ଲେଖା: ନିରଞ୍ଜନ ସାହୁ

ବିନୋଦ କାନୁନଗୋ !

୧୯୫୨ ମସିହାରେ ଗୋଟିଏ ଟଙ୍କା ହାତରେ ଧରି, ନିର୍ବାଚନୀ ବୈତରଣୀ ପାର ନ ‌ହୋଇ ପାରି, ମାତ୍ର ଦଶମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥାଇ ଜଣେ ସ୍ଵପ୍ନ ଦେଖିପାରନ୍ତି ଓଡ଼ିଆ ଭାଷାରେ ଜ୍ଞାନକୋଷ ପରି କୋଣାର୍କ ତିଆରି କରିବା ପାଇଁ !

କେତେ ମନୋବଳ ଦୃଢ଼ ହୋଇପାରେ ସତେ !

ବରଗଛ ଥିଲା ନିର୍ବାଚନୀ ସଙ୍କେତ। ଲୋକନାୟକ ଜୟପ୍ରକାଶ ନାରାୟଣ ତାଙ୍କ ପାଇଁ ନିର୍ବାଚନୀ ସଭାରେ ଯୋଗ ଦେଉଥିଲେ । ଜନତାର ସ୍ଵତଃସ୍ଫୁର୍ତ୍ତ ସହଯୋଗ: ‘ଏହି ବରଗଛ ଚିହ୍ନରେ ଲଢ଼ୁଥିବା ପ୍ରାର୍ଥୀ ହିଁ ଓଡ଼ିଶା ବିଧାନସଭାର ବରଗଛ ସଦୃଶ ହୋଇପାରିବେ !’ 

ବିଧି ଥିଲା କିନ୍ତୁ ଅନ୍ୟ ପ୍ରକାର । ଯେଉଁ ବରଗଛ ଅନ୍ୟ ମାନଙ୍କୁ ଛାୟା ପ୍ରଦାନ କରୁଛି, ସେ କେମିତି ଅନ୍ୟର ଛାୟାତଳେ ଆଶ୍ରୟ ନେବ ? ତେଣୁ ନିର୍ବାଚନରେ ପରାଜୟ ତ ହେବ ଓଡ଼ିଶା ପାଇଁ ଯୁଗଯୁଗକୁ ବରଦାନ ସଦୃଶ ! ଏହା ଥିଲା ଓଡ଼ିଆ ଓ ଓଡ଼ିଶା ପାଇଁ ଆଶୀର୍ବାଦ । ଜ୍ଞାନବିଜ୍ଞାନର ପୃଷ୍ଠାଙ୍କ ଖୋଲିଯିବ ଓ ମଣ୍ଡିତ ହୋଇଯିବ ଆଭୂଷଣ ଭାବେ କଳିଙ୍ଗ ମାତାର ଗଳାରେ !

ହାତରେ ଥିଲା ଗୋଟିଏ ଟଙ୍କା, ମନୋବଳ କିନ୍ତୁ କଳନା କରିବା ସାଧ୍ୟାତୀତ ! ଯାତ୍ରା ଆରମ୍ଭ ହେଲା ପରାଜୟ ବରଣ କରିଥିବା କିଶୋରନଗର ନିର୍ବାଚନ ମଣ୍ଡଳୀରୁ କଟକ ଅଭିମୁଖେ, “ସଙ୍କଳନ କରିବି ଜ୍ଞାନକୋଷ, ଓଡି଼ଆ ଏନସାଇକଲୋପିଡିଆ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ ଦେବି !” ୧୯୫୨ ମସିହାରୁ ୧୯୯୦ ଯାଏ ଏହି ଯାତ୍ରାର ଏକାକୀ ପଥିକ ବିନୋଦ କାନୁନଗୋ, ଉତ୍କଳର ଜ୍ଞାନଗୁରୁ । 


୧୯୧୨ ମସିହା ଜୁନ ମାସ ୬ ତାରିଖ । କଟକ ଜିଲ୍ଲା କିଶୋରନଗରର ମଲ୍ଲୀପୁର ଗ୍ରାମ । ମଲ୍ଲୀଫୁଲଟିଏ ଫୁଟିଲା । ବାସ ଚହଟିଲା । ଜନ୍ମ ନେଲେ କେଶବଚନ୍ଦ୍ର କାନୁନଗୋ ଓ ପୀର ଦେବୀଙ୍କ କୋଳରେ ଶିଶୁଟିଏ, ବିନୋଦ କାନୁନଗୋ । ମାମୁଁ ଥିଲେ ଓଡ଼ିଆ ସାହିତ୍ୟର ବିଶିଷ୍ଟ ବିଦ୍ୱାନ ତଥା ସଂଗ୍ରାହକ ଡ. ଆର୍ତ୍ତବଲ୍ଲଭ ମହାନ୍ତି । ଦଶବର୍ଷ ବେଳେ କଟକ ଆସି ମାମୁଁଙ୍କ ପାଖରେ ରହି ସମ୍ପର୍କ ସ୍ଥାପନ କଲେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟାପକ ମାନଙ୍କ ସହ । ୧୯୨୬ ରେ କଟକର ରାଣୀହାଟ ମାଇନର ସ୍କୁଲରେ ଆରମ୍ଭ ହେଲା ପାଠପଢ଼ା, ପରେ ରେଭେନ୍ସା କଲିଜିଏଟ୍’ରେ ଦଶମ ଶ୍ରେଣୀ ଯାଏଁ । ସେଇଠୁ ପାଠ ଛାଡ଼ି ୧୯୩୦ରେ ଲବଣ ସତ୍ୟାଗ୍ରହରେ ଯୋଗଦାନ । ପାଠପଢା ଶେଷ , ନୂତନ ଜୀବନ ଯାତ୍ରା ଆରମ୍ଭ । ସତ୍ୟାଗ୍ରହ, ଜେଲ୍, ଅଟକ ବନ୍ଦୀ, ଅସହଯୋଗ, ଲବଣ ସତ୍ୟାଗ୍ରହ, ଗାନ୍ଧୀଙ୍କ ପଦଯାତ୍ରା ଇତ୍ୟାଦି ହୋଇ ଉଠିଲା ଜୀବନର ଅଙ୍ଗ । ବିବାହ ପରେ ପତ୍ନୀ ଶଶିକଳା ମଧ୍ୟ ଆଦରି ନେଲେ ସ୍ଵାମୀଙ୍କ ମାର୍ଗ ।

ଗାନ୍ଧୀ ଯୁଗର ମଣିଷ ଓ ମହାତ୍ମାଙ୍କ  ଆଦର୍ଶରେ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ମଣିଷ ଥିଲେ ବିନୋଦ କାନୁନଗୋ। ୧୯୩୦ ମସିହା ଲବଣ ସତ୍ୟାଗ୍ରହ ଉପଲକ୍ଷେ ଓଡ଼ିଶାର ସମୁଦ୍ରକୂଳିଆ ଅଞ୍ଚଳରେ ଲବଣ ଆଇନ ଭଙ୍ଗ କରି ଏହି ଅଠର ବର୍ଷୀୟ ବାଳକ ସାମିଲ ହୋଇଥିଲେ ଲବଣ ସତ୍ୟାଗ୍ରହରେ ଋଷିପ୍ରତୀମ ଗୋପବନ୍ଧୁ ଚୌଧୁରୀମା’ ରମାଦେବୀ ଚୌଧୁରୀଙ୍କ ପ୍ରେରଣାରେ । ୧୯୩୦, ୧୯୩୨ ଓ ୧୯୪୨ରେ ବହୁବାର ଗିରଫ ହୋଇ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଅପ୍ରେଲ ଦଶ ତାରିଖ ୧୯୩୦ ମସିହାରେ ପାଠପଢ଼ାର ଡୋରି ବନ୍ଧା ହୋଇଯାଇଥିଲା ଓ ସିଧାସଳଖ ସତ୍ୟାଗ୍ରହରେ ଯୋଗଦାନ କରି ଅନ୍ୟ ସତ୍ୟାଗ୍ରହୀମାନଙ୍କ ପ୍ରିୟଭାଜନ ହୋଇ ଉଠିଲେ ବିନୋଦ ବାବୁ ।

ଧଳା ଖଦଡ଼ ଧୋତି, ଚାଦର ଥିଲା ତାଙ୍କର ପୋଷାକ। ସରଳ ବ୍ୟବହାର, ସ୍ନେହବୋଳା କଥା, ଅହଙ୍କାରଶୂନ୍ୟ ଚଳଣି ଯୋଗୁଁ ସେ ସାଧାରଣରେ ପ୍ରଶଂସାର ପାତ୍ର ଓ ନମସ୍ୟ ଥିଲେ। ଦୃଢ଼ ଇଚ୍ଛାଶକ୍ତି ଓ ସଂକଳ୍ପର ଅବତାର ଥିଲେ ସେ । ସେହି ସଙ୍କଳ୍ପ ରୂପାନ୍ତରିତ ହେଲା ଜ୍ଞାନକୋଷ ସଙ୍କଳନ, ଯାହା ଫଳରେ ଜନ୍ମନେଲା ଆମ ଓଡ଼ିଶାର ପାଠାଗାରରେ ଜ୍ଞାନମଣ୍ଡଳ । ନମ୍ରନ୍ତି ଫଳିନୋ ବୃକ୍ଷାଃ, ନମ୍ରନ୍ତି ଗୁଣୀନୋ ଜନାଃ । ସେ ଗୁଣୀ ଅଥଚ ନମ୍ର । ସେ ବଟବୃକ୍ଷ, ଛାୟା ପ୍ରଦାନକାରୀ। ସେହି ବଟବୃକ୍ଷର କୋରଡ଼କୁ ଆଶ୍ରା କରି ସୃଷ୍ଟି ହୋଇଛି ଅଗଣିତ ରଚନା ସମୂହ । ଜ୍ଞାନମଣ୍ଡଳ ହିଁ ମାର୍ଗଦର୍ଶକ ଏହି ଜାତିର ଓ ସମଗ୍ର ଦେଶର ।

୧୯୫୪ ରୁ ଜ୍ଞାନମଣ୍ଡଳ ପ୍ରସ୍ତୁତି ପାଇଁ ଥିବା ତପସ୍ୟା ଆତ୍ମପ୍ରକାଶ କଲା ୧୯୬୦ ଡିସେମ୍ବର ମାସ ଦୁଇ ତାରିଖରେ । ଜ୍ଞାନମଣ୍ଡଳର ପ୍ରଥମ ଖଣ୍ଡ ଲୋକାର୍ପିତ ହେଲା ଏକ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଡଃ ମହତାବଙ୍କ ଦ୍ଵାରା। ସେହି ଦିନ ଠାରୁ ୧୯୮୮ ମସିହା ପର୍ଯ୍ୟନ୍ତ ସମୁଦାୟ ୪୦ ଖଣ୍ଡ ପ୍ରକାଶିତ ହୋଇସାରିଛି। ଛୋଟ ଛୋଟ କଥା, ଜଣାଅଜଣା, ବିଜ୍ଞାନ, ସାମାଜିକ, ଶିଶୁପତ୍ରିକା, ମହାପୁରୁଷଙ୍କ ଜୀବନୀ ଇତ୍ୟାଦିର ରଚନା କରି ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା, କେହି ଅସ୍ୱୀକାର କରିପାରିବ ନାହିଁ । ଜ୍ଞାନମଣ୍ଡଳ ହେଉଛି ସୁଖପାଠ୍ୟ ଓଡ଼ିଆ । ତାହା ରତ୍ନଗର୍ଭା, ହିରଣ୍ୟଗର୍ଭା, ଜ୍ଞାନବିଜ୍ଞାନ-ଶୋଭିତ ! ମଣିଷର ଅନୁସନ୍ଧିତ୍ସାର ଗନ୍ତାଘର !


୧୯୮୬ ମସିହାରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରି ଭାରତବର୍ଷ ତାଙ୍କୁ ସମ୍ମାନିତ କରିଛି । ଆତ୍ମଜୀବନୀ ‘ଋଣ ପରିଶୋଧ’ ଓ ପୁସ୍ତକ ‘ଛାତିକି ପଥର କରି’ ପାଇଁ ସମ୍ମାନିତ କରିଛନ୍ତି ଓଡ଼ିଶା ସରକାର ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ମାଧ୍ୟମରେ। ୧୯୮୭ରେ ଜାତୀୟ ବିଶ୍ଵକୋଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ଓଡ଼ିଆ, ଇଂରାଜୀ ଓ ଅନ୍ୟ ୧୪ଟି ଭାଷାରେ ତାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ଯାହା ଥିଲା ଭାରତ ସରକାରଙ୍କ ତାଙ୍କ ପ୍ରତି ଶ୍ରଦ୍ଧାର ସ୍ଵିକୃତୀ।

୧୯୯୦ ମସିହା ଜୁନ ମାସ ୨୨ ତାରିଖ ମହାପ୍ରୟାଣ ଦିବସରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଓଡିଶା ସରକାର ତାଙ୍କୁ ସମ୍ମାନିତ କରିଛନ୍ତି । ବିନୋଦ କାନୁନଗୋ ଥିଲେ ଏ ଜାତିର ଜ୍ଞାନଗୁରୁ ।

Images: Deepak Kanungo

#ବିନୋଦ #କାନୁନଗୋ #ଜ୍ଞାନକୋଷ #ସଙ୍କଳନ  #ଜ୍ଞାନମଣ୍ଡଳ

Binod Kanungo Gyana Mandala Encyclopaedia Niranjan Sahu

Spread the love
admin

View Comments

  • ଜ୍ଞାନ ଗୁରୁ ବିନୋଦ କାନୁନଗୋ ପ୍ରତି ଓଡ଼ିଆର ନମସ୍ୟ ।

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

21 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

23 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago