସବୁ ସମ୍ପତ୍ତି ବିକ୍ରି ହେଇଯାଇଥାଏ।
ମାତ୍ର, କସ୍ତୂରିକା ଆମୋଦିତ ସୁଗନ୍ଧର ବଳୟ କଣ ଏଇ ନିମିତ୍ତ ମାତ୍ରରେ ଯବନିକା ପକେଇ ଦେଇ ପାରିବ ? ସଂସାରର ଜଞ୍ଜାଳ ତାଙ୍କୁ ସୁଖ ଦେଇପାରିନଥିଲା। ପରିବାରର ଦୁଇ ସଦସ୍ୟ – ଗୋକୁଳ ଶ୍ରୀଚନ୍ଦନ (ନିମାଇଁଙ୍କ ଦାଦା) ଏବଂ ଗିରିଧାରୀ ଜେନା ତାଙ୍କୁ ମୃଦଙ୍ଗ ଓ ହାରମୋନିଅମ ଶିଖିଛନ୍ତି। ଦୈନିକ କୀର୍ତ୍ତନ ଲାଗିରହୁଥିବା ତାଙ୍କ କୁଳଦେବତା ରାଧାମାଧବଙ୍କ ମନ୍ଦିରରୁ ଗୀତ ଗାଇବା ଆରମ୍ଭ କରିଲେ ତରୁଣ ନିମାଇଁ !
ହିନ୍ଦୁସ୍ତାନୀ ସଙ୍ଗୀତଜ୍ଞ ମାଧୋରାଓ ଓ ବାବାଜୀ ରାମ ଦାସଙ୍କ ପାଖରୁ ଛନ୍ଦୋମୟ ହିନ୍ଦୁସ୍ଥାନୀରେ ପଟୁତା ଲାଭ କରିଛନ୍ତି। ନିମାଇଁ ଚରଣ ଗୁରୁକୃପା ଲଭି ରାମଦାସଙ୍କ ସଙ୍ଗେ କଲିକତା ଗମନ କରିଛନ୍ତି। ବିଦେଶର ଅନେକ ଖ୍ୟାତନାମା ସଙ୍ଗୀତଜ୍ଞଙ୍କୁ ଅତି ନିକଟରୁ ଦେଖିଛନ୍ତି। ସେତେବେଳେ, ଓଡ଼ିଶା ଫେରନ୍ତା ଏକ ଭିନ୍ନ ନିମାଇଁଙ୍କ ଆବିର୍ଭାବ ପାଇଁ ଅନୁକୂଳ ବିଧି ସଂରଚନା ହୋଇସାରିଥାଏ!
୧୯୩୩ ମସିହାରେ ତତ୍କାଳୀନ ଆଠଗଡ଼ର ରାଜା ତାଙ୍କ ପ୍ରତିଭା ଦ୍ଵାରା ଆକର୍ଷିତ ହୋଇ ତାଙ୍କୁ ରାଜସଂଗୀତଜ୍ଞର ମାନ୍ୟତା ଦିଅନ୍ତି। ସେଠାରେ ମଧ୍ୟ ତୁଚ୍ଛା ବଡିମାକୁ ସେ ହୃଦୟଙ୍ଗମ କରିପାରି ସୁଖଛଡା ରହିଲେ। ସେଠି ସେ ରାଜପରିବାରର ଝିଅ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରନ୍ତି। ସେତେବେଳେ, କନିକାର ରାଜାଙ୍କ ବିବାହୋତ୍ସବରେ ନିମାଇଁ ଚରଣ ପ୍ରଥମ କରି ଗାଇଥିଲେ, “ଗରଜିଲା ମେଘ ବରଷେ ନାହିଁ”, ଯାହାକି ପରବର୍ତ୍ତୀ ସମୟରେ ରେକର୍ଡିଂ କରାଯାଇ ପ୍ରଶସ୍ତି ଲାଭ କରେ।
ଏହି ୧୯୩୩ ମସିହାରେ କଲିକତାର “His Masters Voice”(HMV) ସଙ୍ଗୀତ ରେକର୍ଡ-ଉତ୍ପାଦକ କମ୍ପାନୀର ତତ୍କାଳୀନ ମାଲିକ ଏସ୍.ଭି. ମୁଖାର୍ଜୀଙ୍କ ନିକଟକୁ ତାଙ୍କ ମାମୁଁ ତାଙ୍କୁ ନେଇଥିଲେ। ପିଲାଟିର ଆଗ୍ରହ ପାଇଁ ସେତେବେଳେ, ମାଲିକ ରାଜି ହୋଇଥିଲେ, ମାତ୍ର କହିଥିଲେ ଯେ ଯଦି ରେକର୍ଡିଂର ପ୍ରଥମ ୧୦୦ ପିସ୍ ସକୁଶଳ ବିକ୍ରି ହେଉନି, ସବୁ ଆପଣଙ୍କୁ କିଣି ନେବାକୁ ହେବ।
ମାତ୍ର, ପ୍ରଥମ ଗୀତ – ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’“ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ” ଛାନ୍ଦ ସମଗ୍ର ଓଡିଶାରେ ଚହଳ ପକାଇଦିଏ। ଆଉ ସବୁ ରେକର୍ଡିଂର ପିସ୍ ବଜାରରେ ଏକାଧାରରେ ଜନଖ୍ୟାତି ଲଭିଲା ! ସେତେବେଳେ, ଗ୍ରାମୋଫୋନ୍ ରେକର୍ଡିଂ କଥା ପଡିଲେ, ଘରେ ଘରେ ସେହି ନୂଆ ନୂଆ ଗ୍ରାମୋଫୋନ୍ ରେକର୍ଡିଂର ଚାହିଦା ଆକସ୍ମିକ ଭାବରେ ଫୁଟି ଉଠୁଥିଲା। ଦପ୍ତରମୁଖୀ ଲୋକଟିଏ ମଧ୍ୟ ବ୍ୟସ୍ତତା ଛାଡି ତାଙ୍କର ଗୋଟିଏ ରେକର୍ଡିଂ ଯେମିତି ହେଲେ କିଣିବାକୁ ଚାଲି ଆସୁଥିଲା !
୧୯୬୬ ମସିହା ପର୍ଯ୍ୟନ୍ତ ଏହି କମ୍ପାନୀ ତାଙ୍କର ଷାଠିଏଟି ରେକର୍ଡ ପ୍ରସ୍ତୁତ କରିଥିଲା, ଯେଉଁଥିରେ ନିମାଇଁଙ୍କ ପ୍ରାୟ ଶହେ କୋଡିଏ ଗୀତ ରେକର୍ଡ ଥିଲା। ଏହା ପରେ କଲିକତାର ଆକାଶବାଣୀ ରେଡିଓ ଷ୍ଟେସନରେ ଜଣେ ଆଗଧାଡିର କଳାକାର ରୂପେ ମାନ୍ୟତା ଲାଭ କରି ନିମାଇଁ ଚରଣ ୧୯୩୮ ମସିହାରେ କଟକଉତ୍କଳ ସାହିତ୍ୟ ସମାଜଆଠଗଡ଼ ରାଜଦରବାର ପକ୍ଷରୁ ସ୍ଵର୍ଣ୍ଣପଦକ ଲାଭ କରିଥିଲେ। ଅନ୍ନ ସଂସ୍ଥାନ ପାଇଁ ପରବର୍ତ୍ତୀ ସମୟରେ ଆଠଗଡ଼ ରାଜା ଶହେ ଏକର ଭୂଇଁ ସହ ମାସିକ ୩୦ ଟଙ୍କା ଭତ୍ତା ପ୍ରଦାନ କରିଥିଲେ।
ଆଉ, ୧୯୪୩ ମସିହାରେ ସେହି “ଏଚ୍.ଏମ୍.ଭି” କମ୍ପାନୀ ତାଙ୍କୁ “ବାଣୀକଣ୍ଠ” ଉପାଧିମଣ୍ଡିତ କରେ। ଆଉ ସେତେବେଳେ ଏହି କମ୍ପାନୀ ତାଙ୍କ ସଂଗୀତର ଚାହିଦା ଦେଖି ସ୍ତମ୍ଭୀଭୂତ, ଯେତେ ଗ୍ରାମୋଫୋନ୍ ରେକର୍ଡ ସବୁ ଆସିଲା, ସମସ୍ତ ଅତିଶୀଘ୍ର ବିକ୍ରି ହୋଇଗଲା ! “ବନମାଳୀ ମୋତେ କେବେ ମିଳିବ ଦେଖା… “, “ଚକାଡୋଳା କିମ୍ପା ଡକା…..” , “ନୀଳ ସିନ୍ଧୁ ତୀରେ ନୀଳାଚଳ…” ଭଳି ପ୍ରସିଦ୍ଧ ଗୀତ ‘ଶ୍ରୀଜଗନ୍ନାଥ’ (୧୯୫୦) ଚଳଚ୍ଚିତ୍ରରେ ସ୍ଥାନ ପାଇ ଅସରନ୍ତି ଖ୍ୟାତିର ଅଧିକାରୀ ହୋଇପାରିଥିଲା। ତାଙ୍କ ପଡୋଶୀମାନେ ମଧ୍ୟ ସେତେବେଳକୁ ତାଙ୍କର ବିଦଗ୍ଧ ପ୍ରଶଂସକ!
“କଳାକାହ୍ନୁ କୁହୁକ ଜାଣେ….”, “ଆରତ ତାରଣ ବାନା, ଆଉ ପ୍ରଭୁ ଉଡାଅନା….”, “ରାଧେ ଗୋବିନ୍ଦ ଭଜ…. “, “ଜାନକୀ କାନ୍ତକୁ ଚାହିଁ ଯେ…. “ ଭଳି ଅଜସ୍ର ଭକ୍ତି ଗୀତ, ଓଡିଶୀ ଛାନ୍ଦ ପାଇଁ ସେ ଥିଲେ ସର୍ବଜନବିଦିତ। ଥରେ ମହାତ୍ମା ଗାନ୍ଧୀ ତାଙ୍କ କୋଠା ପାଖ କଚେରୀ ପଡିଆରେ ଆସିବା ପରେ ସେଠାରେ ଏକ ସଭାରେ ନିମାଇଁ ଚରଣ ଗାଇଦେଇ ଥିଲେ “ଭାରତ ଗଗନେ କେତେ ତାରାରେ, ଚାହାଁ ଥରେ…” !
“ପଥର ହେଲ ହେ ପ୍ରଭୁ, ପଥର ଟେକା… “, “ଆଜ ମୁଁ ଦେଖିଲି ଘନଶ୍ୟାମକୁ ଗୋ…. “, କଟକ ଆକାଶବାଣୀରେ “ଶ୍ରୀରାଧା ବାତୁଳୀ ପ୍ରେମ ରତ୍ନତୁଳୀ…”, “ଚାହାଁରେ ମିତ ନନ୍ଦସୁତ… “, “କହଇ ମନ ଆରେ ମୋ ବୋଲ କର…. “, “ବୋହୂ ଚାଲି ନ ଜାଣଇ ଲୋ ପାଦ ପଡୁଥାଇ ବଙ୍କା…. “, “ନିର୍ମଳ ଚନ୍ଦ୍ର ମଣ୍ଡଳ ଶାରଦେ ବିରାଜି…. “ ଭଳି ଶତାଧିକ ଛାନ୍ଦ, ଓଡିଶୀ ଗାଇ ସେ ଯେଉଁ ଲୋକପ୍ରିୟତା ଲଭିଥିଲେ ତାହା କ୍ଵଚିତ୍ କେହି ଓଡ଼ିଆର ଭାଗ୍ୟରେ ଲେଖା ହେଇଥିଲା ! ବାରିପଦା ସାହିତ୍ୟ ସମାଜର ଦ୍ଵିତୀୟ ବାର୍ଷିକ ଅଧିବେଶନରେ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅଭିନବ ଆଲୋଚନା ଦ୍ଵାରା ନିମାଇଁ ଚରଣ ନିଜର କଳାପ୍ରିୟତାକୁ ଆହୁରି ଉଦ୍ଦୀପିତ କରିଥିଲେ।
ତାଙ୍କୁ ଥରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ “ବୀଣାକଣ୍ଠ” ରୂପେ ମଧ୍ୟ ଅଭିହିତ କରିଦେଇଥିଲେ। କବିସୂର୍ଯ୍ୟ ବଳଦେବ ରଥ, ଦୀନକୃଷ୍ଣ ଦାସ, କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ, ସାଲବେଗ, ଅଭିମୁନ୍ୟ ସାମନ୍ତସିଂହାର, ଗୌରଚରଣ ଅଧିକାରୀ ଭଳି ଅନବଦ୍ୟ ଭକ୍ତିଗୀତସ୍ରଷ୍ଟାଙ୍କ ଗୀତ ଗାଇବାକୁ ରୁଚିକର ମନେ କରୁଥିଲେ। ୧୯୫୪ ମସିହାରେ ଦିଲ୍ଲୀର ଲାଲକିଲ୍ଲାଠାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ନିମନ୍ତ୍ରଣ କ୍ରମେ ସେଠାରେ ଓଡିଶୀ ଛାନ୍ଦସଙ୍ଗୀତ ପରିବେଷଣ କରି ପୁରସ୍କୃତ ହେବା ସହ ଜନଗଣଙ୍କୁ ଅଭିଭୂତ କରିଦେଇଥିଲେ !
୧୯୭୬ ମସିହାରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଫକୀରୁଦ୍ଦିନ୍ ଅଲ୍ଲୀଙ୍କ ଦ୍ଵାରା ନିମାଇଁ ଚରଣ ପଦ୍ମଶ୍ରୀ ଉପାଧିମଣ୍ଡିତ ହୋଇଥିଲେ। ଏଥି ସହ ଓଡିଶୀ ସଙ୍ଗୀତ ଜଗତ ପାଇଁ ନିଜର ଭୂୟସୀ ଅବଦାନ ପାଇଁ ୧୯୭୮ ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ। ଯେତେବେଳେ ଓଡିଶାରେ ସର୍ବପ୍ରଥମ “ସର୍ବୋଦୟ ଅଧିବେଶନ” ଅନୁଷ୍ଠିତ ହୁଏ, ସେତେବେଳେ ନିମାଇଁ ହରିଚନ୍ଦନଙ୍କ କଣ୍ଠରେ ସେତେବେଳେ “ପତିତଜନଙ୍କୁ ଉଦ୍ଧାରିବା ପାଇଁ… “ ୯୦୦ ଲୋକ ସୂତା କାଟୁଥିଲା ବେଳେ ନିମାଇଁ ହାତ ଟେକି ସ୍ଥିରୀଭୂତ ହେଇ ପଡି ଗାଉଥିଲେ।
୧୯୭୦ ମସିହାରେ ସେ ପୁରୀର ମାଟିମଣ୍ଡପ ସାହିରେ ଆସି ବାସ କରିଲେ ନିମାଇଁ ଚରଣ ହରିଚନ୍ଦନ। ସେଠାରେ ରହି ସେ ପୁରୀର ଗଜପତିଙ୍କ ଦ୍ଵାରା ଦୁର୍ଲ୍ଲଭ “ଚାମର ସେବା” ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ଚନ୍ଦନଯାତ୍ରା, ଦୋଳଯାତ୍ରା ଏବଂ ରଥଯାତ୍ରାରେ ସ୍ତୁତିଗାନ କରିବାର ଅଧିକାର ପାଇଥିଲେ। ସେ ଯେ ଓଡିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ ନଥିଲେ, ମହାପ୍ରଭୁଙ୍କ ଦୁର୍ଲ୍ଲଭ ଚାମର ସେବା ପାଇବାରେ ସେ ସେତେବେଳେ ଥିଲେ ପ୍ରଥମ ! ଯାହାକି ଗୋଟିଏ ପରମ ଭକ୍ତ ହିଁ ଏହି ସୌଜନ୍ୟ ପାଏ।
ସବୁବେଳେ ତାଙ୍କ କଣ୍ଠ ଥିଲା ମହାପ୍ରଭୁଙ୍କ ପାଇଁ ଉତ୍ସର୍ଗୀକୃତ। ତାଙ୍କ ସ୍ଵରମାଧୁରୀ ପାଇଁ ସେ ତାଙ୍କର ସନନ୍ଦ ଲଭିବାଠାରୁ ବେଶି ତାଙ୍କ ଜନପ୍ରିୟତା ଆଜି ବି ସେହି ଭଳି ଅବିସ୍ମୃତ। ସମ୍ଭ୍ରାନ୍ତ ପରିବାରରୁ ହୋଇ ମଧ୍ୟ ସେ ଥିଲେ ଶାନ୍ତ ଏବଂ ସୁଶୀଳ। ଛୋଟ ବେଳୁ ନିଜ ବଡ଼ କୋଠାରେ ରାଧାଗୋବିନ୍ଦଙ୍କ ପାଖରେ ବସି ସାଧୁସନ୍ଥଙ୍କ ସାନ୍ନିଧ୍ୟ ଲାଭ କରୁଥିଲେ।
କାଶୀନାଥ ପୂଜାପଣ୍ଡା, ମାର୍କଣ୍ଡେୟ ମହାପାତ୍ର, ପ୍ରଫୁଲ୍ଲ କରଙ୍କ ଭଳି ଅନେକ ବଦାନ୍ୟ ଗୁରୁମାନେ ପୁରୀରେ ମଧ୍ୟ ରହି ପ୍ରତ୍ୟହ ବିଷ୍ଣୁ ଉତ୍ଥାପନ ଏକାଦେଶୀରେ ଭଜନ ସମାରୋହରେ ଯୋଗଦାନ କରୁଥିଲେ। କାରଣ, ସେତେବେଳେ ଭକ୍ତିମାର୍ଗାଧ୍ଯାୟୀ ଗୁରୁମାନେ ମହାପ୍ରଭୁଙ୍କୁ ଏକପ୍ରକାରର ଭକ୍ତିଗାନ କରି ଉଠାଇବା ପାଇଁ ଗାଉଥିଲେ। ତତ୍ସହ, ନିମାଇଁ ହରିଚନ୍ଦନ ମଧ୍ୟ ସେହିପରି ସବୁବେଳେ ଠାକୁରଙ୍କ ନାମଗାନ କରୁଥିଲେ ଆଉ ତଲ୍ଲୀନ ହେଉଯାଇଥିଲେ।
୧୯୮୩ ମସିହା । ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦିବସ। ୨୦ ଜୁଲାଇ। ପୁରୀରେ ଠାକୁରଙ୍କୁ ଦେଖିବା ପାଇଁ ନିମାଇଁଙ୍କ ପରିବାରରୁ ଅନେକ ସଦସ୍ୟ ଆସିଥାଆନ୍ତି। ସେତେବେଳେ ରାତି ପ୍ରାୟତଃ ୩ଟା। ସେଦିନ ଦଶମୀ ଓ ଏକାଦଶୀ ଗୋଟିଏ ଦିନରେ ପଡିଥାଏ।
ନିମାଇଁ ଚରଣ ନିଜ ଜନୈକ ନାତିଙ୍କୁ ଡାକିଆଣି ମହାପ୍ରଭୁଙ୍କୁ ଅନେଇ ଦେଇ ପାଣି ଚାରିପଟେ ସିଞ୍ଚି ହୋଇ ପଡି ଗଡି ପଡିଲେ। ସେତେବେଳେ ଜଣାପଡିଲା ଯେ ତାଙ୍କୁ ପାରାଲିସିସ୍ ହେଇଛି। ମାତ୍ର, ସେ ଏହା ପୂର୍ବରୁ ଠାକୁରଙ୍କୁ ଗାଇଦେଇଥିଲେ, “ବାହୁଡାଇ ନେବ ମୋତେ ହେ ମହାପ୍ରଭୁ…. “। ଭକ୍ତର ଡାକ ଆନ ହେଲା ନାହିଁ। ହସ୍ପିଟାଲ ଅଭିମୁଖେ ଯାଉଥିଲା ବେଳେ ପ୍ରାଣବାୟୁ ଚାଲିଗଲା !
ଜୀବନକୁ ସବୁବେଳେ ଏକାତ୍ମ ସମର୍ପିତ କରି ଅଙ୍ଗେନିଭାଇ ନିଜ ଅନ୍ତର୍ଗତ ଚେତନାକୁ ପୂଜ୍ଯସ୍ମରଣରେ ନିତ୍ଯ ଅର୍ପଣ କରିଲେ, ତାହା ସଦା ଜୀବନକୁ ଆଦର୍ଶମୁଖୀ କରିବା ସହ ସମସ୍ତ ନିର୍ମଳତା ଏବଂ ପବିତତ୍ରା ସ୍ଵତଃ ଆଣିଥାଏ, ତାହା ନିମାଇଁ ଚରଣଙ୍କ ଦୀର୍ଘ ଯଶସ୍ଵୀ ହେବାର ନେପଥ୍ୟରେ ଏକ ବଡ଼ ମହାନତା ! ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଲାଭ ସତ୍ତ୍ଵେ ନାନା ଆର୍ଥିକ ଅନଟନ ମଧ୍ୟରେ ନିମାଇଁ ଚରଣ ନିଜ ପ୍ରତିଭାକୁ ଯେଉଁ ରୂପେ ସମଗ୍ର ଦେଶରେ ଖ୍ୟାତ କରାଇଥିଲେ, ତାହା ଆଜିର ଉତ୍ତରପିଢି ପାଇଁ ନିହାତି ଆଦର୍ଶ ଏବଂ ପାଥେୟ !
Nimain Charan Amritesh Khatua
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

3 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago