ଲେଖା: ବନ୍ଧନ ଦଳାଇ
ପ୍ରାଚୀନ ପୁରାଣ ଶାସ୍ତ୍ରାଦିରେ ଉଲ୍ଲେଖ ଅଛି ଯେ, ସମଗ୍ର ପୃଥିବୀରେ ଶ୍ରୀପୁରୁଷୋତ୍ତମ ସଦୃଶ ପୂଣ୍ୟ କ୍ଷେତ୍ର ବିରଳ। ଉତ୍କଳ ଭୂଖଣ୍ଡର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅବସ୍ଥିତି ଯୋଗୁଁ ଏହି କ୍ଷେତ୍ର ଏକ ଆଧ୍ୟାତ୍ମିକ ତୀର୍ଥସ୍ଥଳୀ ଭାବେ ବିଶ୍ୱବ୍ରହ୍ମାଣ୍ଡରେ ସୁପରିଚିତ। ଏପରିକି ଦାରୁବ୍ରହ୍ମସ୍ୱରୁପୀ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସର୍ବଜନାଦୃତ ହୋଇ ଅତ୍ୟନ୍ତ ପବିତ୍ରସ୍ଥଳ ରୂପେ ସ୍ମରଣାତୀତ କାଳରୁ ସ୍ୱୀକୃତ ହୋଇଆସିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜା, ଉତ୍ସବ ଇତ୍ୟାଦିର ବ୍ୟାପକତା ଅତୁଳନୀୟ। ଶ୍ରୀଜଗନ୍ନାଥ ମନ୍ଦିରରେ ବାରମାସରେ ତେରଯାତ୍ରା ପାଳିତ ହୁଏ ବୋଲି ଭକ୍ତକବି ବନମାଳୀ ଦାସ ‘ବାରମାସେ ତେରଯାତ ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ’ ବୋଲି ମୁକ୍ତକଣ୍ଠରେ ମହାପ୍ରଭୁଙ୍କ ପାଦପଦ୍ମରେ ଦଇନି କରିଛନ୍ତି ।
ଅନେକ ପର୍ବପର୍ବାଣି ଓ ଯାନିଯାତ୍ରା ବାର, ତିଥି, ପ୍ରଭୃତିକୁ ନେଇ ଶ୍ରୀମନ୍ଦିରରେ ପାଳନ କରାଯାଉଥିବାର ଲକ୍ଷ୍ୟ କରାଯାଏ। ତନ୍ମଧ୍ୟରୁ ପ୍ରସିଦ୍ଧ ଦ୍ୱାଦଶଯାତ୍ରା ହେଲା– ସ୍ନାନ, ରଥ, ଶୟନ, ଦକ୍ଷିଣାୟନ, ପାର୍ଶ୍ୱପରିବର୍ତ୍ତନ, ଉତ୍ଥାନ, ପ୍ରାବରଣ ଷଠୀ, ପୁଷ୍ୟାଭିଷେକ, ଦୋଳ, ଦମନକ, ଅକ୍ଷୟତୃତୀୟା ଓ ଚନ୍ଦନଯାତ୍ରା ।
କୋଟି ବ୍ରହ୍ମାଣ୍ଡ ଠାକୁରଙ୍କ ସେବା କରିବାପାଇଁ ଅନେକ ପ୍ରକାରର ସେବା ରହିଅଛି ତନ୍ମଧ୍ୟରୁ “ଦେବଦାସୀ/ଭିତରଗାଆଣୀ/ମାହାରୀ” ସେବା ଅନ୍ୟତମ, ଦୁର୍ଭାଗ୍ୟ ର କଥା ଯେ, ଏବେ ତାହା ବିଲୁପ୍ତି ପ୍ରାୟ।
ଶ୍ରୀମନ୍ଦିର ସ୍ୱତ୍ତଲିପିରୁ ଜଣାଯାଏ ଯେ, ସେତେବେଳେ ଅର୍ଥାତ୍ ୧୯୫୦ରୁ ୧୯୫୫ ମସିହା ମଧ୍ୟରେ ସର୍ବମୋଟ ୯ଜଣ ଭିତର ଗାଆଣୀ ଦେବଦାସୀ ଶାଢୀବନ୍ଧା ସେବା କରୁଥିଲେ। ଏହି ଦେବଦାସୀ ସେବିକାମାନେ ଶ୍ରୀମନ୍ଦିରରେ ନିମ୍ନ ପ୍ରକାରେ କାର୍ଯ୍ୟ କରୁଥିଲେ ଯଥା, ସକାଳଧୂପ ପଟୁଆର ବେଳେ ଜଗମୋହନଠାରେ ନୃତ୍ୟ କରିବେ। ବଡସିଂହାର ଭୋଗପରେ ଶୟନ ଠାକୁର ଭିତରକୁ ବିଜେକଲେ କଳାହାଟ ଦ୍ୱାର ଲଣ୍ଡାବର୍ତ୍ତଠାରେ ଠିଆ ହୋଇ ଗୀତଗୋବିନ୍ଦ ଗାଇବେ। ଶୟନଠାକୁର ବିଜେ ହୋଇ ଆସିବା ପରେ ଏମାନେ ଆଗେ ଆଗେ ଗୀତ ବୋଲିବେ। ଠାକୁର ଭିତରକୁ (ଗମ୍ଭୀରାକୁ)ଯିବା ପର୍ଯ୍ୟନ୍ତ ଜୟବିଜୟ ଦ୍ୱାରଠାରେ ଗୀତ ଗାଇବେ ।