Our Action

ଓଡ଼ିଆ ଅସ୍ମିତାର ମହାପର୍ବ

~ ଓଡ଼ିଆ ଅସ୍ମିତାର ମହାପର୍ବ ~
୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । ଲୋକାରଣ୍ୟ କଟକ ସହରର ଇଦଗାପଡ଼ିଆ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧିମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ ।
ସମସ୍ତ ଆୟୋଜନ ତଦାରଖ କରିବାରେ ବ୍ୟସ୍ତ ପଞ୍ଚାବନ ବର୍ଷୀୟ ଜଣେ ଜଣାଶୁଣା ପ୍ରୌଢ଼ । ମନରେ କିନ୍ତୁ ଯୁବକର ଉଦ୍ଦାମତା ।ଶରୀର ଶୀର୍ଣ୍ଣ, ଦେହରେ ସାହେବୀ ପୋଷାକ, ମୁଣ୍ଡରେ ପଗଡ଼ି । ନବାଗତମାନେ ଗୋଟିଏ ପରେ ଗୋଟିଏ ପହଞ୍ଚି ଅଭିବାଦନ ଜଣାଇ, ପଦେ ଅଧେ କଥା ହୋଇ ନିଜ ନିଜର ସ୍ଥାନ ଅଳଙ୍କୃତ କରି ଚାଲିଛନ୍ତି ।
ଅନେକ ଆଶା ଓ ସମ୍ଭାବନା ମଧ୍ୟରେ ଆଗାମୀ ଉତ୍କଳର ସ୍ଵପ୍ନ ଦେଖୁଛନ୍ତି ପ୍ରୌଢ଼ଜଣକ । ଏହି ବୀରପ୍ରସବିନୀ ଜନନୀର ପୁତ୍ରଗଣ କ’ଣ ସତରେ ପୂର୍ବଗୋୖରବ ଓ ପୂର୍ବସାହସ ମନେପକେଇ ଆଗେଇ ଆସିବେ ନାହିଁ ? କାନ୍ଧରେ କାନ୍ଧ ମିଳାଇ ଜନନୀର ଖଣ୍ଡବିଖଣ୍ଡିତ ଶରୀରକୁ ପୁଣି ଥରେ ବିମଣ୍ଡିତ କରି ପାରିବେ ନାହିଁ ? ଅସମ୍ଭବ ନୁହେଁ କେବେ ! ନେତୃତ୍ଵ ପାଇଁ ତ ଏ ଭୂଖଣ୍ଡରେ ଅନେକ ଅଛନ୍ତି ! ସେଇଥିପାଇଁ ତ ଏହି ସମ୍ମିଳନୀ ।
ଡିସେମ୍ବର ମାସ ୩୦ ତାରିଖ । ଶୀତର ପ୍ରକୋପରେ ଥରି ଯାଉଥିଲା କଟକ ସହର । ପ୍ରବଳ ଶୈତ୍ୟକୁ ଖାତିର୍ ନକରି ଜନ ସମାଗମ ବଢ଼ିବାରେ ଲାଗିଥିଲା। ଏହାହିଁ ସ୍ଵତନ୍ତ୍ର ଉତ୍କଳ ଗଠନର ଅସୁମାରୀ ଆଶା, ସମ୍ଭାବନା, ଦୃଢ଼ତା । ଏହି ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ଅବସରରେ #ଜାତି_ଐରାବତଙ୍କ କଣ୍ଠରୁ ଝରି ପଡିଥିଲା —
“ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଝରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି ସିନ୍ଧୁ ନୀରେ ।”
ପ୍ରସ୍ତାବ ଦେଲେ ସେ, ଏହି ସମ୍ମିଳନୀ “ଉତ୍କଳ ସମ୍ମିଳନୀ” ନାମରେ ନାମିତ ହେଉ । ସେହି ଦିନର ସଭାରେ ଉତ୍କଳସୂର୍ଯ୍ୟ ମଧୁବାବୁଙ୍କ ଅଭିଭାଷଣ ଥିଲା, “ଏହି ସମ୍ମିଳନୀ ନାମ ‘ଉତ୍କଳ ସମ୍ମିଳନୀ’ । ଏଥିରେ ସମସ୍ତ ଉତ୍କଳଭାଷୀ ଅଞ୍ଚଳର ମଙ୍ଗଳଜନକ ପ୍ରସ୍ତାବମାନ ଗ୍ରହଣ କରାଯାଇ କାର୍ଯ୍ୟରେ ପରିଣତ ହେବ ।
ବର୍ତ୍ତମାନ ଇଂରେଜ ସରକାର ବାହାଦୂରଙ୍କ ରାଜତ୍ଵରେ ଓଡ଼ିଶାର ସୀମା ଢେର୍ କମିଯାଇଛି । ଫଳରେ ଦେଖା ଯାଇଛି ଯେ, ସମ୍ବଲପୁର, ଛୋଟ ନାଗପୁର, ମେଦିନୀପୁର, ଗଞ୍ଜାମ ଇତ୍ୟାଦି ସ୍ଥାନମାନ ଓଡ଼ିଶା ବାହାରେ ରହିଯାଇଛନ୍ତି । ସେସବୁ ଅଞ୍ଚଳରେ ଓଡ଼ିଆଙ୍କ ସଂଖ୍ୟା ବହୁତ, ସେଥିପାଇଁ ସମସ୍ତ ଉତ୍କଳଭାଷୀ ଅଞ୍ଚଳକୁ ଉତ୍କଳ ବୋଲି ନାମ ଦିଆ ହୋଇଛି ଏବଂ ଏହି ସମ୍ମିଳନୀର ନାମ ‘ଉତ୍କଳ ସମ୍ମିଳନୀ‘ ହୋଇଅଛି । ବର୍ତ୍ତମାନ ଉତ୍କଳ ସମ୍ମିଳନୀ ଉତ୍କଳୀୟମାନଙ୍କର ମଙ୍ଗଳ ସାଧନ ଅଭିପ୍ରାୟରେ ସ୍ଥାପିତ ହୋଇଅଛି ।
ଯେଉଁମାନେ ଉତ୍କଳକୁ ସେମାନଙ୍କର ଗୃହ ସ୍ଵରୂପ ମଣିଅଛନ୍ତି, ସେମାନେ ଭିନ୍ନ ଜାତୀୟ ହେଲେ ସୁଦ୍ଧା ସେମାନଙ୍କୁ ଉତ୍କଳୀୟ ବୋଲି ଗଣନା କରାଯିବ । ଯେଉଁ ମାନେ ଅନେକ ଦିନ ହେଲା ଏଠାକୁ ଆସି ଓଡ଼ିଶାକୁ ଆପଣାର ମାତୃଭୂମି ସ୍ଵରୂପ ଗ୍ରହଣ ଏବଂ ସ୍ଵୀକାର କରୁଅଛନ୍ତି ଏବଂ ଓଡ଼ିଆମାନଙ୍କର ହିତ ସାଧନକୁ ସ୍ଵଜାତିର କର୍ତ୍ତବ୍ୟ କର୍ମ ବୋଲି ମନେ କରୁଛନ୍ତି, ସେମାନଙ୍କୁ ଆମ୍ଭେମାନେ ଉତ୍କଳୀୟ ବୋଲି ଡାକୁଅଛୁ ।
ନିଜର ଜନନୀ ଓ ଜନ୍ମଭୂମି ଏ ଦୁହେଁ ସ୍ଵର୍ଗ ଅପେକ୍ଷା ବଡ଼ ଅଟନ୍ତି । ଆମ୍ଭମାନଙ୍କ ମାତୃଭୂମି ଉତ୍କଳ ଦେଶ ନିଜର ଅଭାବ ମୋଚନାର୍ଥେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଅଛନ୍ତି । ତାହାଙ୍କର ଡାକ ନଶୁଣି ଆମ୍ଭେମାନେ କି ନିଶ୍ଚିତ ହୋଇ ରହିପାରୁ ? ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଅଭାବମୋଚନ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ କଦାପି ସ୍ଥିର ହୋଇ ରହି ନପାରୁ ।
ସ୍ବଦେଶ ପ୍ରତି ଯେପରି ସ୍ନେହ ସେହିପରି ମାତୃଭାଷା ପ୍ରତି ମଧ୍ୟ ସ୍ନେହ କରିବା ଦରକାର । ଉତ୍କଳ ଭାଷାର ଯେତେଦୂର ଉନ୍ନତି କରିବା ଉଚିତ ସେତେଦୂର ଉନ୍ନତି ହୋଇ ନାହିଁ । ତଥାପି ଉତ୍କଳର ସାହିତ୍ୟ ଆକାଶରେ ଉଜ୍ଜ୍ୱଳ ତାରକାମାନଙ୍କ ଅଭାବ ନାହିଁ । ଉତ୍କଳ ଦେଶର ଇତିହାସରେ ଏପରି ଗୋଟିଏ ସଭା ଅଭିନବ ବ୍ୟାପାର ।ଏ ସଭାରେ ଆପଣମାନଙ୍କୁ ସାକ୍ଷାତ କରି ମୋର ଅନିର୍ବଚନୀୟ ଆନନ୍ଦ ଜାତ ହୋଇଅଛି । ଏହି ଦେଶ ହିତକର କାର୍ଯ୍ୟରେ ଆପଣମାନଙ୍କ ସହିତ ଭାଗୀ ହୋଇଥିବାରୁ ମୁଁ ନିଜକୁ କୃତାର୍ଥ ମନେ କରୁଛି ।”
ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଗୃହୀତ ପ୍ରସ୍ତାବମାନ ଓଡ଼ିଶାର ଜନସାଧାରଣଙ୍କ ମନରେ ଆଣିଥିଲା ପ୍ରତ୍ୟୟ, ଆଶା, ସମ୍ଭାବନା ଓ ସର୍ବୋପରି ଏକ ହୋଇ ଏହି ଭୂଖଣ୍ଡର ମର୍ଯ୍ୟାଦା ରକ୍ଷା କରିବା। ନୂତନ ଆଶାର ସଞ୍ଚାର ହୋଇଥିଲା ଓ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଶାକୁ ସମଗ୍ର ଦେଶରେ ସ୍ଵତନ୍ତ୍ର ଉତ୍କଳ ଭାବେ ପରିଚିତ କରାଇବା ।
ଉତ୍କଳ ସମ୍ମିଳନୀର ସେହି ମହାନ ଅଧିବେଶନର ୧୨୦ତମ ପୂର୍ତ୍ତିପାଳନ ପାଇଁ ଅଣ୍ଟାଭିଡ଼ିଛି ଅନ୍ତରଙ୍ଗ କଳିଙ୍ଗ ! ୨୦୧୩ ମସିହା ଡ଼ିସେମ୍ବର ୩୦ ତାରିଖରେ ଅନୁଷ୍ଠିତ ସେ କାର୍ଯ୍ୟକ୍ରମରେ  ସ୍ରୋତରେ ସାମିଲ ହେଇଛନ୍ତି କଟକସ୍ଥ #ମଧୁସ୍ମୃତି_ସୁରକ୍ଷା_ମଞ୍ଚ ଏବଂ ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମସ୍ଥ ମଧୁପୁର ମହାବିଦ୍ୟାଳୟର ଅଧ୍ୟାପକଅଧ୍ୟାପିକା ତଥା ଶିକ୍ଷାନବୀଶଗଣ !
ଅନୁଷ୍ଠିତ କାର୍ଯ୍ୟକ୍ରମ:
୧. ମଧୁପୁର ମହାବିଦ୍ୟାଳୟରେ ଏକ ଆଲୋଚନା ସଭା (Seminar) ଅନୁଷ୍ଠିତ, ଉକ୍ତ ସଭାରେ ତିନି ଜଣ ଗବେଷକ ସେମାନଙ୍କର ପ୍ରବନ୍ଧ ଉପସ୍ଥାପନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀମାନଙ୍କର ଅଂଶଗ୍ରହଣ ।
୨. ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ କୁଳବୃଦ୍ଧଙ୍କ ଚିତ୍ର ଅଙ୍କନର ପ୍ରତିଯୋଗିତା ।
୩. କଟକ ଇଦଗା ପଡ଼ିଆରୁ ଭବ୍ୟ ଶୋଭାଯାତ୍ରାରେ ଏକ ପ୍ରଜ୍ଜ୍ଵଳିତ ଜ୍ୟୋତି ବାହାରିଥିଲା, ଐତିହାସିକ କଲଣ ଗ୍ରାମରେ ଉକ୍ତ ଜ୍ୟୋତିକୁ ପାରମ୍ପରିକ ରୀତିରେ ଶଂଖ, ବେଦପାଠ, ହରିବୋଲ ହୁଳହୁଳି ଧ୍ୱନିରେ ସ୍ବାଗତ କରାଯାଇ ମହାବିଦ୍ୟାଳୟ ପରିସରରେ ସ୍ଥାପନ କରାଗଲା ।
୪. ମହାବିଦ୍ୟାଳୟ ପରିସରରେ ମଧୁବାବୁଙ୍କର ଏକ ଆବକ୍ଷ ମୂର୍ତ୍ତି ସ୍ଥାପନ ।
୫. ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍କର୍ଷ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ !
ବିଶ୍ୱରେ ଓଡ଼ିଆ ବୋଲି ଆମକୁ ପରିଚୟ ଦିଆଇଥିବା ଓଡ଼ିଆ ଜାତି ଓ ଓଡ଼ିଶାର ଏକମାତ୍ର ଗୌରବାବହ ଅନୁଷ୍ଠାନ ଉତ୍କଳ ସମ୍ମିଳନୀର ୧୨୦ତମ ପୂର୍ତ୍ତିଦିବସ ପାଳନ କାର୍ଯ୍ୟକ୍ରମରେ କଲଣ ତଥା ଆଖପାଖ ଗ୍ରାମର ବାସିନ୍ଦାମାନେ ଯୋଗଦେଇ ନିଜକୁ ଧନ୍ୟ କରିଥିଲେ ।
ବନ୍ଦେ ଉତ୍କଳ ଜନନୀ
Utkala Sammilanee
Madhupur
Kalana
Madhubabu
Odiapride
Odia Asmitara Mahaparba
Spread the love
Antaranga Kalinga

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

3 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

4 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago