ଉପସ୍ଥାପନା: ବନ୍ଧନ ଦଳେଇ
ରଜପର୍ବ ଆମ ଓଡ଼ିଶାର ଏକ ନିଜସ୍ବ ପର୍ବ । ମୁଖ୍ୟତଃ ଝିଅବୋହୂଙ୍କ ଦ୍ଵାରା ପାଳିତ ହୁଏ ଏଇ ପର୍ବ । ମିଥୁନ ସଂକ୍ରାନ୍ତିକୁ ମିଶାଇ ଚାରିଦିନ ଏହି ପର୍ବ ପାଳିତ ହୁଏ । କିଶୋରୀ ଓ ବଧୂଗଣ ପୋଡ଼ପିଠା ଓ ରଜମୁଢ଼ି ଖାଇ ନୂତନ ବସ୍ତ୍ର ପରିଧାନ କରି ଦୋଳି ଖେଳରେ ମାତି ରହନ୍ତି । ଦୋଳିରେ ଜଣେ ଝୁଲେ, ଆଉ ଜଣେ ଝୁଲାଏ । ଖେଳିଲାବେଳେ କିଶୋରୀମାନେ ଗାଇ ଉଠନ୍ତି ରଜଦୋଳି ଗୀତ:
‘‘ରଜଦୋଳି କଟମଟ,
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ, ଦିଶୁଥାଏ ଝଟ ଝଟ ।’’
ବେଳେ ବେଳେ ଦୁଇ ଦଳରେ ଦୋଳି ଖେଳୁଥିବା କିଶୋରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ । ପ୍ରଶ୍ନୋତ୍ତର ଚାଲେ ଗୀତରେ । ପୂର୍ବରୁ ଥିବା ପୁରୁଣା ଗୀତ ତ ଚାଲେ, ତା ଛଡ଼ା ନୂତନ ପଦମାନ ମଧ୍ୟ ମୁହେଁ ମୁହେଁ ବୋଲାଯାଏ । ଏହା ସରଳା, ନିରକ୍ଷରା, ଗ୍ରାମ୍ୟବଧୂ ଓ କିଶୋରୀମାନଙ୍କ କବିପ୍ରତିଭାର ସମ୍ୟକ ପରିଚୟ ପ୍ରଦାନ କରେ ।
“ଆମର ଅତୂଲ୍ୟ ଲୋକସାହିତ୍ୟ ଯେ ଅନ୍ୟ ବିଦଗ୍ଧ ସାହିତ୍ୟ ଦୃଷ୍ଟିରୁ କୌଣସି ଗୁଣରେ ଉଣା ନୁହେଁ” ସେପରି ଅନୁଭବ ହୁଏ ଆମର ଏଇ ରଜଦୋଳି ଗୀତ ପାଠକଲେ ।
~ ରଜଦୋଳି ଗୀତ ~
ବନସ୍ତେ ଚାଳିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ମୋ ଘେନି ନୂଆ ସଜବାଜ ॥
ରାଶିରୁ ଛାଡ଼ିଲା ଚୋପା,
ଗୋଡ଼ରେ ନାଇଛୁ ସରୁ ଅଳତା ଲୋ,
ମଥାରେ ସିନ୍ଦୂର ଟୋପା ।।
ଉଡ଼ିଲା ଶୁଆ ନାହାକା,
ଦୋଳିଟା କାହିଁକି ଲାଗୁଛି ଏକା ଲୋ,
କାହା ବିନା ଏକା ଏକା ।।
ପାଚିଲା ବଇଁଚ କୋଳି,
ବେକରେ ନାଇଚି ଗଜରା ମାଳି ଲୋ,
ଝୁଲାଅ ରଜର ଦୋଳି ।।
ପଣସ ପାଚିଲା ବନେ,
ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ,
ମନକଥା କିଏ ଜାଣେ ।।
ଶଙ୍ଖ ମଲମଲ ଗିନା,
ଦରଦ ଜାଣେଲୋ ଦରଦୀ ସିନା ଲୋ,
ବଣିଆ ଚିହ୍ନେଟି ସୁନା ।।
ନିମ୍ବର ବୁକେ ଚନ୍ଦନ,
ଦେବତା ଗଢ଼ାଇଲା ନାରୀ ଜୀବନ ଲୋ,
ଦେଲା ତହିଁ ଯଉବନ ।।
ଜମଣା ଛାଡ଼ିଲା କାତି,
ପୁରୁଷ ସିନାଲୋ ଭ୍ରମର ଜାତି ଲୋ,
ନୂଆ ଖୋଜୁଥାନ୍ତି ନିତି ।।
ଚାନ୍ଦରେ କଳଙ୍କ ଚିହ୍ନ,
ନବ ଯଉବନି କିଆଁ ଗୁମାନ ଲୋ,
ଆସିଲେଣି ଜୀବ ଧନ ।।
ପୋଖରୀ ତୁଠ ପଥର,
ତତେ ଦେଖିଥିଲି ବାଲି ବନ୍ଧରେ ଲୋ,
ଆଖି ଥିଲା ଏଣେ ତୋର ।।
ସାହାଡ଼ା ଗଛର ଛାଇ,
ସେଦିନ କଥା କି ତୋ ମନେ ନାଇଁ ଲୋ,
ଏତେ ଆନମନା କାହିଁପାଇଁ ।।
ଖୋସାରେ ଖୋସିଲି ଫୁଲ,
କେତେ ଦେଖାଉଛୁ ନୁଖୁରା ଗେଲରେ,
ଭାଙ୍ଗି ଦେବି ତୋର ଗାଲ ।।
ନଈର ଶୁଖିଲା ବାଲି,
କେତେ ଫୁଲି ହେଉ ପୁଚୁକିଗାଲି ଲୋ,
ଦେଖାଉଛୁ କେତେ ବେଲି।।
ବାଜିଲା ତେଲିଙ୍ଗି ବାଜା,
ରସିକ ଯେ ଜାଣେ ସ୍ନେହର ମଜା ରେ,
ସେ ସିନା ମୋ ମନ ରଳା ।।
ଲୁଚିଗଲା ମେଘେ ଚାନ୍ଦ,
ଦୋଳି କଟକଟ କରେ ଶବଦ ଲୋ,
ବହନ୍ତେ ପବନ ମନ୍ଦ ।।
ଦୋଳି ହୁଏ ରଟରଟ,
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ,
ଦିଶୁଥାଏ ଝଟଝଟ ।।
ପରବତେ ଜଳେ ନିଆଁ,
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ,
ପୁଣି ହେବ ବାଆଁ ଗାଁ ।।
ଉତୁରି ପଡ଼ିଲା ଦୁଧ,
ଉଙ୍କି ମାରି ମାରି ଅନାଉ ଥାଏ ଲୋ,
ନନ୍ଦର ଉଦିଆ ଚାନ୍ଦ ।।
ଛତରା ବଜାର ହାଟ,
ଛକି ବସିଥିବ ଚଗଲା କାହ୍ନୁଲୋ,
ଛନ୍ଦରେ ମାଗିବ ଘାଟ ।।
ଥୋଡ଼ମଞ୍ଜା କଲି ରାଇ,
କଣ ନ କଲେ କଳା କହ୍ନାଇ ଲୋ,
ମୁହଁକୁ ଯା ନ ଅନାଇ ।।
କରମଙ୍ଗା କଲି ରାଇ,
ମଥୁରାକୁ ଗଲେ କଳା କହ୍ନାଇ ଲୋ,
କଣ୍ଟ ଦେଇ ଗଲେ କାହିଁ ।।
ସାଉଁଟିଲି ବିଲ ଘଷି,
କିମ୍ପାଇଁ ରାଧଳା ବସିଲା ରୁଷି ଲୋ,
ଫୁଲ ଶେଜ ହେଲା ବାସି ।।
କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ,
ଭାଇ ବିଦେଷୁ ନଇଁଲେ ବୋଲି ।।
ଗରଜେ କଳା ବଉଦ,
ମୋତେ ତ ବରଷ ହେଲା ଚଉଦ ଲୋ,
ଗଲାଣି ପିଲା ସୁଆଦ ।।
ବଇଁଶୀ ବାଜିଲା କୁଞ୍ଜେ,
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ,
ଛୋଟ କଲେ ଛାଟ ବାଜେ ।।
ଲାଞ୍ଜ ଟେକିଗଲା ବାଘ,
ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ,
ଲାଗିବ ନାହିଁଟି ଦାଗ ।।
ଛତୁ ଫୁଟେ ବରଷାରେ,
ଛତରାଟା କେତେ ଛଇ ଦେଖାଲ ରେ
ଅଛି କି ତୋ ଭରଷାରେ ।।
କରଡ଼ି ଖସିଲା ଆମ୍ବ,
ପର କାହୁଁ ଘର ପରାଣୀ ହେବେ ରେ,
ମନ ଜାଣି ଖଞ୍ଜି ଦେବ ।।
ବିରାଡ଼ି ଛିଙ୍କିଲା ବଣେ,
ଆଗରେ ଯାଉଛି ନାଗର ଜଣେ ଲୋ,
ମୁଣ୍ଡି ଝାଡୁ ଖାଲି ପଣେ ।।
ଅଦିନେ ପଣସ ସିଠା,
ବଚନରେ ଯାର ନଥାଏ ମିଠା ଲୋ,
ସେଟା ବାଡ଼ ପକା କଣ୍ଟା ।।
ପାହାନ୍ତି ରାବିଲେ ପେଚା
ଯିଏ ହୋଇଥିବ ସିଂହର ବଚା ଲୋ,
ନ ଦେବ ପଛଘୁଞ୍ଚା ।।
ମଇଁଷି ଶିଙ୍ଗରେ ଖସା,
ମଉସା ପୁଟା ଏଡ଼େ ସହସା ଲୋ,
ମତେ କଲା ଲୋକହସା ।।
ଜାରା ମାରିଦେଲା ବାଣ
ଯାହାଠାରେ ଯାର ମିଶିଛି ମନ ଲୋ
ସେହି କାରଣ ତାର ଗୁଣ ।।
କାଟି ଗଲି କଳାଦୁବ,
ଝିଅ ଜନମରେ ଏତିକି ଲାଭ ଲୋ,
ବନ୍ଧୁ ଘର ଅରଜିବ ।।
କାଳୀଗାଇ ଦୁଧ କ୍ଷୀରି,
ନୂଆ ପୀରତିରେ ମଉଜ ଭାରି ଗୋ,
ପୁରୁଣାଟି ନିମ୍ବ ପରି ।।
ଆମ୍ବ ପତ୍ର ଗହଳିଆ,
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ,
ତୋଫା ହେବଟି ଧୁଳିଆ ।।
ଥରି ଥରି ଚାଲେ ହାତୀ,
ଥୟ ନ ହେଉଛି କିମ୍ପା ଏ ଛାତି ଲୋ,
ଥକା ଦୋଳି ବେଲା ରାତି ।।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago