~ ଓଡ଼ିଆ ସାହିତ୍ୟର ଇତିହାସ ~
ଉପସ୍ଥାପନା: ନିରଞ୍ଜନ ସାହୁ
ସାହିତ୍ୟ ହେଉଛି ମୂଳତଃ ମଣିଷର।
ଜୀବନର ବିବିଧ ପରିଧି ଗୁଡ଼ିକ ସହିତ ହିଁ ତାହାର ।
ସମ୍ବନ୍ଧ ରହିଥାଏ ଓ ଯାବତୀୟ ଲୋକନ ଏବଂ ଅବଲୋକନ ସହ ସମାଜକୁ ଆୟତନ ରୂପେ ଗ୍ରହଣ କରି ଆପଣାକୁ ସମ୍ଭବ କରାଇବାରେ ଲାଗିଥାଏ। ଆମ ଓଡ଼ିଆ ସାହିତ୍ୟକୁ ଆମେ ସେହିପରି ଏକ ଯଥାସମ୍ଭବ ଅଧିକ ସମଗ୍ର ଦୃଷ୍ଟିଗତ ଭୂମି ଉପରେ ଦେଖିପାରିବା ଉଚିତ। ସମ୍ଭବତଃ ମଣିଷ ମାତ୍ରକେ ସମସ୍ତଙ୍କୁ ଅତୀତ କଥା ମନେ ପକେଇବାକୁ ଭାରି ଭଲ ଓ ଗୌରବମୟ ଲାଗେ । ଅତୀତକୁ ଫେରିଯିବା ପାଇଁ ସତେ ଯେପରି ଅନେକେ କୌଣସି ଗୋଟିଏ ଅବସରକୁ ଅପେକ୍ଷା କରି ଟାକି ବସିଥାନ୍ତି । ଆମ ଦେଶରେ ଏହି ପ୍ରବୃତ୍ତିଟି ସମ୍ଭବତଃ ତଥାପି ଆହୁରି ପ୍ରଖର ଭାବରେ ଅନୁଭୂତ ହୋଇଥାଏ। ଆମ ପଣ୍ଡିତମାନେ ମଧ୍ୟ ଏହି କ୍ଷେତ୍ରରେ କୌଣସି ପ୍ରକାରେ କମ୍ ଧୁରନ୍ଧରତା ଦେଖାନ୍ତି ନାହିଁ। ଏହି ଅତ୍ୟୁତ୍ସାହ ସତ୍ୟର ଅନୁସନ୍ଧାନ ସମୟରେ ପ୍ରାୟ ଏକ ଅନ୍ତରାୟ ହୋଇ ଉଭା ହୁଏ। ଆମେ ଯାହାକିଛି ପାଇଲୁ, ତାହା ସହିତ ଆହୁରି କିଛି କଳ୍ପନା ଯୋଡ଼ି ଦେଇ ଲେଖୁଥିବା ବହିଗୁଡ଼ିକ ଭାରି ରସାଳ ହୋଇ ଦେଖାଯିବ ସତ୍ୟ; ମାତ୍ର ତଦ୍ୱାରା ଆମର ଜୀବନ ଲାଗି, ଆମର ଭବିଷ୍ୟତ ମାର୍ଗଟିକୁ ନିରୂପଣ କରିବା ଲାଗି ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ଆମର ଯଥାର୍ଥ ସ୍ଥାନ ଓ ଆହ୍ବାନଗୁଡ଼ିକୁ ସଠିକ ଭାବେ ଠାବ କରିବାକୁ ହୁଏତ ଏହି ରସାଳ ସାହିତ୍ୟ (!)ର ପ୍ରୟୋଜନୀୟତା ଆଦୌ ରହିବ ନାହିଁ।
ଆମ ଓଡ଼ିଆ ସାହିତ୍ୟରେ ମଧ୍ୟ ଆଲୋଚନା କରିବା ସମୟରେ ଅତୀତକୁ ଅତିରଞ୍ଜିତ କରି ଦେଖାଇବା ଓ ଗର୍ବ ଅନୁଭବ କରିବା ପ୍ରବୃତ୍ତି ଆମକୁ ଏକାଧିକ ପ୍ରକାରେ ଆତ୍ମବିସ୍ମୃତ କରି ରଖାଇବା ଦୃଷ୍ଟାନ୍ତ କମ ନୁହେଁ। ଏଭଳି ଏକ ଅପବାଦ ଆମ ଦେଶର ସାହିତ୍ୟ ଉପରେ ରହିଛି ଯେ, ପାଶ୍ଚାତ୍ୟ ଧର୍ମ, ଦର୍ଶନ, ସାହିତ୍ୟ, ଇତିହାସ ଆଲୋଚନାର ଦୃଷ୍ଟିଟି ମୂଳତଃ ସମୀକ୍ଷାତ୍ମକ, ତଥ୍ୟଭିତ୍ତିକ ଓ ତର୍କମାର୍ଗ ଦ୍ଵାରା ପରିଚାଳିତ ହୋଇଥାଏ; ଅପରପକ୍ଷରେ ଏହାର ବିପରୀତ ଦୃଷ୍ଟି୍ଟି ଅଧିକାଂଶ ଭାରତୀୟ ସମୀକ୍ଷକ, ଭକ୍ତ, ଆଲୋଚକଙ୍କ ହିଁ ଦୃଷ୍ଟିଭଙ୍ଗୀ। ଏହା ଅତ୍ୟୁତ୍ସାହରେ ପରିଣତ ହୋଇ ପ୍ରକୃତ ସ୍ଥିତିକୁ ଭ୍ରମ କରିପକାଏ, ଯାହା ଫଳରେ ଆମେ ବିମୁଗ୍ଧ ଭାବରେ ବାନ୍ଧି ହୋଇ ରହିଛନ୍ତି ଓ ଆମର ସମ୍ମୁଖ ଦୃଷ୍ଟିଭଙ୍ଗୀ ବ୍ୟାହତ !
ଏଠାରେ ଆମ ସମୟର ବିଶିଷ୍ଟ ବିଦ୍ୱାନ ଓ ବାଗ୍ମୀ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ମନ୍ତବ୍ୟ ଦେଖନ୍ତୁ: “ଏହି ଦୃଷ୍ଟିରୁ ଯଥାସମ୍ଭବ ସାହିତ୍ୟ ହେଉ, ସାଂସ୍କୃତିକ ବିଚାର ହେଉ, ଆମେ ନିଜକୁ ମୁକ୍ତ ରଖିବା, ମୋହ ମୁକ୍ତ ହୋଇ ଆମର ଏହି ସାହିତ୍ୟ ଭୂମିଟିର ଅବଧାରଣା କରିବାକୁ ଆଗ୍ରହୀ ହେବା। ତାହାରି ମଧ୍ୟ ଦେଇ ଆମର ସ୍ବପ୍ନ ଗୁଡ଼ିକୁ କଳିବା, ବିଭିନ୍ନ ଯୁଗର ସାହିତ୍ୟାଭିବ୍ୟକ୍ତି ମଧ଼୍ୟ ଦେଇ ଯେଉଁ ମଣିଷ ଆମ ସାମୂହିକ ଆୟତନଟିରେ ଆପଣାକୁ ବିବର୍ତିତ ଏବଂ ବିକଶିତ କରି ଆଣିବାକୁ ଚେଷ୍ଟା କରିଆସିଛି, ସର୍ବପ୍ରଧାନ ଅନୁରାଗଟିକୁ ଦେଇ ଆମେ ସେହି ମନୁଷ୍ୟଟିକୁ ହିଁ ସବାଆଗ କଳିବାକୁ ଆଗ୍ରହ ରଖିବା”। ଉପରୋକ୍ତ କଥାମାନ ଦୃଷ୍ଟିରେ ରଖି ଡ. ମାୟାଧର ମାନସିଂହ କୃତ ‘ଓଡ଼ିଆ ସାହିତ୍ୟର ଇତିହାସ’ ସମ୍ବନ୍ଧରେ ଆଲୋଚନା ହେବା ଠିକ୍ ମନେକରୁ ।
~ ସାହିତ୍ୟର ଇତିହାସ କଣ ଆବଶ୍ୟକ ?~
ଇତିହାସ କାହାକୁ କହନ୍ତି ? ବର୍ତ୍ତମାନ କାଳରେ କୌଣସି ସ୍ଥାନରେ ଦୁଇ ଦଳ ମଧ୍ୟରେ ଝଗଡ଼ା ହେଲେ ମଧ୍ୟ ଲୋକେ ତା’ର ନାମ ଇତିହାସ ଦେଇଥାଆନ୍ତି ! କିନ୍ତୁ ବସ୍ତୁତଃ ଯହିଁରେ ପୁନରାବୃତ୍ତି, ଅର୍ଥାତ ପୂର୍ବେ ଯାହା ଘଟିଅଛି ଓ ତାହାର ଆବୃତ୍ତି ଅଛି, ତାହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗକୁ ଇତିହାସ କୁହାଯାଇ ପାରିବ ନାହିଁ। ସଂସ୍କୃତ ପଣ୍ଡିତମାନେ କହନ୍ତି:
” ଧର୍ମାର୍ଥକାମମୋକ୍ଷାଣାମୁପଦେଶସମନ୍ଵିତମ୍।
ପୂର୍ବବତ୍ତକଥାଯୁକ୍ତମିତିହାସଂ ପ୍ରଚକ୍ଷତେ।”
ତେଣୁ ଇତିହାସ ହିଁ ଅତୀତର ଗାଥା ବହନ କରେ ଏବଂ ଅତୀତକୁ ଭଲ ଭାବରେ ଦେଖି ନେବା ପାଇଁ ଏହାହିଁ ସ୍ଵଚ୍ଛ ଦର୍ପଣ। ବିଶେଷ କରି ସାହିତ୍ୟ କ୍ଷେତ୍ରରେ, “କେବଳ ସାହିତ୍ୟର ଇତିହାସ ହିଁ ଯେ କୌଣସି ଜାତିର ଆତ୍ମାର ଇତିହାସ; ତା’ର ପ୍ରକୃତ ମର୍ମବାଣୀ” । ଅତଏବ ସାହିତ୍ୟର ଇତିହାସ ହିଁ ଗୋଟିଏ ଜାତି, ଦେଶ ପାଇଁ ଅପରିହାର୍ଯ୍ୟ।
~ ସାହିତ୍ୟର ଇତିହାସ ଲେଖିବାର ଖଡ଼ିପାଠ ~
ହାଇସ୍କୁଲ ପାଠ ପରେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାର୍ଥୀ ହେଲେ ମାନସିଂହ। ତା ପୂର୍ବରୁ ଲେଖାଲେଖି ଅଭ୍ୟାସଟା ତ ରହିଥିଲା ଭଲ ଭାବରେ। ତେବେ ରେଭେନ୍ସା କଲେଜର ଶୈକ୍ଷିକ ବାତାବରଣ ତାଙ୍କୁ ଆଉଟିକେ ପ୍ରେରଣା ଯୋଗାଇଥିଲା। କଲେଜର ମୁଖପତ୍ର ରେଭେନ୍ସାଭିଆନରେ ଗୋପବନ୍ଧୁଙ୍କ ଉପରେ ପ୍ରଥମ ଇଂରାଜୀ ପ୍ରବନ୍ଧ, ଗୋପାଳକୃଷ୍ଣଙ୍କ କବିତାର ଇଂରାଜୀ ଅନୁବାଦ, ରବୀନ୍ଦ୍ରନାଥଙ୍କ ବଙ୍ଗଳା ରଚନାର ଅନୁବାଦ Temples of Bhubaneswar ଆଦି ପ୍ରକାଶିତ ହେଲା ତାଙ୍କର । ଏ ସମସ୍ତ ପାଠକରି ବାଗ୍ମୀ ସ୍ଵର୍ଗତ ଆର୍ତ୍ତବଲ୍ଲଭ ମହାନ୍ତି ମହୋଦୟ କହିଲେ – “ଭଲ କାମ କରୁଛୁ ରେ ! ଆହୁରି ଆହୁରି କରିଯା”।
୧୯୩୫ ମସିହାରେ ଶିକ୍ଷକତା କରୁଥିବା ବେଳେ (ନିମାପଡ଼ା ସ୍କୁଲ) ଆଧୁନିକ ଓଡ଼ିଆ ସାହିତ୍ୟ ଉପରେ ତାଙ୍କ ରଚିତ ଇଂରାଜୀ ପ୍ରବନ୍ଧ ମାଡ୍ରାସରୁ ପ୍ରକାଶିତ ପ୍ରସିଦ୍ଧ ଜାତୀୟ ପତ୍ରିକା Indian Reviewରେ ସ୍ଥାନ ପାଇଲା। ପରେ ପରେ ବାଙ୍ଗଲୋରରୁ ପ୍ରକାଶ ପାଉଥିବା ଇଂରାଜୀ ପତ୍ରିକା Triveniରେ ଓଡ଼ିଆ ସାହିତ୍ୟର ଏକ ସଂକ୍ଷିପ୍ତ ଇତିହାସ, ପରବର୍ତ୍ତୀ ସଂଖ୍ୟାରେ ଗୋପାଳକୃଷ୍ଣ ଓ ଭୀମଭୋଇଙ୍କ ଉପରେ ଇଂରାଜୀ ପ୍ରବନ୍ଧ ପ୍ରକାଶିତ ହୋଇଥିଲା। ଏହି ପ୍ରବନ୍ଧ ଦ୍ବୟ ପାଠକୀୟ ସ୍ଵୀକୃତି ଲାଭ କରିବା ଜଣେ ଓଡ଼ିଆ ସାହିତ୍ୟିକଙ୍କ ପାଇଁ କମ୍ ଗୌରବର ବିଷୟ ନୁହେଁ । ଏହା ପ୍ରକାଶିତ ହେବା ପରେ ମାନସିଂହଙ୍କ ପାଖକୁ ଅଯାଚିତ ଭାବରେ ପ୍ରଶଂସାର ସୁଅ ଛୁଟିଲା।
୧୯୫୭ ମସିହାରେ ଜାତୀୟ ସାହିତ୍ୟ ଆକାଡେମୀ Contemporary Indian Literature ନାମରେ ଖଣ୍ଡିଏ ବହି ପ୍ରକାଶ କଲେ, ଯାହା ଭାରତୀୟ ପାଠକ ମହଲରେ ଅତ୍ୟନ୍ତ ଆଦୃତ ହୋଇଥିଲା। କିନ୍ତୁ ଏହି ବହିରେ ଥିବା ‘ଆଧୁନିକ ଓଡ଼ିଆ ସାହିତ୍ୟ’ ସମ୍ପୃକ୍ତ ପ୍ରବନ୍ଧ ଉପରେ ଓଡ଼ିଶାର ତଥାକଥିତ ବାମପନ୍ଥୀ ଓ ପ୍ରଗତି ପନ୍ଥୀ ସାହିତ୍ୟିକଗଣ ଏହା ବିରୋଧରେ ପ୍ରବଳ ପାଟିତୁଣ୍ଡ ଓ ପ୍ରତିବାଦ କରିଥିଲେ। ସେତେବେଳେ ଏ ସମ୍ପର୍କରେ ମାନସିଂହଙ୍କ ମତ ଓ ଉତ୍ତର ଥିଲା, Contemporary Indian Literature ରେ ପ୍ରକାଶିତ ମତ (ପ୍ରବନ୍ଧ) ମୋ ପକ୍ଷରୁ ନୂତନ ବା ଆକସ୍ମିକ ନୁହେଁ। ସବୁଜ, ବାମପନ୍ଥୀ ଓ ତଥାକଥିତ ପ୍ରଗତିବାଦୀମାନେ ଓଡ଼ିଆ ଭାଷାର ହଜାରେ ବର୍ଷର ସ୍ଵକୀୟ ଐତିହ୍ୟକୁ ଯେ ନଷ୍ଟ କରିଛନ୍ତି, ସେମାନଙ୍କର ରସ-ସଂଗ୍ରହ ଏ ଦେଶର ମାଟିରୁ ନୁହେଁ, ପୁଣି ସେମାନଙ୍କର ଅଧିକାଂଶ ରଚନା ବଙ୍ଗଳାରୁ ଚୋରି ବା ଧାର ବା ଅଦଳବଦଳ ଛଡ଼ା ଆଉ କିଛି ନୁହେଁ, ଏ କଥା ମୁଁ ଗତ ତିରିଶ ବର୍ଷ ଧରି କହି ଆସୁଛି। ଯେତେ ବାଦ-ପ୍ରତିବାଦ, କୁତ୍ସା ଓ ଗୁଣ୍ଡାମି ସତ୍ତ୍ୱେ ମୋର ମତ ଓ ସ୍ଵର ବଦଳାଇ ନାହିଁ କି ଏବେ ବି ବଦଳାଇବାର କୌଣସି କାରଣ ଦେଖୁନାହିଁ। କାହିଁକି ନା, ସାହିତ୍ୟ ରାଜ୍ୟରେ କୁତ୍ସା, ସଭା ବା ଗୁଣ୍ଡାମି ଗ୍ରହଣୀୟ-ଯୁକ୍ତି ନୁହେଁ” ।
~ ବିରୋଧ କରିବାରେ ବିଚିତ୍ରତା ବା କ’ଣ ଅଛି? ~
ବ୍ୟକ୍ତିଚରିତ୍ରର ବିଶ୍ଳେଷଣ ସୂଚାଇଥାଏ ଯେ, ମଣିଷ ତାର ହାତରେ ଗଢ଼ିଥିବା ଉକ୍ତିଟିକୁ ଆଦର୍ଶ ବୋଲି ଗ୍ରହଣ କରେ, ନିଜର ପ୍ରଶଂସା ଅନ୍ୟ ଠାରୁ ଶୁଣିବାକୁ ସତତଃ ଅପେକ୍ଷା କରିଥାଏ; ବ୍ୟତିରେକେ ନିନ୍ଦା କରିବାକୁ ଆଗେଇ ଆସେ! ଏ ତ ସାଧାରଣ ମଣିଷର ମାନସିକତା ଓ ଆତ୍ମଲିପି।
ସେଇଥିପାଇଁ ତ :
ମଞ୍ଚ ପାଶେ କିପାଁ ଏତେ ଲୋକ ଠିଆ ?
ଲାଗିଅଛି ପରା ଆସନ କଜିଆ !
ନିଜ ଅହମିକା-ସଦୃଶ ଆସନ
ନ ଦେଖି ଥୋକାଏ ମହାକ୍ଷୁଣ୍ଣମନ ।
ଔପାଧିକ ରାଜା ଉଚ୍ଚାସନେ ରୁଷି
କ୍ଷୁଣ୍ଣ ହେଉଛନ୍ତି ରାଜା ମଉରୁସି ।
ଆସନ ସକାଶେ ବୃଦ୍ଧେ ଏଡ଼େ ବାଇ
ବାଳକେ ଯେସନେ କ୍ରୀଡ଼ନକ ପାଇଁ !
(ଦରବାର/କବିବର ରାଧାନାଥ)
~ ମାନସିଂହ ବରଣ ~
ସଂକୀର୍ଣ୍ଣତା, ଅପ୍ରଶଂସା, ଈର୍ଷାନ୍ଵିତ ହୋଇ ବିରୋଧ ସତ୍ତ୍ଵେ ଜାତୀୟ ସାହିତ୍ୟ ଆକାଡେମୀ ଦ୍ଵାରା ବରଣ ହେଲେ ମାନସିଂହ ଇଂରାଜୀ ଭାଷାରେ ଓଡ଼ିଆ ସାହିତ୍ୟର ଇତିହାସ ଲେଖିବା ପାଇଁ। ଏହା ଥିଲା ତାଙ୍କ ପ୍ରତି ଏକ ଆହ୍ବାନ, ଦାୟିତ୍ଵ ଓ ଜାତୀୟ କର୍ତ୍ତବ୍ୟ। ସେ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟକୁ ଜାଣିବାରେ ଅଣ ଓଡ଼ିଆ ସାହିତ୍ୟିକ, ବୁଦ୍ଧିଜୀବୀ, ସୁଧୀବୃନ୍ଦଙ୍କ ନିକଟରେ କୌଣସି ମାଧ୍ୟମ ନଥିଲା। ତେଣୁ ଇଂରାଜୀ ପରି ଏକ ବିଦେଶୀ ଭାଷାରେ ଓଡ଼ିଆ ସାହିତ୍ୟର ଏକ ପୂରା ଇତିହାସ ଲେଖିବା ଥିଲା ସର୍ବାଦୌ ଆବଶ୍ୟକ। ଦ୍ବିତୀୟତଃ ଯେଉଁ ସାହିତ୍ୟ ବାହାରର ସାରସ୍ଵତ ସାଧକଗଣ ପଢ଼ି ଓଡ଼ିଆ ସାହିତ୍ୟ ପ୍ରତି ସଶ୍ରଦ୍ଧ ହେବେ, ସେହି ଭଳି ସାହିତ୍ୟ-ଧର୍ମୀ ଇତିହାସକୁ ବାହାର ଦୁନିଆରେ ଉପସ୍ଥାପିତ କରିବା ଅନେକ ପରିମାଣରେ କଷ୍ଟସାଧ୍ୟ। ତଥାପି ଦୃଢ଼ ମନୋବଳ, ବିଜ୍ଞତା, ଅପୂର୍ବ ଭାଷା ବ୍ୟୁତ୍ପତ୍ତି ଆଦିରେ ସ୍ଵୟଂ ଅଳଂକୃତ ମାନସିଂହ ମହୋଦୟ ୧୯୫୬ ବେଳକୁ ଓଡ଼ିଆ ସାହିତ୍ୟର ଖଡ଼ିପାଠ ଆରମ୍ଭ କଲେ। ଜାତୀୟ ସାହିତ୍ୟ ଆକାଡେମୀ ବରାଦରେ ଏହା ଲେଖା ଯାଉଥିବା ହେତୁ, ଆକାଡେମୀର ନିୟମାନୁଯାୟୀ ତିନି ଜଣ ପ୍ରଖ୍ୟାତ ସାହିତ୍ୟିକଙ୍କ ଦ୍ଵାରା ପରିକ୍ଷୀତ ହୋଇ ସ୍ଵୀକୃତି ଲାଭ ପରେ ଛାପାଖାନାକୁ ଗଲା। ୧୯୬୨ର ଜୁନ ମାସ ୧୩ ତାରିଖ ଦିନ ବୋର୍ଡ଼ର ଶେଷତମ ବୈଠକରେ ଅନୁମୋଦିତ ହୋଇ ପାଠକାର୍ପଣ ହେଲା। ସେହି ଉପଦେଷ୍ଟା କମିଟିର (ବୋର୍ଡ) ସଦସ୍ୟ ମାନେ ହେଲେ ଡ. ହରେକୃଷ୍ଣ ମହତାବ, ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ଓ ଶ୍ରୀ ମାୟାଧର ମାନସିଂହ (ଆବାହକ)। ଏହି ଇତିହାସର ଭୂମିକାରେ ଜାତୀୟ ସାହିତ୍ୟ ଆକାଡେମୀ ସମ୍ପାଦକ ଶ୍ରୀ କୃପାଳିନୀ ମନ୍ତବ୍ୟ ଦେଇଥିଲେ: “No History of Literature, unless it is a mere chronological catalogue of names, can wholly avoid critical estimates and qualitative performances.”
ଏହି ପୁସ୍ତକ ଇଂରାଜୀ ଭାଷାରେ ଲିଖିତ ହୋଇ ସାହିତ୍ୟ ଆକାଡେମୀ ଦ୍ଵାରା ଭାରତର ବିଭିନ୍ନ ପାଠାଗାର, ରାଜ୍ୟ ସାହିତ୍ୟ ଏକାଡେ଼ମୀ, ଜାତୀୟ ସ୍ତରରେ ନାମୀଦାମୀ ପତ୍ରିକା, ଖବରକାଗଜ, ସାରସ୍ଵତ ସଂସ୍ଥା ମାନଙ୍କୁ ପ୍ରଦାନ କରାଯାଇଥିଲା। ସବୁ ଆଞ୍ଚଳିକ ଭାଷାରେ ମୁଦ୍ରିତ ହେଉଥିଲା ସେହି ଭାଷାର ସାହିତ୍ୟ ଇତିହାସ ଆମ ଓଡ଼ିଆ ସାହିତ୍ୟର ଇତିହାସ ସଦୃଶ, ଯାହା ଜାତୀୟ ସାହିତ୍ୟ ଆକାଡେମୀର ଲକ୍ଷ୍ୟ ଥିଲା। ଓଡ଼ିଆ ସାହିତ୍ୟରେ ଡ. ମାନସିଂହଙ୍କୁ ହିଁ ଚୟନ କରିଥିଲେ କେନ୍ଦ୍ରୀୟ ଏକାଡେମୀ, ଏତେ ଏତେ ଲେଖକ ଓଡ଼ିଶାରେ ଥିବା ସତ୍ତ୍ୱେ। ଏଇଥିରୁ ମାନସିଂହ ମହୋଦୟଙ୍କ ମୂଲ୍ୟାୟନ କରାଯାଇପାରେ !
ତେବେ କାହିଁକି ଆମେ ସମସ୍ତେ ଏତେ ସଂକୀର୍ଣ୍ଣ ହୋଇ ଯାଇଛନ୍ତି ତାଙ୍କୁ ‘ପ୍ରେମ ଓ ପ୍ରଣୟର କବି’ ଉପାଧିରେ ଭୂଷିତ କରି ?
ଆଧାର: ଡ. ମାନସିଂହ ଗ୍ରନ୍ଥାବଳୀ;
କବିବର ରାଧାନାଥଙ୍କ ‘ଦରବାର’ କାବ୍ୟ
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…
~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…