ସୃଷ୍ଟିସମଗ୍ର

ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ

ଲେଖା: କରୁଣାକର ପାଟ୍ଟଶାଣୀ
ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ ! ରଜ ପର୍ବରେ କୁଆଁରୀ ଝିଅମାନଙ୍କର ଦୋଳି ଖେଳ ଏକ ପ୍ରଧାନ ଆକର୍ଷଣ। ଦୋଳି ଖେଳ ଭିତରେ କୁଆଁରୀ ମନର ଅଫିଟା କଥା ସବୁ ମୁକୁଳି ପଡେ। କୁମାର ପୂନେଇଁ ଗୀତ ପରି ରଜଦୋଳି ଗୀତ ଝିଅମାନଙ୍କ ମୁଖରେ ଚହଲୁଥାଏ:
“ରଜ ଦୋଳି କଟମଟ ଲୋ
ଫୁଲ ବଉଳ ବେଣୀ
କୁଆଁରୀ ମନର ଗୋପନ କଥାକୁ
କହିଦେବା ମନ ଖୋଲିଲୋ
ଫୁଲ ବଉଳ ବେଣୀ।।”
‘ରଜ ଦୋଳି କଟମଟ’ ହେଲା ପରି କୁମାରୀ ମନ ଭିତରେ ଅନେକ ଅକୁହା କଥା କୁହାଟ ଛାଡୁଥାଏ। ଅନ୍ତରଙ୍ଗ ବାନ୍ଧବୀର ବେଣୀ ପରି ତା’ର ଚହଲା ମନ ବି ରହସ୍ଯମୟୀ, ଫୁଲ ପରି କୋମଳ, ବଉଳ ପରି ବାସ୍ନାୟିତ, ତେଣୁ ଆକର୍ଷକ। ଦୋଳି ଖେଳ ସହ ସଖୀ ଫୁଲ, ବଉଳର ଥଟାତାମସା ଆଉ ତା’ରି ଭିତରେ ଗୁମର କଥା ମୁକୁଳୁଥାଏ। ପୁଣି ଗୀତର ଶାଖା-ପତ୍ର ମେଲିଯାଏ। ଦୋଳିରେ ଝୁଲିବାକୁ ମନ; କିନ୍ତୁ ଧୀରେ ଧୀରେ, ତେଣୁ ସଖୀକୁ କହେ:
“ଥିରି ଥିରି ଝୁଲା ଦୋଳି
ଓଢ଼ଣୀ ଯାଉଛି ପବନେ ଉଡ଼ି
ପବନେ ଉଡ଼ି ଲୋ
ଗଭା ଫୁଲ ଯାଏ ଝଡ଼ି।।”
‘ଓଢ଼ଣୀ ଉଡ଼ିବା’ ସହ ଦୁଇଟି କଥା ଉଲ୍ଲେଖନୀୟ। ପ୍ରଥମତଃ, ଓଢ଼ଣୀ ଉଡ଼ିଗଲେ କୁମାରୀ କନ୍ଯାର ଉଦ୍ଭିନ୍ନ ଯୌବନ ପ୍ରେମୀ ନୟନକୁ ଜରଜର କରିବ। ଦ୍ବିତୀୟତଃ, ‘ଓଢ଼ଣୀ ଉଡ଼ିବା’ ଅର୍ଥ ନୂଆ ନୂଆ ଡେଣା ଲାଗିଥିବା ମନ।
ନିଷେଧାର୍ଥରେ, ଉଡୁଥିବା ମନକୁ ଲଗାମ କଷିବାକୁ ଇଚ୍ଛା ପ୍ରକାଶ କରିଛି। ପୁଣି ଗଭା ଫୁଲ ନ ଝଡ଼ୁ ବୋଲି ଇଚ୍ଛା କରୁଛି। ‘ଗଭାଫୁଲ’, ପ୍ରୀତିର ଅନ୍ଧାରୀ ଗୁମ୍ଫା ଭିତରକୁ ନାୟକକୁ ଆସିବାକୁ ଏକ ପୁଷ୍ପିତ ପ୍ରେମ ପତ୍ର ପରି। ‘ଗଭାଫୁଲ’ ମାଧ୍ଯମରେ କୁମାରୀ କନ୍ଯାଟିଏ ନିଜ ହୃଦୟର ଭାଷାକୁ ସଯତ୍ନେ ସଜେଇ ରଖିଛି।
ଦୋଳି ଖେଳୁଥିବା ଝିଅମାନଙ୍କୁ ଗଜରାଜର ଡାକ ଆନମନା କରେ:
“ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
ଘେନି ନୂଆ ସଜବାଜ
ବଉଳଲୋ ଘେନି ନୂଆ ସଜବାଜ।।”
ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ ବାବଦରେ ଆସନ୍ତୁ ଉନ୍ମୋଚିତ କରିବା:
୧। ‘ଗଜ’: ଯୌନତା (Sex)ର ପ୍ରତୀକ।
‘ଗଜର ଡାକ’ ଭିତରେ ରଜସ୍ବାଳା କୁଆଁରୀ କନ୍ଯାର ଯୌନ ଭାବାବେଗକୁ ଉତ୍କୀର୍ଣ୍ଣ କରାଯାଇଛି।
୨। ‘ବନସ୍ତ’: ନାରୀ ମନର ଗହନ ଚେତନାକୁ ପ୍ରତୀକିତ କରୁଛି।
୩। ‘ଗଜ ବନସ୍ତରେ ଡାକିବା’ ଭିତରେ ବନ ପ୍ରାନ୍ତର କେବଳ ପ୍ରକମ୍ପିତ ହୁଏ ନାହିଁ; ଜନପଦକୁ ମଧ୍ଯ ତାହା ଶ୍ରାବ୍ଯ ଥାଏ। କୁମାରୀ କନ୍ଯା ରଜସ୍ବାଳା ହେବା ସହ ତା’ ମନ-ବନର ଯୌନ ଚିତ୍କାର ତା’ର ଶରୀରକୁ ଭେଦକରି ଜନ ସମାଜକୁ ମଧ୍ଯ ପ୍ରସରୀ ଯାଇଥାଏ।
ପ୍ରଥମ ଥର ପାଇଁ ଝିଅଟିଏ ଯେତେବେଳେ ରଜୋବତୀ ହୁଏ, କୋଟି କଦମ୍ବର ଶିହରଣ ଉଠେ ତା’ ଭିତରେ। ପ୍ରଥମ ବାରିପାତରେ ଓଦା ମାଟିର ଭୁରୁଭୁରୁ ବାସ୍ନା ପରି ଥରକୁ ଥର ପୁଲକି ଉଠୁଥିବା ମନର ଭାବକୁ ସେ ‘ସଜବାଜ’ ହେବା ସହ ଉକୁଟାଏ।
ଋତୁମତୀ ଝିଅ ଭିତରେ ଉଠୁଥିବା ଜୁଆରର ଏକମାତ୍ର ମୁକସାକ୍ଷୀ ତା’ ବଉଳ। ସେ ନବ ରଜୋବତୀ ବାନ୍ଧବୀକୁ ପରିବର୍ତ୍ତିତ ଦୁଇଟି ପ୍ରକୃତି ବିଷୟରେ ଖବର ଦେଉଛି। ବାହାରେ ଋତୁ ବଦଳିବା ସହ ବଉଳ ତା’ର ‘ଋତୁମତୀ’। ଉଭୟେ ନୂଆ ଭାବରେ ‘ସଜବାଜ’ ହେବା ଋତୁ ସଂଗତ। ତେଣୁ ଗୀତରେ କହିଛି:
“ଆସିଛି ରଜ ଲୋ/
ଘେନି ନୂଆ ସଜବାଜ/
ବଉଳଲୋ ଘେନି ନୂଆ ସଜବାଜ।”
ଏଇ ‘ସଜବାଜ’ ଭିତରେ କୁମାରୀ କନ୍ଯାର ନାନ୍ଦନିକ ଭାବଟି ପ୍ରସାରିତ। ‘ପହିଲି ରଜ’ ସହ ‘ପହିଲି ପୁଲକ’କୁ ଏ ଦୋଳିଗୀତରେ ଗୁରୁତ୍ବ ଦିଆଯାଇଛି। ସେଇ ସଦ୍ଯ ପ୍ରସ୍ଫୁଟିତ ଚମ୍ପାଫୁଲର ମହକରେ ଯେତେବେଳେ ବାଟବଣା ହୁଏ ସମୁଦ୍ରର ଢେଉ, ପଥର ତରଳୁ ଥାଏ, ଶୁଖିଲା ନଈରେ ବନ୍ଯା ଆସେ, ଯୋଗୀ ଭିତରେ ରିରଂସା ରାଗ ଚହଲୁଥାଏ . . ସବୁର ଖବର କିନ୍ତୁ ସାଉଁଟୁଥାଏ ତା’ର ସଖୀ, ‘ବଉଳ’।
ବଉଳଟା କିନ୍ତୁ ଭାରୀ ବଦମାସ। ‘ଆମ୍ବ’, ‘ପଣସ’ ପାଚିଲାଣି କହି ଟାପରା କରୁଛି ସଖୀକୁ। ସଖୀ ତା’ର ଆମ୍ବ, ପଣସ ଠାରୁ କିଛି କମ ରସାଳ ନୁହେଁ ଯେ! ନୂଆ ନୂଆ ଉଡୁଥିବା ପକ୍ଷୀ, ବର୍ଷାକାଳର ଖରସ୍ରୋତା ନଈ ଯେପରି ସୀମା ଡେଇଁଥାନ୍ତି, ସେପରି ସଖୀ ତା’ର ଅଜଣା ପୁରୁଷ ସହ ଅଙ୍ଗସଙ୍ଗ ହୋଇ ଠକି ଯିବାର ଆଶଙ୍କା ବ୍ଯକ୍ତ କରିଛି ବଉଳ। ତେଣୁ ଛଳୋକ୍ତି ସହ ଆକଟ କରି କହିଛି:
“ପାଚିଲା ପଣସ ଆମ୍ବ
ପରଖି ନକଲୁ ଯାହାଠି ଭାବ
ଯାହାଠି ଭାବ ଲୋ
ସେ ତ ଦିନେ ଦଗା ଦେବ
ବଉଳଲୋ ସେ ତ ଦିନେ ଦଗା ଦେବ।”
ଶ୍ରାବଣରେ ଭିଜୁଥିବା ଅରଣ୍ଯରେ ଯେତେବେଳେ ନିଆଁ ଲାଗେ, ତା’ର ଗନ୍ଧ ମାଆ ନାକରେ ବାଜେ। ବଡ଼ଭାଇକୁ ଖବର ଲାଗେ। ବଢ଼ିଲା ନଈ କୂଳ ଲଙ୍ଘିବା ପୂର୍ବରୁ ସାଗର ଖୋଜା ହୁଏ। ମିଳନର ଋତୁ ପାଖେଇ ଆସିବାର ଖବରରେ ଉତ୍ଫୁଲ୍ଲିତ କୁଆଁରୀ ପ୍ରାଣ ବଉଳକୁ କହିବସେ:-
“ଏ ତ ସେ ସରୋଜ ମୋର
ଆର ସାଲେ ହେବ ମୋ ବାହାଘର
ମୋ ବାହାଘର ଲୋ
ଭାଇ କିଣିଲେଣି ହାର
ବଉଳଲୋ ଭାଇ କିଣିଲେଣି ହାର।।”
ଝିଅମାନଙ୍କର ଅନ୍ଯ ଏକ ଆକର୍ଷଣ ସୁନା ଅଳଙ୍କାର। ତେଣୁ ରଜରେ ‘ସଜବାଜ’ ହେବା ଭିତରେ ତା’ର ଚହଲୁଥିବା ମନ ଓ ଚମକୁଥିବା ଦେହକୁ ବାରବାର ସେ ସଜାଡିବାକୁ ପ୍ରୟାସ କରିଛି। ରଜ ଦୋଳି ଗୀତରେ ସ୍ବପ୍ନ-ସମ୍ଭାବନା, ପ୍ରେମ-ପ୍ରତାରଣା, ଆଶା-ଆଶଙ୍କା ବିଶେଷକରି ‘ନାରୀ-ପ୍ରକୃତି-ଯୌନତା’ର ଏକ କକଟେଲକୁ ଆମେ ଏଠି ଶୁଣିପାରୁ। ଏଇ ରଜ ଦୋଳିର ଗୀତ ଭିତରେ ନାରୀ ମନସ୍ତତ୍ତ୍ବ ମୁଖ୍ଯତଃ ଉକୁଟି ଉଠିଛି।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago