~ ଗୁରୁ ~

ଲେଖା: ଅମୃତେଶ ଖଟୁଆ
‘ପୁଣି ପଡଇ ଘୋରତମେ ।
ଗତ ଆଗତ ପଥଶ୍ରମେ ।।
ଏ କଥା ବୁଝି ଗୁରୁ ପାଦେ ।
ଆଶ୍ରେ କରିବ ଅପ୍ରମାଦେ ।।
ଉତ୍ତମ ଗୁରୁ ଆଶ୍ରେ କରି ।
ତାଙ୍କ ବଚନ ଶିରେ ଧରି ।।
ସମଦରଶୀ ନିଷ୍ଠାପର ।
ତପ କଷଣ ସହେ ଧୀର ।।
ନିରତେ ଥାଇ ପରହିତେ ।
ଈଶ୍ୱର ମାୟା ଜାଣି ଚିତ୍ତେ ।।
ଏମନ୍ତ ଗୁରୁପାଦ ଭଜି ।
ହିଂସା କପଟ ଦୂରେ ତେଜି ।।
ସେବା କରିବ ଦୃଢଚିତ୍ତେ ।
ଯେ ଗୁରୁଶିଷ୍ୟ ଭାବମତେ ।।
ଏଣେ ପ୍ରସନ୍ନ ନାରାୟଣ ।
କରନ୍ତି ଆତ୍ମଜ୍ଞାନ ଦାନ ।।’
(ଓଡ଼ିଆ ଭାଗବତ, ୧୧ଶ ସ୍କନ୍ଧ, ୪ର୍ଥ ଅଧ୍ୟାୟ)
ନବଜାତ ଶିଶୁର ପ୍ରଥମ ଅନ୍ନପ୍ରାଶନ ପରେ ମାତାଙ୍କ ମୁଖଦର୍ଶନ କରି ଏକ ନୂତନ ସତ୍ତାଧାରୀ ଭାବରେ ଜଗତର ଆଦ୍ୟ ଶିକ୍ଷା ଲାଭ କରେ ଜୀବନ । ତହୁଁ ଚପଳ ଶିଶୁର ଦରୋଟି ଅଧରରେ ଥିବା ତାର ଅନଭିଜ୍ଞ ବାହ୍ୟ ପରିଚୟ ଅନ୍ତରାଳରୁ ଅଗତ୍ୟା ଫୁଟିଉଠେ ନାନାବିଧ କୌତୂହଳ । ଅନ୍ତଃକରଣରେ ତାହାର ଚଞ୍ଚଳତା ଯେତିକି ଅଦୃଷ୍ଟ ଓ ଅପରିଚିତ ବୋଲି ମନେ ହୋଇପାରେ, ଠିକ୍ ସେହି ସମୟରେ ସ୍ଥୂଳଜଗତର ଊର୍ଦ୍ଧ୍ଵରେ ଥିବା ଏହି କୌତୂହଳ ସହିତ ଉକ୍ତ ଚଞ୍ଚଳତାରୁ ଦୁଇଟି ପରସ୍ପର ବିରୋଧୀ ଶକ୍ତି ଉପୁଜେ । ଗୋଟିଏ ଯଦି ଜାଗତିକ ସତ୍ୟାସତ୍ୟ ପ୍ରତି ଅଭିପ୍ରେତ, ଅପରଟି ମାତ୍ର ଏକାନ୍ତ ଆତ୍ମିକ ଜ୍ଞାନଲିପ୍ସାର ଜୀବନୀ ଶକ୍ତି ବୋଲି ଜାଣିହୁଏ ।
ସଚରାଚର ବିଶ୍ଵର ଏହା ସ୍ଵାଭାବିକ ପ୍ରବୃତ୍ତି । ତେବେ ପ୍ରଥମ ଶକ୍ତି ଯାହା ଜାଗତିକ ସତ୍ୟାସତ୍ୟ ପ୍ରତି ଅଭିପ୍ରେତ ରହିଥାଏ, ତାହାର ମୁଖ୍ୟ ପରିଚାଳକ ଆମ ଇନ୍ଦ୍ରିୟଗୋଚର ଶକ୍ତି । ଯାହା ଅନୁଭୂତି ଓ ପ୍ରତ୍ୟକ୍ଷଦର୍ଶିତାରୁ ପ୍ରାପ୍ତି ହେବ ବୋଲି ଆମର ସ୍ଥୂଳ ଇନ୍ଦ୍ରିୟମାନଙ୍କ ପକ୍ଷରେ ସାଧ୍ୟ, ତାହା ବିଶେଷ କରି ଆମ ବାହ୍ୟ ଜଗତର ସମସ୍ତ ଉପାଦାନରେ ରହିଛି । ଦେହ ହିତକାରୀ ସୁସ୍ଵାଦୁ ଖାଦ୍ୟପେୟ, ରମଣୀୟ ପ୍ରକୃତିର ଆକର୍ଷଣ, ସୌନ୍ଦର୍ଯ୍ଯନିପୁଣା ସିଦ୍ଧରମଣୀ, ବିକ୍ରମଶାଳୀ ପୁରୁଷ, ଗୁଣୀ ଓ ସାମର୍ଥ୍ୟବାନ୍ ତରୁଣ, ଅଘଟନ- ଘଟନ-ପଟ୍ଟୀୟସୀ ଶିଶୁର ନିରୀହ ଚାହାଣି, ସୁନ୍ଦର ସଙ୍ଗୀତ ଓ ଛନ୍ଦଲଳିତ ନୃତ୍ୟଭଙ୍ଗୀ, ଉତ୍ସବିତ ଧରଣୀର ଆଡମ୍ଵର ପ୍ରଭୃତି ଆମକୁ ନିୟମିତ ଦେଖା ଦିଅନ୍ତି ।
ପୁନଶ୍ଚ ଆମ ଅନ୍ତର୍ଗତ ପ୍ରବୃତ୍ତି ଯେହେତୁ ସ୍ଥୂଳ ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ଏସବୁର ପ୍ରତ୍ୟକ୍ଷଦର୍ଶୀ ଅଟେ, ତେଣୁ ତାହା ଠାରେ ବାହ୍ୟ ଆଚରଣ ମଧ୍ୟ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ପ୍ରଭାବିତ ହୁଏ । ସେଥିରୁ ଉଦ୍’ଭୂତ ଆମର ସୁଖ, ଦୁଃଖ, କ୍ଳେଶ, ଯନ୍ତ୍ରଣା, ନିର୍ବେଦ, ଭୋଗ, ଇଚ୍ଛା, ଲୋଭ, ମୋହ, ମନୋଯୋଗ, ଅମନୋଯୋଗ ଆମ ପ୍ରବୃତ୍ତିକୁ ଧାରଣ କରି ଉତ୍ଥାନ ପତନ ହୁଅନ୍ତି । ଜ୍ଞାନଶକ୍ତିର ସଂସ୍ପର୍ଶରେ ଏହା ମଧ୍ୟରୁ ଊଣାଧିକେ କେହି ଅନୁଭୂତ ହୁଅନ୍ତି ଅଥବା ହେଲେ ମଧ୍ୟ ତାହା ନିହାତି କ୍ଷଣଭଙ୍ଗୁର । ତେଣୁ କରି ସତ୍ୟ ଓ ଅସତ୍ଯର ପୃଥକ୍ ଅନୁଭବ ହେବାରେ ଆମର ଏହି ସ୍ଥୂଳ ମାନସିକତା ଚେତନାର ଆଶ୍ରୟ ନିଏ ।
ଆମ ବାହ୍ୟ ସଂସର୍ଗରେ ତେଣୁ ଅନ୍ତର୍ନିହିତ ଜଣେ ବନ୍ଧୁବତ୍ସଳ କିଶୋର, ଦିଗ୍’ଦର୍ଶକ ଅଭିଭାବକ, ସଂଗ୍ରାମର ଶାନ୍ତିପ୍ରିୟ ଯୋଦ୍ଧା ଯିଏ ଧର୍ମାଚାର ପାଇଁ ମାତ୍ର ଯୁଦ୍ଧୋଦ୍ୟତ ରହିଥାଏ ଅଥବା ଆମ ଜୀବଦ୍ଦଶାରେ ଆସୁଥିବା ତଦ୍ରୂପ ବ୍ୟକ୍ତିଚେତନାଙ୍କ ଦ୍ଵାରା ଆମର ଯେଉଁ ପ୍ରାକୃତିକ ଅବସ୍ଥାର ଅନୁଭବ ହୁଏ, ତାହା ହିଁ ଆମ ଚେତନାର ପ୍ରସାରିତ ରୂପ । ବାହ୍ୟ ଜଗତରେ ଯେତେ ସ୍ଥୂଳ ସ୍ତରର ପରିଚୟ ଅତିକ୍ରମ କରି ଆମେ ଆସିଥାଉ, ତାହା ଆମ ପାଇଁ କେତେ ବ୍ୟକ୍ତିଗତ ଓ ସାର୍ବଜନୀନ ତାହା ପ୍ରତି ସ୍ତରରେ ପୃଥକ୍ ରହେ । ହେଲେ କ୍ରମଶଃ ବ୍ୟକ୍ତିଚେତନାରୁ ଉତ୍ତୀର୍ଣ୍ଣ ହେବା ଭିତରେ ଆମ ପ୍ରସାରିତ ଚେତନାର ଏକ ଦିଗ୍’ବଳୟରେ ଆମର ପ୍ରବେଶ ହୁଏ ।
ଦେହ ଧାରୀ ମଣିଷର ଧର୍ମ ହେଉଛି,
‘କର୍ମ କଷଣ ଦେହ ସହେ ।
ଅରଣ୍ୟେ ଅଜଗର ପ୍ରାୟେ ।।’
ଆମ ଚଳନ୍ତି ଜୀବନରେ ଅସମାହିତ ପ୍ରଶ୍ନ ଓ କୌତୂହଳର ଉଦ୍ରେକ ଘଟେ ଯାହା ପ୍ରଥମତଃ ବାହ୍ଯ ସ୍ଵରୂପର ଉପଲବ୍ଧିରୁ ଉଦ୍ୟତ ହୋଇ କ୍ରମାଗତ ଅନ୍ତରାଳରେ ଥିବା ଆମ ଜ୍ଞାନଲିପ୍ସାର ଜୀବନୀ ଶକ୍ତିକୁ ସ୍ପର୍ଶ କରେ । ତାହା କିନ୍ତୁ ଇନ୍ଦ୍ରିୟଗୋଚର ଶକ୍ତିର ବହିର୍ଭୂତ ହେଲେ ହେଁ ଅଭିନ୍ନ । କାରଣ ଇନ୍ଦ୍ରିୟମାନଙ୍କ ସ୍ଵରୂପ ଉପଲବ୍ଧିକୁ ଆମ ଚେତନାର ବିଭିନ୍ନ ସ୍ତର ଦେଇ ଅନ୍ତର୍ଗତ ଭାବରାଜ୍ୟରେ ପ୍ରସ୍ଫୁଟିତ ହେବାରୁ ତାହା ଉଜ୍ଜୀବିତ ହୁଏ ।
ତାହା ପ୍ରାଣବନ୍ତ ଅଟେ । କବିତାଧର୍ମୀ କଳ୍ପନା ଓ ବର୍ଣ୍ଣନାର ଭିତ୍ତି ବା ଜଣେ ସନ୍ଥସୁଲଭ ବ୍ୟକ୍ତିର ଉପଲବ୍ଧି ଭଳି ତାହାର ସ୍ଥୂଳରୂପ । କିନ୍ତୁ ପରିଣାମରେ ସେ ହିଁ ଏ ସମସ୍ତର ଉତ୍ସ ଭାବରେ ବିଦ୍ୟମାନ ରହି ଆମ ପ୍ରବୃତ୍ତିକୁ ଉତ୍କର୍ଷ ଓ ସ୍ଵାଭାବିକତା ଦେଇପାରେ । କେତେ ସବୁ କଥା ପୁଣି ପ୍ରତୀକଧର୍ମୀ । ଏହା ସ୍ଵଭାବତଃ ଆମ ଜୀବନର ବିପୁଳ ପ୍ରଶ୍ନ – ଜ୍ଞାନର ଉପଲବ୍ଧି ଯଦି ସୂକ୍ଷ୍ମ ଭାବରେ ଅନୁଭବବୋଧ୍ୟ, ତେବେ ପ୍ରତ୍ୟେକ ମଣିଷର ସେହି ଜ୍ଞାନଲିପ୍ସାର ଜୀବନୀ ଶକ୍ତି ପ୍ରତି ଅଭିନ୍ନ ଚିନ୍ତାଧାରା କାହିଁକି ଦୃଶ୍ୟମାନ ହୁଏନାହିଁ ? ପ୍ରତି ସତ୍ତାରେ ତାହାର ସୂକ୍ଷ୍ମ ରୂପ କ’ଣ ଭେଦ ରଖେ ?
ଏହାର କାରଣ ସମ୍ଭବତଃ ସାର୍ବଜନୀନ ସତ୍ଯ ନ ହୋଇପାରେ । ପ୍ରତ୍ୟେକ ଧାରଣାରେ ସେହି ଗୂଢ ଦର୍ଶନର ସମ୍ଭାବ୍ୟ ରୂପରେଖ ଆମ ପକ୍ଷରେ ପ୍ରବୃତ୍ତିଜନିତ ପାର୍ଥକ୍ୟ ଧାରଣ କରେ । ତେଣୁ, ତାହାକୁ ଏକୀଭୂତ ଚେତନା ରୂପରେ ଆତ୍ମଜ୍ଞାନ ଦ୍ଵାରା ଲାଭ କରିବା ଅନାୟାସସାଧ୍ୟ । କାରଣ ଆତ୍ମଜ୍ଞାନ ଏହି ଜ୍ଞାନଲିପ୍ସୁ ଜୀବନୀ ଶକ୍ତିର ମହନୀୟ ଅଥଚ ବିପୁଳ ଉତ୍ସ ଯାହା ଥରେ ବିଦିତ ହେବା କ୍ଷଣି ତାହାର ଅବକ୍ଷୟ ନଥାଏ । ଏଥିପାଇଁ ଯେ ଏହା ଆମ କ୍ଷୀୟମାଣ ଇନ୍ଦ୍ରିୟଗୋଚର ଶକ୍ତିର ଆଢୁଆଳରେ ଥିବା ଦିବ୍ୟ ଉତ୍ତରଣର ପନ୍ଥା । ଆମ ଚେତନାର ପ୍ରସାରଣ ସହ ଏହା ପ୍ରତ୍ଯହ ଜାଗତିକ ପ୍ରାଣସ୍ଵରୂପରେ ଅବତୀର୍ଣ୍ଣ ହେଉଥାଏ ।
ଉକ୍ତ ଦିବ୍ୟ ଉତ୍ତରଣର ପନ୍ଥା ଜ୍ଞାନ ରସଦାୟୀ ପାଦପ ସମାବୃତ ରହିଛି ଯାହାର ଫଳସ୍ଵରୂପ ଅବବୋଧର ଫଳ ଉଦ୍’ଗତ ହେଉ ଥାଏ । କିନ୍ତୁ ବାହ୍ଯ ପ୍ରବୃତ୍ତିର ଆକର୍ଷଣୀ ଶକ୍ତି ପ୍ରଚଣ୍ଡ । ଅଧିକନ୍ତୁ, ଏହାକୁ ଅତିକ୍ରମ କରିବାକୁ ଅନେକଙ୍କର ଅହଂତୃପ୍ତି ତାହାକୁ ବ୍ୟାହତ କରେ । ଚେତନା ଯେତେବେଳେ ସନ୍ଦିଗ୍ଧ ହୋଇପଡେ ସେହିପରି ଏକ ଅଜ୍ଞାତ ପନ୍ଥାର ଆବିଷ୍କାରରେ, ମୁକ୍ତିର ଆଲୋକ ପ୍ରସ୍ରବଣ ସେଠାରେ ସେହି ଉତ୍ତରଣର ପନ୍ଥା ଦେଖାଇବା ବଦଳେ କ୍ଷୀଣତର ରହେ । ଏକ ପାର୍ଶ୍ଵର ଜ୍ଞାନର ଲୁଳିତ ରଶ୍ମିରେଖା କ୍ଷୀଣ ବିନ୍ଦୁ ପରି ଅପରପାର୍ଶ୍ଵର ଜାଗତିକ ଅହଂତୃପ୍ତିର ଅନ୍ଧକାରକୁ ବିଦୀର୍ଣ୍ଣ କରିବାରେ ନିରନ୍ତର ରହିଛି ।
ଏହି ଅନ୍ଧକାର କୋଣରେ ଛକି ବସିଥିବା ଗତାନୁଗତିକ ଉଚ୍ଚାକାଂକ୍ଷା ଦ୍ଵାରା ମନର ଯେଉଁ ତିମିରାଚ୍ଛନ୍ନ ଅହଂତୃପ୍ତି ମୁକୁଳି ପାରିନି, ସେଠାରେ ଗୁରୁ ଦିବ୍ୟ ଆଲୋକବର୍ତ୍ତିକା ରୂପରେ ସ୍ଵରୂପ ଗ୍ରହଣ କରନ୍ତି । ବିଲୁଳିତ କ୍ଷୀଣ ରଶ୍ମିରେଖାରୁ ସିଧାସଳଖ ପ୍ରାଣୀର ତଦ୍’ଗତ ଜ୍ଞାନଲିପ୍ସୁ ଜୀବନୀ ଶକ୍ତିରେ ତାଙ୍କର ଆବିର୍ଭାବ ଘଟିବ । ଗତାଗତ ଜୀବନର ବିତୃଷ୍ଣାକୁ କ୍ଷୁଣ୍ଣ କରି ନିସ୍ତେଜ ପ୍ରାଣଶକ୍ତିରେ ପ୍ରବୃତ୍ତିର ଯାବତୀୟ ଦ୍ଵନ୍ଦ୍ଵର ଅବସାନ କରିବାକୁ ତାଙ୍କ ଚିତ୍ତବୃତ୍ତି ନିର୍ମଳ କରୁଣାଲୋକର ପ୍ରସ୍ରବଣ । ଜଣେ ସାଧାରଣ ଆଗନ୍ତୁକ ପରି ତାଙ୍କର ପଦପାତ ମାତ୍ର ତାଙ୍କଠାରେ ସେହି ଅଭିନ୍ନ ଜ୍ଞାନଲିପ୍ସାର ପ୍ରତ୍ୟେକ ଉତ୍ତର ରହିଥାଏ । ଦୃଷ୍ଟିଭ୍ରମରେ ବିଚ୍ୟୁତ ଓ ବିଭକ୍ତ ମନେ ହେଉଥିବା ଆମ ଅଭିନ୍ନ ଚିନ୍ତାଧାରାକୁ ସେ ଏକୀଭୂତ କରି ଆବାହନ କରନ୍ତି ।
ପ୍ରଚ୍ଛନ୍ନ ଆଧ୍ୟାତ୍ମିକ ବ୍ୟାପକତାରେ ଯୁଗେ ଯୁଗେ ମଣିଷକୁ ସୀମାବଦ୍ଧ ପ୍ରବୃତ୍ତିର ଆକର୍ଷଣୀରୁ ଉତ୍ତୀର୍ଣ୍ଣ କରାଇ ବିମୁଗ୍ଧ ଚେତନାର ବାଣୀ ଶୁଣାଇବାରେ ଯାହାଙ୍କ ରୂପଶ୍ରୀ ଜ୍ଞାନର ସମ୍ଭ୍ରମ ସିଦ୍ଧାନ୍ତ, ‘ଗୁରୁ’ ଭାବରେ ସେହି ମୁଗ୍ଧ ଈଶ୍ଵରଙ୍କର ଅଭ୍ୟୁଦୟରେ ଜଣେ ଜଣେ ଶିଷ୍ୟ ରୂପରେ ପ୍ରାଣୀଚେତନା ଚେଇଁଉଠେ । ଅଦୃଷ୍ଟ ଚେତନାର ଆଲୋକବର୍ତ୍ତିକା ମଧ୍ୟରେ ସେ ସ୍ଥୂଳତଃ ଯଦ୍ୟପି ଆସି ପାରନ୍ତି, କିନ୍ତୁ ତାଙ୍କର ଆତ୍ମିକ ଜୀବନୀ ଶକ୍ତି ଐଶୀ ଉତ୍ସର ନିବାସ । ପରିଚ୍ଛନ୍ନ ଆତ୍ମପ୍ରତ୍ୟୟ ଦ୍ଵାରା ଶିଷ୍ୟତ୍ଵର ଅସ୍ମିତା ଆମକୁ ପ୍ରଦାନ କରନ୍ତି । ଅକ୍ଳାନ୍ତକର୍ମା ସାଧକଗଣଙ୍କ ମଧ୍ୟରେ ଗୁରୁ ହେଉଛନ୍ତି ସମସ୍ତ ଅତିମାନସ ମୂଲ୍ୟବୋଧର ଉଦାତ୍ତ ସଂଜ୍ଞା ।
ତାଙ୍କ ସାଧନା ଦ୍ଵାରା ସଂସାରରେ ‘ସଂସ୍କାର’ ଉପୁଜେ ଓ ‘ସନ୍ଦେହ’ ପରିଣତ ହୁଏ ‘ସନ୍ଧାନ’ରେ । ଅର୍ଥାତ୍, ଜ୍ଞାନଲିପ୍ସାର ଉଦ୍ରେକ ଘଟାଇ ଜୀବନର ସ୍ବତଃସ୍ଫୁର୍ତ୍ତ ରୀତିରେ ଉତ୍କର୍ଷ ଓ କଲ୍ୟାଣର ଅନ୍ଵେଷଣରେ ତାଙ୍କର ଶିଷ୍ୟ ପ୍ରତ୍ୟେକ ଲେଖାଏଁ ଜଣେ ନୀରବ ପରିବ୍ରାଜକ । ସେମାନଙ୍କ ପଦଚାରଣାରେ ଗୁରୁଙ୍କ ତାତ୍ପର୍ଯ୍ୟ ନିରବଚ୍ଛିନ୍ନ ହୁଏ ଗରୀୟାନ୍ । ସୃଷ୍ଟିର ଅପରିହାର୍ଯ୍ୟ ସମସ୍ତ ଶୁଚିଶୀଳ ମହତ୍ତ୍ଵରେ ଗୁରୁଙ୍କର ଗୌରବ ସମର୍ଥନ କରି ପ୍ରତି ଶିଷ୍ୟ ପ୍ରବୃତ୍ତିର ଅବଦମନରେ ନିଜର ଉତ୍କର୍ଷ ଘେନି ପ୍ରଭୁତ୍ଵ ସାବ୍ୟସ୍ତ କରିଚାଲେ ।
Amritesh Khatua Guru
Spread the love
admin

Recent Posts

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago