ଲେଖା: ଉତ୍ପଳ ପତି
~ ସପ୍ତବଟ ~
ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ହେଉଛନ୍ତି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ। ଏହି କ୍ଷେତ୍ରରେ ଆଠଗୋଟି ଶିବମନ୍ଦିର ବା ଅଷ୍ଟଶମ୍ଭୁ, ଦେବୀ ମନ୍ଦିର ବା ଅଷ୍ଟଦେବୀ, ପୁରାଣବର୍ଣିତ ପାଞ୍ଚଗୋଟି ତୀର୍ଥ ବା ପଞ୍ଚତୀର୍ଥ ଓ ସାତଗୋଟି ବଟବୃକ୍ଷ ବା ‘ସପ୍ତବଟ’ ବିଶେଷ ଭାବେ ପୂଜା ପାଇଥାନ୍ତି। ବଟବୃକ୍ଷ ଆମ ହିନ୍ଦୁ ପରମ୍ପରାରେ ଉପାସନା ନିମନ୍ତେ ବିଶେଷ ମର୍ଯ୍ୟାଦା ଲାଭ କରିଥାଏ।
ଅନେକ ମୁନିଋଷି ବଟବୃକ୍ଷ ମୂଳେ ତପସ୍ୟା କରିଥିବାର ବର୍ଣନା ଅଛି। ଅନେକ ପୁରାଣ ବଟବୃକ୍ଷ ମୂଳରେ ରଚନା ହୋଇଥିବାର ଉଲ୍ଲେଖ ଅଛି। ଶ୍ରୀକ୍ଷେତ୍ରରେ ଯେଉଁ ସାତଗୋଟି ବଟବୃକ୍ଷ, ସପ୍ତବଟ ନାମରେ ପରିଚିତ ସେମାନେ ହେଲେ:
୧. ସୋଲାଖିଆ ବଟ
୨. ଗୋଚ୍ଛନ୍ଦ ବଟ
୩. କାଉଁରୀ ବଟ
୪. କାମ୍ଯ ବଟ
୫. ନିକୁମ୍ଭିଲା ବଟ
୬. ଅଘୋର ବଟ
୭. କଳ୍ପବଟ
୧. ସୋଲାଖିଆ ବଟ
ମର ଶରୀରକୁ ବଡଦାଣ୍ଡ ଦେଇ ସ୍ୱର୍ଗଦ୍ୱାରକୁ ଅଗ୍ନିଦାହ ନିମନ୍ତେ ଉଆଁସ ଦାଣ୍ଡ ଦେଇ ନିଆ ଯାଇଥାଏ। ଶବକୁ ଏଠି ସୋଲାଖିଆ ବଟ ନିକଟରେ ବାଟ ବିଶ୍ରାମ ଦେଇ; ପୁଣି କାନ୍ଧେଇଲେ ଶବ ଅଧିକ ଓଜନିଆ ଲାଗି ଥାଏ ବୋଲି ମଢ଼ାସାଙ୍ଗୀମାନେ ବିଶ୍ୱାସ କରନ୍ତି। ଏବେ ପୁରା ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ପକ୍କା ସଡକ ହୋଇଯାଇଛି,କିନ୍ତୁ ଆଗେ ଏହି ବରଗଛ ଠାରୁ ‘ବାଲି ସଡକ’ ଆରମ୍ଭ ହେଉଥିଲା। ସମସ୍ତଙ୍କର ବିଶ୍ୱାସ: ଏହିଠାରୁ ପ୍ରେତ ସବାର ହୁଏ। ବିଶ୍ୱାସ ଅନୁସାରେ, ଏହିଠାରୁ ନୀଳାଚଳ କ୍ଷେତ୍ରର ପ୍ରେତଭୂମି ଆରମ୍ଭ। ଶ୍ମଶାନ-ଆଶ୍ରୀ ଲଙ୍ଗୁଳୀ ବିଭୁତି ବୋଳା ଅଘୋରୀ ବାବା ମାନେ ଏଇ ବଟବୃକ୍ଷ ତଳେ ରାତ୍ରି ତପସ୍ୟା ଓ ସାଧନା କରୁଥିଲେ। କର୍ଣ୍ଣାମିଗିରି ଯୋଗୀ ଏହି ବଟବୃକ୍ଷ ତଳେ ରହୁଥିଲେ। ଯେହେତୁ ସେ ବତୁରା ବୁଟ ଖାଉଥିଲେ; ତାଙ୍କୁ ସୋଲାଖିଆ ବାବା ନାମରେ ସମ୍ବୋଧନ କରାଯାଉଥିଲା। ସେକାଳରୁ ଏହି ବଟ ବୃକ୍ଷଟି ‘ସୋଲାଖିଆ ବଟ’ ନାମରେ ପ୍ରସିଦ୍ଧ ଲାଭ କରିଛି। ଏହି ସୋଲାଖିଆ ବଟ ପୁରୀ ଶ୍ରୀକ୍ଷେତ୍ର ପାଇଁ ଜନ୍ମ-ମରଣ ରହସ୍ୟର ସାକ୍ଷୀ।
୨. ଗୋଚ୍ଛନ୍ଦ ବଟ
ଏହି ବଟ ବୃକ୍ଷଟି ଶ୍ରୀକ୍ଷେତ୍ରର ଗନ୍ଧର୍ବ ମଠ (ଯାହା ପ୍ରଥମେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଆଶ୍ରମ ଥିଲା) ଠାରେ ରହିଛି। ବିଖ୍ୟାତ ମାଳିକା ରଚୟିତା ମହାପୁରୁଷ ଅଚ୍ୟୁତାନନ୍ଦ ଏହି ବଟବୃକ୍ଷ ମୂଳରେ ତାଙ୍କର ସାଧନା କରୁଥିଲେ। ଏହିଠାରେ ସେ “ଶୁନ୍ୟପୋଥି” ପରମ୍ପରା ସୃଷ୍ଟି କରିଥିଲେ, ଯେଉଁଥିରେ କିଛି ଲେଖା ନାହିଁ। କୌଣସି ଜିଜ୍ଞାସୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ଭାଗ୍ୟ ଭବିଷ୍ୟ ସମ୍ୱନ୍ଧରେ ପ୍ରଶ୍ନ କଲେ,ସେ ପ୍ରଶ୍ନର ସମାଧାନ ସେହି ସିଦ୍ଧ-ପୋଥିରେ ଲେଖି ହୋଇଯାଏ। ଅଚ୍ୟୁତାନନ୍ଦ ମାଳିକାରେ ଅଛି,ସମୟ ଆସିଲେ ଅନେକ ଶୂନ୍ୟପୋଥି ଏହି ଗୋଚ୍ଛନ୍ଦ ବଟ ବୃକ୍ଷରୁ ମିଳିବ। ସତ୍‌କାର୍ଯ୍ୟ ନିମନ୍ତେ ଏହି ବଟତଳେ ଶରଣାପନ୍ନ ହେଲେ,ତାହା ନିଶ୍ଚୟ ପୂରଣ ହୁଏ। ଗୋଚ୍ଛନ୍ଦବଟକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ସହିତ ମହାପୁରୁଷ ଅଚ୍ୟୁତାନନ୍ଦ ଯୋଡ଼ିଛନ୍ତି।
୩. କାଉଁରୀ ବଟ
ପୂର୍ବକାଳରେ ଜଗନ୍ନାଥ ତୀର୍ଥଯାତ୍ରୀମାନେ ଚାଲି ଚାଲି ପୁରୀକୁ ଆସୁଥିଲେ। କାଉଁରୀବଟ ବୃକ୍ଷଟି ଜଗନ୍ନାଥ ସଡ଼କ ଦେଇ ଆସିବା ସମୟରେ ବାଟମଙ୍ଗଳା ମନ୍ଦିର ପୂର୍ବରୁ ଵାଟଗାଁ ଘାଟରେ ରାସ୍ତା କଡ଼କୁ ଲାଗିଥିଲା। ତୀର୍ଥ ଯାତ୍ରୀ ସେ ସମୟରେ ଏହି ବଟବୃକ୍ଷ ତଳେ ଆଶ୍ରୟ ନେଉଥିଲେ।
ଲୋକକଥା ଅନୁସାରେ: ଆସାମର କାଉଁରୀ କାମାକ୍ଷାରୁ ଜଣେ ସାଧିକା ସେହି ବଟବୃକ୍ଷ ଉପରେ ବସି ପୁରୀ ଆସୁଥିବା ସମୟରେ ପୁରୀର ବିଖ୍ୟାତ ତାନ୍ତ୍ରୀକା ନିତେଇ ଧୋବଣୀଙ୍କର ଦୃଷ୍ଟି ସେହି ବଟବୃକ୍ଷ ଉପରେ ପଡ଼ିଲା। ତତ୍’କ୍ଷଣାତ୍ ମନ୍ତ୍ର ବଳରେ ତାନ୍ତ୍ରୀକା ନିତେଇ ଧୋବଣୀ ସେହି ବଟବୃକ୍ଷକୁ ଶୂନ୍ୟରୁ ସେହି ଘାଟରେ ଓହ୍ଲାଇ ଦେଲେ। କାମାକ୍ଷା ସାଧିକା ଖୁବ ରାଗିଗଲେ ଓ ତାଙ୍କ ତନ୍ତ୍ର କାଟିବାର କାରଣ ପଚାରିଲେ। ନିତେଇ ଧୋବଣୀ କିଛି କମ୍ ନ ଥିଲେ। ସେ କହିଲେ,”ଘୋଡା ହେଉ କି ଗଛ ହେଉ,ତାର ଜୀବନ ଅଛି। ତା ଉପରେ ବସି ପୁରୀ ଆସିବା ବାହାଦୁରୀ ନ ଦେଖାଇ କୌଣସି ଜଡ଼ ଉପରେ ବସି ଉଡି ପାରିବୁ କି ?” ସାଧନା ନ ଥିବାରୁ କାମାକ୍ଷା ସାଧିକା ମନା କଲେ ଓ କହିଲେ, “ନିଜେ ଉଡି ଦେଖା ବୋଲି।” ନିତେଇ ଧୋବଣୀ ସେ କାମାକ୍ଷା ସାଧିକା ଅନୁରୋଧରେ ଗୋଟେ ଖଣ୍ଡିଆ ବନ୍ଧରେ ବସି ଶୂନ୍ୟରେ ବୁଲି ଆସିଲେ । ସର୍ତ୍ତ ଅନୁସାରେ: ସେହି କାମାକ୍ଷା ବଟବୃକ୍ଷଟି ସେହିଦିନଠାରୁ ସେହି ଘାଟରେ ରହି ଗଲା ଓ କାଉଁରୀ ବଟ ନାମରେ ପ୍ରସିଦ୍ଧି ଲାଭକଲା। ଏବେ କିନ୍ତୁ ସେହି କାଉଁରୀବଟ ନାହିଁ, ଯାହା ୧୯୯୯ ମହାବାତ୍ୟାରେ ଧ୍ୱଂସ ପାଇଯାଇଛି। କେବଳ କାଉଁରୀବଟ ମୂଳରେ ଥିବା ମହାଦେବଙ୍କ ମନ୍ଦିରଟି ରହିଛି, ଯାହାର ନାମ କାଉଁରୀବଟ ମହାଦେବ
୪. କାମ୍ୟ ବଟ
ପୁରୀ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ଠାରେ ଶ୍ରୀଅଙ୍ଗିରା ମହର୍ଷିଙ୍କ ଆଶ୍ରମ। କାମ୍ୟବଟ ଏହି ଶ୍ରୀ ଅଙ୍ଗିରା ମହର୍ଷିଙ୍କ ଆଶ୍ରମରେ ଅବସ୍ଥିତ। ମହାପ୍ରଭୁଙ୍କ ଦୋଳଉତ୍ସବ ଏହି କାମ୍ୟବଟ ତଳେ ହେଉଥିଲା। ଶ୍ରୀମନ୍ଦିର ବେଢ଼ାରେ ଥିବା କଳ୍ପବଟରୁ କାମ୍ୟବଟ ପର୍ଯ୍ୟନ୍ତ ରାସ୍ତାର ପବିତ୍ରତା ବହୁ ଶାସ୍ତ୍ରରେ ବର୍ଣନା କରା ଯାଇଛି। ଏହି କାମ୍ୟବଟର ଉତ୍ତର ପଟକୁ ଶ୍ରୀଜଗନ୍ନାଥଙ୍କ ଦୋଳବେଦି ରହିଥିଲା। ମହାପ୍ରଭୁ ରତ୍ନ ସିଂହାସନରୁ ଦୋଳବେଦିକୁ ଆସୁଥିଲେ ଓ ସେଠାରେ ଦୋଳ ପର୍ବ ପାଳିତ ହେଉଥିଲା। ଏବେ କିନ୍ତୁ ଆଉ ଶ୍ରୀ-ଜଗନ୍ନାଥ ଆସୁ ନାହାନ୍ତି। ଶ୍ରୀମନ୍ଦିରର ଉତ୍ତର-ପୂର୍ବ କୋଣରେ ନିର୍ମିତ ହୋଇଥିବା ଦୋଳବେଦିରେ ତାଙ୍କର ପ୍ରତିନିଧି ଶ୍ରୀଦୋଳଗୋବିନ୍ଦ ‘ଦୋଳବିଜେ’ କରନ୍ତି।
୫. ନିକୁମ୍ଭିଲା ବଟ
ଶ୍ରୀମନ୍ଦିରର ଦକ୍ଷିଣ ପଶ୍ଚିମ କୋଣ ଦିଗରେ ଅଳ୍ପ ଦୂରରେ ଶ୍ରୀଯମେଶ୍ୱର ମହାଦେବଙ୍କ ପୀଠ। ଏହି ପୀଠରେ ନିକୁମ୍ଭିଲା ବଟବୃକ୍ଷଟି ମହର୍ଷି କଣ୍ଡୁଙ୍କ ସମୟରୁ ରହି ଆସିଛି। ପୁରୀରେ ସାହିଯାତ୍ରା ସମୟରେ ଯେଉଁ ରାମଲୀଳା ପରିବେଷଣ ହୁଏ, ସେଥିସହିତ ଏହି ନିକୁମ୍ଭିଲା ବଟର ବହୁ ପ୍ରାଚୀନ ସମ୍ପର୍କ ରହିଛି। ରାମଲୀଳାରେ ଶ୍ରୀଲଙ୍କାର ରାବଣ ଯଜ୍ଞ ଅଧ୍ଯାୟରେ ଏହି ନିକୁମ୍ଭିଲା ବୃକ୍ଷତଳେ ଯଜ୍ଞ କରିଥିଲେ। ସେହି ଅନୁସାରେ, ଏବେ ମଧ୍ୟ ସାହିଯାତ୍ରାର ରାବଣ, ଯେ କି ପୁରୀ ବାଲିସାହିର ବାସିନ୍ଦା, ଏହି ବଟତଳେ ଯଜ୍ଞ କରି ଶ୍ରୀ-ରାମଙ୍କୁ ବଧ କରିବାର ଶପଥ ନିଅନ୍ତି। ଏହାକୁ “ଯଜ୍ଞରକ୍ଷା” ନୀତି କୁହାଯାଏ। ଯଜ୍ଞ ପରେ ରାବଣ ମାର୍କଣ୍ଡେଶ୍ୱରର ସାହି ଆଖଡା “ଭଗବତୀ କୋଟ”କୁ ଯାଆନ୍ତି। ସେଠାରେ ମାଆ ଭଗବତୀଙ୍କ ନିକଟରେ ଅସ୍ତ୍ରଗୁହାରି ପର୍ବ ହୁଏ। ରାବଣ, ଶ୍ରୀ-ରାମଙ୍କୁ ବଧ କରିବା ପାଇଁ ଅସ୍ତ୍ର ମାଗନ୍ତି। ସେ ପ୍ରାର୍ଥନା କରନ୍ତି, “ମା ! ଯୁଦ୍ଧ ଜିତିବା ପାଇଁ ମୋତେ ଅସ୍ତ୍ର ଦିଅ। ଯଦି ମୁଁ ହାରିଯାଏ ତେବେ ସ୍ୱର୍ଗକୁ ଯିବା ଲାଗି ନିଶୁଣି ଦିଅ।” ଏହା ପରେ ରାବଣ ମା’ଙ୍କ ଠାରୁ ପ୍ରସାଦ ପଣା ପିଅନ୍ତି। ପରବର୍ତ୍ତୀ ଦୃଶ୍ୟ “ରାମ-ରାବଣ ଯୁଦ୍ଧ” ଶ୍ରୀ-ଜଗନ୍ନାଥବଲ୍ଲଭ ମଠରେ ଅନୁଷ୍ଠିତ ହୁଏ।
୬. ଅଘୋର ବଟ
ଶ୍ରୀମାର୍କଣ୍ଡେୟ ମହର୍ଷିଙ୍କ ଆଶ୍ରମରେ ରହିଛି ଅଘୋରବଟ ଏବଂ ତା ନିକଟରେ ରହିଛି ଶ୍ରୀ-ମାର୍କଣ୍ଡେୟ ତୀର୍ଥ। ଏହି ବଟବୃକ୍ଷ ଶିବ ତଥା ଅଘୋରୀ ଉପାସକଙ୍କ ପାଇଁ ବହୁତ ତାତ୍ପର୍ଯ୍ୟପୂର୍ଣ୍ଣ। ଏଠାରୁ ଅଳ୍ପ ଦୂରରେ ରହିଥିଲା କଟକୀପେଣ୍ଠ ଶ୍ମଶାନ। ଅଘୋରବଟ ତଳେ ଶ୍ରୀମାର୍କଣ୍ଡେୟ ମହର୍ଷି ସିଦ୍ଧିଲାଭ କରିଥିଲେ। ପ୍ରଳୟକାଳରେ ଯେତେବେଳେ ଚାରି ଦିଗରେ ଜଳ ଭରିଗଲା,ସେତେବେଳେ ଗୋଟିଏ ବଟପତ୍ରରେ ଶିଶୁ ରୂପରେ ଭଗବାନ ଭାସି ଯାଇ ଶ୍ରୀମାର୍କଣ୍ଡେୟଙ୍କୁ ଉଦ୍ଧାର କରିଥିଲେ। ଭଗବାନ ନିଜ ପେଟ ମଧ୍ୟରେ ବ୍ରହ୍ମାଣ୍ଡ ଦର୍ଶନ କରାଇ ଥିଲେ ଓ ମହର୍ଷିଙ୍କୁ ପ୍ରଭୁ ଶ୍ରୀପୁରୁଷୋତ୍ତମ ରୂପ ଦେଖାଇ ଥିଲେ। ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଶ୍ରୀକ୍ଷେତ୍ରର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ ଏହି ପବିତ୍ର ବଟବୃକ୍ଷ, ଅଘୋରବଟ ତଳେ ଶ୍ରୀମାର୍କଣ୍ଡେୟ ତପସ୍ୟା କଲେ।
୭. କଳ୍ପବଟ
ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ପରିସରରେ ପ୍ରଥମ ତଥା ସର୍ବପୁରାତନ ପବିତ୍ର ବଟବୃକ୍ଷ ହେଉଛି ଏହି “କଳ୍ପବଟ”। କଳ୍ପବଟ ଚତୁର୍ଦିଗରେ ବହୁ ଦେବଦେବୀ ଅଛନ୍ତି। ଏହାର ଉତ୍ତର ଦିଗକୁ ବଟମଙ୍ଗଳା, ପଶ୍ଚିମ ଦିଗକୁ ପଞ୍ଚମହାଦେବ, ଦକ୍ଷିଣ ଦିଗକୁ ବଟଗଣେଶ। କଳ୍ପବଟର ଦକ୍ଷିଣକୁ ବଟମାଧବଙ୍କ ମୁହଁ ଉତ୍ତରଦିଗକୁ ପ୍ରଳୟ କାଳରୁ କଳ୍ପବଟ ଶ୍ରୀମନ୍ଦିର ପରିସରରେ ରହିଛନ୍ତି। ଏହାଙ୍କୁ ମନରେ କଳ୍ପନା କରିବା ମାତ୍ରେ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ଏହାର ନାମ ବାଞ୍ଛାବଟ ବା କଳ୍ପବଟ ବା କଳ୍ପତରୁ ମଧ୍ୟ କୁହାଯାଏ। ସତ୍ୟଯୁଗରେ ଏହି କଳ୍ପବଟ ସ୍ବର୍ଗରେ ଥିଲେ। ଏବେ କଳିଯୁଗରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ରହିଛନ୍ତି। ଶ୍ରୀକ୍ଷେତ୍ରର ସପ୍ତବଟ ମାନଙ୍କ ଭିତରେ ଏଇ ବଟ ଟି ଜନମାନସରେ ବିଶେଷ ପରିଚିତ ।
ଶ୍ରୀକ୍ଷେତ୍ରର ସପ୍ତବଟ ବାବଦରେ କଥାଟି ଏତିକି !
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

38 minutes ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago