ଲେଖା: ଅରବିନ୍ଦ ମହାନ୍ତି

ବର୍ଷର ପ୍ରଥମ ମାସ ବୈଶାଖ। ଏହା ଗ୍ରୀଷ୍ମ ଋତୁର ପ୍ରାରମ୍ଭ ମାସ ଅଟେ। ଚୈତ୍ର ପୂର୍ଣ୍ଣିମା ପରଠାରୁ ଏହା ଆରମ୍ଭ ହୋଇଥାଏ ଓ ଶେଷ ହୁଏ ଚନ୍ଦନ ପୂର୍ଣ୍ଣିମା ବା ବୈଶାଖ ପୂର୍ଣ୍ଣିମାରେ। ସନାତନ ଧର୍ମରେ ପ୍ରଚଳିତ ଚାରି ଗୋଟି ପବିତ୍ର ମାସ (ଆଷାଢ, କାର୍ତ୍ତିକ, ମାଘ, ବୈଶାଖ) ମଧ୍ୟରୁ ମଧ୍ୟ ଏହା ହେଉଛି ଅନ୍ୟତମ।  ଏହି ମାସରେ ବିଷ୍ଣୁଙ୍କ ସ୍ୱରୂପ ଶ୍ରୀମଧୁସୂଦନ ଅଟେ। ତୀର୍ଥ ଜଳରେ ପ୍ରାତଃ ସ୍ନାନ ଓ ତୃଷାର୍ତ୍ତଙ୍କୁ ଜଳଦାନ ଏହି ମାସରେ ଶ୍ରେଷ୍ଠ ମନା ଯାଇଅଛି। ବୈଶାଖ ମାହାତ୍ମ୍ୟ ଅନୁସାରେ କେବଳ ପ୍ରାତଃ ସ୍ନାନରେ ବ୍ରତଚାରୀ ଅଶେଷ ପୁଣ୍ୟ ଅର୍ଜନ କରିଥାନ୍ତି।

ସୂର୍ଯ୍ୟମାସର ପ୍ରଥମ ସଂକ୍ରାନ୍ତି ମେଷ ସଂକ୍ରାନ୍ତି ଏହି ମାସରେ ପାଳିତ ହୋଇଥାଏ। ଏହାକୁ ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ସୂର୍ଯ୍ୟ ବିଷୁବ ରେଖାର ଠିକ୍ ଉପରକୁ ବର୍ଷକେ ଦୁଇଥର ଆସନ୍ତି। ଥରେ ବସନ୍ତ କାଳରେ ଓ ଥରେ ଶରତ କାଳରେ। ବସନ୍ତ କାଳରେ ସୌର ଚୈତ୍ର ବା ମୀନ ମାସର ନବମ ବା ଦଶମ ଦିନ (ଇଂରାଜୀ ମାର୍ଚ୍ଚ ମାସର ୨୧ ବା ୨୨ ତାରିଖ) ଓ ଶରତ କାଳରେ ସୌର ଆଶ୍ୱିନ ବା କନ୍ୟା ମାସର ନବମ ଓ ଦଶମ ଦିନ (ଇଂରାଜୀ ସେପ୍ଟେମ୍ବର ମାସ ୨୨ ବା ୨୩ ତାରିଖ) ଏହି ଦୁଇ ଦିନ ଦିନ ଓ ରାତି ସମାନ ହୁଏ। ଅର୍ଥାତ ଦିନ ରାତି ୧୨ ଘଣ୍ଟା ଲେଖାଏଁ ହୋଇଥାଏ। ଏହି ଦୁଇ ଦିନର ପରବର୍ତ୍ତୀ ସଂକ୍ରାନ୍ତି (କାର୍ତ୍ତିକ ସଂକ୍ରାନ୍ତି ଓ ବୈଶାଖ ସଂକ୍ରାନ୍ତି)କୁ ବିଷୁବ ସଂକ୍ରାନ୍ତି ବୋଲାଯାଏ। କାର୍ତ୍ତିକ ସଂକ୍ରାନ୍ତିର ନାମ ବିଷୁବ ସଂକ୍ରାନ୍ତି ଓ ବୈଶାଖ ସଂକ୍ରାନ୍ତିର ନାମ ମହାବିଷୁବ ସଂକ୍ରାନ୍ତି କୁହାଯାଇଥାଏ।


କିଛି ଅଞ୍ଚଳରେ ମତ ଭିନ୍ନତା ହେତୁ ମେଷ ସଂକ୍ରାନ୍ତିରୁ ମଧ୍ୟ ବୈଶାଖ ମାସ ଆରମ୍ଭ କରାଯାଇଥାଏ। ଏହା ଉତ୍କଳୀୟ ବର୍ଷାରମ୍ଭ ଦିବସ। ଏହି ବର୍ଷ ମେଷ ସଂକ୍ରାନ୍ତିରୁ ୧୯୪୨ ଶକାବ୍ଦ ଆରମ୍ଭ ହେଉଅଛି।  ଏହି ସଂକ୍ରାନ୍ତିରେ ଆମେ ପାଳନ କରୁ ଶ୍ରୀ ମହାବୀର ହନୁମାନଙ୍କ ଜନ୍ମଦିନ। କିଛି ଅଞ୍ଚଳରେ ଏହା ଚୈତ୍ର ପୂର୍ଣ୍ଣିମାରେ ପାଳିତ ହୋଇଥାଏ। ଏହା ହୋଇପାରିଥାଏ ଯେ ହନୁମାନଙ୍କ ଜନ୍ମ ସୂର୍ଯ୍ୟମାସ ଓ ଚନ୍ଦ୍ରମାସ ଗଣନାରେ ମେଷ ସଂକ୍ରାନ୍ତି ଓ ଚୈତ୍ର ପୂର୍ଣ୍ଣିମା ଗୋଟିଏ ଦିନ ପଡ଼ିଥାଇ ପାରେ। ଯାହା ଫଳରେ ପରେ ଏହା ଭିନ୍ନ ଭିନ୍ନ ସ୍ଥାନରେ ଓ ଭିନ୍ନ ଭିନ୍ନ ମତ ଅନୁସାରେ, ଦୁଇ ଭିନ୍ନ ତିଥିରେ ପାଳନ କରାଯାଉଅଛି।

ମହାବିଷୁବ ସଂକ୍ରାନ୍ତିର ଆଉ ଏକ ବୈଶିଷ୍ଟ ହେଉଅଛି ତୁଳସୀଙ୍କ ନିମନ୍ତେ ବସନ୍ତରା ଠେକି ବସାଯିବା। ଯାହା ପରବର୍ତ୍ତୀ ବୃଷ ସଂକ୍ରାନ୍ତି ଯାଏ ପ୍ରାୟ ଏକ ମାସ ଧରି ରହିଥାଏ। ତୁଳସୀର ମହିମା ଓ ଉପକାରୀତା ସମ୍ଵଦ୍ଧରେ ସଭିଏଁ ପରିଚିତ। ଭକ୍ତି ଚାହୁଁଥିବା ବ୍ୟକ୍ତିଙ୍କ ନିମନ୍ତେ ସେ ଭକ୍ତିର ଦେବୀ ସହିତେ ଅସୁସ୍ଥ ବ୍ୟକ୍ତି ନିମନ୍ତେ ଉପଚାରର ମୂଳଭିତ୍ତି ଅଟନ୍ତି। ଏକ ଗୁଳ୍ମ ଜାତୀୟ ଉଦ୍ଭିଦ ହେତୁ ଏହା ପ୍ରବଳ ଗ୍ରୀଷ୍ମ ପ୍ରବାହର ସମୟରେ ଶୁଖିଯିବାର ସମ୍ଭାବନା ଥାଏ। ତେଣୁ ଏହି ସମୟରେ ଏହାକୁ ସୁରକ୍ଷା ଦେବାପାଇଁ ଗୋଟିଏ ଛୋଟ ଠେକିରେ ପାଣି ଭରି ଏହାକୁ ନଡ଼ିଆ ବାହୁଙ୍ଗା, ଗବଗଛ ଡାଳ ଓ କଦଳୀ ବାସୁଙ୍ଗା ଦ୍ୱାରା ତୁଳସୀ ଚଉରା ଉପରେ ବାନ୍ଧି ଦିଆଯାଏ। ବ୍ରାହ୍ମଣଙ୍କ ଦ୍ୱାରା ତୁଳସୀ ପୂଜା ପରେ ଏହି ଠେକିର ତଳେ ଛୋଟିଆ କଣା କରି ସେଥିରେ କୁଟା ଖଣ୍ଡେ ପୁରାଇ ଦିଆଯାଏ, ଫଳରେ ଏହି ଠେକିରୁ ପାଣି ବୁନ୍ଦା ବୁନ୍ଦା ହୋଇ ତୁଳସୀ ମୂଳରେ ପଡ଼ିଥାଏ। ଏହାଦ୍ୱାରା ସମ୍ପୁର୍ଣ୍ଣ ଦିନଯାକ ଆଉ ପାଣିର ଅଭାବ ରହେନାହିଁ।


ପଣା ଏହି ଦିନର ମୁଖ୍ୟ ବିଶେଷତ୍ୱ। ସେ ବେଲ ପଣା ହେଉ କି ଛତୁଆରେ ପ୍ରସ୍ତୁତ ପଣା, ଏହା ଠାକୁରଙ୍କୁ ସମର୍ପଣ ପରେ ସଭିଏଁ ଏହାକୁ ପାଇଥାନ୍ତି। ଏହି ପଣା ଗ୍ରୀଷ୍ମରୁ ସୁରକ୍ଷା ଦେବା ସାଙ୍ଗେ ସାଙ୍ଗେ ଶରୀର ପାଇଁ ବହୁ ଉପକାରୀ ଅଟେ।

ବହୁ ପର୍ବପର୍ବାଣୀରେ ମଧ୍ୟ ଏହି ମାସଟି ସମୃଦ୍ଧ। ମହାବିଷୁବ ସଂକ୍ରାନ୍ତି ବ୍ୟତୀତ ଅନ୍ୟାନ୍ୟ ପର୍ବପର୍ବାଣୀ ମଧ୍ୟରେ ବରୁଥିନୀ ଏକାଦଶୀ, ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ, ରୁକ୍ମିଣୀ ଅମାବାସ୍ୟା, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ନୀଳାଦ୍ରି ମହୋତ୍ସବ, ସୀତାନବମୀ, ମୋହିନୀ ଏକାଦଶୀ, ନୃସିଂହ ଚତୁର୍ଦ୍ଦଶୀ ଓ ଚନ୍ଦନ ପୂର୍ଣ୍ଣିମା (ଯାହା ବୁଦ୍ଧପୂର୍ଣ୍ଣିମା ନାମେ ମଧ୍ୟ ପରିଚିତ) ଆଦି ପର୍ବପର୍ବାଣୀ ପାଳନ କରାଯାଇଥାଏ।

#ହିରଣ୍ୟଗର୍ଭା

Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago