ଇତିହାସ

ତିଗିରିଆ ଗଡ଼ଜାତର ଉତ୍ପତ୍ତି ଓ ଇତିହାସ

ତିଗିରିଆ ଗଡ଼ଜାତର ଉତ୍ପତ୍ତି ଓ ଇତିହାସ
ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟରେ ତିଗିରିଆ ଗଡ଼ଜାତର ଏକ ସ୍ୱତନ୍ତ୍ର ଐତିହାସିକ ପରିଚୟ ରହିଛି। ପରମ୍ପରା ଓ ଲୋକକଥା ଅନୁସାରେ, ତିଗିରିଆ ଗଡ଼ଜାତର ପ୍ରତିଷ୍ଠା ପ୍ରାୟ ୧୨୪୬ ଖ୍ରୀଷ୍ଟାବ୍ଦରେ ହୋଇଥିଲା। ସେହି ସମୟରେ ଓଡ଼ିଶାରେ ଗଙ୍ଗବଂଶୀୟ ରାଜା ନରସିଂହଦେବ ପ୍ରଥମ (୧୨୩୮–୧୨୬୪) ଶାସନ କରୁଥିଲେ।
ବିଦେଶୀ ମୁସଲମାନଙ୍କ ଭାରତ ଆକ୍ରମଣ ତଥା ଶେଷ ସ୍ୱାଧୀନ ହିନ୍ଦୁ ରାଜା ପୃଥ୍ୱୀରାଜ ଚୌହାନଙ୍କ ହତ୍ୟାର ପରବର୍ତ୍ତୀ ସମୟର ଘଟଣା, ପଶ୍ଚିମ ଭାରତର ଦୁଇ ରାଜପୁତ ଭାଇ ନିତ୍ୟାନନ୍ଦ ତୁଙ୍ଗ ଓ ତାଙ୍କ ସାନଭାଇ ପୀତାମ୍ବର ତୁଙ୍ଗ ପୁରୀ ଶ୍ରୀକ୍ଷେତ୍ରକୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ। ସେଠାରେ କିଛିଦିନ ରହିବା ପରେ ନିତ୍ୟାନନ୍ଦ ତୁଙ୍ଗଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ, ଚିତ୍ରୋତ୍ପଳା ନଦୀର ପଶ୍ଚିମ ପାର୍ଶ୍ୱରେ ଥିବା ତ୍ରିଗ୍ରୀରୀ ରାଜ୍ୟକୁ ଯାଇ ସେଠାକାର ଅଧର୍ମୀ ଶାସକଙ୍କୁ ପରାସ୍ତ କରି ରାଜ୍ୟ ସ୍ଥାପନ କରନ୍ତୁ। ସ୍ୱପ୍ନାଦେଶ ଅନୁସାରେ ନିତ୍ୟାନନ୍ଦ ତୁଙ୍ଗ ସେଠାକୁ ଯାଇ ସ୍ଥାନୀୟ ନୃଶଂସ ଡ଼ାହଳିଆ ସମ୍ପ୍ରଦାୟର କନ୍ଧ ମୁଖିଆଙ୍କୁ ପରାସ୍ତ ତଥା ହତ୍ୟା କରି ନିଜର ନୂତନ ରାଜ୍ୟ ତିଗିରିଆ ଗଡ଼ ସ୍ଥାପନ କରିଥିଲେ ।
ଅନ୍ୟ ଏକ ଲୋକକଥା ଅନୁସାରେ, ଶିକାର ସମୟରେ ନିତ୍ୟାନନ୍ଦ ତୁଙ୍ଗ ବିଚିତ୍ର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ସେ ଦେଖିଲେ ଏକ ଶାଗୁଣା ପକ୍ଷୀ ଉପରେ ଏକ କପୋତ ପକ୍ଷୀ ଭାରି ପଡୁଅଛି । ଏହା ଦେଖି ନିତ୍ୟାନନ୍ଦ ତୁଙ୍ଗ ଏହି ଭୂମିର ବୀରତ୍ୱ ଓ ଶକ୍ତି ସମ୍ପର୍କରେ ଆକର୍ଷିତ ହୋଇଥିଲେ। ଏବଂ ନିଜର ପ୍ରଥମ ଗଡ଼ ସ୍ଥାପନ ପାଇଁ ମନ ବଳାଇଥୀଲେ । ତିନୋଟି ପାହାଡ଼ ଓ ଗଡ଼କୁ ନେଇ ଏହି ଅଞ୍ଚଳଟି ଶତ୍ରୁ ଆକ୍ରମଣ ପ୍ରତିହତ ପାଇଁ ସୁରକ୍ଷିତ ଥିବାରୁ ଏହାର ନାମ ତ୍ରିଗଡ଼ ବା ତ୍ରିଗିରି ହୋଇଥିବା ଏବଂ କାଳକ୍ରମେ ତାହା ତିଗିରିଆ ନାମରେ ପରିଚିତ ହୋଇଥିବା ମଧ୍ୟ ଲୋକମୁଖରେ ପ୍ରଚଳିତ ଅଛି।
ତିଗିରିଆ ରାଜବଂଶର ରାଜଚିହ୍ନ ଥିଲା ‘ଶସ୍ତ୍ରପଞ୍ଚ’। ଏଥିରେ ଖଣ୍ଡା,ଢାଲ, ଧନୁ, ତୀର ଓ କୁଟାରୀ ସ୍ଥାନ ପାଇଥିଲା। ଏହି ରାଜବଂଶରେ ମୋଟ ୧୭ ଜଣ ରାଜା ଶାସନ କରିଥିବା କୁହାଯାଏ।
ଡ. ହରେକୃଷ୍ଣ ମହତାବ ତଥା ବ୍ରିଟିଶ ଐତିହାସିକ ରାମ୍‌ସେ ସାହେବଙ୍କ ତଥ୍ୟ ଅନୁସାରେ, ଓଡ଼ିଶାର ଅନ୍ୟ ୨୫ଟି ଗଡ଼ଜାତ ରାଜ୍ୟ ତୁଳନାରେ ତିଗିରିଆ ଗଡ଼ଜାତର ଆୟତନ ଅତ୍ୟନ୍ତ କ୍ଷୁଦ୍ର ଥିଲା। ଏହାର ଆୟତନ ମାତ୍ର ୪୪ ବର୍ଗମାଇଲ ଥିଲା। ଏହି କ୍ଷୁଦ୍ର ଐତିହାସିକ ଗଡ଼ଜାତର ଦକ୍ଷିଣରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଉତ୍ତରରେ ଢେଙ୍କାନାଳ ଗଡ଼ଜାତ, ପୂର୍ବରେ ଆଠଗଡ଼ ଗଡ଼ଜାତ ଏବଂ ପଶ୍ଚିମରେ ବଡ଼ମ୍ବା ଗଡ଼ଜାତ ଅବସ୍ଥିତ ଥିଲା।
୧୯୪୧ ମସିହାର ବ୍ରିଟିଶ ସରକାରଙ୍କ ଜନଗଣନା ରିପୋର୍ଟ ଅନୁସାରେ, ତିଗିରିଆ ଗଡ଼ଜାତର ମୋଟ ଜନସଂଖ୍ୟା ୨୬,୩୩୧ ଜଣ ଥିଲା। ବର୍ତ୍ତମାନ ଏହି ଅଞ୍ଚଳ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଅଟେ।
ତିଗିରିଆ ରାଜାମାନେ ଧାରଣ କରୁଥିବା ବିଭିନ୍ନ ସନଦ ସମ୍ପର୍କରେ କିଛି ତଥ୍ୟ:
ତିଗିରିଆ ରାଜବଂଶର ଶାସକମାନେ ପ୍ରଥମେ ‘ଚମ୍ପତି’ ଉପାଧି ଧାରଣ କରୁଥିଲେ। ପରବର୍ତ୍ତୀ ସମୟରେ ଶଙ୍କର୍ଷଣ ଚମ୍ପତିଙ୍କୁ ମରାଠା ସୁବାଦାର ଚିମନାଜୀଙ୍କୁ ଢେଙ୍କାନାଳ ରାଜାଙ୍କ ବିରୋଧରେ ସାହାଯ୍ୟ କରିଥିବାରୁ ‘ମହାପାତ୍ର’ ଉପାଧି ପ୍ରଦାନ କରାଯାଇଥିବା କଥା ଇତିହାସରେ ଉଲ୍ଲେଖ ରହିଛି।
ସେହି ସମୟରେ ଢେଙ୍କାନାଳର ରାଜା କୁଞ୍ଜବିହାରୀ ଭ୍ରମରବର ରାୟ (୧୭୦୮–୧୭୨୭) ଥିଲେ। ତିଗିରିଆର ରାଜକୁମାର ରାମଚନ୍ଦ୍ର ଚମ୍ପତି ନିଜ ପିତାଙ୍କୁ ଅନ୍ଧ କରି ବନ୍ଦୀ କରି ରଖିଥିବା କୁହାଯାଏ। ପରେ ସେ ଢେଙ୍କାନାଳକୁ ପଳାଇଥିଲେ। ସେଠାରେ ମନ୍ତ୍ରୀ ମୁକୁନ୍ଦ ବେବର୍ତ୍ତା ପଟ୍ଟନାୟକଙ୍କ ହାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଶଙ୍କର୍ଷଣ ଚମ୍ପତି ପୁନର୍ବାର ତିଗିରିଆର ଶାସନ ଭାର ଗ୍ରହଣ କରିଥିଲେ।
ତିଗିରିଆ ଗଡ଼ର ପ୍ରଭୁ ଶ୍ରୀଶ୍ରୀ ପ୍ରସନ୍ନମଣି ଜଗନ୍ନାଥଙ୍କ ପ୍ରତିଷ୍ଠା ତଥ୍ୟ:
ତିଗିରିଆ ଇତିହାସ ଅନୁଯାୟୀ, ଏହି ଗଡ଼ଜାତର ଦ୍ୱାଦଶତମ ରାଜା ଥିଲେ ଜଗନ୍ନାଥ ଚମ୍ପତି ସିଂ ମହାପାତ୍ର (ଖ୍ରୀଷ୍ଟାବ୍ଦ ୧୭୯୭–୧୮୦୪)। ସେ ଜଣେ ଅତ୍ୟନ୍ତ ଦୟାଳୁ, ଧର୍ମପରାୟଣ ଓ ପ୍ରଜାବତ୍ସଳ ଶାସକ ଥିଲେ। ତିଗିରିଆ ଗଡ଼ର ପୁରୁଖା ଲୋକଙ୍କ କଥା ତଥା ତିଗିରିଆର ଶେଷ ରାଜା ବ୍ରଜରାଜ ଚମ୍ପତି ସିଂହଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ, ରାଜା ଜଗନ୍ନାଥ ଚମ୍ପତି ସିଂହ ନିଜ ଜୀବନକାଳରେ କେବେ ଆମିଷ ଭକ୍ଷଣ କରୁନଥିଲେ। ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ଅନନ୍ୟ ଭକ୍ତ ଥିଲେ।

କୁହାଯାଏ, ରାଜା ପ୍ରତ୍ୟେକ ଦିନ ସକାଳୁ ଘୋଡ଼ାରେ ଚଢ଼ି ଶ୍ରୀକ୍ଷେତ୍ର ପୁରୀ ଯାଉଥିଲେ ଏବଂ ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ହିଁ ଅନ୍ନଜଳ ଗ୍ରହଣ କରୁଥିଲେ। କିନ୍ତୁ କାଳକ୍ରମେ ବୃଦ୍ଧାବସ୍ଥା ଉପନୀତ ହେବାରୁ ତାଙ୍କ ପକ୍ଷେ ପୂର୍ବପରି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀ ଯିବା କଷ୍ଟସାଧ୍ୟ ହୋଇପଡ଼ିଲା। ତଥାପି ସେ ନିଜର ଭକ୍ତି ଓ ନିୟମରୁ ବିଚ୍ୟୁତ ହୋଇନଥିଲେ। ପ୍ରତିଦିନ ଅତ୍ୟନ୍ତ କଷ୍ଟ ସ୍ୱୀକାର କରି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଥିଲେ। ଏକଦା ନିଜକୁ ଅତ୍ୟନ୍ତ ଦୁର୍ବଳ ମନେକରି ରାତ୍ରିରେ ଶୟନ କରିବା ସମୟରେ ଅନ୍ତରାତ୍ମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ନିଜ ଶାରୀରିକ ଅସୁସ୍ଥତା ଓ ଯନ୍ତ୍ରଣା ବିଷୟରେ ଜଣାଇଥିଲେ।
କଥିତ ଅଛି, ସେହି ରାତ୍ରିରେ ଭକ୍ତବତ୍ସଳ, ଭାବଗ୍ରାହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ସ୍ୱପ୍ନରେ ଆବିର୍ଭୂତ ହୋଇ ସାନ୍ତ୍ୱନା ଦେଇ କହିଥିଲେ, “ହେ ରାଜନ! ଆମ୍ଭେ ତୁମର ଭକ୍ତିରେ ଅତ୍ୟନ୍ତ ପ୍ରସନ୍ନ ଅଛୁ। ତୁମକୁ ଆଉ ଆମ ଦର୍ଶନ ପାଇଁ ଏତେ ଦୂର ଆସିବାକୁ ପଡ଼ିବ ନାହିଁ। ଆମ୍ଭର ଇଚ୍ଛା ହୋଇଛି ଯେ, ଆମ୍ଭେ ଭ୍ରାତା ଓ ଭଗିନୀଙ୍କ ସହିତ ତୁମ ରାଜ୍ୟରେ ପୂଜା ପାଇବୁ। ତୁମେ ଆମର ଏହି ଅଭିଳାଷ ସମ୍ପର୍କରେ ତୁରନ୍ତ ଗଜପତି ମହାରାଜାଙ୍କୁ ଅବଗତ କରାଅ।” ମହାପ୍ରଭୁଙ୍କ ଏହି ଦିବ୍ୟ ବାଣୀ ଶୁଣି ରାଜା ବିନମ୍ରତାର ସହିତ କହିଥିଲେ, “ପ୍ରଭୁ! ମୁଁ ତ ଏକ କ୍ଷୁଦ୍ର ଗଡ଼ଜାତର ରାଜା। ଆପଣଙ୍କୁ ମୁଁ କିପରି ଷାଠିଏ ପଉଟି ଓ ଛପନ ଭୋଗ ଅର୍ପଣ କରିପାରିବି? ଏଥିରେ ମୋତେ ଲୋକନିନ୍ଦା ସହିବାକୁ ପଡ଼ିବ ଏବଂ ଜଗତ ମୋତେ ଉପହାସ କରିବ।”
ଏହା ଶୁଣି ଭାବଗ୍ରାହୀ ମହାପ୍ରଭୁ ପୁନର୍ବାର ତାଙ୍କୁ ସାନ୍ତ୍ୱନା ଦେଇ କହିଥିଲେ, “ମୋର ତୁମଠାରୁ ଷାଠିଏ ପଉଟି କିମ୍ବା ଛପନ ଭୋଗର କୌଣସି ଲୋଭ ନାହିଁ। ତୁମେ କେବଳ କିଛି ଛେନା ଓ ଗୁଡ଼ ମିଶ୍ରିତ ପଣା ନିତ୍ୟ ଭୋଗ ଲଗାଇବ। ସେତିକି ନୈବେଦ୍ୟରେ ହିଁ ମୁଁ ତୁମ ଉପରେ ସନ୍ତୁଷ୍ଟ ରହିବି।” ଏହାପରେ ମହାପ୍ରଭୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ଏବଂ ରାଜାଙ୍କ ନିଦ୍ରା ଭଙ୍ଗ ହୋଇଥିଲା।
ପରଦିନ ସକାଳୁ ରାଜା ଜଗନ୍ନାଥ ଚମ୍ପତି ସିଂହ ଖୋର୍ଦ୍ଧାଗଡ଼ ଯାଇ ତତ୍କାଳୀନ ଭୋଇ ବଂଶୀୟ ଗଜପତି ଦ୍ୱିତୀୟ ମୁକୁନ୍ଦଦେବ ମହାରାଜା (ଖ୍ରୀଷ୍ଟାବ୍ଦ ୧୭୯୮–୧୮୧୭)ଙ୍କୁ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ସମ୍ପର୍କରେ ସମସ୍ତ ବିବରଣୀ ଜଣାଇଥିଲେ। ଏହାପରେ ଗଜପତି ମହାରାଜାଙ୍କ ସ୍ୱୀକୃତିକ୍ରମେ ନିଜ ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ପ୍ରଥମେ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରି ସେଠାରେ ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ‘ପ୍ରସନ୍ନମଣି ପୁରୁଷୋତ୍ତମ’ ନାମରେ ପ୍ରତିଷ୍ଠା କରିଥିଲେ। ଏଥିସହିତ ଶ୍ରୀକ୍ଷେତ୍ର ପୁରୀର ଅନୁରୂପ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ନୀତିର ମଧ୍ୟ ଶୁଭାରମ୍ଭ କରିଥିଲେ।
ଏହି ରାଜାଙ୍କ ଉତ୍ତରାଧିକାରୀ ରାଜା ହରିହର ଚମ୍ପତି ସିଂହ (ଖ୍ରୀଷ୍ଟାବ୍ଦ ୧୮୪୪–୧୮୮୬)ଙ୍କ ଶାସନକାଳରେ ମହାପ୍ରଭୁଙ୍କ ପାଇଁ ଏକ ଝୁଲଣ ଘର ନିର୍ମାଣ କରାଯାଇଥିଲା ଏବଂ ଦିଅଁଙ୍କ ଝୁଲଣଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏହି ରାଜା ବ୍ରିଟିଶ ସରକାରଙ୍କ ପ୍ରିୟପାତ୍ର ହୋଇ ୧୮୭୪ ମସିହାରେ ସରକାରୀ ସ୍ତରରେ ପୁନର୍ବାର ‘ରାଜା’ ଉପାଧି ପ୍ରାପ୍ତ କରିଥିଲେ। ଏଥିସହିତ ସେ ‘ବୀରବର’ ଉପାଧିରେ ମଧ୍ୟ ଭୂଷିତ ହୋଇଥିଲେ।
ତିଗିରିଆ ଗଡ଼ର ଚତୁର୍ଦ୍ଦଶତମ ରାଜା ବନମାଳୀ କ୍ଷତ୍ରିୟ ଚମ୍ପତି ସିଂହ (ଖ୍ରୀଷ୍ଟାବ୍ଦ ୧୮୩୬–୧୯୩୩)ଙ୍କ ଦ୍ୱାରା ଆଜିର ଭବ୍ୟ ଶ୍ରୀଶ୍ରୀ ପ୍ରସନ୍ନମଣି ଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ଧର୍ମପରାୟଣ ରାଜା ବ୍ରିଟିଶ ସରକାରଙ୍କ ପ୍ରିୟପାତ୍ର ହୋଇ ଗଡ଼ଜାତରେ ଅନେକ ପ୍ରଜାହିତକର କାର୍ଯ୍ୟ କରିଥିଲେ।
ତଥ୍ୟ ଅନୁଯାୟୀ, ଏହି ରାଜା ୧୮୭୭ ମସିହାରେ ଆଜିର ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ୧୯୧୩ ମସିହାରେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ। ମନ୍ଦିରର ଉଚ୍ଚତା ୧୪୪ ଫୁଟ ହୋଇଥିବାବେଳେ ଏହାର ଶିଖରରେ ସ୍ଥାପିତ ନୀଳଚକ୍ରର ଉଚ୍ଚତା ୧୪ ଫୁଟ। ଏହି ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ ।
ତିଗିରିଆ ଗଡ଼ଜାତର ଶେଷ ରାଜା ବୀରବର ବ୍ରଜରାଜ ଚମ୍ପତି ସିଂ:
ତିଗିରିଆ ଗଡ଼ଜାତର ଶେଷ ରାଜା ଥିଲେ ରାଜା ବ୍ରଜରାଜ ଚମ୍ପତି ସିଂହ ମହାପାତ୍ର। ତାଙ୍କ ପିତା ରାଜା ସୁଦର୍ଶନ ଚମ୍ପତି ସିଂହଙ୍କ ଦେହାନ୍ତ ୧୮ ଜୁନ୍ ୧୯୪୩ରେ ହୋଇଥିଲା। ସେତେବେଳେ କୁମାର ବଜ୍ରଧର ଅପ୍ରାପ୍ତବୟସ୍କ ଥିବାରୁ ତାଙ୍କୁ ନାମମାତ୍ର ରାଜା ଭାବେ ଅଭିଷିକ୍ତ କରାଯାଇଥିଲା। ୧ ଜାନୁଆରୀ ୧୯୪୬ରେ ସାବାଳକ ହେବା ପରେ ସେ ପୂର୍ଣ୍ଣ ରାଜକୀୟ କ୍ଷମତା ହାସଲ କରିଥିଲେ। ତାଙ୍କର ଦେହାନ୍ତ ୩୦ ନଭେମ୍ବର ୨୦୧୫ରେ ହୋଇଥିଲା।
ତିଗିରିଆ ଇତିହାସ କୁହେ, ଏକ ସମୟରେ ଏହି ରାଜା ଓଡ଼ିଶାର ଗଡ଼ଜାତ ମୁଲକରେ ଜଣେ ‘ଶିକାରୀ ରାଜା’ ଭାବେ ପ୍ରସିଦ୍ଧ ଥିଲେ। ସେ ନିଜ ଯୌବନକାଳରେ ୧୩ଟି ମହାବଳ ବାଘ ଏବଂ ୨୮ଟି ଚିତାବାଘ ଶିକାର କରିବା ସହ କିଛି ହାତୀ ମଧ୍ୟ ଶିକାର କରିଥିଲେ। ରାଜାଙ୍କ ପରିବାରର ସେବାରେ ପ୍ରାୟ ୩୦ ଜଣ ଦାସୀ ନିୟୋଜିତ ଥିବାବେଳେ ସେ ଅନେକ ଆଧୁନିକ ମୋଟରଗାଡ଼ିର ମାଲିକ ଥିଲେ। ତାଙ୍କ ପାଖରେ ଅନ୍ୟୂନ ୨୫ଟି ବିଳାସପୂର୍ଣ୍ଣ କାର୍ ଥିବାବେଳେ, ନଅର ମଧ୍ୟରେ ତାଙ୍କ ଭ୍ରମଣ ପାଇଁ ସମୁଦାୟ ୫୬ଟି କାର୍ ସର୍ବଦା ପ୍ରସ୍ତୁତ ହୋଇ ରହୁଥିଲା। ଛାମୁଙ୍କ ଇଚ୍ଛା ଅନୁସାରେ ସେ ନିଜ ପସନ୍ଦର କାର୍ ବ୍ୟବହାର କରୁଥିଲେ।
ରାଜା ବ୍ରଜରାଜଙ୍କ ବାଲ୍ୟଜୀବନ ସମ୍ପର୍କରେ ଅନେକ ରୋଚକ ଓ ଆଶ୍ଚର୍ଯ୍ୟଜନକ କଥା ଲୋକମୁଖରେ ପ୍ରଚଳିତ ରହିଛି। ନିଜେ ରାଜା କହିଥିବା କିଛି ଘଟଣା ଓ ସ୍ଥାନୀୟ ଲୋକଙ୍କ କଥା ଅନୁସାରେ, ସେ ପିଲାଦିନେ ମନୋରଞ୍ଜନ ପାଇଁ ନଅର ପଛ ପାଖେ ଥିବା ଆମ୍ବ ତୋଟାରେ କୁକୁରମାନଙ୍କ ବେକରେ ଦଉଡ଼ିରେ ଝୁଲାଇ ଫାସୀଦେଇ ମାରିବା ଏବଂ ବୟସ୍କ ଲୋକଙ୍କ ଉପରେ ବିଛୁଆତି ପତ୍ର ପକାଇ ଦୁଷ୍ଟାମି କରିବା ଭଳି ଘଟଣା ମଧ୍ୟ ତାଙ୍କ ବାଲ୍ୟଜୀବନ ସହ ଜଡ଼ିତ ରହିଛି।
ଥରେ ରାସ୍ତାରେ ନିଜ କାରରେ ଯାଉଥିବା ସମୟରେ ଏକ ଦୂରତା ସୂଚକ ଫଳକ ତାଙ୍କ ଦୃଷ୍ଟିରେ ପଡ଼ିଥିଲା। ସେହି ଫଳକରେ ରାସ୍ତାର ଦୂରତା ଲେଖାଥିବା ଦେଖି ସେ ଅସନ୍ତୁଷ୍ଟ ହୋଇ ଗାଡ଼ିଚାଳକ ଓ କର୍ମଚାରୀମାନଙ୍କୁ ତାହା ଉପାଡ଼ି ଭାଙ୍ଗିଦେବାକୁ ଆଦେଶ ଦେଇଥିଲେ। ତାଙ୍କ କହିବା ଅନୁସାରେ, ସେ ରାଜା; ତାଙ୍କୁ ରାସ୍ତାର ଦୂରତା ଜଣାଇବା ପାଇଁ କୌଣସି ଫଳକର ଆବଶ୍ୟକତା ନାହିଁ। ଆଉ ଥରେ ରାସ୍ତାରେ ଗାଡ଼ି ଅଟକାଇ ସେ ପରିସ୍ରା କରିବାକୁ ଓହ୍ଲାଇଥିଲେ। ତାଙ୍କ ସହିତ ଥିବା କର୍ମଚାରୀମାନେ ମଧ୍ୟ ଗାଡ଼ିରୁ ଓହ୍ଲାଇଥିଲେ। ଏହା ଦେଖି ରାଜା ଚାଳକଙ୍କୁ ଗାଡ଼ି ଚଳାଇ ଚାଲିଯିବାକୁ ଆଦେଶ ଦେଇଥିଲେ। ଫଳରେ କର୍ମଚାରୀମାନେ ଚାଲିଚାଲି ରାଜପ୍ରାସାଦକୁ ଫେରିଥିଲେ।
ତେବେ ରାଜା ବ୍ରଜରାଜ ଶିକ୍ଷିତ ଥିଲେ। ସେ ରାୟପୁର କଲେଜରୁ ଡିପ୍ଲୋମା ଶିକ୍ଷା ଗ୍ରହଣ କରିଥିଲେ। ସେ ଉଚ୍ଚବର୍ଗର ଲୋକ ହୋଇଥିଲେ ମଧ୍ୟ ରାଜକୀୟ କର୍ମଚାରୀମାନଙ୍କ ପ୍ରତି ତାଙ୍କର ମନୋଭାବ ଭଲ ନଥିଲା ବୋଲି କୁହାଯାଏ। ଅନ୍ୟପକ୍ଷରେ ଗରିବ ଓ ନିମ୍ନବର୍ଗର ଲୋକମାନଙ୍କୁ ସେ ଭଲ ପାଉଥିଲେ। ଛୋଟ ପିଲାମାନଙ୍କ ପ୍ରତି ମଧ୍ୟ ତାଙ୍କର ସ୍ନେହ ଥିଲା।
ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ରାଜକୀୟ ଶାସନର ଅବସାନ ଘଟିଥିଲା। ଏହାପରେ ତିଗିରିଆ ରାଜପରିବାରର ଆର୍ଥିକ ଅବସ୍ଥା ଧୀରେଧୀରେ ଦୁର୍ବଳ ହୋଇପଡ଼ିଥିଲା। ରାଜା ବ୍ରଜରାଜ ନିଜର ରାଜପ୍ରାସାଦକୁ ୧୯୬୦ ମସିହାରେ ମାତ୍ର ୭୫ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହି ଟଙ୍କାର ଅଧା ରାଣୀ ରାସମଞ୍ଜରୀ ଦେବୀଙ୍କୁ ଦେଇଥିଲେ। ରାଣୀ ସୋନପୁର ରାଜପରିବାରର କନ୍ୟା ଥିଲେ। ଅବଶିଷ୍ଟ ଟଙ୍କା ଗରିବ ପିଲାମାନଙ୍କ ମଧ୍ୟରେ ବାଣ୍ଟିଦେବା ସହ ଭୋଜିଭାତରେ ଖର୍ଚ୍ଚ କରିଦେଇଥିଲେ। ପରବର୍ତ୍ତୀ ସମୟରେ ରାଜା ନିଜ ପରିବାର ସହିତ ପୁରୁଣା ତିଗିରିଆର ଏକ ଚାଳଛପର ଘରେ ରହିଥିଲେ। ରାଣୀଙ୍କ ନାମରେ ଥିବା ତିନି ଗୁଣ୍ଠ ଜମି ଉପରେ ନିର୍ମିତ ଏକ ଛୋଟ ଘରେ ତାଙ୍କ ଜୀବନର ଶେଷ ସମୟ କଟିଥିଲା।
ସ୍ଥାନୀୟ ଲୋକମାନେ ତାଙ୍କୁ ରାଜନୀତିରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅନ୍ୟମାନଙ୍କ ଆଗରେ ଭୋଟ ପାଇଁ ହାତ ପତାଇବା କିମ୍ବା ନିଜ ସ୍ୱାର୍ଥ ପାଇଁ କାହାରି ଆଗରେ ମୁଣ୍ଡ ନୁଆଁଇବାକୁ ସେ ଚାହୁଁନଥିଲେ। ତାଙ୍କ ଇଚ୍ଛା ବିରୋଧରେ ରାଣୀ ରାସମଞ୍ଜରୀ ଦେବୀ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୧୯୭୭ ମସିହାରେ ଆଠଗଡ଼-ତିଗିରିଆ ନିର୍ବାଚନମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ରାଣୀ ରାସମଞ୍ଜରୀ ଦେବୀ ଜଣେ ସରଳ, ମିଷ୍ଟଭାଷୀ ଓ ଜନସାଧାରଣଙ୍କ ସହ ମିଶିପାରୁଥିବା ମହିଳା ଭାବେ ପରିଚିତ ଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦାମ୍ପତ୍ୟ ଜୀବନରେ ମତଭେଦ ଯୋଗୁଁ ରାଜା ଓ ରାଣୀ ପରବର୍ତ୍ତୀ ସମୟରେ ଅଲଗା ଅଲଗା ରହୁଥିଲେ। ରାଜା ବ୍ରଜରାଜଙ୍କ ଜୀବନର ଶେଷ ସମୟ ଅତ୍ୟନ୍ତ ଦୁଃଖଦ ଓ ଦାରିଦ୍ର୍ୟ ମଧ୍ୟରେ ବିତିଥିଲା। ଶେଷରେ ୩୦ ନଭେମ୍ବର ୨୦୧୫ରେ ସେ ନିଜର ଚାଳଛପର ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ବୀର ପ୍ରତାପ ଚମ୍ପତି ତିଗିରିଆ ରାଜପରିବାରର ବର୍ତ୍ତମାନର ନାମମାତ୍ର ରାଜପଦବୀ ଧାରଣ କରିଛନ୍ତି।
ଏହା ହିଁ ଏକ ସମୃଦ୍ଧଶାଳୀ ରାଜ୍ୟର ରାଜପରିବାରର ଆକାଶଛୁଆଁ ରାଜଶାସନରୁ ନିମ୍ନଭୂମିକୁ ପତନ ପର୍ଯ୍ୟନ୍ତ ଏକ ଯାତ୍ରାର କାହାଣି ।
ଉଦ୍ଧୃତ ପୁସ୍ତକ: ଖୋର୍ଦ୍ଧା ଇତିହାସ, ଓଡ଼ିଶା ଇତିହାସ, ଢେଙ୍କାନାଳ ଇତିହାସ, ତିଗିରିଆ ଇତିହାସ
Sri Prasanna Mani Jagannath Temple Tigiria Nayagarh Nayagada Itihasa Nijigada Dhenkanal Narsinghpur Prasant Das
Spread the love
Antaranga Kalinga

Recent Posts

ଆଠଗଡ଼ପାଟଣା ଇତିହାସ

~ ଭୋଗବିଳାସ, ବିଶ୍ୱାସଘାତକତାରେ ରାଜ୍ୟ ହରାଇଥିବା ଏକ ରାଜାଙ୍କ କରୁଣ ଇତିହାସ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼…

3 days ago

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 months ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 months ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 months ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 months ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago