ଲେଖା: ନିରଞ୍ଜନ ସାହୁ
ଯାଜପୁର ମାଟି ପୌରାଣିକ ମାଟି । ଏହା ଗଦାକ୍ଷେତ୍ର । ଏହାର ଆଉ ଏକ ପରିଚିତି ହେଉଛି, ଏହା ଅବିମୁକ୍ତ କ୍ଷେତ୍ର । ଯେଉଁ କ୍ଷେତ୍ରରେ ତିନି ଦେବତା ପୂଜା ପାଆନ୍ତି (ବିଷ୍ଣୁ, ଶଙ୍କର ଓ ଶକ୍ତି), ତାହା ହିଁ ଅବିମୁକ୍ତ କ୍ଷେତ୍ର । ପୁଣି ଏ କ୍ଷେତ୍ରରେ ଦ୍ଵାଦଶ ମାଧବ ପୂଜା ପାଉଛନ୍ତି ବୋଲି ଶ୍ରୀ ବିରଜା କ୍ଷେତ୍ର ମାହାତ୍ମ୍ୟମ୍ ଗ୍ରନ୍ଥର ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି ।
ମାଧବ ବିଷ୍ଣୁ ହିଁ ନାରାୟଣ । ଯାଜପୁର କ୍ଷେତ୍ରରେ ନାରାୟଣଙ୍କ ଦ୍ଵାଦଶ ରୂପର ବର୍ଣ୍ଣନା ସହ କିମ୍ବଦନ୍ତୀ, ପରମ୍ପରା ଅନୁସାରେ ଆଜିର ଏହି ଉପସ୍ଥାପନା:
ଯାଜପୁର ଜିଲ୍ଲାରେ ଜଳାଶାୟୀ ନାରାୟଣ ! ପ୍ରଧାନ ପୂଜାର୍ଚ୍ଚନା ସ୍ଥାନ ହେଉଛି ରସୁଲପୁର ବ୍ଲକ ଅନ୍ତର୍ଗତ ସିଙ୍ଗାପୁର ଗ୍ରାମ । ଷୋଳ ନମ୍ବର ଜାତୀୟ ରାଜପଥର କଟକ ଆଡ଼ୁ ବାଲେଶ୍ଵର ଯିବା ବେଳକୁ ଚଣ୍ଡିଖୋଲ ଛକର ବାର କିଲୋମିଟର ପରେ ବ୍ରାହ୍ମଣୀ ନଦୀର ଅପର ପାର୍ଶ୍ୱରେ ବାରବାଟୀ (ପରିବା ମାର୍କେଟ) ଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ସିଙ୍ଗାପୁର ଗ୍ରାମ । ଅନ୍ୟ ପକ୍ଷରେ ଢେଙ୍କାନାଳ ଠାରୁ ସିଧାସଳଖ ରାସ୍ତା ଦେଇ ଆସିଲେ ମଧୁପୁର ଗଡ଼ ପାର ହୋଇ କୁସ୍ତିରା ଠାରେ ବ୍ରାହ୍ମଣୀ ନଦୀରେ ପୋଲ (ବ୍ରିଜ୍) ଡେଇଁଲେ ପଡ଼ିବ ସଂସ୍କୃତିସମ୍ପନ୍ନ ଗ୍ରାମ କଲଣ । ସେହି ଗାଁ ଦେଇ ଲମ୍ବିଛି ଦେଢ଼ କିଲୋମିଟର ରାସ୍ତା ପୁଣ୍ୟ ମାଟି ସିଙ୍ଗାପୁର ଗ୍ରାମକୁ । ସେହି ସ୍ଥାନ ହିଁ ଶ୍ରୀମନ ନାରାୟଣ ଗୋସାଇଁଙ୍କ ଲୀଳାକ୍ଷେତ୍ର ।
~ ଇତିହାସ ଓ କିମ୍ବଦନ୍ତୀ ~
ଇତିହାସ ଓ କିମ୍ବଦନ୍ତୀ ଅନୁସାରେ ଏ ଶ୍ରୀମନ ନାରାୟଣ ଗୋସାଇଁ ହେଉଛନ୍ତି ମଧୁପୁର ରାଜବଂଶର ଆରାଧ୍ୟ ଦେବତା । କିମ୍ବଦନ୍ତୀ କହେ, ଶ୍ରୀକ୍ଷେତ୍ରରେ ଦାରୁବିଗ୍ରହମାନ ପ୍ରତିଷ୍ଠା ପରେ ଉତ୍ତର ପ୍ରଦେଶର ଜନୈକ ବିଦ୍ୱାନ ବ୍ରାହ୍ମଣ ଯୁବକ ମଧୁସୂଦନ ବିଦ୍ୟାଭୂଷଣ ଶ୍ରୀକ୍ଷେତ୍ର ଧାମକୁ ଯାଉଥିଲେ । ସେତିକିବେଳେ ବ୍ରାହ୍ମଣୀ ନଦୀ ତଟଦେଶରେ ହାତୀ ସୁନାକଳସ ଧରି ନିକଟସ୍ଥ ରାଜ୍ୟ ପାଇଁ ରାଜାଙ୍କର ଅନୁସନ୍ଧାନ କରୁଥିଲା । ହାତୀ ଏଇ ବ୍ରାହ୍ମଣ ମଧୁସୂଦନଙ୍କ ଉପରେ ସୁନାକଳସ ଢାଳି ଦେଲା । ଲୋକେ ଧାଇଁ ଆସି ମଧୁସୁଦନଙ୍କୁ ରାଜା ରୂପେ ବରି ନେଲେ । ମଧୁସୂଦନ ବାଧ୍ୟ ହୋଇ ରାଜପଦ ଗ୍ରହଣ କଲେ ।
ବ୍ରାହ୍ମଣୀ ଅବବାହିକା ଅଞ୍ଚଳରେ ଘଞ୍ଚ ଅରଣ୍ୟ ବେଷ୍ଟିତ କମାଗଡ଼ ଗ୍ରାମରେ ତାଙ୍କୁ ରାଜପଦରେ ଅଭିଷିକ୍ତ କରାଯାଇଥିଲା । ରାଜା ନିଜ ନାମାନୁସାରେ ରାଜ୍ୟର ନାମ ରଖିଲେ ମଧୁପୁର । ଏଇ ରାଜା ମଧୁସୂଦନ ମାଳବର ରାଜକନ୍ୟା ମାଧୁରୀ ଦେବୀଙ୍କୁ ବିବାହ କଲେ । ରାଣୀ ମାଧୁରୀ ସ୍ବପ୍ନରେ ନାରାୟଣଙ୍କୁ ଦର୍ଶନ କରି ନାରାୟଣଙ୍କ ନିର୍ଦ୍ଦେଶିତ ସ୍ଥାନରେ ତାଙ୍କୁ ଦର୍ଶନ କଲେ । ଦେବବାଣୀ ହେଲା, “ମୋତେ ଜଳପଥରେ ନେବ ଏବଂ ବ୍ରାହ୍ମଣୀ କୂଳରୁ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କରି ମୋର ପୁଣ୍ୟ ଲୀଳାସ୍ଥଳକୁ ନେବେ । ସେଠାରେ ବେତ ବେଷ୍ଟିତ ଗୋଟିଏ ପୁଷ୍କରିଣୀରେ ମୋତେ ରଖି ମୋ ପାଇଁ ବଡ଼ ପୁଷ୍କରିଣୀ ଖନନ କରିବ । ତା’ର ନାମ ହେବ ମଧୁତୀର୍ଥ । ପୁଷ୍କରିଣୀ ଖନନ ହେବାପରେ ସେହି ପୋଖରୀ ଭିତରେ ମୋତେ ରଖିବ ।” ଏହି ସ୍ଵପ୍ନାଦେଶ ପରେ ରାଜା ଆରମ୍ଭ କରିଦେଲେ ଏକ ବିଶାଳ ପୋଖରୀର ଖନନ ସିଙ୍ଗାପୁର ଗ୍ରାମରେ । ଏହାର ଆୟତନ ହେଲା – ଛଅ ମାଣ, ଛଅ ଗୁଣ୍ଠ, ଛଅ ବିଶ୍ଵା । ସେହିଠାରେ ପ୍ରତିଷ୍ଠା ହେଲେ ଶ୍ରୀମନ ନାରାୟଣ । ଶୁଣାଯାଏ ରାଜାରାଣୀ ବର ମାଗିଲେ ତାଙ୍କ ବଂଶରେ କେହି ପୁଅ ଉତ୍ତରାଧିକାରୀ ଭାବେ ନ ରହନ୍ତୁ ! (ଏଇଠି କଳିଙ୍ଗ ରାଜନ୍ ଇନ୍ଦ୍ରଦ୍ୟୁମ୍ନଙ୍କ କଥା ମନରେ ଆସେ !)
~ ଐତିହାସିକ ମତ ~
ଐତିହାସିକମାନେ କହନ୍ତି ଯେ, ଏହି ସୁନ୍ଦର ଶ୍ରୀମନ ନାରାୟଣ ମୂର୍ତ୍ତି ୧୧୦୦ରୁ ୧୨୦୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିବ । ବୌଦ୍ଧମାନଙ୍କ ଆକ୍ରମଣ ଭୟରେ ବୈଷ୍ଣବମାନେ ଏହି ମୂର୍ତ୍ତିକୁ ଜଳ ମଧ୍ୟରେ ବୁଡ଼ାଇ ଦେଇଥିବେ ! ଏହା ମଧ୍ୟ ଯୁକ୍ତିସଙ୍ଗତ ! କାରଣ ସେ ସମୟରେ ବ୍ରହ୍ମଣୀ ଅବବାହିକାର କଲଣ ଗ୍ରାମ (କଲଣ ଠାରୁ ସିଙ୍ଗାପୁରର ଦୂରତା ଏକ ମାଇଲ୍) ବୌଦ୍ଧତନ୍ତ୍ରର ଏକ ପେଣ୍ଠ ସ୍ଥଳୀ ଭାବରେ ପରିଗଣିତ ହେଉଥିଲା ।
ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ, କଳାପାହାଡ଼ର ଆକ୍ରମଣ ସମୟରେ ଇମାମ୍ ହୋସେନ୍ ସିଂହପୀଠ ବା ସିଂହାପୁର (ସିଙ୍ଗାପୁର) ଠାରେ ଥିବା ମନ୍ଦିରକୁ ଭାଙ୍ଗି ଧ୍ଵଂସ କରିଦେଇଥିଲେ । ମଧୁପୁର ରାଜା ଭାବିଥିଲେ ତାଙ୍କର ଆରାଧ୍ୟ ଦେବତା ନାରାୟଣଙ୍କ ପ୍ରତିମା ମଧ୍ୟ ଧ୍ଵଂସ ହୋଇ ଯାଇଛନ୍ତି ! ରାଜା ମଧୁସୂଦନ ନୂତନ ବିଗ୍ରହ ନିର୍ମାଣ ପାଇଁ ଧାରଣାରେ ରହିଲେ ।
ଚୈତ୍ର କୃଷ୍ଣ ସପ୍ତମୀ ଦିନ ରାଜାଙ୍କୁ ସ୍ଵପ୍ନ ହେଲା – “ମହାପ୍ରଳୟରେ ମୋର କଳ୍ପନିଦ୍ରା, ଖଣ୍ଡ ପ୍ରଳୟ ପରେ ମୋର ବିକଳ୍ପ ନିଦ୍ରା । ଉଠ, ତୁମର ଆକୁଳ ପ୍ରାର୍ଥନାରେ ମୁଁ ସନ୍ତୁଷ୍ଟ । ମୁଁ ଏହି ମଧୁ ସରୋବରରେ ଆଶ୍ରିତ । ଏହି ଅଖଣ୍ଡ ଆଶ୍ରୟ ମୋର ନିୟତ । ଭକ୍ତମାନଙ୍କ ପୂଜା ଗ୍ରହଣ କରିବାକୁ ଗୋଟିଏ ଦିନ ପାଇଁ ମୋତେ ଜଳାଶୟରୁ ବାହାର କରି ତୀର୍ଥ ପ୍ରାନ୍ତରେ ମୁକ୍ତ ଦର୍ଶନ କରାଇବ । ସାରା ବର୍ଷ ମୋର ଶୟନ ସ୍ଥଳକୁ ଅଣସର ଶୟନ ରୂପେ ପୂଜା ଓ ପ୍ରବେଶ ନିଷେଧ । ପତ୍ର କୁଡ଼ିଆରେ ମୋର ପୂଜା କରାଇବ, ଏତିକି ।”
ସେହିଦିନଠାରୁ ମାତ୍ର ଗୋଟିଏ ଦିନ ଅର୍ଥାତ ମହାବିଷୁବ ସଂକ୍ରାନ୍ତି ଦିନ ନାରାୟଣଙ୍କ ଜଳୋତ୍ଥାନ ହେଉଥିଲା ଏବଂ ଭକ୍ତମାନେ ଦର୍ଶନ କରିବା ପାଇଁ ସମବେତ ହେଉଥିଲେ ।
ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ରାଜା ମଧୁସୂଦନ ଧୀର (ଧୀର୍ ଭାବେ ପରିଚିତ ହୋଇଥିଲେ ରାଜ୍ୟାଭିଷେକ ପରେ) ପ୍ରଜାମାନଙ୍କ ବାରମ୍ବାର ଅନୁରୋଧ କ୍ରମେ ପୁରୀ, କାଶୀ, ଯାଜପୁର ପ୍ରଭୃତି ତୀର୍ଥ ମାନଙ୍କରୁ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତମାନଙ୍କୁ ଡାକି ଧର୍ମସଭା କରାଇଲେ । ବିକ୍ରମ ବାଜପେୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମସ୍ତ ପଣ୍ଡିତ ବର୍ଗ ଦଣ୍ଡାୟମାନ ହୋଇ ଶ୍ରୀମନ ନାରାୟଣ ଗୋସାଇଁଙ୍କୁ ପ୍ରାର୍ଥନା କଲେ ଓ ଭଗବାନଙ୍କ କୃପା ଭିକ୍ଷା କଲେ – “ହେ ପ୍ରଭୁ ! ନାରାୟଣ ! ଆପଣଙ୍କ ସୃଷ୍ଟିରେ ପ୍ରତୀକ ପୂଜା ପାଇଁ ଗୋଟିଏ ଦିନରେ ସମୟ ଅଭାବ । ସମୂହ ପ୍ରାର୍ଥନା କରୁଛୁ, ତିନୋଟି ଦିନ ତେର ଓଳିରେ ତେର ଅବତାର ପୂଜା ଓ ଦର୍ଶନ ଦିଅନ୍ତୁ ।”
~ ପ୍ରାର୍ଥନାକୁ ସମ୍ମତି ପ୍ରଦାନ ~
ଏହି ପ୍ରାର୍ଥନା ସମୟରେ ମଧୁ ସରୋବରରୁ ହଠାତ୍ ଗୋଟିଏ ରୋହୀମାଛ କୂଳ ଉପରକୁ ଡେଇଁ ପଡି଼ ପୁଣି ପାଣିକୁ ପଳାଇଲା । ସଭାପତି ବିଦ୍ୱାନ ପଣ୍ଡିତ ବାଜପେୟୀ ମହୋଦୟ ଏହା ଏକ ଶୁଭ ଲକ୍ଷଣ ଶାସ୍ତ୍ରମତରେ ବୋଲି ଘୋଷଣା କଲେ ଏବଂ ପ୍ରଭୁ ଶ୍ରୀମନ ନାରାୟଣ ଏହାକୁ ସମ୍ମତି ଦେଲେ ମୀନରୂପରେ ଆବିର୍ଭୁତ ବୋଲି ଅନ୍ୟ ପଣ୍ଡିତବର୍ଗଙ୍କୁ ଜଣାଇଦେଲେ । ସେହି ଦିନଠାରୁ ତିନିଦିନ ଧରି ମଧୁତୀର୍ଥରେ ପାଳନ ହେଉଛି ଭଗବାନ ଶ୍ରୀମନ ନାରାୟଣ ଗୋସାଇଁଙ୍କ ବାର ଓଳିରେ ତେର ବେଶ । ଏହି ଯାତ୍ରା ହିଁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ।
~ ଯାତ୍ରା ଇତିହାସ ଓ ପାଳନ ~
ଓଡି଼ଆଙ୍କ ନୂଆବର୍ଷ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଏହି ଦିନର ପୂର୍ବରାତ୍ରିର ସିନ୍ଦୁରା ଫାଟିବା ପୂର୍ବରୁ ଆରମ୍ଭ ହୁଏ ଶ୍ରୀମନ ନାରାୟଣ ଗୋସାଇଁଙ୍କ ଅପୂର୍ବ ଲୀଳା । ଲୋକେ ଶ୍ରଦ୍ଧା ଓ ଭକ୍ତିରେ କହନ୍ତି ଶ୍ରୀମନ ନାରାୟଣ ଗୋସାଇଁଙ୍କ ଲୀଳା । ବ୍ରାହ୍ମଣ ପଣ୍ଡିତେ ପୋଖରୀ ମଧ୍ୟକୁ ପ୍ରବେଶ କରି ନାରାୟଣଙ୍କୁ ଉପରକୁ ଆଣନ୍ତି ଏବଂ ପୋତା ହୋଇଥିବା ପତାକାମାନଙ୍କୁ ଉପାଡ଼ି ଦିଅନ୍ତି । ପୋଖରୀ କୂଳରେ ଥିବା ସ୍ଵତନ୍ତ୍ର ବେଦିକା ଉପରେ ମାର୍ଜନା କରନ୍ତି । ବିଗ୍ରହକୁ ସେବକ ବ୍ରାହ୍ମଣମାନେ ପୂର୍ବତଟ ବେଦିକା ଉପରେ ସ୍ଥାନିତ କରନ୍ତି । ସେଠାରେ ପଞ୍ଚାମୃତ ସ୍ନାନ, ସର୍ବୌଷଧି ସ୍ନାନ, ଭକ୍ତମାନଙ୍କ ମାନସିକ କ୍ଷୀର, ନଡ଼ିଆ, ଲହୁଣୀ, କର୍ପୁର, ଚନ୍ଦନ, ଘର୍ଷଣ, କୁଶଗୁଚ୍ଛରେ ମାର୍ଜନ ପରେ ସହସ୍ରପାତ୍ରରେ ସ୍ନାନ କରାଯାଏ । ନିକଟରେ ଥାଆନ୍ତି ବିଜେ ପ୍ରତିମା ମଦନମୋହନ । ଏସବୁ ମଧୁପୁର ରାଜା ସାହେବଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୁଏ । ଏହାପରେ ସୁସଜ୍ଜିତ ବିମାନରେ ପ୍ରଭୁ ନାରାୟଣ ବସି ମନ୍ଦିରକୁ ଆସନ୍ତି ଏବଂ ଆରମ୍ଭ ହୁଏ ଦ୍ଵାଦଶ ମାଧବ ଶ୍ରୀମନ ନାରାୟଣ ଗୋସାଇଁଙ୍କ ପୂଜାର୍ଚ୍ଚନା । ଜଣେ ପ୍ରତ୍ୟକ୍ଷଦର୍ଶୀ କେବଳ ଉପଲବ୍ଧି କରିପାରିବ ଏହି ସମୟର ପରିବେଶ !
~ ଶ୍ରୀମନ ନାରାୟଣ ~
କଳାମୁଗୁନି ପଥର ମୂର୍ତ୍ତି । ଅପୂର୍ବ ଠାଣି ! ଅପୂର୍ବ ଗଠନ ! ଉଚ୍ଚତା ୮୭ ସେ.ମି. (୩ ଫୁଟ ପାଖାପାଖି ) ଏବଂ ପ୍ରସ୍ତ ୪୬ ସେ.ମି. (ଦେଢ଼ ଫୁଟ) । ପଦ୍ମ ଉପରେ ବିରାଜମାନ, ଚତୁର୍ଭୁଜ । ପଛ ଦକ୍ଷିଣ ହସ୍ତରେ ପଦ୍ମ, ପଛ ବାମ ହସ୍ତରେ ଗଦା, ସମ୍ମୁଖ ଦକ୍ଷିଣ ହସ୍ତରେ ଶଙ୍ଖ, ସମ୍ମୁଖ ବାମ ହସ୍ତରେ ଚକ୍ର । ଶାନ୍ତ କମନୀୟ ମୂର୍ତ୍ତି । ମସ୍ତକରେ କିରୀଟ ମୁକୁଟ, କର୍ଣ୍ଣରେ ମକର କୁଣ୍ଡଳ, ଗଳାରେ ରତ୍ନ ହାର, ବକ୍ଷରେ ଉପବୀତ, ପାଦରେ ନୂପୁର ସହ ବାଜୁବନ୍ଧ, କଣ୍ଠଚାପ, ମେଖଳା, ଆଜାନୁଲମ୍ବିତ ମାଳା ! ମନେ ହୁଏ ନିଜେ ନାରାୟଣ ନିଜକୁ ଗଢ଼ିଛନ୍ତି ଏହି ଅପୂର୍ବ ରୂପରେ ତାଙ୍କର ଭକ୍ତ ମାନଙ୍କ ମନ ମୋହି ନେବାପାଇଁ ଯେମିତି !
~ ମନ୍ଦିର ପ୍ରବେଶ ~
ଏକ ସୁସଜ୍ଜିତ ବିମାନରେ ବସାଇ ପୂଜକମାନେ ନେଇ ଆସନ୍ତି ନାରାୟଣଙ୍କୁ ଅଦୂରରେ ଥିବା ମନ୍ଦିରକୁ । ମନ୍ଦିର ମଧ୍ୟରେ ଥିବା ଆସ୍ଥାନ (ସିଂହାସନ) ଉପରେ ବିରାଜମାନ କରନ୍ତି ପ୍ରଭୁ । ବିଧି ଅନୁଯାୟୀ ପୂଜା ପରେ ଆରମ୍ଭ ହୁଏ ବେଶ । ପ୍ରଥମ ବେଶ ଆଦିତ୍ୟ ନାରାୟଣ ବେଶ । ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ ପରେ,
୧. ମୀନ ଅବତାର — ଦ୍ଵିତୀୟ ପ୍ରହର
୨. କଚ୍ଛପ ଅବତାର — ତୃତୀୟ ପ୍ରହର
୩. ବରାହ ଅବତାର — ଚତୁର୍ଥ ପ୍ରହର
୪. ନରସିଂହ ଅବତାର — ଦ୍ଵିତୀୟ ଦିନ/ସକାଳ
୫. ବାମନ ଅବତାର — ଦ୍ଵିତୀୟ ପ୍ରହର
୬. ପର୍ଶୁରାମ ଅବତାର — ତୃତୀୟ ପ୍ରହର
୭. ଗଜ ଉଦ୍ଧାରଣ — ଚତୁର୍ଥ ପ୍ରହର
୮. ଶ୍ରୀରାମ ବନବାସ — ତୃତୀୟ ଦିନ/ସକାଳ
୯. ଶ୍ରୀକୃଷ୍ଣାବତାର — ଦ୍ଵିତୀୟ ପ୍ରହର
୧୦. ହଳଧର ବେଶ — ତୃତୀୟ ପ୍ରହର
୧୧. ତପସ୍ୱୀ ବୌଦ୍ଧ — ଚତୁର୍ଥ ପ୍ରହର
୧୨. ବୈଷ୍ଣବ ବେଶ — ଶେଷ ଦିନ/ଅତି ସକାଳୁ ଓ ପୂର୍ଣ୍ଣାହୁତି
ପ୍ରତି ବେଶ ପାଇଁ ସ୍ବତନ୍ତ୍ର ପୂଜା । ଚତୁର୍ଥ ଦିବସର ଅତି ସକାଳୁ ପୂର୍ଣ୍ଣାହୁତି ହୋଇ ଉତ୍ତର ଦ୍ଵାର ଦେଇ ଗଣେଶ ଓ ମହାକାଳୀଙ୍କୁ ଦର୍ଶନ ଦେଇ ଓ ଯଜ୍ଞମଣ୍ଡପ କଡ଼ରେ ଯାଇ ଜଳାଶୟ ମଧ୍ୟକୁ ବିଜେ କରନ୍ତି। ଶେଷ ହୁଏ ବାର ପ୍ରହରର ଲୀଳା । ପୋଖରୀ ଜଳ ମଧ୍ୟରେ ଥିବା ସିଂହାସନରେ ଶୟନ କରନ୍ତି ଆଉ ଗୋଟିଏ ବର୍ଷ ପାଇଁ । ଅଶ୍ରୁଳ ନୟନରେ ଚାହିଁ ରହିଥାନ୍ତି ଭକ୍ତଗଣ, ଆଉ ଅପେକ୍ଷା କରନ୍ତି ୩୬୧ ଦିନ ତାଙ୍କ ପ୍ରିୟ ଶ୍ରୀମନ ନାରାୟଣ ଗୋସାଇଁଙ୍କ ଦର୍ଶନ ପାଇଁ ।
~ ଯାତ୍ରା, ବିପଣୀ, ବନ୍ଧୁମିଳନ ~
ବରଷକେ ଥରେ ଆସିଛି ଯାତ ସିଙ୍ଗାପୁର । ସମଗ୍ର ଯାଜପୁର ଓ ପଡ଼ୋଶୀ ଜିଲ୍ଲା ଆନନ୍ଦମୁଖର । ନାରାୟଣଙ୍କ ଦର୍ଶନ ସହ ଆମୋଦପ୍ରମୋଦ ପାଇଁ ପ୍ରସିଦ୍ଧ ଯାତ୍ରା । ପ୍ରତ୍ୟହ ଲକ୍ଷାଧିକ ଲୋକଙ୍କ ସମାଗମ । ବନ୍ଧୁବାନ୍ଧବ ଘରେ ଘରେ ପହଞ୍ଚି ଯାଇଛନ୍ତି । ବେଶ୍ କିଣାକିଣି କରିବାକୁ ମନ । ସୁଦୂର ସ୍ଥାନମାନଙ୍କରେ ରହୁଥିବା ପ୍ରିୟ ଜନମାନଙ୍କ ଘର ବାହୁଡ଼ାପର୍ବ ସିଙ୍ଗାପୁର ଯାତ୍ରା । ସରକାରୀ ଷ୍ଟଲ ଠାରୁ ଆରମ୍ଭ କରି କେତେ ବ୍ୟବସାୟ ଓ ଲୋକ ସମାଗମ ସତେ ! ପାଞ୍ଚଦିନ ବ୍ୟାପି ଦୋକାନ ବଜାର ରହେ । ଠାକୁର ପାଣିକୁ ଯିବା ପରେ ଲୋକ ସମାଗମ ଆସ୍ତେ ଆସ୍ତେ କମିଆସେ । ପୁଣି ଗୋଟାଏ ବର୍ଷ !
ଯାଜପୁର ଜିଲ୍ଲାର ଏହି ପ୍ରସିଦ୍ଧ ପୀଠ ସାରା ଓଡ଼ିଶାରେ ଖ୍ୟାତ । ଏହାହିଁ ମଧୁକ୍ଷେତ୍ର/ମଧୁ ପୁଷ୍କରିଣୀ/ଦ୍ଵାଦଶ ମାଧବ ପୀଠ/ଶ୍ରୀମନ ନାରାୟଣ ଗୋସାଇଁଙ୍କ ଜଳ ବିଶ୍ରାମ ପୀଠ ।
‘ଅନ୍ତରଙ୍ଗ କଳିଙ୍ଗ’, ଜଗତ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପ୍ରାର୍ଥନା (ନାରାୟଣଙ୍କ ଦର୍ଶନ ବେଳେ) ସହ ଶ୍ରୀମନ ନାରାୟଣ ଗୋସାଇଁଙ୍କ ପାଦତଳେ ଓଡ଼ିଶାର ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି ।
ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟମ୍
ସତ୍ୟସ୍ୟ ୟୋନିଂ ନିହିତଂ ଚ ସତ୍ୟେ ,
ସତ୍ୟସ୍ୟ ସତ୍ୟଂ ଋତ ସତ୍ୟନେତ୍ରମ୍ ,
ସତ୍ୟାତ୍ମକଂ ତ୍ଵଂ ଶରଣଂ ପ୍ରପନାଃ ।
ଆଧାର: ପଣ୍ଡିତ ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ପ୍ରବନ୍ଧ/ଡ. ଅନ୍ତର୍ଯ୍ୟାମୀ ମିଶ୍ରଙ୍କ କଲଣ ଗ୍ରାମ ଉପରେ ପ୍ରବନ୍ଧ/ନିଜସ୍ଵ ଅନୁଭୁତି ଓ ଅଞ୍ଚଳବାସୀଙ୍କ ଲୋକକଥା ।
ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…
ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…
ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…