ଲେଖା: ଦେଵ ତ୍ରିପାଠୀ

ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ, ସାହିତ୍ୟ ସୃଷ୍ଟି, ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ ଇତିହାସ ରଚିଥିଲେ ସେ !

କେବଳ ଓଡ଼ିଶା ନୁହେଁ, ଭାରତଭୂଖଣ୍ଡର ସେ ଥିଲେ ଏକମାତ୍ର ସଂସ୍କାରକ ଯିଏ ସମାଜରେ ସଂସ୍କାର ଆଣିବା ପାଇଁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସଂଗ୍ରାମ ହିଁ କରି ଆସିଥିଲେ !

ସେ ଥିଲେ ଏମିତି ଜଣେ କର୍ମଯୋଗୀ ସଂସ୍କାରକ ଯାହାଙ୍କ ଜୀବନୀ ଲେଖିଥିଲେ କବିବର !

ଅସ୍ପୃଶ୍ୟତା ନିବାରଣ ନିମନ୍ତେ ଦେଶରେ ସର୍ବପ୍ରଥମେ ଆନ୍ଦୋଳନ ସେ ହିଁ ଆରମ୍ଭ କରିଥିଲେ (ମହାତ୍ମାଗାନ୍ଧୀ ନୁହଁନ୍ତି, ଦୁର୍ଭାଗ୍ୟ ଯେ ଐତିହାସିକ ଓ ଗବେଷକଗଣ ଏ ବାବଦରେ ତୁଣ୍ଡ ଖୋଲି ନାହାଁନ୍ତି !), ସେକାଳର ଉତ୍କଟ ରକ୍ଷଣଶୀଳ ସମାଜର ଚକ୍ଷୁଶୂଳ ହୋଇମଧ୍ୟ ନିର୍ଭୀକ ଭାବେ ଅସ୍ପୃଶ୍ୟତା ନିବାରଣ କରିଚାଲିଥିଲେ ।

ଓଡ଼ିଆଙ୍କ ସାମାଜିକ ଜୀବନରେ ଅହେତୁକ ସଂସ୍କାର ଆଣିଥିବା ସେ ମହାନୁଭବ ଥିଲେ ଭଞ୍ଜମାଟି ଘୁମୁସରର ସୁଯୋଗ୍ୟ ସନ୍ତାନ ଶ୍ରୀବତ୍ସ ପଣ୍ଡା ।

ବୁଦ୍ଧି ହେଲା ଦିନୁ, ସମାଜକୁ ଚିହ୍ନିଲା ଦିନୁ ସଂସ୍କାର କାର୍ଯ୍ୟରେ ଅଣ୍ଟା ଭିଡିଥିବା ସେଇ ମହାପୁରୁଷ ଜଣକ କେତେ କଷ୍ଟ ସହି ନାହାଁନ୍ତି ଜୀବନରେ । ନିଜ ଜନ୍ମମାଟିର ଶାସନୀ ବ୍ରାହ୍ମଣମାନଙ୍କ ତିରସ୍କାର, ପରିବାର ବନ୍ଧୁମାନଙ୍କ ଅସହଯୋଗ, ପୁରୀର ରକ୍ଷଣଶୀଳ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ରୋଷ ଓ ଚକ୍ରାନ୍ତର ଶିକାର, ବଡ଼ଦେଉଳରେ ପ୍ରବେଶ ନିଷେଧ ପାଇଁ ଅନ୍ୟାୟ ଅଲିଖିତ ଆଦେଶ, ବଡ଼ଦାଣ୍ଡରେ ବ୍ରାହ୍ମଣମାନଙ୍କ ଦ୍ଵାରା ଆକ୍ରମଣର ଶିକାର !

ଜୀବନରେ ଦୁଃଖ, କଷ୍ଟ, ତାତ୍ସଲ୍ୟ, ଲାଂଚ୍ଛନାର ଯେପରି ସୀମା ନ ଥିଲା ! ହେଲେ କର୍ମଯୋଗୀ କ’ଣ ହାରିଯାଏ, ମୁହଁ ବୁଲାଇନିଏ ନିଜ ଲକ୍ଷ୍ୟ ପଥରୁ ! ପୁରୀ ଓ ଗଞ୍ଜାମର ବ୍ରାହ୍ମଣମାନଙ୍କର ଭୟଙ୍କର ଶତୃତା ଭିତରେ ମଧ୍ୟ ତାଙ୍କୁ ସାହସ ଦେଇଥିଲେ ବ୍ୟାସକବି, କବିବର ଓ ଭକ୍ତକବି ମଧୁସୂଦନ । ଅଦମ୍ୟ ଉତ୍ସାହରେ ସେ ଆଗେଇଥିଲେ ସାହିତ୍ୟ ଓ ସମ୍ବାଦପତ୍ର ମାଧ୍ୟମରେ ଜନସଚେତନତା ସୃଷ୍ଟି ନିମନ୍ତେ, ପ୍ରକାଶ କରିଥିଲେ ‘ସଂସ୍କାରକ’ ପତ୍ରିକା ।

ପତ୍ରିକାର ଲୋକପ୍ରିୟତା ଯେପରି ପୁରୀ ବ୍ରାହ୍ମଣଙ୍କ ରୋଷରେ ଘିଅ ଢାଳିଲା ! ମାତ୍ର ଅଭୟ ଦେଇଥିଲେ ବ୍ୟାସକବି – “ଆପଣଙ୍କ ଲେଖାପଢି ଯଦି କେହି ଗାଳି ଦେଉଛି, ମାରିବାକୁ ଧମକ ଦେଉଛି, ହାତ ଉଠାଉଛି, ଗ୍ରହଣ କରିନିଅନ୍ତୁ ଯେ ଆପଣଙ୍କ ଲେଖାର କିଛି ସାର ଅଛି ! ତେଣୁ ଲେଖିଚାଲନ୍ତୁ ।”

ପଣ୍ଡା ମହାଶୟ ଥିଲେ ଭକ୍ତକବିଙ୍କ ଦୃଷ୍ଟିରେ ମହର୍ଷି ଦଧିଚି ! କବିଶେଖର ଚିନ୍ତାମଣି ମହାନ୍ତିଙ୍କ ଭାଷାରେ:

“ସ୍ପଷ୍ଟବାଦୀ ଦୃଢକର୍ମୀ ହେ ଶ୍ରୀବତ୍ସ ପଣ୍ଡା,
ତୁମ ପରି କର୍ମବୀର ଲୋଡ଼ା ପାଞ୍ଚଗଣ୍ଡା,
ସଂସ୍କାର କାର୍ଯ୍ୟରେ ତୁମେ ଭିଡିଅଛ ଅଣ୍ଟା,
ଗନ୍ତବ୍ୟ ପଥରେ ମାନନାହିଁ ଖୁଞ୍ଚ କଣ୍ଟା II”

ଉତ୍କଳ ସମ୍ମିଳନୀର ବୀଜବପକ ଭାବେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଲକ୍ଷ୍ୟରେ ଖଲ୍ଲିକୋଟର ପ୍ରଜାବତ୍ସଳ ଦେଶପ୍ରେମୀ ମହାରାଜା ହରିହର ମର୍ଦ୍ଦରାଜ, ନୀଳମଣି ବିଦ୍ୟାରତ୍ନ, ବଳଭଦ୍ର ମହାପାତ୍ର ଇତ୍ୟାଦିଙ୍କୁ ନେଇ ୧୯୦୩ ମସିହା ପବିତ୍ର ଈଷ୍ଟର ପର୍ବରେ ବ୍ରହ୍ମପୁର ଠାରେ ଅଧିବେଶନ ଅନୁଷ୍ଠିତ କରାଇଥିଲେ, ସେଇ ଅଧିବେଶନ ହିଁ ସେହି ବର୍ଷ ଡିସେମ୍ବର ମାସରେ କଟକରେ ଐତିହାସିକ ଉତ୍କଳ ସମ୍ମିଳନୀର ଅଧିବେଶନ ପ୍ରାଣପ୍ରତିଷ୍ଠା ପାଇଁ ପଥପ୍ରଦର୍ଶକ ହୋଇପାରିଲା ।

ସାହିତ୍ୟ ସାଧକ ଭାବେ କବିତା, ଗୀତିକବିତା, ନାଟକ,ପ୍ରବନ୍ଧ, ଅନୁବାଦ, ପାଠ୍ୟପୁସ୍ତକ, ଧର୍ମବହି ଇତ୍ୟାଦି ବହୁବିଧ ବିଷୟରେ ୮୩ ଖଣ୍ଡ ବହି ରଚନା କରିଥିଲେ (କ୍ଷୋଭର କଥା ଯେ ସେଥିରୁ ୫୦ଟି ଅପ୍ରକାଶିତ) ।

Image Courtesy: Bishnu Mohan Adhikari

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago