ହଜିଲା ଦିନର କଥା

ଓଡ଼ିଶାରେ ପାନଚାଷର ପରମ୍ପରା

ଲେଖା: ଦେଵ ତ୍ରିପାଠୀ

ସାରା ଭାରତବର୍ଷରେ କିଏ କେତେ ନାମରେ ଡାକେ । ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଗୁଜରାଟୀ, ପଞ୍ଜାବୀରେ ପାନ କୁହାଯାଏ । ତେଲଗୁରେ ତମାଳପାକୁ, ତାମିଲରେ ଭେଟିଲଇ, ମାଲୟଲାମରେ ଭେଟିଲା କୋଡି, କନ୍ନଡ଼ରେ ଭିଲାୟା ଏଡେ, ମରାଠୀରେ ନାଗବଲ୍ଲୀ । ପାନର ଅନେକ ଶ୍ରୁତିମଧୁର ନାମଗୁଡିକ ମଧ୍ୟରେ ତାମ୍ବୁଳ, ପୂର୍ଣ୍ଣତାମ୍ବୁଳ, ଭୂଜ୍ୟଲତା, ସପ୍ତଲତା, ନାଗବଲ୍ଲୀ ଅନ୍ୟତମ ।

ପାନର ବଂଶ ପରମ୍ପରା ଅନୁଯାୟୀ ପାନର ଉଦ୍ଭିଦିକ ନାମ Piper Betle, କୁଟୁମ୍ବ ବା Family Piperaceae, ଗୋତ୍ର ବା Genes Piper ଏବଂ ଜାତି ବା Species Piper Betle ।

ଗ୍ରୀକ୍ ଐତିହାସିକ ହେରୋଡଟସଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୪୦ ରେ ଦକ୍ଷିଣ ଏସୀୟ ଦେଶ ମାଳୟରେ ହିଁ ପାନର ଜନ୍ମ ହୋଇଥିଲା । ତେବେ ମହାଭାରତ ସମୟରୁ ଆନୁମାନିକ ୮୦୦ – ୩୫୦ ଅବ୍ଦରୁ ପାନ ମୁଖବାସ ରୂପେ ବ୍ୟବହାର ହେଉଥିବା ବିଷୟରେ କେହି କହି ମତ ସାବ୍ୟସ୍ତ କରିଥା’ନ୍ତି । ମହାଭାରତ ସମୟର ବିରାଟ ରାଜବାଟୀର ଭଗ୍ନାବଶେଷ ଆଜି ବାଲେଶ୍ଵର ଜିଲ୍ଲାର ରାଇବଣିଆ ଠାରେ ମୂକସାକ୍ଷୀ ରୂପେ ଦଣ୍ଡାୟମାନ ।

ଆମ ରାଜ୍ୟରେ ପାନଚାଷର ପରମ୍ପରା ଅତି ପ୍ରାଚୀନ । ଏହା ମହୋଦଧି ଉପକୂଳର ଅବିଭକ୍ତ ବାଲେଶ୍ଵର, କଟକ, ଗଞ୍ଜାମ ଓ ପୁରୀ ଚାରୋଟି ଜିଲ୍ଲାରେ ପ୍ରାୟ ୨୦/୨୫କି.ମି. ଅଭ୍ୟନ୍ତର ସ୍ଥଳଭାଗରେ ପ୍ରାୟ ୧୫୦୦୦ ହେକ୍ଟର ଜମିରେ ପାନଚାଷ କରାଯାଉଥିବା କଥା ଅବଶ୍ୟ ଏବେ ଇତିହାସ ।

ମହୋଦଧି ପ୍ରଭାବିତ ଉପକୂଳବର୍ତ୍ତୀ ଜଳବାୟୁ ପାନଚାଷ ପାଇଁ ପୃଥିବୀର ଅନ୍ୟ ଯେ କୌଣସି ଅଞ୍ଚଳର ଜଳବାୟୁ ଠାରୁ ଉତ୍କୃଷ୍ଟ । ଅନ୍ୟ ଅଞ୍ଚଳର ପାନବରଜର ଆୟୁ ୨ – ୩ ବର୍ଷରୁ ଆରମ୍ଭ କରି ୫ – ୧୦ ବର୍ଷ ହୋଇଥିବା ବେଳେ ଆମ ରାଜ୍ୟରେ ପାନବରଜର ହାରାହାରି ପରମାୟୁ ୨୦ – ୩୦ ବର୍ଷ ଏବଂ ସ୍ଥଳବିଶେଷରେ ୪୦ – ୪୫ ବର୍ଷ ହୋଇଥାଏ । ପୁରୁଣା ପାନବରଜର କେବଳ ଦୁଇଟି ପରିଚାଳନାଗତ ମୌଳିକ ସମସ୍ୟା ଦେଖାଯାଇଥାଏ, ଲତାଖସାଇବା ପରେ ମାଟି ବାନ୍ଧିବା, ପାଣି ମଡାଇବା ଓ ଉଚ୍ଚକୁ ମାଡିଯିବା କାରଣରୁ ବାଆବତାସରେ ସାମୟିକ କ୍ଷତି ହେବାର ସମ୍ଭାବନା । ଅନ୍ୟ ପକ୍ଷରେ ସ୍ବଛଳ ସୂର୍ଯ୍ୟାଲୋକ, ସର୍ବଦା ନିଗିଡା ଓ ଆର୍ଦ୍ରାନୁକୁଳ ପରିବେଶ ବରଜ ଯେତେ ପୁରୁଣା ହେଲେ ମଧ୍ୟ ଗୁଣାତ୍ମକ ପାନ ଅଭିବୃଦ୍ଧି ଓ ଉତ୍ପାଦନରେ ସହାୟକ ହୁଏ ।

ସାଧାରଣତଃ ଦୁଇପ୍ରକାରର ପାନ ବିକ୍ରୀ ହୁଏ ଆମ ରାଜ୍ୟରେ । କଞ୍ଚା ଓ ପାଚିଲା ! କଞ୍ଚା ପାନର ରଙ୍ଗ ସବୁଜ ଏବଂ ପାଚିଲା ପାନର ରଙ୍ଗ ହଳଦିଆ ହୁଏ । ତେବେ ଓଡ଼ିଶାରେ ପାଚିଲା ପାନର ବିଶେଷ ଚାହିଦା ନଥିବା ସ୍ଥଳେ ବାଲିଆପାଳ ଓ ଭୋଗରାଇ ଅଞ୍ଚଳରୁ ଏ ପାନ ବାହାର ରାଜ୍ୟରେ ଚଢାଦରରେ ବିକ୍ରୟ ହେଉଥିଲା ।

 

ଆମ ରାଜ୍ୟରେ ପାନର ବିଶେଷତ୍ଵ ଭିନ୍ନ ଭିନ୍ନ । ଆମର ଚାଷ ହେଉଥିବା ପାନକୁ ମୁଖ୍ୟତଃ ସ୍ଥାନି (ଛାଚି ବା ସାରୁଆ) ଓ ମେଳକ ପରି ଦୁଇ ଭାଗରେ ବିଭକ୍ତ କରାଯାଏ ।

ପ୍ରାକୃତିକ ପରିବେଶରେ ଗଛ ଛାଇରେ ମୁଖ୍ୟତଃ ଜୀବନ୍ତ ଅଗସ୍ତି ଗଛରେ ଲଟେଇ ମାଡ଼ୁଥିବା ଛାଚି ପାନ ଅତ୍ୟନ୍ତ ସ୍ୱାଦଯୁକ୍ତ ହୋଇ ଥିଲେ ହେଁ ଅମଳ କମ୍ ହୁଏ । ଗଞ୍ଜାମ ଜିଲ୍ଲାର ଶିକିରି, ବୁରୁପୁଡା, ଗୋଳନ୍ଥରା, ଚିକିଟି ଆଦି ସ୍ଥାନରେ ଏଇ ଛାଚି ପାନ ଚାଷ ହୋଇଥାଏ । ଆମ ରାଜ୍ୟର ପ୍ରାଚୀନ ନଗର ଜୟପୁର ଧାନର ଉତ୍ପତ୍ତିସ୍ଥଳ ପରି ବ୍ରହ୍ମପୁର ନିକଟସ୍ଥ ହିଞ୍ଜିଳିକାଟୁ ପାନର ଉତ୍ପତ୍ତିସ୍ଥଳ ବୋଲି ଉଦ୍ଭିଦବିଜ୍ଞାନୀ, ଐତିହାସିକ ତଥା ସଂସ୍କୃତି ଗବେଷକମାନଙ୍କ ମତ ।

ତେବେ ରାଜ୍ୟର ବହୁଳାଂଶରେ ବହୁ ପରିମାଣରେ ଚାଷ ହେଉଥିବା ମେଳକ ପାନ ମଧ୍ୟ ତିନି ପ୍ରକାରର, ନାଉଆ, ଆଳୁପତ୍ରିଆରାଶିମେଳକ । ରଙ୍ଗ, ଆକାର, ସ୍ବାଦ, ମହକ ଓ ରହିବାଗୁଣ ପାଇଁ ସର୍ବାଧିକ ଆଦରଣୀୟ ରାଶିମେଳକ ପାନକୁ ଅବିଭକ୍ତ କଟକ ଜିଲ୍ଲାର ପାଗା, ମଧୁବନ, ସଙ୍ଗାପୁର ଅଞ୍ଚଳରେ ରାଶିପାନ କୁହାଯାଏ, ଭୋଗରାଇ ଅଞ୍ଚଳର ବିରିକୋଳି, ମାଟିଆଳି, ବାଲିଆପାଳ ଇତ୍ୟାଦି ଅଞ୍ଚଳରେ ଏ ପାନ ବାଲିପାନ ଭାବେ ଖ୍ୟାତ ।

ଚନ୍ଦନପୁର ଅଞ୍ଚଳରେ ହେଉଥିବା ନାଉଆ ଏବଂ ଆଳୁପତ୍ରିଆ ପାନ ସାମାନ୍ୟ ବଡ଼ ଆକାରର, ଗାଢ଼ ସବୁଜ ରଙ୍ଗ, ଲମ୍ବ ଡେମ୍ଫଯୁକ୍ତ, ସାମାନ୍ୟ ରାଗୁଆ ସ୍ବାଦ ଏବଂ ରୋଗସହିବା କ୍ଷମତା କମ୍ ହୋଇଥିଲେ ମଧ୍ୟ ରସୁଆଳ ଏବଂ ଚୋବାଇଲା ପରେ ଦାନ୍ତରେ ଲାଗିରହେ ଏଇ ପାନ ।

ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ ‘ବରଜ’କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ । ତେଣୁ ପାନପତ୍ର ଅତି ସାବଧାନତା ଓ ଯତ୍ନର ସହ ତୋଳାଯାଇଥାଏ ।

ପୁରୁଷାନୁକ୍ରମେ ପାନଚାଷ କରୁଥିବା ଲୋକଙ୍କ ସହିତ ‘ପାନରା‘ ଶବ୍ଦଟି ଲାଗିରହିଥାଏ, ଯେପରି କି, ପାନରା ବ୍ରାହ୍ମଣ, ପାନରା ଖଣ୍ଡାୟତ, ପାନରା ତେଲି, ପାନରା ଧୋବୀ ଇତ୍ୟାଦି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଞ୍ଚଳ ଭିତ୍ତିରେ ପାନର ଗୁଣାତ୍ମକ ମାନ ତଥା ବୈଶିଷ୍ଟ୍ୟ ସମ୍ପୃକ୍ତ ଅଞ୍ଚଳର ସଂସ୍କୃତି, ପରମ୍ପରା ଓ ଅର୍ଥନୀତିକୁ କରିପାରିଛି ବହୁଳ ଭାବରେ ପ୍ରଭାବିତ !

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago