ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ
ଶ୍ରୀମନ୍ଦିରରେ ପ୍ରଚଳିତ ‘ମଣିବିମାନ’ ଶବ୍ଦ ବହୁ ପ୍ରାଚୀନ । ବିମାନ ଶବ୍ଦର ଅର୍ଥ ଯାନ ବା ଦେବଯାନ। ସାଧାରଣତଃ ମଣିରୂପକ ବୈଦୂର୍ଯ୍ୟଭରା ବିମାନକୁ ମଣିବିମାନ କୁହାଯାଏ ।
ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟ।ଦଶ ଶତାବ୍ଦୀ ମଧ୍ୟରେ ଲେଖା ଯାଇଥିବା ଅନେକ ପଦ୍ୟାବଳୀରୁ ମଣିବିମାନ ଶବ୍ଦ ଦୃଷ୍ଟିଗୋଚର ହୋଇଥାଏ। ସେଥିମଧ୍ୟରୁ ବନମାଳୀଙ୍କ ପଦ୍ୟାବଳୀର ଉଲେଖ୍ୟ:
“ମଣିବିମାନେ ଗୋବିନ୍ଦ,
ଚଉପଶେ ଘେରିଛନ୍ତି ସହଚାରୀ ବୃନ୍ଦ ।”
***   ***   ***
“ଦେଖ ଗୋ ! ରାଧା ମାଧବ ଚାଲି,
ମଣିବିମାନେ ଆସେ ଝୁଲି ଝୁଲି” ।।
ମଣିବିମାନର ନିର୍ମାନଶୈଳୀ ଭିନ୍ନ ତଥା ସ୍ୱତନ୍ତ୍ର ଅଟେ । ଶ୍ରୀମନ୍ଦିରରେ ୩ ଗୋଟି ମଣିବିମାନ ରହିଥିବା ଜଣାଯାଏ। ବିମାନଟି ଶିଶୁକାଠରେ ନିର୍ମିତ । ଏହା ରୂପାରେ ଆଚ୍ଛାଦିତ ହୋଇଥାଏ। ଉକ୍ତ ବିମାନରେ ୧୬ଟି ସ୍ତମ୍ଭ ଓ ମଣ୍ଡଣୀ, କଳସ, ପତାକା, ଚାରି ପାର୍ଶ୍ୱରେ ରୌପ୍ୟ ମଣ୍ଡିତ ସୁଆ, ପାରା, ପଦ୍ମକଢି ଲାଗି କରାଯାଇଥାଏ। ବିମାନଟି ବିଜେ ରାସ୍ତା ମାର୍ଗରେ ଯିବା ସମୟରେ ବିମାନର ସିଂହାସନ ଅଂଶ ଠାରୁ ଉପର ମଣ୍ଡଣୀ ପର୍ଯ୍ୟନ୍ତ ଦୋହଲୁଥାଏ; ଯାହା ଲାଗି ଭକ୍ତମାନେ ଆନ୍ଦୋଳିତ ତଥା ଆଲ୍ହାଦିତ ହୋଇଥାନ୍ତି।
ପରମ୍ପରା ଅନୁଯାୟୀ ମଣିବିମାନରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ବିଜେ କରିଥାନ୍ତି । ଅକ୍ଷୟ ତୃତୀୟା ଓ ଶ୍ରୀକ୍ଷେତ୍ର ଭଉଁରି ଦିବସରେ ଏହି ମଣିବିମାନ ଅଧିକ ଆକର୍ଷଣୀୟ ଭାବେ ସଜିତ ହୋଇଥାଏ। ଶ୍ରୀମନ୍ଦିରରେ ଥିବା ଅନ୍ୟ ଦୁଈ ମଣି ବିମାନ ଶାଗୁଆନ କାଠରେ ନିର୍ମିତ ହୋଇଥିବା ଜଣାଯାଏ। କିନ୍ତୁ ସର୍ବବୃହତ ତଥା ଅତ୍ୟନ୍ତ ଓଜନ ବିଶିଷ୍ଟ ଶିଶୁକାଠ ନିର୍ମିତ ମଣିବିମାନଟି ଦୀର୍ଘ ୨୨ ବର୍ଷ ଧରି ବ୍ୟବହୃତ ହେଉ ନଥିଲା । ବିମାନ ବଡ଼ୁନିଯୋଗର ବିଶେଷ ଅନୁରୋଧ ଅନୁଯାୟୀ ୧୯୯୪ ମସିହାରେ ଚନ୍ଦନଯାତ୍ରା ପୂର୍ବ ପାଞ୍ଚଦିନ ମଧ୍ୟରେ ମଣିବିମାନଟି ମରାମତି ଓ ଶୋଧନ କାର୍ଯ୍ୟ ଶ୍ରୀମନ୍ଦିରର ପାରମ୍ପରିକ ବଣିଆ ଓ ମହାରଣାଙ୍କ ଦ୍ଵାରା ସମ୍ପାଦନା କରାଯାଇଥିଲା। ଏହି ମଣିବିମାନରେ ରୂପାର ତାରକସି କାମର ୩୬୮ ଗୋଟି ଆମ୍ବକଷିଆ ଏବଂ ୨୪ ଖଣ୍ଡ ବାଙ୍କ ସଂଯୁକ୍ତ ହୋଇଅଛି। ଏଥିରେ ହାତୀଦାନ୍ତ ନିର୍ମିତ ପ୍ଲେଟ ୧୨ ଗୋଟି ସ୍ତମ୍ଭରେ ଲଗାଯାଇଛି । ଚନ୍ଦନଯାତ୍ରାରେ ମଣିବିମାନକୁ ବହନ କରିବାକୁ ୧୨ଜଣ ବିମାନ ବଡୁ ସେବକ ନିୟୋଜିତ ଥାନ୍ତି ।
ଚନ୍ଦନଯାତ୍ରାକୁ ବିଜେ କରିବା ପୂର୍ବରୁ ଶ୍ରୀବିଗ୍ରହଙ୍କୁ ମଣିବିମାନରେ ରୁନ୍ଧା ଯାଇଥାଏ। ଏହାପରେ ମାଳ ଫୁଲ ଲାଗି ହୋଇ ବେଶ ସମ୍ପନ ହୋଇଥାଏ।ତତ୍ପରେ ବିମାନବଡୁ ସେବାୟତ ଘଣ୍ଟ, ଛତ୍ର, କାହାଳିରେ ପଟୁଆରରେ ସିଂହଦ୍ୱାର ଦେଇ ନରେନ୍ଦ୍ର ସରୋବରକୁ ଜଳକ୍ରୀଡ଼ା ଉଦେଶ୍ୟରେ ବିଜେ କରିଥାନ୍ତି। ଏହି ପଟୁଆର ଶୋଭାଯାତ୍ରାରେ କୀର୍ତ୍ତନ, ଭକ୍ତମାନଙ୍କ ଭଜନରେ ସମଗ୍ର ବଡ଼ଦାଣ୍ଡ ଉଛୁଳି ପଡେ । ବନମାଳୀ ଦାସ ନିଜ ପଦ୍ୟାବଳୀରେ ଖୁବ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି;
“ବିବିଧ ବାଜଣା ବୀର କାହାଳି
ବିଜେ କଲେ ବଡ଼ଦାଣ୍ଡ ଉଛୁଳି ।”
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago