~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~
ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି
ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା।।
ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ଭାଦ୍ରବ ଶୁକ୍ଳ ଚତୁର୍ଥୀଦିନ ଗଣେଶ ପୂଜା କରାଯାଇଥାଏ। ଏହିଦିନ ଶ୍ରୀମନ୍ଦିରର ବଟଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନକରାଯାଏ। ଏହିଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ସରିବା ପରେ ବଟଗଣେଶ, ନୃତ୍ୟ ଗଣେଶ, ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥାଏ। ତତ୍ପରେ ମାଆ ଭୁବନେଶ୍ଵରୀ ମନ୍ଦିରରେ ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ବେହେରଣ କରଣମାନଙ୍କ ମାଦଳାପାଞ୍ଜି ରଖାଯାଇ ତହିଁ ଉପରେ ପତନି ଓ ପୁଷ୍ପମାଲ୍ୟ ଲାଗି ପୂର୍ବକ ଶୀତଳଭୋଗ ଓ ବନ୍ଦାପନା ସରିବା ପରେ ପ୍ରଶାସନ ପକ୍ଷରୁ ଯୋଗାଇଥିବା ୨୨ଟି ନଡ଼ିଆ ଉକ୍ତ କରଣମାନେ ଭାଙ୍ଗିଥାଆନ୍ତି। ଏତଦବ୍ୟତୀତ ଶ୍ରୀମନ୍ଦିରର ଅନେକ ସ୍ଥାନରେ ବିରାଜିତ ଶ୍ରୀ ଗଣେଶଙ୍କ ଚିତ୍ର ତଥା ମୂର୍ତ୍ତିଙ୍କ ପୂଜା କରାଯାଇଥାଏ।
ଶ୍ରୀକ୍ଷେତ୍ରରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ମୂର୍ତ୍ତି ନିର୍ମାଣ ଅନେକ ସ୍ଥାନରେ ଚିତାଲାଗି ଅମାବାସ୍ୟା ଦିନ ଠାରୁ ଆରମ୍ଭ କରାଯାଇଥାଏ ଏବଂ ୩ୟ, ୫ମ, ୭ମ ଦିନରେ ଗଣେଶଙ୍କ ଭସାଣୀ ବା ବିସର୍ଜନ କରାଯାଇଥାଏ। ୭ମ ବିସର୍ଜନ ଦିନ ପ୍ରାୟ ଅନେକ ଗଣେଶ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ସାମନାରେ ଏକାଠିହୋଇ କିଛି ସମୟ ରହି ବିସର୍ଜନ ନିମନ୍ତେ ବାହାରୁଛନ୍ତି। ଏବେ ବି ଅନେକ ସ୍ଥାନରେ ସାହି ପିଲାଙ୍କ ଦ୍ଵାରା କାନ୍ଧରେ ଟେକା ହୋଇ ବିସର୍ଜନ ନିମନ୍ତେ ପାରମ୍ପରିକ ବାଜା ବଜାଇ ନିଆଯାଇଥାଏ।
ବିଭିନ୍ନ ସ୍ଥାନରେ ଗଣେଶଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳେ। ପୁରୀର ଗଣେଶ ମୂର୍ତ୍ତିଙ୍କ ବିଶେଷତ୍ଵ ହେଉଛି- ସମ୍ପୂର୍ଣ୍ଣ ଉତ୍କଳୀୟ ମୂର୍ତ୍ତିକଳାକୁ ଅନୁସରଣ କରି ଏହି ବିଗ୍ରହମାନ ବନାଯାଇଥାଏ। ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପରେ ମହାର୍ଦ୍ଧ (ପତନି, ମାଳ, ମହାପ୍ରସାଦ) ସମର୍ପଣ କରଯାଇଥାଏ। କେତେକ ସ୍ଥାନରେ ଶ୍ରୀଗଣେଶ ଚତୁର୍ଭୁଜ ସୁରୂପରେ ପର୍ଶୁ, ଅଙ୍କୁଶ, ଲଡ଼ୁ, ଭଗ୍ନ ଦନ୍ତ ଧାରଣ କରି ଉପବେଶନ ପୂର୍ବକ ପୂଜା ପାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଗଣେଶ ଚତୁର୍ଭୁଜ ସୁରୂପରେ ଲଡ଼ୁ, ଭଗ୍ନ ଦନ୍ତ, ଜପାମାଳି, ପର୍ଶୁ ଧାରଣ କରି ଦଣ୍ଡାୟମାନ ପୂର୍ବକ ପୂଜା ପାଉଥାଆନ୍ତି।
ଅନେକ ସ୍ଥାନରେ ଶ୍ରୀଗଣେଶ ଅଷ୍ଟଭୁଜ; ଉପର ଦୁଇ ଭୁଜରେ ସର୍ପ ଧାରଣ କରିଥିବା ବେଳେ ଅନ୍ୟ ଭୁଜରେ ପର୍ଶୁ, ଅଙ୍କୁଶ, ଜପାମାଳି, ଘଣ୍ଟି, ଭଗ୍ନ ଦନ୍ତ ଓ ଲଡୁ ଧାରଣ ପୂର୍ବକ ନୃତ୍ୟରତ ମୁଦ୍ରାରେ ପ୍ରଭୁଙ୍କ କମନୀୟ ବିଗ୍ରହ ଦେଖିବାକୁ ମିଳେ। ମାର୍କେଟ ଛକ ସ୍ଥିତ ଶ୍ରୀ ଚାର ଗଣେଶ ନିଜର ଦଶ ହସ୍ତରେ ଚକ୍ର, ଶଙ୍ଖ, ପର୍ଶୁ, ଅଙ୍କୁଶ, ଧନୁ, ତୀର, ଜପାମାଳି, ଘଣ୍ଟି, ଭଗ୍ନ ଦନ୍ତ ଓ ଲଡୁ ଧାରଣ ପୂର୍ବକ ସିଂହାସନରେ ବିରାଜମାନ କରିଥାଆନ୍ତି। ଦେବୀ ସିଦ୍ଧି ପ୍ରଭୁ ଗଣେଶଙ୍କ କୋଳରେ ବିରାଜିତ ପୂର୍ବକ ତାମ୍ବୁଳ (ପାନ) ପ୍ରଭୁଙ୍କୁ ସମର୍ପଣ କରୁଥାଆନ୍ତି।
ସବୁଠାରୁ ଅନନ୍ୟ ଭାବରେ କୁଣ୍ଢେଇବେଣ୍ଟ ସାହି ସ୍ଥିତ ପଞ୍ଚମୁଖୀ ଶ୍ରୀଗଣେଶ (ହେରମ୍ବ ଗଣେଶ) ନିଜର ଦଶ ହସ୍ତରେ ଚକ୍ର, ଶଙ୍ଖ, ଗଦା, ପଦ୍ମ, ଧନୁ, ତୀର, ଜପାମାଳି, ଘଣ୍ଟି, ଭଗ୍ନ ଦନ୍ତ ଓ ଲଡୁ ଧାରଣ ପୂର୍ବକ ସିଂହାସନରେ ବିରାଜମାନ କରିଥାଆନ୍ତି। ପ୍ରଭୁ ଗଣେଶଙ୍କ କୋଳରେ ଦେବୀ ସିଦ୍ଧି ବିରାଜିତ ପୂର୍ବକ ତାମ୍ବୁଳ (ପାନ) ପ୍ରଭୁଙ୍କୁ ସମର୍ପଣ କରୁଥାଆନ୍ତି।
ଆପଣମାନେ ସମସ୍ତେ ମହାଦେବ ମନ୍ଦିରର ଶିବ ଲିଙ୍ଗଙ୍କ ପଶ୍ଚାତ ଭାଗରେ ବାନାମ୍ବର, ନଟରାଜ, ହରପାର୍ବତୀ, ହରିହର, ବିଷ୍ଣୁ ଆଦିଙ୍କୁ ଦେଖିଥିବେ ହେଲେ କେବଳ ଲୋକନାଥ ମାର୍ଗ ସ୍ଥିତ ବଡ଼ ଆଖଡା ଯାଗାର ଶିବ ଲିଙ୍ଗଙ୍କ ପଶ୍ଚାତ ଭାଗରେ ଶ୍ରୀ ଗଣେଶଙ୍କୁ ଦେଖିବାକୁ ମିଳେ; ଯାହାକି ଅତ୍ୟନ୍ତ ବିରଳ। ଗାଣ୍ଡୁଆ ଚଉରା ଛକସ୍ଥିତ ଶ୍ରୀକପାଳମୋଚନ ମନ୍ଦିର ପରିସରରେ ଶ୍ରୀ ସିଦ୍ଧଗଣେଶ ପୂଜାପାଉଛନ୍ତି। ଶ୍ରୀକ୍ଷେତ୍ରର ସାତସାହିର ଅନେକଙ୍କ ଘର ଆଗରେ ଶ୍ରୀ ଗଣେଶଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳେ। ଏତଦବ୍ୟତୀତ ଶ୍ରୀକ୍ଷେତ୍ରର ଅନେକ ସ୍ଥାନରେ ଗଣପତିଙ୍କ ପୂଜା ତଥା ଉପାସନା ଖୁବ ଧୁମ୍‍ଧାମରେ କରାଯାଇଥାଏ ।
Ganesh Puja at Shrikhetra
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago