ଇତିହାସ

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା’ ଦକ୍ଷିଣକାଳୀ ~
ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
କାହିଁ କେଉଁ ଆଦି ଅନାଦି କାଳରୁ ଏହି ଉତ୍କଳ ଭୂଖଣ୍ଡ ଶକ୍ତିପୂଜାର ନାଭିକେନ୍ଦ୍ର ଭାବେ ପରିଚିତ ହୋଇ ଆସିଛି। ଦେବୀ ପୁରାଣ ଅନୁସାରେ, ସତୀ ଦେବୀଙ୍କ ଦକ୍ଷ ଯଜ୍ଞ ବିନାଶ ପରେ ତାଙ୍କ ଅର୍ଦ୍ଧଦଗ୍ଧ ଶରୀରର ଏକ ଅଂଶ ଏହି ପବିତ୍ର ଉଡ୍ରଭୂମିରେ ପତିତ ହୋଇଥିବାର ବର୍ଣ୍ଣନା ମିଳେ। ସେହି ପବିତ୍ର ସ୍ଥାନରେ, ଭୈରବ ସ୍ୱରୂପ ନୀଳାଚଳବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୈରବୀ ରୂପେ ମା’ ବିମଳା ଦେବୀ ଜଗତବିଖ୍ୟାତ। ଶ୍ରୀକ୍ଷେତ୍ରର ଅଭଡ଼ାରୁ ଆରମ୍ଭ କରି ମହାପ୍ରସାଦ ପର୍ଯ୍ୟନ୍ତ ଚାଲିଥିବା ପରମ୍ପରା ଆମକୁ ଏହି ଶିକ୍ଷା ଦେଇଥାଏ ଯେ, ଉତ୍କଳୀୟ ସଂସ୍କୃତିରେ ମାତୃତ୍ୱ ଓ ଭଗିନୀଙ୍କ ସ୍ଥାନ ଧର୍ମପତ୍ନୀଙ୍କ ଠାରୁ ମଧ୍ୟ ଉଚ୍ଚ।
ଆମ ରାଜ୍ୟରେ ଦେବୀପୂଜାର ପଦ୍ଧତି ଓ ଆରାଧନାର ରୂପ ବିଭିନ୍ନ ଧାରାରେ ବିକଶିତ ହୋଇଛି। କାଠି ଠାକୁରାଣୀ/ସ୍ତମ୍ଭେଶ୍ୱରୀ/ଖମ୍ବେଶ୍ବରୀଙ୍କ ଠାରୁ ଆରମ୍ଭ କରି ସିନ୍ଦୁରମଣ୍ଡିତ ପ୍ରସ୍ତର ମୂର୍ତ୍ତି, ଦୁଇହସ୍ତ, ଚତୁରସ୍ତ, ଷଡ଼ହସ୍ତ, ଦ୍ୱାଦଶହସ୍ତ ବିଗ୍ରହ ରୂପେ, ପରେ ପିତଳ, ରୋପ୍ୟ ଓ ସୁବର୍ଣ୍ଣ ଆଦି ଧାତୁ ନିର୍ମିତ୍ତ ବିଗ୍ରହ ଏବଂ ଶେଷରେ ମୃଣ୍ମୟୀ ମୂର୍ତ୍ତି ପର୍ଯ୍ୟନ୍ତ ଏହାର ବିକାଶ ଘଟିଛି। ସେହି ପରମ୍ପରାରେ, ଓଡ଼ିଶାର ବିଭିନ୍ନ ଗଡଜାତ ଅଞ୍ଚଳରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଅନେକ ଗ୍ରାମଦେବୀ, କୁଳଦେବୀ, ଇଷ୍ଟଦେବୀ ଏବଂ ଆରାଧ୍ୟଦେବୀମାନଙ୍କର ଆବିର୍ଭାବ ହୋଇଛି।
ଏଥି ମଧ୍ୟରୁ କୁଳଦେବୀ ଓ ଇଷ୍ଟଦେବୀ ଆଦି ରାଜପରିବାର ତଥା ସମାଜର ସମ୍ରାନ୍ତ ଶ୍ରେଣୀର ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ବେଳେ, ଗ୍ରାମଦେବୀ ଓ ଆରାଧ୍ୟଦେବୀମାନେ ସାଧାରଣ ପ୍ରଜାମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିଲେ । ଇତିହାସ କୁହେ, ଏହି ଭିତ୍ତିରେ ରାଜ୍ୟରେ ଅଷ୍ଟକାଳୀ, ଅଷ୍ଟମହାଦେବୀ, ସପ୍ତମାତୃକା, ଚାମୁଣ୍ଡା, ଚଉଷଠି ଯୋଗିନୀ ଓ ସାତ ଭଉଣୀ ଆଦି ଶକ୍ତି ପୂଜା ପରମ୍ପରାର ଉଦ୍ଭବ ଘଟିଥିଲା। ଏହି ଶକ୍ତି ସ୍ୱରୂପା ଦେବୀ ମାନଙ୍କ ଆବିର୍ଭାବ ଦ୍ୱାରା ଆମ ରାଜ୍ୟର ଶକ୍ତି ସଂସ୍କୃତିକୁ ଏକ ସ୍ୱତନ୍ତ୍ର ଓ ବିଶିଷ୍ଟ ପରିଚୟ ପାଇଥିଲା ।
ଏହି ପରମ୍ପରାରେ ନୟାଗଡ଼ ଗଡଜାତ କେମିତି ପଛରେ ପଡ଼ିବ,? ଏଠି ମଧ୍ୟ ଓଡ଼ିଶାର ଅନ୍ୟାନ୍ୟ ଗଡଜାତମାନଙ୍କ ଭଳି ଶାକ୍ତ ସଂସ୍କୃତିର ବୀଜ ରୋପିତ ହୋଇଥିଲା। ନୟାଗଡ଼ ଇତିହାସ କୁହେ, ତ୍ରୟୋଦଶ ଶତାବ୍ଦୀରେ ଯେତେବେଳେ ଏହି ଅଞ୍ଚଳ ଘନ ଜଙ୍ଗଲରେ ଆବୃତ ଓ ବାଘ-ସିଂହ ଆଦି ହିଂସ୍ର ପ୍ରାଣୀମାନଙ୍କର କ୍ରୀଡାଭୂମି ଥିଲା, ସେଇ ସମୟରେ ଅଧୁନା ମଧ୍ୟପ୍ରଦେଶର ରେୱା ନାମକ ଏକ ଖୁଦ୍ର ରାଜ୍ୟରୁ ନିଷ୍କାସିତ ଦୁଇ ରାଜକୁମାର, ସୂର୍ଯ୍ୟମଣି ସିଂହ ଓ ଚନ୍ଦ୍ରମଣି ସିଂହ ଏଠାରେ ପହଞ୍ଚିଥିଲେ। ଜ୍ୟେଷ୍ଠ ସୂର୍ଯ୍ୟମଣି ସିଂହ ଏକ ଭୟଙ୍କର ମହାବଳ ବାଘକୁ ହତ୍ୟା କରି ନୂତନ ଗଡ଼ରାଜ୍ୟ “ନୟାଗଡ଼” ସ୍ଥାପନ କରିଥିଲେ।
କିନ୍ତୁ ତଥ୍ୟତଃ ଦେଖିଲେ, ଏହି ନୂତନ ରାଜ୍ୟର ପ୍ରକୃତ ସ୍ରଷ୍ଟା ଥିଲେ ଆଦିଶକ୍ତି ମା’ ଦୁର୍ଗାଙ୍କ ଏକ ଅଂଶରୂପା ଦେବୀ, ଯିଏ ନୟାଗଡ଼ରେ “ଦେବୀ ବାଉରୀ” ନାମରେ ପ୍ରସିଦ୍ଧ। ମା’ ବାଉରୀଙ୍କୁ ଏହି ଅଞ୍ଚଳର ଶକ୍ତି ଉପାସନାର ପ୍ରଥମ ଦେବୀ ବୋଲି ମନାଯାଏ। ତାଙ୍କ ପରେ କ୍ରମେ ନୟାଗଡ଼ରେ ମା’ ରାମଚଣ୍ଡୀ/ଗଡ଼ଚଣ୍ଡୀ, ମା’ ଦାନ୍ତିଦୁର୍ଗା, ମା’ କାଉଁରୀ କାମାକ୍ଷା, କାଠି ଠାକୁରାଣୀ, ମା’ ତରକେଇ, ମା’ ସୁଳିଆଦେବୀ, ମା’ ବ୍ରହ୍ମଣିଦେବୀ, ଗଡ଼ ମଙ୍ଗଳା, ଆଦି ଦେବୀମାନଙ୍କ ଆବିର୍ଭାବ ଘଟିଥିଲା।
ଏହି ଦେବୀମାନଙ୍କ ନିକଟରେ ଏଠାକାର ରାଜାମାନଙ୍କ ଦ୍ୱାରା ଶକ୍ତି ପୂଜାର ବୈଦିକ ପରମ୍ପରାର ଆରମ୍ଭ ହୋଇଥିଲା। ନୟାଗଡ଼ ଅଞ୍ଚଳର ସରଳ ଓ ନିରୀହ ପ୍ରଜାମାନଙ୍କୁ ଆରମ୍ଭ କରି ସମ୍ରାନ୍ତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଏହି ଦେବୀମାନଙ୍କୁ ନିଜର ସବୁକିଛି ଅର୍ପଣ କରି, ତାଙ୍କର କୃପା ଆଶୀଷରେ ନିଜର ଦୈନନ୍ଦିନ କାର୍ଯ୍ୟ ଓ ଶୁଭ କାର୍ଯ୍ୟ ସମ୍ପାଦନ କରୁଥିଲେ। ଏହିପରି ସମୃଦ୍ଧ ପରମ୍ପରା ସତ୍ତ୍ୱେ ମଧ୍ୟ ନୟାଗଡ଼ର ଶକ୍ତିସଂସ୍କୃତିର ପୂଜାପରମ୍ପରା କେବେ ସାନ୍ତ ହୋଇନଥିଲା। ବିଭିନ୍ନ ଦେବୀମାନଙ୍କ ଆବିର୍ଭାବ ଓ ସ୍ଥାପନ ପରେ ମଧ୍ୟ ଏମିତି ଲାଗୁଥିଲା ଯେପରି ଏହି ଗଡଜାତଟି କିଛି ଅପୂର୍ଣ୍ଣ ରହିଯାଇଛି। ମନେ ହେଉଥିଲା, ଗଡ଼ଟି ଆଉ ଜଣେ ଶକ୍ତିସ୍ୱରୂପା ଦେବୀଙ୍କ ଆଗମନକୁ ଅପେକ୍ଷା କରୁଛି,ଯିଏ ଏହି ଅଞ୍ଚଳର ପ୍ରଜାମାନଙ୍କ ଶକ୍ତି ପୂଜାକୁ ପୂର୍ଣ୍ଣତା ଦେବେ।
ଏଭଳି ଦିନ ପରେ ଦିନ ବିତିଯାଉଥିବା ବେଳେ, ବ୍ରିଟିଶ ଶାସନାଧୀନ ସମୟରେ ନୟାଗଡ଼ ଗଡଜାତରେ ଆବିର୍ଭୁତ ହେଲେ ଅନ୍ୟ ଜଣେ ପ୍ରଭାବଶାଳୀ ଦେବୀ “ମା ଦକ୍ଷିଣକାଳୀ”। ତାଙ୍କର ଆଗମନ ସହିତ ନୟାଗଡ଼ର ଶକ୍ତି ଉପାସନା ଏକ ନୂତନ ଓ ପୂର୍ଣ୍ଣ ରୂପ ପାଇଥିଲା | ଏହି ଦେବୀଙ୍କ ଆବିର୍ଭାବ ରାଜା-ରାଜୁଡ଼ାଙ୍କ ସମୟରୁ ହୋଇଥିଲେ ମଧ୍ୟ, ତାଙ୍କର ପ୍ରଥମ ସ୍ଥାପନା ଜଣେ ସାଧାରଣ ଭକ୍ତ ଓ ପ୍ରଜାଙ୍କ ଦ୍ୱାରା ହୋଇଥିଲା। ପରବର୍ତ୍ତୀକାଳରେ ନୟାଗଡ଼ ରାଜପରିବାରଙ୍କର ପୁଷ୍ଟିପୋଷଣ ଲାଭ କରି, ଦେବୀ ଏହି ଗଡଜାତର ଆରାଧ୍ୟ ଦେବୀ ରୂପେ ପ୍ରତିଷ୍ଠିତ ହୋଇଥିଲେ।
ନୟାଗଡ଼ର ଇତିହାସ ତଥା କିମ୍ବଦନ୍ତୀ କୁହେ ଯେ, ଦେବୀଙ୍କ ନିଜ ସ୍ଥାନ ଖଣ୍ଡପଡ଼ା ରାଜପରିବାରଙ୍କ ବ୍ୟକ୍ତିଗତ ଆମ୍ବବଗିଚା “ନନ୍ଦନବନ” ଥିଲା। ସେହି ଆମ୍ବବନର ପ୍ରାକୃତିକ ପରିବେଶ ମଧ୍ୟରେ, କୌଣସି ଏକ ଆମ୍ବ ବୃକ୍ଷମୂଳରେ ଦେବୀ ଏକ ଖୁଦ୍ର ପାଷାଣ ରୂପରେ ସିନ୍ଦୁରମଣ୍ଡିତ ଅବସ୍ଥାରେ ସ୍ଥାନୀୟ ଭକ୍ତମାନଙ୍କ ଦ୍ୱାରା ପୂଜା ପାଇ ଆସୁଥିଲେ। କାଳକ୍ରମେ ଦେବୀ ଅପୂଜ୍ୟ ହୋଇ ରହିଯାଇଥିବାର ଜନଶ୍ରୁତି ମିଳେ। ବୋଧହୁଏ ସେହି ଅପୂଜ୍ୟ ଦେବୀ କୌଣସି ନିଷ୍ଠାବାନ ଭକ୍ତ କିମ୍ବା ସାଧକଙ୍କ ଭକ୍ତିରେ ପ୍ରସନ୍ନ ହୋଇ ପୁନର୍ବାର ଆବିର୍ଭାବ ହେବା ପାଇଁ ସମୟର ଅପେକ୍ଷା କରୁଥିଲେ। କିନ୍ତୁ ସେ ଯେ ଯୋଗମାୟା, ମହାକାଳଙ୍କ କାଳରୂପୀ ମହାକାଳୀ—ତେଣୁ ସମୟ ତାଙ୍କ ନିୟନ୍ତ୍ରଣରେ। ମହାକାଳୀଙ୍କ ଇଚ୍ଛା ବିନା କାଳ ମଧ୍ୟ ଚଳିତ ହୁଏନାହିଁ; ଏଣୁ ଦେବୀଙ୍କ ଇଚ୍ଛାରେ ସମୟ ମଧ୍ୟ ଅପେକ୍ଷାରେ ରହିଥିଲା।
ନୟାଗଡ଼ର ଇତିହାସ ଅନୁସାରେ, ସେହି ସମୟରେ ନୟାଗଡ଼ରେ ବଘେଲ ବଂଶର ରାଜା ଲଡ଼ୁକେଶର ସିଂହ ମାନ୍ଧାତା (ଖ୍ରୀ:-୧୮୫୧-୧୮୮୯) ରାଜୁତି କରୁଥିଲେ। ସେ ଏହି ବଂଶର କୁଳଦେବତା ପ୍ରଭୁ ଶ୍ରୀ ଲଡୁବାବାଙ୍କ ଆଶୀର୍ବାଦରୁ ଜନ୍ମଲାଭ କରି, ଦୈବ ସଂଯୋଗରେ ନୟାଗଡ଼ର ରାଜସିଂହାସନ ପ୍ରାପ୍ତ କରିଥିଲେ। ଏହି କାରଣରୁ ତାଙ୍କ ପିତାମାତା ତାଙ୍କ ନାମ “ଲଡ଼ୁକେଶର ସିଂହ” ରଖିଥିଲେ। ରାଜା ଅତ୍ୟନ୍ତ ଦୟାଳୁ, ଚତୁର ଓ ଧର୍ମପରାୟଣ ଥିଲେ; ତାଙ୍କ ଅନ୍ତରାତ୍ମାରେ ଗଭୀର ଭକ୍ତିଭାବ ବସିଥିଲା। ଏହି ରାଜାଙ୍କ ଶାସନ ସମୟରେ ରାଜାଙ୍କ ସାମନ୍ତ ପରିବାରର ଜଣେ ଦେବୀସାଧକ ନିଜିଗଡ଼ ନିକଟସ୍ଥ ମୁକ୍ତାପୁର ଗ୍ରାମରେ ବାସ କରୁଥିଲେ। ସେ ବୃତ୍ତିରେ ଜଣେ ତାନ୍ତ୍ରିକ ସାଧକ ଥିଲେ ଓ ତାଙ୍କ ଆରାଧ୍ୟ ଦେବୀ ଥିଲେ ମା ଆଦିଶକ୍ତି ଦକ୍ଷିଣକାଳୀ। ସେ ସଦା ଦେବୀଙ୍କ ପୂଜା, ଭକ୍ତି ଓ ଧ୍ୟାନରେ ମଗ୍ନ ରହୁଥିଲେ।
ଏମିତି ଏକ ସମୟରେ ସେ ନିଜ ପୂଜାସ୍ଥଳୀ ଭାବେ ଆଜିର ନୟାଗଡ଼ ସହରର ଉତ୍ତର ଦିଗରେ ଅବସ୍ଥିତ ବଳରାମ ପାହାଡ଼ର ନିମ୍ନଭାଗରେ ଥିବା ଏକ ଜରି ଗଛ ତଳକୁ ବାଛିଥିଲେ। ସେଠାରେ ସେ ନିଜ ତାନ୍ତ୍ରିକ ଗୁରୁଙ୍କ ସହ ତନ୍ତ୍ରସାଧନାରେ ନିରତ ରହୁଥିଲେ। ପୂଜାର ଶେଷ ପର୍ଯ୍ୟାୟରେ, ଦେବୀଙ୍କ ସ୍ୱପ୍ନାଦେଶ ଏବଂ ଗୁରୁଙ୍କ ମାର୍ଗଦର୍ଶନ ଅନୁସାରେ ସାଧକ ଖଣ୍ଡପଡ଼ା ଗଡ଼ର “ନନ୍ଦନବନ”କୁ ପ୍ରସ୍ଥାନ କରିଥିଲେ। ସେଠାରେ ସେ ଦେବୀଙ୍କ ପ୍ରତିମା ସମ୍ମୁଖରେ ପଣାଭୋଗ ଅର୍ପଣ କରି, ଦେବୀଙ୍କ କୃପା ପାଇବା ନିମନ୍ତେ ଅଧିଆ ପଡ଼ିଥିଲେ।
କଥିତ ଅଛି ଯେ, କିଛି ଦିନର ନିଷ୍ଠାପୂର୍ଣ୍ଣ ଭକ୍ତି ଓ ଅଟୁଟ ବିଶ୍ୱାସରେ ପ୍ରସନ୍ନ ହୋଇ ଦେବୀ ସେହି ସାଧକଙ୍କ ସମ୍ମୁଖରେ ସ୍ୱୟଂ ପ୍ରକଟ ହୋଇଥିଲେ। ଦେବୀଙ୍କ ଆଦେଶାନୁସାରେ ସେ ଭକ୍ତ ଠାକୁରାଣୀଙ୍କ ପାଷାଣ ପ୍ରତିମାକୁ ମୁଣ୍ଡରେ ଧରି ନୟାଗଡ଼ ନିଜିଗଡ଼ ଦିଗକୁ ଯାତ୍ରା ଆରମ୍ଭ କରିଥିଲେ। ଜନଶ୍ରୁତି ଅନୁଯାୟୀ, ଦେବୀଙ୍କ ଅପାର କୃପା ଓ ଆଲୌକିକ ଶକ୍ତିବଳରେ ସେହି ଯାତ୍ରା ସମୟରେ ଆସୁଥିବା ସମସ୍ତ ବାଧା ବିପତ୍ତି କ୍ଷଣମାତ୍ରେ ଦୂର ହୋଇଯାଉଥିଲା ! ବଢ଼ିଥିବା ନଦୀ ମଧ୍ୟ ଦେବୀଙ୍କ କୃପାରେ ଶାନ୍ତ ହୋଇଯାଇଥିଲା, ଏବଂ ଜଙ୍ଗଲର ହିଂସ୍ର ପଶୁମାନେ ମଧ୍ୟ ତାଙ୍କ ଆଲୌକିକ ପ୍ରଭାବରେ ନିରବ ହୋଇ ଭକ୍ତଙ୍କୁ ନିହାରି ରହୁଥିଲେ।
ଦେବୀଙ୍କ କୃପାରୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସେ ପଦବଜ୍ରରେ ଯାତ୍ରା କରି ନୟାଗଡ଼ ସହର ସ୍ଥିତ ତାଙ୍କ ସାଧନା ଯଜ୍ଞସ୍ଥଳୀରେ ପହଞ୍ଚିଥିଲେ। ପରବର୍ତ୍ତୀକାଳରେ ସେଇଠାରେ ଦେବୀଙ୍କ ପ୍ରତିଷ୍ଠା ହୋଇଥିଲା। ଏହି ଦିବ୍ୟ ଯାତ୍ରା ବିଷୟରେ ରାଜାଙ୍କ କର୍ଣ୍ଣଗୋଚର ହେବା ପରେ ସ୍ୱୟଂ ସେ ଆସି ଦେବୀଙ୍କୁ ଏହି ସ୍ଥାନରେ ନୟାଗଡ଼ ଗଡଜାତର ଆରାଧ୍ୟଦେବୀ ତଥା ଅଧିଷ୍ଠାତ୍ରୀ ଦେବୀ ରୂପେ ସ୍ଥାପନ କରିଥିଲେ।
ସେଇ ସମୟରୁ ଆଜି ପର୍ଯ୍ୟନ୍ତ ମା ଏଠାରେ ନିଜ କୃପା ଓ ମହିମାର ଅନେକ କିମ୍ବଦନ୍ତୀକୁ ସାକ୍ଷୀ ରଖି, ଭକ୍ତମାନଙ୍କ ପାଇଁ ବାତ୍ସଲ୍ୟମୟୀ ଓ କରୁଣାମୟୀ ରୂପେ ଦର୍ଶନ ଦେଇଆସୁଛନ୍ତି। ଓଡ଼ିଶାର ଅନ୍ୟାନ୍ୟ ଦେବୀପୀଠମାନଙ୍କରେ ହେଉଥିବା ରୀତିନୀତି ଓ ପୂଜାପର୍ବ ଭଳି ଏଠାରେ ମଧ୍ୟ ଅନୁରୂପ ପୂଜାପାର୍ବଣ ଅନୁଷ୍ଠିତ ହୁଏ। ସେହିମଧ୍ୟରୁ ପଣା ସଂକ୍ରାନ୍ତି ପର୍ବ ମା’ଙ୍କର ଅତ୍ୟନ୍ତ ପ୍ରିୟ ଓ ଲୋକପ୍ରସିଦ୍ଧ ଯାତ୍ରା ରୂପେ ପରିଚିତ। ଏହି ଯାତ୍ରାଟି ଷାଠିଏ ଦଶକରେ ଜଣେ ମାରୁଆଡ଼ି ସମ୍ପ୍ରଦାୟର ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବାର ଜଣାଯାଏ । ଜନୈକ ମାରୁଆଡ଼ି ସ୍ଥାନୀୟ କେତକ ଶ୍ରଦ୍ଧାଳୁ ବ୍ୟକ୍ତି ବିଶେଷକୁ ଏକତ୍ରିତ କରି ଆରମ୍ଭ କରିଥିଲେ ଏହି ବିରାଟ ପଣାଯାତ୍ର ଯାହା ଆଜି ଓଡ଼ିଶାର ହାତଗଣତି କେତକ ପ୍ରମୁଖ ଯାନୀ ଯାତ୍ରା ମଧ୍ୟରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଓଡ଼ିଶାର ଅନ୍ୟ ଶକ୍ତିପୀଠମାନଙ୍କ ତୁଳନାରେ ୟେ ଦେବୀଙ୍କ ପୂଜା ଅର୍ଚନା ଟିକେ ସ୍ୱତନ୍ତ୍ର ରହିଥାଏ ଅର୍ଥାତ ବର୍ଷ ତମାମ ଦେବୀଙ୍କ ଠାରେ ପାଳିତ ହେଉଥିବା ପର୍ବପର୍ବାଣି ମାନଙ୍କରେ କେବେ ଵି କୌଣସି ପ୍ରକାର ଜୀବହତ୍ୟା ତଥା ଜନ୍ତୁ ବଳି ଦିଆ ଯାଇ ନଥାଏ । ଦେବୀ ସାନ୍ତ ସ୍ୱରୂପା ସାକ୍ଷାତ ପରମବୈଷ୍ଣବୀ ରୂପେ ଏଠାରେ ପୂଜିତ |
Maa Dakhinakali Temple Nayagarh Nayagada Itihasa Maa Bauri Prasant Das
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

4 weeks ago