~ ହରିଆ ତନ୍ତୀ ~
ସୌରଭିତ ସୃଷ୍ଟି: ପଣ୍ଡିତ ଗୋବିନ୍ଦ ରଥ
ଏକାଧାରରେ ଜଣେ ହାସ୍ଯାମୋଦୀ, ନିର୍ଭୀକ, ସ୍ପଷ୍ଟବାଦୀ, ନିରପେକ୍ଷ ତଥା ପ୍ରଚଣ୍ଡ ସ୍ଵାଭିମାନୀ ରୂପେ ସେ ଥିଲେ ଜନମନରେ ପ୍ରଖ୍ୟାତ । ଓଡ଼ିଆ #ଭାଷାରେ ସର୍ବପ୍ରଥମେ ଯେଉଁ ପାଠ୍ୟ ପୁସ୍ତକର ପ୍ରଣୟନ ହୋଇଥିଲା, ତାହାର ଆଦ୍ୟଲଗ୍ନରୁ ହିଁ #ପଣ୍ଡିତ #ଗୋବିନ୍ଦ #ରଥ ଙ୍କ ଜନପ୍ରିୟତା ଥିଲା ବହୁଗୁଣ ଗୁଣିତ ।
୧୮୪୮ ମସିହା ଅକ୍ଟୋବର ୨୯ ତାରିଖ ଦିନ ବାଙ୍କୀର ପାଟପୁର ଶାସନ ସ୍ଥିତ ପଦ୍ମନାଭପୁର ଗ୍ରାମରେ ଜନ୍ମିତ ପଣ୍ଡିତ ଗୋବିନ୍ଦ ରଥ କେବଳ ଜଣେ ସାରସ୍ଵତଧର୍ମୀ ବ୍ୟକ୍ତିତ୍ଵ ନଥିଲେ, ବରଂ #ସ୍ଵତନ୍ତ୍ର #ଉତ୍କଳ #ପ୍ରଦେଶ #ଗଠନ, ଦୁର୍ନୀତି ନିବାରଣ ସହ କୁସଂସ୍କାର ପ୍ରତି ତାଙ୍କର ତୀର୍ଯ୍ଯକ୍ ଆଲୋଡ଼ନ ଥିଲା ସେହି ସମୟରେ ଅଭୂତପୂର୍ବ ।
ଊନବିଂଶ ଶତାବ୍ଦୀରେ ସେ ଥିଲେ #ସର୍ବାଧିକ #ଓଡିଆ #ପୁସ୍ତକର #ସଂଗ୍ରାହକବଂ #ପ୍ରକାଶକ । ଏବଂ ତାଙ୍କର ଏକାଧିକ ପ୍ରଥମ ପର୍ଯ୍ୟାୟର କୃତୀତ୍ଵ ମଧ୍ୟରେ ଆଧୁନିକ ଓଡିଆ ସାହିତ୍ୟରେ #ପ୍ରଥମ #ହାସ୍ୟରସାତ୍ମକ #ବ୍ୟଙ୍ଗକାର ରୂପେ ତାଙ୍କର ଆତ୍ମପ୍ରକାଶ ପାଇଥିଲା #ଘୋଡାଡିମ୍ବ ଏବଂ ‘ହରିଆ ତନ୍ତୀ’
ତାଙ୍କର ସୁନ୍ଦର ହାସ୍ୟରସାତ୍ମକ ତଥା ଏକ ଶିକ୍ଷଣୀୟ କବିତା ‘#ହରିଆ_ତନ୍ତୀ‘ । ୧୮୯୬ ମସିହାରେ ପ୍ରକାଶିତ ଏହି କବିତା କର୍ତ୍ତବ୍ୟନିଷ୍ଠ ହେବାର ବାର୍ତ୍ତା ବହନ କରୁଅଛି ।
ଏହି ସୁନ୍ଦର ହାସ୍ୟରସାତ୍ମକ କବିତା ହରିଆ ତନ୍ତୀ’ ହରିଆ ନାମକ ତନ୍ତୀ ଏବଂ ତାହାର ସୁପୁତ୍ରର ଧନ କିପରି ସହଜ ଲଭ୍ୟ ହେଇପାରିବ, ସେହିପରି କିଛି ବ୍ୟବସାୟ କଥା ଚିନ୍ତା କରୁ ନ କରୁ, ଜଣେ ଲୋକ ତାଙ୍କୁ କହିଦେଇ ଗଲା ଯେ ନିଘାସ ଜମି ଉପରେ ଚାଷ କରିଲେ ବେଶ୍ ଲାଭଜନକ ହେବ।
ସୁବିଧା ଉପଯୋଗୀ ଚାଷ ଏବଂ ତହିଁରୁ ଧନପ୍ରାପ୍ତି ଲୋଭରେ ସେମାନେ ଘାସବିହୀନ ନଦୀପଠାକୁ ଚାହିଁ ସେଠାରେ ଖରଡି ବୁଣା କରିବା ପାଇଁ ସ୍ଥିରୀକୃତ କରିଲେ। (ଖରଡି ବୁଣା – ବିଲ ଶୁଖିଥିବା ଅବସ୍ଥାରେ ଚାଷ କରି ତହିଁରେ ଧାନଆଦି ବୁଣିବାର ପ୍ରକ୍ରିୟା ) ।
ହେଲେ ଚଢେଇ, ମଶାମାଛି ଇତ୍ୟାଦିଙ୍କ ଉପଦ୍ରବ ଫଳରେ ସେମାନଙ୍କ ପରିଶ୍ରମ ବ୍ୟର୍ଥ ହେଉଥିଲା । ହେଲେ ପରିଶେଷରେ, ଦୁହେଁ ଚାଷ କରୁ କରୁ ପ୍ରତ୍ୟହ ଜଗୁଆଳି ପରି ଜଗିରହୁଥିଲେ ଏବଂ ଆକ୍ରମଣ କରୁ କରୁ ଏକଦା ହରିଆ ପୁଅ ତା’ ପିତାଙ୍କ ଛାତିକି ବାଡେଇଦେବାରୁ ତାଙ୍କର ନିଧନ ହୁଏ। ପରବୁଦ୍ଧି ଦ୍ଵାରା ପ୍ରଭାବିତ ନ ହୋଇ ନିଜେ କର୍ତ୍ତବ୍ୟନିଷ୍ଠ ଓ ପରିଣାମଦର୍ଶୀ ହେବାର ବାର୍ତ୍ତା ବହନ କରେ ଏ ସୁନ୍ଦର କବିତା ହରିଆ ତନ୍ତୀ
~ ହରିଆ ତନ୍ତୀ ~
କହିବା ଅଳ୍ପ ତନ୍ତୀର ଗଳ୍ପ
ଶୁଣ ହେ ସକଳ ଭାଇ,
ହରିଆ ତନ୍ତୀ ମାତିଲା ମତି
ବସିଲା ମନରେ ଧ୍ୟାଇ ।
ନିଶିର ପ୍ରାନ୍ତ ବସି ଏକାନ୍ତ
ହରିଆ କରଇ ଧ୍ୟାନ,
କି କାର୍ଯ୍ୟ କଲେ ସହଜେ ଭଲେ
ମିଳିବ ବହୁତ ଧନ।
ସକାଳୁ ଉଠି ଖରାକୁ ପିଠି
ଦେଖାଇ ବସିଣ ପଥେ,
ଯାହାକୁ ଦେଖେ ପାଖକୁ ଡାକେ
ପଚାରେ କହିବ ମେତେ।
କିପରି କଲେ ସହଜେ ଭଲେ
ମିଳିବ ବହୁତ ଧନ,
ହସିଲେ ଥୋକେ କହିଲେ ଲୋକେ
ପାଗଳ ହେଲା କି ମନ।
ଗୋଟିଏ ଲୋକ ଆସିଲା ପାଖ
କହି ଦେଲା କାନେ କାନେ,
କରିବୁ ଚାଷ ଗୋଟିଏ ଘାସ
ନଥିବ ଏକା ସେ ସ୍ଥାନେ।
ଖରଡି ବୁଣା ଅଟଇ ସୁନା
ସେ ଯୋଗ ମିଳଇ ନାହିଁ,
ବତୁରି ବୁଣା ଚାଷୀକୁ ଜଣା
ନ ହୁଅଇ କେବେ କାହିଁ।
ହରିଆ ଶୁଣି ଉଠିଲା ପୁଣି
ଘର ଠାରେ ହେଲା ଯାଇଁ,
ଆନନ୍ଦ ମନ ମିଳିବ ଧନ
ପୁଅକୁ କହିଲା ଚାହିଁ।
ଆରେ ମୋ ଧନ ବଳାଅ ମନ
କରିବାକୁ ଚାଷ ଯାଇ,
ଆମର ଭାତ ଖାଇବେ ସାତ
କାହାକୁ ମାଗିବା ନାହିଁ।
ଚାଷ ବିଚାର ବାପ ପୁଅର
ନିଶ୍ଚୟ କରିବା ହେଲା,
ଚଷିବା ପାଇଁ ହରିଆ ଯାଇଁ
ହଳ ସଜ କରି ନେଲା।
ସେ ବାପ ପୁଏ ମିଳିଣ ଦୁହେଁ
ଖୋଜିଲେ ନିଘାସ ଜମି,
ଯହିଁକି ଗଲେ ତହିଁ ଦେଖିଲେ
ସବୁ ଅଟେ ଘାସ ଭୂମି।
ରବି କିରଣ ଦେହେ ବାଜିଣ
ବୋହିଲା ଦେହରୁ ଝାଳ,
ଲଭିଲେ ପୀଡା ହୋଇଲେ ଛିଡା
ଖୋଜିଲେ ତୃଷା ରେ ଜଳ।
ନଦୀ ର ତୀରେ ମିଳିଲେ ଧୀରେ
ଜଳପାନ କରିବାକୁ,
ଦେଖିଣ ଖାଲି ନଦୀର ବାଲି
ହରିଆ କହେ ପୁତ୍ରକୁ।
ଦେଖରେ ଧନ କେମନ୍ତ ସ୍ଥାନ
ଗୋଟିଏ ନାହିଁରେ ଘାସ,
ଭାଗ୍ୟକୁ ଚାହିଁ ମିଳିଲା ଯାଇଁ
କରିଦିଅ ଓଡେ ଚାଷ।
ବାପ ର କଥା ଶୁଣିଣ ମଥା
ହଲାଇ କହେ ପୁଅ,
ବାହା ବାହା ବା ଠିକ ରେ ବାବା
ବିହନ ଆଣି ରେ ଥୁଅ।
ଶୁଣ ସୁଜନେ ଏକାନ୍ତ ମନେ
ପୁଅ ବାଲି ଚାଷ କଲା,
ହରିଆ ତନ୍ତି ପ୍ରଭୁଙ୍କୁ ଚିନ୍ତି
ଗୃହରେ ପ୍ରବେଶ ହେଲା।
ଘରଣୀ ରାଇ ଦେଲା ବଢାଇ
ବିହନ ଧାନକୁ କାଢି,
ହାଣ୍ଡିରେ ଭରି ସୁନ୍ଦର କରି
ଖରଡ ଗୋ କେତେ ଭାଡି।
ଚତୁରୀ ନାରୀ ଶ୍ରବଣ କରି
ସେହିପରି ସବୁ କଲା,
ହରିଆ ଧାନ କରି ବହନ
ବାଲିରେ ପ୍ରବେଶ ହେଲା।
ଗୁଣି ରତନ ହରି ନନ୍ଦନ
ଆନନ୍ଦରେ ଧାନ ବୁଣି,
ହଳୁଆ ଗୀତ ଗାଇ ତୁରିତ
ମଇରେ ଚଢିଲେ ପୁଣି।
ପଟାଏ ମଇ ତହିଁରେ ଦେଇ
ଆନନ୍ଦ ମନରେ ଦୁହେଁ,
ଜଳରେ ମିଳି ଛଡାଇ ଧୂଳି
ମିଳିଲେ ଆସିଣ ଗୃହେ।
କଲେ ଭୋଜନ ଉଭୟ ଜନ
ହରି ଖୁସି କଥା କହେ,
ଖରଡି ବୁଣା ଅଟଇ ସୁନା
ସେ ଫଳ ସମ୍ଭାଳି ନୁହେଁ।
ଗୋବରି ଜେନା କରିଛି ସିନା
ଦିଇଟା ନାଳିଆ ଧାନ,
ଆମ୍ଭର ଦେଖ ବଢିବ ଭେକ
ଖାଲି ଧାନ ଘରମାନ।
ଖରଡି ବୁଣା ଶୁଖିଲା ସୁନା
ନାହିଁରେ ମନରେ ଧୋକା,
ରାମ୍ପୁଡି ହୋଇ କାମ୍ପୁଡି ହୋଇ
ମରିବ ଗୋବରା କାକା ।
ହରିଆ ଅନ୍ଧ ଆଶାରେ ବନ୍ଧ
ବାନ୍ଧିଲା ହରଷେ କେତେ,
ସ୍ବରଗପୁର ନୁହଁଇ ଦୂର
ହରିର ଭାବନା ମତେ।
ସେକଥା ଯାଉ କହିବା ଆଉ
ଏଣିକି ଯେ କଥା ହେଲା,
ଦି ତିନି ଦିନ ଛାଡିଣ ପୁଣ
ହରି ବିଲ ଦେଖି ଗଲା।
ଖରଡା ଧାନ ବୁଣା ଦେଖିଣ
ବାଇଆ ଚଢାଇ ଦଳ,
ଖୁଣ୍ଟି ଖୁଣ୍ଟିଣ ଥଣ୍ଟେ ଧରିଣ
ଖାଉଛନ୍ତି କଳ କଳ।
ଥାନକ ଛାଡି ଆଉଠା ମାଡି
ବସନ୍ତି କରନ୍ତି ମଜା,
ତାଙ୍କର ଭୟ କାହିଁକି କହ
ନୁହଁନ୍ତି ରାଜାର ପ୍ରଜା।
ହରିଆ ଦେଖି ହୋଇଲା ଦୁଃଖି
ହୋ ହୋ ଡାକ କେତେ କରି,
ବିରସ ମନ ବିଲ ଛାଡିଣ
ଘରକୁ ଆସିଲା ଫେରି।
ପୁଅ ଆଗରେ ଦୁଃଖ ଭରରେ
କହିଲା ସକଳ କଥା,
ପାଞ୍ଚଣ ବାଡି ଧରି ଦଉଡି
ପୁଅ ଉଠେ ବୀର ଯଥା।
ବାପ ପୁଅର ବିଚାର ସ୍ଥିର
ଦଉଡିରେ ବାନ୍ଧି କରି,
ଗୋଟାକୁ ଗୋଟା ଧରିଣ ପିଟା-
ପିଟି କରି ଦେବା ମାରି।
ବିଲରେ ଯାଇ ପ୍ରବେଶ ହୋଇ
ଚଢାଇଙ୍କି ଗୋଡାଇଲେ,
ଏ ପାଖେ ଗଲେ ସେ ପାଖେ ଗଲେ
କାହିଁ ଧରି ନପାରିଲେ ।
ସୁବୁଦ୍ଧି ପୁତ ଭାବି ବହୁତ
ବାପକୁ ସମ୍ବୋଧି କହେ,
ଉପାୟ ଅଛି ଧରିବା ବାଛି
ବୁଦ୍ଧି ନ ଖଟିଲେ ନୁହେଁ ।
ହାଟକୁ ଯିବା କିଣି ଆଣିବା
ପାଚିଲା କଦଳୀ କିଛି,
ଏହାଙ୍କୁ ଦେବା ଜଗି ବସିବା
ପଛ ଆଡେ ଲୁଚି ଲୁଚି।
ଖାଇଲା ବେଳେ ଧରିବା ବଳେ
କୁଆଡେ ଯିବେ ପଳାଇ,
କଦଳୀ ରସ ବଡ଼ ସରସ
ଥଣ୍ଟ ଲାଗି ଯିବ ତହିଁ ।
ଏତେ ବିଚାରି ଅଇଲେ ଫେରି
ହାଟରୁ କଦଳୀ କିଣି,
ଚୋପା ଛଡାଇ ବିଲରେ ନେଇ
ପକାଇଲେ ଫେଣି ଫେଣି।
ଚଢ଼ାଇ ଗଣ ଆନନ୍ଦ ମନ
ଫର ଫର ହୋଇ ଉଡି,
ଏଠାରେ ଖାଇ ସେଠାରେ ଖାଇ
ଯାଆନ୍ତି କେଉଁଟା ଛାଡି।
ହରିଆ ତନ୍ତି ମାତିଛି ମତି
ପୁଅଟି କତିରେ ଥାଏ,
ଅତି ସଧୀରେ ପଦ ସଞ୍ଚାରେ
ଛପିଛପି ପଛେ ଯାଏ।
ଚଢାଇ ପାଶ ହେଲେ ପ୍ରବେଶ
ଚଢାଇ ହୁଅଇ ଫୁର୍ରୁ,
ହରିଆ ତନ୍ତି ବିକଳ ମତି
ପିଲା ପୁଅ ହସେ କୁର୍ରୁ।
ଏମନ୍ତ କରି ବହୁତ ଫେରି
ଚଢାଇ ଧରିବା କଥା,
ନୁହେଁ ସଫଳ ମନ ବିକଳ
ରମ୍ଭା ଫଳ ହେଲା ବୃଥା।
ବ୍ୟଥିତ ମନେ ଆସି ସଦନେ
ତୋରାଣି ଟିକିଏ ସାରି,
ତନ୍ତର ପାଶେ ବସି ବିରସେ
ସୂତା ବାଛେ କଣ୍ଡା ଧରି।
ଏ ଅନ୍ତେ ଶୁଣ ସୁଜନ ଜନ
ବେଳ ହେଲା ଅବସାନ,
ରଙ୍ଗ ବସନ ପିନ୍ଧି ତପନ
ଅସ୍ତଗିରି କଲେ ସ୍ଥାନ।
ଅଳପ କ୍ଷଣେ ଆସି ଗଗନେ
ଘୋଟିଲାକ ମେଘମାଳ,
ହେଲା ବରଷା ମାତିଲା ରସା
ସମ୍ଭାଳି ନୁହଁଇ ଜଳ।
ହରିଆ ଭାବେ ଏଥର ତେବେ
କାଦୁଅରେ ଲାଖିକରି,
ଚଢାଇ ଦଳ ହୋଇ ବିକଳ
ଯିବେ ଜୀବନରେ ମରି।
ସେଦିନ ଗଲା ରାତି ପାହିଲା
ବାପପୁଏ ଉଠି କରି,
ଧାନ ବିଲରେ ମିଳି ବେଗରେ
ଦେଖିଲେକ ଫେରି ଫେରି।
ସବୁ ନିର୍ମଳ ଟିକିଏ ଜଳ
ବିଲର ଉପରେ ନାହିଁ,
ଚଢାଇ ଯାଇ ଅଛନ୍ତି ତହିଁ
ମାଛି ଗୋଠ ଗୋଠ ହୋଇ।
ସଲିଳ ପଡି଼ ଯାଇଛି ସଢ଼ି
କଦଳୀ ଖରଡା ଧାନ,
ସ୍ଵଭାବତରେ ହେବେ ତହିଁରେ
ମାଛି ବସି ଭଣ ଭଣ।
ହରିଆ ମତ ତା’ ବିପରୀତ
ଭାବିଣ ପୁତ୍ରକୁ କହେ,
ଚଢ଼ାଇ ଗଲେ ମାଛି ଅଇଲେ
ଏ ଦୁଃଖ ହୃଦୟ ଦହେ।
ଧାନର ଗଜା ଖାଇଣ ମଜା
ମାରନ୍ତି ଅଭୟ ମନେ,
ଏହାଙ୍କ ପାଇଁ ଉପାୟ ନାହିଁ
ଛାଡିଯିବେ ଏ କେସନେ।
ପୁଅ କହିଲା ଉପାୟ ଭଲା
କରିବା ଚାଦର ପାତି,
ଏଥି ବସିଲେ ବାନ୍ଧିବା ଭଲେ
ମାରିବା ମାଟିରେ ପୋତି।
ପିତା ପୁତ୍ରର ମଧ୍ୟରେ ସ୍ଥିର
ଏହି କଥା ଯହୁଁ ହେଲା,
ହରିଆ ଯାଇ ଆନନ୍ଦ ହୋଇ
ଚାଦର ପକାଇ ଦେଲା।
ବସିଲେ ଲୁଚି କେତେକ ମାଛି
ଆସିଲେ ଲୁଗାକୁ ଯହୁଁ,
ପିତା ପୁତ୍ରରେ ଅତି ସଧୀରେ
ମିଳିଲେ ଆସିଣ ତହୁଁ।
ଚାଦରେ କାନି ଟେକନ୍ତେ ଟାଣି
ମାଛି ଉଡିଗଲେ ତହୁଁ,
ଗଲାରେ ଗଲା ହରି ଡାକିଲା
ମାଛିକି ଧରିବ କାହୁଁ।
ଉପାୟ ବ୍ୟର୍ଥ ହେଲା ଅନର୍ଥ
ଭାବିଲେ ବାଲିରେ ବସି,
କିବା ଉପାୟ ମକ୍ଷିକାଚୟ
ମାରିବା ସହଜେ କଷି।
ସୁବୁଦ୍ଧି ପୂତ ଭାବି ବହୁତ
ଉଠି ଉଚ୍ଚେ କହେ ବାଣୀ,
ଅଛିରେ ବୋପା ଭାବନା କିମ୍ପା
କାଣ୍ଡ ପଟେ କାଲି ଆଣି।
ଦେଖିବା ଥରେ ମାଛି ନ ମରେ
କେଡେ ବାହାଦୁର ସେହି,
ମୁଁ ତ କହୁଛି ନୁହେଁ ତୋ ବତ୍ସି
ରହିବେ ଯେବେ କି କେହି।
ସେଠାରୁ ଗଲେ ଗୃହେ ମିଳିଲେ
ସେ ରାତିକ ଘରେ ରହି,
ସକାଳୁ ଉଠି ଅଇଲେ ଫିଟି
ବୀର ବେଶ ସାଜି ତହିଁ।
ହାତରେ କାଣ୍ଡ ଧରି ପ୍ରଚଣ୍ଡ
ହୁଙ୍କାରେ ସେ ହରିସୁତ,
ଭାବଇ କବି ଦେଖି ସେ ଛବି
ରାବଣ କି ହେବ ହତ।
ଶୁଣ ସୁଜନ ଦେଇଣ ମନ
ଏ ଅନ୍ତେ ଅପୂର୍ବ ରସ,
ବିନତି କରେ ଧରିବ ଥରେ
ମୁଖରେ ମୁଡୁକି ହସ।
ହରିଆ ତନ୍ତି ମାତିଛି ମତି
ବିଲ ଚାରିପାଶେ ବୁଲି,
ଏଣି ତେଣିକି ତଡି ମାଛିଙ୍କି
ଛିଡା ହେଲା ଚାଲି ଚାଲି।
ହରି ଛାତିରେ ଆସି ସଧୀରେ
ବସିଲା ମାଛିଏ ଆସି,
ପୁଅକୁ ଠାରି କହିଲା ହରି
ମାର କାଣ୍ଡ ଧରି କଷି।
ଫୁଟିଲା କାଣ୍ଡ ହରି ବ୍ରହ୍ମାଣ୍ଡ
ଦେଖିଲେ ଚକ୍ଷୁକୁ ମେଲି,
ପଡି଼ଲେ ଶୋଇ ସୁନ୍ଦର ହୋଇ
ବାଲିକୁଦ ଠେଲି ଠେଲି।
ଆରେ କି ହେଲା ବାପ ତ ମଲା
ତନ୍ତି ପୁଅ କାନ୍ଦେ ଚାହିଁ,
କବି ବଚନ ନିର୍ବୋଧ ଜନ
ଏହି ମତେ ଫଳ ପାଇ।
ହେ ଶିଶୁଗଣ ବିନୟ ଘେନ
ଜ୍ଞାନମଞ୍ଜି ସବୁ ଧର,
ହୃଦ କେଦାରେ ସ୍ଥିର ବିଚାରେ
ଚାଷ ବାସ ମାନ କର।
(ଉପସ୍ଥାପନା: ସୁଚେତା ପ୍ରଧାନ, ଅମୃତେଶ ଖଟୁଆ)
Haria Tanty
Pandit Gobinda Rath
Amritesh Khatua
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 hour ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago