ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଓଡ଼ିଶାରେ ଆସିକାନଗରକୁ ଅଳ୍ପ ବହୁତେ ସମସ୍ତେ ଜାଣି ହିଁ ଥିବେ । ଗଞ୍ଜାମ ଜିଲ୍ଲାର ଏଇ ସହର “ସୁଗାର୍ ସିଟି” ଭାବରେ ବହୁପୂର୍ଵରୁ ପ୍ରସିଦ୍ଧ ଏଵଂ କେହି କେହି ଏହାକୁ ସୁଗାର୍ ଟାଉନ୍ ବି କହିଥାନ୍ତି ।
ଆସ୍କା ଵା ଆସିକାରେ ବହୁତ କିଛି ରହିଛି କିନ୍ତୁ ଅନ୍ତର୍ଜାଲରେ ଏ ନଗର ଵିଷୟରେ ସେତେ ତଥ୍ୟ ମିଳେ ନାହିଁ । ଗଞ୍ଜାମ ଜିଲ୍ଲାର କେନ୍ଦ୍ରସ୍ଥଳରେ ଥିଵା ଏଇ ନଗରଟି ରାଜଧାନୀ ଭୁବନେଶ୍ୱରଠାରୁ ୧୬୫ କିମି ଏଵଂ ବ୍ରହ୍ମପୁରଠାରୁ ପାଖାପାଖି ୪୦ କିମି ଦୂରରେ ଅଵସ୍ଥିତ।
ଏହି ସହର ନିକଟରେ “ଋଷିକୁଲ୍ୟା” ଓ “ବଡନଦୀ”ର ସଙ୍ଗମ ହୋଇଛି। ଋଷିକୂଲ୍ୟା ନଗରକୁ ଦୁଇଭାଗରେ ଵିଭକ୍ତ କରିଥାଏ ଏଵଂ ତାହା ମାନଵର ଗଳା ନିକଟରେ ଥିଵା ଖାଦ୍ଯନଳୀ ଭଳି ଦେଖାଯାଏ ।
ଆସିକା ଵା ଆସ୍କା ନଗରର ଅଧିକାଂଶ ଜନଵସତି ଋଷିକୂଲ୍ୟା ଓ ବଡ଼ନଦୀ କୂଳରେ ରହିଥିଵାଵେଳେ ଦୁଇଟି ଜାତୀୟ ରଜପଥ ଏନ୍.ଏଚ୍-୫୯ (NH-59, Gopalpur-Ahmedabad) ଏବଂ ଏନ୍.ଏଚ୍-୨୧୭ (NH -217, Bijayawada- Ranchi) ଏହା ମଧ୍ୟ ଦେଇ ଯାଇଛି ।
ଆସ୍କା ନାମର ଉତ୍ପତ୍ତି ସମ୍ବନ୍ଧରେ ନାନା ମତ ରହିଛି ।
୧. କିଛି ଲୋକ କୁହନ୍ତି ଗୋଟାଏ ତାମିଳ ଶବ୍ଦ ஆஸ்கா(āskā)ରୁ ଏ ସହରର ନାମକରଣ ଆସ୍କା ଵା ଆସିକା ହୋଇଅଛି । ତେଵେ ତାମିଳ ଲେକ୍ସିକାନ୍ ଅନୁସାରେ ଗଞ୍ଜାମ ଜିଲ୍ଲାର ଆସ୍କା ସହରରୁ ଆସୁଥିଵା ଚିନିକୁ ତାମିଳନାଡୁରେ ଆସ୍କା କୁହାଗଲା ଯାହା ଆଗକୁ ତାମିଳ ଭାଷାରେ ଚିନିଶବ୍ଦର ଏକ ପ୍ରତିଶବ୍ଦ ଭାଵେ ଵ୍ଯଵହୃତ ହେଵାକୁ ଲାଗିଲା । ଏଥିରୁ ସ୍ପଷ୍ଟ ହୁଏ ଯେ ଆସ୍କା ଶବ୍ଦଟି ମୂଳତଃ ତାମିଲ ଶବ୍ଦ ନୁହେଁ ଵରଂ ଆସ୍କା ନଗରରୁ ଚିନି ତାମିଲନାଡୁ ଯିଵାରୁ ଚିନିର ଏକ ତାମିଲ ପ୍ରତିଶବ୍ଦ ஆஸ்கா(āskā) ହୋଇଅଛି ।
୨. କେତେକଙ୍କ ମତରେ ସଂସ୍କୃତ ଭାଷାର ‘ଆସିକ’ ଶବ୍ଦ ସହିତ ‘ଆସିକା’ ଓ ‘ଆସ୍କା’ ଶବ୍ଦ ସମଦ୍ଧୃତ ହୋଇଥାଇପାରେ । “ଖଡ୍ଗଧରି ଯୁଦ୍ଧ କରିଵାକୁ” ସଂସ୍କୃତରେ ‘ଆସିକ’ କୁହାଯାଏ । ସମ୍ଭଵତଃ ପୂର୍ଵେ ଆସ୍କା ଅଞ୍ଚଳର ଲୋକେ ଖଡ୍ଗଯୁଦ୍ଧରେ ପାରଙ୍ଗମ ଥିଵାରୁ ସ୍ଥାନର ଏଭଳି ନାମକରଣ ହୋଇଥିଲା । ତେବେ ଆସିକ ଶବ୍ଦର ଓଡ଼ିଆ ଭାଷାରେ ସେତେ ଵ୍ୟଵହାର ଦୃଶ୍ୟ ହୁଏନାହିଁ ଏଵଂ ଅଳ୍ପ କେତୋଟି ସଂସ୍କୃତ ଅଭିଧାନରେ ଏ ଶବ୍ଦଟି ସ୍ଥାନ ପାଇଛି ।
୩. ସେହିପରି ଭିତର ଓଠ ଓ ଥୋଡ଼ି ମଧ୍ୟସ୍ଥ ଅଂଶକୁ ସଂସ୍କୃତରେ ଆସିକା କୁହାଯାଏ । ଆସ୍କା ଵା ଆସିକା ସହର ମଧ୍ୟ ମାନଚିତ୍ରରେ ଦେଖିଵାକୁ କୌଣସି ମାନଵ ମୁଖ ଓ ତାହାର ଖାଦ୍ୟନଳୀ ଭଳି ଦେଖାଯାଏ । ଅର୍ଥାତ୍ ଋଷିକୂଲ୍ୟା ନଦୀ ଆସ୍କାନଗରର ପଶ୍ଚିମ ଭାଗରେ ଏଭଳି ପ୍ରଭାଵିତ ହେଉଛି ଯେ ତାହା ମାନଚିତ୍ରରେ ମାନଵର ମୁଖ ଓ ଖାଦ୍ୟନଳୀ ଭଳି ପ୍ରତିଭାତ ହେଉଛି । ବୋଧହୁଏ ଉକ୍ତ ସ୍ଥାନର ଆୟତନକୁ ଦୃଷ୍ଟିରେ ରଖି ଏଭଳି ନାମକରଣ ହୋଇଥିଲା ।
୪. କିଛି ଗଵେଷକ କୁହନ୍ତି ଜଉଗଡ଼ ଠାରେ ଅଶୋକଙ୍କର ଶିଳାଲେଖ ରହିଛି । ସମ୍ଭଵତଃ ଅଶୋକଙ୍କ ଦ୍ଵାରା ଵା ତାଙ୍କ ସ୍ମୃତିରେ ଏ ନଗରର ନାମ ଅଶୋକ ଵା ଅଶୋକା ରଖାଯାଇଥିଲା ଏଵଂ ପରଵର୍ତ୍ତୀ ସମୟରେ ତାହାର ନାମ ପରିଵର୍ତ୍ତିତ ହୋଇଅଛି । ତେବେ ଏହି ମତକୁ ସ୍ପଷ୍ଟ କଲାଭଳି ଐତିହାସିକ ପ୍ରମାଣ ମିଳେନାହିଁ ।
୫. କେତେକ ଐତିହାସିକଙ୍କ ମତରେ ଆଗେ କୃଷ୍ଣାନଦୀ ତୀରରେ ଅଶ୍ମକ ରାଜ୍ୟ ଗଢି଼ଉଠିଥିଲା ।
ଅଶ୍ମକ ରାଜା ଅରୁଣ ସେନାପତି ନନ୍ଦିସେନଙ୍କ ସାହାଯ୍ୟରେ କଳିଙ୍ଗ ଆକ୍ରମଣ କରି ଅଶ୍ମକ ରାଜ୍ଯର ସୀମା ଋଷିକୂଲ୍ୟା ନଦୀ ଯାଏଁ ବଢା଼ଇଥିଲେ ଏଵଂ ସାମରିକ ଶକ୍ତି ମଜବୁତ କରିଵା ହେତୁ ତାଙ୍କ ରାଜ୍ୟର ନୂଆ ସୀମାରେ ଏକ ନଗରୀ ବସାଇଥିଲେ ଯାହା ପରଵର୍ତ୍ତୀକାଳରେ ଆସିକା ଵା ଆସ୍କାନଗର ନାମରେ ପରିଚିତ ହୋଇଥିଲା । ତେଵେ ପ୍ରଥମ ଶତାବ୍ଦୀରେ କଳିଙ୍ଗଵୀର ଖାରଵେଳ କୃଷ୍ଣାନଦୀ ତୀରରେ ଅଵସ୍ଥିତ ସେହି ଅଶ୍ମକ ଵା ଅସକ ରାଜ୍ଯକୁ ପରାଭୂତ କରିଥିଵା ଉଦୟଗିରି ଅଭିଲେଖରେ ସ୍ପଷ୍ଟ ଵର୍ଣ୍ଣିତ ହୋଇଅଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago