ଲେଖା: ଶିଶିର ମନୋଜ ସାହୁ
~ ଓଡ଼ିଶାର ପିମ୍ପେଇ ଅମାଵାସ୍ୟା ~
କାର୍ତ୍ତିକ ଅମାଵାସ୍ୟାକୁ ଓଡ଼ିଶାରେ ଆଜି ଅଧିକାଂଶ ଦୀପାଵଳି (ଅମାଵାସ୍ୟା), ଦିଆଲିଦେଵାଲୀ ବୋଲି ଜାଣିଛନ୍ତି କିନ୍ତୁ ଏହାକୁ ଓଡ଼ିଶାରେ ପୟା ଅମାଵାସ୍ୟା, ପୟାଁ ଅମେଇସାବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଦକ୍ଷିଣ ଓଡ଼ିଶାରେ ଏହାକୁ ଫଟାକି ଉଆଁସ ମଧ୍ୟ କହିଥାନ୍ତି । ତେବେ ଏହି କାର୍ତ୍ତିକ ଅମାଵାସ୍ୟାର ଆଉ ଏକ ଓଡ଼ିଆ ନାମ ପିମ୍ପେଇ ଅମାଵାସ୍ୟା ମଧ୍ୟ ରହିଛି । ଏହି ପିମ୍ପେଇ ଅମାଵାସ୍ୟାରେ ବଡ଼ବଡ଼ୁଆ ଡାକିଲାବେଳେ ଆଵଶ୍ୟକ ପଡ଼େ ପିମ୍ପେଇ କାଠି (ଚିତ୍ର ସମୂହ ଦ୍ରଷ୍ଟଵ୍ୟ) । ଓଡ଼ିଶାରେ କାର୍ତ୍ତିକ ଅମାଵାସ୍ୟାରେ ଆୟୋଜିତ ପୟାଶ୍ରାଦ୍ଧର ଏହା ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଵିଶେଷ ।
ସାଧାରଣତଃ କାଉଁରିଆ କାଠି, ଝୋଟ, ବାଳୁଙ୍ଗା (ନୀଵାର ଧାନ୍ୟ) ଗଛ, ରାଶିଫୁଲ ଓ ସୁଆମ ଲଈ ଦେଇ ପ୍ରସ୍ତୁତ ହୁଏ ଏହି ପିମ୍ପେଇ କାଠି । ପ୍ରଥମେ ଏହି ପିମ୍ପେଇ କାଠିକୁ ଦୁଆର କିଂଵା ଯେଉଁଠି ପୂର୍ଵପୁରୁଷଙ୍କୁ ପିଣ୍ଡ ବଢା଼ଯାଇଥାଏ ସେଠାକୁ ଅଣାଯାଏ ଏଵଂ ତହିଁର ବନ୍ଦାପନା ପରେ ଗୃହର ଇଶାଣରେ ଵା ଇଷ୍ଟଦେଵଙ୍କ ନିକଟରେ ରଖି ମହିଳାମାନଙ୍କ ଦ୍ଵାରା ହୁଳହୁଳି ଆଦି ମଙ୍ଗଳଧ୍ଵନି ସହ ପୁଣି ବନ୍ଦାପନା କରାଯାଏ ।
ତହିଁ ପରେ ଭିତରଘରେ ଵା ଇଶାଣଘରେ ଜଳୁଥିଵା ଦୀପଦ୍ଵାରା ସେଥିରେ ଅଗ୍ନି ସଂଯୋଗ ହୋଇଥାଏ । ପରିଵାର ତଥା କୁଟମ୍ଵର ଆତ୍ମୀୟ ସ୍ଵଜନ ଏଥିରୁ ଗୋଟାଏ ଗୋଟାଏ ଧରି ଦାଣ୍ଡକୁ ନିଅନ୍ତି ଓ ଯାଉଥିଵା ସମୟରେ ବଡ଼ବଡୁ଼ଆ ଡାକି ଡାକି ଯାଆନ୍ତି । ପୁଣି ଦାଣ୍ଡରେ ସମସ୍ତେ ନିଜ ନିଜ ପିମ୍ପେଇ କାଠି ରଖି ପୁନଶ୍ଚ ବଡ଼ବଡୁ଼ଆଙ୍କୁ ଡାକିଥାଆନ୍ତି ।
“ବଡ଼ ବଡ଼ୁଆ ହୋ …
ଅନ୍ଧାରରେ ଆସି ଆଲୁଅରେ ଯାଅ
ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ”
ଅଞ୍ଚଳ ଭେଦରେ ଏହି ପରମ୍ପରା ଭିନ୍ନ ଭିନ୍ନ ଭାବରେ ପାଳିତ ହୋଇଥାଏ । କେଉଁଠି କେଉଁଠି ଦେଖାଯାଏ ଯେ ଲୋକେ କାଉଁରିଆ କାଠି ବିଡା଼ରେ ନିଆଁ ଧରାଇ ଗାଁ ବାହାରେ ଗୋବରରେ ଲିପା ହୋଇଥିଵା ଉଚ୍ଚସ୍ଥାନରେ ପଣସ ପତ୍ରରେ ନେଇ ପିଣ୍ଡ ବାଢି଼ଥାନ୍ତି । ସେଠାରେ ପିତୃପୁରୁଷଙ୍କୁ ଅତି ଶ୍ରଦ୍ଧାର ସହିତ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନୂଆବସ୍ତ୍ର ପିନ୍ଧି ଵିଦାୟ ସମ୍ବର୍ଦ୍ଧନା ଜଣାଇଥାନ୍ତି ।
ଆଉ କେତେକ ଅଞ୍ଚଳରେ ପିମ୍ପେଇ ଅମାଵାସ୍ୟା ଦିନ ସନ୍ଧ୍ଯା ପରେ ପିଣ୍ଡଵର୍ଜ୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୁପ ଦୀପ ଅର୍ଥାତ୍ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଏଵଂ ତହିଁ ପରେ ବଡ଼ବଡୁ଼ଆ ଡକାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପିମ୍ପେଇ ଶ୍ରାଦ୍ଧର ଏହି ରୀତିଟି ଉଲ୍ଲେଖ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦର ଅନ୍ୟ ଅନେକ ରୂପର ମଧ୍ୟ ଲେଖାଅଛି ଯଥା, ପିମ୍ପାଇ, ପିମ୍ପେଇ, ପିପାଇ, ପିପେଇ, ପିମ୍ପା ଶ୍ରାଦ୍ଧ, ପପୋଇ ଅମେଇସା, ପିମ୍ପା ଇଆଁଶ, ପିମ୍ପେଇ ଅମାସିଆ ପିମ୍ପାଇ ଅମାଇସା ଇତ୍ୟାଦି ଇତ୍ୟାଦି ।
ଭାଷାକୋଷ ଅନୁସାରେ ଏହି ପିପେଇ ଵା ପିମ୍ପେଇ ଶବ୍ଦଟି ତତ୍ସମ ପୂପାଳି କିଂଵା ପୂପଦୀପ ଶବ୍ଦ ସହିତ ସମୋଦ୍ଧୃତ । ପୂପ ଓ ଆଳୀ ଶବ୍ଦ ଯୁକ୍ତ ହୋଇ ପୂପାଳୀ ଶବ୍ଦର ସୃଷ୍ଟି । ପୂପ,ପୂପଳା ଓ ପୂପାଳୀ ଶବ୍ଦର ଅର୍ଥ ପିଠା ଏଵଂ ସାଧାରଣତଃ ଘିଅପିଠାକୁ ପୂପଳା ଓ ପୂପାଳୀ କୁହାଯାଏ । ଏହି ଜାତୀୟ ପିଠାକୁ ଆଜିକାଲି ଓଡ଼ିଶାରେ ପୁଳୀ ପିଠା କୁହାଯାଏ ଏଵଂ ପୁଳୀ ଶବ୍ଦଟି ପୂପାଳୀର ଓଡ଼ିଆ ସମୋଦ୍ଧୃତ ରୂପ ।
ଓଡ଼ିଆମାନଙ୍କ ମଧ୍ୟରେ ଲୋକଵିଶ୍ବାସ ପ୍ରଚଳିତ ଯେ ପିତୃପୁରୁଷମାନେ କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ଅମାଵାସ୍ୟା ପର୍ଯ୍ୟନ୍ତ ମର୍ତ୍ତ୍ୟଲୋକରେ ବାସ କରି ନିଜ ଵର୍ତ୍ତମାନ ଵଂଶଜମାନଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ଅଵଲୋକନ କରିଥାନ୍ତି । ପୟାଶ୍ରାଦ୍ଧ ଦିନ ଘରେ ପିତୃପୁରୁଷଙ୍କ ନିମନ୍ତେ ସ୍ଵତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୁଏ । ଶ୍ରାଦ୍ଧ ପାଇଁ କଦଳୀ, ନଡି଼ଆ ତଥା ଚାଉଳ ଆଦିରେ ନୈଵେଦ୍ୟ ପ୍ରସ୍ତୁତ ହୁଏ । ଉଲ୍ଲେଖ ଯୋଗ୍ୟ ଯେ ପ୍ରାଚୀନ ନୌଵାଣିଜ୍ୟ ପରମ୍ପରା ସହିତ ପିମ୍ପେଇ ଅମାଵାସ୍ୟାର ମଧ୍ୟ ସମ୍ବନ୍ଧ ରହିଛି ।
ଆଗେ କାର୍ତ୍ତିକ ଅମାଵାସ୍ୟାରେ ସାଧଵମାନେ ଶ୍ରୀଲକ୍ଷ୍ମୀଙ୍କର ଆରାଧନା କରୁଥିଲେ । ତତ୍ପରେ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀଠାରୁ ବୋଇତରେ ପଣ୍ଯଦ୍ରଵ୍ୟାଦି ସଞ୍ଚୟନ ଆରମ୍ଭ ହେଉଥିଲା । କାର୍ତ୍ତିକ ପୂର୍ଣ୍ଣିମା ଦିନ ସାଧଵ ତଥା ଅନ୍ୟ ବୋଇତିଆଳମାନେ ମାଆ ମଙ୍ଗଳାଙ୍କୁ ଗୁଆ, ଗୁଜରାତି, ଲବଙ୍ଗ ଓ ଅଳେଇଚ ଆଦି ଦରିଆପାରିରୁ ଘେନି ଆଣିଥିଵା ଦରଵମାନ ନୈଵେଦ୍ୟ ଅର୍ପଣ କରି ଶୁଭ ମନାସି ତହିଁ ପରଠାରୁ ନୌଯାତ୍ରା ଆରମ୍ଭ କରୁଥିଲେ ।
ତତ୍କାଳୀନ ଓଡ଼ିଶାର ସାଧଵମାନେ ବୋଇତ ନେଇ ଵର୍ହି ଵାଣିଜ୍ୟରେ ବାହାରି ଯାଉଥିଲେ ଏଵଂ ପୁନଃ ଵର୍ଷାଋତୁ ପୂର୍ଵରୁ ଫେରିଆସୁଥିଲେ । କେହି କେହି କୁହନ୍ତି ସେହି ବୋଇତ ପ୍ରତ୍ୟାଵର୍ତ୍ତନ ସମୟକାଳଟି ଵୈଶାଖ ପୂର୍ଣ୍ଣିମା ଵା ମହାଵିଷୁଵ ପଣା ସଂକ୍ରାନ୍ତି ଥିଲା ଫଳତଃ ଏହା ଏକ ଵୈଶ୍ଵିକ ଉତ୍ସଵରେ ପରିଣତ ହୋଇ ଅଧୁନା ଭାରତ, ଶ୍ରୀଲଙ୍କା,ଵର୍ମା, ମାଲେସିଆ, ଇଣ୍ଡୋନେସିଆ ଆଦି ଦକ୍ଷିଣ ତଥା ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ଦେଶରେ ପାରମ୍ପରିକ ପର୍ଵ ଭାବରେ ପାଳିତ ହେଉଅଛି । ପୂର୍ଵେ ବୋଇତଯାତ୍ରାର ସବୁ ରୀତିନୀତିର ଆରମ୍ଭ ହେଉଥିଲା ପୟାଶ୍ରାଦ୍ଧଠାରୁ ଏଵଂ ଶେଷ ହେଉଥିଲା କାର୍ତ୍ତିକ ପୂର୍ଣ୍ଣିମା ପର ନୌଯାତ୍ରା ସମୟରେ ବୋଇତ ବନ୍ଦାଣ ଓ ବୋଇତ ଵିଦାରୁ ତେଣୁ ପ୍ରାଚୀନ ଓଡ଼ିଆ ନୌଵାଣିଜ୍ୟ ପରମ୍ପରାରେ କାର୍ତ୍ତିକ ଅମାଵାସ୍ୟା ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଦିଵସ ଥିଲା କହିଲେ ଅତ୍ୟୁକ୍ତି ହେଵ ନାହିଁ ।
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 month ago