~ ଲେଖିକା ଡ. ଅନ୍ନପୂର୍ଣ୍ଣା ମହାରଣା (ଚୁନୁ ଅପା) ~
ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ
ଆବିର୍ଭାବ: ୩ ନଭେମ୍ବର ୧୯୧୭
ତିରୋଧାନ:୩୧ ଡିସେମ୍ବର ୨୦୧୨
ପିତା:ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ
ମାତା: ରମାଦେବୀ ଚୌଧୁରୀ (ମା’ ରମାଦେବୀ)
ସରଳ କୋମଳ ଭାଷାରେ ତାଙ୍କର
ଦସ୍ୟୁ ହୋଇପାରେ ମଣ,               
ରକ୍ତପାତ ହିଂସା, ଅପରାଧ ଛାଡି
କରେ ଆତ୍ମସମର୍ପଣ I
ସ୍ୱଳ୍ପଶିକ୍ଷାପ୍ରାପ୍ତ ହେଲେବି ଯାହାର
କଲମ ଉତ୍ତୁଙ୍ଗ ଫଣା,
ଉତ୍କଳ ମାତାର ସୁପୁତ୍ରୀ ସେ

ଥିଲେ

ଅନ୍ନପୂର୍ଣ୍ଣା ମହାରଣା I

(ଅନିଲ କୁମାର ପାଣିଗ୍ରାହୀ)
ଦିନେ ମଧ୍ୟପ୍ରଦେଶର ଦୁର୍ଗମ ଚମ୍ବଲ ଉପତ୍ୟକାର ବଣୁଆ ଅଞ୍ଚଳ ଥିଲା ଡକାୟତ ଅଧ୍ୟୁଷିତ I ସ୍ୱାଧୀନତା ପୂର୍ବରୁ ଓ ପରେ ମଧ୍ୟ ସେସବୁ ଅଞ୍ଚଳରେ ନ୍ୟାୟିକ ବ୍ୟବସ୍ଥା ଥିଲା ବିପର୍ଯ୍ୟସ୍ତ I ଉକ୍ତ ଅଞ୍ଚଳରେ ପରିଚାଳିତ ହେଉଥିଲା ଜୋର ଯାର ମୁଲକ ତାର ନୀତି I ବ୍ୟାପିଥିଲା ଅରାଜକତା I ଇଂରେଜ ଶାସକ ମଧ୍ୟ ସେହିସବୁ ଅଞ୍ଚଳର ଦୁର୍ଦ୍ଦଷ ଡକାୟତ ମାନଙ୍କୁ କରିପାରିନଥିଲେ ଶୃଙ୍ଖଳିତ I ଜାତି ଆଧାରରେ ଗଠିତ ଡକାୟତ ମାନେ ରକ୍ତପାତ କରିବା, ଲୁଣ୍ଠନ କରିବା ଇତ୍ୟାଦିକୁ ମନେ କରୁଥିଲେ ବୀରତ୍ୱର ପରିଚୟ I
ତେବେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆହ୍ୱାନକ୍ରମେ ୭ଠ ଦଶକରେ ଏକ ରାଜକ୍ଷମା ଯୋଜନାରେ ଅନେକେ ଦସ୍ୟୁ ଆତ୍ମସମର୍ପଣ କରି ହୋଇଥିଲେ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ I ଏହି ପୃଷ୍ଠଭୂମିରେ ରଚିତ ଏକ କାହାଣୀ “ଦସ୍ୟୁ ହୃଦୟରେ ଦେବତା” ପାଇଥିଲା ଓଡ଼ିଆ ମାଧ୍ୟମ ଅଷ୍ଟମ ଶ୍ରେଣୀର ଗଳ୍ପ ଓ ଏକାଙ୍କିକା ପାଠ୍ୟ ପୁସ୍ତକରେ ସ୍ଥାନ I ଲେଖିକା ସ୍ବର୍ଗତା ଅନ୍ନପୂର୍ଣ୍ଣା ମହାରଣା I
ବିଖ୍ୟାତ ସଂଗ୍ରାମୀ ଦମ୍ପତ୍ତି ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଚୌଧୁରୀଙ୍କ କୋଳମଣ୍ଡନ କରିଥିବା ଏହି ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କ ଜନ୍ମ ୩ ନଭେମ୍ବର ୧୯୧୭ରେ I ୧୯୨୪ ମସିହାରେ ନିଜ ଭାଇ ମନମୋହନ ଚୌଧୁରୀଙ୍କ ସହ କଟକ ଟାଉନ ହଲରେ ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ଦ୍ୱାରା ଜାଲିଆଁୱାଲା ବାଗ ଗଣହତ୍ୟାର ଯେଉଁ ଓଜସ୍ୱିନୀ ଭାଷଣ ଶୁଣିବାର ସୁଯୋଗ ପାଇଥିଲେ ୭-୮ ବର୍ଷର ବାଳିକାଟିକୁ କରିଥିଲା ତାହା ବିଶେଷ ଭାବେ ପ୍ରଭାବିତ I ମାତ୍ର ୧୩ ବର୍ଷ ବୟସରେ ପିତାମାତାଙ୍କ ପଦାଙ୍କ ଅନୁସରଣ କରି ୧୯୩ଠ ସ୍ୱାଧୀନତା ସଂଗ୍ରାମରେ ଝାସ ଦିଅନ୍ତି ଓ ବର୍ଷ ଦୁଇଟି ପରେ ମାତ୍ର ୧୫ ବର୍ଷ ବୟସରେ କରନ୍ତି ପ୍ରଥମ କାରାବରଣ (୧୯୩୨) I ୧୯୩୪ ମସିହାରେ ମହାତ୍ମାଗାନ୍ଧୀଙ୍କ ସହ ପୁରୀରୁ-ଭଦ୍ରକ ହରିଜନ ପଦଯାତ୍ରାରେ ମଧ୍ୟ ଦିଅନ୍ତି ଯୋଗ I ଏହାଛଡା ବରୀରେ ହରିଜନ ସେବା, ନିଶା ନିବାରଣ, ମୌଳିକ ଶିକ୍ଷା, ଖଦି, ଗ୍ରାମ ସଫେଇ ଭଳି ରଚନାତ୍ମକ କାର୍ଯ୍ୟରେ ସେ ଥିଲେ ନିୟୋଜିତ I ପିତାଙ୍କ ଇଚ୍ଛା ମୁତାବକ ଶ୍ରୀ ଶରତଚନ୍ଦ୍ର ମହାରଣାଙ୍କୁ ଅସବର୍ଣ୍ଣ ବିବାହ କରିଥିଲେ I ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେବା ସହିତ ମା’ ରମାଦେବୀ ଓ ଖୁଡ଼ୀ ମାଳତୀ ଦେବୀଙ୍କ ସହିତ କୁଜଙ୍ଗରେ ଲବଣ ସତ୍ୟାଗ୍ରହର ନିଅନ୍ତି ନେତୃତ୍ୱ , ଫଳରେ କଟକ ଓ ଯାଜପୁର ଜେଲରେ କାଟିବାକୁ ହୋଇଥିଲା ଦୁଇବର୍ଷ କାରାବାସ I
ସ୍ବାଧିନୋତ୍ତର ଭାରତରେ ମଧ୍ୟ ଅନ୍ନପୂର୍ଣ୍ଣା ଦେବୀ ନିର୍ବାହ କରିଥିଲେ ଅନେକ ଭୂମିକା I ୧୯୬୬ ମସିହାରେ କଳାହାଣ୍ଡି ଦୁର୍ଭିକ୍ଷ, ୧୯୬୯ ମସିହାରେ ପ୍ରଳୟଙ୍କରୀ ବନ୍ୟା, ୧୯୯୯ ମସିହାରେ ମହାବାତ୍ୟାରେ ସର୍ବୋଦୟ ରିଲିଫ୍ କମିଟି ମାଧ୍ୟମରେ ନିଜକୁ ସଂପୂର୍ଣ୍ଣ କରିଥିଲେ ନିୟୋଜିତ I ଚମ୍ବଲ ଦସ୍ୟୁମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ୧୯୭୨ ମସିହାରେ ସେମାନଙ୍କ ଗଣ-ଆତ୍ମସମର୍ପଣ ନିମନ୍ତେ ସେ ଜାତୀୟ ସ୍ତରରେ ଚର୍ଚ୍ଚିତ I ଆମୋଦର ବିଷୟ କୌଣସି ବିଧିବଦ୍ଧ ଶିକ୍ଷା ନ ପାଇ, କେବଳ ଗୃହଶିକ୍ଷାପ୍ରାପ୍ତ ଏହି ବିଦୁଷୀ ମହିଳା ସୃଜିଥିଲେ ଅନେକ ଚିତ୍ତାକର୍ଷକ ପୁସ୍ତକ I ୨୦୧୨ ମସିହାରେ କଟକରେ ହୁଏ ତାଙ୍କ ଦେହାନ୍ତ I
ସାହିତ୍ୟ ସମ୍ଭାର: ଦସ୍ୟୁ ହୃଦୟରେ ଦେବତା, ଅମୃତ ଅନୁଭବ (ଆତ୍ମଜୀବନୀ), ଗୀତାପ୍ରବଚନ, ଭାଗବତ ଧର୍ମସାର, ସ୍ଥିତପ୍ରଜ୍ଞ ଦର୍ଶନ, ନାରୀଶକ୍ତି, ସପ୍ତଶକ୍ତି, ଶିକ୍ଷାତତ୍ତ୍ୱ, ଆଚାର୍ଯ୍ୟକୁଳ, ରାଷ୍ଟ୍ରୀୟ ଯୋଜନାର ମୂଳକଥା, ଶାନ୍ତିସେନା, କାରାଗାର କାହାଣୀ, ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ, ହିନ୍ଦ ସ୍ୱରାଜ, ଅନାସକ୍ତି ଯୋଗ
ସମ୍ମାନ ସମ୍ଭାର:
୧.ଉତ୍କଳ ବିଶ୍ୱବିଦ୍ୟାଳୟ ଓ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି
୨. ଆତ୍ମ ଜୀବନୀ “ଅମୃତ ଅନୁଭବ’ ପାଇଁ ଶାରଳା ପୁରସ୍କାର
୩. ପ୍ରାଣନାଥ ସମ୍ମାନ
୪. ହେମଲତା ସମ୍ମାନ,
୫. ଅନ୍ତର୍ଜାତୀୟ ରୋଟାରୀ ସମ୍ମାନ,
ତଥ୍ୟ ଆଧାର: ଉତ୍କଳ ପ୍ରଦୀପ ପ୍ରଥମ ଖଣ୍ଡ, ସଂକଳକ: ଶ୍ରୀ ବୀରେନ୍ଦ୍ର ସାମନ୍ତରାୟ, Odia Wikipedia
Annapurna Maharana Malati Choudhury Quit India Movement Ramadevi Mahatma Gandhi Anil Kumar Panigrahy
Spread the love
Antaranga Kalinga

Recent Posts

କବି ବିନୋଦଚନ୍ଦ୍ର ନାୟକ

~ 'ଗ୍ରାମପଥ'ର ବିଦଗ୍ଧ ପଥିକ କବି ଡ. ବିନୋଦଚନ୍ଦ୍ର ନାୟକ ~ ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ :…

1 hour ago

ତିଗିରିଆ ଗଡ଼ଜାତର ଉତ୍ପତ୍ତି ଓ ଇତିହାସ

ତିଗିରିଆ ଗଡ଼ଜାତର ଉତ୍ପତ୍ତି ଓ ଇତିହାସ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟରେ ତିଗିରିଆ ଗଡ଼ଜାତର…

23 hours ago

ଆଠଗଡ଼ପାଟଣା ଇତିହାସ

~ ଭୋଗବିଳାସ, ବିଶ୍ୱାସଘାତକତାରେ ରାଜ୍ୟ ହରାଇଥିବା ଏକ ରାଜାଙ୍କ କରୁଣ ଇତିହାସ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼…

4 days ago

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 months ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 months ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 months ago