~ ଝୁଲଣ ଯାତ୍ରା ~
ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି
ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି। “ଆଷାଢେ ଗୁଣ୍ଡିଚା ଯାତ୍ରା ଶ୍ରାବଣେ କୁଞ୍ଜମନ୍ଦିରମ୍।” ତ୍ରୟୋଦଶ ଯାତ୍ରା ମଧ୍ୟରେ ଝୁଲଣ ଯାତ୍ରା ଅନ୍ତର୍ଭୁକ୍ତ ନ ହେଲେ ମଧ୍ୟ ଉପଯାତ୍ରାମାନଙ୍କ ମଧ୍ୟରେ ଏହା ଏକ ପ୍ରମୁଖ ଯାତ୍ରା ଅଟେ। ଏହି ଯାତ୍ରା ସାତଦିନ ବ୍ୟାପୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ମନ୍ଦିର, ଆଶ୍ରମ ଓ ବ୍ୟକ୍ତିବିଶେଷଙ୍କ ଗୃହ ରେ ଅନୁଷ୍ଠିତ ହୋଇଥାଏ।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପୂଜା ବଢିବା ପରେ ଶ୍ରୀଜୀଉଙ୍କର ମଇଲମ ହୋଇ ସର୍ବାଙ୍ଗ ଚନ୍ଦନଲାଗି ବଢିଲେ ଝୁଲଣ ସନ୍ଧ୍ୟା ଆଳତି ବେଶ ଅନୁଷ୍ଠିତ ହୋଇଥାଏ। ରତ୍ନସିଂହାସନରୁ ଶ୍ରୀଦେବୀ, ଭୂଦେବୀ ଦକ୍ଷିଣୀଘରକୁ ବିଜେ ହେବା ପରେ ସେଠାରେ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଆନ୍ତି, ଏହାପରେ ମାଣ୍ଡୁଅ ଭୋଗ ଓ ଦକ୍ଷିଣୀ ଘର ଭୋଗ ବଢିଲେ ଭିତରକୁ ବିଜେ ହୋଇ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥାଏ। ତତ୍ପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀ ମଦନମୋହନ ଝୁଲଣ ମଣ୍ଡପକୁ ବିଜେ କରିଥାଆନ୍ତି। ଶ୍ରୀଜୀଉଙ୍କ ସନ୍ଧ୍ୟା ଧୂପ ପୂଜା ବଢ଼ି ଚନ୍ଦନଲାଗି ପାଇଁ ମଇଲମ ହୋଇସାରିଲେ ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀ ମଦନମୋହନ ଝୁଲଣ ମଣ୍ଡପରୁ ବାହୁଡା଼ ବିଜେ କରିଥାଆନ୍ତି। ଏହିଭଳି ଭାବରେ ଶ୍ରୀମନ୍ଦିରରେ ସପ୍ତ ଦିବସ ବ୍ୟାପୀ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଶ୍ରୀମନ୍ଦିର ବେହେରଣ ଦ୍ୱାର ସମ୍ମୁଖରେ ଥିବା ମୁକ୍ତିମଣ୍ଡପ ରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ଝୁଲଣ ମଣ୍ଡପ କୁହାଯାଇଥାଏ।
ଝୁଲଣ କୁଞ୍ଜ ର ଶାସ୍ତ୍ରୀୟ ଅଙ୍ଗ ମଧ୍ୟରେ ପାଦ, ହଂସପଟି, ଦ୍ୱାରପାଳ, କାନୁସଘର, ବାହାଦୁର ପଟି, ସଖିବନ୍ଧ (ଅଳସା ଓ ମାନ ସଖି), ମଗରପଟି, ବାଙ୍କପଟି, କଦମ୍ବ ବେଢ଼ ବା ସେବତୀ, ପକ୍ଷୀ ବନ୍ଧ (ମୟୂର, ଶାରୀ, କପୋତି, ପାରା, ହଳଦୀବସନ୍ତ) ପ୍ରଭୃତି ଖଞ୍ଜା ହୋଇଥାଏ। ରାହସ ମଣ୍ଡପ ଘର, କଦମ୍ବ ବେଢ଼, ଚାଳ, ଓଲଟଶୁଆ, ଚୂଳ, କଳସ ଆଦି ଅନ୍ତର୍ଭୁକ୍ତ। ଝୁଲଣର ଦୁଇ ପାର୍ଶ୍ୱରେ ଦୁଇଟି ବଡ଼ ବଡ଼ ମୂର୍ତ୍ତି ଗଦା ଧରି ଗଦା ଯୁଦ୍ଧ କରିବା ନିମନ୍ତେ ଅଗ୍ରସର ହେବାର ଶୈଳୀରେ ରହିଥାଆନ୍ତି,ଏମାନଙ୍କୁ କେହି କେହି ଭୀମ ଓ ଦୁର୍ଯ୍ୟୋଧନ/ ଦୁଃଶାସନ ବୋଲି ସମ୍ବୋଧନ କରିଥାନ୍ତି। ଅନେକ ସ୍ଥାନରେ ଝୁଲଣର ଉଭୟ ପାର୍ଶ୍ୱରେ ମା ଯଶୋଦା କୃଷ୍ଣ ବଳରାମଙ୍କୁ ଓ ମା’ ରୋହିଣୀ ବଳରାମ କୃଷ୍ଣଙ୍କୁ ଧରିଥିବାର ଦୃଶ୍ୟ ଦେଖିବାକୁ ମିଳେ। ପୁରୀର ପାରମ୍ପରିକ ସୋଲ, ଜରି କାରିଗର ମାନଙ୍କ ଦ୍ଵାରା ଝୁଲଣ କୁଞ୍ଜ ଓ ସେଥିରେ ଥିବା ସମସ୍ତ ସାଜସଜ୍ଜା ତିଆରି କରିଥାଆନ୍ତି।
ସମସ୍ତ ସ୍ଥାନରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ ସପ୍ତ ଦିବସ ବ୍ୟାପି ପାଳନ ହେଉଥିଲା ବେଳେ କେବଳ ଶ୍ରୀମନ୍ଦିରର ଉତ୍ତର ଦ୍ବାର ନିକଟସ୍ଥ ଉତ୍ତର ପାର୍ଶ୍ଵ ମଠ ରେ ଶ୍ରାବଣ ଶୁକ୍ଳ ଦ୍ୱିତୀୟା ଠାରୁ ଆରମ୍ଭ ହୋଇ ଭାଦ୍ରବ କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ ଦୀର୍ଘ ଚତୁର୍ଦ୍ଦଶ ଦିବସ ବ୍ୟାପି ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପୂର୍ବେ ଏମାର ମଠବଡ଼ଓଡ଼ିଆ ମଠ ରେ ଖୁବ୍ ଧୁମଧାମରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଥିଲା। ତ୍ରିମାଳି ମଠ ରେ କାଚ ର ଝୁଲଣ ହେଉଥିଲା। ଜୀୟରସ୍ଵାମୀ ମଠରେ ସପ୍ତ ଦିବସ ବ୍ୟାପୀ ଝୁଲଣ ଯାତ୍ରା ଅବସରରେ ଦିନେ ଦିନେ ବେଣୁଗୋପାଳ ବିଜେ କରୁଥିବା ବେଳେ ଦିନେ ଦିନେ ରଘୁନାଥ ଦେବ ବିଜେ କରିଥାଆନ୍ତି। କେତେକ ସ୍ଥାନରେ ସାତଦିନ ଝୁଲଣରେ ଠାକୁରମାନଙ୍କର ନିତ୍ଯ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ। କେତେକ ସ୍ଥାନରେ ଲକ୍ଷ୍ମୀ-ନାରାୟଣ, ରାମ-ଲକ୍ଷ୍ମଣ-ସୀତା, ପତିତପାବନ, ରାଧା-କୃଷ୍ଣ, ଶାଳଗ୍ରାମ ବିରାଜମାନ କରୁଥିବା ବେଳେ ଅଳ୍ପ କେତେକ ସ୍ଥାନ ରେ ଶ୍ରୀଦେବୀ- ଭୂଦେବୀ ଓ ମଦନମୋହନ ବିଜେ କରିଥାଆନ୍ତି। ଝୁଲଣରେ ଠାକୁରମାନେ ବିରାଜିତ ଥିବା ସମୟରେ ପାଲା, ଦାସକାଠିଆ, ଓଡ଼ିଶୀ, ଗୋଟିପୁଅ ଆଦି ବିଭିନ୍ନ ପାରମ୍ପାରିକ ଓଡ଼ିଆ ନୃତ୍ୟ ସଙ୍ଗୀତର ଆୟୋଜନ କରାଯାଇଥାଏ।
ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ହେଉଥିବା ବିଭିନ୍ନ ମଠ, ମନ୍ଦିର ଓ ଘରୋଇ ସ୍ଥାନର ନାମ
(୧) ଏମାର ମଠ, କାକୁଡି ଖାଇ ଛକ
(୨) ଜଗନ୍ନାଥ ବଲ୍ଲଭ ମଠ, ମାର୍କେଟ ଛକ
(୩) କୌଶଲ୍ୟାଦାସ ମଠ, ଧାନକୁଟି ସାହି, ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟ
(୪) ରାଧାବଲ୍ଲଭ ମଠ, ଶ୍ରୀମନ୍ଦିର ସିଂହଦ୍ୱାର
(୫) ନୃସିଂହ ଆଚାରୀ ମଠ, କାକୁଡିଖାଇ ଛକ
(୬) ଜୀୟରସ୍ବାମୀ ମଠ, ବାଲିସାହି
(୭) ଝାଞ୍ଜପିଟା ମଠ, ପାତ୍ରସାହି
(୮) ପଞ୍ଜାବୀ ମଠ, ଧାନକୁଟି ସାହି
(୯) ମଣିରାମ ମଠ, ମରିଚିକୋଟ ଗଳି, କୁଣ୍ଢେଇବେଣ୍ଟ ସାହି
(୧୦) ପଣ୍ଡିତ ମଠ, ପଥୁରିଆ ସାହି
(୧୧) ଦକ୍ଷିଣପାର୍ଶ୍ବ ମଠ, ଧାନକୁଟି ସାହି ଶ୍ରୀମନ୍ଦିର ଦକ୍ଷିଣଦ୍ଵାର ନିକଟ
(୧୨) ନେବଳ ମଠ, କରତି ସାହି
(୧୩) ସାନ ମଠ, ଦଇତାପଡ଼ା ସାହି
(୧୪) ପାପୁଡିଆ ମଠ, ବଡ଼ଦାଣ୍ଡ
(୧୫) ଚିକିଟି ମଠ, ବାରାହୀ ଲେନ୍
(୧୬) ସିଦ୍ଧ ବକୁଳ ମଠ, ବାଲିସାହି
(୧୭) ବଡ଼ ଛତା ମଠ, ଶ୍ରୀମନ୍ଦିରର ସିଂହଦ୍ଵାର ନିକଟ
(୧୮) ରାଧାକାନ୍ତ ମଠ, ବାଲିସାହି
(୧୯) ବଡ଼ ସନ୍ଥ ମଠ, ମାର୍କଣ୍ଡେଶ୍ୱର ସାହି
(୨୦) ନାଗା ମଠ, ହରଚଣ୍ଡୀ ସାହି
(୨୧) ଖଜୁରିଆ ମଠ, ବାସେଳି ସାହି
(୨୨) ନୂଆ ମଠ, ମରିଚିକୋଟ ଗଳି
(୨୩) ଉତ୍ତରପାର୍ଶ୍ଵ ମଠ, ଲକ୍ଷ୍ମୀ ବଜାର
(୨୪) ଦେଉଳ ଘର, ମଣିକର୍ଣ୍ଣିକା ସାହି
(୨୫) ରାଧାଶ୍ୟାମ ମଠ, ଶ୍ୟାମକୁଞ୍ଜ ଗଳି
(୨୬) କୁଞ୍ଜ ମଠ, ବାଲି ସାହି
(୨୭) ସାନ ତରଳା ମଠ, ବାଲି ସାହି
(୨୮) ଶ୍ରୀନାଥଜୀ ମନ୍ଦିର, କାଳିକାଦେବୀ ସାହି
(୨୯) ରାଧାକୃଷ୍ଣ ମନ୍ଦିର, ବାଲି ସାହି
(୩୦) ତୋଟା ଗୋପୀନାଥ ମନ୍ଦିର, ଗୌଡବାଡ଼ ସାହି
(୩୧) ରାଧାମୋହନ ମନ୍ଦିର, ଜାଡୁଆଣି ଛକ
(୩୨) ରାଧାଗୋବିନ୍ଦ ଜୀଉ ମନ୍ଦିର, ବାରାହୀ ଲେନ୍
(୩୩) ରାଣୀ ଘର, ବାରାହୀ ଲେନ୍
(୩୪) ହରିଦାସ ଠାକୁର ସମାଧି ମଠ, ସ୍ଵର୍ଗଦ୍ଵାର ରୋଡ଼
(୩୫) ରାସବିହାରୀ ମଠ, ସ୍ବର୍ଗଦ୍ବାର
(୩୬) କୃଷ୍ଣ ବଳରାମ ମଠ, ସାତାସନ ମାର୍ଗ, ସ୍ବର୍ଗଦ୍ବାର
(୩୭) ଶ୍ୟାମସୁନ୍ଦର ମଠ, ସାତାସନ ମାର୍ଗ, ସ୍ଵର୍ଗଦ୍ଵାର
(୩୮) ସାରସ୍ବତ ଗୌଡ଼ୀୟ ମଠ, ସାତାସନ ମାର୍ଗ, ସ୍ଵର୍ଗଦ୍ଵାର
(୩୯) ଗିରିଧାରୀ ମଠ, ସାତାସନ ମାର୍ଗ, ସ୍ଵର୍ଗଦ୍ଵାର
(୪୦) ଚୈତନ୍ୟ ଗୌଡ଼ୀୟ ମଠ, ବଡ଼ଦାଣ୍ଡ
(୪୧) ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଚୈତନ୍ୟ ଚନ୍ଦ୍ରାଶ୍ରମ ଆଶ୍ରମ
(୪୨) ରାଧା ଦାମୋଦର ମଠ, ଚକ୍ରତୀର୍ଥ ମାର୍ଗ
(୪୩) ଗୋପୀନାଥ ଗୌଡିୟ ମଠ, ଚକ୍ରତୀର୍ଥ ମାର୍ଗ
(୪୪) ସରୋଜିନୀ ମଠ, ଗୌରବାଟ ସାହି
(୪୫) ପୁରୁଷୋତ୍ତମ ଗୌଡ଼ିୟ ମଠ, ଗୌଡବାଡ଼ ସାହି
(୪୬) ଓମ୍କାରନାଥ ଠାକୁର୍ ଆଶ୍ରମ, ଗୌଡବାଡ଼ ସାହି
(୪୭) ଇସ୍କନ ମନ୍ଦିର, ସ୍ଵର୍ଗଦ୍ଵାର ନିକଟ
(୪୯) ବିଶାଖା ମଠ, ମାର୍କଣ୍ଡେଶ୍ୱର ସାହି
(୫୦) ରାମଦାସ ମଠ, ଶ୍ୱେତଗଙ୍ଗା ଲେନ,ବାଲିସାହି
(୫୧) ବିଭିନ୍ନ ସାହିରେ ଘରୋଇ ଝୁଲଣ: ପଥୁରିଆ ସାହିରେ ୬ଟି, ହରଚଣ୍ଡି ସାହିରେ ୫ଟି, ବିମାନବଡୁ ସାହି ୪ଟି, ମରିଚିକୋଟ ଗଳି ୪ଟି, ବାଲିସାହି ୩ଟି, ମଣିକର୍ଣ୍ଣିକା ସାହି, ଦୋଳମଣ୍ଡପ ସାହି, ଶୀତଳପିଣ୍ଡା ସାହି ଓ କୁଣ୍ଢେଇବେଣ୍ଟ ସାହିରେ ଗୋଟିଏ ଲେଖାଏଁ ଝୁଲଣ ଅନୁଷ୍ଠିତ ହୋଇଥାଏ।
ଏଥିସହ ପୁରୀର ବିଭିନ୍ନ ସ୍ଥାନରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଝୁଲଣ ଯାତ୍ରାକୁ ନେଇ ରଚିତ ବିଭିନ୍ନ ଓଡ଼ିଆ ରଚନାବଳୀ ମଧ୍ୟ ରଚନା କରାଯାଇଅଛି। ତନ୍ମଧ୍ୟରୁ ଦ୍ୱିଜ ପୀତବାସଙ୍କ ରଚନା ଅତ୍ୟନ୍ତ ଲୋକପ୍ରିୟ ହାସଲ କରିଅଛି – “ଝୁଲିବେ ତ ଆଜ, କୁଞ୍ଜେ ବ୍ରଜରାଜ . .।”
Jhulana Jatra
Srimandira
Durgamadhab Mohanty
Spread the love
Antaranga Kalinga

Share
Published by
Antaranga Kalinga

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

3 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

4 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago