ଲେଖା: ଦେଵ ତ୍ରିପାଠୀ
ଲୋକପ୍ରିୟ ଚଳଚ୍ଚିତ୍ର ‘ଡ଼ନ୍’ରେ ଚଳଚ୍ଚିତ୍ର ଜଗତର ମହାନାୟକ ଅମିତାଭ ବଚ୍ଚନଙ୍କ ଅଭୁଲା ନୃତ୍ୟ ଓ ଅଭିନୟ ଭରା ଗୀତ ‘ଖାଇ କେ ପାନ୍ ଵନାରସ ବାଲା . . ‘ ସହିତ ଓଡ଼ିଆ ସିନେପ୍ରେମୀ ନିଶ୍ଚିତ ଭାବେ ପରିଚିତ । ତେବେ ବନାରସୀ ପାନ ବୋଲି ଯେଉଁ ଏଡେ ନାଁ ର ଡାକ ସେ ପାନର ସ୍ବାଦିଷ୍ଟ ମସଲା ଉତ୍ତର ଭାରତର କେଉଁଠୁ ଆହରଣ କରା ଯାଉନା କାହିଁକି ସେଇ ବନାରସୀ ପାନର ବିକ୍ରେତା ପାନପତ୍ର ପାଇଁ କିନ୍ତୁ ନିର୍ଭର କରନ୍ତି ଆମ ଗଞ୍ଜାମର ପାନଚାଷୀଙ୍କ ଉପରେ ! ଅବଶ୍ୟ ଗତ ଦୁଇ ତିନି ଦଶନ୍ଧି ଭିତରେ ବିଭିନ୍ନ ପ୍ରାକୃତିକ ଓ (ଅ)ମାନବିକ କାରଣରୁ ବନାରସୀ ପାନବିକ୍ରେତା ଗଞ୍ଜାମ ଆଡୁ ଧ୍ୟାନ ହଟାଇ ସାରିଛନ୍ତି ।
ତେବେ ବିଭିନ୍ନ ପ୍ରକାରର ମସଲା ଉଦ୍ଭାବନ ଓ ପ୍ରସ୍ତୁତି କରି ବ୍ରହ୍ମପୁରୀ ପାନ ପାନପ୍ରିୟ ଓଡ଼ିଆଙ୍କ ସଉକ ମେଣ୍ଟାଇ ଆସୁଥିବା ବେଳେ ଶତାବ୍ଦୀ ଶତାବ୍ଦୀ ଧରି କଟକୀପାନର ରହିଆସିଛି ରାଜକୀୟ ଇତିହାସ; ସ୍ବତନ୍ତ୍ର ପ୍ରଜାତିର ପାନ ଚାଷ କରି ଜଗତସିଂହପୁର ଜିଲ୍ଲା ନିଜର ପରିଚୟ ସୃଷ୍ଟି କରିପାରିଥିବା ବେଳେ ପୁରୀ ଜିଲ୍ଲାର ପାନ ଯୋଡ଼ି ହୋଇପାରିଛି ଓଡ଼ିଆଙ୍କ ଇଷ୍ଟଦେବତାଙ୍କ ସେବାନୀତି ସହିତ । ସର୍ବୋପରି ବାଲେଶ୍ଵର ଜିଲ୍ଲା ରଚିଛି ପାନଚାଷ ବିଜଡ଼ିତ ଲୋମହର୍ଷଣକାରୀ ମୁକ୍ତିସଂଗ୍ରାମର ମହାର୍ଘ ଇତିହାସ ।
ଓଡିଆ ଜନଜୀବନରେ ଏଇ ପାନ ବା ତାମ୍ବୁଳ ସେବନର ବିଧି ପ୍ରାଚୀନ ଓ ବିବିଧ । ଏଇଠି ମନେପଡ଼େ କୋଣାର୍କ ଦେଉଳ ଗଢଣ ବେଳର କଥାଟିଏ ।
ତନ୍ମୟ ଶିଳ୍ପୀ ଗଢିଚାଲିଛି ମୃଣ୍ମୟ ସୁନ୍ଦର ମୂର୍ତ୍ତି । ନିବିଷ୍ଟ ନୟନଯୁଗଳ ତା’ର ପଥର ଉପରେ ସ୍ଥିର । ଚଳଚଞ୍ଚଳ ନିହଣ ମୁଗୁର । କପାଳରେ ସ୍ବେଦ, ଶରୀର ଘର୍ମାକ୍ତ । କ୍ଲାନ୍ତି ହଟାଇବା ଲକ୍ଷ୍ୟରେ ହାତ ତା’ର ଲମ୍ବିଯାଏ ପଛକୁ । ଶିଳ୍ପୀ ହାତରେ ଶ୍ରଦ୍ଧାରେ ଭାଙ୍ଗିଥିବା ସ୍ବାଦିଷ୍ଟ ପାନଟିଏ ବଢାଇ ଦିଅନ୍ତି କଳାପିପାସୁ ମହାରାଜା ଲାଙ୍ଗୁଳା ନରସିଂହଦେବ ।
ରାଜା ଲାଙ୍ଗୁଳା ନରସିଂହ ଦେବ ସ୍ନେହରେ ପାନବଟୁଆ ଧରି ପାନ ଭାଙ୍ଗି ବ୍ୟସ୍ତ ଶିଳ୍ପୀଙ୍କ ମନୋରଞ୍ଜନ କରୁଥିବା ଏ ଘଟଣା ପଛରେ ପାନର ଉପସ୍ଥିତି ସତରେ କେତେ ସାଂସ୍କୃତିକ ।
ପ୍ରେମାସ୍ପଦା ନାୟିକା ପ୍ରେମିକକୁ ପାନ ଦେଇ ମାନଭଞ୍ଜନ କରିବାଠାରୁ ଆରମ୍ଭ କରି ଓଡ଼ିଆ ଜାତିର ନିତିପୂଜ୍ୟ ଜଗନ୍ନାଥଙ୍କ ତାମ୍ବୁଳ ସେବନର ବିଧି ସତରେ ଅନନ୍ୟ ।
ଆମ ସାହିତ୍ୟ, ସଂସ୍କୃତି, ଜୀବନ, ଜୀବିକାରେ ପାନ ପ୍ରାଣପ୍ରାୟ ଉପସ୍ଥିତ । ‘ଆ କା ମା ବୈ, ଗୁଆ ପାନ ଖାଇ’ ବୋଇତବନ୍ଦାଣର ମାର୍ମିକ ଅଭିବ୍ୟକ୍ତି ଠାରୁ ବିବାହବେଦୀ ପୂଜାପାର୍ବଣ, ବ୍ରତୋପଚାରରେ ପାନର ଶୁଭଙ୍କର ଉପସ୍ଥିତି ସଦା ଅପରିହାର୍ଯ୍ୟ ।
ପାନ କେବଳ ଆମର ଧର୍ମ, ସଂସ୍କୃତି ସହିତ ଜଡ଼ିତ ନୁହେଁ, ବରଂ ବେଶି ବ୍ୟବସାୟର କେନ୍ଦ୍ର । ଆମ ରାଜ୍ୟର କେତେ କେତେ ମୁଲକରେ ପାନଚାଷର ଦିଗବଳୟ । ଲାଭକ୍ଷତି, ହତାଶା ଓ ଉଲ୍ଲାସରେ ମଗ୍ନ ପାନବରଜୀଙ୍କ ଜୀବନ, ଜୀବିକା ଓ ସଂଘର୍ଷର କାହାଣୀ ପଛରେ ପାନଚାଷର ପ୍ରଣାଳୀ ଓ ରୋଜଗାରର ପନ୍ଥା ଆଜି ବି ଚର୍ଚ୍ଚାର ବିଷୟ । ବିଶେଷ କୌତୁକର ବିଷୟ ବେକାରୀ ଜୀବନର ଛାୟା ପାନଦୋକାନ ଏବେ ମଧ୍ୟ ଓଡ଼ିଆ ପୁଅର ଗୌରବ ।
ଲତାଟିଏକୁ ଆଶ୍ରା କରି ଯେ ଏକ ସଂସ୍କୃତିର ମହାଦ୍ରୁମ ମୁଣ୍ଡ ଟେକେ ଏହା କ’ଣ କମ୍ ପ୍ରେରଣାପ୍ରଦ !
ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା’ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି’ ଖଣ୍ଡ ଭାଙ୍ଗିନେବେ ।
ମୁଁ ଯେମିତି ମୋ ଘରକୁ ଅତିଥି ଆସିଲେ ମୋ ରୁଚି ଓ ମନକୁ ତାଙ୍କ ଉପରେ ଲଦି ଦେଇ ପାରିବି ନାହିଁ, ସେମିତି ମୁଁ କାହାରି ଘରକୁ ଗଲେ ମୋ ରୁଚି ଓ ମନକୁ କାହା ପାଇଁ ବଳିଦେଇ ପାରିବି ନାହିଁ !
ଇଏ ହେଉଛି ବଟୁଆର ସଂସ୍କୃତି, ବଟୁଆର ଶିକ୍ଷା, ଏଇ ହେଲା ପ୍ରଜାତନ୍ତ୍ର, ଗଣତନ୍ତ୍ର ! ଓଡ଼ିଆ ବଟୁଆ କହେ, ପ୍ରଜାର ହିତ ପାଇଁ, ପ୍ରଜାର ବୈଶିଷ୍ଟ୍ୟ ରକ୍ଷା ପାଇଁ ହିଁ ଶାସକଗୋଷ୍ଠୀ, ନିଜର ହିତ ଓ ନିଜର ସ୍ବାଧୀନତା ପାଇଁ ନୁହେଁ ! ଇଏ ହିଁ ପ୍ରଜାତନ୍ତ୍ର ଶାସନର ଅସଲ ମୂଳମନ୍ତ୍ର !
ଦିନେ କିନ୍ତୁ ଓଡ଼ିଆର ସେଇ ପାନବଟୁଆରେ କାହାରି ନଜର ଲାଗିଗଲା ପରା ! ଓଡ଼ିଆ ଘୃଣା କରିବସିଲା ତା’ ବଟୁଆକୁ, ବଟୁଆ ସଂସ୍କୃତିକୁ, ସଭ୍ୟତାର ଦ୍ୱାହି ଦେଇ ! ପଛକୁ ପକାଇଦେଲା ତା’ ଜାତିର ବୈଶିଷ୍ଟ୍ୟକୁ, ଭୁଲିଗଲା ତା’ ଜାତିର ବାହାଦୂରୀକୁ, ହଜାଇଦେଲା ତା’ କାରିଗରୀକୁ ! ସେଇ ‘ଓଡିଶା’ ଆଉ ଓଡ଼ିଶା ହୋଇ ରହିଲାନି !
ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…
ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…
ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…