ଲେଖା: ରବୀନ୍ଦ୍ର କୁମାର ରଣା

ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନ ଠାରୁ ମାତ୍ର ୩ କି.ମି. ଦୂର ଡ଼ିଆ ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ କପିଳେଶ୍ଵର ମହାଦେବ ମନ୍ଦିର । ଗାଁ ଠାରୁ ଟିକେ ଦୂରରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ ।

ମନ୍ଦିର ପରିବେଶ ଯେତିକି ସୁନ୍ଦର ଏହାର ନୀତିକାନ୍ତି ଓ ପୂଜା ପରମ୍ପରା ତାଠାରୁ ବେଶୀ ବିଚିତ୍ର । ଏହି ଠାକୁରଙ୍କର ମୁଖ୍ୟପର୍ବ ହେଉଛି ଅଶୋକାଷ୍ଟମୀ । ଭୁବନେଶ୍ୱରର ଲିଙ୍ଗରାଜ ଦେବ ଏବଂ ଡି଼ଆ ଗ୍ରାମର କପିଳେଶ୍ୱର ଦେବଙ୍କ ପୀଠରେ ଏକା ତିଥି ଅଶୋକାଷ୍ଟମୀରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ, କିନ୍ତୁ ଉଭୟ ପୀଠରେ ବହୁ ପାର୍ଥକ୍ୟ ରହିଛି । ଲିଙ୍ଗରାଜ ଦେବଙ୍କ ରୁକୁଣାରଥ ଅଣଲେଉଟା ହୋଇଥାଏ, ମାତ୍ର କପିଳେଶ୍ୱର ଦେବଙ୍କର ରଥ ଲେଉଟିଥାଏ ତାହା ପୁଣି ଅର୍ଦ୍ଧରାତ୍ରରେ । ଖାଲଖମା ବିଲରାସ୍ତା ଓ ଶ୍ମଶାନ ମଧ୍ୟ ଦେଇ ଭକ୍ତମାନେ ଟାଣି ଟାଣି ନେଇଥାନ୍ତି ସେ ରଥକୁ । ପୁରୀ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରର ଅଶୋକାଷ୍ଟମୀ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରୁ ଚନ୍ଦନକାଠ, ଆଜ୍ଞାମାଳ, ପାଟପତନୀ, ଯାତ୍ରାପାହୁଣା ଆଦି ପଠାଯିବାର ବିଧି ମାଦଳାପାଞ୍ଜି ରେ ଉଲ୍ଲିଖିତ ରହିଛି । ଏହି ପ୍ରାଚୀନ ପରମ୍ପରା ଏବେ ମଧ୍ୟ ପ୍ରଚଳିତ । ଅଶୋକାଷ୍ଟମୀ ତିଥିରେ ପ୍ରଭୁ କପିଳେଶ୍ୱର ରଥାରୂଢ ହୋଇ ଯାତ୍ରା ଆରମ୍ଭ କରିଥିବା ବେଳେ ଦ୍ଵାଦଶ ତିଥିରେ ହୋଇଥାଏ ବାହୁଡ଼ା ଯାତ୍ରା


ଆଉ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ ଏଠାରେ ହରିହର ଭେଟ ସମୟରେ, ସାଧାରଣତଃ ସବୁ ସ୍ଥାନରେ ମହାଦେବଙ୍କ ସହ ବିଷ୍ଣୁଙ୍କ ମଧ୍ୟରେ ହରିହର ଭେଟ ହୋଇଥାଏ କିନ୍ତୁ ଏଠାରେ ମହାଦେବଙ୍କ ସହ ମହାଦେବଙ୍କ ଭେଟ ହୋଇଥାଏ । ଏଠାରେ କପିଳେଶ୍ୱର ଦେବଙ୍କର ସହିତ ନିକଟସ୍ଥ ଗ୍ରାମର ଗ୍ରାମେଶ୍ୱର ମହାଦେବଙ୍କ ସହ ହୋଇଥାଏ ହରିହର ଭେଟ । ପରେ ଦୁଇ ଠାକୁର ଏକତ୍ର ରଥାରୂଢ ହୋଇ ଯାତ୍ରା କରନ୍ତି ।


କେତେକ ଐତିହାସିକଙ୍କ ମତ ଯେ ମହାଦେବଙ୍କ ଏହି ପୀଠ ବାସ୍ତବରେ ପ୍ରଥମେ ଏକ ଶକ୍ତିପୀଠ ଥିଲା । ତନ୍ତ୍ର ସାଧନାର ଏହା ଏକ ପ୍ରାଚୀନ ପୀଠ ଅଟେ । କାରଣ ଏହି ମନ୍ଦିରରେ ଚାମୁଣ୍ଡାଙ୍କ ସହିତ ବୈଷ୍ଣବୀ ଏବଂ ମହିଷାମର୍ଦ୍ଦିନୀ ପାର୍ଶ୍ଵଦେବୀ ଭାବରେ ପୂଜିତ ହୁଅନ୍ତି । ମୂଳ ମନ୍ଦିରର ଉତ୍ତର ଦିଗରେ ଅନ୍ୟ ଏକ ମନ୍ଦିରରେ ଏହି ତିନି ଦେବୀ ଗୋଟିଏ ଆସ୍ଥାନରେ ବିରାଜମାନ । ସାଧାରଣତଃ ମହାଦେବଙ୍କ ପୀଠରେ ଏପରି ତିନି ଦେବୀ ପାର୍ଶ୍ଵଦେବୀ ଭାବରେ ପୂଜିତ ହେବା ବିରଳ । ଏହା ଏକ ଶୈବପୀଠ ହେଲେ ମଧ୍ୟ ଦେବୀ ମାନଙ୍କ ପାଖରେ ଆମିଷ ଭୋଗ ଓ ବଳିପ୍ରଥା ରହିଛି । ଆଉ ମଧ୍ଯ ଏହି ଶୈବ ପୀଠ ନିକଟରେ ଶ୍ମଶାନ ରହିଛି । ସାଧାରଣତଃ ତନ୍ତ୍ର ସାଧନାର ନୀତିକାନ୍ତି ପ୍ରାୟ ରାତିରେ ହିଁ ହୋଇଥାଏ । ତେବେ ଏଠାରେ ରାତିରେ ରଥଟଣା ପରମ୍ପରା ହୁଏ, ଏହା ତନ୍ତ୍ରପୀଠକୁ ଅଧିକ ଦୃଢ଼ୀଭୂତ କରୁଛି ।


ଏବେ ଏଠାରେ ଥିବା ଏହି ସୁନ୍ଦର ମନ୍ଦିରଟି ଗଜପତି କପିଳେଶ୍ୱର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା କୁହାଯାଏ । ଗଜପତି ପ୍ରଥମେ ଏଠାରେ ମହାଶକ୍ତିଙ୍କୁ ଆରାଧନା କରୁଥିଲେ, ପରେ ଏଠାରେ ପାତାଳଫୁଟା ହୋଇ ମହାଦେବ ଉଭା ହେବା ପରେ ଏଠାରେ ଶିବ ମନ୍ଦିରଟି ନିର୍ମାଣ ହୋଇଥିଲା । ପ୍ରାଚୀନ କିମ୍ବଦନ୍ତୀ ଓ ଇତିହାସର ପୃଷ୍ଠଭୂମି ବହନ କରୁଥିବା ଏହି କପିଳେଶ୍ଵର ମନ୍ଦିର ବାସ୍ତବରେ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago