ଲେଖା: ଶିଶିର ମନୋଜ ସାହୁ
ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ’ଣ !
୧. ଦୀପାବଳୀ
୨. ଦୀପାବଳି
୩. ଦିପାବଳୀ
୪. ଦିପାବଳି
୫. ଦୀପାୱଳୀ
୬. ଦୀପାୱଳି
ପ୍ରଥମତଃ ଏଠାରେ ଯେତେ ଶବ୍ଦ ଲେଖା ହୋଇଛି ସେ ସମସ୍ତ ଶତକଡ଼ା ଶହେ ଠିକ୍ ନୁହେଁ । କାରଣ ଦୀପାଵଳି ଏକ ଶାସ୍ତ୍ରୀୟ ସଂସ୍କୃତ ଶବ୍ଦ ଏଵଂ ଏ ଭାଷାରେ ଅଵର୍ଗ୍ଯ ‘ଵ’ ର ଵ୍ଯଵହାର ନିତାନ୍ତ ଆଵଶ୍ୟକ ହୋଇଥାଏ । ଏଣୁ ଯେହେତୁ ଦୀପାଵଳି ଏକ ଶାସ୍ତ୍ରୀୟ ଶବ୍ଦ ତହିଁରେ ଅଵର୍ଗ୍ଯ ‘ଵ’ ଵ୍ଯଵହାର ହେଵା କଥା । ସେହିପରି ୱ ଏକ ଦ୍ଵିସ୍ଵର (ଦୁଇଟି ସ୍ଵର ଯୁକ୍ତ ହୋଇ ଗଠିତ= ଉ+ଅ =ୱ) ଏଵଂ ଏହା ତାୱା, ହାୱା ଓ ୱାଟର୍ ଆଦି ଵୈଦେଶିକ ଶବ୍ଦ ଲେଖିଵା ପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅଭିଧାନକାର ଶ୍ରୀ ପ୍ରହରାଜ ଆଵିଷ୍କାର କରିଥିଲେ । ଆଗେ ଆମ ଭାଷାରେ ଵର୍ଗ୍ଯ ‛ବ’ ଓ ଅଵର୍ଗ୍ଯ ଵ ପାଇଁ ଦୁଇଗୋଟି ସ୍ଵତନ୍ତ୍ର ଅକ୍ଷର ରହିଥିଲା । ତେଵେ ଦୀର୍ଘଦିନ ଧରି ଵୈଦେଶିକ ଵିଶେଷତଃ ବଙ୍ଗାଳୀ ଶାସକଙ୍କ ଶାସନାଧୀନ ରହିଵା ଯୋଗୁଁ ଆମଭାଷାରେ ଏ ଉଭୟ ଵର୍ଣ୍ଣରେ ଥିଵା ଭିନ୍ନତା ଅନେକାଂଶରେ ଲୁପ୍ତ ହୋଇସାରିଥିଲା । ଆମେ ଆଜି ଯେଉଁ ଵର୍ଗ୍ଯ ‛ବ’ ଵ୍ଯଵହାର କରନ୍ତି ତାହା ଏକଦା ଅଵର୍ଗ୍ଯ ‘ଵ’ ଵର୍ଣ୍ଣ ପାଇଁ ଵ୍ଯଵହାର ହେଉଥିଲା । ଆଜି ଆମଭାଷାର ଲିପିରେ ଅଵର୍ଗ୍ଯ ‛ଵ’ ପାଇଁ ନୂଆ ଅକ୍ଷରଟିଏ ସୃଷ୍ଟି କରାଯାଇଛି । ଵର୍ଗ୍ଯ ‘ବ’ ଓ ଅଵର୍ଗ୍ଯ ‘ଵ’ ର ପ୍ରାଚୀନ ସ୍ଵରୂପ ଜାଣିଵାକୁ ଚାହୁଁଥିଲେ ଭୁଵନେଶ୍ଵରର ରାଜ୍ଯ ସଂଗ୍ରହାଳୟ ପରିଦର୍ଶନ କରିପାରନ୍ତି ।
ସେଇଭଳି କେହି କେହି ଦୀପାଵଳି ଶବ୍ଦକୁ ଦୀପାଵଳୀ ଲେଖନ୍ତି । ଅଵଶ୍ଯ ଆଵଳି ଶବ୍ଦର ଅନ୍ୟ ରୂପ ଆଵଳୀ ହୋଇଥିଵା ହେତୁ ଏ ଶବ୍ଦ ମଧ୍ୟ ଠିକ୍ ଅଟେ । ଆଙ୍(ଆ)+ବଳ୍+ଇନ୍(ଇ) = ଆଵଳି ବୋଲି ଅମରକୋଷରେ ଏହାର ନିରୁକ୍ତି ଉଲ୍ଲେଖ କରାଯାଇଛି । ଇନ୍ ପ୍ରତ୍ଯୟ ଲାଗି ଵେଳେ ଵେଳେ ଦୀର୍ଘ ‘ଈ’ ରୂପ ହେଉଥିଵା ହେତୁରୁ ଏହି ଶବ୍ଦ ମଧ୍ୟ ଗ୍ରହଣୀୟ ।
ଏହି ଆଵଳି ଶବ୍ଦର ଅନେକ ଅର୍ଥ ରହିଛି । ଯଥା―
୧. ଶ୍ରେଣୀ; ପଂକ୍ତି; ଧାଡି
୨. ସମୂହ
୩. ବଂଶ
୪. ଏକସାଜ
ଦୀପାଵଳି କ୍ଷେତ୍ରରେ ଆଵଳି ଶବ୍ଦର ଵ୍ଯଵହାର ଦୀପଗୁଡି଼କର ପଂକ୍ତି ଅର୍ଥରେ ହୋଇଅଛି ।
ତେଵେ ସେ ଯାହା ହେଉ ଆମଭାଷାରେ କିନ୍ତୁ ଦୀପାଵଳି ଶବ୍ଦ ଛଡ଼ା #ଦିପାଳୀ,#ଦେଆଲୀ,#ଦେଵାଲୀ ଓ #ଦିଆଲି ଆଦି ଦେଶଜ ଶବ୍ଦର ଵ୍ଯଵହାର ଅଧିକ ହେଉଥିଵାର ପ୍ରମାଣ ଆମେ କଥିତ ଭାଷାରେ ଚଳୁଥିଵା ଲୋକକଥା ଓ ଲୋକଵାଣୀରୁ ପାଇଥାନ୍ତି । ସେଇଭଳି ଅନେକ କଳିଙ୍ଗ ଦେଶୀୟ ଜନଜାତୀୟ ଲୋକେ ମଧ୍ୟ ଦୀପାଵଳି ପାଳନ୍ତି । ତେଣୁ ପ୍ରାୟ ସମସ୍ତ କଳିଙ୍ଗ ଦେଶୀୟ ଜନଜାତୀୟ ଭାଷାଗୁଡି଼କରେ ଦୀପାଵଳି ପାଇଁ ରହିଛି ନାନା ପ୍ରତିଶବ୍ଦ …
ଯଥା:
■କୁଈ―ଡିପଲାକା
■ମୁଣ୍ଡା―ସହରାଈ
■ହୋ― ସୁବିଃଜୁଲ୍
■ଓରାଂ-କିସାନ― ଦିଆଲି
■ସାନ୍ତାଳୀ― ଦିଆଲୀ/ଦିଵାଲୀ
■ଜୁଆଙ୍ଗ―ଦିପବଲୀ
■ବିନ୍ଝାଲ୍ ―ଦିୟାଲୀ
ପଶ୍ଚିମ ଓଡ଼ିଶାରେ ଆଜି ଦୀପାଵଳିକୁ ଦିଆଲି କୁହନ୍ତି କିନ୍ତୁ ପୂର୍ଵେ କଟକାଞ୍ଚଳର କଥିତ ଭାଷାରେ ମଧ୍ୟ ଦୀପାଵଳିକୁ ଦିଆଲି କୁହାଯାଉଥିଲା ! ଉଦାହରଣ ସ୍ୱରୂପ ନିମ୍ନୋକ୍ତ ଲୋକଵାଣୀଟି କଟକାଞ୍ଚଳର ହୋଇଥିଲେ ହେଁ ଏଥିରେ ଦିଆଲି ଶବ୍ଦର ଵ୍ଯଵହାର ହୋଇଥିଵା ଦେଖାଯାଏ
“ଆରେ ଛତରା !
ଦଶରା ଗଲା; ଦିଆଲି ଗଲା
ବାକି ରହିଗଲା ବାଲିଯାତରା”
ଦୀପାଵଳି ନାମରେ ଖ୍ଯାତ କାର୍ତ୍ତିକ କୃଷ୍ଣ ଅମାଵାସ୍ଯାର ଆମ ଦେଶରେ ଵିଭିନ୍ନ ନାମ ରହିଛି ।
■ ଦୀପଦାନ ଯୋଗୁଁ ଏହାର ଦୀପାଵଳି ନାମ ସର୍ଵତ୍ର ଲୋକପ୍ରିୟ ହୋଇଥିଵାଵେଳେ ଏଇ ଧାରାରେ କାର୍ତ୍ତିକ କୃଷ୍ଣ ଅମାଵାସ୍ଯା ଅନ୍ୟ ଏକ ନାମ ହେଉଛି ଦୀପାନ୍ଵିତା ।
ଆମ କଳିଙ୍ଗ ଦେଶରେ ଏଇ ଦିନ ନିଜ ଵୀରଗତି ପ୍ରାପ୍ତ ହୁତାତ୍ମା ପୂର୍ଵଜଙ୍କ ସଦଗତି ହେତୁ ଶ୍ରାଦ୍ଧର ନିୟମ ରହିଛି ପୁଣି ଏକମାସ ଧରି ଯେଉଁ ପୂର୍ଵଜମାନେ ଆମ ସହିତ ରହିଲେ ସେମାନଙ୍କୁ ଵିଦାୟ ଦେଵାର ପରମ୍ପରା ଆମ୍ଭ ଦେଶର ନିଆରା ପରମ୍ପରା ଅଟେ ।
■ ଫଟାକି ଉଆଁସ
ଆଧୁନିକ ଯୁଗରେ ବାଣଫୁଟା ଵିଶେଷତଃ ତାଳଫୋଟକା ଵାଣ ଫୁଟେଇଵା ଆରମ୍ଭ ହେଵାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ କାର୍ତ୍ତିକ କୃଷ୍ଣ ଅମାଵାସ୍ଯାର ଏ ନାମଟି ଚଳିଵା ଆରମ୍ଭ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago