ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ

~ ପାଣିଖରା, ଖରାଵରଷା ଓ ବିଲୁଆ ନନାର ବାହାଘର ~

ଵର୍ଷା ଛାଡି଼ଗଲାପରେ ଯେଉଁ ଟାଣ୍ ଖରା ହୁଏ ତାକୁ ଆମ ଭାଷାରେ ପାଣିଖରା କହିଥାନ୍ତି । ଵର୍ଷା ହେଵା ଦିନ ପରିଵେଶ ଥଣ୍ଡା ହୋଇଯାଏ କିନ୍ତୁ ଵର୍ଷା ଛାଡି଼ଲା ପରଦିନ ଆକାଶରେ ବାଦଲ ନଥିଲେ ଭୀଷଣ ଖରା ହୋଇଥାଏ । ଏଭଳି ରୌଦ୍ରତାପକୁ ପାଣିଖରା କୁହନ୍ତି । ସାହିତ୍ୟରେ ଵ୍ୟଵହୃତ ହେଉ କି ନ ହେଉ ପାଣିଖରା ଶବ୍ଦଟି କଥିତ ଭାଷା ଓ ଲୋକଗୀତରେ ବଞ୍ଚିରହିଛି ।

ଗ୍ରାମାଞ୍ଚଳର ପିଲାଏ ଆଜି ବି ଏହି ପ୍ରାକୃତିକ ପ୍ରପଞ୍ଚ ଘଟିତ ହେଉଥିଵାର ଦେଖିଲେ ଗୀତ ବୋଲନ୍ତି, “ଛି ଛି ଟା, ପାଣିଖରାଟା”

କେତେକ ଅଞ୍ଚଳରେ ଏହି ପ୍ରାକୃତିକ ପ୍ରପଞ୍ଚକୁ ପାଣିଖରା ପରିଵର୍ତ୍ତେ ମେଘେଇ ଖରା କୁହାଯାଇଥାଏ । ଏ ଶବ୍ଦକୁ ନେଇ ଲୋକଵାଣୀଟିଏ ଚଳୁଅଛି …

“ଚାରି ଚାଳିଆ, ବାଳ ମୂଳିଆ, ମେଘେଇ ଖରା,
ଏ ତିନି ଜଣଙ୍କ ଭାରି ଚେହେରା l “

ଓଡ଼ିଶାର ଆଉ କେତେକ ଅଞ୍ଚଳରେ ମେଘୁଆ ଖରାକୁ ପାଣିଖରା କୁହାଯାଏ ଏଵଂ ସେ ଅଞ୍ଚଳରେ ଏହି ଶବ୍ଦ ଵ୍ୟଵହାରରେ ଲୋକଵାଣୀଟିଏ ପ୍ରଚଳିତ,

“ମେଘୁଆ ଖରା
ଟୋକା ବେହେରା
ଗୁଜୁରୀ ଦାରି
ଏମାନଙ୍କ ଜ୍ୱାଳା ସହି ନପାରି।”

ପଶ୍ଚିମ ଓଡ଼ିଶାରେ ପାଣିଖରା ଶବ୍ଦକୁ ଓଲଟାଇ ସେଠାକାର କଥିତ ସମ୍ବଲପୁରୀ ଶୈଳୀରେ ଏହାକୁ ଖରାପାଏନ୍ କହିଥାନ୍ତି ।

ଆମ ଭାଷାରେ ମେଘୁଆଖରା  ଓ ତତ୍ ସଂଲଗ୍ନ ଗରମ ପାଗକୁ, ମେଘୁଆ ଗୁଳୁଗୁଳି ମଧ୍ୟ କହିଥାନ୍ତି । ସ୍ନାନପୂର୍ଣ୍ଣମୀ ପରଦିନଠାରୁ ନବଯୌଵନ ଦର୍ଶନ ପର୍ଯ୍ୟନ୍ତ ଏହି ଗୁଳୁଗୁଳିକୁ ଅଣସର ଗୁଳୁଗୁଳି ମଧ୍ୟ କୁହାଯାଏ ।

ତେବେ ଏଭଳି Natural Phenomenon ଵା ପ୍ରାକୃତିକ ପ୍ରପଞ୍ଚକୁ କାହିଁକି ଘଟିତ ହୋଇଥାଏ ?

ସମ୍ଭଵତଃ ଵର୍ଷାଯୋଗୁଁ ବାୟୁମଣ୍ଡଳରେ ଧୂଳିକଣାର ପରିମାଣ ଅନେକାଂଶରେ ହ୍ରାସପାଏ ଫଳତଃ ସୂର୍ଯ୍ୟ କିରଣ ବାଧା ନ ପାଇ ସିଧାସଳଖ ଆମ ପାଖରେ ପହଞ୍ଚୁଥିଵାରୁ ଉକ୍ତ ଖରା ଟାଣ ଲାଗେ l

କଥିତ ଅଛି ଯେ ଏଭଳି ଖରା ହେଲେ ଉକ୍ତ ଦିନ ରାତ୍ରରେ କିଂଵା ସକାଳେ ଵର୍ଷା ହୋଇଥାଏ । ଵର୍ଷା ହେଲାପରେ ଚାରିଆଡ଼େ ଜଳମୟ ହୋଇଯାଏ ଅର୍ଥାତ୍ ସବୁଆଡ଼େ ପାଣି ଥାଏ । ଗଛର ପତ୍ରଠାରୁ ମାଟିର ଆଦ୍ର ହେଵାଯାଏଁ ସବୁଆଡ଼େ ପାଣି ରହିଥାଏ ଏମନ୍ତକି ଵାୟୁମଣ୍ଡଳରେ ମଧ୍ୟ ଜଳୀୟ ଅଂଶ ବୃଦ୍ଧି ପାଇଥାଏ ।

ପୁନଶ୍ଚ ଆଉ ଏକ ଜାତୀୟ ପ୍ରାକୃତିକ ପ୍ରପଞ୍ଚ ଲକ୍ଷ୍ୟ କରାଯାଇଛି । ଏଥିରେ ଵର୍ଷା ହେଉଥିଵ ଏଵଂ ଖରା ବି ହେଉଥିଵ । ଏଭଳି ଵର୍ଷାକୁ ମଧ୍ୟ କେଉଁଠି କେଉଁଠି ପାଣିଖରା ତ ଆଉ କେଉଁଠି କେଉଁଠି  ଖରାଵରଷା କହିଥାନ୍ତି । ଵର୍ଷା ଓ ଖରା ଏକା ସାଙ୍ଗରେ ହେଉଥିଲେ ତାକୁ ପୁବେଇ ଵର୍ଷା ଵା ପୂର୍ଵେଇ ଵର୍ଷା ମଧ୍ୟ କୁହାଯାଏ ।

ଏହି ଜାତୀୟ ଵର୍ଷା ହେଲେ ଲୋକେ କୁହନ୍ତି ବିଲୁଆ ନନାର ବାହାଘର, ହେଉଛି ଏଵଂ ଏ ସମ୍ବନ୍ଧରେ ଅନେକ ଲୋକଵାଣୀ ଓ ଲୋକଗୀତ ମଧ୍ୟ ପ୍ରଚଳିତ, 

“ଖରା ହେଉଚି ମେଘ ହେଉଚି
ବିଲୁଆ ନନା ବାହାହେଉଚି”

ତେବେ ଵର୍ଷା ସହ ବିଲୁଆର କ’ଣ ସମ୍ପର୍କ ସେ ଵିଷୟରେ  ଅନୁଭଵି ଲୋକ ଭଲ ଭାଵେ ଜାଣିଥିଵେ । ସମ୍ଭଵତଃ ଵର୍ଷା ସମୟରେ ଵା ଏଇଭଳି ଵର୍ଷା ସମୟରେ ବିଲୁଆମାନେ ଧାଡି଼ ବାନ୍ଧି ଯାଉଥିଵେ । ଶଗଡ଼ ଓ ପାଲିଙ୍କି ଯୁଗରେ ଵରଯାତ୍ରୀ ମଧ୍ୟ କନ୍ୟାଘରକୁ ଏହିପରି ଯାଉଥିଲେ । କିଂଵା ପିଲାମାନେ ଗୁଡା଼ଏ ବିଲୁଆଙ୍କୁ ଵର୍ଷାପାଗରେ ଏକାସାଙ୍ଗରେ ଦେଖି ଡରିନଯାଆନ୍ତୁ ସେଥିପାଇଁ ବୋଧହୁଏ ଏଭଳି ଏକ ଲୋକଵିଶ୍ଵାସ ଜନ୍ମ ନେଇଥିଲା । ଏହିପରି ଆଉ ଏକ ଉଦାହରଣ ରହିଛି । ଖରାଦିନିଆ  ସାଧାରଣତଃ ପର୍ଵତରେ ନିଆଁ ଲାଗିଥାଏ । ସେତେବେଳେ ଲୋକେ କୁହନ୍ତି ମାଙ୍କଡ଼ ବାହାଘର ହେଉଛି ।  ତେବେ ଏଭଳି ଲୋକ ଵିଶ୍ଵାସ ପ୍ରଚଳନ ପଛରେ ଅନ୍ୟ କୌଣସି କାରଣ ବି ହୋଇ ଥାଇପାରେ ।

ପାଣିଖରା ,ଖରାଵରଷା ଓ ବିଲୁଆ ନନାର ବାହାଘର

©

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago