~ ନାଭିଗୟା ଓ ବ୍ରହ୍ମାକୁଣ୍ଡ ~
ଲେଖା: ଶ୍ରୀକାନ୍ତ ସିଂହ
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ବିଗ୍ରହକୁ ଅନୁଧ୍ୟାନ କରି ଐତିହାସିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାଙ୍କୁ ଗୁପ୍ତଯୁଗୀୟ କଳାକୃତି ବୋଲି ମତ ଦିଅନ୍ତି। ଏହି ପବିତ୍ର କ୍ଷେତ୍ର, ବିରଜା କ୍ଷେତ୍ର, ଗଦାକ୍ଷେତ୍ର, ନାଭିଗୟା କ୍ଷେତ୍ର, ହରିହର କ୍ଷେତ୍ର, ବୈତରଣୀ ତୀର୍ଥ, ଯଜ୍ଞପୁର ବା ଯାଜପୁର ନାମରେ ଇତିହାସ ପ୍ରସିଦ୍ଧ ହୋଇପାରିଛି। ବିଭିନ୍ନ ଧର୍ମୀୟ ଚିନ୍ତା ଓ ଚେତନାର ଅପୂର୍ଵ ସମନ୍ୱୟ ଘଟିଛି ଏହି ପବିତ୍ର ମାଟିରେ।
ସମୟ କ୍ରମେ ଏହି ମାଟିରେ ବିଭିନ୍ନ ଧର୍ମଧାରା ଓ ବିଭିନ୍ନ ସମ୍ପ୍ରଦାୟର କ୍ରମ ବିକାଶରେ ବିଭିନ୍ନ ଦେବଦେବୀଙ୍କ ମନ୍ଦିର ତଥା ତୀର୍ଥ, ପୁଷ୍କରିଣୀ, କୁଣ୍ଡ ଓ ସ୍ତମ୍ଭ ଆଦି ଧର୍ମ ଆଧାରିତ କୀର୍ତ୍ତିରାଜିମାନ ନିର୍ମାଣ ହୋଇଛି। ପୁରାଣ ପ୍ରସିଦ୍ଧ ଏହି ଯଜ୍ଞପୁର ବା ଯାଜପୁରରେ ଏକ ପବିତ୍ର କୁଣ୍ଡ ରହିଛି, ଯାହାକି “ବ୍ରହ୍ମାକୁଣ୍ଡ” ନାମରେ ପ୍ରସିଦ୍ଧ। ବ୍ରହ୍ମାଙ୍କ ଦ୍ୱାରା ଯଜ୍ଞ ସମାପନାର୍ଥେ ଏହି କୁଣ୍ଡ ସୃଷ୍ଟି ହୋଇଥିବାରୁ ଏହା ବ୍ରହ୍ମାକୁଣ୍ଡ ନାମରେ ପରିଚିତ। ପସ୍ତର ନିର୍ମିତ ଏହି ଆୟତାକାର ଜଳାଶୟଟି କୁଣ୍ଡତୀର୍ଥ ନାମରେ ମଧ୍ୟ ପରିଚିତ।
ବ୍ରହ୍ମାକୁଣ୍ଡ ସମ୍ପର୍କରେ ପ୍ରଣିଧାନ୍ୟଯୋଗ୍ୟ ଏକ ପୌରାଣିକ ତଥ୍ୟ ହେଲା –
“କ୍ରୋଡ଼କ୍ରୋଶେ ଚ ବିରଜାଦେବୀ ବ୍ରହ୍ମପ୍ରତିଷ୍ଠିତା,
ତତ୍ ସନ୍ନିଧୌ ବ୍ରହ୍ମକୁଣ୍ଡ° ବ୍ରହ୍ମଣା ସୁପ୍ରତିଷ୍ଠିତମ୍।”
କ୍ରୋଡ଼ ଅର୍ଥାତ ବରାହଙ୍କଠାରୁ ଏକ କୋଶ ଦୂରରେ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠିତା ବିରଜାଦେବୀ ବିଦ୍ୟମାନ ଏବଂ ବିରଜାଦେବୀଙ୍କ ବେଢ଼ାର ପଶ୍ଚାତ ଭାଗରେ ବ୍ରହ୍ମାଙ୍କ ଦ୍ୱାରା ବ୍ରହ୍ମାକୁଣ୍ଡ ପ୍ରତିଷ୍ଠା ହୋଇଛି।
ଏହି ବ୍ରହ୍ମାକୁଣ୍ଡ ଦେଖିବାକୁ ଏକ ଆୟତ ଘନାକାର କୁଣ୍ଡ, ଯାହାକି ପଥର ପାବଛ ଓ ପଥର କାନ୍ଥ ଦ୍ୱାରା ପରିବେଷ୍ଠିତ। ଏହାର ଐଶାନ୍ୟ କୋଣରେ ବ୍ରହ୍ମେଶ୍ୱର ମହାଦେବ ତଥା ପାବଛର ବାମ ପାର୍ଶ୍ୱରେ ନାରାୟଣ ଏବଂ ଦକ୍ଷିଣ ପାର୍ଶ୍ୱରେ ଗଣେଶ ମୂର୍ତ୍ତି ଦୃଷ୍ଟିଗୋଚର ହୁଅନ୍ତି। ଭିତର ପାର୍ଶ୍ଵ ପ୍ରାଚେରୀ ଗାତ୍ରରେ ମଧ୍ୟ କାରୁକାର୍ଯ୍ୟପୂର୍ଣ୍ଣ ଦେବଦେବୀଙ୍କ ପ୍ରତିମା ଆଦି ଦେଖିବାକୁ ମିଳେ।
ପୌରାଣିକ କଥାବସ୍ତୁ ଅନୁଯାୟୀ, ଦ୍ୱାପର ଯୁଗରେ ଗୟାସୁର ନାମରେ ଜଣେ ପରମ ଧାର୍ମିକ, ଶାନ୍ତ, ସିଷ୍ଟ, ଉଦାର ଗୁଣ ବିଶିଷ୍ଟ ରାଜା ଥିଲେ। ତାଙ୍କ ପୁଣ୍ୟବଳ ଏତେ ଅଧିକ ଥିଲା ଯେ ତାଙ୍କ ଦର୍ଶନ ମାତ୍ରକେ, ପାପୀ ମଧ୍ୟ ପୂନ୍ୟବାନ ହୋଇ ମୃତ୍ୟୁପରେ ସ୍ୱର୍ଗ ଯାତ୍ରା କରୁଥିଲେ। ତାଙ୍କୁ ଯୁଦ୍ଧରେ କୌଣସି ଦେବତା ପରାସ୍ତ କରିବା ସମ୍ଭବପର ନଥିଲା। ଏଣୁ ଦେବରାଜ ଇନ୍ଦ୍ର ସନ୍ଦିଗ୍ଧଚିତ୍ତ ହୋଇ ମହା ଚିନ୍ତାରେ ପଡିଲେ, ଯେ ପୁଣ୍ୟବଳରେ ଗୟାସୁର ଇନ୍ଦ୍ରାପଦ ମଧ୍ୟ ଲାଭ କରିପାରେ। ଏଣୁ ସେ ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କୁ ନିଜ ମାନସିକ ଦୁଃଖ ବିଷୟରେ ଜଣାଇଲେ।
ବେଦପତି ବ୍ରହ୍ମା ଗୟାସୁରର ରାଜଧାନୀ ଏହି ଯାଜପୁରରେ ଏକ ଶାନ୍ତି ଯଜ୍ଞର ଆୟୋଜନ କଲେ। ମାତ୍ର ଯଜ୍ଞର ଅଗ୍ନିକୁ କୌଣସି ପ୍ରକାରେ ଶାନ୍ତ କରାଯାଇ ପାରିଲା ନାହିଁ। ଚିନ୍ତିତ ବ୍ରହ୍ମା ଗୟାସୁରକୁ ସମ୍ବୋଧନ କରି କହିଲେ, “ତୁମେ ଧାର୍ମିକ, ପୂନ୍ୟବାନ, ଯଶସ୍ବୀ। ତୁମ ରକ୍ତରେ ସହସ୍ରବାର ଆହୁତି ଦେଲେ ଯଜ୍ଞର ଅଗ୍ନି ଶାନ୍ତ ହେବ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ।ଜଗତର କଲ୍ୟାଣ ପାଇଁ ତୁମେ କଣ ଆତ୍ମ ବଳିଦାନ କରିପାରିବ।”
ବ୍ରହ୍ମାଙ୍କ ଏହି ଆହ୍ୱାନରେ ଆନନ୍ଦିତ ହୋଇ ଗୟାସୁର କହିଲା, “ହେ ବିଧାତା ଏହା ମୋ ପାଇଁ ପରମ ସୌଭାଗ୍ୟର କଥା ଓ ମୋର ସୁକୃତିର ଫଳ। ଯଦି ଏପରି ମହତ କାର୍ଯ୍ୟରେ ଆତ୍ମଦାନ ନ କରିବି ତେବେ ମୋର ଜୀବନ ସାର୍ଥକ ହେବନାହିଁ।” ଏହାକହି, ଗୟାସୁର ବ୍ରହ୍ମାଙ୍କ ଯଜ୍ଞକୁଣ୍ଡ ନିକଟରେ ଉର୍ଦ୍ଧ୍ଵମୁଖ ହୋଇ ଶୋଇ ରହିଲେ। ଗୟାସୁରର ନାଭି ଯଜ୍ଞକୁଣ୍ଡର ମଧ୍ୟ ଭାଗରେ, ତା’ର ଶିର ଭାଗ ଗୟାରେ ଏବଂ ପାଦ ମହେନ୍ଦ୍ର ପର୍ବତ ନିକଟ ଏକ ପର୍ବତରେ ରହିଲା।
ବ୍ରହ୍ମା ଗୟାସୁରର ରକ୍ତରେ ସହସ୍ରବାର ଆହୁତି ଦେଇ, ଅନୁଷ୍ଠିତ ଯଜ୍ଞର ଅଗ୍ନିକୁ ଶାନ୍ତ କଲେ ଏବଂ ଯଜ୍ଞ ଉଦଯାପିତ ହେଲା । ବ୍ରହ୍ମା ସେଇ ଯଜ୍ଞକୁଣ୍ଡରେ ଜଳପୂର୍ଣ୍ଣ କରିଦେବାରୁ ବ୍ୟବହୃତ ଘୃତବିନ୍ଦୁ ସବୁ ଜଳର ଉପର ସ୍ତରକୁ ଭାସି ଆସିଲା। ଆଉ ସେହି ଯଜ୍ଞକୁଣ୍ଡ ହିଁ ବର୍ତ୍ତମାନର ବ୍ରହ୍ମାକୁଣ୍ଡ। ଯାହାକି ବ୍ରହ୍ମତୀର୍ଥ ବା କୁଣ୍ଡତୀର୍ଥ ନାମରେ ମଧ୍ୟ ସୁପରିଚିତ। ଆଶ୍ଚର୍ଯ୍ୟର କଥା ଯଜ୍ଞ ସମାପନ ପରେ ବି ଗୟାସୁରର ମୃତ୍ୟୁ ହେଲା ନାହିଁ। ଏଣୁ ବ୍ରହ୍ମା କହିଲେ, “ହେ ପୁଣ୍ୟବନ୍ତ ରାଜା, ତୁମେ ସୁପ୍ତ ଅବସ୍ଥାରେ ରହି ଯଜ୍ଞର ଅଗ୍ନିକୁ ଶାନ୍ତ କରିଛ। ହେଲେ ତୁମେ ଯଦି ଦଣ୍ଡାୟମାନ ହୁଅ ତେବେ ପୃଥିବୀରେ ଅଗ୍ନି ସଞ୍ଚାରି ଯିବ। ତୁମ କ୍ଷୁଧା ନିବାରଣ ପାଇଁ ମୁଁ ସ୍ୱୟଂ ବିଧାନ କରିବି। ମର୍ତ୍ତ୍ୟବାସୀମାନେ ଆଜିଠାରୁ ତୁମର ମୁଖ, ନାଭି ଓ ପାଦରେ ଅନ୍ନଦାନ କରିବେ, ଏବଂ ସେହି ଅନ୍ନ ହେବ ତୁମର ଖାଦ୍ୟ ଆହାର। ମନୁଷ୍ୟ ଜାତିର ପିତୃପୁରୁଷମାନେ ତୁମର ଶରୀରରେ ରହିବେ ଏବଂ ତୁମର ସନ୍ତୋଷରେ ସେମାନେ ସନୁଷ୍ଟ ହେବେ, ଆଉ ଜଗତର କଲ୍ୟାଣ ହେବ।” ବେଦପତି ବ୍ରହ୍ମାଙ୍କ ଏତାଦୃଶ ବାକ୍ୟ ଶ୍ରବଣାନ୍ତେ ଗୟାସୁରର ସମସ୍ତ ଶରୀର ମାଟିରେ ଲୀନ ହୋଇଗଲା। ଗୟାସୁରର କେବଳ ମୁଖ, ନାଭି ଓ ପାଦ ଦୃଶ୍ୟମାନ ହୋଇ ଭାରତବର୍ଷର ତିନୋଟି ସ୍ଥାନରେ ଗୟାକ୍ଷେତ୍ର ସୃଷ୍ଟି ହେଲା।
ଗୟାୟା° ବିରଜେ ଚୈବ ମାହେନ୍ଦ୍ର ଜାହ୍ନବୀ ତଟେ
ଅତ୍ର ପିଣ୍ଡ ପ୍ରଦାଯାନ୍ତି ବ୍ରହ୍ମ ଲୋକ ମନାମାୟାମ୍ ।।
ପରମ୍ପରା ଅନୁଯାୟୀ ତୀର୍ଥଯାତ୍ରୀମାନେ ଏହି ବ୍ରହ୍ମାକୁଣ୍ଡର ଜଳକୁ ମଥାରେ ସିଞ୍ଚନ କରି ଦେବୀ ବିରଜାଙ୍କୁ ଦର୍ଶନ କରିଥାନ୍ତି ଏବଂ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି। ପୌରାଣିକ ତଥା ଧାର୍ମିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଥିବା ଏହି ବ୍ରହ୍ମାକୁଣ୍ଡ ଏବେ କିନ୍ତୁ ଯତ୍ନ ଅଭାବରୁ ଉପେକ୍ଷିତ ଓ ଅବହେଳିତ ହୋଇ ସମ୍ପ୍ରତି ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାର ରକ୍ଷଣାବେକ୍ଷଣ ଦିଗରେ ବିଶେଷ ଯତ୍ନର ଆବଶ୍ୟକତା ରହିଛି।
ତଥ୍ୟ ସହାୟତା: କେଶବ ଚନ୍ଦ୍ର ରଣାଙ୍କ “ସ୍ୱୀକୃତି ଓ ବିସ୍ମୃତିର ଅନ୍ତରାଳେ ବ୍ରହ୍ମାକୁଣ୍ଡ”

Srikanta Singh

Nabhigaya Brahmakunda Jajapur, Biraja Kshetra

Baitarani Maa Biraja Brahma Gayasura

Dr. KrushnaChandra Panigrahi

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago