ଲେଖା: ଦେଵ ତ୍ରିପାଠୀ

ଦିନ ଥିଲା ! ସଦାଭାଇବ୍ରାଣ୍ଟ ରେଶମନଗରୀ ବ୍ରହ୍ମପୁରଠାରୁ ୩୨କି.ମି. ଦୂର ଉତ୍ତର-ପୂର୍ବ ଋଷିକୂଲ୍ୟା ନଦୀତୀରର ସାମାନ୍ୟ ଉପର ପଟେ ଅବସ୍ଥିତ ବନ୍ଦରଟି ଦେଇ ଦିନେ ପାଟଲୁଗା, ଶାଢ଼ୀ, ହାତୀଦାନ୍ତ, ମଖମଲି କନା, ନଡ଼ିଆ ପ୍ରମୁଖ ସାମଗ୍ରୀ ଉତ୍କଳ ଭୂମିରୁ ରପ୍ତାନି ହେଉଥିଲା ! ଇଣ୍ଡୋନେସିଆ, ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବ୍ରହ୍ମଦେଶ ଆଦି ଦେଶ ଅଭିମୁଖେ ଯାତ୍ରା କରୁଥିଲେ ଓଡ଼ିଆ ସାଧବପୁଅର ଶତ ଶତ ବାଣିଜ୍ୟିକ ଗୋରାପ ! ମହାନ ଗ୍ରୀକ୍ ଐତିହାସିକ ତଥା ଗବେଷକ ଟଲେମି ଆଙ୍କିଥିଲେ ଆର୍ଯ୍ୟାବର୍ତ୍ତର ପୂର୍ବାଞ୍ଚଳର ମାନଚିତ୍ର, ଏଇ ବନ୍ଦରକୁ କେନ୍ଦ୍ର କରି ! ମାନଚିତ୍ରରେ ବନ୍ଦରର ନାମ ଦେଇଥିଲେ ପଲାଭରା ବା ପାଲୋରା ! ସମୟାନ୍ତରେ ଅପଭ୍ରଂଶ ହୋଇ ନାମ ରହିଗଲା ପାଲୁରୁ !

ଟଲେମିଙ୍କ ଲେଖନୀମୂନରେ ଗୌରବମଣ୍ଡିତ ହେବା ବ୍ୟତୀତ ଏଇ ବନ୍ଦରର ମଧ୍ୟ ରହିଛି ଅନ୍ୟ ଏକ ମହିମାନ୍ୱିତ ଐତିହାସିକ ଗାଥା ! ଭଗବାନ ବୁଦ୍ଧଙ୍କର ଏକ ପବିତ୍ର ଦାନ୍ତକୁ ତତ୍କାଳୀନ ରାଜା ବ୍ରହ୍ମଦତ୍ତ ସ୍ତୂପ ମଧ୍ୟରେ ସୁରକ୍ଷିତ କରି ରଖିଥିଲେ । ପରବର୍ତ୍ତୀ ସମୟରେ ରାଜା ଗୁହଶିବ ସେଇ ପବିତ୍ର ଦାନ୍ତକୁ ବୈଦେଶିକ ଶତ୍ରୁମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ କନ୍ୟା ହେମମାଳା ଓ ଜାମାତା ଦନ୍ତକୁମାରଙ୍କ ହାତରେ ପାଲୁରୁବନ୍ଦରରୁ ସିଂହଳଦେଶକୁ ପ୍ରେରଣ କରିଥିଲେ, ସେଇ ଦନ୍ତ ଅଧୁନା ସିଂହଳର କାଣ୍ଡେ ଠାରେ ପୂଜା ପାଉଛନ୍ତି !


ଦନ୍ତକୁ ସ୍ତୂପରେ ପୁରାଇ ରଖିଥିବା କାରଣରୁ ଟଲେମିଙ୍କ ପାଲୁରୁ, ବୌଦ୍ଧଜାତକ ଗୁଡ଼ିକରେ ଦନ୍ତପୁରା ନାମରେ ପରିଚିତ । ଅନନ୍ୟ ବୌଦ୍ଧଗ୍ରନ୍ଥ ‘ଦିଗନିୟଲର୍ ମହାଗୋବିନ୍ଦ ସୂତାନ୍ତ’ ମଧ୍ୟ ଏ ନାମକୁ ପ୍ରମାଣିତ କରେ ! ଜୈନମାନେ ମଧ୍ୟ କଳିଙ୍ଗରାଜା ଦନ୍ତବକ୍ରଙ୍କର ରାଜଧାନୀ ହିଁ ‘ଦନ୍ତପୁରା’ ବୋଲି ଅଭିହିତ କରିଥା’ନ୍ତି !

ମହାଭାରତରେ ବର୍ଣ୍ଣିତ ‘ଦନ୍ତକୁରା’ ହିଁ ଆଜିର ଦନ୍ତପୁର ବୋଲି ଶାସ୍ତ୍ରବିଦ୍ ମତ ଦିଅନ୍ତି । ଚୀନ୍ ପରିବ୍ରାଜକ ହୁଏନସାଂଙ୍କ ଐତିହାସିକ ବିବରଣୀ ଅନୁଯାୟୀ ପାଲୁରୁ ଅଞ୍ଚଳରୁ ପ୍ରଚୁର ପରିମାଣରେ ହାତୀଦାନ୍ତ ବିଦେଶକୁ ରପ୍ତାନୀ କରାଯାଉଥିବାରୁ ଏହି ଅଞ୍ଚଳର ନାମ ଦନ୍ତପୁରା ।

ତେବେ ଦୁଃଖର କଥା ଯେ, ‘ଦନ୍ତପୁର’ ପରି ଗାମ୍ଭୀର୍ଯ୍ୟପୂର୍ଣ୍ଣ ନାମଟି ଥାଉ ଥାଉ ପ୍ରଭାବୀ ତେଲୁଗୁବାସୀଙ୍କ ଯୋଗୁଁ ବନ୍ଦରର ନାମ ପାଲୁରୁ ଭାବେ ପ୍ରଚଳିତ ରହିଆସିଛି ! ଅବଶ୍ୟ ତେଲୁଗୁରେ ‘ପାଲୁ’ର ଅର୍ଥ ଦାନ୍ତ ଏବଂ ‘ଊରୁ’ ଶବ୍ଦର ଅର୍ଥ ପୁର । ଏସବୁ ବ୍ୟତୀତ ଅଞ୍ଚଳଟିର ଅନ୍ୟ ଏକ ଆକର୍ଷଣୀୟ ଅଥଚ ଅବ୍ୟବହୃତ ନାମ ରହିଛି ରାମଗଡ଼ ବୋଲି !

ଏବେ ଦନ୍ତପୁର ଅବା ପାଲୁରୁ କେବଳ ଏକ ନିରୁତା ସ୍ମୃତି ! ବ୍ୟବସାୟିକ ସାମଗ୍ରୀର ପ୍ରୟୋଜନ ହ୍ରାସ, ନଦୀମୁହାଣ ବାଲିରେ ପୋତି ହୋଇଯିବା, ରାଜନୀତିକ ଇଚ୍ଛାଶକ୍ତିର ଅଭାବ ଆଦିରୁ ଦନ୍ତପୁର ବନ୍ଦରର କୌଣସି ସଙ୍କେତ ଆଜି ଦେଖିବାକୁ ମିଳେନା ! ତେବେ ସେଇ ସ୍ମୃତିବିଜଡ଼ିତ ଅଞ୍ଚଳର ଶେଷ ସନ୍ତକ ଭାବେ ଆଜି ବିରାଜମାନ “ଗଜେନ୍ଦ୍ର ଦେବ” ଉପାଧିଧାରୀ ରାଜବଂଶ !


ପ୍ରଜାବତ୍ସଳ ଏବଂ ସଂସ୍କୃତିପ୍ରେମୀ ଶାସକ ଭାବେ ସୁନାମ ଅର୍ଜିଥିବା ଏଇ ବଂଶର ମହାରାଜା ଚନ୍ଦ୍ରଶେଖର ଗଜେନ୍ଦ୍ର ଦେବଙ୍କ ସମୟରେ ରାଜ୍ୟରେ କଳା ସଂସ୍କୃତି, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଚର୍ମ ବିକାଶ ସାଧିତ ହୋଇଥିଲା । ଜଗନ୍ନାଥ ମନ୍ଦିର, ମଦନମୋହନ ମନ୍ଦିର, ସ୍ବପ୍ନେଶ୍ୱର ମନ୍ଦିର ଆଦି ଏବେ ମଧ୍ୟ ମହାନ ରାଜବଂଶର ଗାରିମା ବଖାଣେ ! ତେବେ ଅତ୍ୟନ୍ତ ପ୍ରାଚୀନ ବାଟେଶ୍ୱର ଏବଂ ଅଁଳେଶ୍ୱର ମନ୍ଦିରଦ୍ଵୟ ବନ୍ଦର ତଥା ନୌବାଣିଜ୍ୟର ମୁକସାକ୍ଷୀ ଭାବେ ବିରାଜମାନ ।

କିମ୍ବଦନ୍ତୀ କହେ, ମହାରାଜା ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନ କାଳରେ ଡେରା ପକାଇଥିଲେ ଏଠାରେ । ଏପରି ସମୟରେ ରାଜା ପୁରୁଷୋତ୍ତମ ଏବଂ ଦନ୍ତପୁର ରାଜା ଆନନ୍ଦଶୂର ଦେବ ଉଭୟେ ଏକ ମତ୍ତହସ୍ତୀକୁ ବଧ କରିଥିଲେ । ଯୁଦ୍ଧରୁ ଫେରନ୍ତା ସମୟରେ ପୁନଃ ରହଣି କାଳରେ ଆନନ୍ଦଶୂରଙ୍କୁ ଗଜେନ୍ଦ୍ର ଦେବ ଉପାଧିରେ ଭୂଷିତ କରିଥିଲେ । ଏବେ ମଧ୍ୟ ମତ୍ତହସ୍ତୀକୁ ବଧ କରାଯାଇଥିବା ସ୍ଥାନକୁ ଲୋକେ ହାତୀପଲା ବୋଲି କହିଥାନ୍ତି ।

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

7 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago