ଲେଖା: ଦେଵ ତ୍ରିପାଠୀ
“ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା,
ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡରୂପିଣୀ
ଭଟ୍ଟାରିକା ମହାମାୟା ମହାପର୍ବତ ବାସିନୀ
ମଙ୍ଗଳା ସର୍ବଶୁଭଦା ପ୍ରାଚୀନଦୀ ତଟେସ୍ଥିତା,
ଋଷିକୁଲ୍ୟା ତୀରେ ଦେବୀ ତାରିଣୀଂ ଭୟହାରିଣୀ
ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ
ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା
ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା” ।।
ଆମର ଶାସ୍ତ୍ର କହେ, ଶ୍ରୀକ୍ଷେତ୍ରର ଐଶାନ୍ୟ କୋଣରେ ପ୍ରାଚୀତଟରେ ମା’ ମଙ୍ଗଳା, ଚନ୍ଦ୍ରଭାଗା ନଦୀକୂଳରେ ମା’ ରାମଚଣ୍ଡୀ, ଚିତ୍ରୋତ୍ପଳା ବା ମହାନଦୀ କୁଳରେ ମା’ ଭଟ୍ଟାରିକା ଓ ମା’ ଚର୍ଚ୍ଚିକା, ମହୋଦଧୂ ତଟରେ ମା’ ହରଚଣ୍ଡୀ, ଋଷିକୂଲ୍ୟା ନଦୀ ତଟରେ ମା’ ତାରାତାରିଣୀ , ସାଳିଆ ନଦୀ ତଟରେ ମା’ ଭଗବତୀ ଏବଂ ଭଗବତୀଙ୍କ ମଣ୍ଡଳରେ ମା’ ଉଗ୍ରତାରା ବିରାଜମାନ କରିଛନ୍ତି । ଏହି ଅଷ୍ଟକାଳୀ ଦେବୀଗଣ ଶ୍ରୀକ୍ଷେତ୍ରକୁ ବେଷ୍ଟନ କରି ରହିଛନ୍ତି ରକ୍ଷା କରୁଥିବାରୁ ସେମାନଙ୍କୁ କ୍ଷେତ୍ରପାଳିକା ମଧ୍ୟ କୁହାଯାଏ ।
ଜଗଜ୍ଜନନୀ ଦୁର୍ଗାଙ୍କର ମଙ୍ଗଳମୟୀ ଶକ୍ତି ହେଉଛନ୍ତି ମହାମଙ୍ଗଳା । ସେ ମହିଷାସୁର ଯୁଦ୍ଧକାଳରେ ଦୁର୍ଗାଙ୍କ ହୃଦୟରୁ ଜାତହୋଇ ମୃତ୍ୟୁଭେଦ କହିବାରୁ ଦୁର୍ଗା ସେହି ଉପାୟ ଅବଲମ୍ବନ କରି ଅସୁରକୁ ବଧକଲେ । ଦେବୀ ଦୁର୍ଗା ଜଗତର କଲ୍ୟାଣ ନିମିତ୍ତ ତାଙ୍କୁ ସର୍ବମଙ୍ଗଳା ନାମ ପ୍ରଦାନ କରିଥିଲେ !
ପ୍ରବାଦ ଅଛି, ପ୍ରଭୁ ଶ୍ରୀରାମଚନ୍ଦ୍ର ଦେବୀ ମଙ୍ଗଳାଙ୍କୁ ଆଣି ଉଡ୍ରଭୂମିରେ ରଖାଇଥିଲେ । କେତେକ ଗବେଷକଙ୍କର ମତ ଦେବୀମଙ୍ଗଳାଙ୍କୁ ଓଡ଼ିଶାର ସାଧବପୁଅମାନେ ଶ୍ରୀଲଙ୍କାରୁ ଆଣି ଏଠାରେ ପ୍ରତିଷ୍ଠା କରିଥିଲେ । କିନ୍ତୁ ମଙ୍ଗଳାଙ୍କ ମୂର୍ତ୍ତି ଉତ୍କଳୀୟ ଶିଳ୍ପକଳା ସମ୍ଭୂତ ନବମ-ଦଶମ ଶତାବ୍ଦୀର ମୂର୍ତ୍ତି । ଏହି ମୂର୍ତ୍ତିରେ ସିଂହଳୀୟ ଶିଳ୍ପକଳାର ଲେଶମାତ୍ର ଚିହ୍ନ ନାହିଁ । ଏହି ଦୃଷ୍ଟିକୋଣରୁ ସୋମରାଜତତ୍ତ୍ଵରେ ମଙ୍ଗଳା ପ୍ରତିଷ୍ଠା ଲାଭ କରିଥିବା ଯୁକ୍ତିଯୁକ୍ତ ମନେହୁଏ ।
ଦେବୀ ବିଗ୍ରହ କଳାମୁଗୁନି ପଥରରେ ନିର୍ମିତ । ମୂର୍ତ୍ତିର ଉଚ୍ଚତା ଚାରିହାତ ବା ଛଅଫୁଟ । ପ୍ରସ୍ଫୁଟିତ ପଦ୍ମଉପରେ ଦେବୀ ଆସୀନା । ଚତୁର୍ହସ୍ତା। ଏହି ଦେବୀଙ୍କର ବାମପାଦ ପୀଠ ଉପରେ ଲମ୍ବା ଭାବରେ ଓ ଦକ୍ଷିଣପାଦ ବାମ ଜାନୁ ଉପରେ ରହିଛି । ଚତୁର୍ଭୁଜ ମଧ୍ୟରୁ ଉପର ଦୁଇ ଭୂଜରେ ପଦ୍ମକଳିକା ଓ ପୂର୍ଣ୍ଣଚନ୍ଦ୍ର ତଥା ତଳ ଦୁଇ ଭୂଜରେ ଜପମାଳା ରହିଅଛି | ଚକ୍ଷୁ ଅର୍ଦ୍ଧ ଉନ୍ମିଳିତ ଓ ମୁଖ ଗୋଲାକାର । ଜଟା ସ୍କନ୍ଧ ଦେଶ ପର୍ଯ୍ୟନ୍ତ ଲମ୍ବିତ । ମା’ଙ୍କ ମୂର୍ତ୍ତି ଅତ୍ୟନ୍ତ ରମଣୀୟ, ଆକର୍ଷଣୀୟ ଓ ସୌମ୍ୟ ।
ମା’ ମଙ୍ଗଳାଙ୍କୁ ପ୍ରତ୍ୟହ ମହପ୍ରସାଦ ସମର୍ପଣ ମନ୍ଦିରର ବିଶେଷବିଧି । ଯାତ୍ରୀ ଓ ଭକ୍ତମାନେ ସଂଙ୍ଖୁଡ଼ି ଭୋଗ ମଧ୍ୟ ସେବକଙ୍କ ଜରିଆରେ ଲାଗି କରିଥାନ୍ତି ।
ନିତ୍ୟନୈମିରିକ ସେବା ପୂଜାନିମିତ୍ତ ପୂଜାପଣ୍ଡା, ସୂପକାର, ଯୋଗାଡ଼ିଆ, ମାଳିକାହାଳିଆ ପ୍ରଭୃତି ବଂଶାନୁକ୍ରମେ କାର୍ଯ୍ୟ କରୁ ଅଛନ୍ତି ।
ଦେବୀଙ୍କର ପର୍ବପର୍ବାଣୀ ମଧ୍ୟରେ ଚୈତ୍ର ମଙ୍ଗଳବାର ପ୍ରଧାନ । ଚୈତ୍ରମାସର ପ୍ରଥମରୁ ଚତୁର୍ଥ ମଙ୍ଗଳବାର ପର୍ଯ୍ୟନ୍ତ ପାଳିଯାତ୍ରା ହୁଏ । ଚୈତ୍ରର ଶେଷ ମଙ୍ଗଳବାର ବା ବୈଶାଖ ମାସର ପ୍ରଥମ ମଙ୍ଗଳବାର ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୁଏ । ଏତଦ୍ଭିନ୍ନ ପୀଠରେ ଶାରଦୀୟ ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ପୂଜା ଆଡ଼ମ୍ବର ସହକାରେ ପାଳନ କରାଯାଏ ।
ମଧୁପାର୍ବଣରେ ତ୍ରିଦିନାତ୍ମକ ପୂଜା ହୁଏ । ଶାରଦୀୟ ପୂଜା ସମୟରେ ମା’ ମଙ୍ଗଳାଙ୍କର ବିଭିନ୍ନ ବେଶ ହୋଇଥାଏ । ମନ୍ଦିରରେ ବିଜେ ହୋଇଥିବା ପତିତପାବନଙ୍କର ସ୍ନାନଯାତ୍ରା ସ୍ନାନମଣ୍ଡପରେ ହୋଇଥାଏ । ଅଥଚ ରଥଯାତ୍ରା ହୁଏ ନାହିଁ । ତଦନୁରୂପ ବେଢ଼ା ମଧ୍ୟରେ ଥିବା ରାଧାମାଧବଙ୍କର ଚନ୍ଦନଯାତ୍ରା ଓ ଝୁଲଣଯାତ୍ରା ପ୍ରଭୃତି ସବିଧି ଅନୁଷ୍ଠିତ ହୋଇଥାଏ । ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା ସୁବିଖ୍ୟାତ ।
ଉତ୍କଳୀୟ ଚେତନାରେ ମା’ ମଙ୍ଗଳା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ଓଡ଼ିଆ ସାହିତ୍ୟରେ ମଙ୍ଗଳାଙ୍କ ମହିମା ବହୁଳ ଭାବରେ ବର୍ଣ୍ଣିତ । ଦେଵୀ ମଙ୍ଗଳା କେବଳ ଶ୍ରୀକ୍ଷେତ୍ରର ରକ୍ଷୟିତ୍ରୀ ନୁହଁନ୍ତି ବରଂ ସମଗ୍ର ଓଡ଼ିଶାର ରକ୍ଷୟିତ୍ରୀ ।
ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…
ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…
ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…