~ ନୟାଗଡ଼ର ରାମଲୀଳା ପରମ୍ପରା ~
ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ ଶ୍ରୀ ରଘୁନାଥ ଦିଅଁ ଓ ଶାଳଗ୍ରାମ ହୋଇଥାନ୍ତି। କିଛି ମଠରେ ଶ୍ରୀ ରାଧାକୃଷ୍ଣଙ୍କୁ ମଧ୍ୟ ଆରାଧ୍ୟ ଦେବତା ଭାବେ ପୂଜା କରାଯାଏ। ସମୟ ପ୍ରଭାବରେ ଏହି ମଠମାନଙ୍କ ମଧ୍ୟରୁ କିଛି, ମନ୍ଦିର ପରମ୍ପରାରେ ପରିଣତ ହୋଇଯାଇଛି। ଯଦି ଆମେ ନୟାଗଡ଼ ଗଡ଼ଜାତର ପରିପ୍ରେକ୍ଷ୍ୟରେ ଏହାକୁ ବିଚାର କରିବା, ତେବେ ଓଡ଼ଗାଁର ବିଜେ ଶ୍ରୀ ରଘୁନାଥ ଜୀଉ, ନୟାଗଡ଼ ନିଜିଗଡ଼ (ସହର) କେଉଟ ସାହିରେ ଥିବା ଖାଙ୍କି ରଘୁନାଥ ମନ୍ଦିର, କରଣ ସାହିର କୁଞ୍ଜବିହାରୀ ମନ୍ଦିର, ବଡ଼ଦାଣ୍ଡ ସାହିର ନବନାଲ, ଶ୍ରୀ ନାଗେରୀ ମୋହନ ଶ୍ରୀକୃଷ୍ଣ ମନ୍ଦିର ଆଦି ପ୍ରଥମେ ଏକେକ ମଠ ଥିଲେ, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ମନ୍ଦିରରେ ପରିଣତ ହୋଇଯାଇଛି।
ଓଡ଼ଗାଁରେ ଅବସ୍ଥିତ ଏହି ପ୍ରାଚୀନ ମଠଟି ତ୍ରେତାଯୁଗର ଶ୍ରୀରାମଙ୍କ ବନବାସ ଓ ଅତ୍ରୀ ମୁନିଙ୍କ ଆଶ୍ରମ ସହିତ ସମ୍ବନ୍ଧିତ ଥିବା ଏକ ଐତିହ୍ୟବାହୀ ସ୍ଥଳୀ ଭାବେ ପରିଚିତ। ଏହା ନୟାଗଡ଼ର ରାଜା ମୃତ୍ୟଞ୍ଜୟ ସିଂହ ମାନ୍ଧାତା (ଖ୍ରୀ:-୧୭୫୫-୧୭୯୩)ଙ୍କ ଶାସନ କାଳରେ, ତତ୍କାଳୀନ ଦେୱାନ ଓ ଗଡ଼ର ମୁଖ୍ୟମନ୍ତ୍ରୀ ବୈରାଗୀ ବେବର୍ତ୍ତା ପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁଯାୟୀ, ଏକ ଶ୍ରୀରାମ ମନ୍ଦିରର ରୂପ ନେଇଥିଲା।
ବୈରାଗୀ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ଦେବୀ ସୀତା ଓ ବୀର ବଜରଙ୍ଗୀଙ୍କ ସୁନ୍ଦର ମୂର୍ତ୍ତି ନିର୍ମାଣ କରାଇ ସେଠାରେ ପ୍ରତିଷ୍ଠା କରାଇଥିଲେ। ଦେୱାନ ଜଣେ ଅତ୍ୟନ୍ତ ଶ୍ରୀରାମ ଭକ୍ତ ଥିବାରୁ ନିଜ ଦୈନନ୍ଦିନ ପୂଜା ପାଇଁ ନିଜ ବାସଭବନରେ ମଧ୍ୟ ଶ୍ରୀ ରଘୁନାଥଙ୍କ ସପରିବାର ଏକ କ୍ଷୁଦ୍ର ବିଗ୍ରହ ପ୍ରତିଷ୍ଠା କରିଥିଲେ, ଯାହା ଅଦ୍ୟାପି ସେଠାରେ ପୂଜା ପାଉଛନ୍ତି । ଏହା ସହିତ, ଦେୱାନ ନିଜ ବାସଭବନ ସମ୍ମୁଖରେ ବୀର ବଜରଙ୍ଗୀଙ୍କ ଏକ ପାଷାଣ ବିଗ୍ରହ ସ୍ଥାପନ କରିଥିଲେ, ଯାହା ଆଜି ମଧ୍ୟ ନୟାଗଡ଼ ନିଜିଗଡ଼ ବଡ଼ଦାଣ୍ଡ ସାହିରେ ପୂଜିତ ହେଉଛନ୍ତି । ପରବର୍ତ୍ତୀ କାଳରେ ସ୍ଥାନୀୟ ଶ୍ରଦ୍ଧାଳୁମାନେ ସେଠାରେ ଏକ ମଧ୍ୟମ ଉଚ୍ଚତାର ମନ୍ଦିରଟିଏ ନିର୍ମାଣ କରି, ଗନ୍ଧମାର୍ଦ୍ଧନ ପର୍ବତଧାରୀ ରୂପରେ ଶ୍ରୀ ବୀର ବଜରଙ୍ଗୀଙ୍କ ଏକ ସୁନ୍ଦର ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ମନ୍ଦିର ମଧ୍ୟରେ ଶ୍ରୀ ହନୁମାନଙ୍କ କିଛି ମୁଖା ମଧ୍ୟ ପୂଜା ପାଉଛି, ଯାହା ସେଇ ସମୟରେ ଶ୍ରୀରାମ ନାଟକ ମଞ୍ଚସ୍ଥ ହେଉଥିବାର ଏକ ସ୍ପଷ୍ଟ ପ୍ରମାଣ ବହନ କରୁଛି।

ନୟାଗଡ଼ର ଇତିହାସ ଅନୁସାରେ, ନୟାଗଡ଼ର ରାଜା ଲଡୁକେଶର ସିଂହ (ଖ୍ରୀ:-୧୮୫୧-୧୮୮୯)ଙ୍କ ଶାସନକାଳରେ ନିଜିଗଡ଼ର ପୂର୍ବ ପ୍ରବେଶଦ୍ୱାର ନିକଟରେ ଏକ ମଧ୍ୟମ ଉଚ୍ଚତାର ମନ୍ଦିର ନିର୍ମାଣ କରାଯାଇ, ସେଠାରେ ଶ୍ରୀ ରଘୁନାଥଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ୧୯୮୧ ମସିହାରେ ଘଟିଥିବା ଭୟାବହ ବାତ୍ୟାରେ ଏହି ପ୍ରାଚୀନ ମନ୍ଦିରଟି ନଷ୍ଟ ହୋଇଯାଇଥିଲା। ପରେ, ସେହି ସ୍ଥାନରେ ଏକ ପକ୍କା ଗୃହ ନିର୍ମାଣ କରାଯାଇ ବର୍ତ୍ତମାନର ମନ୍ଦିରର ରୂପ ଦିଆଯାଇଛି। ସମ୍ଭବତଃ ସେଇ ସମୟରୁ ନୟାଗଡ଼ ସହରରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟଲୀଳା ଆଧାରିତ ନାଟକ “ରାମଲୀଳା” ଅନୁଷ୍ଠାନ ଏହି ସ୍ଥାନରେ ଆରମ୍ଭ ହୋଇଥିଲା।

ଶ୍ରୀରାମ ନବମୀ ପରମ୍ପରା ଅନୁଯାୟୀ, ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଉତ୍ସବ ଅବସରରେ ନବଦିନ ଧରି ପ୍ରତିଦିନ ରାତ୍ରିରେ ଧୂପ ପରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଏକ ସୁସଜ୍ଜିତ ରଥରେ ବିରାଜମାନ ହୋଇ ଦେୱାନଙ୍କ ଦ୍ୱାର ସମ୍ମୁଖରେ ଥିବା ଶ୍ରୀ ହନୁମାନଙ୍କ ମନ୍ଦିରକୁ ଯାଆନ୍ତି। ସେଠାରେ ଭକ୍ତ ଓ ଭଗବାନଙ୍କ ଏକ ଅପୂର୍ବ ମିଳନ ଘଟେ। ବୀରଙ୍କ ତରଫରୁ ପୂଜକ ଶ୍ରୀ ରାଘବଙ୍କୁ ଭୋଗ ଲାଗିବା ପରେ ଆରତୀ ଓ ବନ୍ଦନା କରନ୍ତି ।ଏବଂ ଏହାପରେ ଦେୱାନଙ୍କ ଦ୍ୱାର ସମ୍ମୁଖରେ ହେଉଥିବା ନିଜ ମାନବୀୟ ଲୀଳାକୁ କିଛି ସମୟ ଉପଭୋଗ କରି ପ୍ରଭୁ ପୁନର୍ବାର ନିଜ ମନ୍ଦିରକୁ ବାହୁଡ଼ି ଯାଆନ୍ତି।
ସହର ବୃଦ୍ଧି ପାଇବା ସହିତ, ପୂର୍ବତନ ସ୍ଥାନରେ ରାମନାଟକ ପାଇଁ ପର୍ଯ୍ୟାପ୍ତ ଜାଗା ନ ଥିହେବାରୁ ବର୍ତ୍ତମାନ ରାମଲୀଳା ମଣ୍ଡପଟି ଶ୍ରୀ ଗୋପୀନାଥ ଜୀଉ ଓ ଗଡ଼ର ଆରାଧ୍ୟଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିର ସାମ୍ନାକୁ ସ୍ଥାନାନ୍ତରିତ ହୋଇଯାଇଛି। ଏହି ମଣ୍ଡପକୁ ପବିତ୍ର କରିବା ପାଇଁ ଓ ପ୍ରଭୁଙ୍କ ଦିବ୍ୟଲୀଳାର ଦର୍ଶନ ନିମନ୍ତେ, ନାଟକ ଆରମ୍ଭ ପୂର୍ବରୁ ବୀର ବଜରଙ୍ଗବାଲୀଙ୍କ ଏକ ମୁଖା ସେଠାକୁ ବିଜେ ହୋଇଥାଏ। ଏହା ନାଟ୍ୟକାରମାନଙ୍କର ମନୋବଳ ବୃଦ୍ଧିର ଏକ ପ୍ରତୀକ ଭାବେ ମନାଯାଏ। ପୁରୁଣା ପରମ୍ପରାକୁ ସଜୀବ ରଖିବା ପାଇଁ, ବର୍ତ୍ତମାନ ମଧ୍ୟ ଶ୍ରୀ ରଘୁନାଥ, ଭକ୍ତରାଜ ଶ୍ରୀ ହନୁମାନଙ୍କ ଦର୍ଶନ ପରେ ନିଜ ଧାମକୁ ଫେରୁଥିବା ବେଳେ ଏହି ସ୍ଥାନରେ କିଛି ସମୟ ବିରାମ ନିଅନ୍ତି।
ନାଟ୍ୟକଳାକାରମାନେ ପ୍ରଭୁଙ୍କ ରଥ ସମ୍ମୁଖରେ ଶ୍ରୀ ଗଣେଶ, ଦେବୀ ସରସ୍ୱତୀ, ବୀର ବଜରଙ୍ଗୀ ଓ ଅଗ୍ରପୂଜ୍ୟ ପଞ୍ଚଦେବଙ୍କ ବନ୍ଦନା କରି, ଶ୍ରୀ ରଘୁନାଥଙ୍କୁ ପୂଜା କରିବା ସହ ନିଜର ନାଟ୍ୟ ସେବାକୁ ନିର୍ବିଘ୍ନ ଭାବେ ପାଳନ କରିବା ନିମନ୍ତେ ପ୍ରଭୁଙ୍କ ଠାରୁ ଅନୁମତି ପ୍ରାର୍ଥନା କରନ୍ତି। ପ୍ରଭୁ ମଧ୍ୟ ସେଠାରେ କିଛି ସମୟ ବିତାଇ ନିଜ ଦିବ୍ୟ ଲୀଳାକୁ ଉପଭୋଗ କରି ପୁନର୍ବାର ନିଜ ମନ୍ଦିରକୁ ପ୍ରସ୍ଥାନ କରନ୍ତି।
କିନ୍ତୁ ବଡ଼ ଦୁଃଖର ସହ କହିବାକୁ ପଡୁଛି ଯେ, ବର୍ତ୍ତମାନ “କର୍ପୂର ଉଡିଯାଇଛି, କିନ୍ତୁ କପଡ଼ା ପଡ଼ି ରହିଛି” ଭଳି ପରିସ୍ଥିତି ଦେଖାଯାଈଛି। ଆଧୁନିକତାର ପ୍ରଭାବରେ ସ୍ଥାନୀୟ ଯୁବକ ଗୋଷ୍ଠୀ ଏହି ନାଟକ ପରିବେଶଣ ପାଇଁ ଲଜ୍ଜାବୋଧ କରୁଛନ୍ତି, ଯେଉଁ କାରଣରୁ ଏହି ସହ ସହ ବର୍ଷର ପରମ୍ପରା ଆସ୍ତେ ଆସ୍ତେ ସହର ମଧ୍ୟରୁ ଲୋପ ପାଇବାକୁ ବସିଲାଣି । ତଥାପି, ସହରର କିଛି ହାତ ଗଣତି ଶ୍ରୀରାମ ପ୍ରେମୀ ଯୁବକ ଗଣ ଓ ପୁରୁଣା ବୃଦ୍ଧ କଳାକାରମାନେ ଏହାକୁ ପୁନଃଜୀବିତ କରିବା ଉଦ୍ଦେଶ୍ୟରେ ଏବେ ମଧ୍ୟ ଚେଷ୍ଟାରତ ଅଛନ୍ତି। ଦୀର୍ଘ ବର୍ଷ ଧରି ରାଜାରାଜୁଡ଼ାଙ୍କ ସମୟର ଐତିହାସିକ ନାଟମଣ୍ଡପରେ ଆଉ ରାମଲୀଳା ହେଉ ନାହିଁ, କିନ୍ତୁ ସେହି ଆଗ୍ରହୀ ଶ୍ରୀରାମ ଅନୁରାଗୀମାନେ ଏହାର ସ୍ମୃତିରେ ପ୍ରଭୁଙ୍କ ରଥ ସମ୍ମୁଖରେ ଭଜନ, ଜଣାଣ ଓ ସ୍ତୁତି କରି ଠାକୁରଙ୍କୁ ମେଲାଣି ଦେଉଛନ୍ତି। ଦେଖାଯାଉ, ଏହି ସ୍ମୃତିରକ୍ଷା ପରମ୍ପରା କେତେଦିନ ଚାଲୁଛି ଏବଂ ପ୍ରଭୁଙ୍କ ଇଚ୍ଛା କ’ଣ, ସେ କ’ଣ ଆଗକୁ କରୁଛନ୍ତି !
Ram Leela of Nayagarh Nayagada Itihasa Nijigada Rama Nataka Wooden Mask Odagaon Raghunath Jew Prasant Das
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

4 weeks ago