~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକା ଠାକୁରାଣୀ ~
ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
ଓଡ଼ିଶା ବା ଉତ୍କଳ ପ୍ରଦେଶରେ ରହିଥିବା ପ୍ରମୁଖ ଶକ୍ତିପୀଠ ଏବଂ ଦଶମହାବିଦ୍ୟା ତଥା ଅଷ୍ଟକାଳୀଙ୍କ ମଧ୍ୟରେ ମା’ ଚର୍ଚ୍ଚିକା ଦେବୀ ହେଉଛନ୍ତି ଅନ୍ୟତମା ତଥା ଶ୍ରେଷ୍ଠଦେବୀ | ପୁରୀ ଶ୍ରୀଜଗନ୍ନାଥଙ୍କ କେତକ ପର୍ବପର୍ବାଣି ନୀତିକାନ୍ତି ସହ ଏହି ଦେବୀ ପ୍ରତକ୍ଷ ଭାବରେ ଜଡିତ ଥାନ୍ତି | ଓଡ଼ିଆ ଗଡଜାତ ଅଞ୍ଚଳରେ ପୂଜା ପାଇ ଆସୁଥିବା ଦେବୀପୀଠମାନଙ୍କ ମଧ୍ୟରୁ ଅନେକ ପୀଠର ଆବିର୍ଭାବ ଓ ସ୍ଥାପନା ପଛର ଇତିହାସ ଆଜି ମଧ୍ୟ ଅନ୍ଧକାରାଚ୍ଛନ୍ନ । କେବଳ କେତେକ ଲୋକକଥା ଓ କିମ୍ବଦନ୍ତୀକୁ ଆଧାର କରି ଏହି ପୀଠଗୁଡ଼ିକ ନିଜ ମହିମା ଓ ମହାନୀୟତାକୁ ଅକ୍ଷୁଣ୍ଣ ରଖିଆସିଛନ୍ତି । ସେଥିମଧ୍ୟରୁ ଆମ୍ଭର ଆଲୋଚ୍ୟ ଦେବୀପୀଠଟି ଅନ୍ୟତମ ।
ଉତ୍କଳର ଇତିହାସ କୁହେ ଯେ, ଭୌମକର ଶାସନକାଳ (ଖ୍ରୀ :-୭୩୭–୮୩୬) ସମୟରେ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ଦ୍ରୁତ ଗତିରେ ସମଗ୍ର ଓଡ଼ିଶାରେ ବ୍ୟାପିଥିଲା । ରାଜାମାନଙ୍କର ପୃଷ୍ଟପୋଷକତା ପାଇ ବୌଦ୍ଧ ଧର୍ମ ନିରୀହ ଓ ସରଳ କନ୍ଧ ଆଦିବାସୀମାନଙ୍କ ଚରାଭୂଇଁ, କନ୍ଧମାଳ, ବୌଦ୍ଧ, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ଆଦୃତ ହେବାକୁ ଲାଗିଥିଲା ।
ସେହି ସମୟରେ ବୌଦ୍ଧ ଧର୍ମ ମଧ୍ୟରେ ଏକ ପରିବର୍ତ୍ତନ ଦେଖାଦେଇଥିଲା । ସନାତନ ଧର୍ମର ଦେବୀ ଉପାସନା, ତାନ୍ତ୍ରିକ ପୂଜା ଓ ମୂର୍ତ୍ତିପୂଜାକୁ ବିରୋଧ କରି ଗୌତମ ବୁଦ୍ଧ ଯେଉଁ ଧର୍ମର ପ୍ରତିଷ୍ଠା କରିଥିଲେ, ସେହି ଧର୍ମ ଆସ୍ତେଆସ୍ତେ ତାନ୍ତ୍ରିକ ପ୍ରଭାବରେ ପରିବର୍ତ୍ତିତ ହେବାକୁ ଲାଗିଲା । ନିରାକାର ଓ ନିରୀଶ୍ୱରବାଦୀ ଚିନ୍ତାଧାରାରେ ଗଠିତ ସଂଘ ପରେ ଦ୍ରାବିଡ଼ ସଂସ୍କୃତିର ତାନ୍ତ୍ରିକ ପୂଜାପଦ୍ଧତି ଦ୍ୱାରା ପ୍ରଭାବିତ ହୋଇ ବଜ୍ରଯାନ ନାମକ ଏକ ନୂତନ ପରମ୍ପରାର ଉଦ୍ଭବ ଘଟାଇଥିଲା ।
ତିବ୍ବତୀୟ ଐତିହାସିକ ତାରାନାଥଙ୍କ ମତରେ ସେଇ ସମୟରେ ଓଡ଼ିଶା ଏକ ପ୍ରମୁଖ ବୌଦ୍ଧ ତାନ୍ତ୍ରିକ ପୀଠସ୍ଥଳୀ ଥିଲା । ସେ ନିଜ ପୁସ୍ତକରେ ଆମ ରାଜ୍ୟକୁ “ଉଡ୍ଡୀୟାନ” ନାମରେ ସମ୍ଭୋଦିତ କରିଥିଲେ । ଓଡ଼ିଆ ତନ୍ତ୍ର ସାହିତ୍ୟରେ ଏହାକୁ ଓଡିଶାର ପଦଚିହ୍ନ ଭାବେ ଚିହ୍ନିତ କରାଯାଏ ।
ସେଇ ସମୟର ଏହି ବଜ୍ରଯାନ ପରମ୍ପରାର ପୁଷ୍ଟପୋଷକ ଥିଲେ ସରହ, ନାଗାର୍ଜୁନ, ଲୁଇପା, କମ୍ବଳ, ପଦ୍ମବଜ୍ର, ଲଳିତବଜ୍ର, କୁକ୍କୁରି, କାନ୍ହୁପା, ଗଭୀରଳ୍ଳ ଓ ପିତ ଆଦି ପ୍ରସିଦ୍ଧ ବୌଦ୍ଧ ତାନ୍ତ୍ରିକ । ଏହାର ପ୍ରମାଣ ସ୍ୱରୂପ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅନେକ ଭଗ୍ନ ତାନ୍ତ୍ରିକ ଦେବୀମୂର୍ତ୍ତି ଅବିଷ୍କୃତ ହୋଇଛି, ଯାହାକୁ ବର୍ତ୍ତମାନ Odisha State Museum ରେ ସୁରକ୍ଷିତ ଭାବେ ସଂରକ୍ଷିତ କରାଯାଇଛି ।
ଭୌମକର ବଂଶର ଶାସନ ସମୟରେ ଓଡ଼ିଶାରେ କେବଳ ବୌଦ୍ଧ ଧର୍ମର ଉତ୍ଥାନ ଘଟିଥିଲା ବୋଲି କହିବା ଯୁକ୍ତିସଂଗତ ହେବ ନାହିଁ । ଏହି ବଂଶ ଶୈବ ଧର୍ମର ମଧ୍ୟ ଅନୁଗାମୀ ଥିବା କଥା ଓଡ଼ିଶାର ଇତିହାସରୁ ଜଣାଯାଏ । ଭୁବନେଶ୍ୱରସ୍ଥିତ ବୈତାଳ ମନ୍ଦିର,ଚାମୁଣ୍ଡା ମନ୍ଦିର ଆଦି ଏହି ବଂଶର କୀର୍ତ୍ତି, ସ୍ମାରକ ବୋଲି ମନେ କରାଯାଏ ।
ଆମେ ଏଠାରେ ଏହି ବିଷୟର ଆଲୋଚନା କରିବାର ଅଭିପ୍ରାୟ ଏହା ଯେ, ତାନ୍ତ୍ରିକ ବୌଦ୍ଧ ଗୋଷ୍ଠୀମାନଙ୍କୁ ପରାସ୍ତ କରିବା ପାଇଁ ଓଡ଼ିଶାର ଦେବୀ ଉପାସକମାନଙ୍କ ଦ୍ୱାରା ସମାନ୍ତରାଳ ଭାବରେ ଏକ ତାନ୍ତ୍ରିକ ପୂଜା ପରମ୍ପରାର ବୀଜ ରୋପଣ କରାଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ଜ୍ଞାନଦେଇ ମାଲୁଣି, ନିତେଇଧୋବଣୀ, ଲୁହୁକୁଟି ଲହୁରାଣୀ, ସୁକୁଟି ଚମାରୁଣି, ପତର ସଉରୁଣୀ, ଗାଙ୍ଗି ଗଉଡ଼ୁଣୀ, ଏବଂ ଶୁଆ ତେଲୁଣୀ, ପ୍ରମୁଖ ସାଧିକାମାନେ, ଯେଉଁମାନେ “ସାତ ଭଉଣୀ” ରୂପେ ଉତ୍କଳ ସଂସ୍କୃତି ଓ ଇତିହାସରେ ପରିଚିତ ହୋଇଥିଲେ ।ଏହି ସାତ କନ୍ୟା କୁଆଁରି ତଥା ନିମ୍ନ ଜାତିର ଥିଲେ |ଯାହାଙ୍କର ଗୁରୁ ଥିଲେ ଧନ୍ଵନ୍ତରି ନାମଧେୟ ଜଣେ ବ୍ରାହ୍ମଣ |
ପରବର୍ତ୍ତୀ କାଳରେ ଓଡ଼ିଶାରେ ସପ୍ତମାତୃକା, ଅଷ୍ଟମହାଦେବୀ ବା ଅଷ୍ଟମହାକାଳୀ, ଯୋଗିନୀ ଓ ଚାମୁଣ୍ଡା ପୂଜାର ପରମ୍ପରା ଆରମ୍ଭ ହୋଇଥିଲା । ଏହି ଭିତ୍ତିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଦେବୀପୀଠ ସ୍ଥାପିତ ହୋଇଥିଲା ।
ଦେବୀପୀଠଗୁଡ଼ିକର ଇତିହାସକୁ ଅନୁଧ୍ୟାନ କଲେ ପ୍ରତୀତ ହୁଏ ଯେ, ଯାଜପୁରର ମା ବିରଜା ହେଉଛନ୍ତି ଉତ୍କଳ ଭୂଖଣ୍ଡର ଆଦ୍ୟ ଓ ପ୍ରଥମ ଦେବୀମୂର୍ତ୍ତି ।ଏହାକୁ କେତକ ଗବେଷକ ଗୁପ୍ତ ଯୁଗର ମୂର୍ତ୍ତି ଦାବି କରୁଥିବା ବେଳେ ଅନ୍ୟ କେତକ ଏହାକୁ ଭୌମ୍ୟକର ଯୁଗର ତାନ୍ତ୍ରିକ ମୂର୍ତ୍ତିର ପ୍ରତୀକ ଭାବେ ବିବେଚନା କରିଥାନ୍ତି |
ସେହି ତନ୍ତ୍ରପୀଠମାନଙ୍କ ସ୍ଥାପନା ପଛରେ ମୁଖ୍ୟ କିମ୍ବଦନ୍ତୀ ଭାବେ ଆମେ ଦେବୀପୁରାଣରେ ବର୍ଣ୍ଣିତ ଭଗବାନ ଶ୍ରୀଶିବଙ୍କ ପତ୍ନୀ ଆଦିଶକ୍ତି ମା ସତୀଙ୍କ ଦକ୍ଷଯଜ୍ଞରେ ଆତ୍ମାହୁତିର କଥାକୁ ଗ୍ରହଣ କରିପାରିବା । କାରଣ ସମଗ୍ର ପୃଥିବୀ ଓ ଆର୍ୟାବର୍ତ୍ତରେ ପ୍ରତିଷ୍ଠିତ ୫୧ଟି ଶକ୍ତିପୀଠର ଇତିହାସ ଏହି କଥାସୂତ୍ର ସହିତ ଜଡିତ ।
ଦେବୀ ସତୀଙ୍କ ଦାହ ପରେ ପତ୍ନୀ ବିୟୋଗରେ ଶୋକାକୁଳ ଭଗବାନ ଶିବ ଯେତେବେଳେ ଦେବୀଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ କୋଳରେ ଧରି ସମଗ୍ର ବ୍ରହ୍ମାଣ୍ଡରେ ବିଚରଣ କରୁଥିଲେ, ସେତେବେଳେ ସୃଷ୍ଟିର ସନ୍ତୁଳନ ରକ୍ଷା ପାଇଁ ମାୟାପତି ଶ୍ରୀହରି ବିଷ୍ଣୁ ନିଜ ସୁଦର୍ଶନ ଚକ୍ର ଦ୍ୱାରା ଦେବୀଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ପୃଥିବୀର ବିଭିନ୍ନ ସ୍ଥାନରେ ପତିତ କରାଇଥିଲେ । ଏହିପରି ଭାବେ ଦେବୀଙ୍କ ଶରୀରାଂଶ ବିଭିନ୍ନ ସ୍ଥାନରେ ପତିତ ହୋଇ ଶକ୍ତିପୀଠର ଉଦ୍ଭବ ଘଟିଥିଲା ।
ଯଦ୍ୟପି ଦେବୀମହାପୁରାଣ ଅନୁସାରେ ମା ସତୀଙ୍କ ସ୍ତନଭାଗ ଉତ୍କଳଭୂମିର ଶ୍ରୀକ୍ଷେତ୍ରରେ ପତିତ ହୋଇଥିଲା ଏବଂ ସେଠାରେ ମା ବିମଳା “ରକ୍ଷଣୀ-ଭକ୍ଷଣୀ” ଦେବୀ ଭାବେ ପ୍ରତିଷ୍ଠିତ ହୋଇଥିଲେ । ପରବର୍ତ୍ତୀ କାଳରେ ଭଗବାନ ବ୍ରହ୍ମାଙ୍କ ଦ୍ୱାରା ମା ବିମଳାଙ୍କ ପ୍ରତିଷ୍ଠା ହୋଇଥିବା ବୋଲି ଜନଶ୍ରୁତି ରହିଛି । ଭୈରବୀ ରୂପିଣୀ ମା ବିମଳା ଜଗତ୍ପ୍ରସିଦ୍ଧା ହୋଇଥିବାବେଳେ, ତାଙ୍କର ଆଦିରକ୍ଷକ ଭୈରବ ରୂପେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମନାଯାଇଥାଏ |
କିନ୍ତୁ ଏହା ବ୍ୟତୀତ ଓଡ଼ିଶାରେ ଏପରି ଅନେକ ଶକ୍ତିପୀଠ ରହିଛି, ଯାହାର ପଛରେ ଏହି କିମ୍ବଦନ୍ତୀକୁ ଲୋକକଥା ଓ ଜନଶ୍ରୁତି ମାଧ୍ୟମରେ ସଂଯୋଜିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମର ମା ତାରାତାରିଣୀ, ଯାଜପୁରର ମା ବିରଜା, ବଡ଼ମ୍ବାର ମା ଭଟ୍ଟାରିକା ଏବଂ ଆଜିର ଆଲୋଚ୍ୟ ଦେବୀ ବାଙ୍କୀଗଡ଼ର ମା ଚର୍ଚ୍ଚିକା ଦେବୀ ଅନ୍ୟତମ ଭାବେ ପରିଗଣିତ ।
~ ପୁରାଣଗାଥାରେ ଦେବୀ ଚର୍ଚ୍ଚିକା ~
ଦେବୀପୁରାଣ ଅନୁସାରେ, ତ୍ରିପୁର ବିଜୟୀ ମହାଦାନବ ମହିଷାସୁରଙ୍କ ବଧ ନିମିତ୍ତ ଯେତେବେଳେ ଦେବତାମାନଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଆଦିମାତା, ତ୍ରିଲୋକ ଅଭୟବରଦାୟିନୀ ମା ଆଦିଶକ୍ତି ଦୁର୍ଗାରୂପେ ଦୈତ୍ୟକୁଳ ବିନାଶ ପାଇଁ ମର୍ତ୍ୟଲୋକରେ ଅବତୀର୍ଣ୍ଣ ହୋଇଥିଲେ, ସେହି ସମୟର ଏହି କଥା ।
ରଣକ୍ଷେତ୍ରରେ ଦେବୀ ଯେତେବେଳେ ରକ୍ତବୀର୍ଯ୍ୟ ନାମକ ଦୈତ୍ୟ ସହ ଭୟଙ୍କର ଯୁଦ୍ଧରେ ବ୍ୟସ୍ତ ଥିଲେ, ସେତେବେଳେ ସେ ଚାମୁଣ୍ଡା ମହାକାଳୀ ରୂପ ଧାରଣ କରିଥିଲେ । ବ୍ରହ୍ମାଙ୍କ ଆଶୀର୍ବାଦ କାରଣରୁ ରକ୍ତବୀର୍ଯ୍ୟର ଶରୀରରୁ ଏକ ସୂକ୍ଷ୍ମ ରକ୍ତବିନ୍ଦୁ ଭୂମିରେ ପତିତ ହେଲେ ସେଠାରୁ ଅସଂଖ୍ୟ ରକ୍ତବୀର୍ଯ୍ୟର ଜନ୍ମ ହେଉଥିଲା । ଏହା ଦେଖି ଦେବୀ ବିବ୍ରତ ହୋଇ ନିଜ ଅଙ୍ଗରୁ ଅନେକ ଯୋଗିନୀଙ୍କୁ ସୃଷ୍ଟି କଲେ ।
ସେହି ଯୋଗିନୀମାନେ ଯୁଦ୍ଧକ୍ଷେତ୍ରରେ ଦୈତ୍ୟମାନଙ୍କ ରକ୍ତ ଭୂମିରେ ପତିତ ହେବା ପୂର୍ବରୁ ମୃତ ରାକ୍ଷସମାନଙ୍କ ମସ୍ତକ ଖପୁରିକୁ ପାତ୍ର କରି ସେଥିରେ ସଂଗ୍ରହ କରି ତତ୍କ୍ଷଣାତ୍ ପାନ କରିଦେଉଥିଲେ । ଏହି କାରଣରୁ ଚାମୁଣ୍ଡା ଓ ଯୋଗିନୀମାନେ ଏକ ହସ୍ତରେ ଖଣ୍ଡା ଏବଂ ଅନ୍ୟ ହସ୍ତରେ ଖର୍ପର ବା ଖପୁରି ଧାରଣ କରି ଯୁଦ୍ଧ କରୁଥିବାର ବର୍ଣ୍ଣନା ପୁରାଣରେ ମିଳେ ।
ଏହି ସମୟରେ ଆଉ ଏକ ଭୟଙ୍କର ଓ ହିଂସ୍ର ଦୈତ୍ୟର ଆବିର୍ଭାବ ହୋଇଥିଲା, ଯାହାର ନାମ ଥିଲା ରଣାଶୁର । ତାହାର ଦର୍ପ ନାଶ କରିବା ପାଇଁ ଦେବୀ ଦୁର୍ଗା ନିଜ ଅଙ୍ଗରୁ ଅନ୍ୟ ଏକ ଶକ୍ତିର ଉତ୍ପତ୍ତି କରି ତାଙ୍କର ନାମ “ଚର୍ଚ୍ଚିକା” ରଖିଥିଲେ ।
ସମସ୍ତ ଅସୁରଙ୍କ ବଧ ଓ ଯୁଦ୍ଧଜୟ ପରେ ଦେବୀ ନିଜ ଦିବ୍ୟ ପୁରୀକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ସମସ୍ତ ଯୋଗିନୀ ଓ ଚାମୁଣ୍ଡାମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ: “ତୁମେମାନେ ପୁନର୍ବାର ମୋ ଦେହରେ ବିଲୀନ ନହୋଇ ଜଗତକଳ୍ୟାଣ ନିମିତ୍ତ ପ୍ରତ୍ୟେକ ଗ୍ରାମ, ରାଜ୍ୟ ଓ ଦେଶରେ ଗଡ଼ଚଣ୍ଡୀ, ଗ୍ରାମଦେବୀ, ଇଷ୍ଟଦେବୀ ଆଦି ନାମରେ ପୂଜା ପାଇବ । ଭକ୍ତମାନେ ନିଜ ମାନସିକ ପୂର୍ତ୍ତି ପାଇଁ ତୁମ ନିକଟରେ ବଳି ଓ ଭୋଗ ଅର୍ପଣ କରିବେ, ତୁମେ ସେମାନଙ୍କ ଅଭିଳାଷ ପୂରଣ କରି ବ୍ରହ୍ମାଣ୍ଡରେ ବିଭିନ୍ନ ନାମରେ ପ୍ରସିଦ୍ଧି ଲାଭ କରିବ” । ଏହି ମତାନୁସାରେ ଗ୍ରାମ ଓ ରାଜ୍ୟମାନଙ୍କରେ ତରକେଇ, ଡାଳଖାଇ, ଉମାଦେବୀ, ହାଡ଼ବାଇ, ପତ୍ରସୌରୁଣୀ, କୁଳାଖାଇ, ଅଙ୍କୁଳେଇ ଆଦି ଅଗଣିତ ନାମରେ ଦେବୀମାନେ ପୂଜିତ ହୋଇ ଆସୁଛନ୍ତି |
ରଣାଶୁର ବଧ ଉପରାନ୍ତେ ଦେବୀ ଦୁର୍ଗାଙ୍କ କପାଳ ଘର୍ଷଣରୁ ଉତ୍ପନ୍ନ ହୋଇଥିବା ଦେବୀ ଚର୍ଚ୍ଚିକା, ରଣାଶୁରର ଶବ ଉପରେ ଦଣ୍ଡାୟମାନ ହୋଇ ଯୁଦ୍ଧଜୟର ଉଲ୍ଲାସରେ ନୃତ୍ୟ କରିବାକୁ ଲାଗିଲେ । ଦେବୀ ଦୁର୍ଗାଙ୍କ ଅନୁରୋଧକ୍ରମେ ଚାମୁଣ୍ଡାରୂପିଣୀ ଚର୍ଚ୍ଚିକା ଦେବୀ କ୍ରୋଧରୁ ଶାନ୍ତ ହୋଇଥିଲେ । ତଦୁପରାନ୍ତେ ସେ ମା ଦୁର୍ଗାଙ୍କୁ ପ୍ରାର୍ଥନା କରିଥିଲେ ଯେ, ମର୍ତ୍ୟମଣ୍ଡଳରେ ତାଙ୍କର ବାସ ପାଇଁ କେଉଁ ସ୍ଥାନ ନିର୍ଦ୍ଧାରିତ ହୋଇଛି ।
ଦେବୀ ଚର୍ଚ୍ଚିକାଙ୍କ ଏହି ଅନୁରୋଧରେ ମା ଦୁର୍ଗା ମହର୍ଷି ଭୃଗୁଙ୍କୁ ଆଦେଶ ଦେଇଥିଲେ ଯେ, ଦେବୀଙ୍କୁ ଉପଯୁକ୍ତ ସ୍ଥାନରେ ସ୍ଥାପନ କରି ତାଙ୍କର ପୂଜାର୍ଚ୍ଚନା କରାଯାଉ । ମାଙ୍କ ଆଜ୍ଞାନୁସାରେ ଋଷିଶ୍ରେଷ୍ଠ ଭୃଗୁ ନିଜ ଆଶ୍ରମରେ ଦେବୀଙ୍କୁ ସ୍ଥାପନ କରି ଶାକ୍ତ ପଦ୍ଧତିରେ ଆରାଧନା କରିଥିଲେ ।
ପରବର୍ତ୍ତୀ କାଳରେ ଏହି ବଂଶର ଔର୍ବ ନାମକ ଋଷିଙ୍କ ପୁତ୍ର ଋଚିକ ଦେବୀଙ୍କ ଆରାଧନା କରି ତାଙ୍କର ନିର୍ଦ୍ଦେଶକ୍ରମେ ଏକ ପାହାଡ଼ ଶିଖରରେ ଦେବୀଙ୍କୁ ସ୍ଥାୟୀ ଭାବେ ପ୍ରତିଷ୍ଠା କରିଥିଲେ । ଋଷି ଋଚିକଙ୍କ ନାମାନୁସାରେ ସେହି ପାହାଡ଼ଟି “ଋଚିକ ପର୍ବତ” ନାମରେ ପ୍ରସିଦ୍ଧ ହୋଇଥିଲା ।
ଏହି ଋଷି ଋଚିକ ଥିଲେ ଭଗବାନ ଶ୍ରୀବିଷ୍ଣୁଙ୍କ ଷଷ୍ଠ ଅବତାର ଭଗବାନ ପରଶୁରାମଙ୍କ ପିତାମହ ଓ ଋଷି ଯମଦଗ୍ନୀଙ୍କ ପିତା । ପିତାଙ୍କ ଆଜ୍ଞାରେ ମାତା ରେଣୁକାଙ୍କ ବଧ, ସହସ୍ରାର୍ଜୁନ ବଧ ଏବଂ ଏକୋଇଶ ଥର ପୃଥିବୀକୁ ନିଃକ୍ଷତ୍ରିୟ କରିଥିବା ଶ୍ରୀଶିବଙ୍କ ପରମ ଶିଷ୍ୟ ବୀର ପରଶୁରାମଙ୍କ ଇଷ୍ଟଦେବୀ ଥିଲେ ମା ଚର୍ଚ୍ଚିକା ।ଏଣୁ ୟେ କ୍ଷେତ୍ରର ଅନ୍ୟ ନାମ ପର୍ଶୁରାମ କ୍ଷେତ୍ର ମଧ୍ୟ |
ମାତା ରେଣୁକାଙ୍କ ନାମାନୁସାରେ ଏଠାରେ ଏକ କ୍ଷୁଦ୍ର ଉପନଦୀ ପ୍ରବାହିତ ହେଉଥିଲା ବୋଲି ଜନଶ୍ରୁତି ରହିଛି । କାଳକ୍ରମେ ସେହି ନଦୀ କୋଣାର୍କ ସମୀପବର୍ତ୍ତୀ ଚନ୍ଦ୍ରଭାଗା ନଦୀ ପରି ବିଲୁପ୍ତ ହୋଇଯାଇଛି । ଇତିହାସ କୁହେ ଯେ, ଏହି ଉପନଦୀ ଋଚିକ ପର୍ବତର ପାଦଦେଶରେ ଦେବୀ ଚର୍ଚ୍ଚିକାଙ୍କ ପାଦ ପ୍ରକ୍ଷାଳନ କରି ଶେଷରେ ପବିତ୍ର ଚିତ୍ରୋତ୍ପଳା ବା ମହାନଦୀରେ ଲୀନ ହୋଇଯାଉଥିଲା ।
ଏଠାକାର ଜନଶ୍ରୁତି ଅନୁସାରେ ଦେବୀ ଚର୍ଚ୍ଚିକା ହେଉଛନ୍ତି ମା ସତୀଙ୍କ ବାମହସ୍ତ ପତିତ ଶକ୍ତିପୀଠ । ଯଦ୍ୟପି ଦେବୀପୁରାଣରେ ଏହାର ସ୍ପଷ୍ଟ ଉଲ୍ଲେଖ ମିଳେନାହିଁ, ତଥାପି ଲୋକବିଶ୍ୱାସ ଓ ଆସ୍ଥା ଅନୁଯାୟୀ ଏହି ପୀଠକୁ ଦେବୀ ସତୀଙ୍କ ଅଙ୍ଗପତିତ ପବିତ୍ର ଶକ୍ତିପୀଠ ଭାବେ ମନାଯାଏ ।
କିମ୍ବଦନ୍ତୀ ଅନୁସାରେ ଦେବୀଙ୍କ ବିଗ୍ରହ ଚାମୁଣ୍ଡାରୂପିଣୀ ଦୈତ୍ୟବିନାଶିନୀ ରୂପରେ ପ୍ରତିଷ୍ଠିତ । ଦେବୀ ଶବାରୂଢ଼ା ଏବଂ ଅଷ୍ଟଭୁଜା ସମ୍ପନ୍ନା । ତାଙ୍କର ହସ୍ତମାନଙ୍କରେ ବିଭିନ୍ନ ଦୈବୀ ଅସ୍ତ୍ର ଶୋଭା ପାଉଛି । ଦେବୀଙ୍କ କଣ୍ଠରେ ଦୈତ୍ୟମାନଙ୍କ ମୁଣ୍ଡରେ ଗଠିତ ମୁଣ୍ଡମାଳା ବିଭୂଷିତ ଅଟେ । କଥିତ ଅଛି ଯେ, ଦେବୀଙ୍କ ପାଷାଣମୂର୍ତ୍ତିର କଟିଦେଶ ସାମାନ୍ୟ ବକ୍ର ବା ବଙ୍କା ଥିବାରୁ ତାଙ୍କର ଅନ୍ୟ ନାମ “ବକ୍ରେଶ୍ୱରୀ” । ଏବଂ ଏହି ବକ୍ର କଟିର ସ୍ମୃତିରେ ଏହି ଅଞ୍ଚଳର ନାମ “ବକ୍ରଗଡ଼” ଓ ପରବର୍ତ୍ତୀ କାଳରେ “ବାଙ୍କୀ” ହୋଇଥିବା ବୋଲି ମତ ପ୍ରଚଳିତ ଅଛି । ବାଳକବିଙ୍କ ରଚିତ ବିରାଟ ଭଗବତୀ ଜଣାଣର
“ଜୟ ବୈତରଣୀ ତଟରେ ବିହାରିଣୀ,
ଜୟଶ୍ରୀ ବକ୍ରଦୁର୍ଗେ ବାସ।”
ପଦ ଟିରେ “ବକ୍ରଦୁର୍ଗେ” ଶବ୍ଦଟି ବକ୍ରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କୁ ସୂଚିତ କରୁଛି ବୋଲି ଅନେକ ଗବେଷକ ମତ ପ୍ରକାଶ କରନ୍ତି ।
ଇତିହାସ କୁହେ ଯେ, ଏହି ରାଜ୍ୟ ଦିନେ ଅମେଇ ଠାରୁ କମେଇ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏହାର ସୀମାରେଖା ଏଢେତେଢେ ବଙ୍କା ଆକୃତିର ହୋଇଥିବାରୁ ସମ୍ଭବତଃ ଏହାର ନାମ “ବକ୍ରଗଡ଼” ଏବଂ ପରବର୍ତ୍ତୀ କାଳରେ “ବାଙ୍କୀ” ଭାବେ ପରିଚିତ ହୋଇଥିଲା ।
~ ଋଚିକ ପର୍ବତ ଶିଖରେ ଦେବୀ ମା ଚର୍ଚ୍ଚିକାଙ୍କ ସ୍ଥାପନର କିମ୍ବଦନ୍ତୀ ~
ଏହି ଦେବୀଙ୍କ ସ୍ଥାପନା ପଛରେ ଏକ ଆଲୋକୀକ କିମ୍ବଦନ୍ତୀ ମଧ୍ୟ ଶୁଣିବାକୁ ମିଳେ । କଥିତ ଅଛି ଯେ, ଏକଦା ବର୍ଷା ଋତୁ ସମୟରେ ବାଙ୍କୀ ଅଞ୍ଚଳରେ ମହାନଦୀ ପ୍ରବଳ ବେଗରେ କୂଳ ଖାଉଥିଲା । ସେହି ସମୟରେ ଦିନବେଳେ ମଧ୍ୟ ନୌକାରେ ପାରି ହେବାକୁ ଲୋକମାନେ ସାହସ କରୁନଥିଲେ । ଏମିତି ଏକ ସନ୍ଧ୍ୟାବେଳେ ବାଙ୍କୀର ରଣପୁର ଘାଟରେ ଜଣେ ନାଉରିଆ ନିଜର ଦୈନନ୍ଦିନ କାର୍ଯ୍ୟ ସାରି ଘାଟର ସେପାରିରୁ ଯାତ୍ରୀମାନଙ୍କୁ ଛାଡ଼ି ଫେରୁଥିବା ବେଳେ, ନାଲି ଶାଢ଼ୀ ପିନ୍ଧିଥିବା ଜଣେ ସୁନ୍ଦରୀ ମହିଳା ତାଙ୍କୁ ନୌକାରେ ପାର କରାଇବାକୁ ଅନୁରୋଧ କରିଥିଲେ । କିନ୍ତୁ ସନ୍ଧ୍ୟାର ସମୟ ଏବଂ ସେହି ମହିଳାଙ୍କ ଅସାଧାରଣ ସୌନ୍ଦର୍ଯ୍ୟ ଓ ବେଶଭୂଷାକୁ ଦେଖି ନାବିକଙ୍କ ମନରେ ଭୟ ଓ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି କାରଣରୁ ସେ ମହିଳାଙ୍କୁ ନାହିଁ କରି ଏକାକୀ ନୌକା ନେଇ ଘାଟ ପାରି ହୋଇଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ନାବିକ ମହିଳାଙ୍କୁ ମନା କରିବା ମାତ୍ରେ ସେ ହଠାତ ଉଭାନ ହୋଇଯାଇଥିଲେ ।
ତେବେ ନାବିକ ଦେଖିଲେ ଯେ, ଏକ ବିରାଟ ନାଲି ମନ୍ଦାର ଫୁଲର ମାଳା ନଦୀର ସ୍ରୋତରେ ତାଙ୍କ ଡଙ୍ଗା ସହ ସମାନ୍ତରାଳ ଭାବରେ ଭାସି ଆସୁଛି । ଡଙ୍ଗା ରଣପୁର ଘାଟରେ ପହଞ୍ଚିବା କ୍ଷଣେ ସେହି ମାଳାଟି ମଧ୍ୟ ହଠାତ୍ ଉଭାନ ହୋଇଯାଇଥିଲା । କିଛି ସମୟ ପରେ ନାବିକ ଦେଖିବାକୁ ପାଇଲେ ଯେ, ନଦୀକୂଳରେ ଥିବା ଋଚିକ ପାହାଡ଼ ଶିଖରରେ ଥିବା ଏକ ଅଙ୍କୁଳ ବୃକ୍ଷରେ ସେହି ମାଳାଟି ଝୁଲି ରହିଛି । ଏହି ଅଦ୍ଭୁତ ଦୃଶ୍ୟ ଦେଖି ନାବିକ ଆଚମ୍ବିତ ହୋଇ ପାଖପାଖିର ଲୋକମାନଙ୍କୁ ଡାକି ସମସ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ । ସେହି ରାତ୍ରିରେ ମଧ୍ୟ ସେଠାକାର ରାଜାଙ୍କୁ ସ୍ୱପ୍ନରେ ସମାନ ଦୃଶ୍ୟ ଦେଖାଯାଇଥିଲା ।
ପରଦିନ ପ୍ରଭାତରେ ରାଜା ସେଠାକୁ ଆସି ଦେଖିଲେ ଯେ, ଉକ୍ତ ଅଙ୍କୁଳ ବୃକ୍ଷ ମୂଳରେ ଏକ ବିରାଟ ଅଷ୍ଟଭୁଜା ପାଷାଣମୂର୍ତ୍ତି ବିରାଜମାନ ଅଛି । ଦେବୀଙ୍କ ସ୍ୱପ୍ନାଦେଶ ଓ ନିର୍ଦ୍ଦେଶ ଅନୁଯାୟୀ ରାଜା ସେହି ପାଷାଣ ବିଗ୍ରହଙ୍କୁ “ମା’ ଚର୍ଚ୍ଚିକା” ନାମରେ ପରିଚିତ କରାଇ ସେହି ପର୍ବତ ଶିଖରରେ ପ୍ରତିଷ୍ଠା କରିଥିଲେ । କିନ୍ତୁ ଏହା କେଉଁ ସମୟର ଘଟଣା, ସେହି ରାଜା କିଏ ଥିଲେ ଏବଂ କେଉଁ ଅଞ୍ଚଳର ଶାସକ ଥିଲେ,ଏ ସମ୍ପର୍କରେ କୌଣସି ସ୍ପଷ୍ଟ ଐତିହାସିକ ପ୍ରମାଣ ମିଳେନାହିଁ । ତଥାପି, ପ୍ରାୟ ପ୍ରତ୍ୟେକ ଦେବୀପୀଠର ସ୍ଥାପନା ପଛରେ ଯେପରି ଏକ ସୁନ୍ଦର କାହାଣୀ ଓ କିମ୍ବଦନ୍ତୀ ଜଡିତ ଥାଏ, ଠିକ ସେପରି ମା ଚର୍ଚ୍ଚିକାଙ୍କ ପୀଠ ସ୍ଥାପନା ପଛରେ ମଧ୍ୟ ଏହି କିମ୍ବଦନ୍ତୀକୁ ଲୋକମାନେ ଆସ୍ଥାର ସହ ଗ୍ରହଣ କରିଆସୁଛନ୍ତି । ~ ଶ୍ରୀଜଗନ୍ନାଥ ସଂସ୍କୃତିରେ ମା’ ଚର୍ଚ୍ଚିକାଙ୍କ ଭୂମିକା ~
ଦେବୀଙ୍କ ମହିମା ସମ୍ପର୍କରେ ଏହା ବ୍ୟତୀତ ଅନ୍ୟ ଦୁଇଟି ପୁରାଣ କିମ୍ବଦନ୍ତୀ ମଧ୍ୟ ଶୁଣିବାକୁ ମିଳେ । ପ୍ରଥମ କଥାଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳଗିରି ପର୍ବତରେ ପ୍ରତିଷ୍ଠା ପୂର୍ବ ସମୟ ସହ ସମ୍ପୃକ୍ତ । କଥିତ ଅଛି ଯେ, ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନ ନିଜ ମନ୍ତ୍ରୀ ବିଦ୍ୟାପତିଙ୍କ ମାଧ୍ୟମରେ ଜାଣିପାରିଥିଲେ ଯେ, ତାଙ୍କ ଆରାଧ୍ୟ ମହାବିଷ୍ଣୁଙ୍କ ଆବିର୍ଭାବ ସ୍ଥାନ ଆଜିର କଣ୍ଟିଲୋ ନିକଟସ୍ଥ ବ୍ରହ୍ମାଦ୍ରି ପର୍ବତ ଶିଖରରେ ପ୍ରକାଶିତ ହୋଇସାରିଛି । ଏହା ଜାଣି ସେ କାଳବିଳମ୍ବ ନକରି ସୈନ୍ୟସାମନ୍ତ ସହ କଣ୍ଟିଲୋ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।
ଅନ୍ୟପଟେ, ସରଳ ଓ ନିଷ୍କପଟ ଆଦିବାସୀ ଶବରରାଜ ବିଶ୍ୱାବସୁ ନିଜ ଆରାଧ୍ୟ ମହାପ୍ରଭୁଙ୍କୁ ସେହି ସ୍ଥାନରୁ ଛାଡ଼ିବାକୁ ଅନିଚ୍ଛୁକ ଥିଲେ । ନାରାୟଣଙ୍କ ଭକ୍ତିରେ ସେ ପ୍ରାୟ ପାଗଳ ସଦୃଶ ହୋଇ ନିଜ ସହଯୋଗୀମାନଙ୍କ ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧାରଣ କରି ଏକ ପ୍ରକାର ଯୁଦ୍ଧ ପ୍ରସ୍ତୁତି ନେଇ ଅବନ୍ତୀର ମହାରାଜାଙ୍କୁ ଅବରୋଧ କରିବାକୁ ବାହାରିଥିଲେ । ଏହି ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ ଅତ୍ୟନ୍ତ ଦୁଃଖିତ ହୋଇଥିଲେ । ସେ ଚିନ୍ତା କରିବାକୁ ଲାଗିଲେ, “ସତରେ କଣ ପ୍ରଭୁଙ୍କ ସାନିଧ୍ୟ ପାଇବା ପାଇଁ ରକ୍ତପାତ କରିବାକୁ ପଡ଼ିବ ? ନିରୀହ ଓ ନିଷ୍ଠାବାନ୍ ନାରାୟଣଭକ୍ତ ଶବରରାଜ ବିଶ୍ୱାବସୁଙ୍କ ଉପରେ ଅସ୍ତ୍ର ଉଠାଇବାକୁ ପଡ଼ିବ ?” ଏପରି ଅନେକ ଚିନ୍ତାରେ ରାଜା ବିବ୍ରତ ହୋଇପଡ଼ିଥିଲେ । ଏହି ସମୟରେ ସେ ଋଚିକ ପାହାଡ଼ ପାଦଦେଶରେ ନିଜ ସୈନ୍ୟସାମନ୍ତଙ୍କ ସହ ବିଶ୍ରାମ ନେଇଥିଲେ । କୌଣସି ଉପାୟ ନପାଇ ରାଜା ଋଚିକ ଶିଖରବାସିନୀ ମା ଚର୍ଚ୍ଚିକାଙ୍କ ଶରଣାପନ୍ନ ହୋଇ ପ୍ରାର୍ଥନା କରିଥିଲେ, “ହେ ମା ଯୋଗମାୟା, ପୁରାଣ ଓ ସାଧୁସନ୍ତମାନେ ତୁମକୁ ଆଦିଶକ୍ତି ବୋଲି କହନ୍ତି । ତୁମେ ହେଉଛ ଆଦିବିଷ୍ଣୁଙ୍କ ସୃଷ୍ଟିଶକ୍ତି । ତୁମ ମାଧ୍ୟମରେ ହିଁ ନାରାୟଣ ଏହି ସଂସାରକୁ ପାଳନ କରୁଛନ୍ତି । ତୁମ ଅନୁକମ୍ପା ବିନା ମୁଁ କିପରି ଶ୍ରୀବିଷ୍ଣୁଙ୍କ ସାନିଧ୍ୟ ପାଇବି ? ମୁଁ ମୂର୍ଖ, ତୁମ ପାଦଦେଶରେ ଥାଇ ମଧ୍ୟ ତୁମକୁ ସ୍ମରଣ ନକରି ବଳପ୍ରୟୋଗର ଚିନ୍ତା କରିଥିଲି । ମୋତେ କ୍ଷମା କର । ଯେପରି ରାମାୟଣ ଯୁଦ୍ଧରେ ରାଘବଙ୍କୁ ତୁମେ କୃପା କରି ସଫଳତା ପ୍ରଦାନ କରିଥିଲେ, ସେହିପରି ଆଜି ମୋତେ ମଧ୍ୟ ନାରାୟଣଙ୍କ ସାନିଧ୍ୟ ପ୍ରାପ୍ତିରେ କୃପା କର । ହେ ଆଦିମାତା, ଭୃଗୁବଂଶର ଇଷ୍ଟଦେବୀ, ବୀର ପରଶୁରାମଙ୍କ ଆରାଧ୍ୟା, ମୋପରେ କୃପାଦୃଷ୍ଟି କରନ୍ତୁ” ।
ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଏହି ଅଗାଧ ବିଷ୍ଣୁଭକ୍ତିରେ ଦେବୀ ପ୍ରସନ୍ନ ହୋଇ ତାଙ୍କୁ ଆଦେଶ ଦେଇଥିଲେ, “ରାଜନ, ଧୈର୍ଯ୍ୟ ଧାରଣ କର । ଅନନ୍ତକୋଟି ବ୍ରହ୍ମାଣ୍ଡନାୟକ ପରବ୍ରହ୍ମ ସଚ୍ଚିଦାନନ୍ଦ ଶ୍ରୀହରି କେବେ ମଧ୍ୟ ନିଜ ଭକ୍ତଙ୍କୁ ନିରାଶ କରନ୍ତି ନାହିଁ । ସେ ତୁମର ଗୁହାରି ଶୁଣିଛନ୍ତି । ତୁମେ କାଳବିଳମ୍ବ ନକରି ମହାନଦୀର ବାଙ୍କୀ ମୁହାଣକୁ ଶୀଘ୍ର ଯାଅ । ନିରାକାର ବ୍ରହ୍ମ ସାକାର ରୂପରେ ପୂଜା ପାଇବାକୁ ଇଚ୍ଛା କରିଛନ୍ତି । ସେହିକାରଣରୁ ସେ ମହାଦାରୁ ରୂପେ ବାଙ୍କୀ ମୁହାଣରେ ଭାସି ଆସୁଛନ୍ତି । ତୁମେ ସେହି ବ୍ରହ୍ମଦାରୁଙ୍କୁ ଜଳରୁ ଉଦ୍ଧାର କରି ନୀଳାଚଳକୁ ନେଇଯାଅ ଏବଂ ବିଧାତାଙ୍କ ନିର୍ଦ୍ଦେଶାନୁଯାୟୀ ସେଠାରେ ଜଗନ୍ନାଥ ରୂପେ ପ୍ରତିଷ୍ଠା କର” । ଦେବୀଙ୍କ ଆଦେଶ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ତତ୍କ୍ଷଣାତ୍ ବାଙ୍କୀ ମୁହାଣକୁ ଯାଇ ସେଠାରୁ ବ୍ରହ୍ମଦାରୁଙ୍କୁ ଗ୍ରହଣ କରିଥିଲେ ଏବଂ ମହୋଦଧିତୀରେ ନୀଳାଚଳ ଶିଖରରେ ବ୍ରହ୍ମାଙ୍କ ଦ୍ୱାରା ନୃସିଂହ ମନ୍ତ୍ରରେ ପ୍ରତିଷ୍ଠା କରାଇଥିଲେ । ବୋଧହୁଏ ଏହି କିମ୍ବଦନ୍ତୀକୁ ଆଧାର କରି ଦେବୀ ଚର୍ଚ୍ଚିକାଙ୍କ ଆଉ ଏକ ମୂର୍ତ୍ତି ପୁରୀ ରାଜନଅର ମଧ୍ୟରେ ପୂଜା ପାଉଛନ୍ତି ।
ଇତିହାସ ମଧ୍ୟ କୁହେ ଯେ, ଗଜପତି ରାଜାମାନେ କୌଣସି ଯୁଦ୍ଧ ବା ରାଜ୍ୟଜୟ ଅଭିଯାନରେ ବାହାରିବା ପୂର୍ବରୁ ରାଜନଅରରେ ବିରାଜିତ ମା ଚର୍ଚ୍ଚିକାଙ୍କ ଆଶୀର୍ବାଦ ଲୋଡ଼ୁଥିଲେ । ଏହା ବ୍ୟତୀତ ମହାପ୍ରଭୁଙ୍କ ରଥନିର୍ମାଣ ଓ କିଛି ବିଶେଷ ଯାନୀଯାତ୍ରାରେ ମଧ୍ୟ ଦେବୀ ଚର୍ଚ୍ଚିକାଙ୍କ ଅନୁମତି ଅପରିହାର୍ଯ୍ୟ ବୋଲି ମନାଯାଏ । ଏହିପରି ଦେଖିଲେ, ପୁରୀ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତିକାନ୍ତି ଓ ପର୍ବପର୍ବାଣୀରେ ମା ବିମଳା ଓ ମା ମଙ୍ଗଳାଙ୍କ ପରି ମା ଚର୍ଚ୍ଚିକାଙ୍କର ମଧ୍ୟ ଏକ ବିଶେଷ ଭୂମିକା ରହିଛି ।
ଅନ୍ୟ ଏକ କିମ୍ବଦନ୍ତୀ ଶ୍ରୀଜଗନ୍ନାଥ ମନ୍ଦିରର ବଡ଼ବାଡ଼ ସାଆନ୍ତ, ବଡ଼ ମଣିମା ଶ୍ରୀ ରେବତୀକାନ୍ତ ରୋହିଣୀନନ୍ଦନ ବଳଭଦ୍ରଙ୍କ ସହ ଜଡିତ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ପ୍ରତି ରାତ୍ରି ବଡ଼ସିଂହାର ନୀତି ସମୟରେ ଆରତୀ ହେବାବେଳେ ଚତୁର୍ଧାମୂର୍ତ୍ତିଙ୍କ ରାତ୍ର ପହୁଡ଼ ସମୟରେ ସମସ୍ତ ଦେବଦେବୀଙ୍କ ଉପସ୍ଥିତି ଅନିବାର୍ଯ୍ୟ ଥିଲା । ଏହି ନିୟମ ବଡ଼ବାଡ଼ ଶ୍ରୀବଳଭଦ୍ରଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା ।
ଏକଦା ବଡ଼ସିଂହାର ଆରତୀ ସମୟରେ ନିର୍ଦ୍ଦେଶ ମୁତାବକ ସମସ୍ତ ଦେବଦେବୀ ରତ୍ନସିଂହାସନ ସମ୍ମୁଖରେ ଉପସ୍ଥିତ ହୋଇ ଚତୁର୍ଧାମୂର୍ତ୍ତିଙ୍କ ଆରତୀ ଦର୍ଶନ କରୁଥିବା ବେଳେ, କୌଣସି କାରଣବଶତଃ ଦେବୀ ଚର୍ଚ୍ଚିକାଙ୍କର ଆସିବାରେ ବିଳମ୍ବ ହୋଇଯାଇଥିଲା । ଆରତୀ ଶେଷ ସମୟରେ ସେ ଆସି ପହଞ୍ଚି ଅତ୍ୟନ୍ତ ଚଞ୍ଚଳତାର ସହ ଉପସ୍ଥିତ ଦେବଦେବୀମାନଙ୍କ ଗହଣରେ ପ୍ରବେଶ କରିଥିଲେ । କିନ୍ତୁ ଏହାକୁ ଶ୍ରୀବଳଭଦ୍ର ଲକ୍ଷ୍ୟ କରିନେଇଥିଲେ । ସେ କ୍ରୋଧାନ୍ୱିତ ହୋଇ ଦେବୀଙ୍କୁ କହିଥିଲେ, “ଦେବୀ ଚର୍ଚ୍ଚିକା! ତୁମର ଏହି ଚାଲାକି ଆମ୍ଭେ ସହ୍ୟ କରିବୁ ନାହିଁ । କେବଳ ଉପସ୍ଥାପନା କରିବା ଯଦି ତୁମର କାର୍ଯ୍ୟ, ତେବେ ଆମ୍ଭଙ୍କୁ ସେହି ସେବାର ଆବଶ୍ୟକତା ନାହିଁ । ଆଜିଠାରୁ ତୁମେ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ ରହିବ । ତୁମେ ବର୍ତ୍ତମାନ ସ୍ୱାଧୀନ” ।
ବଡ଼ଠାକୁରଙ୍କ କ୍ରୋଧ ସମ୍ମୁଖରେ କିଏ ବା ତିଷ୍ଠିପାରିବ, ଦେବୀ ଚର୍ଚ୍ଚିକା ନମ୍ର କଣ୍ଠରେ କେବଳ ଏତିକି କହିଥିଲେ, “ହେ ବଡ଼ବାଡ଼ ବଡ଼ ସାଆନ୍ତ! ଏଥର ପାଇଁ ମୋ ଦୋଷ କ୍ଷମା କରନ୍ତୁ । ମୋତେ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ କରନ୍ତୁ ନାହିଁ” । ଦେବୀଙ୍କ କରୁଣ ନିବେଦନ ଶୁଣି କ୍ଷଣକୋପୀ ବଡ଼ଠାକୁରଙ୍କ ହୃଦୟ ତରଳି ଯାଇଥିଲା । ସେ ଦେବୀଙ୍କୁ ସାନ୍ତ୍ୱନା ଦେଇ କହିଥିଲେ, “ହେ ଦେବୀ, ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ଆମ ସେବାୟତ ଭିତରଛୁ ମହାପାତ୍ରଙ୍କ ଗୃହରେ କିଛି ଦିନ ପାଇଁ ମାନବୀ ରୂପରେ ବାସ କରି ଠାକୁର ସେବାରେ ସାହାଯ୍ୟ କରିବେ । ଉଚିତ ସମୟ ଆସିଲେ ଆପଣ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆମ୍ଭମାନଙ୍କ ପ୍ରତ୍ୟକ୍ଷ ସେବା କରିପାରିବେ” । ବଡ଼ଦେବଙ୍କ ଆଜ୍ଞାନୁସାରେ ଦେବୀ ଚର୍ଚ୍ଚିକା ଭିତରଛୁ ମହାପାତ୍ରଙ୍କ ଗୃହରେ ଜଣେ ବୃଦ୍ଧା ବ୍ରାହ୍ମଣୀ ରୂପରେ ବାସ କରିବାକୁ ଲାଗିଲେ । ସେ ମହାପାତ୍ରଙ୍କ ଘରକାମ ସହ ଠାକୁର ସେବା ମଧ୍ୟ କରୁଥିଲେ ।
ଏକଦା ଏକ ବଡ଼ ଏକାଦଶୀ ଦିନ ମହାପାତ୍ର ମହାଦୀପ ଉଠାଇବା ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ସେହି ବୃଦ୍ଧା ବ୍ରାହ୍ମଣୀଙ୍କୁ ନିଜ ଠାକୁରଘରେ ଏକାଦଶୀ ଦୀପ ଜଳାଇବାକୁ କହିଯାଇଥିଲେ । ମହାପାତ୍ର ବିଳମ୍ବିତ ରାତ୍ରିରେ ଘରକୁ ଫେରି ଦେଖିଲେ ଯେ, ଠାକୁରଘର ଅନ୍ଧକାରମୟ । ଏପରି ନୀତିବିଭ୍ରାଟ ଦେଖି ସେ କ୍ରୋଧିତ ହୋଇ ବୃଦ୍ଧା ବ୍ରାହ୍ମଣୀଙ୍କୁ କିଛି କଟୁ କଥା କହିଥିଲେ । ଏହାରେ ବୃଦ୍ଧା ରାଗି ଯାଇ ଗୃହର ଛାତ ଉପରକୁ ଚଢ଼ିଗଲେ । ସେଠାରେ ଏକ ଗୋଡ଼ରେ ଦଣ୍ଡାୟମାନ ହୋଇ ଅନ୍ୟ ଗୋଡ଼ଟି ଶ୍ରୀଜଗନ୍ନାଥ ମନ୍ଦିର ଉପରେ ରଖି, ନୀଳଚକ୍ର ଉପରେ ଜଳୁଥିବା ମହାଦୀପରୁ ନିଜ ହସ୍ତରେ ଧରିଥିବା ମହାପାତ୍ରଙ୍କ ଠାକୁରଘର ଦୀପକୁ ପ୍ରଜ୍ୱଳିତ କରିଦେଇଥିଲେ । ଏହି ଅଲୌକିକ ଦୃଶ୍ୟ ଦେଖି ମହାପାତ୍ର ହତବାକ ହୋଇ ବୃଦ୍ଧାଙ୍କୁ ଚାହିଁ ରହିଥିଲେ । ତତ୍କ୍ଷଣାତ୍ ବୃଦ୍ଧା ନିଜ ଦିବ୍ୟ ରୂପ ଧାରଣ କରି କହିଥିଲେ, “ମୁଁ ଦେବୀ ଚର୍ଚ୍ଚିକା । ବଡ଼ଠାକୁରଙ୍କ ଆଜ୍ଞାରେ ତୁମ ଗୃହରେ ଠାକୁର ସେବା କରୁଥିଲି । ବର୍ତ୍ତମାନ ମୋ ଦଣ୍ଡର ସମୟ ସମାପ୍ତ ହୋଇଛି । ମୁଁ ଶ୍ରୀମନ୍ଦିରକୁ ଫେରିଯାଉଛି ଏବଂ ଶ୍ରୀଜୀଉମାନଙ୍କ ପ୍ରତ୍ୟକ୍ଷ ସେବାର ଦାୟିତ୍ୱ ପୁନର୍ବାର ତୁଲାଇବି” । ବିଚରା ମହାପାତ୍ର ସେବକ ଦେବୀଙ୍କୁ ଚିହ୍ନିନପାରି ମାନବୀୟ ଦୁର୍ବଳତାବଶତଃ ତାଙ୍କୁ କଟୁବାକ୍ୟ କହିଥିବାରୁ ନିଜକୁ ଧିକ୍କାର କରିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା ।
~ ଓଡ଼ିଶା ଇତିହାସ ପୃଷ୍ଠାରେ ମା ଚର୍ଚ୍ଚିକା ~
ଏପର୍ଯ୍ୟନ୍ତ ଦେବୀଙ୍କ ଆବିର୍ଭାବ ଓ ପ୍ରତିଷ୍ଠା ସମ୍ବନ୍ଧୀୟ କିଛି ଜନଶ୍ରୁତି ଏବଂ କିମ୍ବଦନ୍ତୀର କଥା ଆଲୋଚନା କରାଗଲା । ବର୍ତ୍ତମାନ ଆମେ ମା ଚର୍ଚ୍ଚିକାଙ୍କ ସ୍ଥାପନା ବିଷୟରେ କିଛି ଐତିହାସିକ ତଥ୍ୟ ଉପରେ ଆଲୋଚନା କରିବା । ଆମେ ପୂର୍ବରୁ ଉଲ୍ଲେଖ କରିଛୁ ଯେ, ଉତ୍କଳରେ ଯେତେବେଳେ ଶକ୍ତି ଉପାସନା ତୀବ୍ର ଗତିରେ ପ୍ରସାର ଲାଭ କରୁଥିଲା, ସେହି ସମୟରେ ସପ୍ତମାତୃକା, ଅଷ୍ଟକାଳୀ, ଦଶମହାବିଦ୍ୟା, ଯୋଗିନୀ ଓ ଚାମୁଣ୍ଡା ପୂଜାର ପ୍ରଚଳନ ବଢ଼ିଥିଲା । ଗ୍ରାମଦେବୀ, ମା ମଙ୍ଗଳା, କଳେଶ୍ୱରୀ, ଖମ୍ବେଶ୍ୱରୀ, ସ୍ତମ୍ଭେଶ୍ୱରୀ ଆଦି ଦେବୀମାନଙ୍କ ପୂଜା ସହ ପଥର ଖଣ୍ଡରେ ସିନ୍ଦୂର ପ୍ରଲେପ ଦେଇ ମା’ ତରକେଇ, ଡାଳଖାଇ, ଭୂଇଁଆଣୀ ପ୍ରମୁଖ ଦେବୀମାନଙ୍କ ଉପାସନା ମଧ୍ୟ ଆରମ୍ଭ ହୋଇଥିଲା ।
ଭାରତୀୟ ଇତିହାସକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ, ଗୁପ୍ତଯୁଗ ସମୟରେ ଶାକ୍ତ ବା ଦେବୀ ଉପାସନା ଏକ ନୂତନ ରୂପ ନେଇ ସମାଜରେ ପ୍ରସିଦ୍ଧି ଲାଭ କରିଥିଲା । କିନ୍ତୁ ଓଡ଼ିଶାର ଇତିହାସ ଅନୁସାରେ ଭୌମକର ଶାସକମାନଙ୍କ ସମୟରେ ଏହି ଶାକ୍ତ ପରମ୍ପରା ଅଧିକ ଆଦୃତ ହୋଇଥିଲା । ପରବର୍ତ୍ତୀ କାଳରେ କେଶରୀ ଓ ଗଙ୍ଗବଂଶୀୟ ରାଜାମାନଙ୍କ ସମୟରେ ଏହା ଓଡ଼ିଶାର ପୂଜା ସଂସ୍କୃତିର ଏକ ମୂଳ ବୈଶିଷ୍ଟ୍ୟରେ ପରିଣତ ହୋଇଯାଇଥିଲା । ସେହି ସମୟରେ ଶକ୍ତିପୂଜା କେତେକ ତାନ୍ତ୍ରିକ ସାଧକଙ୍କ ଦ୍ୱାରା ମଧ୍ୟ ପାଳନ କରାଯାଉଥିଲା, ଯାହା ସାଧାରଣ ଦୁର୍ଗାପୂଜା ପଦ୍ଧତିଠାରୁ କିଛିଟା ଭିନ୍ନ ଥିଲା । ସେମାନେ ପାହାଡ଼ ଶିଖର, ଘନ ଜଙ୍ଗଲ, ଶ୍ମଶାନ ଭୂମି କିମ୍ବା ଗ୍ରାମର ନିର୍ଜନ ଓ ଅନ୍ଧକାରମୟ ସ୍ଥାନରେ ଦେବୀମାନଙ୍କୁ ସ୍ଥାପନ କରି ନିଜ ସିଦ୍ଧିଲାଭ ପାଇଁ ପଶୁବଳି, ମହାପଶୁବଳି ଏବଂ କେତେକ ସ୍ଥାନରେ ନରବଳି ମଧ୍ୟ ପ୍ରଦାନ କରୁଥିଲେ । ସାଧନା ଶେଷ ହେବା ପରେ ସେମାନେ ସେହି ସ୍ଥାନରେ ଦେବୀଙ୍କ ବିଗ୍ରହକୁ ଛାଡ଼ି ଅନ୍ୟତ୍ର ପ୍ରସ୍ଥାନ କରୁଥିଲେ ।
ଏହା ମଧ୍ୟ ସମ୍ଭବ ଯେ, କପାଳିକ ବ୍ରହ୍ମଚାରୀ ହେତୁ ସେମାନଙ୍କର କୌଣସି ପରପିଢ଼ି କିମ୍ବା ଶିଷ୍ୟ ନଥିବାରୁ, ସେମାନଙ୍କ ଅନ୍ତ ପରେ ଏହି ପ୍ରତିମୂର୍ତ୍ତିଗୁଡ଼ିକ ସେହି ସ୍ଥାନରେ ଅପୂଜିତ ଭାବେ ପଡ଼ି ରହିଯାଇଥିଲା । ଯେହେତୁ ଏହି ମୂର୍ତ୍ତିଗୁଡ଼ିକର ଗଠନ ଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ପାର୍ବତୀ କିମ୍ବା ଗାୟତ୍ରୀ ପରି ସାମାଜିକ ଦେବୀମୂର୍ତ୍ତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଭୟଙ୍କର ଚାମୁଣ୍ଡା ରୂପରେ ନିର୍ମିତ ଥିଲା, ସାଧାରଣ ଲୋକମାନେ ସେଗୁଡ଼ିକୁ ପୂଜା କରିବାକୁ କିମ୍ବା ଗୃହକୁ ଆଣିବାକୁ ଭୟ କରୁଥିଲେ । ଏହିକାରଣରୁ ସେଗୁଡ଼ିକ ଦୀର୍ଘ ବର୍ଷ ଧରି ସେହି ସ୍ଥାନରେ ପଡ଼ି ରହିଥିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ କୌଣସି ରାଜପୁରୁଷ, ଜମିଦାର କିମ୍ବା ସିଦ୍ଧସାଧକଙ୍କ ଦ୍ୱାରା ଏହି ବିଗ୍ରହଗୁଡ଼ିକ ପୁନର୍ବାର ଅବିଷ୍କୃତ ହୋଇ ପ୍ରତିଷ୍ଠା ଓ ପୂଜା ପାଇଥିବା ସମ୍ଭାବନା ରହିଛି । ଏହାର ପଛରେ ଅନେକ କିମ୍ବଦନ୍ତୀ ଓ ଲୋକକଥା ମଧ୍ୟ ପରେ ସଂଯୋଜିତ ହୋଇଯାଇଛି ।
ଏହି ଦୃଷ୍ଟିରୁ ଦେଖିଲେ, ମା ଚର୍ଚ୍ଚିକା ମଧ୍ୟ ଏହି ପାହାଡ଼ ଉପରେ କୌଣସି କପାଳିକ ତାନ୍ତ୍ରିକଙ୍କ ଦ୍ୱାରା ପୂଜିତ ହୋଇଥାଇପାରନ୍ତି । ପରେ ଏଠାକାର ଧଳବଂଶୀୟ କ୍ଷତ୍ରୀୟ ରାଜାମାନଙ୍କ ଦ୍ୱାରା ଦେବୀଙ୍କ ଅବିଷ୍କାର ହୋଇ ସେହି ରାଜବଂଶର ଇଷ୍ଟଦେବୀର ମାନ୍ୟତା ଲାଭ କରିଥିଲେ ।
ଇତିହାସ କୁହେ ଯେ, ଓଡିଶା ଗଙ୍ଗବଂଶ ରାଜାମାନଙ୍କ ଶାସନ ସମୟରେ ଶ୍ରୀକ୍ଷେତ୍ର ପୁରୀ ଭ୍ରମଣ କରି ଆସିଥିବା ଜଣେ ଧଳବଂଶୀୟ କ୍ଷତ୍ରୀୟ ବୀର ଵଳଭଦ୍ର ଧଳ (ଖ୍ରୀ:-୧୧୯୩-୧୨୦୦) ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉପରାନ୍ତେ ତତ୍କାଳୀନ ଓଡ଼ିଶା ମହାରାଜାଙ୍କ ପ୍ରିୟପାତ୍ର ହୋଇଥିଲେ ଏବଂ ତାଙ୍କର ସ୍ୱୀକୃତି ପାଇ ମହାନଦୀ କୂଳରେ ଏକ ନୂତନ ରାଜ୍ୟ ସ୍ଥାପନ କରିଥିଲେ । ରାଜା ଏଠାରେ ପହଞ୍ଚିବା ପରେ ମା ଚର୍ଚ୍ଚିକାଙ୍କ ଶରଣାପନ୍ନ ହୋଇ ତାଙ୍କର ଆଶୀର୍ବାଦରେ ନିଜର ନୂତନ ରାଜ୍ୟ ପ୍ରତିଷ୍ଠା କରିଥିଲେ ।
ଦେବୀଙ୍କ ମୂର୍ତ୍ତିକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ, ଏହା ତନ୍ତ୍ରଶାସ୍ତ୍ର ଅନୁଯାୟୀ ଚାମୁଣ୍ଡା ଶ୍ରେଣୀର ଏକ ଶକ୍ତିମୂର୍ତ୍ତି । ଦେବୀପୁରାଣ ଅନୁସାରେ ମହିଷାସୁର ବଧ ସମୟରେ ଦେବୀଙ୍କୁ ସାହାଯ୍ୟ କରିଥିବା ଶକ୍ତିଗଣ ପରବର୍ତ୍ତୀ ସମୟରେ ସପ୍ତମାତୃକା ଭାବେ ପରିଚିତ ହୋଇଥିଲେ । ବରାହପୁରାଣ କୁହେ ଯେ, ଅନ୍ଧକାସୁର ବଧ ସମୟରେ ଭଗବାନ ରୁଦ୍ର ନିଜ ଦେହରୁ ଯୋଗେଶ୍ୱରୀଙ୍କୁ ସୃଷ୍ଟି କରିଥିଲେ ଏବଂ ଭଗବାନ ବିଷ୍ଣୁ, ବ୍ରହ୍ମା, ଇନ୍ଦ୍ର, କାର୍ତ୍ତିକେୟ ଓ ଯମ ଆଦି ଦେବତାମାନଙ୍କ ଠାରୁ ଅନ୍ୟ ମାତୃକାଗଣଙ୍କ ଉଦ୍ଭବ ଘଟିଥିଲା । ଭଗବାନ ଶିବଙ୍କ କ୍ରୋଧାଗ୍ନିରୁ ଯେପରି ଭୈରବଙ୍କ ଜନ୍ମ ହୋଇଥିଲା, ସେପରି ଦେବୀ ପାର୍ବତୀ ବା ଦୁର୍ଗାଙ୍କ କ୍ରୋଧାଗ୍ନିର ରୂପ ହେଉଛନ୍ତି ଦେବୀ ଚାମୁଣ୍ଡା । ସପ୍ତମାତୃକାଙ୍କ ସହ ଯୁଦ୍ଧରେ ଅଂଶଗ୍ରହଣ କରୁଥିବା ଏହି ଶକ୍ତିରୂପିଣୀ ଦେବୀ ଚାମୁଣ୍ଡାଙ୍କ ପୂଜାପଦ୍ଧତି ସାଧାରଣ ବୈଷ୍ଣବ ପଦ୍ଧତିଠାରୁ ଭିନ୍ନ ଏବଂ ଆମିଷ ଭୋଗ ଯୁକ୍ତ ।
ଚାମୁଣ୍ଡା ଦେବୀଙ୍କ ଗଠନଶୈଳୀ ଅନୁସାରେ ସେ ନୃମୁଣ୍ଡମାଳାଧାରିଣୀ, ଶବାରୂଢ଼ା, ଲୋହିତଚକ୍ଷୁ ଏବଂ କଙ୍କାଳମୟ ରୂପିଣୀ । ମା ଚର୍ଚ୍ଚିକାଙ୍କ ଗଠନଶୈଳୀ ମଧ୍ୟ ପ୍ରାୟ ସେହିପରି ହୋଇଥିବାରୁ ଗବେଷକମାନେ ତାଙ୍କୁ ଚାମୁଣ୍ଡା ଶ୍ରେଣୀର ଦେବୀ ବୋଲି ମନେ କରନ୍ତି । ସପ୍ତମାତୃକାଙ୍କ କୋଳରେ ସାଧାରଣତଃ ଏକ ଶିଶୁ ଥାଏ, କିନ୍ତୁ ଚାମୁଣ୍ଡାଙ୍କ ନିକଟରେ ଏହାର ବ୍ୟତିକ୍ରମ ଦେଖାଯାଏ । ଏହିକାରଣରୁ ସେ ଉଗ୍ରତାର ପ୍ରତୀକ ଭାବେ ତନ୍ତ୍ରପୂଜାରେ ଗ୍ରହୀତ । ଦେବୀ କେତେକ ସ୍ଥାନରେ ଚତୁର୍ଭୁଜା, କେତେକ ସ୍ଥାନରେ ଦଶଭୁଜା ହୋଇଥିବାବେଳେ ବାଙ୍କୀ ଅଧିଷ୍ଠାତ୍ରୀ ମା’ ଚର୍ଚ୍ଚିକା ସାଧାରଣତଃ କଳା ମୁଗୁନି ପଥରରେ ନିର୍ମିତ ଅଷ୍ଟଭୁଜା ଦେବୀ ଅଟନ୍ତି ।
ଦେବୀଙ୍କ ହସ୍ତମାନଙ୍କରେ ଖଡ୍ଗ, ତ୍ରିଶୂଳ, ଅଙ୍କୁଶ, ଅଭୟମୁଦ୍ରା, ଅକ୍ଷମାଳା, ଛିନ୍ନମୁଣ୍ଡ, ଡମ୍ବରୁ ଓ ସର୍ପ ଆଦି ଶୋଭା ପାଉଥିବାବେଳେ, ଏକ ହସ୍ତର କନିଷ୍ଠା ଆଙ୍ଗୁଳିକୁ ସେ ଦାନ୍ତରେ କାମୁଡ଼ିଥିବା ଦେଖାଯାଏ । ଦେବୀଙ୍କ ଶରୀର ନୃମୁଣ୍ଡମାଳାରେ ଶୋଭିତ ଏବଂ ସେ ଶବାରୂଢ଼ା ଓ ଉଲଙ୍ଘ୍ନା । ଏହିକାରଣରୁ ସାଧକମାନେ ତାଙ୍କୁ ଚାମୁଣ୍ଡା ରୂପେ ଗ୍ରହଣ କରୁଥିବାବେଳେ, ଗବେଷକମାନେ ଏହି ମୂର୍ତ୍ତିକୁ ଭୌମକର ଶାସନ ସମୟର ଚାମୁଣ୍ଡା ମୂର୍ତ୍ତି ବୋଲି ମତ ପ୍ରକାଶ କରନ୍ତି । ଯାହାହେଉ, ଦେବୀ ଅତ୍ୟନ୍ତ କରୁଣାମୟୀ ଓ ବାତ୍ସଲ୍ୟମୟୀ ଅଟନ୍ତି । ତାଙ୍କର ବିକଟ ରୂପ ଦେଖି ଭକ୍ତମାନଙ୍କ ମନରେ ଭୟ ସୃଷ୍ଟି ନହେଉ ବୋଲି ସେ ସର୍ବଦା ପାଟଶାଢ଼ୀରେ ଆବୃତ ରହନ୍ତି । ଭକ୍ତମାନେ କେବଳ ଦେବୀଙ୍କ ଶ୍ରୀମୁଖ ଦର୍ଶନର ସୌଭାଗ୍ୟ ଲାଭ କରନ୍ତି |
ମନ୍ଦିରର ଗର୍ଭଗୃହକୁ କେବଳ ବାଙ୍କୀ ରାଜା ଏବଂ ଓଡ଼ିଶାର ଗଜପତି ମହାରାଜାଙ୍କୁ ପ୍ରବେଶ ଅନୁମତି ରହିଛି । ଦେବୀଙ୍କ ମନ୍ଦିରର ଶୌଭା ବୃଦ୍ଧିକାରୀ ହେଉଛି ଏହାର ବିରାଟ କାଷ୍ଠକାରୁକାର୍ଯ୍ୟମୟ ସ୍ତମ୍ଭଗୁଡ଼ିକ । ବାଙ୍କୀ ଇତିହାସ ଅନୁସାରେ ଏହା ରାଜା ପୀତାମ୍ବର ଶ୍ରୀଚନ୍ଦନ (ଖ୍ରୀ :-୧୮୧୩-୧୮୨୮)ଙ୍କ ଦ୍ୱାରା ନିର୍ମିତ । ଏହି ମନ୍ଦିରରେ ଦୁଇ ପ୍ରକାରର ସ୍ତମ୍ଭ ରହିଛି, ଯାହାକୁ “ଶୂନ୍ୟସ୍ତମ୍ଭ” ନାମରେ ମଧ୍ୟ ଜଣାଯାଏ । ପ୍ରଥମ ମଣ୍ଡପଟି ଦ୍ୱାଦଶ ସ୍ତମ୍ଭଯୁକ୍ତ । ପାହାଡ଼ ଉପରେ ଅବସ୍ଥିତ ଏହି ମନ୍ଦିରର ଦୁଇ ପାର୍ଶ୍ୱରେ ଦୁଇଟି ପାବଛ ଶ୍ରେଣୀ ରହିଛି । ଉତ୍ତର ଦିଗର ପାବଛ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ଥିବାବେଳେ, ପୂର୍ବରୁ ପଶ୍ଚିମ ଦିଗକୁ ଥିବା ପାବଛ ରାଜପରିବାର ପାଇଁ ନିର୍ଦ୍ଦିଷ୍ଟ ।
ଅନ୍ୟ ଶକ୍ତିପୀଠମାନଙ୍କ ପରି ଏଠାରେ ମଧ୍ୟ ଶକ୍ତିପୂଜାର ପଞ୍ଚମକାର ବିଧି ଅନୁଯାୟୀ ମଦ୍ୟ, ମାଂସ, ମତ୍ସ୍ୟ, ମୁଦ୍ରା ଓ ମୈଥୁନ ଆଦିରେ ପୂଜା ନୈବେଦ୍ୟ ଅର୍ପଣ କରାଯାଏ । ତନ୍ତ୍ରମତେ ଦେବୀ ସାକ୍ଷାତ୍ କାଳିକାଂଶ ଚାମୁଣ୍ଡା ହୋଇଥିବାରୁ ଦଶହରା ଆଦି ଶକ୍ତିପୂଜାରେ ମହାପଶୁବଳି ମଧ୍ୟ ଦିଆଯାଏ । କିନ୍ତୁ ଏହି ବଳି ମନ୍ଦିରବେଢ଼ା ସ୍ଥିତ ମା’ ମଙ୍ଗଳାଙ୍କ ସମ୍ମୁଖରେ ପ୍ରଦାନ କରାଯାଏ । ମାଙ୍କ ପ୍ରସିଦ୍ଧ ପୂଜାପର୍ବମାନଙ୍କରେ ଦେବୀଙ୍କୁ ରାଜପରିବାର ଦ୍ୱାରା ନିର୍ମିତ ଏକ ବିରାଟ ରୂପା ମୁକୁଟ ଏବଂ ୧୦୮ଟି ରୂପା ନିର୍ମିତ ମୁଣ୍ଡମାଳାରେ ଭୂଷିତ କରାଯାଇଥାଏ ।
ଦେବୀ ତନ୍ତ୍ରମତେ ସାକ୍ଷାତ୍ ଚାମୁଣ୍ଡା ହୋଇଥାଇପାରନ୍ତି ତଥା ଗବେଷକ ଓ ଐତିହାସିକମାନଙ୍କ ନିକଟରେ ଏହା କେଉଁ ଶାସନ କାଳରେ ନିର୍ମିତ ପ୍ରସ୍ତରମୂର୍ତ୍ତି ଏବଂ କାହା ଦ୍ୱାରା ପ୍ରତିଷ୍ଠିତ ଆଦି ଅନେକ ତର୍କ ହୋଇପାରିଥାଏ | ଏ ନେଇ ବିଭିନ୍ନ ଚର୍ଚ୍ଚା ମଧ୍ୟ ହୋଇଥାଇପାରେ । କିନ୍ତୁ ଜଣେ ଶ୍ରଦ୍ଧାଳୁ ଭକ୍ତ ପୁତ୍ରଙ୍କ ପାଇଁ ଦେବୀ ହେଉଛନ୍ତି ସାକ୍ଷାତ ଜନନୀ ମା’, ଭାଗ୍ୟ ଓ କର୍ମର ନିୟନ୍ତ୍ରିଣୀ ।
ଭକ୍ତମାନଙ୍କ ପାଖରେ ଗବେଷକ, ଐତିହାସିକ କିମ୍ବା ତାନ୍ତ୍ରିକମାନଙ୍କ ମତାମତର କିଛି ମୂଲ୍ୟ ନଥାଏ । ସେ କେବଳ ଏତିକି ଜାଣିଥାଏ ଯେ “ମୁଁ ପୁଅ, ସେ ମୋ ମାଆ” । ତାହାର ଭୂତ, ବର୍ତ୍ତମାନ ଓ ଭବିଷ୍ୟତ ସବୁକିଛି ସେ ସେଇ ଦେବୀ ମା’ଙ୍କ ପାଦପଦ୍ମରେ ସମର୍ପଣ କରିଦେଇଛି । ସେ ରକ୍ଷା କଲେ ରକ୍ଷା ପାଇବ, ସେ ଦଣ୍ଡ ଦେଲେ ତାହାକୁ ମଧ୍ୟ ମା’ଙ୍କର ଇଚ୍ଛା ବୋଲି ଗ୍ରହଣ କରିବ ।
ସେହି ଯୋଗମାୟାଙ୍କ ମାୟା ହିଁ କେତେକ ଖଳ ପ୍ରବୃତ୍ତିର ଲୋକଙ୍କୁ ଭ୍ରମିତ କରି କପାଳିକ ସାଧନାର ପଥରେ ନେଇଯାଏ । ଆସୁରିକ ଶକ୍ତି ଓ ତୁଚ୍ଛ ସିଦ୍ଧି ପ୍ରାପ୍ତିର ଲୋଭରେ ସେମାନେ ବିଭିନ୍ନ ଜୀବଜନ୍ତୁଙ୍କୁ ମା’ଙ୍କ ନାମରେ ନିର୍ଦୟ ଭାବରେ ବଳି ଦେଇଥାନ୍ତି । କିନ୍ତୁ ମା’ କେବଳ ସେମାନଙ୍କ ପାପକର୍ମର ଘଡ଼ି ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି ଏବଂ ଶେଷରେ ସେହି ଖଡ୍ଗରେ ସେମାନଙ୍କୁ କର୍ମଫଳରୂପୀ ଶାସ୍ତି ପ୍ରଦାନ କରିଥାନ୍ତି ।
ମା’ କେବେ ତା ପୁତ୍ରର ବଳି ଚାହିଁ ନଥାଏ ଏହା ଏକ ଭ୍ରମିତ ଚିନ୍ତାଧାରା ଛଡା କିଛି ହୋଇ ନ ପାରେ |
Banki Maa Charchika Temple Nayagarh Nayagada Itihasa Prasant Das