| ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ଯେଉଁ ମୁଷ୍ଟିମେୟ ଅଧ୍ୟାପକଙ୍କ ବ୍ୟକ୍ତିତ୍ବ, ଆନ୍ତରିକ ନିଷ୍ଠା, ଗଭୀର ଜ୍ଞାନ ଓ ବଳିଷ୍ଠ ନେତୃତ୍ବ ପ୍ରଭାବରେ ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ବିଭାଗର ସମ୍ମାନ ରକ୍ଷା ହୋଇପାରିଛି, ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଡ. କୁଞ୍ଜବିହାରୀ ତ୍ରିପାଠୀ । ବିଶ୍ବାସ ଓ ଆଚରଣରେ ସେ ଥିଲେ ଯଥାର୍ଥ ଶିକ୍ଷକ। ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ବ, ଭାଷାତତ୍ତ୍ବ ଆଦିର ଅଧ୍ୟୟନ-ଗବେଷଣା କ୍ଷେତ୍ରରେ ନିଜକୁ ସ˚ପୂର୍ଣ୍ଣ ଭାବେ ଉତ୍ସର୍ଜିତ କରିଥିଲେ। ଏହି ଜ୍ଞାନସିଦ୍ଧ ଗବେଷକ ପ୍ରାଚୀନ ଅଭିଲେଖଗୁଡ଼ିକର ପଠନ ତଥା ପାଠୋଦ୍ଧାର କରି ଅଧିକ ଗବେଷଣା ପାଇଁ ପଥ ପ୍ରଶସ୍ତ କରିଥିଲେ। ସେ ଥିଲେ କବି, ଗବେଷକରତ୍ନ, ଶିକ୍ଷାବିତ୍ ଓ ଭାଷା ସେନାପତି। ତୃତୀୟ ଯୋଜନା କାଳରେ ଯେତେ ବେଳେ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରୁ ଓଡ଼ିଆ ପିରିଅଡ୍ ଏବ˚ ଓଡ଼ିଆ ଅଧ୍ୟାପକ ସ˚ଖ୍ୟା କମାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା, ତୀବ୍ର ପ୍ରତିବାଦ କରିଥିଲେ କୁଞ୍ଜବିହାରୀ ତ୍ରିପାଠୀ । ଶିକ୍ଷା ବିଭାଗୀୟ ନିଷ୍ପତ୍ତି ବିରୋଧରେ ଲଢ଼ି, ଶେଷରେ ସେ ବିଜୟୀ ହୋଇଥିଲେ। ପୁଣି ତାଙ୍କରି ଉଦ୍ୟମରେ କଲେଜଗୁଡ଼ିକରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ସେ କହୁଥିଲେ, ଶିକ୍ଷକ ନ ହୋଇ ଶିକ୍ଷାବିତ୍ ହେବା ବିପଜ୍ଜନକ। ଶିକ୍ଷାବିତର ମୁଖ୍ୟ ଯୋଗ୍ୟତା ହେଉଛି, ଶିକ୍ଷାଦାନରେ ଅଭିଜ୍ଞତା। ଥରେ ଉତ୍କଳ ବିଶ୍ବବିଦ୍ୟାଳୟର ସିଣ୍ତିକେଟକୁ ନିର୍ବାଚିତ ହେବାକୁ ଉଦ୍ୟମ କରିଥିଲେ ଜଣେ ଓକିଲ। ତାଙ୍କ ସପକ୍ଷରେ ଥାଏ ଉଭୟ ଅର୍ଥ ଓ ସାଙ୍ଗଠନିକ ବଳ। ତେବେ, ବିରୋଧ କରି, ତାଙ୍କୁ ଜିତାଇଦେଇ ନ ଥିଲେ କୁଞ୍ଜବିହାରୀ ତ୍ରିପାଠୀ । ୧୯୧୧ ସେପ୍ଟେମ୍ବର ୪ ତାରିଖରେ ବାଙ୍କୀ ଅନ୍ତର୍ଗତ ପଥୁରିପଡ଼ା ଗ୍ରାମରେ ଏହି ମହାନ ଶିକ୍ଷାବିତ ଜନ୍ମ ହୋଇଥିଲେ। ବାଲ୍ୟ-ଶିକ୍ଷା ଆରମ୍ଭ ହୋଇଥିଲା ଗ୍ରାମ ନିକଟସ୍ଥ ବରପଟ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ। ତାହା ପରେ ବାଙ୍କୀ ଡମପଡ଼ା ଉଚ୍ଚ ବିଦ୍ୟାଳୟରୁ ଦ୍ବିତୀୟ ଶ୍ରେଣୀରେ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇ, ରାଭେନ୍ସା ମହାବିଦ୍ୟାଳୟରେ ଆଇ.ଏ. ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ତାଙ୍କ ସମୟରେ ବାଙ୍କୀରୁ କଟକକୁ ବସ୍ ନ ଥିଲା। ପାଦରେ ଚାଲିଚାଲି ଯିବା-ଆସିବା ହେଉଥିଲା। ରାଭେନ୍ସା ଅଧ୍ୟୟନ କାଳରେ ସେ ପୂର୍ବ ଛାତ୍ରାବାସର ଅନ୍ତେବାସୀ ଥିଲେ। ଛାତ୍ର ଜୀବନରେ ହିଁ ସେ ଆମିଷ ଭୋଜନ ତ୍ୟାଗ କରିଥିଲେ। ପାନ ପ୍ରତି ଥିଲା ଦୁର୍ବଳତା। ପଇସାକରେ ମିଳୁଥିଲା ଚାରିଖଣ୍ତ ପାନ। ତେବେ, ପରେ ସେ ପାନଖିଆ ଛାଡ଼ିଦେଇଥିଲେ। ପଟନା ବିଶ୍ବବିଦ୍ୟାଳୟରୁ ସ˚ସ୍କୃତରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ଆଇନ ଶିକ୍ଷା କରି ପ୍ରଥମେ ଓକିଲାତିକୁ ପେସା ଭାବେ ବାଛିଥିଲେ। ହେଲେ, ଭଲ ନ ଲାଗିବାରୁ ବର୍ଷକ ପରେ ରାଭେନ୍ସାରେ ସ˚ସ୍କୃତ ବିଭାଗୀୟ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ଏହା ୧୯୩୮ର କଥା। ପରବର୍ତ୍ତୀ ଛଅ ଦଶନ୍ଧି କଟିଥିଲା ଅଧ୍ୟାପନା ଓ ଗବେଷଣାରେ। ୧୯୪୯ରେ ଓଡ଼ିଆ ଭାଷା ଉପରେ ଗବେଷଣା ଲାଗି ସେ ଲଣ୍ତନ ବିଶ୍ବବିଦ୍ୟାଳୟ ଯାଇଥିଲେ। ୧୯୫୩ରେ ଡକ୍ଟରେଟ୍ ଲାଭକରି ଫେରିଥିଲେ। ଗବେଷଣାତ୍ମକ ସ˚ଦର୍ଭଟି ଥିଲା ‘ଦ ଇଭଲ୍ୟୁସନ୍ ଅଫ୍ ଓଡ଼ିଆ ଲା˚ଗୁଏଜ୍ ଆଣ୍ତ୍ ସ୍କ୍ରିପ୍ଟ’। ୧୯୬୮ରେ ସରକାରୀ ଚାକିରିରୁ ଅବସର ନେଇ ପରବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଯୋଗଦେଇଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରଥମ ପ୍ରଫେସର ହେଉଛନ୍ତି ଡ. କୁଞ୍ଜବିହାରୀ ତ୍ରିପାଠୀ । ୧୯୮୧ରେ କଟକ ଥୋରିଆ ସାହି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଆସନରେ ବସିଥିଲେ; ଏବ˚ ଏହା ଥିଲା ଶେଷ ଚାକିରି। ସେ ଓଡ଼ିଆ, ଇଂରେଜୀ ଓ ହିନ୍ଦୀ ଭାଷାରେ ଅନେକ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ। ‘ପ୍ରାଚୀନ ଓଡ଼ିଆ ଅଭିଲେଖ’, ‘ଆଞ୍ଚଳିକ ଶବ୍ଦକୋଷ’, ‘ଓଡ଼ିଆ ଭାଷା ଓ ଲିପିର ବିବର୍ତ୍ତନ’, ‘ଅଳଙ୍କାର ପରିଚୟ’, ‘ଭାଗବତ ସୁକ୍ତିମାଳା’, ‘ବିଲାତରେ ଓଡ଼ିଆ ପୋଥି’, ‘ଆମ ଘର ପୋଥି’ ଆଦି ଡ଼ଃ କୁଞ୍ଜବିହାରୀଙ୍କ ଶ୍ରେଷ୍ଠ କୃତି ତାଲିକା ଅନ୍ତର୍ଭୁକ୍ତ। ସେ ମଧ୍ୟ ଥିଲେ କବି। ମଧ୍ୟ ଯୁଗୀୟ ଶୈଳୀରେ ଛନ୍ଦୋବଦ୍ଧ କବିତା ଲେଖୁଥିଲେ। ତାଙ୍କର କବିତାଗୁଡ଼ିକ ‘ପୁଷ୍ପାଞ୍ଜଳି’ ଓ ‘ବନ୍ଦନିକା’ ସ˚କଳନରେ ସ୍ଥାନିତ। ଏହି ମହାନ୍ ସାଧକଙ୍କ ପାଇଁ କର୍ମ ହିଁ ଥିଲା ଜୀବନ। ବ୍ୟକ୍ତିଗତ ଜୀବନରେ ଥିଲେ ଅତ୍ୟନ୍ତ ଶୃଙ୍ଖଳିତ, ସମୟାନୁବର୍ତ୍ତୀ (ପାଖରେ ଏକାଧିକ ଘଡ଼ି ରଖୁଥିଲେ; କାଳେ କେଉଁଟି ଖରାପ ହୋଇଯିବ), ଈଶ୍ବର-ବିଶ୍ବାସୀ, ସରଳ-ସଚ୍ଚୋଟ, ଦୃଢ଼ ଓ ନିର୍ଭୀକ। ସାରା ଜୀବନ ଶାକାହାରୀ ଥିଲେ। ଆଦର୍ଶ ଜୀବନଯାପନ ଯୋଗୁଁ ଶେଷ ପର୍ଯ୍ୟନ୍ତ ସୁସ୍ଥ, ନିରୋଗ, କର୍ମଠ ଥିଲେ। ଖଦଡ଼ ଧୋତି ଓ ପ˚ଜାବୀ ଥିଲା ପ୍ରିୟ ପରିଧାନ। ଅବଶ୍ୟ ସୁଟ୍, ଟାଇରେ ମଧ୍ୟ ଦେଖିବାକୁ ମିଳୁଥିଲେ। ସୁଟବୁଟ୍ ପିନ୍ଧି, ଗଳାରେ ଟାଇ ଭିଡ଼ି, ହାତରେ ଛତା ଓ ଟିଣ ସୁଟକେସ୍ ଧରି ସମୟେ ସମୟେ କଲେଜ ଆସୁଥିଲେ। ଏହା ଦେଖି କେହି କେହି ହସୁଥିଲେ। ହେଲେ, ଅବିଚଳିତ ରହୁଥିଲେ କୁଞ୍ଜବିହାରୀ ତ୍ରିପାଠୀ। ସାହିତ୍ୟ ଆଲୋଚନା ଓ ଗବେଷଣାରେ ତାଙ୍କର ନିଷ୍ଠା ଦେଖି ପୁରୀର ଗଜପତି ମହାରାଜା ଶ୍ରୀ ବୀରକିଶୋର ଦେବ, ତାଙ୍କୁ ‘ସାହିତ୍ୟ ବିଶାରଦ’ ଉପାଧି ପ୍ରଦାନ କରିଥିଲେ। ୨୦୦୧ ଜୁନ୍ ୧୫ରେ କଟକ ମହାନଗର ଅନ୍ତର୍ଗତ ପ୍ରଫେସରପଡ଼ା ବାସଭବନରେ ଡ଼ଃ କୁଞ୍ଜବିହାରୀଙ୍କ ପରଲୋକ ହୋଇଥିଲା। | |
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…