ମହାମନିଷୀଗଣ

‘ଉତ୍କଳ ଭାରତୀ’ କୁନ୍ତଳାକୁମାରୀ (Utkalabharati Kuntala Kumari)

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ‘ଉତ୍କଳ ଭାରତୀ’ କୁନ୍ତଳାକୁମାରୀ ସାବତ ହେଉଛନ୍ତି ଅନନ୍ୟା, ଅଦ୍ବିତୀୟା କବୀ, ଔପନ୍ୟାସିକା ଓ ସ˚ପାଦିକା। ପ୍ରଥମ ପିଢ଼ିର ଓଡ଼ିଆ ଲେଖିକାଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟା। ତାଙ୍କ ଆୟୁ ଥିଲା ମାତ୍ର ଅଠତିରିଶ ବର୍ଷ। ତନ୍ମଧ୍ୟରୁ ସାହିତ୍ୟିକା ଜୀବନର ଅବଧି ସାତରୁ ଆଠ ବର୍ଷ ମାତ୍ର। ଏହି ସ୍ବଳ୍ପ ସମୟ ମଧ୍ୟରେ ସେ ସୃଷ୍ଟି କରିଥିଲେ ଗୁଡ଼ିଏ କାବ୍ୟ-କବିତା ଓ ଉପନ୍ୟାସ। ପେସାରେ ଚିକିତ୍ସିକା ହୋଇଥିଲେ ହେଁ ସାହିତ୍ୟର ବିଭିନ୍ନ ବିଭାଗରେ, ବିଭିନ୍ନ ବିଭବ ମଧ୍ୟରେ ଲେଖନୀର ଜୟଯାତ୍ରା ଆଜୀବନ ଚାଲିଥିଲା। ଲେଖାମାନଙ୍କରୁ ତାଙ୍କର ସ˚ସ୍କାରଧର୍ମୀ ମନୋଭାବର ପରିଚୟ ମିଳେ।

ସେ ଥିଲେ ଅସାଧାରଣ ଶକ୍ତିର ଅଧିକାରିଣୀ। କାର୍ମିକ ତଥା ପାରିବାରିକ ଜଞ୍ଜାଳ ମଧ୍ୟରେ ଲେଖନୀ ଚାଳନା କରି ନିଜର ଅପୂର୍ବ ପ୍ରତିଭାର ପରିଚୟ ଦେଇଯାଇଛନ୍ତି। ଭାବନାକୁ ପ୍ରକାଶ କରିବା ଥିଲା, ତାଙ୍କର ସହଜାତ ଗୁଣ। ମାୟାଧର ମାନସି˚ହଙ୍କ ଭାଷାରେ- ‘‘ବାଦକ ବ˚ଶୀର ଫୋଡ଼ରେ ଆଙ୍ଗୁଠି ମାରୁମାରୁ ହଠାତ ଯେପରି ମନ ମୁତାବକ ସ୍ବର ପାଇଯାଏ, କୁନ୍ତଳା ଏଣୁ-ତେଣୁ ଗାଉଗାଉ, ଈଶ୍ବରଙ୍କ କଥା ଗାଇବାକୁ ଆସି, ସେହି ପରି ତାଙ୍କ ପ୍ରାଣ ବୀଣାର ଗୋଟିଏ ତାରକୁ ହାତ ମାରିଦେଇଛନ୍ତି, ତାହାର ସୁର ତାଙ୍କର ସକଳ ବ୍ୟକ୍ତିତ୍ବକୁ ଏ ପରି ଝ˚କୃତ କରିଦେଲା ଯେ, ସେ ଆଉ ସେ ସୁରର ମୋହ ଜୀବନଯାକ ଛାଡ଼ିପାରିଲେନାହିଁ।’’

କୁନ୍ତଳାଙ୍କ ପ୍ରଥମ ପ୍ରକାଶିତ କବିତା ସ˚କଳନ ୧୯୨୨ରେ ପ୍ରକାଶିତ ‘ଅଞ୍ଜଳି’। ତାହା ପରେ ‘ଉଚ୍ଛାସ’, ‘ଅର୍ଚ୍ଚନା’, ‘ସ୍ଫୁଲିଙ୍ଗ’, ‘ଆହ୍ବାନ’, ‘ଓଡ଼ିଆଙ୍କ କାନ୍ଦଣା’, ‘ଗଡ଼ଜାତ କୃଷକ’, ‘ପ୍ରେମ ଚିନ୍ତାମଣି’ ଓ ଅସ˚ପୂର୍ଣ୍ଣ କାବ୍ୟ ‘ମଣିକାଞ୍ଚନ’। ତାଙ୍କ କବିତା ସ˚ପର୍କରେ ଗୋପାଳଚନ୍ଦ୍ର ପ୍ରହରାଜ କହିଥିଲେ- ‘‘ଖାଇବା ଯେପରି ପକ୍ଷୀମାନଙ୍କର ନୈସର୍ଗିକ ପ୍ରକୃତି, କବିତା ସେହିପରି କୁନ୍ତଳାଙ୍କ ପାଖେ ପ୍ରାକୃତିକ ଥିଲା। ଓଡ଼ିଆ ଭାଷାରେ ଯେଉଁ ଜୀବନୀଶକ୍ତି ସଞ୍ଚରିତ କରିଯାଇଛନ୍ତି, ଓଡ଼ିଆ ଜାତି ଆଜି ତାହା ହୃଦୟଙ୍ଗମ କରିନାହିଁ।’’ ତାଙ୍କ ରଚନାର ସ୍ବତଃସ୍ଫୂର୍ତ୍ତ କାବ୍ୟଛନ୍ଦ ପାଠକ ମନରେ ଖେଳାଇଦିଏ ଅପୂର୍ବ ମାଦକତା। କଟକର ଗଙ୍ଗାମନ୍ଦିର ସ୍ଥିତ କୁନ୍ତଳାଙ୍କ ଘର ଅଗଣାରେ ଥିଲା ଗୋଟିଏ ଶେଫାଳି ବା ଗଙ୍ଗଶିଉଳି ଗଛ। ଶେଫାଳି ଫୁଲର ସୁଗନ୍ଧରେ ବିମୋହିତା କୁନ୍ତଳା ରଚନା କରିଥିଲେ ‘ଶେଫାଳି ପ୍ରତି’। ତାହାର ଏକ ପଦ-
‘‘ତୋ’ ପରି କ୍ଷୁଦ୍ର ମୁହିଁ ତୋ’ ପରି କ୍ଷଣିକ,
ହସେ ବାସେ ରସେ ମାତ୍ର ଫୁଟିଅଛି ଘତିକ;
ମାଟିରେ ମିଶିବୁ ତୁହି ମାଟିରେ ମିଶିବି ମୁହିଁ,
ତଥାପି ମୋ ଆତ୍ମାଫୁଲ ନ ଯିବରେ ମଉଳି;
ତେଣୁ ଆଶା ବହି ଦିନ କାଟେ ଗଙ୍ଗଶିଉଳି।’’

କୁନ୍ତଳାଙ୍କ କବି ପ୍ରତିଭାରେ ମୁଗ୍‌ଧ ହୋଇ ପ୍ରହରାଜ ତାଙ୍କୁ ଧର୍ମକନ୍ୟା କରିଥିଲେ।

କୁନ୍ତଳାଙ୍କ ପ୍ରଥମ ପ୍ରକାଶିତ ପୁସ୍ତକ ହେଉଛି ‘ଭ୍ରାନ୍ତି’ ନାମକ ଗଳ୍ପ ସ˚କଳନ। ତାଙ୍କର ପ୍ରଥମ ଉପନ୍ୟାସ ‘ପରଶମଣି’। କୁନ୍ତଳା କୁମାରୀ ଓଡ଼ିଶାର ପ୍ରଥମ ଔପନ୍ୟାସିକା। ତାଙ୍କର ପ୍ରଥମ ଉପନ୍ୟାସ ‘ଭ୍ରାନ୍ତି’। ‘ନଅ ତୁଣ୍ତୀ’, ‘କାଳୀବୋହୂ’, ‘ପରଶମଣି’ ‘ରଘୁ ଅରକ୍ଷିତ’ ତାଙ୍କର ଅନ୍ୟ ପ୍ରସିଦ୍ଧ ସୃଷ୍ଟି। ଦିଲ୍ଲୀରହଣି କାଳରେ ସେ ରଚନା କରିଥିଲେ ନିଜର ଶେଷ ଉପନ୍ୟାସ ‘ରଘୁ ଅରକ୍ଷିତ’। ସେ ସମୟରେ ‘ଦିଲ୍ଲୀ ଚିଠି’ ନାମରେ ସାରସ୍ବତ ପତ୍ର ଲେଖୁଥିଲେ। ପଞ୍ଚମ ଚିଠିରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପାଇଁ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଥିଲେ-
‘‘ଟାଣୁଆ ଓଡ଼ିଆ ଜିଣିଲୁ ଦରିଆ,
କଲୁ କାରିଗରୀ ପଥରରେ ଠିଆ;
ତୋର ଚକ୍ରବର୍ତ୍ତୀ ଗଜପତି ପାଦେ,
ପୃଥିବୀ ପଣତ ଥିଲା ପାରି।’’

ହିନ୍ଦୀ ଓ ଇ˚ରେଜୀ ଭାଷାରେ ମଧ୍ୟ ଲେଖୁଥିଲେ କୁନ୍ତଳା କୁମାରୀ। ‘ସ୍ତ୍ରୀ ଭୂଷଣ’, ‘ନାରୀ’, ‘ଭାରତୀ’, ‘ଜୀବନ’ ଆଦି ହିନ୍ଦୀ ପତ୍ରିକାର ସ˚ପାଦିକା ଦାୟିତ୍ବ ତୁଲାଇଥିଲେ।

କୁନ୍ତଳାକୁମାରୀଙ୍କ ପୂର୍ବ-ପୁରୁଷ ଗଞ୍ଜାମର ମୂଳ ବାସିନ୍ଦା ଥିଲେ। ଜାତିରେ ସେମାନେ ଥିଲେ ବ୍ରାହ୍ମଣ। ତାଙ୍କ ପିତାମହ ଶ୍ୟାମରତନ କିରସ୍ତାନ ଧର୍ମ ଗ୍ରହଣ କରି, ଖୋର୍ଦ୍ଧାରେ ବସବାସ କରୁଥିଲେ। ଶ୍ୟାମରତନଙ୍କ ପୁତ୍ର ତଥା କୁନ୍ତଳାକୁମାରୀଙ୍କ ପିତା ଦାନିଏଲ୍‌ ଥିଲେ ଡାକ୍ତର। ତାଙ୍କର ବୃତ୍ତିଗତ ଜୀବନ ଭାରତର ବିଭିନ୍ନ ସ୍ଥାନ ଏପରିକି ବର୍ମାରେ ମଧ୍ୟ କଟିଥିଲା। ୧୯୦୧ ଫେବ୍ରୁଆରି ୮ରେ ଏହି ବହୁମୁଖୀ ନାରୀ ପ୍ରତିଭା ତତ୍‌କାଳୀନ ବସ୍ତର ରାଜ୍ୟର ଜଗଦଲପୁରରେ ଜନ୍ମ ହୋଇଥିଲେ। ଅଣ-ଓଡ଼ିଆ ପରିବେଶରେ ସେ ବଢ଼ିଥିଲେ। ପ୍ରାୟ ଚଉଦ ବର୍ଷ କଟିଥିଲା ବର୍ମାରେ। ଦାନିଏଲ୍‌ ନିଜ ଶାଳୀଙ୍କ ପ୍ରତି ଆକର୍ଷିତ ହେବାରୁ ପରିବାର ଭାଙ୍ଗିବା ଭଳି ପରିସ୍ଥିତି ଉପୁଜିଥିଲା। କୁନ୍ତଳାକୁମାରୀଙ୍କ ମାତା ମନିକା, ବର୍ମାରେ ପତିଙ୍କୁ ଛାଡ଼ି, ନିଜର ସମସ୍ତ ସନ୍ତାନଙ୍କ ସହ ଖୋର୍ଦ୍ଧା ଫେରିଆସିଥିଲେ।

ଖୋର୍ଦ୍ଧାରେ ତାଙ୍କର ମାଇନର‌୍‌ ସ୍କୁଲ୍‌ ଜୀବନ ଆରମ୍ଭ ହୋଇଥିଲା। ତାହା ପରେ କଟକର ରାଭେନ୍‌ସା ବାଳିକା ବିଦ୍ୟାଳୟ। ସେଠାରୁ ଉତ୍ତୀର୍ଣ୍ଣ ହେବା ପରେ ସେ କଟକ ମେଡିକାଲ୍‌ ସ୍କୁଲ୍‌ରେ ଭର୍ତ୍ତିହୋଇଥିଲେ। ୧୯୨୧ରେ ବିହାର ଏବ˚ ଓଡ଼ିଶା ମେଡିକାଲ୍‌ ବୋର୍ଡ଼ ପରୀକ୍ଷାରେ ସେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ସ୍ଵର୍ଣ୍ଣ ପଦକ ଲାଭକରିଥିଲେ। ମେଡିକାଲ୍‌ ସ୍କୁଲ୍‌ର ଶିକ୍ଷକ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେ ବିବାହିତ ଥିଲେ ହେଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସ˚ପର୍କ ଗଢ଼ିଉଠିଥିଲା। ଉକ୍ତ ସ˚ପର୍କ ଦୁହିଁଙ୍କ ଜୀବନକୁ ବହୁ ବର୍ଷ ଯାଏ ଅଶାନ୍ତ କରିରଖିଥିଲା। କୁନ୍ତଳାକୁମାରୀ, ନିଜର ଶିକ୍ଷକଙ୍କୁ ବିବାହ କରିବା ପାଇଁ ମନକରିଥିଲେ। ହେଲେ, ତାହା ସଫଳ ହୋଇପାରି ନ ଥିଲା। ଏକ ନକାରାତ୍ମକ ସ˚ପର୍କ ସତ୍ତ୍ବେ କୁନ୍ତଳାକୁମାରୀଙ୍କ ଜୀବନ ଡାକ୍ତର ରାଓଙ୍କ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଡାକ୍ତରଙ୍କ ପ୍ରେରଣାରେ ସେ କବିତା ଲେଖିବା ଆରମ୍ଭ କରିଥିଲେ। ପ୍ରଥମ କବିତା ‘ତାରା ପ୍ରତି’ର ଏକ ପଦ:                                                                                        ‘‘ଦୂର ଗଗନରେ ଜୁଳୁଜୁଳୁ ଚାହିଁ ହସୁ ତୁହି କ୍ଷୁଦ୍ର ତାରା;                                                                  କ୍ଷଣକେ ହୃଦୟେ ପରଶି ମୋହର କେତେ ଚିନ୍ତା ଆଣୁ ପରା।’’

ଘଟନାକ୍ରମେ ଡାକ୍ତର, ତାଙ୍କ ଜୀବନରୁ ଦୂରେଇଯାଇଥିଲେ। କୁନ୍ତଳା କୁମାରୀ କିରସ୍ତାନ ଧର୍ମ ତ୍ୟାଗ କରି ପ୍ରଥମେ ବ୍ରାହ୍ମ ଧର୍ମ ଏବ˚ ତା’ ପରେ ଆର୍ଯ୍ୟ ଧର୍ମ ଗ୍ରହଣ କରିଥିଲେ। ଦିଲ୍ଲୀରେ କୃଷ୍ଣ ପ୍ରସାଦ ବ୍ରହ୍ମଚାରୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ବୈବାହିକ ଜୀବନ ସ˚ପୂର୍ଣ୍ଣ ସଫଳ ହୋଇଥିଲା ବୋଲି କହାଯାଇ ପାରିବନାହିଁ। ବ୍ରହ୍ମଚାରୀ ନାନା ଅସାଧୁ ବ୍ୟବସାୟରେ ଜଡ଼ିତ ରହୁଥିଲେ। ଏହାର ପରିଣାମ କୁନ୍ତଳାକୁମାରୀଙ୍କୁ ଭୋଗିବାକୁ ପଡ଼ୁଥିଲା। ସ୍ବପ୍ନ ଓ ଆଶା ମଧ୍ୟରେ ସେ ତପସ୍ବିନୀ ଭଳି ଶେଷ ଜୀବନ ବଞ୍ଚିଥିଲେ। ତାଙ୍କ ସମୟରେ କଟକରେ ସେ ଥିଲେ ଏକମାତ୍ର ଓଡ଼ିଆ ଡାକ୍ତରାଣୀ। ୧୯୨୭ ପର୍ଯ୍ୟନ୍ତ ସେ କଟକରେ ଡାକ୍ତରୀ ବ୍ୟବସାୟ କରୁଥିଲେ। ତାହା ପରେ ଦିଲ୍ଲୀ ଯାଇ, ଆଉ ଓଡ଼ିଶା ଫେରି ନ ଥିଲେ। ଏଗାର ବର୍ଷ ପରେ ଦିଲ୍ଲୀରେ ହିଁ ତାଙ୍କର ଦେହାନ୍ତ (୨୩ ଅଗଷ୍ଟ ୧୯୩୮) ହୋଇଥିଲା।

Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

22 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago