ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
~ ମୃଗତୃଷ୍ଣା ଶବ୍ଦ ଓ ଓଡ଼ିଆ ଭାଷା~
ମୃଗତୃଷ୍ଣା ଶବ୍ଦଟି ଓଡ଼ିଶାର ଅନେକ ଲୋକେ ଜାଣି ନଥାଇ ପାରନ୍ତି କିନ୍ତୁ ଯେଉଁମାନେ ସାହିତ୍ୟିକ ଵା ସାହିତ୍ୟ ସମ୍ବନ୍ଧରେ ଜ୍ଞାନ ରଖନ୍ତି ସେମାନେ ଏ ଶବ୍ଦକୁ ନିଶ୍ଚିତ ଭାବରେ ଜାଣିଥିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି ବହୁଵ୍ରୀହି ସମାସ ଆଧାରରେ ମୃଗର ଯାହା ତୃଷ୍ଣା ଜନ୍ମାଏ ଏହି ଅର୍ଥରେ ସୃଷ୍ଟି ହୋଇଅଛି । Mirage ଅର୍ଥରେ ମୃଗତୃଷ୍ଣିକା, ମୃଗତୃଟ୍, ମୃଗତୃଷ୍ମା ଓ ମୃଗତୃଷ୍ଣି ଆଦି ଶବ୍ଦ ମଧ୍ୟ ଵ୍ୟଵହାର ହୋଇଥାଏ ।
ମୃଗତୃଷ୍ଣା ଶବ୍ଦଟି ଓଡ଼ିଆ ଭାଷାରେ ଗୋଟିଏ ସାହିତ୍ୟିକ ଶବ୍ଦ ଭାବେ ଵ୍ୟଵହୃତ ହୋଇଥାଏ ଏଵଂ କଥିତ ଓଡ଼ିଆ ଭାଷାରେ ସେତେ ଵ୍ୟଵହାର ହୋଇନଥାଏ । ଜଗନ୍ନାଥ ଦାସ ତ ଓଡ଼ିଆ ଭାଗଵତରେ ଏ ଶବ୍ଦକୁ ଅନେକ ଥର ଵ୍ୟଵହାର କରିଛନ୍ତି, ଯଥା—
ଏ ଦୁଃଖ-ସୁଖ-ରୂପ-ଗର୍ତ୍ତେ ।
ଵିଷୟା-ମୃଗତୃଷ୍ଣା ପଥେ ।।
(ଚତୁର୍ଥ ସ୍କନ୍ଧ)
କ୍ଷୁଧାପୀଡି଼ତ ଯେବେ ହୋଇ ।
ନିଷ୍ଫଳ-ଵୃକ୍ଷକୁ ଧାମଇଁ ।।
କେବେ ଵା ମୃଗତୃଷ୍ଣା ଦେଖି ।
ତୃଷାରେ ଧାମଇଁ ନିରେଖି ।।
(ପଞ୍ଚମ ସ୍କନ୍ଧ)
ତୋ ମାୟା-ସଂସାର-ସାଗରେ ।
ସ୍ୱପ୍ନ ମୃଗତୃଷ୍ଣା ପ୍ରକାରେ ।
(ସପ୍ତମ ସ୍କନ୍ଧ)
ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟ ।
ଏଣେ ଆମ୍ଭର ନାହିଁ କାର୍ଯ୍ୟ ।
(ଦଶମ ସ୍କନ୍ଧ)
ଚିଲିକା ଖଣ୍ଡକାଵ୍ୟରେ ମୃଗତୃଷ୍ଣା ଶବ୍ଦର ପ୍ରୟୋଗରେ କଵିଵର ରାଧାନାଥ ରାୟ ଲେଖିଲେ
“ବସ୍ତୁ ନୁହଇ ସେ ଅଟଇଟି ଧୂମ,
ଅନ୍ୟନାମ ତାର ଆକାଶ କୁସୁମ,
ତୋହରି ପୁଳିନେ ମୃଗତୃଷ୍ଣା ପ୍ରାୟେ,
ମନ ମୃଗକୁ ସେ ଜଗତ ଭ୍ରମାଏ ।”
ସ୍ଵଭାଵକଵି ଗଙ୍ଗାଧର ମେହେର ତପସ୍ଵିନୀ କାଵ୍ୟରେ ଏ ଶବ୍ଦର ଵ୍ୟଵହାରରେ ଲେଖିଛନ୍ତି
“ସୁଖ-ଵିଷୟ-ଭୋଗ ତୃଷ୍ଣାର ପରି
ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ,
ତୂଳା ଉଡ଼ିଲା ତେଜି ଶାଳଳୀ ତରୁ;
କୃପଣ ଧନ କାଳେ ଉଡ଼େ ଖାତରୁ ।।”
‘ନିର୍ଝରିଣୀ’ରେ ନନ୍ଦକିଶୋର ବଳ ମଧ୍ୟ ମୃଗତୃଷ୍ଣା ଶବ୍ଦ ପ୍ରୟୋଗ କରିଛନ୍ତି
“ଵିରାଟ ସେ ଦେଶ ନ ମିଳେ ଜଳ
ହସି ମୃଗତୃଷ୍ଣା ଦେଖାଏ ଛଳ।”
ସୂର୍ଯ୍ୟକିରଣରେ ହେଉଥିଵା ଜଳଭ୍ରମକୁ ଇଂରାଜୀରେ Mirage ତଥା କଥିତ ଓଡ଼ିଆ ଭାଷାରେ ଖରାନାଚ କୁହାଯାଏ ‌। କେହି କେହି ଭାରତୀୟ ଭାବନ୍ତି ଯେ ଇଂରାଜୀର Mirage ଶବ୍ଦଟି ମରୀଚିକା ଶବ୍ଦରୁ ଗୃହୀତ କିନ୍ତୁ ଏହା ଏକ ଭ୍ରମ ଧାରଣା । ପ୍ରକୃତରେ Mirage ଶବ୍ଦଟି ଫ୍ରେଞ୍ଚ୍ ଭାଷାରୁ ନିଆଯାଇଛି ଏଵଂ mirer +ତଥା -age ଶବ୍ଦ ଯୁକ୍ତ କରି ଏ ଶବ୍ଦ ସୃଷ୍ଟି ହୋଇଛି । mirerର ଅର୍ଥ ଝଅଟ୍ ଦେଖିଵା ତଥା ଅନେଇ ରହିଵା ଓ -age ଏକ ଫ୍ରେଞ୍ଚ୍ ପ୍ରତ୍ୟୟ ଯାହା କାର୍ଯ୍ୟ କରିଵା ଅର୍ଥରେ ଆଗେ ପ୍ରୟୋଗ ହେଉଥିଲା ।
ତେବେ ଓଡ଼ିଶାରେ ମୃଗତୃଷ୍ଣା ଅପେକ୍ଷା ମରୀଚିକା ସହିତ ଅନେକ ଲୋକ ପରିଚିତ । ମୃଗତୃଷ୍ଣାକୁ ମରୀଚିଜଳ ଓ ମରୀଚିତୋୟ ମଧ୍ୟ କୁହାଯାଏ ଏଵଂ ଏ ସବୁ ଶବ୍ଦ ମଧ୍ୟରେ ଥିବା ମରୀଚି ଶବ୍ଦର ଅର୍ଥ କିରଣ ଅଟଇ । ଗ୍ରୀଷ୍ମକାଳରେ ଜଳଶୂନ୍ୟ ବାଲୁକାମୟ ମରୁଭୂମିରେ ପ୍ରଖର ସୂର୍ଯ୍ୟରଶ୍ମି ପତିତି ଓ ପ୍ରତିଫଳିତ ହୋଇ ତାହା ଦୂରରୁ ସ୍ବଚ୍ଛ ଜଳାଶୟ ପରି ପ୍ରତୀୟମାନ ହୁଏ । ତୃଷାର୍ତ୍ତ ମୃଗମାନେ ଓ ପିପାସାରେ ଶୁଷ୍କକଣ୍ଠ ପଥିକମାନେ ଜଳପାନ ଆଶାରେ ତଦ୍‌ଭିମୁଖରେ ଯେତିକି ଯେତିକି ଧାଵମାନ ହେଉଥାନ୍ତି, ତାହା ତେତିକି ତେତିକି ଦୂରକୁ ଘୁଞ୍ଚିଯିଵା ପରି ଦେଖା ଯାଉଥାଏ । ଫଳତଃ ଅଵଶେଷରେ ଉକ୍ତ ହତଭାଗ୍ଯ ଜୀଵ ଵା ଜୀଵଗଣ କ୍ଳାନ୍ତ ଓ ପିପାସାର୍ତ୍ତ ହୋଇ ମରିଯାଆନ୍ତି । ଏଥିପାଇଁ ପ୍ରଲୋଭନ ଵା ଵୃଥା ଆଶାକୁ ଲୋକେ ମୃଗତୃଷ୍ଣା ମରୀଚିକା ଵା ଖରାନାଚ ସଙ୍ଗେ ତୁଳନା କରିଥାନ୍ତି । ଫଳତଃ ଆମ ଭାଷାରେ ମୃଗତୃଷ୍ଣା ଶବ୍ଦଟି ଲକ୍ଷଣାର୍ଥ ଵୃଥା ଆଶା ଦେଖାଇଵାର ଛଳନା ଅର୍ଥରେ ସୁଦ୍ଧା ଵ୍ୟଵହାର ହୋଇଥାଏ ।
ଆଉ ଏକ ପ୍ରକାରର ମରୀଚିକା ରହିଛି । ଏହି ଧରଣର ମରୀଚିକାକୁ ମୃଗତୃଷ୍ଣା ନକହି ଚନ୍ଦ୍ରାଭାସ (ଚନ୍ଦ୍ର+ଆଭାସ) କୁହାଯାଏ । ଚନ୍ଦ୍ର ପରି ଆକାଶରେ ବେଳେ ବେଳେ ଦେଖାଯିଵା ଆଭାସକୁ ଚନ୍ଦ୍ରାଭାସ କୁହାଯାଏ । ସାଧାରଣତଃ ଏଭଳି ଆଭାସ ମେରୁ ପ୍ରଦେଶରେ ବରଫ ପ୍ରତିଫଳନ ଯୋଗୁଁ ହୋଇଥାଏ । ଏଥିଯୋଗୁଁ ଦୁଇଟି ଚନ୍ଦ୍ର ଵା ଦୁଇଗୋଟି ସୂର୍ଯ୍ୟ ଆକାଶରେ ଥିଵା ପ୍ରତୀତ ହୋଇଥାଏ ।‌
ପୁଣି ମେରୁପ୍ରଦେଶର Aurora Borealis ଵା Northern Lights ଭଳି ସାମୟିକ ଆଲୋକପୁଞ୍ଜ ମେରୁଜ୍ଯୋତିକୁ ସଂସ୍କୃତ ଗ୍ରନ୍ଥମାନଙ୍କରେ ଗନ୍ଧର୍ଵପୁର , ଗନ୍ଧର୍ଵନଗର ,ଗଗନପୁର, ହରିଶ୍ଚନ୍ଦ୍ରପୁର ଓ ଖପୁର କଳ୍ପନା କରାଯାଇଛି ଏମନ୍ତକି ମହାଭାରତରେ ମଧ୍ୟ ଏହାକୁ ଗନ୍ଧର୍ଵମାନଙ୍କର ଵାସସ୍ଥାନ ଅଭିହିତ କରାଯାଇଛି । ସୂର୍ଯ୍ୟଠାରୁ ନିର୍ଗତ ଜୀଵନହାରିଣୀ ସୌରତରଙ୍ଗ(ପ୍ରକୃତରେ ଏହା ଦୁଇଧାରିଆ ଖଣ୍ଡା କାରଣ ସୌରତରଙ୍ଗ ସୌରମଣ୍ଡଳକୁ ପ୍ରଵେଶ କରିଵାକୁ ଚେଷ୍ଟା କରୁଥିଵା ଗାମା ରେଡିଏସନ୍ ଭଳି ଵିଷାକ୍ତ ତତ୍ତ୍ଵକୁ ସୌରଜଗତଠାରୁ ଦୂରେଇ ରଖେ ତେଣୁ ଏହା ଏକ ଦୃଷ୍ଟିରୁ ଜୀଵନଦାୟିନୀ ମଧ୍ୟ) ସହ ପୃଥିଵୀର ଚୁମ୍ବକୀୟ ଵଳୟର ସଂଘର୍ଷ ଯୋଗୁଁ ଏହା ସୃଷ୍ଟି ହୋଇଥାଏ । ପୃଥିଵୀରେ ଏଭଳି ଅନେକ ମିଥ୍ୟା ଆଭାସ ଵା Mirage ରହିଛି ଯାହା ଦେଖିଦେଲେ ଅନେକେ ଭୟଭୀତ ହୋଇଯାଆନ୍ତି । Fata Morgana ନାମକ ମିଥ୍ୟା ଆଭାସ ସମୁଦ୍ର ତଥା ମରୁଭୂମି ମଧ୍ୟରେ ଦୃଶ୍ୟ ହୋଇଥାଏ । ଏହା ଏକ ଜାତୀୟ superior mirage ଓ ଭୟଙ୍କର । ଇଂଲଣ୍ଡରେ ଲୋକପ୍ରିୟ ଆର୍ଥର ଦନ୍ତକଥାର ନକାରାତ୍ମକ ଚରିତ୍ର Morgan le Fayର ନାମ ଆଧାରରେ ଏହି ଜାତୀୟ ମିଥ୍ୟା ଆଭାସର ନାମକରଣ ହୋଇଛି । ସେହିପରି Sundog, Brocken Spectre, Magnetic Hill, Light Pillars, Water Sky, Green Flash, Omega Sun ଭଳି ଅନେକାନେକ Mirage ରହିଛି ଏଵଂ ଏଭଳି ଅନେକ ମିଥ୍ୟା ଆଭାସ ବହୁତ ଵିରଳ ଯାହା ଅନେକ ମାନଵ ନିଜ ଜୀଵନକାଳରେ କେବେ ଦେଖିନାହାନ୍ତି ।
ଏଯାଵତ୍ ଆଲୋଚନାରୁ ଆମେ ଜାଣିଲେ ଯେ ଅନେକ ଜାତୀୟ Mirage ଵା ମରୀଚିକା ଅଛି ଵା ଏ ପୃଥିଵୀପୃଷ୍ଠରେ ମନୁଷ୍ୟାଦି ଜୀଵଙ୍କୁ ଦୃଶ୍ୟ ହୋଇଥାଏ ତେବେ ମରୁମରୀଚିକା ଵା ଖରାନାଚକୁ ମୃଗତୃଷ୍ଣା କାହିଁକି କୁହାଯାଏ ?
ପୁରାଣରେ ଅଛି ଯେ ଗୋଟିଏ ଶଶକ ଗଳ୍ପାନ୍ତରରେ ମୃଗ ତୃଷ୍ଣାର୍ତ୍ତ ହୋଇ ମରୀଚିକା ଭ୍ରମରେ ଚନ୍ଦ୍ରଙ୍କୁ କିମ୍ବା ଚନ୍ଦ୍ରକିରଣ ଆଭାସିତ ମରୁପ୍ରାନ୍ତରକୁ ଗୋଟିଏ ଜଳାଶୟ ବୋଲି ମନେକରି ଜଳ ପାନ କରିଵାପାଇଁ ଦଉଡ଼ି ଦଉଡ଼ି ଯାଇ ଦେଖିଲା ଯେ ସେଠାରେ ପାଣି ନାହିଁ। ଏହା ଦେଖି ଶଶକର ହଂସା ଉଡ଼ିଗଲା ଓ ସେ ମରିଗଲା। ତାଙ୍କଠାରେ ଆଶା ରଖି ଶଶକ ପ୍ରାଣ ହରାଇଥିଵାରୁ ସେହି ଶଶକଟି ଛନ୍ଦ୍ରଙ୍କ ଦେହରେ କଳଙ୍କରୂପ ଲାଗିରହିଲା ଏବଂ ସେହିଦିନଠାରୁ ଚନ୍ଦ୍ର ଶଶାଙ୍କ ହେଲେ। ଏହି କାହାଣୀକୁ ଉପଲକ୍ଷ କରି ଚନ୍ଦ୍ରାଭାସ ଓ ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶବ୍ଦଗୁରୁ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ମହାଶୟ ଅନୁମାନ କରିଅଛନ୍ତି । କିନ୍ତୁ, ତୃଷ୍ଣା ଶବ୍ଦ ସହିତ ଅନ୍ୟ କୌଣସି କାରଣରୁ ମଧ୍ୟ ମୃଗ ଶବ୍ଦ ଲାଗିଥାଇପାରେ କି ? କ’ଣ ମୃଗ ଶବ୍ଦର ହରିଣ ଛଡ଼ା ଅନ୍ୟ କୌଣସି ଅର୍ଥରେ ମଧ୍ୟ ଵ୍ୟଵହାର ରହିଛି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମୃଗ ଶବ୍ଦର ହରିଣ,ପଶୁ, ଯେକୌଣସି ଜନ୍ତୁ, ପ୍ରାର୍ଥନା; ଯାଚ୍ଞ୍ଜା ଵା ଭିକ୍ଷା,କପାଳରେ ଶୁଭ୍ର ଚିହ୍ନଯୁକ୍ତ ଥିଵା ହସ୍ତୀ,ଵୈଷ୍ଣଵମାନଙ୍କ କପାଳରେ ଧୃତ ତିଳକଚିହ୍ନର ପ୍ରକାର ଭେଦ (ଏହା ହରିଣ ଶିଙ୍ଗ ପରି ଦୋକନା), ମାର୍ଗଶୀର୍ଷ ମାସ, ମୃଗଶିରା ନକ୍ଷତ୍ର, ମକର ରାଶି, ଏକ ଜାତୀୟ ଯଜ୍ଞଵିଶେଷ, ମୃଗନାଭି ଵା କସ୍ତୂରୀ, ଅନ୍ବେଷଣ, ତତ୍ତ୍ବାନୁସନ୍ଧାନ, ଶିକାର ଵା ମୃଗୟା ଓ ବିନ୍ଦୁ ଶାସ୍ତ୍ର ଵର୍ଣ୍ଣିତ ଚାରି ଜାତିର ପୁରୁଷ ମଧ୍ୟରୁ ଏକ ଜାତି ଆଦି ଅର୍ଥ ଉଲ୍ଲେଖ ରହିଛି ।
ସମ୍ଭଵତଃ ମୃଗ ଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥ ମଧ୍ୟରେ ଅନ୍ବେଷଣ ଵା ତତ୍ତ୍ବାନୁସନ୍ଧାନ ଅର୍ଥକୁ ଗ୍ରହଣ କରି ତାହା ତୃଷ୍ଣା ଶବ୍ଦ ସହିତ ଯୁକ୍ତ କରାଯାଇ ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ । ଏମନ୍ତ ହୋଇପାରେ ଯେ ନିଜର ତୃଷ୍ଣା ମେଣ୍ଟାଇଵା ପାଇଁ ମରୁଭୂମି ମଧ୍ୟରେ ଜଳର ଅନୁସନ୍ଧାନ କରୁଥିଵା କୌଣସି ମୃଗକୁ ଦେଖି ଵା କଳ୍ପନା କରି କେହି ଏଭଳି ଏକ ଶବ୍ଦ ସୃଷ୍ଟି କରିଥିଲେ ଏଵଂ ତାହା ପରଵର୍ତ୍ତୀ କାଳରେ ଏକ ସର୍ଵଭାରତୀୟ ଶବ୍ଦରେ ପରିଣତ ହୋଇପାରିଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago