ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ
୧୯୭୬ରେ ମୁକ୍ତିଲାଭ କରିଥିଲା ‘ଶେଷ ଶ୍ରାବଣ’। ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମଟି ଜାତୀୟ ପୁରସ୍କାର ଲାଭକରିଥିଲା। ଏଥିରେ ପ୍ରଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହେମନ୍ତ ଦାସ, ମହାଶ୍ବେତା ରାୟ, ବନଜା ମହାନ୍ତି, ଦୁଃଖିରାମ ସ୍ବାଇଁ ଓ ଧୀର ବିଶ୍ବାଳ ଆଦି କଳାକାର। ‘ମକରା’ ଭୂମିକାରେ ହେମନ୍ତଙ୍କ ହୃଦୟସ୍ପର୍ଶୀ ଅଭିନୟ ସମସ୍ତଙ୍କୁ ବେଶ୍‌ ଛୁଇଁପାରିଥିଲା।
ପଚାଶରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ହେମନ୍ତ ଜଣେ ଅଭୁଲା କଳାକାର। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେବା ପୂର୍ବରୁ ସେ ନୂଆ ଦିଲ୍ଲୀସ୍ଥିତ ‘ଅଲ୍‌ ଇଣ୍ତିଆ ରେଡିଓ’ରେ ଓଡ଼ିଆ ସମ୍ବାଦ ପାଠକ ଭାବେ କାର୍ଯ୍ୟ କରୁଥିଲେ। ୧୯୫୬ରେ ମୁକ୍ତିଲାଭ କରିଥିବା, ନିତାଇ ପାଲିତ ନିର୍ଦେଶିତ ‘ଭାଇ ଭାଇ’ ତାଙ୍କର ପ୍ରଥମ ଫିଲ୍ମ। ୨୦୦୯ରେ ମୁକ୍ତିଲାଭ କରିଥିବା ‘ତୁମେ ହିଁ ସାଥୀ ମୋର’ ତାଙ୍କର ଶେଷ ଫିଲ୍ମ। ‘ଯାଯାବର’, ‘ଚିଲିକା ତୀରେ’, ‘ମାଆ ଓ ମମତା’, ‘ଦଣ୍ତା ବାଳୁଙ୍ଗା’, ‘ଶୀତ ରାତି’, ‘ହାକିମ ବାବୁ’, ‘ହିସାବ ନିକାଶ’, ‘ନୀରବ ଝଡ଼’, ‘କିଛି ସ୍ମୃତି କିଛି ଅନୁଭୂତି’, ଅକୁହାକଥା’, ଶାସ୍ତି’, ମମତାର ଡୋରି’, ‘ଥିଲି ଝିଅ ହେଲି ବୋହୂ’, ‘ଜଗା ହାତରେ ପଘା’, ‘ଭୁଲି ହୁଏନା’, ‘ଚକାଭଉଁରୀ’, ‘ସପନବଣିକ’, ‘କସ୍ତୁରୀ’, ‘ମମତା ମାଗେ ମୂଲ’, ‘ବଳିଦାନ’, ‘ଜନନୀ’, ‘ଶଙ୍ଖାସିନ୍ଦୂର’, ‘ସ୍ୱପ୍ନସାଗର’, ‘ସବୁ ମାୟାରେ ବାୟା’, ‘ସମୟ ବଡ଼ ବଳବାନ’, ‘କନ୍ୟାଦାନ’, ‘ପୂଜାଫୁଲ’, ‘ଅଶାନ୍ତଗ୍ରହ’, ‘ଶୀତରାତି’, ‘ଆଶାର ଆକାଶ’, ‘ନୀରବଝଡ଼’, ‘ରାମରହିମ’, ‘ମା’ ଓ ମମତା’, ‘ପୂଜା’ ଆଦି ହେମନ୍ତ ଅଭିନୀତ କିଛି ସଫଳ ଚଳଚ୍ଚିତ୍ର। ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ୍‌ ଫିଲ୍ମ ‘ଶୋଧ’ରେ ମଧ୍ୟ ସେ ଅଭିନୟ କରିଥିବା ଜଣାଯାଏ।
ହେମନ୍ତ ଦାସ ମଧ୍ୟ ନିର୍ଦେଶନା ଦେଉଥିଲେ। ନାଟ୍ୟକାର ବିଜୟ ମିଶ୍ର, ଅକ୍ଷୟ ମହାନ୍ତି ଓ ସେ ଏକତ୍ର ‘ଯାଯାବର’ର ନିର୍ଦେଶନା ଦେଇଥିଲେ। ରେଡିଓ ଓ ଟେଲିଭିଜନ୍‌ ଦୁନିଆରେ ସକ୍ରିୟ ଥିଲେ। ୧୯୯୧ରେ ପାଇଥିଲେ ‘ଜୟଦେବ ପୁରସ୍କାର’। ତାଙ୍କର ଏକ ସ୍ବପ୍ନ ଥିଲା ଫକୀରମୋହନ ସେନାପତିଙ୍କ ‘ପେଟଣ୍ଟ୍‌ ମେଡିସିନ୍‌’ ଆଧାରରେ ‘ସୁଲୋଚନା’ ନାମକ ଫିଲ୍ମ ତିଆରିକରିବା। ଅର୍ଥ ଯୋଗାଡ଼କରି ନ ପାରିବାରୁ ଉକ୍ତ ସ୍ବପ୍ନ ସାକାର ହୋଇପାରି ନ ଥିଲା।
ଅନେକ ଓଡ଼ିଆ କଳାକାରଙ୍କ ପରି ତାଙ୍କର ଶେଷ ଜୀବନ ମଧ୍ୟ ଆର୍ଥିକ ଦୁରବସ୍ଥା ମଧ୍ୟରେ କଟିଥିଲା। ଜୀବିତାବସ୍ଥାରେ ପୁତ୍ର ଓ ପତ୍ନୀଙ୍କୁ ହରାଇ ଏକଲା ହୋଇପଡ଼ିଥିଲେ। ୧୯୯୫ରେ କଟକ ଛାଡ଼ି ପୈତୃକ ଗ୍ରାମ ବାଙ୍କୀ ଅନ୍ତର୍ଗତ ଖମାରଙ୍ଗକୁ ଚାଲିଆସିଥିଲେ। ୨୭ ଏପ୍ରିଲ୍‌ ୨୦୧୦ରେ ଛଅସ୍ତରି ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ନିଜ ଗ୍ରାମରେ ତାଙ୍କର ଅନ୍ତିମ ସ˚ସ୍କାର କରାଯାଇଥିଲା।
୧୯୩୩ ସେପ୍‌ଟେମ୍ବର୍‌ ୧୮ରେ ସେ ଜନ୍ମ ହୋଇଥିଲେ। ତାଙ୍କ ପିତା ରାଧେଶ୍ବାମ ଦାସ ଥିଲେ ସଂଗୀତକାର। ସେ କବିଚନ୍ଦ୍ର କାଳୀଚରଣଙ୍କ ସମକାଳୀନ। କବିଚନ୍ଦ୍ରଙ୍କ ପରି ତାଙ୍କର ମଧ୍ୟ ଏକ ରାସ ଦଳ ଥିଲା। ତେଣୁ, ନୃତ୍ୟ-ଗୀତ-ନାଟ୍ୟର ପରିବେଶରେ କଟିଥିଲା ହେମନ୍ତଙ୍କ ଶୈଶବ। ମାତାଙ୍କ ନାମ ଥିଲା ବୈଦେହୀ। ବାଙ୍କୀସ୍ଥିତ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରୁ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହେବା ପରେ ହେମନ୍ତ କଟକସ୍ଥିତ କ୍ରାଏଷ୍ଟ୍‌ କଲେଜ୍‌ରେ ନାମ ଲେଖାଇଥିଲେ। ନିଜ ସମୟର ଅଧିକାଂଶ ପ୍ରସିଦ୍ଧ କଳାକାରଙ୍କ ପରି ତାଙ୍କର ପେସାଦାର ଅଭିନେତା ଜୀବନ ମଧ୍ୟ ରଂଗମଞ୍ଚରୁ ଆରମ୍ଭ ହୋଇଥିଲା।
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

5 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago