ଲେଖା: ନୂର ନିରଞ୍ଜନ
ଗାଙ୍ଗପୁର ରାଜ୍ୟ । ଅଧୁନା ସୁନ୍ଦରଗଡ଼ ଓ ପାନପୋଷକୁ ନେଇ ଗଠିତ ହୋଇଥିଲା ଗାଙ୍ଗପୁର ରାଜ୍ୟ। ଏହା ସେତେବେଳେ ଥିଲା ସମ୍ବଲପୁର ଅଧୀନରେ। ମାତ୍ର ୧୯୦୫ ମସିହାରେ ଏହି ରାଜ୍ୟ ଛୋଟନାଗପୁର ଅଞ୍ଚଳର ପରିସରଭୁକ୍ତ ହେଲା ଓ ଜଣେ ପଲିଟିକାଲ ଏଜେଣ୍ଟଙ୍କ ଦ୍ଵାରା ପରିଚାଳିତ ହେଲା ।
ଏହି ରାଜ୍ୟର ଅଧିକାଂଶ ଲୋକେ ଥିଲେ ଆଦିବାସୀ ସଂପ୍ରଦାୟର । ସର୍ବାଧିକ ଥିଲେ ମୁଣ୍ଡା ଓ ଓରାଓଁ । ସେମାନଙ୍କର ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ବଣ ଜଙ୍ଗଲ ଉପରେ ପ୍ରଥମରୁ ସେମାନଙ୍କ ଅଧିକାର ରହିଛି ବୋଲି ସେମାନେ ଦାବୀ କରି ଆସୁଥିଲେ ମଧ୍ୟ ସେମାନଙ୍କ ପ୍ରତି ଉଦାସୀନ ହୋଇପଡ଼ିଥିଲେ ସରକାର ଓ ରାଜ୍ୟର ରାଜା । ଅଭାବ, ଅନାଟନ ଯୋଗୁଁ ବହୁ ନିର୍ଯ୍ୟାତନା ଭୋଗ କରିବାକୁ ପଡ଼ୁଥିଲା ସେମାନଙ୍କୁ । ପୁରୁଷ ପୁରୁଷ ଧରି ସେମାନେ ଥିଲେ ଅଶିକ୍ଷିତ । ତେଣୁ ପାଟି ଫିଟାଇବା ସମ୍ଭବ ନଥିଲା ସେମାନଙ୍କ ମଧ୍ୟରେ । ଏହାର ସବୁ ରକମର ଫାଇଦା ଉଠାଉଥିଲେ ତତ୍କାଳୀନ ଇଂରେଜ ଶାସକ ତଥା ରାଜ୍ୟର ରାଜା । ସରକାର ଓ ରାଜାଙ୍କ ମଧ୍ୟରେ ସମ୍ପର୍କ ଥିଲା ମଧୁଚନ୍ଦ୍ରିକା ସଦୃଶ ।
୧୯୩୦ ମସିହାରେ ଗାଙ୍ଗପୁରର ରାଜା ପଦରେ ଅଭିଷିକ୍ତ ହେଲେ ବୀରମିତ୍ର ପ୍ରତାପଶେଖର ଦେଓ । ସେ କିନ୍ତୁ ନାବାଳକ ଥିଲେ । ତେଣୁ ଶାସନର ଦାୟିତ୍ଵ ବହନ କଲେ ରାଣୀ ଜାନକୀରତ୍ନା । ୧୯୩୮ ମସିହାରେ ପ୍ରତାପଶେଖର ଦେଓ ମୃତ୍ୟୁ ବରଣ କଲେ । ବିଧିବିଧାନ ଅନୁସାରେ ତାଙ୍କର ସାନଭାଇ ରାଜପଦରେ ଅଭିଷିକ୍ତ ହେଲେ । ସେ ମଧ୍ୟ ଥିଲେ ନାବାଳକ । ତେଣୁ ଶାସନର ଦାୟିତ୍ଵ ନେଲେ ରାଣୀ ଜାନକୀରତ୍ନା । ଏହି ରାଣୀ ପ୍ରଜାମାନଙ୍କର କଲ୍ୟାଣମୟୀ ନଥିଲେ । ପ୍ରଜା ମଙ୍ଗଳର ଉଦାସୀନ ନାରୀ ଜଣେ ଥିଲେ ସେ !
ଏସବୁ କାରଣରୁ ରାଜ୍ୟର ଶାସନ ଡୋରି ବନ୍ଧା ପଡ଼ିଥିଲା ଇଂରେଜ ସରକାରଙ୍କ ପାଖରେ। ସମ୍ବଲପୁରର ପଲିଟିକାଲ ଏଜେଣ୍ଟଙ୍କ ଦ୍ଵାରା ପରିଚାଳିତ ହେଉଥିଲା ସମଗ୍ର ଗାଙ୍ଗପୁର । ସେତେବେଳେ ଏଜେଣ୍ଟ ଥାଆନ୍ତି କର୍ଣ୍ଣେଲ ଜି.ପି.ମରଫି । ରାଜାଙ୍କୁ ଶାସନ କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ସେ ପୋଲିସ ଫଉଜ ଓ ସୈନ୍ୟସାମନ୍ତ ପ୍ରେରଣର ଦାୟିତ୍ଵ ନେଉଥିଲେ । ମୋଟ ଉପରେ କହିବାକୁ ଗଲେ ରାଜ୍ୟର ଶାସନ ଦୁଇଟି ସ୍ଵତନ୍ତ୍ର ବ୍ୟବସ୍ଥା ଦ୍ବାରା ନିୟନ୍ତ୍ରିତ ହେଉଥିଲା । ଗୋଟିଏ ପାଖରେ ଅତ୍ୟନ୍ତ ଚତୁର ଇଂରେଜ ସରକାର ଓ ଅନ୍ୟ ପକ୍ଷରେ ରାଣୀ ଜାନକୀରତ୍ନାଙ୍କର ଅଧସ୍ତନ କାନକୁହା କର୍ମଚାରୀଗଣ । ଏଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ଅଭାବ ଦେଖା ଦେଉଥିଲା । ଶାସକଙ୍କର ଅତ୍ୟାଚାର ବିରୁଦ୍ଧରେ ରାଜ୍ୟର ପ୍ରଜାମାନେ ଇଂରେଜ ସରକାରଙ୍କ ପାଖରେ ଗୁହାରି କଲେ ମଧ୍ୟ, ଅତି ଚତୁରତାର ସହ ସରକାର ଏଥିରୁ ଦୂରେଇ ରହୁଥିଲେ ।
କ୍ରମଶଃ ଅସନ୍ତୋଷ ବଢିବାରେ ଲାଗିଥିଲା । ଏହି ଅସନ୍ତୋଷ ପରବର୍ତ୍ତୀ ସମୟରେ ଆନ୍ଦୋଳନର ରୂପ ନେଇଥିଲା । ଗାଙ୍ଗପୁରର ଏହି ଚରମ ବିପର୍ଯ୍ୟୟ ସମୟରେ ଜଣେ ସ୍ଵାଧୀନଚେତା ମଣିଷଙ୍କର ଆବିର୍ଭାବ ହେଲା । ସେ ଅଗଣିତ ବନବାସୀ, ମୁଣ୍ଡା ଓ ଓରାଓଁ ମାନଙ୍କର ନେତୃତ୍ଵ ନେଲେ । ଯେଉଁ ଆଦିବାସୀ ମାନଙ୍କର ପ୍ରତିବାଦ ପାଇଁ ଭାଷା ନଥିଲା ଓ ପ୍ରତିରୋଧ ପାଇଁ ଶକ୍ତି ନଥିଲା ସେହି ଆଦିବାସୀ ସମ୍ପ୍ରଦାୟର ସମସ୍ତେ ଏକାଠି ହେଲେ ସେହି ମହାନ୍ ଯୁବକଙ୍କ ନେତୃତ୍ୱରେ। ସେହି ମହାନ୍ ଯୁବକ ଥିଲେ ନିର୍ମଳ ମୁଣ୍ଡା
ନିର୍ମଳ ମୁଣ୍ଡା ନେତୃତ୍ଵ ନେଇଥିଲେ ଖଜଣା ବିରୋଧୀ ଆନ୍ଦୋଳନର । ଏହାର ଅନ୍ତରାଳରେ ଥିଲା ରାଜ୍ୟର ଭୂବନ୍ଦୋବସ୍ତ । ସ୍ମରଣାତୀତ କାଳରୁ ଗାଙ୍ଗପୁର ରାଜ୍ୟରେ ଖୁଣ୍ଟିକଟା ପ୍ରଥା ପ୍ରଚଳିତ ଥିଲା । ଏହି ପ୍ରଥା ଅନୁଯାୟୀ ଆଦିବାସୀମାନେ ଜଙ୍ଗଲ ସଫାକରି ଜମିକୁ ଚାଷୋପଯୋଗୀ କରାଉଥିଲେ । ସେତେବେଳେ ସେମାନଙ୍କୁ କର ଦେବାକୁ ପଡୁ ନଥିଲା । ମାତ୍ର ୧୯୨୩, ୧୯୨୭ ଓ ୧୯୩୨ ରେ ନୂଆ ବନ୍ଦୋବସ୍ତ କରାଇ ସେହି ଜମି ଗୁଡିକ ଉପରେ ଟିକସ ଧାର୍ଯ୍ୟ କରାଯାଇଥିଲା । ପୁଣି ଅଧିକ କର ମଧ୍ୟ ବସାଗଲା । ଏହି ଭୂବନ୍ଦୋବସ୍ତ ବିରୋଧରେ ମୁଣ୍ଡାମାନେ ପଲିଟିକାଲ ଏଜେଣ୍ଟଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ତାହା ଫଳପ୍ରଦ ହୋଇପାରିଲା ନାହିଁ । ତେଣୁ ଆନ୍ଦୋଳନ ଏକ ମାତ୍ର ପନ୍ଥା ଥିଲା ‌‌। ଏହି ଖଜଣା ବିରୋଧୀ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ନିର୍ମଳ ମୁଣ୍ଡା
ଠିକ୍ ଏହି ସମୟରେ ଓଡ଼ିଶାର ବିଭିନ୍ନ ରାଜ୍ୟରେ ପ୍ରଜାମଣ୍ଡଳ ଗଠନ କରା ଯାଉଥାଏ। ଗାଙ୍ଗପୁରରେ ପ୍ରଜାମଣ୍ଡଳ ଗଠନ କରିବା ପାଇଁ ଧନଞ୍ଜୟ ମହାନ୍ତି ନାମକ ଜଣେ ବ୍ୟକ୍ତି ନିର୍ମଳ ମୁଣ୍ଡାଙ୍କୁ ଅନୁରୋଧ କରିଥିଲେ । ମାତ୍ର ସେ ରାଜି ହୋଇନଥିଲେ । ଆଦିବାସୀମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପୂର୍ବରୁ ଅନ୍ୟ କୋଣସି ସଂସ୍ଥା ବା ଅନୁଷ୍ଠାନ ସହ ଜଡ଼ିତ ହେବେ ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ ।
ଆଦିବାସୀମାନେ ନିର୍ମଳ ମୁଣ୍ଡାଙ୍କୁ ନିଜର ନେତା ବୋଲି ଗ୍ରହଣ କରି ଆନ୍ଦୋଳନ କରିବା ପାଇଁ ଶପଥ କରିଥିଲେ । ଏହି କ୍ରମରେ ୧୯୩୯ ମସିହାରେ ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱରେ ଗାଙ୍ଗପୁର ରାଜ୍ୟରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଏହାକୁ ଆୟତ୍ତ କରିବାର ଶକ୍ତି ନଥିଲା ରାଜ ପରିବାରର ।
ଅପରପକ୍ଷରେ ମାର୍ଚ୍ଚ ମାସ ତିରିଶ ତାରିଖ ଦିନ ନିର୍ମଳ ମୁଣ୍ଡାଙ୍କ ବହୁସଂଖ୍ୟକ ସମର୍ଥକ ତାଙ୍କୁ ଆଦିବାସୀ ସମ୍ପ୍ରଦାୟର ରାଜା ବୋଲି ଘୋଷଣା କଲେ ଓ ବାଜା ବଜାଇ ଏକ ବିରାଟ ପଟୁଆରରେ ରାଜ୍ୟ ସାରା ବୁଲାଇଲେ । ଏହି ଖବର ପ୍ରଚାରିତ ହୋଇଗଲା ସମ୍ବଲପୁର ପର୍ଯ୍ୟନ୍ତ ।
୧୯୩୯ ମସିହା ଅପ୍ରେଲ ମାସ ୨୫ ତାରିଖ ଦିନ ନିର୍ମଳ ମୁଣ୍ଡାଙ୍କ ନିକଟରେ ଖବର ପହଞ୍ଚିଲା ଯେ, ସିମକୋ ଗାଆଁର (ନିର୍ମଳ ମୁଣ୍ଡାଙ୍କ ଘର) ପଡ଼ିଆରେ ଆୟୋଜିତ ହେବ ରାଜଦରବାରର ପ୍ରତିନିଧି ଓ ଇଂରେଜ ସରକାରଙ୍କ ସାହେବ ମାନଙ୍କର ଏକ ମିଳିତ ବୈଠକ । ନିର୍ମଳ ମୁଣ୍ଡା ତାଙ୍କ ଭାଇଙ୍କ ନିକଟକୁ ଗୋପନରେ ଖବର ଦେଇଥିଲେ ଯେ ସବୁ ଗ୍ରାମବାସୀ ସେଦିନ ସେହି ପଡ଼ିଆରେ ଧନୁଶର, କୁରାଢି, ଲାଠି ଓ ଅନ୍ୟ ଅସ୍ତ୍ରଶସ୍ତ୍ର ସହିତ ଯେପରି ସେଠାକୁ ଆସନ୍ତି, ତାହା ସେମାନେ ଦେଖିବେ ।
୨୫ ତାରିଖ ସକାଳ ହେଲା । ଭୋର୍ ବେଳେ ଦେଖାଗଲା ଯେ, ଆଖପାଖ ଅଞ୍ଚଳରୁ ଲୋକମାନେ ସିମକୋ ଗାଆଁ ଆଡ଼କୁ ଆଗେଇ ଚାଲିଛନ୍ତି । ପ୍ରାୟ ସାତଶହ ମୁଣ୍ଡା ହାତରେ ତୀର, କୁରାଢି, ଲାଠି ଧରି ନିର୍ମଳ ମୁଣ୍ଡାଙ୍କ ଘରକୁ ଜଗି ରହିଛନ୍ତି । ଏହି ସମୟରେ ପଲିଟିକାଲ ଏଜେଣ୍ଟଙ୍କ ସହ ଏକ ସଶସ୍ତ୍ର ବାହିନୀ ସେଠାରେ ଏକତ୍ରିତ ହୋଇ ଲଢେଇ ପାଇଁ ଅପେକ୍ଷା କରିଛନ୍ତି ।
ପଲିଟିକାଲ ଏଜେଣ୍ଟ ଜଗି ରହିଥିବା ମୁଣ୍ଡାମାନଙ୍କ ମଧ୍ୟରୁ ଚାରି ପାଞ୍ଚ ଜଣଙ୍କୁ ନିକଟକୁ ଡାକି ଚାବୁକ୍ ମାରି ପଚାରିଲେ “ତୁମ ଭିତରୁ ନିର୍ମଳ ମୁଣ୍ଡା କିଏ ? ଆମେ କେବଳ ତାକୁ ନେଇ ଫେରିଯିବୁ ।” ଏହା ଶୁଣି ସମସ୍ତେ ଏକ ସ୍ଵରରେ କହିଉଠିଲେ, “ମୁଁ ନିର୍ମଳ ମୁଣ୍ଡା , ମୁଁ ନିର୍ମଳ ମୁଣ୍ଡା, ମୁଁ ନିର୍ମଳ ମୁଣ୍ଡା ।” ପରେ ପରେ ଦୁଇ ତିନି ଜଣ ମୁଣ୍ଡା ପୋଲିସ ମାନଙ୍କୁ ଘେରିଯାଇ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଉପରେ ଲାଠି ପ୍ରହାର ଆରମ୍ଭ କରିଥିଲେ ।
ଏହି ସମୟରେ ଲେଫ୍ଟନାଣ୍ଟ ମାଗୋର ଏକ ନୂଆ ଚାଳଘର ଦେଖି ଓ ଏହା ନିର୍ମଳ ମୁଣ୍ଡାଙ୍କ ଘର ହୋଇ ପାରେ ବୋଲି ଭାବି ସେହି ଘରକୁ ପଶିଗଲେ । ବାଟରେ ଖଣ୍ଡେ ବାଉଁଶର ଅଗ୍ରଭାଗ ବାଜି ସେ ପିନ୍ଧିଥିବା ଟୋପି ଚିରି ଗଲା ଓ କପାଳରେ କ୍ଷତ ହୋଇ ରକ୍ତ ବୋହିଗଲା । ତାଙ୍କର ଏ ଅବସ୍ଥା ଦେଖି ଅନ୍ୟ ପୋଲିସ ମାନେ ଭାବିନେଲେ ଯେ, ତାଙ୍କୁ କେହି ପିଟି ଦେଇଛି, ତାଙ୍କର ଜୀବନ ସଙ୍କଟାପନ୍ନ । ସେହି ପୋଲିସ ମାନଙ୍କୁ ଏକାଠି ହେବା ପାଇଁ ଆସିଷ୍ଟାଣ୍ଟ ପଲିଟିକାଲ ଏଜେଣ୍ଟ ହୁଇସିଲ୍ ମାରିଥିଲେ । ଏହା ଗୁଳି ଚଳାଇବା ପାଇଁ ସଙ୍କେତ ନଥିଲା । କିନ୍ତୁ ପୋଲିସ ବାହିନୀ ଏହାକୁ ଗୁଳି ଚଳାଇବା ପାଇଁ ସଙ୍କେତ ଭାବି ଉପସ୍ଥିତ ଜନତାଙ୍କ ଉପରେ ଗୁଳିମାଡ଼ ଆରମ୍ଭ କରିଦେଲେ । ସଭାସ୍ଥଳୀର ତିନି ପାଖରୁ ତିନି ଚାରି ମିନିଟ ଧରି ଅବିଶ୍ରାନ୍ତ ଭାବରେ ଗୁଳି ବର୍ଷଣ ହୋଇଥିଲା । ଫଳରେ ସରକାରୀ ହିସାବ ଅନୁଯାୟୀ ୨୮ ଜଣ ମୃତ ଓ ୨୮ ଜଣ ଗୁରୁତର ଆହତ ହୋଇଥିଲେ । କିନ୍ତୁ ପ୍ରକୃତରେ ଏହା ଠାରୁ ଆହୁରି ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ବଞ୍ଚି ଯାଇଥିବା ନିର୍ମଳ ମୁଣ୍ଡାଙ୍କ ବୟାନ ଅନୁସାରେ ଏହି ଘଟଣାରେ ୪୨ ଜଣ ମୃତ ଓ ୮୨ ଜଣ ଆହତ ହୋଇଥିଲେ ।
ଏହି ଘଟଣା ପରେ ପରେ ପୋଲିସ ବାହିନୀ ପକ୍ଷରୁ ମୃତ ଲୋକମାନଙ୍କ ଶବକୁ ପାଲରେ ଗୁଡ଼ାଇ ତତକ୍ଷଣାତ୍ #ବୀରମିତ୍ରପୁରକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ସେଠାରେ ବିଶ୍ରା କମ୍ପାନୀର ଚୂନ ଭାଟିରେ ପକାଇ ସଙ୍ଗେ ସଙ୍ଗେ ଭସ୍ମ କରି ଦିଆଯାଇଥିଲା । ତେଣୁ ସଠିକ ଭାବେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟାର ବାସ୍ତବ ଚିତ୍ର ଏ ଯାବତ ଲୁଚି ରହିଗଲା ।
ନିର୍ମଳ ମୁଣ୍ଡା ପୋଲିସ ହାତରେ ବନ୍ଦୀ ହେଲେ ଓ ଆଜୀବନ କାରାଦଣ୍ଡ ଆଦେଶ ପାଇଲେ । ସେହି ମହାନ୍ ଯୁବକଙ୍କ ମୃତ୍ୟୁ କାରାବରଣ କାଳରେ ହୋଇଥିଲା । ଗାଙ୍ଗପୁର ରାଜ୍ୟ ପାଇଁ ସେହି ୧୯୩୯ ମସିହା ଅପ୍ରେଲ ମାସ ପଚିଶ ତାରିଖ ଥିଲା ଏକ ଅଭିଶପ୍ତ ଦିବସ ଓ ଜଣେ ମହାନାୟକର ଯୁଦ୍ଧ ଯାତ୍ରାର ଶେଷଦିନ ।
ଲୋକ ଲୋଚନକୁ ଆସିପାରି ନାହାନ୍ତି ଆମର ଏହି ଜନନେତା ଏ ପର୍ଯ୍ୟନ୍ତ । ତେବେ ଇଂରେଜ ଶାସନ ଓ ରାଜତନ୍ତ୍ର ବିରୋଧରେ ନିର୍ମଳ ମୁଣ୍ଡାଙ୍କ କାର୍ଯ୍ୟ ତାଙ୍କୁ ଆଜି ଯଶୋଦେହେ ଆୟୁଷ୍ମାନ କରି ରଖିଛି ଆମର ଏଇ ଭୂଖଣ୍ଡରେ । ସେହି ମହାନ୍ ଉତ୍କଳ ପୁଅ ପାଇଁ ‘ଅନ୍ତରଙ୍ଗ କଳିଙ୍ଗ’ର ଭକ୍ତିପୂତ ପ୍ରଣାମ।
(ଆଧାର: ‘ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ’ ପୁସ୍ତକ, ଡଃ ଜଗନ୍ନାଥ ପଟ୍ଟନାୟକ)
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

3 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago