ଉପସ୍ଥାପନା: ପ୍ରଦୀପ କୁମାର ମହାନ୍ତି
~ ପରମ ତୀର୍ଥକ୍ଷେତ୍ର ପୁରୀ ~
ପୁରୀ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର ନାମରେ ଖ୍ୟାତ। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ହେଉଛନ୍ତି ଏହି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ । ଏହି କ୍ଷେତ୍ରରେ ଚାରିଗୋଟି ଆଶ୍ରମ ବା ଚତୁଃଶ୍ରମ, ପାଞ୍ଚଗୋଟି ତୀର୍ଥ ବା ପଞ୍ଚତୀର୍ଥ, ସାତଗୋଟି ବଟବୃକ୍ଷ ବା ସପ୍ତବଟ, ଆଠଗୋଟି ହନୁମାନ ବା ଅଷ୍ଟ ମହାବୀର, ଆଠଗୋଟି ଶିବ ମନ୍ଦିର ବା ଅଷ୍ଟଶମ୍ଭୁ, ଆଠଗୋଟି ଦେବୀ ମନ୍ଦିର ବା ଅଷ୍ଟଦେବୀଙ୍କ ସହ ଶତାଧିକ ମନ୍ଦିର ଓ ମଠ ରହିଛନ୍ତି।
ସ୍କନ୍ଧପୁରାଣ ଅନ୍ତର୍ଗତ ଉତ୍କଳଖଣ୍ଡ ଅନୁଯାୟୀ ଏହି ପୁରୀ କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍ଖକ୍ଷେତ୍ର କୁହାଯାଏ। ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ। ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।
ଶଙ୍ଖକ୍ଷେତ୍ରର ମଧ୍ୟଭାଗରେ ଅବସ୍ଥିତ ପୁରୀ କ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର। ଏହି ଶଙ୍ଖାକାରା କ୍ଷେତ୍ରର ମୂର୍ଦ୍ଧନୀ ହେଉଛି ପଶ୍ଚିମ ସୀମା। ନୀଳକଣ୍ଠ (ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ) ଏହି ଶଙ୍ଖର ଅଗ୍ରଭାଗରେ ଅବସ୍ଥାନ କରୁଛନ୍ତି। ଶଙ୍ଖର ନାଭିଦେଶରେ ରୋହିଣୀ କୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ। ଅର୍ଦ୍ଧାଶିନୀ ଶଙ୍ଖର ମଧ୍ୟଭାଗରେ ଅବସ୍ଥାନ କରୁଛନ୍ତି। ନୀଳଗିରି ଏହି ପୁରୀ କ୍ଷେତ୍ରରେ ଶୋଭାପାଉଛି। ଏହି ନୀଳାଗିରି ପୁରିଷୋତ୍ତମ ଜଗନ୍ନାଥଙ୍କ ନିବାସସ୍ଥଳ।
ପ୍ରାୟ ଦୁଇଶହ ବର୍ଷ ପୂର୍ବେ ବଡ଼ଦେଉଳ ଓ ଗୁଣ୍ଡିଚାବାଡି ମଧ୍ୟରେ ବାଙ୍କୀମୁହାଣ ନଦୀ ପ୍ରବାହିତ ହେଉଥିଲା। ବର୍ତ୍ତମାନ ଯାହାକୁ ଶରଧାବାଲି କୁହାଯାଉଛି ତାହା ପୂର୍ବେ ନଦୀର ଗର୍ଭ ଥିଲା । ରଥଯାତ୍ରାରେ ଦୁଇସାରୀ ରଥ ତିଆରି ହେଉଥିଲା ଏବଂ ନଦୀର ପ୍ରତ୍ୟେକ ତୀରରେ ସାରିଏ ରଥ ରହୁଥିଲା। ଏହି ବାଙ୍କୀ ମୁହାଣ ନଦୀ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି। ବାଙ୍କୀମୁହାଣ ନଦୀ, ମିଟିଆଣି ନଦୀମଙ୍ଗଳା ନଦୀ, ଏହି ତିନୋଟି ନଦୀ ପୁରୀ ନଗରୀକୁ ପୂର୍ବେ ତିନିଆଡୁ ବେଢି ରହିଥିଲା ଏବଂ ଅନ୍ୟ ଦିଗରୁ ସାଗର ବେଢି ରହିଥିଲା। ତେଣୁ ପୁରୀ କ୍ଷେତ୍ରଟି ଦ୍ୱୀପପରି ଦେଖାଯାଉଥିଲା।
~ ଶଙ୍ଖକ୍ଷେତ୍ର ~
‘ବାମଦେବ ସଂହିତା’ ଏକ ପ୍ରାଚୀନ ଗ୍ରନ୍ଥ, ଯେଉଁ ଗ୍ରନ୍ଥରେ ମହାଦେବୀ ପାର୍ବତୀଙ୍କ ଜିଜ୍ଞାସାର ଉତ୍ତର ଦେବାକୁ ଯାଇ ସ୍ବୟଂ ବାମଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ସଂପୂର୍ଣ୍ଣ ବିବରଣୀ ମାହାତ୍ମ୍ୟ ବର୍ଣ୍ଣନ କରିଛନ୍ତି। ପରଂବ୍ରହ୍ମ ମହାବିଷ୍ଣୁଙ୍କର ଆୟୁଧ ଚାରି। ଶଙ୍ଖ ଚକ୍ର ଗଦା ଓ ପଦ୍ମ। ଏହି ଚାରୋଟି ଯାକ ଆୟୁଧକୁ ଭୂପୃଷ୍ଠକୁ ନିକ୍ଷେପ କରି ସେ ଚାରିଗୋଟି ଉତ୍ତମ କ୍ଷେତ୍ର ପ୍ରତିଷ୍ଠା କରିଥିଲେ। ସେଥିମଧ୍ୟରୁ ପୁରୁଷୋତ୍ତମ କ୍ଷେତ୍ରରେ ଶଙ୍ଖ, ବିରଜାକ୍ଷେତ୍ରରେ ଗଦା, ଏକାମ୍ରରେ ଚକ୍ର ଓ କୋଣାର୍କରେ ପଦ୍ମ ପଡ଼ିଥିଲା। ସେହି ଅନୁସାରେ ଏକାମ୍ର ଚକ୍ରକ୍ଷେତ୍ର, କୋଣାର୍କ ପଦ୍ମକ୍ଷେତ୍ର, ବିରଜା ଅର୍କକ୍ଷେତ୍ର ଓ ପୁରୀ ଶଙ୍ଖକ୍ଷେତ୍ର ଭାବରେ ପରିଚିତ।
ଶ୍ରୀଜଗନ୍ନାଥ ସଂସ୍କୃତିର ଆଧାର ଗ୍ରନ୍ଥ ଭାବରେ ପରିଚିତ ‘ସ୍କନ୍ଦପୁରାଣ’ର ବର୍ଣ୍ଣନ ଅନୁସାରେ ଏହି ପୁରୀ କ୍ଷେତ୍ରର ଭୌଗୋଳିକ ଆକାର ଏକ ଦକ୍ଷିଣାବର୍ତ୍ତ ଶଙ୍ଖ ସଦୃଶ। “ସୀମା ପ୍ରତୀଚୀ କ୍ଷେତ୍ର ଶଙ୍ଖାକାରସ୍ୟ ମୂର୍ଦ୍ଧନ।” ଦଶ ଯୋଜନ ବିସ୍ତୃତ ଏହି ପୁରୀ କ୍ଷେତ୍ର ତୀର୍ଥରାଜ ସମୁଦ୍ର ସଲୀଳରୁ ଉତ୍‌ଥିତ ହୋଇ ସୁବର୍ଣ୍ଣ ବାଲୁକାରାଶି ଦ୍ବାରା ସମାବେଷ୍ଟିତ ଏବଂ ଏହାର ମଧ୍ୟ ସ୍ଥଳ ବୃହତ୍‌ ନୀଳ ପର୍ବତ ଦ୍ବାରା ପରିଶୋଭିତ। ଶଙ୍ଖର ଉଦର ଭାଗଟି ସମୁଦ୍ର ଜଳରେ ନିମଗ୍ନ।
ଏହି ଶଙ୍ଖର ନାଭି ଦେଶରେ ଶତଦଳ କମଳଯୁକ୍ତ ରତ୍ନସିଂହାସନ ଉପରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସିଂହାସନ ଉପରେ ଆରୂଢ। ଏହା ବ୍ୟତୀତ କେତେକ ପୁରାଣର କଥା ଅନୁସାରେ ବିଷ୍ଣୁଙ୍କ ହସ୍ତରେ ମୃତ୍ୟୁ ବରଣ କରିଥିବା ଏକ ଦୈତ୍ୟ ‘ଶଙ୍ଖାସୁର’ର ନାମାନୁସାରେ ଏହି କ୍ଷେତ୍ରର ନାମ ଶଙ୍ଖକ୍ଷେତ୍ର ହୋଇଛି।
(ସଂଗୃହୀତ)
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago