ଉପସ୍ଥାପନା: ପ୍ରଦୀପ କୁମାର ମହାନ୍ତି
~ ପରମ ତୀର୍ଥକ୍ଷେତ୍ର ପୁରୀ ~
ପୁରୀ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର ନାମରେ ଖ୍ୟାତ। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ହେଉଛନ୍ତି ଏହି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ । ଏହି କ୍ଷେତ୍ରରେ ଚାରିଗୋଟି ଆଶ୍ରମ ବା ଚତୁଃଶ୍ରମ, ପାଞ୍ଚଗୋଟି ତୀର୍ଥ ବା ପଞ୍ଚତୀର୍ଥ, ସାତଗୋଟି ବଟବୃକ୍ଷ ବା ସପ୍ତବଟ, ଆଠଗୋଟି ହନୁମାନ ବା ଅଷ୍ଟ ମହାବୀର, ଆଠଗୋଟି ଶିବ ମନ୍ଦିର ବା ଅଷ୍ଟଶମ୍ଭୁ, ଆଠଗୋଟି ଦେବୀ ମନ୍ଦିର ବା ଅଷ୍ଟଦେବୀଙ୍କ ସହ ଶତାଧିକ ମନ୍ଦିର ଓ ମଠ ରହିଛନ୍ତି।
ସ୍କନ୍ଧପୁରାଣ ଅନ୍ତର୍ଗତ ଉତ୍କଳଖଣ୍ଡ ଅନୁଯାୟୀ ଏହି ପୁରୀ କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍ଖକ୍ଷେତ୍ର କୁହାଯାଏ। ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ। ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।
ଶଙ୍ଖକ୍ଷେତ୍ରର ମଧ୍ୟଭାଗରେ ଅବସ୍ଥିତ ପୁରୀ କ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର। ଏହି ଶଙ୍ଖାକାରା କ୍ଷେତ୍ରର ମୂର୍ଦ୍ଧନୀ ହେଉଛି ପଶ୍ଚିମ ସୀମା। ନୀଳକଣ୍ଠ (ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ) ଏହି ଶଙ୍ଖର ଅଗ୍ରଭାଗରେ ଅବସ୍ଥାନ କରୁଛନ୍ତି। ଶଙ୍ଖର ନାଭିଦେଶରେ ରୋହିଣୀ କୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ। ଅର୍ଦ୍ଧାଶିନୀ ଶଙ୍ଖର ମଧ୍ୟଭାଗରେ ଅବସ୍ଥାନ କରୁଛନ୍ତି। ନୀଳଗିରି ଏହି ପୁରୀ କ୍ଷେତ୍ରରେ ଶୋଭାପାଉଛି। ଏହି ନୀଳାଗିରି ପୁରିଷୋତ୍ତମ ଜଗନ୍ନାଥଙ୍କ ନିବାସସ୍ଥଳ।
ପ୍ରାୟ ଦୁଇଶହ ବର୍ଷ ପୂର୍ବେ ବଡ଼ଦେଉଳ ଓ ଗୁଣ୍ଡିଚାବାଡି ମଧ୍ୟରେ ବାଙ୍କୀମୁହାଣ ନଦୀ ପ୍ରବାହିତ ହେଉଥିଲା। ବର୍ତ୍ତମାନ ଯାହାକୁ ଶରଧାବାଲି କୁହାଯାଉଛି ତାହା ପୂର୍ବେ ନଦୀର ଗର୍ଭ ଥିଲା । ରଥଯାତ୍ରାରେ ଦୁଇସାରୀ ରଥ ତିଆରି ହେଉଥିଲା ଏବଂ ନଦୀର ପ୍ରତ୍ୟେକ ତୀରରେ ସାରିଏ ରଥ ରହୁଥିଲା। ଏହି ବାଙ୍କୀ ମୁହାଣ ନଦୀ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି। ବାଙ୍କୀମୁହାଣ ନଦୀ, ମିଟିଆଣି ନଦୀ ଓ ମଙ୍ଗଳା ନଦୀ, ଏହି ତିନୋଟି ନଦୀ ପୁରୀ ନଗରୀକୁ ପୂର୍ବେ ତିନିଆଡୁ ବେଢି ରହିଥିଲା ଏବଂ ଅନ୍ୟ ଦିଗରୁ ସାଗର ବେଢି ରହିଥିଲା। ତେଣୁ ପୁରୀ କ୍ଷେତ୍ରଟି ଦ୍ୱୀପପରି ଦେଖାଯାଉଥିଲା।
~ ଶଙ୍ଖକ୍ଷେତ୍ର ~
‘ବାମଦେବ ସଂହିତା’ ଏକ ପ୍ରାଚୀନ ଗ୍ରନ୍ଥ, ଯେଉଁ ଗ୍ରନ୍ଥରେ ମହାଦେବୀ ପାର୍ବତୀଙ୍କ ଜିଜ୍ଞାସାର ଉତ୍ତର ଦେବାକୁ ଯାଇ ସ୍ବୟଂ ବାମଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ସଂପୂର୍ଣ୍ଣ ବିବରଣୀ ମାହାତ୍ମ୍ୟ ବର୍ଣ୍ଣନ କରିଛନ୍ତି। ପରଂବ୍ରହ୍ମ ମହାବିଷ୍ଣୁଙ୍କର ଆୟୁଧ ଚାରି। ଶଙ୍ଖ ଚକ୍ର ଗଦା ଓ ପଦ୍ମ। ଏହି ଚାରୋଟି ଯାକ ଆୟୁଧକୁ ଭୂପୃଷ୍ଠକୁ ନିକ୍ଷେପ କରି ସେ ଚାରିଗୋଟି ଉତ୍ତମ କ୍ଷେତ୍ର ପ୍ରତିଷ୍ଠା କରିଥିଲେ। ସେଥିମଧ୍ୟରୁ ପୁରୁଷୋତ୍ତମ କ୍ଷେତ୍ରରେ ଶଙ୍ଖ, ବିରଜାକ୍ଷେତ୍ରରେ ଗଦା, ଏକାମ୍ରରେ ଚକ୍ର ଓ କୋଣାର୍କରେ ପଦ୍ମ ପଡ଼ିଥିଲା। ସେହି ଅନୁସାରେ ଏକାମ୍ର ଚକ୍ରକ୍ଷେତ୍ର, କୋଣାର୍କ ପଦ୍ମକ୍ଷେତ୍ର, ବିରଜା ଅର୍କକ୍ଷେତ୍ର ଓ ପୁରୀ ଶଙ୍ଖକ୍ଷେତ୍ର ଭାବରେ ପରିଚିତ।
ଶ୍ରୀଜଗନ୍ନାଥ ସଂସ୍କୃତିର ଆଧାର ଗ୍ରନ୍ଥ ଭାବରେ ପରିଚିତ ‘ସ୍କନ୍ଦପୁରାଣ’ର ବର୍ଣ୍ଣନ ଅନୁସାରେ ଏହି ପୁରୀ କ୍ଷେତ୍ରର ଭୌଗୋଳିକ ଆକାର ଏକ ଦକ୍ଷିଣାବର୍ତ୍ତ ଶଙ୍ଖ ସଦୃଶ। “ସୀମା ପ୍ରତୀଚୀ କ୍ଷେତ୍ର ଶଙ୍ଖାକାରସ୍ୟ ମୂର୍ଦ୍ଧନ।” ଦଶ ଯୋଜନ ବିସ୍ତୃତ ଏହି ପୁରୀ କ୍ଷେତ୍ର ତୀର୍ଥରାଜ ସମୁଦ୍ର ସଲୀଳରୁ ଉତ୍‌ଥିତ ହୋଇ ସୁବର୍ଣ୍ଣ ବାଲୁକାରାଶି ଦ୍ବାରା ସମାବେଷ୍ଟିତ ଏବଂ ଏହାର ମଧ୍ୟ ସ୍ଥଳ ବୃହତ୍‌ ନୀଳ ପର୍ବତ ଦ୍ବାରା ପରିଶୋଭିତ। ଶଙ୍ଖର ଉଦର ଭାଗଟି ସମୁଦ୍ର ଜଳରେ ନିମଗ୍ନ।
ଏହି ଶଙ୍ଖର ନାଭି ଦେଶରେ ଶତଦଳ କମଳଯୁକ୍ତ ରତ୍ନସିଂହାସନ ଉପରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସିଂହାସନ ଉପରେ ଆରୂଢ। ଏହା ବ୍ୟତୀତ କେତେକ ପୁରାଣର କଥା ଅନୁସାରେ ବିଷ୍ଣୁଙ୍କ ହସ୍ତରେ ମୃତ୍ୟୁ ବରଣ କରିଥିବା ଏକ ଦୈତ୍ୟ ‘ଶଙ୍ଖାସୁର’ର ନାମାନୁସାରେ ଏହି କ୍ଷେତ୍ରର ନାମ ଶଙ୍ଖକ୍ଷେତ୍ର ହୋଇଛି।
(ସଂଗୃହୀତ)
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago