Our Action

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ) ~

ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ ! ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି ସ୍ବତନ୍ତ୍ର #ଅନ୍ତରଙ୍ଗ_କଳିଙ୍ଗ_ପ୍ରତିଭା_ସମ୍ମାନ କାର୍ଯ୍ୟକ୍ରମ ! ଏହାର ଚତୁର୍ଥ ପର୍ବରେ ସମ୍ବର୍ଦ୍ଧିତ ଉଦ୍ଦେଶ୍ୟରେ ଆମେ କେଇଜଣ ଆଗେଇ ଯାଇଥିଲୁ ଜନୈକ ମହାବ୍ୟକ୍ତିତ୍ବଙ୍କ ସମୀପକୁ !
ଈଶ୍ୱର ହରିନେଇଛନ୍ତି ଜନ୍ମରୁ ଆଖି ଦୁଇଟି ! ଦାରିଦ୍ର୍ୟକୁ ଚିରସାଥୀ ଭାବେ ବରିନେଇଛନ୍ତି ସେ ! ଦେହ ତାଙ୍କର ଯନ୍ତ୍ରଣାର ଜଉଘର ! ଅଥଚ ସ୍ୱୟଂ ସମ୍ପୂର୍ଣ୍ଣ ମଣିଷ ଜଣେ ସେ ! କଟକ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରହରାଜପୁର ଅନ୍ତର୍ଗତ ଈଶାଣୀ ବ୍ରହ୍ମପୁର ନିବାସୀ ଅବଦୁଲ ସମଦ ନିଜମୀ ବା #ସାମ ସାର !
ନିରବଛିନ୍ନ ସାଧନା, ତପସ୍ୟା, ତ୍ୟାଗ ଓ ତିତିକ୍ଷା ବଳରେ ଦିନେ ସିଦ୍ଧି ପ୍ରାପ୍ତ ହୋଇଥାଏ l ସେ ସାହିତ୍ୟ କ୍ଷେତ୍ରରେ ହେଉ, ସଙ୍ଗୀତ, ନୃତ୍ୟ ଅବା କଳା ଅଧ୍ୟୟନ କ୍ଷେତ୍ରରେ ହେଉ ମାତ୍ର ଜଣେ ଭିନ୍ନକ୍ଷମ ମଣିଷଟି ପାଇଁ ଏହି ସାଧନାର ପଥ ଉତ୍ତୁଙ୍ଗ ଶିଖରକୁ ଛୁଇଁବାର ଦୁର୍ବାର ଅଥଚ ଦୁରୁହ ପ୍ରୟାସ ପରି କଷ୍ଟକର ଅସମ୍ଭବ ପ୍ରତୀତ ହୁଏ, କିନ୍ତୁ ନିଜର ଅଦମ୍ୟ ସାଧନା ଓ ଅହରହ ପ୍ରୟାସ ବଳରେ ଅସାଧ୍ୟ ସାଧ୍ୟରେ ପରିଣତ ହୁଏ l
ଅବଦୁଲ ସମଦ ନିଜାମୀ । ଆଖିତଳେ ବହଳ ଅନ୍ଧାର, ହେଲେ ଆଖିରେ ଆଖିଏ ସ୍ବପ୍ନ l ଦୃଶ୍ୟମାନ ଜଗତର ବଳୟ, ଦିଗବଳୟ, ଅକ୍ଷାଂଶ, ଦ୍ରାଘିମା ସବୁକିଛି ତାଙ୍କ ପାଖରେ ନିରୁଦ୍ଧିଷ୍ଟ l ହେଲେ ବହଳ ଅନ୍ଧାର ଭେଦି କଣ୍ଠେ ତାଙ୍କ ଭାସିଉଠେ ବିଭୁ ନାମର ଅମୃତ ଜଣାଣ, ବୀଣାର ଝଙ୍କାର l ସୁମଧୁର ଅଥଚ ଗୁରୁ ଗମ୍ଭୀର କଣ୍ଠ, ମାର୍ଜ୍ଜିତ ଶବ୍ଦ ଉଚ୍ଚାରଣ, ଆଉ ମନ୍ତ୍ରମୁଗ୍ଧ କଲାଭଳି ଭାବଭରା ଆବେଗ l
ଜଗନ୍ନାଥଙ୍କର ସେ #ଯବନ_ସାଧକ #ଆଉ_ଏକ_ସାଲବେଗ ! ଜାତିରେ ଯବନ, ହେଲେ କଣ୍ଠରେ ଆବେଗଭରା ଜଗନ୍ନାଥଙ୍କ ଜଣାଣ l ଚକ୍ଷୁର ଅନ୍ଧକାର ଭେଦି ଭାସିଆସେ କଣ୍ଠେ ତାଙ୍କ ଅନେକ ସମ୍ଭାବନାର ଅଫୁରନ୍ତ ଆଲୋକ ବିଛୁରଣ, ଲଙ୍ଘିବାକୁ ଜୀବନ ସିନ୍ଧୁ ଭଵ ପାରାବାର l କେବଳ ଜଗନ୍ନାଥ ଜଣାଣ ନୁହେଁ, ଭଞ୍ଜସଙ୍ଗୀତ, ରାମଲୀଳା ଗୀତ, ଗୀତିନାଟ୍ୟ, ଓଡ଼ିଆ ସୁଗମ ସଙ୍ଗୀତ ଆଦି ଗାଇବା ସହିତ ନିଜ ରଚନାକୁ ସ୍ୱର ଦେଇ ମୂର୍ଚ୍ଛନା ତୋଳିବାରେ ବି ସେ ସିଦ୍ଧହସ୍ତ ! ସୃଜନାତ୍ମକ ବିଭୁବନ୍ଦନ ମାଧ୍ୟମରେ ଜନମାନସକୁ ନିତିପ୍ରତି ପ୍ରଭାବିତ କରିଚାଲିଛନ୍ତି ସାମ ସାର୍ ।
୨୦୧୨ ମସିହା ସେପ୍ଟେମ୍ବର ୦୪ ତାରିଖରେ ଅନୁଷ୍ଠିତ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ, ପରିବେଶପ୍ରେମୀ, କବି ତଥା ଗବେଷକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ମହୋଦୟ ଯୋଗ ଦେଇ ସାଧକ ମହୋଦୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାମ ସାର୍’ଙ୍କ ସୁମଧୁର ଗୁରୁଗମ୍ଭୀର କଣ୍ଠ, ଭାବମୟ ଆବେଗର ସ୍ବର ଏମିତି ମନ୍ତ୍ରମୁଗ୍ଧ କରିଚାଲୁ ଉତ୍କଳୀୟ ଜନତାଙ୍କୁ ! ଉତ୍କଳ ଜନନୀଙ୍କ ଚରଣକମଳରେ କୃତଜ୍ଞ ଅନ୍ତରଙ୍ଗ କଳିଙ୍ଗ ପରିବାରର ଏତିକି ପ୍ରାର୍ଥନା।
ବନ୍ଦେ ଉତ୍କଳ ଜନନୀ
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago