ଲେଖା: ଶିଶିର ମନୋଜ ସାହୁ
~ ହଜିଯାଉଛି ଆମ ପରମ୍ପରା: ହାଣ୍ଡିଧୁଡୁ଼କା~
ଆମ ଅଞ୍ଚଳରେ ଵିଵାହୋତ୍ସଵ ଅଵସରରେ ହାଣ୍ଡିଧୁଡୁ଼କା ବୋଲି ଏକ ପରମ୍ପରା ପୂର୍ଵେ ଵିଶେଷ ଭାବରେ ପ୍ରଚଳିତ ଥିଲା ।
ହାଣ୍ଡିଧୁଡୁ଼କା ଵିଵାହ ଚତୁର୍ଥୀ ପରଦିନ କରାଯାଇଥାଏ । ଏହିଦିନ ବରର ଭଉଣୀ ଵା ଭାଉଜ ଗୋଟାଏ ହାଣ୍ଡିରେ ଖପରା ଓ ପାଉଁଶ ରଖି ଖଡ଼ ଖଡ଼ ଵା ଧଡ଼ ଧଡ଼ କରି “ମାଛ ନଵ ମାଛ“ କହି ମାଛ ବିକିଵାର ଅଭିନୟ କରନ୍ତି । ସେତେବେଳେ ଘରେ ଥିଵା ଵୟସ୍କ ଵ୍ୟକ୍ତି ଓ ବନ୍ଧୁମାନେ ମଧ୍ଯ ମାଛ କିଣିଵାର ଅଭିନୟକରି ଵିନା ମାଛରେ ମାଛ ଦାମ୍ କିଛି କିଛି ପଇସା ଦେଇଥାନ୍ତି । ସେ ପଇସାରେ ଘରେ ଥିବା ବନ୍ଧୁ ବାନ୍ଧବଙ୍କ ପାଇଁ ମାଛ ତରକାରୀ କରାଯାଏ । ତେବେ ମାଛର ମୂଲ୍ୟ ଆକାରରେ ଟଙ୍କା ମିଳିଵା ପରେ ହାଣ୍ଡିକୁ ଭାଙ୍ଗି ଦିଆଯାଏ ଏଵଂ ହାଣ୍ଡି ଭିତରେ ଥିଵା ପାଉଁଶ ଫିଙ୍ଗାଫିଙ୍ଗି ହୋଇ ଦିଅର ଭାଉଜ ଶଳା ଶାଳୀ ଜ୍ବାଇଁ ଓ ଗ୍ରାମର ଅନ୍ୟ ଭାଣ୍ଡେଇ ଲୋକମାନେ ପାଉଁଶ ଖେଳ ଖେଳନ୍ତି । ଏ ହାଣ୍ଡିଧୁଡୁ଼କା ପରମ୍ପରା ଅଧୁନା ଅତ୍ୟାଧୁନିକ Marriage Reception ପରମ୍ପରା ଯୋଗୁଁ ଢେଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର ଆଦି ଜିଲ୍ଲାର ଗ୍ରାମାଞ୍ଚଳରୁ ଲୁପ୍ତ ହୋଇଯାଇଅଛି ।
ତେବେ ଓଡ଼ିଶାର ଦକ୍ଷିଣରେ ଏବେ ବି ଏହିପରି ଗୋଟେ ପରମ୍ପରା ବଞ୍ଚି ରହିଥିଵା ସ୍ଥାନୀୟ ଲୋକଙ୍କ ଠାରୁ ଜାଣିଵାକୁ ମିଳେ ।
ଦକ୍ଷିଣ ଓଡ଼ିଶାରେ ଵିଶେଷତଃ ସଂସ୍କୃତି ସମ୍ପନ୍ନ ଗଞ୍ଜାମ ଜିଲ୍ଲାରେ ଵିଵାହର ପଞ୍ଚମ ଦିନ କିମ୍ବା ସପ୍ତମ ଦିନ ଶାଗ ମାଛ ହୁଏ ।ଝିଅ ଘରୁ ଶାଗ ଆଉ ମାଛ ଆସିଲେ ନଵଵିଵାହିତା ଵୋହୂ ତାହା ରୋଷେଇ କରି ଦିଏ । (ଢେଙ୍କାନାଳରେ ଆଜିକାଲି ହାଣ୍ଡିଧୁଡୁକାର ସ୍ମୃତି ଭାବରେ କେଵଳ ଏହି ମାଛ ରୋଷେଇ ପରମ୍ପରା କେତେକ ଅଞ୍ଚଳରେ ବଞ୍ଚି ରହିଛି ।)
ଢେଙ୍କାନାଳ ହେଉ ଵା ଗଞ୍ଜାମ ଵିଵାହର ଚତୁର୍ଥୀ ପର ଦିନ ହେଉଥିଵା ମାଛ ରନ୍ଧା ପରମ୍ପରା ପ୍ରକୃତରେ ଵୋହୂର ରୋଷେଇ ଘର ପ୍ରଵେଶର ସାମାଜିକ ଵିଧି ଅଟେ ।
। ଦକ୍ଷିଣ ଓଡ଼ିଶାରେ ଵିଵାହର ଚତୁର୍ଥୀ ପର ଦିନ ହିଁ ପୁଅ ବୋହୂ ଉଭୟ ବେଦିକୁ ପୁଣିଥରେ ଯାଆନ୍ତି। ଏବେ କିନ୍ତୁ ଆଉ ବ୍ରାହ୍ମଣର କୌଣସି କାର୍ଯ୍ୟ ନଥାଏ ।ସେଠି ବେଦୀ ଖୁଣ୍ଟ ଶିତଳା ହୁଏ। ପରେ ଭାଉଜମାନେ ଆଉ ଅପା ଭଉଣୀ ମାନେ ବୋହୁ ପୁଅକୁ କୁମ୍ଭ ପାଣିରେ ବେଦୀ ଉପରେ ସ୍ନାନ କରାନ୍ତି।ଏ ସମୟରେ ରଙ୍ଗ ଖେଳ ହୁଏ।ପୁଣି ଭଉଣୀ ଆଉ ଭାଉଜମାନେ ସେ ବେଦୀ ମାଟିକୁ ବି ଲେସି ଦିଅନ୍ତି। ବେଳେବେଳେ ଭାଉଜମାନେ ଭୋଜିରୁ ବଳିଥିବା ପଚା ବାଇଗଣ, ଆଉ ପନିପରିବା ସଦ୍ୟ ବିବାହିତ ଗେହ୍ଲା ଦିଅରଙ୍କ ଉପରକୁ ଫୋଫାଡ଼ି ବେଦୀରୁ ବିଦା କରନ୍ତି।
ଵିଵାହ ସମ୍ବନ୍ଧୀୟ ଏହି ଜାତୀୟ ଆମର ଅନ୍ୟ ଏକ ଲୁପ୍ତ ପରମ୍ପରା ହେଉଛି କାଦପାଣି । ପୂର୍ଵେ ଏ ଦେଶରେ “ଵିଵାହର ଚଉଠି ଦିନ ବର ଓ କନ୍ୟା ନଗର ଭ୍ରମଣ କରି ପୋଖରୀରେ ଏକତ୍ର ସ୍ନାନ କରି ଯେଉଁ ଜଳକ୍ରିଡ଼ା କରୁଥିଲେ ଉକ୍ତ ନଗରସ୍ନାନକୁ କାଦପାଣି କୁହାଯାଉଥିଲା । ଅଵଶ୍ୟ ଏ ଯୁଗରେ ଓଡ଼ିଶାରେ ଏଭଳି ପରମ୍ପରା ଆଉ କେଉଁଠି ଚଳୁଥିଵାର ଜଣାଯାଏ ନାହିଁ । ପୁଣି ପ୍ରଥମ ଓଡ଼ିଆ ଭାଷାଵିଦ୍ ଶ୍ରୀ ଗୋପୀନାଥ ନନ୍ଦ ମହାଶୟ କାଦପାଣି ଶବ୍ଦର ଅର୍ଥ “ଵିଵାହର ପଞ୍ଚମ ଦିଵସ” ବୋଲି ଜଣାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖାଅଛି । କଵି ପୀତାମ୍ବରଙ୍କ ଵିରଚିତ ନୃସିଂହ ପୁରାଣରେ ମଧ୍ୟ ଏହି ଅର୍ଥ ଘେନି କାଦପାଣି ଶବ୍ଦ ପ୍ରୟୋଗ ହୋଇଥିଵା ଜଣାଯାଏ ।
“ତେତ୍ତିଶ କୋଟି ଦେଵଙ୍କ କନ୍ୟା ଵିଭା ହେଲା
ଚଉଠି କାଦପାଣି ସାତମଙ୍ଗଳା କଲା। ।”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କାଦପାଣି ଶବ୍ଦର ପରଵର୍ତ୍ତୀ ଅର୍ଥ ବଙ୍ଗାଳୀ ଜାତି ସହିତ ସମ୍ବନ୍ଧିତ । ଏଥିରେ କୁହାଯାଇଛି ଯେ ପୂର୍ଵେ ରଜସ୍ବାଳା ବଙ୍ଗୀୟ ବାଳିକାର ପ୍ରଥମ ରଜୋଦର୍ଶନ ପରେ ଶୁଦ୍ଧସ୍ନାନ ସମୟରେ ପ୍ରତିବେଶିନିମାନଙ୍କ ସଙ୍ଗେ ପାଣିରେ ପଶି କାଦୁଅ ଫୋଫାଡ଼ାଫୋଫାଡ଼ି ହୋଇ ଯେଉଁ ପରସ୍ପର ଆମୋଦ ଵା କ୍ରିଡ଼ା କରିଵା ଉତ୍ସଵ ହେଉଥିଲା ତାକୁ କାଦପାଣି କୁହାଯାଉଥିଲା ।ବଙ୍ଗଦେଶରେ ଦୁର୍ଗାପୁଜାର ତୃତୀୟ ଦିନ ପ୍ରତିଵେଶୀ ଓ ବନ୍ଧୁମାନେ ପାଣିରେ ପଶି ପରସ୍ପର କାଦୁଅ ଫିଙ୍ଗାଫିଙ୍ଗି ହେଵା ପ୍ରଥା ଥିଵା କଥା ତଥା ଏହାକୁ ବି କାଦପାଣି କୁହାଯାଉଥିଲା ବୋଲି ଭାଷାକୋଷରେ ଲେଖାଅଛି ।
ସମ୍ଭଵତଃ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଲାଭ ହେତୁକ କାଦୁଅପାଣିରେ ଗାଧୋଇଵାର ପରମ୍ପରା ପୂର୍ଵ ଭାରତରେ ପ୍ରଚଳିତ ଥିଲା । ତେବେ ଯୁଗ ବଦଳିଛି ଯୁଗକୁ ଧରି ଆମର ଅନେକ ପୁରୁଣା ପରମ୍ପରା ମଧ୍ୟ ଲୁପ୍ତ ହୋଇଯାଇଅଛି । କିନ୍ତୁ ଅଧୁନା ଦେଖାଯାଉଛି ଅନେକ ଧନୀକ ଲୋକେ ଵିଶେଷତଃ ମହିଳାମାନେ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଲାଭ ପାଇଵା ପାଇଁ କାଦୁଅରେ ଗାଧୋଉ ଅଛନ୍ତି ।
ଆମେ ଆମ କାଦପାଣି ଭଳି ପରମ୍ପରା ମଧ୍ୟରେ ଲୁଚି ରହିଥିଵା ଵୈଜ୍ଞାନିକ କାରଣ ହୃଦୟଙ୍ଗମ ନକରି ଛାଡି଼ଦେଉଥିଵା ବେଳେ ତେଣେ ଵିଦେଶରେ କାଦୁଅପାଣିରେ ଗାଧୋଇଵାର ଚାହିଦା ବଢ଼ିଚାଲିଛି ।
ଆଉ ଆଜି ଢେଙ୍କାନାଳର ହାଣ୍ଡିଧୁଡ଼ୁକା, ଗଞ୍ଜାମ ଜିଲ୍ଲାର ଶାଗମାଛ ରନ୍ଧନ ରୂପ ନଵଵଧୂର ରୋଷେଇଘର ପ୍ରଵେଶ ଏଵଂ ସାରା ଭାରତର କାଦପାଣି ସ୍ନାନ ପରମ୍ପରା ଆଧୁନିକ ଯୁଗରେ ନୂଆ ଭାବେ ପ୍ରଚଳିତ Marriage Reception ପରମ୍ପରା ଆଗରେ ବଳିପଡି଼ଯାଇଛି । ଏ ଵିଷୟରେ କହିଲେ କି ପଚାରିଲେ ଲୋକେ କୁହନ୍ତି “ଛାଡ଼ ହୋ ସେ ଅସିଆ କାଳର ମସିହା କଥା କିଏ ମନେ ପକାଉଛି ?” ଦେଖାଶିଖା ଓଡ଼ିଶା ନୀତିରେ ଆମେ ଆମ ପରମ୍ପରା ଓ ସଂସ୍କୃତିକୁ ଛାଡ଼ିଦେଵା ଜାତି ଓ ସମାଜ ପାଇଁ ଆଦୌ ଶୁଭଲକ୍ଷଣ ନୁହେଁ ।
ତଥ୍ୟ: © ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, © Santosh Behera (ଶାଗମାଛ ସମ୍ବନ୍ଧୀୟ ତଥ୍ୟ)
Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago