ଲେଖା: ଦେଵ ତ୍ରିପାଠୀ

“ଗଦାକ୍ଷେତ୍ରଞ୍ଚ ବିରଜାମେକାମ୍ରଂ ଚକ୍ର ସଜ୍ଞକମ୍,
କୋଣାର୍କଂ ପଦ୍ମକ୍ଷେତ୍ରଞ୍ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ II”

ଭଗବାନ ମହାବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ‘ବାମଦେବ ସଂହିତା’ ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ନୀଳାଚଳ ପୁରୀକୁ ଭଗବାନଙ୍କ ଆୟୁଧ ଶଙ୍ଖ ସହ ସଂପୃକ୍ତ କରାଯାଇ ଶଙ୍ଖକ୍ଷେତ୍ର, ଏକାମ୍ରନଗରକୁ ଚକ୍ର ସହ ସଂଯୁକ୍ତ କରାଇ ଏହାକୁ ଚକ୍ରକ୍ଷେତ୍ର, ଗଦା ସହିତ ସଂଯୁକ୍ତ ହୋଇ ବିରଜା ତୀର୍ଥଟି ଗଦାକ୍ଷେତ୍ର ଏବଂ ପଦ୍ମ ସହିତ ସଂଯୁକ୍ତ ହୋଇ ଅର୍କକ୍ଷେତ୍ର କୋଣାର୍କ ପଦ୍ମକ୍ଷେତ୍ର ନାମରେ ପରିଚିତ ।

ଅନ୍ୟ ଏକ ପୁରାଣ ମତାନୁଯାୟୀ, ଗୟାସୁରର ମୃତ୍ୟୁରେ ଭଗବାନ ବିଷ୍ଣୁ ଅତିଶୟ ଆନନ୍ଦରେ ନୃତ୍ୟ କରନ୍ତେ ଶ୍ରୀହସ୍ତରୁ ଆୟୁଧମାନ ହୋଇଥିଲେ ଭୂପତିତ । ଚାରୋଟି ଆୟୁଧ ମଧ୍ୟରୁ ଗଦାଟି ପରମ ପାବନତୀର୍ଥ ବିରଜାକ୍ଷେତ୍ର ଯାଜପୁରରେ ପଡ଼ିଥିବାରୁ ଏଇ କ୍ଷେତ୍ର ଗଦାକ୍ଷେତ୍ର ଭାବେ ପରିଚିତ ହେଲା ।

ଏହି ଐତିହାସିକ ସମୃଦ୍ଧ ଯାଜପୁର ନଗରୀ ବୈତରଣୀକ୍ଷେତ୍ର ଭାବେ ମଧ୍ୟ ପରିଚିତ । ଗଙ୍ଗାଠାରୁ ପ୍ରାଚୀନ ବୋଲି ବିଶ୍ୱାସ କରାଯାଉଥିବା ଏବଂ ଗଙ୍ଗା ପରି ପରମ ପବିତ୍ର ତଥା ମହାଭାରତ ଯୁଗର ପ୍ରାଚୀନ ମନ୍ଦାକିନୀ ନଦୀର ଶାଖା ନଦୀ ସପ୍ତରେଖା ବା ବୈତରଣୀ ନଦୀ ଏ କ୍ଷେତ୍ରର ଶୋଭାବର୍ଦ୍ଧନ କରିଥାନ୍ତି । ମା’ ବୈତରଣୀଙ୍କ କମନୀୟ ତଥା ବହୁ ପ୍ରାଚୀନ ମୂର୍ତ୍ତି ପୂଜା ପାଇଆସୁଛନ୍ତି ଏଠାର ଦଶାଶ୍ବମେଧ ଘାଟରେ ।

ଏଇ ପବିତ୍ର ନଦୀର ଜଳରେ ଯୁଧିଷ୍ଠିର, ବ୍ରହ୍ମା ଓ ଦେବଗଣଙ୍କ ଗହଣରେ ଯଜ୍ଞ କରିଥିଲେ ବୋଲି କିମ୍ବଦନ୍ତୀ କହେ । ମହାଭାରତ ଯୁଦ୍ଧ ଉପରାନ୍ତେ ସମସ୍ତ ହତ୍ୟା ଦୋଷ ଛଡାଇବା ପାଇଁ ସ୍ନାନ କରିଥିଲେ ଏଇ ବୈତରଣୀ ନଦୀରେ । ଦଶାଶ୍ବମେଧ ଯଜ୍ଞ ସମାପନ କରି ବ୍ରହ୍ମା ହିଁ ସ୍ଥାପନା କରିଥିଲେ ଏଠାରେ ମା’ ବିରଜାଙ୍କୁ, ଆମନ୍ତ୍ରିଥିଲେ ଦେବୀଗଙ୍ଗାଙ୍କୁ । ଗଙ୍ଗାଙ୍କ ଅଂଶ ଭାବେ ଜାତ ହୋଇଥିବାରୁ ହିଁ ବୈତରଣୀ ଏତେ ପବିତ୍ର । ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମାଙ୍କ ତପଃ ବଳେ ଦେବୀ ବିରଜା ଏ କ୍ଷେତ୍ରରେ ବୈଦିକ ଦେବୀରେ ରୂପାନ୍ତରିତ ହେଲେ ଏବଂ ବ୍ରହ୍ମଦେଵ ତାଙ୍କୁ ଗାୟତ୍ରୀ ମନ୍ତ୍ରରେ ଉପାସନା କରି ଶ୍ରେଷ୍ଠ ବୈଦିକଦେବୀ ସ୍ବରୂପରେ ମହିମା ମଣ୍ଡିତ କଲେ । ସେଥିପାଇଁ ବ୍ରହ୍ମତନ୍ତ୍ର କହେ:

“ମାଘଦର୍ଶେ ସମୁଦ୍ଭୂତା ରବିକୋଟି ସମପ୍ରଭା
ମାଧବର୍କ୍ଷେତ ମଧ୍ୟାହ୍ନେ ବିରଜା ସା ସନାତନୀ
ଗାୟତ୍ରୀ ମନ୍ତ୍ର ରାଜେନ ତସ୍ୟା ପୂଜାଂ ସମାଚରେତ୍ ।”

ଏହି ବୈତରଣୀ ନଦୀର ତଟରେ ଅବସ୍ଥିତ ବାରୁଣୀତୀର୍ଥ, ଗୋକର୍ଣ୍ଣତୀର୍ଥ, କପିଳତୀର୍ଥ, ସୋମତୀର୍ଥ, ସଚ୍ଚିତୀର୍ଥ ପରି କେତେ କେତେ ପୌରାଣିକ ତୀର୍ଥ । ପରଂବ୍ରହ୍ମ ନାରାୟଣ ଏଠାରେ ଦ୍ଵାଦଶମାଧବ ଭାବେ ପୂଜିତ । ସାତଭଉଣୀ ବା ସପ୍ତମାତୃକା, ସିଦ୍ଧଗଣେଷ, ବରାହ, ଶ୍ରୀଜଗନ୍ନାଥ ଆଦି ଦେବଗଣଙ୍କ ଉପସ୍ଥିତି ଏ ପୀଠର ଗୁରୁତ୍ୱ ବଢ଼ାଇଛି ।

ଯାଜପୁରର ହର ଓ ବରାହତୀର୍ଥ ମଧ୍ୟବର୍ତ୍ତୀ ସ୍ଥାନରେ ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶ ତିଥିରେ ଯଦି କେହି ଏହି ଗଙ୍ଗାରୂପୀ ବୈତରଣୀରେ ସ୍ନାନ କରନ୍ତି, ତେବେ ଶତସୂର୍ଯ୍ୟ ଦର୍ଶନର ଫଳ ମିଳେ ବୋଲି ବିଶ୍ଵାସରହିଛି । ଏହାକୁ ବାରୁଣୀଯୋଗ କୁହାଯାଏ ।

ଗରୁଡ଼ପୁରାଣ, ପଦ୍ମପୁରାଣ, ବ୍ରହ୍ମାଣ୍ଡ ପୁରାଣ, ବାୟୁପୁରାଣ, କପିଳ ସଂହିତା, ବ୍ୟାସଙ୍କ ମହାଭାରତ, ଶାରଳା ଦାସଙ୍କ ଓଡ଼ିଆ ମହାଭାରତ, ଅବଧୂତ ଗୀତା, ବିରଜାକ୍ଷେତ୍ର ମାହାତ୍ମ୍ୟ ଇତ୍ୟାଦି ଏହି କ୍ଷେତ୍ରର ମାହାତ୍ମ୍ୟ ଗାନରେ ହୋଇଛନ୍ତି ପ୍ରଶଂସାମୁଖର । ଅଥର୍ବ ବେଦରେ ମଧ୍ୟ ଦେବୀ ବିରଜାଙ୍କ ନାମ ପରିଦୃଷ୍ଟ । (ଆମ ଓଡ଼ିଶା ମଧ୍ୟ ଅଥର୍ବ ବେଦର ଆଦିଭୂମି, ଅଥର୍ବ ବେଦର ବହୁଳାଂଶ ଓଡିଶାରୁ ଉଦ୍ଧୃତ ।)

କ୍ଷେତ୍ରେଶ୍ୱରୀ ବିରଜାଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ସମୟରେ ବିରଜା, ବିରଜାକ୍ଷେତ୍ର, ବିରଜା ପୀଠ, ବିରଜାନଗର, ବିରଜାମଣ୍ଡଳ ଆଦି ନାମକରଣ କରାଯାଇଛି । ଏଇ ମହାକ୍ଷେତ୍ରରେ ପିତୃପୁରୁଷଙ୍କ ମୁକ୍ତି ଓ ତୃପ୍ତିର ବିଧାନ ଥିବାରୁ ଏହା ମଧ୍ୟ ପିତୃତୀର୍ଥର ମାନ୍ୟତା ଲଭିଛି । ପିତୃତୀର୍ଥରୁ ଏହାର ନାମ କାଳକ୍ରମେ ନାଭିଗୟା ହୋଇଛି । ପରବର୍ତ୍ତୀ ସମୟରେ ଯାଜପୁର ଅବିମୁକ୍ତ କ୍ଷେତ୍ର, ବ୍ରହ୍ମକ୍ଷେତ୍ର, ଗଣପତିକ୍ଷେତ୍ର ଭାବେ ନାମିତ ହୋଇଛି ।

ସୋମବଂଶୀ ସମ୍ରାଟ ଯଯାତି କେଶରୀଙ୍କ ନାମାନୁସାରେ ଏହି କ୍ଷେତ୍ରାଧିରାଜ ଯାଜପୁର ଏକଦା ଯଯାତି ନଗର ବା ଯାଯନଗ୍ର ଭାବେ ପରିଚିତ ଥିଲା ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago