ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~
ଲେଖା: ନିରଞ୍ଜନ ସାହୁ
ଉନ୍ନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଭାରତୀୟ ସାହିତ୍ୟରେ ରେନେନ୍ସା ବା ଅଭ୍ୟୁଦୟ ଯୁଗର ପଦଧ୍ଵନି ଶୁଣାଗଲାଣି। ଯାହା ଫଳରେ ଲୋକଂକ ଜୀବନ ଧାରାରେ ଆଭିମୁଖ୍ୟ ପରିବର୍ତ୍ତନ ସହ ନୂତନ ସମ୍ଭାବନା ସୃଷ୍ଟି ଓ ପ୍ରାଣ ପ୍ରବାହ ଗୁଂଜରିତ ହେବାକୁ ଲାଗିଲା। ଆମ ଓଡ଼ିଆ ସାହିତ୍ୟରେ ଆଧୁନିକତାର ପ୍ରବେଶ ସହ କଳାଚାତୁର୍ଯ୍ୟମୟ ସୃଷ୍ଟିଗତ ଅଭିବ୍ୟକ୍ତି ହିଁ ସେହି ଆଧୁନିକ ଯୁଗ ବା ରାଧାନାଥ ଯୁଗ। ରାଧାନାଥଂକ ଲେଖନୀର କାଉଁରୀ ସ୍ପର୍ଶରେ ଓଡ଼ିଶାର ନଦ-ନଦୀ, ହ୍ରଦ, ପାହାଡ଼ ଜ୍ଞାତ ଅଜ୍ଞାତ ବହୁ ସଂଖ୍ୟକ ସ୍ଥାନ ନୂତନ ପରିଚୟ ସୃଷ୍ଟି କରିବା ସହ, ଲୋକ ମାନସରେ ଲୁଚି ଲୁଚି ରହିଥିବା ଅନେକ କିଂବଦଂତୀ ସ୍ଥାନ ଅଧିକାର କଲା ଆମ ସାହିତ୍ୟ ପୃଷ୍ଠାରେ। ଦେଶକୁ, ରାଜ୍ୟକୁ ଭଲ ପାଇବା ଉଦ୍ରେକ ହେଲା ହୃଦୟରେ ଏହି ସମୟ ଅର୍ଥାତ୍ ରାଧାନାଥ ଯୁଗରେ। ରାଧାନାଥଂକ ରୋମାଣ୍ଟିସିଜିମ୍, ଫକୀରମୋହନଂକ ବଳିଷ୍ଠ ଲେଖନୀରେ ସମାଜ ଚିତ୍ର, ମେହେରଂକ ପ୍ରକୃତି ଚିତ୍ରଣ, କର୍ମବୀର ଗୌରୀଶଙ୍କର ସାଂବାଦିକତା, ଭକ୍ତକବିଂକ ଈଶ୍ୱରପ୍ରେମ ଆଦି ଉଦ୍‌ବୁଦ୍ଧ କଲା ଉତ୍କଳର ଯୁବପିଢିକୁ।
ତେବେ ଓଡ଼ିଆ ସାହିତ୍ୟକୁ ଏକ ନୂତନ ସ୍ଵାଦ ପରଶି ଦେଇଥିବା ରାଧାନାଥଂକ ସାହିତ୍ୟ ବିଦେଶୀ ସାହିତ୍ୟର କଥାବସ୍ତୁରୁ ଆହୂତ ବୋଲି ପ୍ରଚଂଡ଼ ଦେଶପ୍ରେମୀ ଭାବେ ପରିଚିତ ସତ୍ୟବାଦୀ ଗୋଷ୍ଠୀର କବିମାନେ ତାହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଯାହା ଫଳରେ ସୃଷ୍ଟି ହେଲା ଗୋପବଂଧୁଂକ ଧର୍ମପଦ , ନୀଳକଂଠଂକ ଖାରବେଳ, କୋଣାର୍କେ, ଗୋଦାବରୀଶଂକ ଅନେକ ଗାଥା କବିତା। ଗୋଟିଏ ନୂତନ କାବ୍ୟ ଶୈଳୀର ପ୍ରବର୍ତ୍ତନର ପ୍ରୟାସ ସେହି ସତ୍ୟବାଦୀ ଗୋଷ୍ଠୀ କରୁଥିବା ବେଳେ ଆଉ ଏକ ଗୋଷ୍ଠୀ ‘ସବୁଜଗୋଷ୍ଠୀ’ ନାମରେ ମୁଂଡ଼ ଟେକି ଆସୁଥିଲା। ଯଦିଓ ରାଧାନାଥୀୟ ଶୈଳୀକୁ କେହି ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରି ପାରୁନଥିଲେ।
ଏହିଭଳି ଏକ ସଂଧିକ୍ଷଣ ହିଁ ମାନସିଂହଂକ ସାହିତ୍ୟ ସର୍ଜନାର ସମୟ। କବିତା କ୍ଷେତ୍ରରେ ରୋମାଣ୍ଟିସିଜମରେ ରାଧାନାଥଂକୁ ଆପଣେଇ ନେଇଥିବା, ରବୀଂଦ୍ରନାଥ ଠାକୁରଂକ କାବ୍ୟକବିତାରେ ପ୍ରଭାବିତ, ସବୁଜକବି ମାନଂକର ଜାତୀୟତାବୋଧ ଦ୍ଵାରା ବହୁ ଭାବେ ଅନୁପ୍ରାଣିତ, ଇଂରାଜୀ ସାହିତ୍ୟରେ ସେକ୍ସପିଅର କାବ୍ୟକବିତାରେ ବିମୁଗ୍ଧ କବି ହିଁ ମାୟାଧର ମାନସିଂହ। ସଂସ୍କୃତ, ଇଂରାଜୀ, ବଂଗଳା, ହିନ୍ଦୀ ଭାଷାସାହିତ୍ୟରେ ଗଭୀର ପ୍ରବେଶ ଥିଲା ତାଂକର। ଗୋଟିଏ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇ ସ୍ଵୀୟ ଅଧ୍ୟବସାୟ ବଳରେ ଉଚ୍ଚଶିକ୍ଷା ଲାଭ, ଜୀବନକୁ କିଶୋର ଅବସ୍ଥାରୁ ଶେଷ ପର୍ଯ୍ୟନ୍ତ ତନ୍ନ ତନ୍ନ କରି ଦେଖିବାର ଦୃଷ୍ଟିଭଙ୍ଗୀରେ ସେ ଥିଲେ ସର୍ବଦା ତତ୍ପର। ତେଣୁ ବହୁମୁଖି ପ୍ରତିଭାର ଅଧିକାରୀ ହୋଇ ପାରିଥିଲେ ମାନସିଂହ ମହୋଦୟ। ତାଂକ ବିପୁଳ ସୃଷ୍ଟି ସଂଭାରକୁ ଆମେ ନିରୀକ୍ଷଣ କଲେ, ବୋଧହୁଏ ତାଂକୁ ସଂକୀର୍ଣ୍ଣତା ମଧ୍ୟକୁ ନେଇଯାଇ ପାରଂତେ ନାହିଁ, କିଂବା ପ୍ରେମପ୍ରଣୟର କବି ଭାବରେ ଆଖ୍ୟାୟିତ କରଂତେ ନାହିଁ। ଯେଉଁ ତିନୋଟି ପୁସ୍ତକ #ଧୂପ , #ପ୍ରେମପୁଷ୍ପ , #ହେମପୁଷ୍ପ ( କିଛି ଅଂଶ), ସେ ସମୟରେ ଓଡ଼ିଆ ପାଠକମାନଂକୁ କେବଳ ପ୍ରେମ ମୟ, ପ୍ରେମ ମୟ ଦେଖାଗଲା ତାହା ତ ମାତ୍ର ୧୨୪ ପୃଷ୍ଠା ସଂବଳିତ ! ତାଂକର ବିପୁଳ ସୃଷ୍ଟି ମଧ୍ୟରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ମାତ୍ର ! ତେବେ ଏହା କ’ଣ ତାଂକ କାବ୍ୟ ପ୍ରତିଭାର ମୂଲ୍ୟାଂକନ ?
ମାନସିଂହଂକ ରଚନାବଳୀ ଏବେ ଆଠଖଂଡରେ ପ୍ରକାଶିତ ହୋଇସାରିଛି , ଆଉ ଦଶଖଂଡ ବାକି ରହିଛି (ଗବେଶକ ଡ. ଶ୍ରୀଚରଣ ମହାଂତି ଓ ଗ୍ରଂଥମଂଦିର ପ୍ରକାଶଂକ ମତାନୁସାରେ); ଯାହାର ଆନୁମାନିକ କଳେବର ଛ’ ହଜାର ପୃଷ୍ଠା ସଂବଳିତ ହେବ । ଆଉ ଟିକିଏ ନିରୀକ୍ଷଣ କଲେ ଦେଖିବା ଏହି ବିପୁଳ ସୃଷ୍ଟି ମଧ୍ୟରେ ତାଂକ ରଚିତ କବିତା ସମୂହ ମାତ୍ର ତିନି ଖଂଡରେ ମୁଦ୍ରିତ, ଯାହାର ମୋଟ ପୃଷ୍ଠା ସଂଖ୍ୟା ୧୦୯୦ ମାତ୍ର ! ପୁନଶ୍ଚ ଏହି ୧୦୯୦ ପୃଷ୍ଠା ମଧ୍ୟରୁ ୧୨୪ ପୃଷ୍ଠା ପ୍ରେମ ଓ ପ୍ରଣୟର (!) କବିତା। ତେବେ କଳେବର ଦୃଷ୍ଟିରୁ ହେଉ ଅଥବା କବିତାର ସଂଖ୍ୟା ଗଣତି ଦୃଷ୍ଟିରୁ ହେଉ କିଂବା ସାଧାରଣ ଲୋକଂକ ଚିଂତାଧାରାରେ ହେଉ ମାନସିଂହୀୟ ପ୍ରେମ କବିତା ଅତ୍ୟନ୍ତ ନଗଣ୍ୟ। ତାଂକର ସମଗ୍ର କାବ୍ୟ କୃତିରେ ପ୍ରେମ କବିତାକୁ ବାଦ୍ ଦେଇ ଅନ୍ୟ ସମସ୍ତ କାବ୍ୟ କବିତା ଉପରେ ସୁଗଭୀର ଆଲୋଚନା କରାଯାଇ ପାରିଲେ ସେହି ପ୍ରଚଂଡ଼ କବି ପ୍ରତିଭାର ସଠିକ ମୂଲ୍ୟାଂକନ ହୋଇ ପାରିବ — ଏହା ନିଃସନ୍ଦେହ।
ତାଂକ ସାମଗ୍ରୀକ କୃତି ଉପରେ ଆଲୋକପାତ କରିବା ପାଇଁ ଆମେ ସତତଃ ଚେଷ୍ଟିତ। ରେନେସାଁ ସମୟରେ ପ୍ରଖ୍ୟାତ ଉତ୍କଳୀୟ କବି, ଅନ୍ୟ ସାହିତ୍ୟର ବହୁବିଧ ଲେଖା ପଠନ ସହ ସ୍ଵୀୟ ପ୍ରତିଭା, ଜୀବନର ଅଂକା ବଂକା ପିଛିଳ ରାସ୍ତା, ଦୁଃଖ ଦୈନ୍ୟ ସହ ଜଡ଼ିତ ଥିବା ମଣିଷ ମାନସିଂହ ଅନେକ ସମୟରେ ଚକ୍ଷୁଶୀଳ ହୋଇ ରହିଆସିଛଂତି , ଯାହା ଅଳ୍ପ ବହୁତେ ଆମ ସମସ୍ତଂକୁ ଜଣା । ଏ ସମସ୍ତ ହିଁ ତାଂକର ରଚନା ମଧ୍ୟରେ ନିଖୁଣ ଭାବରେ ପ୍ରଦର୍ଶିତ। ସେଇଥିପାଇଁ ସେ ହୋଇଗଲେ ଜଣେ ବିସ୍ମୟ ପ୍ରତିଭାବୈଚିତ୍ର୍ୟପୂର୍ଣ୍ଣ ତୂଳୀକାର, ଯାହା ଉତ୍କଳୀୟ ସାହିତ୍ୟ କାହିଁକି ସମଗ୍ର ଦେଶରେ ଗ୍ରହଣୀୟ । ତାଂକର ସମସ୍ତ ରଚନା ଯେଉଁଦିନ ଆତ୍ମପ୍ରକାଶ କରିବ ସେ ବୋଧହୁଏ ଆମ ସାହିତ୍ୟରେ ଏକେଶ୍ଵର ଭାବେ ଗୃହୀତ ହେବାର ସୌଭାଗ୍ୟ ପ୍ରାପ୍ତି ହେବେ । ସୂର୍ଯ୍ୟ ପରି ଦୀପ୍ତିମାନ ସେ। ସେହି ରଶ୍ମିର ଆଭା ଆମ ସାହିତ୍ୟ ପାଇଁ, ପରବର୍ତ୍ତୀ ପିଢ଼ି ପାଇଁ, ପାଠକମାନଂକ ପାଇଁ, ଛାତ୍ରଛାତ୍ରୀଂକ ପାଇଁ କେତେ ହିତକର, ତାହା କେବଳ ପଠନ ସହ ବିଶ୍ଳେଷଣ କରିବା ସର୍ବାଦୌ ଆବଶ୍ୟକ। ତେବେ ଯାଇ ଆମେ କହିପାରିବା — ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ !
~ କବିତାରେ ଆଧିଭୌତିକ ଚେତନାର ପ୍ରତିଫଳନ ~
ମାନସିଂହୀୟ କବିତାର ମୂଳଭିତ୍ତି ହେଲା, ଇହଜଗତ ପ୍ରତି ତାଙ୍କର ଆସକ୍ତି ଓ ଅତ୍ୟଧିକ ମାନବପ୍ରୀତି। ଅବଶ୍ୟ ଦେଶପ୍ରୀତି ଓ ରୂପ ପ୍ରୀତି ତାଙ୍କର ଅନେକ କବିତାରେ ପରିସ୍ଫୁଟ। ତେବେ ଏହି ମାନବତାବାଦୀ କବି ମୂହୁର୍ତ୍ତର ଭାବାବେଗକୁ ପ୍ରାଣର କେତେକ ଗଭୀର ଅନୁଭୂତି ଓ ଜିଜ୍ଞାସାକୁ ନେଇ ଅନ୍ୟ ରୀତି ଅପେକ୍ଷା ଅଧିକତର ପରିଚ୍ଛନ୍ନ ଭାବରେ ପ୍ରକାଶ କରିବା ପାଇଁ ସନେଟ୍ ରଚନାର ଅଭ୍ୟାସ କରିଥିଲେ।
ତାଙ୍କର କବିତା ସଙ୍କଳନ ଅକ୍ଷତ (୧୯୪୬ ମସିହାରେ) କିଛି ସନେଟ୍ର ସମାହାର। ଏ ସମ୍ପର୍କରେ କବି ମାନସିଂହ କହନ୍ତି: “ଏହି ଲେଖକ ଯତି, ଭକ୍ତ ବା ଧାର୍ମିକ ନୁହେଁ। ଧରାତଳର କୋଟି କୋଟି ପଥଯାତ୍ରୀ ମାନଙ୍କ ମଧ୍ୟରୁ ସେ ଏକ ସାମାନ୍ୟତମ ଯାତ୍ରୀ ମାତ୍ର। ସାଧାରଣ ସହଯାତ୍ରୀ ମାନଙ୍କ ପରି ତା’ର ଶରୀର ଜୀବନ ସଂଗ୍ରାମର ଅସ୍ତ୍ର କ୍ଷତରେ ବିକଳ, ତା’ର ଗଣ୍ଡ ଅଶ୍ରୁ-ସିକ୍ତ ସ୍ନାତ, ତାର ଅନ୍ତର ଅସନ୍ତୋଷ ଓ ଅଭିମାନରେ ଭରା। ନିଜ ଜୀବନର ଓ ସହଯାତ୍ରୀ ଜୀବଗ୍ରାମର ଦୁଃଖ ଦୁର୍ଦ୍ଦଶା କଥା ଭାବୁ ଭାବୁ, ଲେଖକ ବେଳେବେଳେ ଗୌତମ ବୁଦ୍ଧଙ୍କ ସଙ୍ଗେ ନିରୀଶ୍ଵର ହେଲା ବେଳକୁ, ତେଣେ ରାମକୃଷ୍ଣ ପରମହଂସଙ୍କ ଈଶ୍ୱର-କୁଟୁମ୍ବିତା ଦେଖି ସ୍ତବ୍ଧ ହୁଏ। ଏ ରହସ୍ୟର ଠିକ୍ ଉତ୍ତର ଦେବ କିଏ ? ଦୃଶ୍ୟମାନ ସୃଷ୍ଟିର ରହସ୍ୟ ଭେଦ କରିବାକୁ ଚେଷ୍ଟା କରି ବହୁ ସହସ୍ର ବର୍ଷ ତଳେ ଋକ୍ ବେଦର ଋଷି ମଧ୍ୟ ପଚାରିଥିଲେ, “ଏହି ବିରାଟ ସୃଷ୍ଟିର ତତ୍ତ୍ଵ କିଏ ଜାଣେ ? କିଏ ଠିକ୍ କରି କହିବ ? ଦେବତାମାନେ ସୃଷ୍ଟିର ପରେ ଆସିଛନ୍ତି। ତେଣୁ ଏହା କେଉଁଠୁ ଆସିଲା, କିଏ କହିବ” ?
ଏହି ଆଧିଭୌତିକ ଚିନ୍ତନର ପରିପ୍ରକାଶ ହିଁ ତାଙ୍କର ସନେଟ୍ ସମୂହ। ୧୯୪୬ ମସିହାରେ ରଚିତ ପ୍ରଥମ ସନେଟ୍ ଅଭିମାନ ଠାରୁ ଆରମ୍ଭ କରି ୧୦୮ ଟି ସନେଟ୍ ଅକ୍ଷତକ୍ରୁଶ (ଅକ୍ଷତରେ ୮ ଓ କ୍ରୁଶରେ ୧୦୦) ନାମ ବହନ କରେ । ଯଦିଓ ଆଉ ୫୯ ଗୋଟି ଚତୁର୍ଦ୍ଦଶ ପଦୀ (ସନେଟ୍ ?) କବିତା ମାନସିଂହ ରଚନା କରିଛନ୍ତି, ତାହା ସନେଟ୍ ନୁହେଁ, ସେ କହନ୍ତି: “ଚତୁର୍ଦ୍ଦଶ ପଂକ୍ତିର ଲେଖା ହେଲେ ହେଁ ଏହି କବିତା ଗୁଡ଼ିକ ସନେଟ୍ ନୁହେଁ। ରଙ୍ଗ କନିଅର ଗୋଲାପର ଭଉଣୀ ପରି ଦେଖାଗଲେ ହେଁ ଗୋଲାପ ବା ଗୋଲାପର ଜ୍ଞାତି ମଧ୍ୟ ନୁହେଁ। ଏ ସେହିପରି। କେବଳ ଛୋଟ ଛୋଟ ଭାବକୁ ପ୍ରକାଶ କରିବା ପାଇଁ ଛୋଟ ଅଥଚ ପରିପୂର୍ଣ୍ଣ ପରିଧିଟିମାନ ଆବଶ୍ୟକ ହେବାରୁ ଏହି ଚତୁର୍ଦ୍ଦଶ ପଂକ୍ତିକା ବୃତ୍ତର ଆଶ୍ରୟ ନେବାକୁ ହେଲା, ଯେପରି ଆମେ ଛୋଟ ଫୁଲଗଛ ଲାଗି ମାଟିର କୁଣ୍ଡ ଆବଶ୍ୟକ କରୁ”
କ୍ରୁଶ ସନେଟ ଶତକରେ ସ୍ଥାନିତ ୧୦୦ଟି ଚତୁର୍ଦ୍ଦଶ ପଂକ୍ତି କବିତା ୧୯୪୬ ରୁ ୧୯୫୬ ମସିହା ମଧ୍ୟରେ। ଏଥିରେ ଆଧିଭୌତିକ ଚେତନା ପ୍ରତିଫଳିତ। ଅଧିକ ପରିଚ୍ଛନ୍ନ ଭାବରେ ଦାର୍ଶନିକ ତତ୍ତ୍ଵର ଅବତାରଣା, ଗଭୀର ଅନୁଭୂତି ଓ ଜିଜ୍ଞାସା ସମ୍ବଳିତ ଏହି କବିତାଗୁଡ଼ିକ ସ୍ଵୟଂ ସମ୍ପୂର୍ଣ୍ଣ। ଲେଖକଙ୍କ ସ୍ଵୀୟ ମତରେ, “ପ୍ରତ୍ୟେକଟି ସନେଟ୍ ସ୍ଵୟଂ ସମ୍ପୂର୍ଣ୍ଣ ହେଲେ ହେଁ, ସବୁଗୁଡିକୁ ସମ୍ପର୍କିତ କରି ଏକ ଶୋକ-ବିକ୍ଷୁବ୍ଧ , ଅଶ୍ରୁ ଦଗ୍ଧ ପ୍ରାଣର କାତର ବାଣୀ ଓ ତତ୍ତ୍ଵ ଜିଜ୍ଞାସା ଓତଃପ୍ରୋତ ଭାବରେ ସୂତ୍ର ରୂପେ କାର୍ଯ୍ୟ କରୁଥିବାରୁ ସହୃଦୟ ପାଠକ ଅନୁଭବ କରି ପାରିବେ ବୋଲି ମୋର ବିଶ୍ବାସ। ହୁଏତ କେହି କ୍ଳାନ୍ତ, କ୍ଷତପଦ, ନିରାଶ ପଥିକ ଏଥିରୁ ସାମାନ୍ୟ ଆଶା ଓ ଆଶ୍ଵାସନା ବି ପାଇପାରନ୍ତି। ତାହାହିଁ କବିର ଶ୍ରେଷ୍ଠ ପୁରସ୍କାର”
ମାନସିଂହଙ୍କ ବିପୁଳ କାବ୍ୟ କବିତା ମଧ୍ୟରୁ କ୍ରୁଶ ଅନ୍ୟତମ ସଫଳ ସୃଷ୍ଟି। କେତେ ତତ୍ତ୍ୱ, କେତେ ଚେତନା, ପୁଣି ଅଶ୍ରୁ-ଦଗ୍ଧ ପ୍ରାଣର କାତରତା ସତରେ ଏହି କବିତା ଗୁଡ଼ିକରେ ସଂଯୋଜିତ ଓ ସଂଗୋପିତ ! ‘ଏକ ଆରେକୁ ବଳି’ ନ୍ୟାୟରେ କେହି କାହାଠୁଁ ବି କମ୍ ନୁହନ୍ତି। ପୃଥିବୀର ମହା ଭାବମୟ ବିବର୍ତ୍ତନରେ ମନୁଷ୍ୟର ଅଂଶ ବୋଧହୁଏ ଦୁଃଖ-କ୍ରୁଶକୁ ଆନନ୍ଦରେ ବୋହିବା !! ମନୁଷ୍ୟର ଜିଜ୍ଞାସା ଏବେ ମଧ୍ୟ ଉଜ୍ଜୀବିତ, – “ଉଦ୍ଭିଦରୁ ମନୁଷ୍ୟ ଯାଏଁ ଜୀବନର ବିକାଶ ଏହି ଧରା-ପୃଷ୍ଠରେ କୋଟି କୋଟି ବର୍ଷ ଧରି ଚାଲିଛି — କେଉଁ ଲକ୍ଷ୍ୟରେ, କିଏ କହିବ” ? ଏବେ ମଧ୍ୟ ଏହା ଏକ ପ୍ରଶ୍ନବାଚୀ ! ଆମର ଚିନ୍ତା ନାୟକ, ଦାର୍ଶନିକ କବି ମାନସିଂହ କେତେ ସୁନ୍ଦର ଭାବପୂର୍ଣ୍ଣ ଭାଷାରେ କହିଦେଲେ ୧୪ ଧାଡ଼ିଆ କବିତାରେ, ଯାହା ହିଁ କ୍ରୁଶ । ଶହେ ସନେଟରୁ ଗୋଟିଏ ମାତ୍ର –
ନିଜେଇ ବୋହିବ
ଏ ଧରାର ସହଯାତ୍ରୀ ଶୁଣ ନରନାରୀ,
ଶେଷ ସତ୍ୟ — ନିଜ କ୍ରୁଶ ନିଜେଇ ବୋହିବ,
ତଳେ ବା ଉପରେ ନାହିଁ କେ ସାହାଯ୍ୟକାରୀ —
କ୍ରୁଶ ବହନର କ୍ଳେଶୁ ଆସି ଉଦ୍ଧରିବ।
ଈଶ୍ୱର ସର୍ବତ୍ର ବ୍ୟାପ୍ତ, ବାହାରେ ଅନ୍ତରେ,
ନିଜେଇ ଈଶ୍ୱର ତୁମେ ପ୍ରତି ଧରାବାସୀ,
ଈଶ୍ୱର-ବିକାଶ ପାଇଁ ଜନ୍ମଜନ୍ମାନ୍ତରେ (୧)
ବୋହିବାକୁ ହେବ ଅନୁଭବ-କ୍ରୁଶରାଶି ।
ପାଦ୍ରୀ-ମୁଲ୍ଲା ଟାଉଟରୀ, ତୀର୍ଥଯାତ୍ରା ଅବା
ବ୍ୟର୍ଥ ସବୁ, — ଧର୍ମ ନାମେ ବ୍ୟବସାୟ ଖାଲି,
କେତେ ବିନ୍ଦୁ ଅଶ୍ରୁ ତମେ ତେଜିଛ ଏ ଧରା–
ମାଟିପରେ, ହେବ ମାତ୍ର ବିଚାର ତାହାରି ।
ତୁମ ହାସ୍ୟ-ଅଶ୍ରୁ, ସୁଖ-ଦୁଃଖ ହିଁ ଈଶ୍ୱର,
ସେହି କ୍ରୁଶ — ବୋହିବ କି ତାକୁ କେ ଅପର ?
(୧) ଆମ ପ୍ରତ୍ୟେକର ଜୀବନ ଦେଇ ଈଶ୍ୱର ବିବର୍ତ୍ତିତ ବା ବିକଶିତ ହେଉଛନ୍ତି। ସେହି ବିକାଶ ପାଇଁ ନାନା ଅନୁଭବର କ୍ରୁଶ ଆମ ପ୍ରତ୍ୟେକଙ୍କୁ ବହନ କରିବାକୁ ହେବ। ସକଳ ବାହ୍ୟ ଅନୁଷ୍ଠାନ ମୂଲ୍ୟହୀନ। ଗଭୀର ଅନୁଭବରେ ଯେଉଁ ଦୀର୍ଘ ନିଶ୍ଵାସ ତୁମେ ଛାଡ଼ିବ, ଯେଉଁ ଅଶ୍ରୁ ତ୍ୟାଗ କରିଛ, ସେହି ହିଁ କ୍ରୁଶ କେବଳ ନୁହେଁ, ସେହି ହିଁ ଈଶ୍ୱର (ମାନସିଂହ) !
କୃତଜ୍ଞତା: ଡ. ମାନସିଂହ ଗ୍ରନ୍ଥାବଳୀ
Sahityabhaskar Dr. Mayadhar Mansingh
© Niranjan Sahu
Spread the love
Antaranga Kalinga

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

3 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago