ଲେଖା: ଦେଵ ତ୍ରିପାଠୀ

ଆମ ଭାରତବର୍ଷର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ର ରୂପେ ଚତୁର୍ଧାମର ପରିକଳ୍ପନା ଯେପରି ପ୍ରେରଣାପ୍ରଦ, ସେପରି ଭୌଗୋଳିକ ଅବସ୍ଥିତି ନେଇ ବଡ ବୈଚିତ୍ର୍ୟପୂର୍ଣ୍ଣ । ଉତ୍ତରରେ ହିମାଦ୍ରି ଶିଖରରେ ବଦ୍ରିଧାମ, ଅନ୍ୟ ତିନୋଟି ଧାମ – ଦ୍ଵାରକା, ରାମେଶ୍ୱରଶ୍ରୀକ୍ଷେତ୍ର ସମୁଦ୍ର ଉପକଣ୍ଠରେ ।

ନୀଳସମୁଦ୍ର ଏବଂ ତୁଷାରାବୃତ ନୀଳପର୍ବତରେ ଲୀଳା କରନ୍ତି ନୀଳଦେହୀ ପରମପୁରୁଷ ଭିନ୍ନ ଭିନ୍ନ ରୂପରେ । ବଦ୍ରିନାଥ – ବିଷ୍ଣୁଙ୍କ ସ୍ବରୂପ; ରାମେଶ୍ବରରେ ରାମନାଥ ଶିବ ରୂପରେ ପୂଜିତ; ଦ୍ଵାରକାରେ ଶ୍ରୀକୃଷ୍ଣ ଏବଂ ନୀଳାଚଳରେ ଶ୍ରୀଜଗନ୍ନାଥ । ବଡ଼ ବିଚିତ୍ର ମଧ୍ୟ ସେମାନଙ୍କ ପୂଜାପଦ୍ଧତିର ଧାରା – ବଦ୍ରିନାଥରେ ତୁଷାରାଚ୍ଛନ୍ନ ଗିରିକନ୍ଦରରେ ବିଷ୍ଣୁ ବର୍ଷର ଆଠମାସ ଅବଧି କରନ୍ତି ଅନନ୍ତ ଶୟନ; ରାମେଶ୍ବରରେ ଦିନଭରି ଚାଲିଥାଏ ଅବାରିତ ସ୍ନାନ; ଦ୍ଵାରକା ପୀଠରେ ମୂହୁର୍ମୁହୁଃ ବଦଳାଇ ଚାଲିଥାନ୍ତି ପରିଧାନ; ଏବଂ ଶ୍ରୀକ୍ଷେତ୍ରରେ ଚାଲିଥାଏ ଷାଠିଏ ପଉଟି ଅନ୍ନବ୍ୟଞ୍ଜନର ନିରତ ସେବନ ।

ମଣିଷ ସହିତ ଏକାତ୍ମ ହେବା ଲକ୍ଷ୍ୟରେ ମଣିଷ ପରି ଜୀଇଁବାକୁ ହୁଏ ଭଗବାନଙ୍କୁ – ସ୍ନାନ, ପରିଧାନ, ଭୋଜନ, ଶୟନରେ ବାନ୍ଧି ହୋଇ ।

ଆମ ଶ୍ରୀକ୍ଷେତ୍ର ପୁରୀ ଧାମରେ ରହିଛି ଏକ ପ୍ରାଣସ୍ଫୂର୍ତ୍ତିମୟ, ଆବେଗମୟ, ଭାବମୟ ଜୀବନଯାତ୍ରାଭାବର ଠାକୁର ଜଗନ୍ନାଥ ଏଠି ଓଡ଼ିଆ ଜାତିର ମାନ, ଅଭିମାନ, ଓଡ଼ିଆର ଗର୍ବ, ଓଡ଼ିଆର ଆତ୍ମା

ଯେଉଁ ଅଚଳ ଅଟଳ ମୂକବଧିର ଦାରୁବିଗ୍ରହମାନେ ନୀଳାଚଳର ପ୍ରସ୍ତର ବେଷ୍ଟନୀ ମଧ୍ୟରେ ରତ୍ନସିଂହାସନରେ ବିରାଜମାନ, ସେ ମାନବ ନ ହେଲେ ମଧ୍ୟ ତାଙ୍କଠାରେ ସାଧାରଣ ମାନବ ପରି ଦନ୍ତମାର୍ଜନ, ସ୍ନାନ, ଚନ୍ଦନଧାରଣ, ଭୋଜନ, ଶୟନଠାରୁ ଆରମ୍ଭ କରି ମାନସିକ ତୃପ୍ତି ନିମନ୍ତେ ବାହ୍ୟ ଭ୍ରମଣ ଏବଂ ଅନ୍ୟାନ୍ୟ ଆମୋଦପ୍ରମୋଦ ଆଦି ଚଳଣି ପରିଲକ୍ଷିତ ହୁଏ ।

ପ୍ରତ୍ୟହ ତାଙ୍କର ସେବାରେ ଲିପ୍ତ ରହିଥା’ନ୍ତି ହଜାର ହଜାର ନିଯୋଗ।

ଶ୍ରୀଜଗନ୍ନାଥ ଦିନକରେ ପ୍ରାୟ ୭ ଥର ଭୋଜନ କରନ୍ତି ଏବଂ ୫୬ ପ୍ରକାରର ଭୋଗ ତାଙ୍କୁ ଅର୍ପଣ କରାଯାଇଥାଏ । ୬୪ ଉପଚାରରେ ପୂଜା ନୈବେଦ୍ୟ ମଧ୍ୟ କରାଯାଇଥାଏ ।

ସେ ପୁଣି ପିନ୍ଧନ୍ତି ପାଟପୀତାମ୍ବରୀ, ଭୂଷିତ ହୁଅନ୍ତି ନାନା ମୂଲ୍ୟବାନ ଅଳଙ୍କାରରେ । ଆକୁମାରୀହିମାଳୟରୁ ପ୍ରତି ଦିନ ହଜାର ହଜାର ଆବାଳବୃଦ୍ଧବନିତା ତାଙ୍କୁ ସାକ୍ଷାତ କରନ୍ତି, ଗୁହାରି କରନ୍ତି ।

ଜଗତରେ ଏତେ ଦିଅଁ ଥାଇ କେବଳ ଏହାଙ୍କଠାରେ ହିଁ ଦେଖିବାକୁ ମିଳେ ଏପରି ମହାଡମ୍ବରପୂର୍ଣ୍ଣ ଜୀବନଯାପନ, ସେଥିପାଇଁ ତ ଶ୍ରୀଜଗନ୍ନାଥ ଜଗତଠାକୁର, ଜଗତର ମଣି, ଓଡିଆର ଗଣଦେବତା, ବିଚିତ୍ର ତଥା ସଦା ରହସ୍ୟମୟ ।

ଇଏ ଏମିତି ଏକ ଠାକୁର ଯାହା ପାଇଁ ଓଡ଼ିଆଣୀ ମା’ଟିଏ କହିପାରେ “ମୋ ପିଲା ପଛେ ଭୋକରେ ମରୁ, କିନ୍ତୁ ମୋ କାଳିଆର ଷାଠିଏ ପଉଟି ମଣୋହି ହେଉ . . !”

ଆଉ ସେଇ ଠାକୁର କହେ “ମୋର ଷାଠିଏ ପଉଟି ମଣୋହି ପଛେ ନହେଉ, କିନ୍ତୁ ମୋ ଓଡ଼ିଆ ପୁଅଝିଅ ମାନଙ୍କ ପେଟ ପୁରୁ . . “

 

ସେହି ଭାବର ଠାକୁର ପ୍ରତିବର୍ଷ ଓହ୍ଲାଇ ଆସନ୍ତି ଅଗଣିତ ମଣିଷର ଅଭ୍ୟନ୍ତରକୁ, ମଣିଷର ଶ୍ରଦ୍ଧାମୟ ପ୍ରାଣସତ୍ତାର ଅନୁପମ ସ୍ପର୍ଶ ଲଭିବାକୁ । ସେହି ରଙ୍ଗମୟ, ଆବେଗମୟ, ବୈଚିତ୍ର୍ୟମୟ କୋଳାହଳର ନାମ ରଥଯାତ୍ରା

ଆଉ ସେଇ ଭାବ, ଆବେଗରେ ବନ୍ଧା ଠାକୁର ଭକ୍ତପ୍ରିୟ ଶ୍ରୀଜଗନ୍ନାଥ । ସେହି ଜଗନ୍ନାଥ ଏକ ସ୍ପନ୍ଦନ, ଆବେଦନ, ଆଲୋଡନ ଯାହା ଆଜି ବିଶ୍ୱରେ ପ୍ରସାରିତ ଓ ପରିବ୍ୟାପ୍ତ ।

#ମଣିମା

#ଦାରୁବ୍ରହ୍ମ

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

15 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago