ଲେଖା: ନିରଞ୍ଜନ ସାହୁ

୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ ।

କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ ।

ସମସ୍ତ ଆୟୋଜନ ତଦାରଖ କରିବାରେ ବ୍ୟସ୍ତ ପଞ୍ଚାବନ ବର୍ଷୀୟ ଜଣେ ଜଣାଶୁଣା ପ୍ରୌଢ଼ । ମନରେ କିନ୍ତୁ ଯୁବକର ଉଦ୍ଦାମତା । ଶରୀର ଶୀର୍ଣ୍ଣ, ଦେହରେ ସାହେବୀ ପୋଷାକ, ମୁଣ୍ଡରେ ପଗଡ଼ି । ନବାଗତମାନେ ଗୋଟିଏ ପରେ ଗୋଟିଏ ପହଞ୍ଚି ଅଭିବାଦନ ଜଣାଇ, ପଦେ ଅଧେ କଥା ହୋଇ ନିଜ ନିଜର ସ୍ଥାନ ଅଳଙ୍କୃତ କରି ଚାଲିଛନ୍ତି ।

ଅନେକ ଆଶା ଓ ସମ୍ଭାବନା ମଧ୍ୟରେ ଆଗାମୀ ଉତ୍କଳର ସ୍ଵପ୍ନ ଦେଖୁଛନ୍ତି ପ୍ରୌଢ଼ ଜଣକ । ଏହି ବୀରପ୍ରସବିନୀ ଜନନୀର ପୁତ୍ରଗଣ କ’ଣ ସତରେ ପୂର୍ବ ଗୋୖରବ ଓ ପୂର୍ବ ସାହସ ମନେ ପକେଇ ଆଗେଇ ଆସିବେ ନାହିଁ ? କାନ୍ଧରେ କାନ୍ଧ ମିଳାଇ ଜନନୀର ଖଣ୍ଡ ବିଖଣ୍ଡିତ ଶରୀରକୁ ପୁଣି ଥରେ ବିମଣ୍ଡିତ କରି ପାରିବେ ନାହିଁ ?

ଅସମ୍ଭବ ନୁହେଁ କେବେ ! ନେତୃତ୍ଵ ପାଇଁ ତ ଏ ଭୂଖଣ୍ଡରେ ଅନେକ ଅଛନ୍ତି ! ସେଇଥିପାଇଁ ତ ଏହି ସମ୍ମିଳନୀ !

ପଞ୍ଚାବନ ବର୍ଷୀୟ ପ୍ରୌଢ଼ ମଧୁସୂଦନ ! ସେ ତ ସଞ୍ଚାଳକ ମାତ୍ର !

ଦୀପ୍ତିମନ୍ତ ହୋଇଉଠିଲା ମଧୁସୂଦନଙ୍କ ମୁଖମଣ୍ଡଳ। ତାଙ୍କର ଉଦ୍ୟମ ସଫଳ ହେବ, ବୃଥା ଯିବନି । ଏହାହିଁ ମନ ମଧ୍ୟରେ ଗୁଞ୍ଜରିତ ହେଉଥିଲା ।

ଡିସେମ୍ବର ମାସ ତିରିଶ ତାରିଖ । ଶୀତର ପ୍ରକୋପରେ ଥରି ଯାଉଥିଲା କଟକ ସହର । ପ୍ରବଳ ଶୀତ୍କୁ ଖାତିର ନ କରି ଜନସମାଗମ ବଢ଼ିବାରେ ଲାଗିଥିଲା। ଏହାହିଁ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅସୁମାରୀ ଆଶା, ସମ୍ଭାବନା, ଦୃଢ଼ତା । ମନରେ ଉଙ୍କି ମାରୁଥିଲା ମଧୁସୂଦନଙ୍କର ଅତୀତର ବହୁ ବିଷୟ ସମୂହ —

* ୧୮୭୦ ମସିହାର ଭାଷା ଆନ୍ଦୋଳନ, ରସୁଲକୋଣ୍ଡା ଅଧିବେଶନ ରାଜା ଭେଙ୍କଟେଶ୍ଵର ରାଓଙ୍କ ଅଦମ୍ୟ ଅଭିଳାଷ, ଚେଷ୍ଟା ତଥା ଓଡ଼ିଆଭାଷୀମାନଙ୍କ ଜନ ଆନ୍ଦୋଳନ ।

* ୧୯୦୩ ମସିହା ଏପ୍ରିଲ ମାସରେ କମିଶନର ଲର୍ଡ କର୍ଜନଙ୍କ ସହ ରମ୍ଭା ରାଜପ୍ରାସାଦରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ସମ୍ବନ୍ଧୀୟ ବଳିଷ୍ଠ ଯୁକ୍ତି ଉପସ୍ଥାପନ ଏବଂ କର୍ଜନଙ୍କ ସହାନୁଭୂତି ।

* ଖଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ବ୍ରହ୍ମପୁର ସହରରେ ‘ଗଞ୍ଜାମ ସଭା’ ନାମକ ବିରାଟ ସମ୍ମିଳନୀ ।

* ଦେଶପ୍ରେମୀ ଆଦର୍ଶ ରାଜନ୍ ସାର୍ ବାସୁଦେବ ସୁଢଳଦେବଙ୍କ ଓଡ଼ିଶା ଭୂଖଣ୍ଡର ଏକତ୍ରିକରଣ ପ୍ରସ୍ତାବ ଓ ନଭେମ୍ବର ୧୯ରେ ଦେହତ୍ୟାଗ ।

ମନରେ ଉତଫୁଲ୍ଲତା ସହ ଦୁଇ ହାତ ଯୋଡ଼ି ଅତୀତର ସେହି ଘଟଣାବଳୀକୁ ନମସ୍କାର ଜଣାଇ ଅଗ୍ରସର ହେଲେ ମଧୁସୂଦନ ସଭାସ୍ଥଳ ଆଡ଼କୁ . .

ସମ୍ମିଳନୀର ପ୍ରଥମ ଦିବସ:
ସେଇ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ଅବସରରେ କଣ୍ଠରୁ ଝରି ପଡିଥିଲା ମଧୁବାବୁଙ୍କର:

“ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ
           କୋଟି ପ୍ରାଣ ବିନ୍ଦୁ ଝରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
           ଡେଇଁ ପଡି ସିନ୍ଧୁ ନୀରେ ।”

ପ୍ରସ୍ତାବ ଦେଲେ ସେ – ଏହି ସମ୍ମିଳନୀ “ଉତ୍କଳ ସମ୍ମିଳନୀ” ନାମରେ ନାମିତ ହେଉ ।

କରତାଳି ମାଧ୍ୟମରେ ଗୃହୀତ ହେଲା ପ୍ରସ୍ତାବ । ମଧୁସୂଦନଙ୍କ ଦ୍ଵିତୀୟ ପ୍ରସ୍ତାବ କ୍ରମେ ମୟୁରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ସଭାପତି ଆସନ ଅଳଙ୍କୃତ କଲେ ।

ସେହି ଦିନର ସଭାପତିଙ୍କ ଅଭିଭାଷଣ ଥିଲା —

“ଏହି ସମ୍ମିଳନୀ ନାମ ‘ଉତ୍କଳ ସମ୍ମିଳନୀ’ । ଏଥିରେ ସମସ୍ତ ଉତ୍କଳଭାଷୀ ଅଞ୍ଚଳର ମଙ୍ଗଳଜନକ ପ୍ରସ୍ତାବମାନ ଗ୍ରହଣ କରାଯାଇ କାର୍ଯ୍ୟରେ ପରିଣତ ହେବ । ବର୍ତ୍ତମାନ ଇଂରେଜ ସରକାର ବାହାଦୂରଙ୍କ ରାଜତ୍ଵରେ ଓଡ଼ିଶାର ସୀମା ଢେର କମିଯାଇଛି । ଫଳରେ ଦେଖାଯାଇଛି ଯେ, ସମ୍ବଲପୁର, ଛୋଟ ନାଗପୁର, ମେଦିନୀପୁର, ଗଞ୍ଜାମ ଇତ୍ୟାଦି ସ୍ଥାନମାନ ଓଡ଼ିଶା ବାହାରେ ରହିଯାଇଛନ୍ତି । ସେସବୁ ଅଞ୍ଚଳରେ ଓଡ଼ିଆଙ୍କ ସଂଖ୍ୟା ବହୁତ, ସେଥିପାଇଁ ସମସ୍ତ ଉତ୍କଳଭାଷୀ ଅଞ୍ଚଳକୁ ‘ଉତ୍କଳ’ ବୋଲି ନାମ ଦିଆହୋଇଛି ଏବଂ ଏହି ସମ୍ମିଳନୀର ନାମ ‘ଉତ୍କଳ ସମ୍ମିଳନୀ’ ହୋଇଅଛି ।

ବର୍ତ୍ତମାନ ଉତ୍କଳ ସମ୍ମିଳନୀ ଉତ୍କଳୀୟମାନଙ୍କର ମଙ୍ଗଳ ସାଧନ ଅଭିପ୍ରାୟରେ ସ୍ଥାପିତ ହୋଇଅଛି । ଯେଉଁମାନେ ଉତ୍କଳକୁ ସେମାନଙ୍କର ଗୃହ ସ୍ଵରୂପ ମଣିଅଛନ୍ତି, ସେମାନେ ଭିନ୍ନ ଜାତୀୟ ହେଲେ ସୁଦ୍ଧା ସେମାନଙ୍କୁ ଉତ୍କଳୀୟ ବୋଲି ଗଣନା କରାଯିବ । ଯେଉଁ ମାନେ ଅନେକ ଦିନ ହେଲା ଏଠାକୁ ଆସି ଓଡ଼ିଶାକୁ ଆପଣାର ମାତୃଭୂମି ସ୍ଵରୂପ ଗ୍ରହଣ ଏବଂ ସ୍ଵୀକାର କରୁଅଛନ୍ତି ଏବଂ ଓଡ଼ିଆମାନଙ୍କର ହିତ ସାଧନକୁ ସ୍ଵଜାତିର କର୍ତ୍ତବ୍ୟ କର୍ମ ବୋଲି ମନେ କରୁଛନ୍ତି, ସେମାନଙ୍କୁ ଆମ୍ଭେମାନେ ଉତ୍କଳୀୟ ବୋଲି ଡାକୁଅଛୁ ।

ନିଜର ଜନନୀ ଓ ଜନ୍ମଭୂମି ଏ ଦୁହେଁ ସ୍ଵର୍ଗ ଅପେକ୍ଷା ବଡ଼ ଅଟନ୍ତି । ଆମ୍ଭମାନଙ୍କ ମାତୃଭୂମି ଉତ୍କଳ ଦେଶ ନିଜର ଅଭାବ ମୋଚନାର୍ଥେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଅଛନ୍ତି । ତାହାଙ୍କର ଡାକ ନଶୁଣି ଆମ୍ଭେମାନେ କି ନିଶ୍ଚିତ ହୋଇ ରହିପାରୁ ? ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଅଭାବମୋଚନ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ କଦାପି ସ୍ଥିର ହୋଇ ରହି ନପାରୁ ।

ସ୍ବଦେଶ ପ୍ରତି ଯେପରି ସ୍ନେହ ସେହିପରି ମାତୃଭାଷା ପ୍ରତି ମଧ୍ୟ ସ୍ନେହ କରିବା ଦରକାର । ଉତ୍କଳ ଭାଷାର ଯେତେଦୂର ଉନ୍ନତି କରିବା ଉଚିତ ସେତେଦୂର ଉନ୍ନତି ହୋଇ ନାହିଁ । ତଥାପି ଉତ୍କଳର ସାହିତ୍ୟ ଆକାଶରେ ଉଜ୍ଜ୍ୱଳ ତାରକାମାନଙ୍କ ଅଭାବ ନାହିଁ । ଉତ୍କଳ ଦେଶର ଇତିହାସରେ ଏପରି ଗୋଟିଏ ସଭା ଅଭିନବ ବ୍ୟାପାର । ଏ ସଭାରେ ଆପଣମାନଙ୍କୁ ସାକ୍ଷାତ କରି ମୋର ଅନିର୍ବଚନୀୟ ଆନନ୍ଦ ଜାତ ହୋଇଅଛି । ଏହି ଦେଶ ହିତକର କାର୍ଯ୍ୟରେ ଆପଣମାନଙ୍କ ସହିତ ଭାଗୀ ହୋଇଥିବାରୁ ମୁଁ ନିଜକୁ କୃତାର୍ଥ ମନେ କରୁଛି ।”

ଏହି ସଭାରେ ଯେଉଁ ସବୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ତନ୍ମଧ୍ୟରେ ଉତ୍କଳ ସାହିତ୍ୟର ଉନ୍ନତି ପାଇଁ ପ୍ରସ୍ତାବ ଥିଲା ଗୁରୁତ୍ଵପୂର୍ଣ୍ଣ । ରାୟ ବାହାଦୁର କବିବର ରାଧାନାଥ ରାୟ ଏହି ପ୍ରସ୍ତାବ ଆଗତ କରିଥିଲେ । ତାହା ହେଲା, “ଓଡ଼ିଆ ଭାଷାର ଓ ସାହିତ୍ୟର ଉନ୍ନତି ସାଧନାର୍ଥେ ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ଗୋଟିଏ ସ୍ଥାୟୀ ସମିତି ଗଠନ ହେଉ । ଉକ୍ତ ସ୍ଥାୟୀ କମିଟି କଟକର ‘ଉତ୍କଳ ସାହିତ୍ୟ ସମାଜ’ ସଙ୍ଗେ ଯୁକ୍ତ ହୋଇ ଉଦ୍ଦେଶ୍ୟ ସାଧନ ନିମନ୍ତେ ବିହିତ ଉପାୟ ବିଧାନ କରନ୍ତୁ । ଉକ୍ତ ସମିତି ସେମାନଙ୍କ ବାର୍ଷିକ କାର୍ଯ୍ୟ ବିବରଣୀ ସମ୍ମିଳନୀର ଅଧିବେଶନରେ ଉପସ୍ଥାପିତ କରିବାର ବିଧି ନିର୍ଦ୍ଧାରିତ ହେଉ ।”

ପ୍ରସ୍ତାବ ଗୃହୀତ ହେବା ପରେ ରାୟବାହାଦୁର କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, ବ୍ୟାସକବି ଫକୀରମୋହନ ସେନାପତି, ବାଗ୍ମୀ ବିଶ୍ଵନାଥ କର, ଅଭିରାମ ଭଞ୍ଜ, ନନ୍ଦକିଶୋର ବଳ, ଶିକ୍ଷକ ମଧୁସୂଦନ ଦାଶ, ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପରି ମହାନ ସଭ୍ୟବୃନ୍ଦ ରହିଲେ ।

ଏହି ପ୍ରସ୍ତାବକୁ ମଧୁସୂଦନ ରାଓ ଅନୁମୋଦନ କଲେ ଏବଂ ଗୋପାଳବଲ୍ଲଭ ଦାସ ସମର୍ଥନ କରିଥିଲେ ।

ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ସାଧନାର୍ଥେ ଏହି ସମିତି ଗଠନ ପ୍ରସ୍ତାବ ସମର୍ଥନ ଲାଭ କଲା । ସମ୍ବଲପୁରର ଗଙ୍ଗାଧର ମେହେର ଏହି ପ୍ରସ୍ତାବକୁ ସମର୍ଥନ କଲା ପରେ ‘ଉତ୍କଳ ସାହିତ୍ୟ ସମାଜ’ ଉତ୍କଳ ସମ୍ମିଳନୀ ସହ ସଂଯୁକ୍ତ ହୋଇଗଲା ।

ଏହି ଉତ୍କଳ ସମ୍ମିଳନୀର ଅଧିବେଶନରେ କବି ଗଙ୍ଗାଧର ମେହେରଙ୍କ କବିତାପାଠ କାର୍ଯ୍ୟକ୍ରମରେ ସାମିଲ ହେଲା । ଯାହା ଥିଲା —

“ନିଜ ଘରେ ବସି, ନିର୍ବାସନ ଦୁଃଖ
            ଆମ୍ଭ କି ଲଲାଟ ଲିଖନ
ମାତୃଭାଷା ମନା ଭାଇ ସଙ୍ଗ ବିନା
            ବିକଳ ହେଉଛି ଜୀବନ ।

ଗୁହାରିଲେ ଦୁଃଖ ନୃପତି ଆଗରେ
             ତଡ଼ି ଦେଉଛନ୍ତି ଆମକୁ ରାଗରେ
ନୁହେଁ ତାଙ୍କ ଦୋଷ ବୁଝନ୍ତି ନାହିଁ ସେ
             ଆମର କଥିତ ବଚନ ।

ବିଦେଶୀ ସଦସ୍ୟ ଛନ୍ତି ନିକଟରେ
             କହି ଦେଉଛନ୍ତି ଶ୍ରବଣ ପୁଟରେ
ହସୁଛନ୍ତି ବୋଲି ବୁଝାଇ ଦିଅନ୍ତି
             କରୁ ଅଛୁ ଯେତେ କ୍ରନ୍ଦନ ।

ପର ଦେଶୁ ଆସି ପର ଦେଶବାସୀ
              ଦେଉଛନ୍ତି ଆମ୍ଭ ଅନ୍ନ ଜଳ ଗ୍ରାସି
ଭକୁଆ ପରାଏ ଭକ ଭକ ଚାହିଁ
              ରହିଅଛୁ ତାଙ୍କ ବଦନ ।

ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ
               ଆମ୍ଭରି ମସ୍ତକେ ଚରଣ ପ୍ରଦାନ
କରି ଉଠୁଛନ୍ତି ସମ୍ରାଟ ସଭାକୁ
               ହରଷେ ବିକାଶି ବଦନ ।

ଆସିଅଛ ବଡ଼ ସୋଦର ସକଳ
               ଦେଖି ଦଶା କର ବୁଦ୍ଧି କଉଶଳ
କୋଟି କଣ୍ଠେ ଗୋଟି ସ୍ଵର ଉଚ୍ଚେ ତୋଳ
               କମ୍ପିଯାଉ ରାଜ ସଦନ ।”

ଉତ୍କଳ ସମ୍ମିଳନୀ ପ୍ରଥମ ଅଧିବେଶନରେ ଗୃହୀତ ପ୍ରସ୍ତାବମାନ ଓଡ଼ିଶାର ଜନସାଧାରଣଙ୍କ ମନରେ ଆଣିଥିଲା ପ୍ରତ୍ୟୟ, ଆଶା, ସମ୍ଭାବନା ଓ ସର୍ବୋପରି ଏକ ହୋଇ ଏହି ଭୂଖଣ୍ଡର ମର୍ଯ୍ୟାଦା ରକ୍ଷା କରିବା। ନୂତନ ଆଶାର ସଞ୍ଚାର ହୋଇଥିଲା ଓ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଶାକୁ ସମଗ୍ର ଦେଶରେ ସ୍ଵତନ୍ତ୍ର ଉତ୍କଳ ଭାବେ ପରିଚିତ କରାଇବା ।

ଉତ୍କଳ ସମ୍ମିଳନୀ ପ୍ରତିଷ୍ଠାର ପୃଷ୍ଠଭୂମିରେ ଥିବା କାଣ୍ଡାରୀମାନଙ୍କୁ ‘ଅନ୍ତରଙ୍ଗ କଳିଙ୍ଗ’ର କୋଟି କୋଟି ଦଣ୍ଡପ୍ରଣାମ ।

(ତଥ୍ୟ: ବିଭିନ୍ନ ପତ୍ରପତ୍ରିକା, ନୃସିଂହ ଚରଣ ସାହୁଙ୍କ ଆମେ ଓଡ଼ିଆ ପୁସ୍ତକ)

Utkal Sammilani Utkal Sammilanee Utkal Union Conference

Niranjan Sahu

Spread the love
admin

Recent Posts

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

3 hours ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago