~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~
ଉପସ୍ଥାପନା: ଅମ୍ବିକା ପଟନାୟକ
ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା ପ୍ରବାହିତ ହେଉଥିଲା ତାର ମୁଖ୍ୟ ସୂତ୍ରଧର ଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ l ରାଧାକୃଷ୍ଣ ତତ୍ତ୍ୱର ପ୍ରମୁଖ ପ୍ରବକ୍ତା ଆଉ “ହରେକୃଷ୍ଣ ମହାମନ୍ତ୍ର”ର ପ୍ରମୁଖ ଉଦ୍ୟୋକ୍ତା ବି ଶ୍ରୀଚୈତନ୍ୟ l
ବିଶ୍ୱମ୍ଭର ବା ନିମାଇଁ ଭାବେ ନଦିଆ ନଗରେ ଶଚୀର ଉଦରେ ଜନମ ଗୌର ରାୟ l ପିତା ଜଗନ୍ନାଥ ମିଶ୍ର l ଆନୁମାନିକ 1486 ଦୋଳ ପୂର୍ଣମୀ ଆବିର୍ଭାବ l 1510 ସନ୍ୟାସ ଗ୍ରହଣ କରି ମାତା ଶଚୀଙ୍କ ଅନୁରୋଧ କ୍ରମେ ଶ୍ରୀକୃଷ୍ଣ ଚୈତନ୍ୟ ବା ଚୈତନ୍ୟ ନାମରେ ପୁରୀ ଆଗମନ l ଦୀର୍ଘ 24 ବର୍ଷ ପୁରୀ ଅବସ୍ଥାନ l 1534ରେ ଅନ୍ତର୍ଦ୍ଧlନ l
ଜାତସ୍ୟ ହି ଧ୍ରୁବ ମୃତ୍ୟୁ (ଭଗବତ ଗୀତା),
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି,
ଦେବତା ହେଲେ ହେଁ ମରଇ (ଭାଗବତ) l
ଶ୍ରୀଚୈତନ୍ୟଙ୍କ ଆବିର୍ଭାବ, ଲୀଳା ଯେତିକି ପ୍ରାମାଣିକ ଭାବେ ଲିପିବଦ୍ଧ, ଶେଷ ଅବସ୍ଥା ସେତିକି ଜଟିଳ ଓ ରହସ୍ୟମୟ l ବିଭିନ୍ନ ଲେଖକ ବିଭିନ୍ନ ଦିଶା ନିର୍ଦେଶ କରିଛନ୍ତି l କିନ୍ତୁ ଏହା ମଧ୍ୟ ସତ୍ୟ ଯେ କୋଉଠି ବି ଶ୍ରୀଚୈତନ୍ୟଙ୍କ ସମାଧି ନାହିଁ l
1.ଗୌଡୀୟ ବୈଷ୍ଣବମାନଙ୍କ ପରମ ଆଦରଣୀୟ ଗ୍ରନ୍ଥ କୃଷ୍ଣ ଦାସ କବିରାଜ କୃତ ଆଦ୍ୟଲୀଳା, ମଧ୍ୟଲୀଳା ଓ ଅନ୍ତ୍ୟଲୀଳା ସମ୍ବଳିତ “ଚୈତନ୍ୟ ଚରିତାମୃତ”ରେ କିନ୍ତୁ ଶ୍ରୀ ଚୈତନ୍ୟଙ୍କ ମହା ପ୍ରସ୍ଥାନ ବିଷୟରେ କୌଣସି ସୂଚନା ନାହିଁ l ଥରେ ଶ୍ରୀଜଗନ୍ନାଥ ମନ୍ଦିର ସିଂହ ଦ୍ୱାର ସମ୍ମୁଖରେ ବିଭିନ୍ନ ଶ୍ରୀଚୈତନ୍ୟଙ୍କ ବିଭିନ୍ନ ଅସ୍ଥି ଆଘାତ ପ୍ରାପ୍ତ ହୋଇଥିଲା l ଥରେ ଦିବ୍ୟୋଲ୍ଲାସରେ ବାହ୍ୟଜ୍ଞାନଶୂନ୍ୟ ମହାପ୍ରଭୁ ଶ୍ରୀଚୈତନ୍ୟ ଯମୁନା ନଦୀ ଜ୍ଞାନରେ ମହୋଦଧିରେ ପ୍ରବେଶ କରି ସମୁଦ୍ର ଗର୍ଭରେ ଲୀନ ହୋଇଗଲେ ଏବଂ ପରେ ଜନୈକ ଧୀବର ଦ୍ୱାରା ଉଦ୍ଧାର ହୋଇଥିଲେ l
2. “ଚୈତନ୍ୟ ମଙ୍ଗଳ” କାବ୍ୟରେ ଜୟାନନ୍ଦ ଲେଖିଲେ ରଥଯାତ୍ରା ସମୟରେ ଉଦ୍ଦଣ୍ଡ ନୃତ୍ୟ କରୁ କରୁ ଶ୍ରୀଚୈତନ୍ୟ ବାମ ପାଦରେ ଆଘାତ ଆଘାତ ପାଇଥିଲେ l ସେ କ୍ଷତ ବିଷାକ୍ତ ହୋଇ ପ୍ରାଣହାନିର କାରଣ ହୋଇ ଥିଲା l ସ୍ଥାନ ତୋଟା ଗୋପୀନାଥ ମନ୍ଦିର l କିନ୍ତୁ ଶ୍ରୀଚୈତନ୍ୟ ଙ୍କ କୌଣସି ସମାଧି ତୋଟା ଗୋପୀନାଥ ମନ୍ଦିରରେ ନାହିଁ l
ଆଷାଡ଼ ବଞ୍ଚିତ ରଥ ବିଜୟା ନାଚିତେ l
ଇଟାଲ ବାଜିଲ ବାମ ପାଏ ଆଚମ୍ବିତେ ll
ଚରଣ ବେଦନା ବଡ଼ ଷଷ୍ଠୀର ଦିବସେ l
ସେଇ ଲକ୍ଷେ ଟୋଟାୟ ଶୟନ ଅବଶେଷେ ll
3. ଚୈତନ୍ୟ ମଙ୍ଗଳ ଅନ୍ୟ ଏକ କାବ୍ୟରେ ଲୋଚନ ଦାସ ଲେଖିଲେ ଆଷାଢ଼ ମାସ ସପ୍ତମୀ ତିଥି ରବିବାର ତୃତୀୟ ପ୍ରହର ଗୁଣ୍ଡିଚା ମନ୍ଦିର ଭିତରେ ଶ୍ରୀଚୈତନ୍ୟ ନିଜେ ଉପାୟ କରି ଶ୍ରୀ ଜଗନ୍ନାଥଙ୍କୁ ଆଲିଙ୍ଗନ କରି ତାଙ୍କ ସହ ଏକାତ୍ମ ହୋଇଗଲେ l
ଆଷାଢ଼ ମାସ ତିଥି ସପ୍ତମୀ ଦିବସେ l
ନିବେଦନ କରେ ପ୍ରଭୁ ଛାଡ଼ିୟା ନିଶ୍ୱାସେ ll
ସତ୍ୟ ତ୍ରେତା ଦ୍ୱାପର ସେ କଲିଯୁଗ ଆର l
ବିଶେଷତଃ କଲିଯୁଗେ ସଂକୀର୍ତ୍ତନ ସାର ll
କୃପାକର ଜଗନ୍ନାଥ ପତିତ ପାବନ l
କଲିଯୁଗ ଆଇଲ ଏଇ ଦେହ ତ ଶରଣ ll
ଏ ବଲି ବୋଲିୟା ସେଇ ତ୍ରିଜଗତ ରାୟ l
ବାହୁ ଭିଡି ଆଲିଙ୍ଗନ ତୁଲିଲ ହିୟାୟ ll
ତୃତୀୟ ପ୍ରହର ବେଲା ରବିବାର ଦିନେ l
ଜଗନ୍ନାଥେ ଲୀନ ପ୍ରଭୁ ହଇଲା ଆପନେ l
4. ଶ୍ରୀ ଈଶ୍ୱର ଦାସ ବାବାଜୀ ଓଡ଼ିଆ “ଚୈତନ୍ୟ ଭାଗବତ”ରେ ଲେଖିଲେ ଚନ୍ଦନ ଯାତ୍ରା ଦିନ ସପାର୍ଷଦ ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବେଶ କଲେ l ଶଙ୍କର ଘୋଷ ଗରୁଡ଼ ସ୍ତମ୍ଭ ଆଲିଙ୍ଗନ କରି ଗରୁଡ଼ଙ୍କ ମଧ୍ୟରେ ଲୀନ ହୋଇଗଲେ l ଶ୍ରୀଚୈତନ୍ୟ ରତ୍ନସିଂହାସନ ଆରୋହଣ କରି ଶ୍ରୀଜଗନ୍ନାଥଙ୍କୁ ଚନ୍ଦନ ଲେପନ କରୁ କରୁ ଶ୍ରୀଜଗନ୍ନାଥ ମୁଖ ବ୍ୟାଦାନ କରି ଶ୍ରୀଚୈତନ୍ୟଙ୍କୁ ନିଜ ଗର୍ଭ ମଧ୍ୟରେ ଲୀନ କରିଦେଲେ l ରାଜା କୃଦ୍ଧ ହେବାରୁ ଶ୍ରୀଜଗନ୍ନାଥ କହିଲେ ଶ୍ରୀଚୈତନ୍ୟ ଓ ମୁଁ ଏକ ଓ ଅଭିନ୍ନ, ତୁ ଯେବେ ଚୈତନ୍ୟଙ୍କ ଦର୍ଶନ ଇଛା କରିବୁ ମୁଁ ତାହା ପୂରଣ କରିବି l (ଏହା ଅବଶ୍ୟ ଅଲଗା କଥା ଯେ ଦୀର୍ଘଦିନ ପୁରୀରେ ରହି ମଧ୍ୟ ଶ୍ରୀଚୈତନ୍ୟ ମନ୍ଦିରରେ ଗରୁଡ଼ ସ୍ତମ୍ଭ ଅତିକ୍ରମ କେବେ କରି ନାହାନ୍ତି l)
ଚୈତନ୍ୟ ଶ୍ରୀଭୁଜେ ଘେନିଣ l
ଲେପନ୍ତି ପ୍ରଭୁ ଅଙ୍ଗେ ପୁଣ ll
ସର୍ବାଙ୍ଗେ ଶ୍ରୀଚନ୍ଦନ ବୋଳି l
ଆନନ୍ଦେ ପ୍ରଭୁ ବନମାଳୀ ll
ଶ୍ରୀଜଗନ୍ନାଥ ହସ ହସ l
ଦେଖୁଣ ଅଛନ୍ତି ତ୍ରିଦଶ ll
ଆନନ୍ଦେ ଶ୍ରୀଚୈତନ୍ୟ କୋଳ l
କଲେକ ପ୍ରଭୁ ଆଦିମୂଳ ll
ଚନ୍ଦନ ଖୋରୀ ହସ୍ତୁ ପଡ଼ି l
ଶ୍ରୀଜଗନ୍ନାଥ ଭୁଜ ଭିଡି ll
ଶ୍ରୀମୁଖ ବିସ୍ତାରି ଗୋସାଇଁ l
ଗର୍ଭେ ଚୈତନ୍ୟ ଲୀନ ହୋଇ l
ପରେ ଅବଶ୍ୟ ସେଇ ଈଶ୍ୱର ଦାସ ବାବାଜୀ ଲେଖିଛନ୍ତି ସିଂହାସନ ଉପରେ ଶ୍ରୀଚୈତନ୍ୟଙ୍କ ମୃତପିଣ୍ଡ ଦେଖି ଶ୍ରୀଜଗନ୍ନାଥ କ୍ଷେତ୍ରପାଳମାନଙ୍କୁ ସେ ପିଣ୍ଡ ନେଇ ଗଙ୍ଗରେ ବିସର୍ଜନ କରିବାକୁ କହିଛନ୍ତି l
କ୍ଷେତ୍ରପାଳଙ୍କୁ ଆଜ୍ଞା ଦେଇ l
ଏ ପିଣ୍ଡ ନିଅ ବେଗ କଇଁ ll
ଅନ୍ତରକ୍ଷେ ନେଇ ଗଙ୍ଗାଜଳ l
ମେଲିଣ ଦିଅ କ୍ଷେତ୍ରପାଳ ll
5. “ଶ୍ରୀଚୈତନ୍ୟ ଗୌରାଙ୍ଗ କଡ଼ଚା”ରେ ବୈଷ୍ଣବ ଦାସ ବର୍ଣ୍ଣନା କଲେ ଶ୍ରୀଚୈତନ୍ୟ ଗରୁଡ଼ ସ୍ତମ୍ଭ ପଛପଟେ ପ୍ରାଣତ୍ୟାଗ କରିଥିଲେ ଓ ତାଙ୍କୁ ତୋଟା ଗୋପୀନାଥ ମନ୍ଦିରରେ ସମାଧି ଦିଆ ଯାଇଥିଲା l
ଏମନ ପ୍ରଭୁ ଯେ ଅନ୍ତଲୀଳା ବାଣୀ l
କହିଲେ ବୈଷ୍ଣବ ଦାସ ପ୍ରତ୍ୟକ୍ଷ ଯାହା ଜାନି l
ରାତ୍ର ଦଶ ଦଣ୍ଡେ ଚନ୍ଦନ ବିଜୟ ଯଖନ ହେଲ l
ତଖନ ପଡିଲା ପ୍ରଭୁର ଅଙ୍ଗ ସ୍ତମ୍ଭ ପଛ ଆଡେ l
କାନ୍ଦିଲ ବୈଷ୍ଣବ ଗନ କୁହାତୋ କୁହାଡେ଼ ll
6. ବଙ୍ଗଳା “ଚୈତନ୍ୟ ଭାଗବତ” ରେ ବାବାଜୀ ବୃନ୍ଦାବନ ଦାସ ଲେଖିଲେ ସନ୍ୟାସୀ ବେଶରେ ଶ୍ରୀଚୈତନ୍ୟ ଗୋପନରେ ପୁରୀରୁ ପଳାୟନ କରିଥିଲେ ଏବଂ ପରେ ଆଦୌ ଦୃଶ୍ୟମାନ ହୋଇନାହାନ୍ତି l ସ୍ମରଣ ରଖିବା ଉଚିତ ଅଧିକାଂଶ ଗ୍ରନ୍ଥ ଶ୍ରୀ ସପ୍ତଦଶ ଶତାବ୍ଦୀ ଏବଂ ତା ପରେ ରଚନା ହୋଇଥିଲା l ଭକ୍ତମାନଙ୍କ ଧାରଣାରେ ଶ୍ରୀ କୃଷ୍ଣ ନିଜେ ଶ୍ରୀ ଚୈତନ୍ୟ ଅବତାର ହୋଇ ଆସିଥିଲେ l ଏଣୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ଲୀନ ହେବା ଯୁକ୍ତିଯୁକ୍ତ l
ବିଂଶ ଶତାବ୍ଦୀର ଆରମ୍ଭରେ ଶ୍ରୀଚୈତନ୍ୟଙ୍କ ଅନ୍ତର୍ଧାନର ନୂଆ ବିତର୍କ ଆରମ୍ଭ ହେଲା l 1919ରେ ଦୀନେଶ ଚନ୍ଦ୍ର ସେନ ଏକ ଯୁକ୍ତିସଂଗତ ଅନୁମାନ (Reasonable guess) କରି ଲେଖିଲେ ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରେ ଶ୍ରୀଚୈତନ୍ୟ ଅତ୍ୟନ୍ତ ଜ୍ୱରଗ୍ରସ୍ତ ହୋଇ ପଡ଼ିଥିଲେ l ତାଙ୍କ ଶେଷ ସମୟ ଆସନ୍ନ ମନେ କରି ପଣ୍ଡାମାନେ ସିଂହଦ୍ୱାର ବନ୍ଦକରି ମନ୍ଦିର ଚଟାଣ ଖୋଳି ଶ୍ରୀଚୈତନ୍ୟଙ୍କ ଅଚେତନ ଶରୀର ସମାଧି ଦେଇ ଚଟାଣ ପୂର୍ବବତ ସମାନ କରି ପ୍ରମାଣ ଗୋପନ କରିଥିଲେ l ଦିନ ଚାରିଟାରୁ କବାଟ ବନ୍ଦ ରହି ରାତି ଏଗାର ବେଳେ ଖୋଲା ହେବାର ଏହା ଏକ ମାତ୍ର ଯୁକ୍ତିସଂଗତ ସ୍ପଷ୍ଟୀକରଣ (The only Rational Explanation) l ସେ ମହାଶୟ କିନ୍ତୁ ଏଇଟା ଭୁଲିଗଲେ ଯେ ପଞ୍ଚଦଶ ଶତାବ୍ଦୀର ଅତ୍ୟନ୍ତ ଧର୍ମଭୀରୁ ରକ୍ଷଣଶୀଳ ସମାଜରେ “ବ୍ରହ୍ମହତ୍ୟା” ଜଘନ୍ୟତମ ପାପ ଥିଲା ଏବଂ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧରତ ବ୍ରାହ୍ମଣ ଛଡା ଅନ୍ୟତ୍ର ବ୍ରାହ୍ମଣ ଅବଧ୍ୟ ଥିଲା l ଦ୍ଵିତୀୟତଃ ମନ୍ଦିର ଚଟାଣ ଖୋଳି ଶବ ପୋତିବା ଅର୍ଥ ମନ୍ଦିର ଅପବିତ୍ର ହେବା l ଏ ଦୁଇ କାରଣରୁ ଶ୍ରୀ ସେନଙ୍କ ମତ ଅଗ୍ରାହ୍ୟ କରିହେବ l
ନବେ ଦଶକରେ ଜଣେ ବଙ୍ଗୀୟ ଐତିହାସିକ ଦାବୀ କଲେ ସେ ପୁରୀରେ ଚୈତନ୍ୟଙ୍କ ମୃତ୍ୟୁର ସଠିକ ବର୍ଣ୍ଣନା ସମ୍ବଳିତ ଏକ ଗୁପ୍ତ ଐତିହାସିକ ବିବରଣୀ ପାଇଛନ୍ତି l ଦୁଇ ଦିନ ପରେ ଅଜ୍ଞାତ ପରିସ୍ଥିତିରେ ତାଙ୍କ ମୃତ ଦେହ ହୋଟେଲରୁ ମିଳିଲା l ଏ ଘଟଣା ଏକ ଷଡ଼ଯନ୍ତ୍ର ବୋଲି ଚାଞ୍ଚଲ୍ୟ ସୃଷ୍ଟି କଲା l କିନ୍ତୁ ଏଇ ଚକ୍ରାନ୍ତ ତତ୍ତ୍ୱ (Conspiracy Theory) ଦ୍ୱାରା ପ୍ରେରିତ କିଛି କିଛି ବଙ୍ଗୀୟ ଉତ୍ସାହୀ ପ୍ରଚାର କରିବାରେ ଲାଗିଥିଲେ ଯେ ପୁରୀ ମନ୍ଦିର ପଣ୍ଡାମାନେ ହିଁ ଶ୍ରୀ ଚୈତନ୍ୟଙ୍କୁ ମନ୍ଦିର ଭିତରେ ହତ୍ୟା କରି ପ୍ରମାଣ ଲୁଚେଇ ଦେଇଥିଲେ l କିନ୍ତୁ ଏ ଷଡ଼ଯନ୍ତ୍ର ବିଷୟରେ କୌଣସି ପ୍ରାମାଣିକ ତଥ୍ୟ ଉପସ୍ଥାପନା ନ କରି କେବଳ ମାତ୍ର ନିଜର କଳ୍ପନାକୁ ପ୍ରକାଶ କରୁଥିଲେ l 2006ରେ ଜଣେ ବଙ୍ଗୀୟ ଲେଖକ ଏକ ଦୀର୍ଘ ପ୍ରବନ୍ଧ ପ୍ରକାଶ କଲେ l କୌଣସି ପ୍ରାମାଣିକ ତଥ୍ୟ ନ ଦେଇ କେବଳ ସନ୍ଦେହ ଓ ପାରିପାର୍ଶ୍ଵିକ ପରିସ୍ଥିତି ଲେଖି ‘ଗୋବିନ୍ଦ ଭୋଇ ବିଦ୍ୟାଧର’ ହିଁ ଶ୍ରୀଚୈତନ୍ୟଙ୍କ ହତ୍ୟାକାରୀ ବୋଲି ଘୋଷଣା କଲେ l ଅଥଚ ଗୋବିନ୍ଦ ବିଦ୍ୟାଧର ଶ୍ରୀଚୈତନ୍ୟଙ୍କ ଜଣେ ପ୍ରଶଂସକ ଥିଲେ l ଏଇ ଲେଖକମାନେ ତତ୍କାଳୀନ ଓଡ଼ିଶାର ଦୁଇଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଭୂମିକା ସମ୍ପୂର୍ଣ ଭାବରେ ଉପେକ୍ଷା କରିଦେଲେ l ତତ୍କାଳୀନ ଓଡିଶା ଗଜପତି ପ୍ରତାପ ରୁଦ୍ର ଶ୍ରୀଚୈତନ୍ୟଙ୍କ ଅନୁଗତ ଥିଲେ l ଶ୍ରୀଚୈତନ୍ୟଙ୍କୁ ହତ୍ୟା କରି ପଣ୍ଡାମାନେ ଏବଂ ଗୋବିନ୍ଦ ବିଦ୍ୟାଧର କେବେ ବି ରାଜରୋଷରେ ପଡ଼ିବାକୁ ଚାହିଁ ନ ଥିବେ l ଶ୍ରୀଚୈତନ୍ୟଙ୍କ ଭକ୍ତ ରାୟ ରାମାନନ୍ଦ ସେ ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ତତ୍ୱାବଧାନ ଦାୟିତ୍ୱରେ ଥିଲେ l ଷଡ଼ଯନ୍ତ୍ର ଗନ୍ଧ ଅବଶ୍ୟ ତାଙ୍କ କର୍ଣ୍ଣଗୋଚର ହୋଇଥାନ୍ତା l
ତେବେ ଅବାସ୍ତବ ଓ କାଳ୍ପନିକ ଷଡ଼ଯନ୍ତ୍ର ତତ୍ତ୍ୱ ଏତେ ପଲ୍ଲବିତ ହେବାର କାରଣ କଣ? କାରଣ ଆମେ ଓଡ଼ିଆ ମାନେ ନିଜେ l ଆମମାନଙ୍କ ମଧ୍ୟରୁ ଅନେକେ ବିଶ୍ୱାସ କରନ୍ତି ଓଡିଶାର ସାମରିକ ଅଧୋପତନ ପାଇଁ ଶ୍ରୀଚୈତନ୍ୟ ଓ ଗଜପତି ପ୍ରତାପରୁଦ୍ର ଦାୟୀ l ଶ୍ରୀଚୈତନ୍ୟଙ୍କ ଦର୍ଶନ ପାଇଁ ପ୍ରତାପ ରୁଦ୍ର କାଳେ ଗାମୁଛା ପିନ୍ଧି ଗଡି ଯାଉଥିଲେ ଆଉ କରବାଳ ବଦଳ ରେ କରତାଳ (ଗିନି) ଧରିଥିଲେ l ଅବଶ୍ୟ ସେମାନେ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ ଯେ ଶ୍ରୀଚୈତନ୍ୟଙ୍କ ପ୍ରତି ଅଚଳା ଭକ୍ତି ଥିବା ସତ୍ୱେ ନିଜକୁ ବାରମ୍ବାର “ଶ୍ରୀ ଦୁର୍ଗାପୁତ୍ର”, “ଶ୍ରୀ ଜଗନ୍ନାଥ ପୁତ୍ର” ଘୋଷଣା କରିଥିବା ଗଜପତି ପ୍ରତାପ ରୁଦ୍ର କେବେ ବି ନିଜକୁ “ଶ୍ରୀଚୈତନ୍ୟ କୃପାଧନ୍ୟ” ଘୋଷଣା କରିନାହାନ୍ତି l 1510ରୁ 1534 ଶ୍ରୀଚୈତନ୍ୟ ପୁରୀରେ ଥିବା ବେଳେ 1519 ପର୍ଯ୍ୟନ୍ତ ବିଜୟ ନଗର ସହ ଏବଂ ତା ପରେ 1526 ବେଳକୁ ଗୋଲକୁଣ୍ଡା ସୁଲତାନ ସହ ଏବଂ 1530ରେ ପୁଣି ବିଜୟନଗର ସହ ଗଜପତି ପ୍ରତାପ ରୁଦ୍ର ଯୁଦ୍ଧ କରିଥିଲେ l ଗାମୁଛା ପିନ୍ଧି ଗିନି ମୃଦଙ୍ଗ ବଜାଉଥିଲେ କଣ ଗଜପତି ପ୍ରତାପ ରୁଦ୍ର ଏ ଯୁଦ୍ଧ ଅଭିଯାନ କରି ପାରିଥାନ୍ତେ?
ତେବେ ଶ୍ରୀଚୈତନ୍ୟଙ୍କ ଅନ୍ତର୍ଧାନର ପ୍ରକୃତ ରହସ୍ୟ କଣ ହୋଇପାରେ?
ଶ୍ରୀଚୈତନ୍ୟଙ୍କ ଅନ୍ତର୍ଦ୍ଧାନ ବିଷୟରେ ବିଭିନ୍ନ ଗ୍ରନ୍ଥକାର ମହାରାଜ ଗଣ ଯାହା ଲିପିବଦ୍ଧ କରିଯାଇଛନ୍ତି ତାହାର ସାରାଂଶ ହେଲା
1. ବାମ ପାଦରେ ଆଘାତ ପାଇ ତୋଟା ଗୋପୀନାଥ ମନ୍ଦିରରେ ଦେହତ୍ୟାଗ l
2. ଆଷାଢ଼ ଶୁକ୍ଳ ସପ୍ତମୀ ତିଥିରେ ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥଙ୍କ ଅଙ୍ଗେ ବିଲୀନ l
3. ଶ୍ରୀମନ୍ଦିର ଭିତରେ ଶ୍ରୀ ଜଗନ୍ନାଥଙ୍କୁ ଚନ୍ଦନ ଲେପନ ଅବସରରେ ତାଙ୍କ ଭିତରେ ପ୍ରବେଶ l
4. ଗରୁଡ଼ ସ୍ତମ୍ଭ ନିକଟରେ ଦେହତ୍ୟାଗ ଓ ତୋଟା ଗୋପୀନାଥରେ ସମାଧି
5. ଦୀନେଶ ସେନ ମତରେ ମନ୍ଦିର ପରିସରରେ ସମାଧି l
ଉପରୋକ୍ତ ସମସ୍ତ ଉକ୍ତି ମଧ୍ୟରେ କିଛି କିଛି ଯୋଗସୂତ୍ର ରହିଛି l ଏକ ଅଦୃଶ୍ୟ ରଜ୍ଜୁ ବନ୍ଧନୀରେ ଏ ସମସ୍ତ ଯୋଗସୂତ୍ରର ରହସ୍ୟ ଲୁଚି ରହିଛି l ସ୍ମରଣ ଥାଇପାରେ ବାବାଜୀ ମହାରାଜ ସବୁ ଶ୍ରୀଚୈତନ୍ୟଙ୍କ ଅନ୍ତର୍ଦ୍ଧାନର ଅନେକ ପରେ ଗ୍ରନ୍ଥ ରଚନା କରିଛନ୍ତି ଆଉ ସେତେବେଳେ ଏଇ ଅନ୍ତର୍ଦ୍ଧାନ ସମ୍ପର୍କରେ ପ୍ରଚଳିତ ଲୋକକଥା ସବୁ ଗ୍ରହଣ କରିନେଇଛନ୍ତି l
ଶ୍ରୀ ଚୈତନ୍ୟଙ୍କ ଉପରେ ସମକାଳୀନ ଓଡ଼ିଆ କବି ମାନେ ତିନୋଟି କାବ୍ୟ ରଚନା କରିଛନ୍ତି l
1.“ମହାଭାବ ପ୍ରକାଶ“, ରଚୟିତା ଶ୍ରୀ କନ୍ହାଇ ଖୁଣ୍ଟିଆ l ଶୁଣାଯାଏ ମୂଳ ପାଣ୍ଡୁଲିପି ଆମେରିକାର ଏକ ସଂଗ୍ରହାଳୟରେ ଅଛି l ଓଡିଆରେ ଯେଉଁ ଅସମ୍ପୂର୍ଣ୍ଣ କାବ୍ୟ ପ୍ରକାଶିତ ସେଥିରେ ଶ୍ରୀ ଚୈତନ୍ୟଙ୍କ ମହିମା ବର୍ଣ୍ଣନା ହୋଇଛି l କିନ୍ତୁ ତିରୋଧାନ ଉପରେ କିଛି ନାହିଁ l
2. “ଚୈତନ୍ୟ ବିଳାସ”, ରଚୟିତା ଖଣ୍ଡପଡ଼ା ନିବାସୀ ମାଧବ ପଟନାୟକ l ଏହି କାବ୍ୟ ଅପ୍ରକାଶିତ l ସମ୍ଭବତଃ ପାଣ୍ଡୁଲିପି ରାଜ୍ୟ ସଂଗ୍ରହାଳୟରେ ଉପଲବ୍ଧ l ଏହାର ରଚନା ଗଜପତି ପ୍ରତାପରୁଦ୍ରଙ୍କ 24 ଅଙ୍କ ଅର୍ଥାତ 1516/17ରେ ହୋଇଥିଲା l ଏଣୁ ଏଥିରେ ମଧ୍ୟ ଆମେ ଶ୍ରୀଚୈତନ୍ୟଙ୍କ ଅନ୍ତର୍ଦ୍ଧାନ ଉପରେ କୌଣସି ତଥ୍ୟ ପାଇବା ନାହିଁ l
3. “ବୈଷ୍ଣବ ଲୀଳାମୃତ”, ରଚୟିତା ଖଣ୍ଡପଡା ନିବାସୀ ତଥା ରାୟ ରାମାନନ୍ଦଙ୍କ ବ୍ୟକ୍ତିଗତ ସହକାରୀ ମାଧବ ପଟନାୟକଙ୍କ ଦ୍ଵିତୀୟ କୃତି l ରଚନା କାଳ ଗଜପତି ପ୍ରତାପରୁଦ୍ରଙ୍କ 48 ଅଙ୍କ ଅର୍ଥାତ 1535/36 l
ବୈଷ୍ଣବ ଲୀଳାମୃତ ଏକ କ୍ଷୁଦ୍ର କାବ୍ୟ ହେଲେ ହେଁ ସମ୍ରାଟ ଚୋଡ଼ଗଙ୍ଗ ଦେବଙ୍କ ଠାରୁ ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟର ଇତିହାସ ସଂକ୍ଷିପ୍ତ ଭାବେ ବର୍ଣ୍ଣିତ ଆଉ ଗଜପତି ପ୍ରତାପରୁଦ୍ରଙ୍କ ସମୟ ପ୍ରାଞ୍ଜଳ ଭାବେ ବର୍ଣ୍ଣିତ l ଶ୍ରୀଚୈତନ୍ୟଙ୍କ ସମ୍ପୂର୍ଣ୍ଣ ଓଡ଼ିଶା ରହଣି ଏଥିରେ ସ୍ଥାନ ପାଇଛି l ସାଧାରଣତଃ 1534 ଖ୍ରୀ.ରେ ଶ୍ରୀଚୈତନ୍ୟ ଅନ୍ତର୍ଦ୍ଧାନ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ କିନ୍ତୁ ବୈଷ୍ଣବ ଲୀଳାମୃତ ଅନୁସାରେ 1533 ଫେବୃଆରୀରେ ସ୍ୱରୂପ ଦାମୋଦର ଦାସ, ମାର୍ଚ୍ଚରେ ଦାଣ୍ଡି ରାମାୟଣକାର ବଳରାମ ଦାସ, ଏପ୍ରିଲ ଅକ୍ଷୟ ତୃତୀୟା ଦିନ ଶ୍ରୀଚୈତନ୍ୟ ଏବଂ ସେପ୍ଟେମ୍ବରରେ ଜନ୍ମାଷ୍ଟମୀ ଦିନ ରାୟ ରାମାନନ୍ଦଙ୍କ ତିରୋଧାନ ହୋଇଥିଲା l
ରୁକ୍ମିଣୀ ଅମାବାସ୍ୟା ଦିନ ମୃଦଙ୍ଗ ଧରି ଶ୍ରୀଚୈତନ୍ୟ ଅବିରତ ଭାବେ ଉଦ୍ଦାମ ନୃତ୍ୟ ଓ ସଂକୀର୍ତ୍ତନ କଲାବେଳେ ଅକସ୍ମାତ ଏକ ଇଟା ସହ ବାମ ପାଦରେ ଭୀଷଣ ଆଘାତ ପାଇଥିଲେ l ରକ୍ତାକ୍ତ ଭାବେ ଗୋଡ଼ ମୋଡ଼ିଯାଇ ତଳେ ପଡ଼ି ଅଚେତ ହୋଇଗଲେ l ଅତିବଡ଼ି ଜଗନ୍ନାଥ, କାଶୀ ମିଶ୍ର, ଯଶୋବନ୍ତ ଦାସ, ଅନନ୍ତ ଓ ଶ୍ରୀବତ୍ସ ପ୍ରଭୃତି ବୈଷ୍ଣବ ଗଣ ତାଙ୍କୁ ଅନେକ କଷ୍ଟରେ ଟେକିନେଇ ଶ୍ରୀ ଜଗନ୍ନାଥ ମନ୍ଦିର ଉତ୍ତର ପାର୍ଶ୍ଵ ମଣ୍ଡପରେ ରଖିଥିଲେ l କିଛି ସମୟ ପରେ ଶ୍ରୀ ଚୈତନ୍ୟଙ୍କ ଚେତା ଆସିଲା l ସନ୍ଧ୍ୟାବେଳେ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟା ଆଳତି ଶ୍ରୀ ଚୈତନ୍ୟ ଜଗନ୍ନାଥ ଦର୍ଶନ ଇଛା କଲେ କିନ୍ତୁ ଜଗନ୍ନାଥ ଦାସ ଅବସ୍ଥା ଦେଖି ବାରଣ କଲେ l
ପରଦିନ ଦେଖାଗଲା ଶ୍ରୀଚୈତନ୍ୟ ଅତ୍ୟନ୍ତ ଜ୍ୱରଗ୍ରସ୍ତ l ସନ୍ଧ୍ୟାବେଳେ ପାଦ ଫୁଲି ବାମ ପାଦ ଆଙ୍ଗୁଠି ଖୁବ ପୀଡା ଦେଉଛି l କେବଳ ଅତିବଡ଼ି ଜଗନ୍ନାଥ ଦାସ ହିଁ ଶ୍ରୀ ଚୈତନ୍ୟଙ୍କ ଶୁଶ୍ରୁଷା କରୁଥିଲେ l ସେ ଗରମ ପାଣିରେ ପାଦରେ ସେକ ଦେଉଥିଲେ l ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କୁ କହିଲେ – ତୁମେ ଥିଲେ ମୋର କାଳ ହେବ ନାହିଁ, ମୁଁ ତୁମକୁ ଛାଡ଼ିବି ନାହିଁ l ହରିଙ୍କ ଇଛା ପୂର୍ଣ୍ଣ ହେଉ l ତୁମେ ଶ୍ରୀଜଗନ୍ନାଥଙ୍କ ପରମ ସେବକ ମୁଁ ତୁମକୁ ସେବା କରିବା କଥା କିନ୍ତୁ ତୁମେ ମୋର ସେବା କରୁଛ l ତୁମେ ମୋତେ ବନ୍ଧୁ ଭାବେ ବଶ କରି ଭକ୍ତି ମାର୍ଗ ଶିଖାଇଲ l
ସେ ରାତ୍ରିରେ ଜ୍ୱର ଉପଶମ ହେଲା ନାହିଁ ବରଂ ସମସ୍ତ ଶରୀର ଫୁଲି ଗଲା l ତା ପରଦିନ ଅକ୍ଷୟ ତୃତୀୟା ବ୍ରାହ୍ମ ମୁହୂର୍ତ୍ତରେ ଶ୍ରୀଚୈତନ୍ୟଙ୍କ ପ୍ରାଣ ବାୟୁ ଉଡ଼ିଗଲା l ଶ୍ରୀ ଜଗନ୍ନାଥ ଦାସ ସେବକମାନଙ୍କୁ କହି ରାୟ ରାମାନନ୍ଦଙ୍କୁ ସମ୍ବାଦ ପଠାଇଲେ l ରାୟ ରାମାନନ୍ଦ ମନ୍ଦିର ଆସି ପ୍ରଥମେ ନୀତିକାନ୍ତି ବନ୍ଦ କରି ମନ୍ଦିର ବନ୍ଦ କରି ଜଣେ ଅଶ୍ୱାରୋହୀ ହାତରେ ତୁରନ୍ତ ଗଜପତି ପ୍ରତାପରୁଦ୍ରଙ୍କ ପାଖକୁ ଚିଟାଉ ପଠାଇଲେ l
ଅକ୍ଷୟ ତୃତୀୟା ଦିନ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା ହୁଏ l ଗଜପତି ପ୍ରତାପରୁଦ୍ର ସେ ଚନ୍ଦନଯାତ୍ରା ପାଇଁ ପୁରୀ ଆସୁଥିଲେ l ମଝିରେ ଚିଟାଉ ପାଇ ଆସି ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚି ଶ୍ରୀଚୈତନ୍ୟଙ୍କ ମୃତ ଶରୀର ଦେଖି ଅତ୍ୟନ୍ତ ଦୁଃଖିତ ହେଲେ l ତା ପରେ ଗଜପତି ପ୍ରତାପରୁଦ୍ର ଓ ରାୟ ରାମାନନ୍ଦଙ୍କ ମଧ୍ୟରେ ବିଚାର ଚାଲିଲା ଯେ ଦାହ ସଂସ୍କାର କଥା କଣ କରାଯିବ l ରାୟ ରାମାନନ୍ଦ ମତ ଦେଲେ ମଦିର ଭିତରେ ପ୍ରଭୁ ଶ୍ରୀଚୈତନ୍ୟଙ୍କ ମୃତ୍ୟୁ ହୋଇଛି ଜାଣିଲେ ଖଚୁଆମାନେ ବିଭିନ୍ନ ମିଛ କଥା କହି କନ୍ଦଳ ସୃଷ୍ଟି କରିପାରନ୍ତି ଯଦ୍ୱାରା ଗଜପତିଙ୍କୁ ନିନ୍ଦା ଆସିପାରେ l ଗଜପତି ପ୍ରତାପ ରୁଦ୍ର ଆଗରୁ ଶ୍ରୀଚୈତନ୍ୟଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିସାରିଛନ୍ତି ଏଣୁ ତାଙ୍କୁ କୋଇଲି ବୈକୁଣ୍ଠରେ ସମାଧି ଦେଇ ଗଜପତି ଘୋଷଣା କରନ୍ତୁ ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଲୀନ ହୋଇଗଲେ l ଜନସାଧାରଣ ଶାନ୍ତ ହୋଇଯିବେ l ଗଜପତି ପ୍ରତାପରୁଦ୍ର ସମ୍ମତ ହେଲେ l ଜଣେ ଦୁଇଜଣ ସେବକଙ୍କ ସହାୟତାରେ ଶ୍ରୀଚୈତନ୍ୟଙ୍କୁ କୋଇଲି ବୈକୁଣ୍ଠ ମଧ୍ୟରେ ସମାଧି ଦିଆଗଲା l ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଶ୍ରୀଚୈତନ୍ୟ ଲୀନ ହୋଇଗଲେ ବୋଲି ଗଜପତି ପ୍ରତାପ ରୁଦ୍ର ଘୋଷଣା କଲେ l ଜନ ସାଧାରଣ ଏହା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ l ମାଧବ ପଟନାୟକ ଲେଖିଛନ୍ତି..
ଏକ ଦିନକେ ନୃତ୍ୟ କଲା l
ଉଦାମ ଭାବ ନ ଛାଡିଲା ll
ଖୋଳ କରତାଳ ସହିତ l
ପାଦ ଚାଳଇ ଅବିରତ ll
ବାଟେ ଇଟାଏ ପଡିଥିଲା l
ତହିଁକି ତା ଦୃଷ୍ଟି ନ ଥିଲା ll
ବାଜିଲା ବାମ ବୃଦ୍ଧାଙ୍ଗୁଷ୍ଠି l
ରୁଧିର ଝରଇ ନିକିଟି ll
ପାଦ ଖଞ୍ଜାଇ ମୋଡ଼ିହେଲା l
ଗଳଗାଜି ତଳେ ପଡ଼ିଲା ll ପୃ -72
********
ପ୍ରଭୁକୁ କାନ୍ଧେ ଟେକିନେଲେ l
ରୁକ୍ମିଣୀ ଅମାବାସ୍ୟା ସାୟଂ କାଳେ ll
ଉତ୍ତର ପାରୁଶ ମଣ୍ଡପେ l
ଶୁଆଇ ଦେଲେ ଚିତାଟୋପେ ll ପୃ -73
ଏମନ୍ତ ଗଲା ରାତ୍ରକାଳ l
ପ୍ରଭାତ ଆସି ହେଲା ଠୁଳ ll
ପ୍ରଭୁର ଶରୀର ତପତି l
ଯେଉଣ ଯାଇ ଖଇ ଫୁଟି ll
ସଞ୍ଜକୁ ପାଦ ଫୁଲିଗଲା l
ବାମ ଅଙ୍ଗୁଷ୍ଠି ପୀଡ଼ା ଦେଲା ll
ସ୍ୱାମୀ ଯେ ଜଳ ତପତାଇ l
ତା ତହିଁ କରିଆ ବୁଡ଼ାଇ ll
ପ୍ରଭୁର ବାମ ପାଦେ ଦେଲା l
ଉଷୁମ ହେଲା କି ବୋଇଲା ll ପୃ -74
(ସ୍ୱାମୀ -ଜଗନ୍ନାଥ ଦାସ, ପ୍ରଭୁ – ଶ୍ରୀ ଚୈତନ୍ୟ )
ସ୍ୱାମୀକୁ ବୋଇଲା ସମ୍ଭାଳ l
ତୁ ଥିଲେ ନାହିଁ ମୋର କାଳ ll
ତୋ ସଙ୍ଗ ମୁଁ କି ଛାଡ଼ିବଇଁ l
ହରିର ଇଛା ପୂର୍ଣ୍ଣ ହୋଇ ll
ତୁ ସ୍ୱାମୀ ମୋହର ପରାଣ l
ସୁଜ୍ଞାନୀ ପଣ୍ଡିତ ସୁଜାଣ ll
ଭଗତି ବାଟ ବତାଇଲୁ l
ସଖ୍ୟରେ ମୋତେ ବନ୍ଧାଇଲୁ ll ପୃ -74
*******
ଦେହ ତପତି ନ ଛାଡଇ l
ସରବ ଅଙ୍ଗ ଫୁଲିଯାଇ ll
ଅକ୍ଷୟ ତୃତୀୟା ପ୍ରବେଶ l
ଚନ୍ଦନ ଯାତ୍ରା ଅବକାଶ ll
ବ୍ରାହ୍ମ ମୁହୂର୍ତ୍ତ ଆସି ହେଲା l
ପ୍ରଭୁର ପିଣ୍ଡୁ ପ୍ରାଣ ଗଲା ll
ସମ୍ବାଦ ପାଇ ରାମ ରାୟ l
ତକ୍ଷଣେ ମିଳିଲା ଦେବାଳୟ ll
ଆଜ ଦୁଆର କିଳା ହେବ l
ଦେବତା ନୀତି ନ ଚଳିବ ll
ହକାରି ଅଶ୍ୱାରୋହୀ ଜଣେ l
ଚିଟାଉ ପ୍ରେରିଲା ତକ୍ଷଣେ ll
ଯୋଗକୁ ଅକ୍ଷୟ ତୃତୀୟା l
ଚନ୍ଦନ ଯାତ୍ରା ବିନୋଦିଆ ll
ଗଜପତି ଯେ ରୁଦ୍ରଦେବ l
ବିଜେ ଦର୍ଶନକୁ ସମ୍ଭର୍ବ l ପୃ -75
******
ରାମ ରାୟ ଯେ ବୋଲେ ଶୁଣ l
ଏ ଶବ ନେଲେ ଅକାରଣ ll
ଲାଗିବ କନ୍ଦୋଳ ବହୁତ l
ଶୂନ୍ୟ କଥାକୁ ମିଛ ସତ ll
ଯୋଡ଼ିବେ ଅନେକ ବାରତା l
ଶେଷେ ପାଇବୁ ଅପନିନ୍ଦା ll ପୃ -76
ମନ୍ଦିରେ ମାରା ଗଲା ପ୍ରଭୁ l
ଏ ଶବ ଏଥେ ପୋତାଇବୁ ll
ମଣିମା ରଥ ଯାତ ବେଳେ l
ପ୍ରଭୁ ବୋଲିଛ ଯାତ୍ରୀ ମେଳେ ll
ଏ ପ୍ରଭୁ ସେ ପ୍ରଭୁରେ ଲୀନ l
ହେଲା ବୋଲିବାଟି କାରଣ ll
ଶବ ପୋତାଇବା ତୁରିତେ l
କୋଇଲି ବୈକୁଣ୍ଠ ପୁରତେ ll
ଜଗନ୍ନାଥ ଜୀର୍ଣ୍ଣ ବିଗ୍ରହ l
ପୋତା ହେଲାଠାକୁ ଏ ନିଅ ll
ଗଜପତି ଯେ ଅଧୋମୁଖେ l
ସମ୍ମତ ହେଲେକ ତୁରିତେ ll
କୋଇଲି ବୈକୁଣ୍ଠେ ଶବ ନେଇ l
ପୋତାଇଲେ ଗାତ ଖୋଳାଇ ll
ରାମ ରାୟ ଯେ ସ୍ୱାମୀ ପାଦ l
ଆଉ ସେବକେ ଦୁଇ ଏକ l
ଏହା ନ ଜାଣେ ଆନ କେହି l
ପଡିଲା ଦୁଆର ଫିଟାଇ ll ପୃ -77
ଏ ଘଟଣାର ଅଳ୍ପଦିନ ପରେ ଜନ୍ମାଷ୍ଟମୀ ଦିନ ରାୟ ରାମାନନ୍ଦଙ୍କ ଦେହାନ୍ତ ହେଲା l ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ଅନନ୍ତ ଯଶୋବନ୍ତ ଯେଝା ବାଟରେ ଯିଏ ଗଲେ l ପୁରୀର ଏ ବୈଷ୍ଣବ ମଣ୍ଡଳୀ ଦୀର୍ଘ ବର୍ଷ ପରେ ଭାଙ୍ଗିଗଲା l ଗଜପତି ପ୍ରତାପରୁଦ୍ର ସମ୍ଭବତଃ ଶ୍ରୀଚୈତନ୍ୟ ମୃତ୍ୟୁ ରହସ୍ୟ ଅତ୍ୟନ୍ତ ଗୋପନ ରଖିବାକୁ ଶକ୍ତ ନିର୍ଦେଶ ଦେଇଥିବେ l ଏଣୁ ରାଜ ଦଣ୍ଡ ଭୟରେ ସେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ସବୁ ନୀରବ ରହିଥିବେ l ସେଥିପାଇଁ ପୁରୀ ଅଞ୍ଚଳର କୌଣସି ଲେଖକ ଏ ବିଷୟରେ କିଛି ଲେଖିନାହାନ୍ତି l ରାୟ ରାମାନନ୍ଦଙ୍କ ମୃତ୍ୟୁ ପରେ ମାଧବ ପଟନାୟକ ନିଜ ଗ୍ରାମ ଖଣ୍ଡପଡ଼ା ଫେରି ଯାଇ ସେଇଠି ଏ କାବ୍ୟ ରଚନା କଲେ l ଗବେଷକ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଅନେକ ଅନୁସନ୍ଧାନ କରି ଖଣ୍ଡପଡା, ଶରଣକୂଳ ଓ ଘୁମୁସର ଅଞ୍ଚଳରୁ “ବୈଷ୍ଣବ ଲୀଳାମୃତ” ତିନି ଗୋଟି ପାଣ୍ଡୁଲିପି ସଂଗ୍ରହ କରି ଶୁଦ୍ଧ ପାଠୋଦ୍ଧାର କରିଛନ୍ତି l
ବୈଷ୍ଣବ ଲୀଳାମୃତରେ ଅନେକ ସମକାଳୀନ ଘଟଣାର ସଠିକ ବର୍ଣନା ରହିଛି l ରାୟ ରାମାନନ୍ଦ କର୍ତୃକ ଜଗନ୍ନାଥ ବଲ୍ଲଭ ନାଟକ ରଚନା ଓ ପରିବେଷଣ, ଗଜପତି ପ୍ରତାପ ରୁଦ୍ରଙ୍କ ଦାକ୍ଷିଣାତ୍ୟ ଅଭିଯାନ ଓ ଗାଜି ଇସମାଇଲ ପୁରୀ ଆକ୍ରମଣ, ଶ୍ରୀଜଗନ୍ନାଥଙ୍କ ଚିଲିକା ଗମନ, ଓଡିଶା ବିଜୟନଗର ଯୁଦ୍ଧ, କୋଣ୍ଡାବିଡୁରେ କୁମାର ବୀରଭଦ୍ରଙ୍କ ବନ୍ଦୀତ୍ୱ ଓ ବେନୁର ଅବସ୍ଥାନ ଇତ୍ୟାଦି l ଶ୍ରୀଚୈତନ୍ୟଙ୍କ ପୁରୀ ଅବସ୍ଥାନ ବର୍ଣ୍ଣିତ ହେଲେ ମଧ୍ୟ କୁତ୍ରାପି ଶ୍ରୀ ଚୈତନ୍ୟଙ୍କ ଦୈଵତ୍ୱ ବର୍ଣ୍ଣନା ନାହିଁ ଯଥା ଷଡ଼ ଭୁଜ ଗୌରାଙ୍ଗ ରୂପ ଦର୍ଶନ l ଏଣୁ ଶ୍ରୀଚୈତନ୍ୟଙ୍କ ମୃତ୍ୟୁ ଉପରେ ବୈଷ୍ଣବ ଲୀଳାମୃତ ବର୍ଣ୍ଣନା ଉପରେ ସନ୍ଦେହ କରିବାର କୌଣସି ଅବକାଶ ନାହିଁ l
ତେବେ ରାୟ ରାମାନନ୍ଦ ଗଜପତି ପ୍ରତାପରୁଦ୍ରଙ୍କୁ “ଅପନିନ୍ଦା” ପାଇବାର ସତର୍କ ସୂଚନା ଦେଇଥିଲେ, ପାଞ୍ଚଶହ ବର୍ଷ ପରେ କିନ୍ତୁ ତାହା ସତ୍ୟ ହୋଇଛି l ଶ୍ରୀଚୈତନ୍ୟଙ୍କୁ ଯେ ଶ୍ରୀ ଜଗନ୍ନାଥ ମନ୍ଦିର ଭିତରେ ହତ୍ୟାକରି ସମାଧି ଦିଆଯାଇଛି ତାହାର କୌଣସି ବଳିଷ୍ଠ ପ୍ରମାଣ ନ ଦେଇ କେବଳ ଅନୁମାନ ଆଧାରରେ ପ୍ରଚାର ହୋଇଛି l ଗବେଷଣାର ଉତ୍ସ ସମ୍ପର୍କରେ ବି କୌଣସି ସୂଚନା ନାହିଁ l ଅଥଚ ଯେ କେହି ଗବେଷକ ନିଜ ତତ୍ତ୍ୱ ପ୍ରତି ପାଦନ କଲାବେଳେ ସହାୟକ ଗ୍ରନ୍ଥସୂଚୀର ବିବରଣୀ ଅବଶ୍ୟ ପ୍ରଦାନ କରିଥାନ୍ତି l
ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଶ୍ରୀଚୈତନ୍ୟ ଲୀନ ହେବା ଘଟଣା ପ୍ରଚାର କରି ଗଜପତି ପ୍ରତାପରୁଦ୍ର ଶ୍ରୀଚୈତନ୍ୟଙ୍କ ଦୈଵତ୍ୱର ବ୍ୟାପକ ପ୍ରଚାର ଓ ପ୍ରସାରର କାରଣ ହୋଇଛନ୍ତି l ମାଧବ ପଟନାୟକଙ୍କ ବିବରଣୀରୁ ଏହା ସ୍ପଷ୍ଟ ଯେ ଯଦିଓ ଶ୍ରୀଚୈତନ୍ୟଙ୍କୁ ପ୍ରଭୁ ରୂପେ ସ୍ୱୀକାର କରାଯାଇଥିଲା ସିଏ କିନ୍ତୁ ମାନବତ୍ବର ସୀମା ଲଙ୍ଘନ କରି ନାହାନ୍ତି l ମାନବ ଶରୀର ଧର୍ମ ଜନ୍ମ, କୈଶୋର, ଯୌବନ, ରୋଗ, ହର୍ଷ, ବିଷାଦ ସବୁ ଅନୁଭବ କରିଛନ୍ତି ଏବଂ ପ୍ରକୃତିର ନିୟମ ଅନୁସାରେ ଦେହ ତ୍ୟାଗ କରିଛନ୍ତି l ଜୀବନୀ “ଚୈତନ୍ୟ ଚରିତାମୃତ” ଅନୁସାରେ ବେଳେ ବେଳେ ଶ୍ରୀଚୈତନ୍ୟ ମୃଗୀ ରୋଗରେ ଆକ୍ରାନ୍ତ ହେଉଥିଲେ l
ଆଚମ୍ବିତେ ଏକ ଗୋପ ବଂଶୀ ବାଜାଇଲ l
ଶୁନି ମହାପ୍ରଭୁର ମହାପ୍ରେମାବେଶ ହଇଲ ll161
ଅଚେତନ ହଇୟାଁ ପ୍ରଭୁ ଭୂମିତେ ପଡ଼ିଲା l
ମୁଖେ ଫେନ ପଡ଼େ, ନାସାୟ ଶ୍ୱାସ ରୁଦ୍ଧ ହଇଲା ll162
ଏଇ ଯତି ବ୍ୟାଧିତେ କଭୁ ହୟ ମୂର୍ଛିତ l
ଅଭହି ଚେତନ ପାଇବେ, ହଇବେ ସମ୍ବିତ ll 170
ମୃଗୀ ବ୍ୟାଧିତେ ଆମି କଭୁ ହଇ ଅଚେତନ l
ଏଇ ଚାରି ଦୟାକରି କରେନ ପାଳନ l184,
(ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା, ଅଷ୍ଟାଦଶତମ ଅଧ୍ୟାୟ )
ତଥ୍ୟ କୃତଜ୍ଞତା: ବୈଷ୍ଣବ ଲୀଳାମୃତ
ଚିତ୍ର: ଅନ୍ତର୍ଜାଲ
The Passing of SriChaitanya Atibadi Raya Ramananda Ambika Patnaik
Spread the love
Antaranga Kalinga

Share
Published by
Antaranga Kalinga

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

7 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago