ମା’ ମଙ୍ଗଳା

ଲେଖା: ଦେଵ ତ୍ରିପାଠୀ

“ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା,
ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡରୂପିଣୀ
ଭଟ୍ଟାରିକା ମହାମାୟା ମହାପର୍ବତ ବାସିନୀ
ମଙ୍ଗଳା ସର୍ବଶୁଭଦା ପ୍ରାଚୀନଦୀ ତଟେସ୍ଥିତା,
ଋଷିକୁଲ୍ୟା ତୀରେ ଦେବୀ ତାରିଣୀଂ ଭୟହାରିଣୀ
ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ
ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା
ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା” ।।

ଆମର ଶାସ୍ତ୍ର କହେ, ଶ୍ରୀକ୍ଷେତ୍ରର ଐଶାନ୍ୟ କୋଣରେ ପ୍ରାଚୀତଟରେ ମା’ ମଙ୍ଗଳା, ଚନ୍ଦ୍ରଭାଗା ନଦୀକୂଳରେ ମା’ ରାମଚଣ୍ଡୀ, ଚିତ୍ରୋତ୍ପଳା ବା ମହାନଦୀ କୁଳରେ ମା’ ଭଟ୍ଟାରିକାମା’ ଚର୍ଚ୍ଚିକା, ମହୋଦଧୂ ତଟରେ ମା’ ହରଚଣ୍ଡୀ, ଋଷିକୂଲ୍ୟା ନଦୀ ତଟରେ ମା’ ତାରାତାରିଣୀ , ସାଳିଆ ନଦୀ ତଟରେ ମା’ ଭଗବତୀ ଏବଂ ଭଗବତୀଙ୍କ ମଣ୍ଡଳରେ ମା’ ଉଗ୍ରତାରା ବିରାଜମାନ କରିଛନ୍ତି । ଏହି ଅଷ୍ଟକାଳୀ ଦେବୀଗଣ ଶ୍ରୀକ୍ଷେତ୍ରକୁ ବେଷ୍ଟନ କରି ରହିଛନ୍ତି ରକ୍ଷା କରୁଥିବାରୁ ସେମାନଙ୍କୁ କ୍ଷେତ୍ରପାଳିକା ମଧ୍ୟ କୁହାଯାଏ ।


ଏମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ରର ଐଶାନ୍ୟ କୋଣରେ ବିରାଜିତା ଦେବୀ ମଙ୍ଗଳାଙ୍କ ରହିଛି ଶ୍ରୀ ଜଗନ୍ନାଥଙ୍କ ସହିତ ସୂକ୍ଷ୍ମାତିସୂକ୍ଷ୍ମ ସମ୍ପର୍କ ! ଶ୍ରୀଜଗନ୍ନାଥଙ୍କ ନବକଳେବର ପୂର୍ବରୁ ବନଯାଗ ପଦ୍ଧତିରେ ଦାରୁସଂଗ୍ରହ ନିମିତ୍ତ ତନ୍ତ୍ରଦେବୀ ମହାମଙ୍ଗଳାଙ୍କ ଅନୁଜ୍ଞା ଲୋଡ଼ା ହୁଏ, ଯାହା ଯଯାତିଙ୍କ କର୍ତ୍ତୃକ ପାଳନ ହୋଇଥିବା ଅନୁମେୟ । ମହାରାଜା ଯଯାତିଙ୍କ ଦ୍ଵାରା ସେବକଗଣ ପ୍ରେରିତ ହୋଇ ପ୍ରଥମେ ସ୍ଵପ୍ନରେ ଦାରୁର ସନ୍ଧାନ ପାଇବା ପରେ ବନଯାଗ ପଦ୍ଧତିରେ ଦାରୁ ସଂଗ୍ରହ କରି ଏବଂ ଏହି ଦାରୁରେ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ ହୋଇଥିବାର କଥା ଆମେ ଜାଣୁ ।ଜଗଜ୍ଜନନୀ ମହାମଙ୍ଗଳାଙ୍କର ପୂର୍ବ ଆସ୍ଥାନ ହେଉଛି ମଙ୍ଗଳପୁର ଗ୍ରାମର ଦେଉଳୀମଠ । ପରବର୍ତ୍ତୀ କାଳରେ ସେଠାରୁ ସ୍ଥାନାନ୍ତରିତ ହୋଇ କାକଟପୁର ଗ୍ରାମରେ ବିଜେ ହୋଇଛନ୍ତି । ଦଇତାସେବକ ମାନେ ଶ୍ରୀକ୍ଷେତ୍ରରୁ ପଦଯାତ୍ରାରେ ଆସି ପ୍ରଥମେ ଦେଉଳୀମଠରେ ଅବସ୍ଥାନ କରନ୍ତି ଓ ପରେ କାକଟପୁରରେ ବିଜେ ହୋଇଥିବା ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

ଜଗଜ୍ଜନନୀ ଦୁର୍ଗାଙ୍କର ମଙ୍ଗଳମୟୀ ଶକ୍ତି ହେଉଛନ୍ତି ମହାମଙ୍ଗଳା । ସେ ମହିଷାସୁର ଯୁଦ୍ଧକାଳରେ ଦୁର୍ଗାଙ୍କ ହୃଦୟରୁ ଜାତହୋଇ ମୃତ୍ୟୁଭେଦ କହିବାରୁ ଦୁର୍ଗା ସେହି ଉପାୟ ଅବଲମ୍ବନ କରି ଅସୁରକୁ ବଧକଲେ । ଦେବୀ ଦୁର୍ଗା ଜଗତର କଲ୍ୟାଣ ନିମିତ୍ତ ତାଙ୍କୁ ସର୍ବମଙ୍ଗଳା ନାମ ପ୍ରଦାନ କରିଥିଲେ !

ପ୍ରବାଦ ଅଛି, ପ୍ରଭୁ ଶ୍ରୀରାମଚନ୍ଦ୍ର ଦେବୀ ମଙ୍ଗଳାଙ୍କୁ ଆଣି ଉଡ୍ରଭୂମିରେ ରଖାଇଥିଲେ । କେତେକ ଗବେଷକଙ୍କର ମତ ଦେବୀମଙ୍ଗଳାଙ୍କୁ ଓଡ଼ିଶାର ସାଧବପୁଅମାନେ ଶ୍ରୀଲଙ୍କାରୁ ଆଣି ଏଠାରେ ପ୍ରତିଷ୍ଠା କରିଥିଲେ । କିନ୍ତୁ ମଙ୍ଗଳାଙ୍କ ମୂର୍ତ୍ତି ଉତ୍କଳୀୟ ଶିଳ୍ପକଳା ସମ୍ଭୂତ ନବମ-ଦଶମ ଶତାବ୍ଦୀର ମୂର୍ତ୍ତି । ଏହି ମୂର୍ତ୍ତିରେ ସିଂହଳୀୟ ଶିଳ୍ପକଳାର ଲେଶମାତ୍ର ଚିହ୍ନ ନାହିଁ । ଏହି ଦୃଷ୍ଟିକୋଣରୁ ସୋମରାଜତତ୍ତ୍ଵରେ ମଙ୍ଗଳା ପ୍ରତିଷ୍ଠା ଲାଭ କରିଥିବା ଯୁକ୍ତିଯୁକ୍ତ ମନେହୁଏ ।

ଦେବୀ ବିଗ୍ରହ କଳାମୁଗୁନି ପଥରରେ ନିର୍ମିତ । ମୂର୍ତ୍ତିର ଉଚ୍ଚତା ଚାରିହାତ ବା ଛଅଫୁଟ । ପ୍ରସ୍ଫୁଟିତ ପଦ୍ମଉପରେ ଦେବୀ ଆସୀନା । ଚତୁର୍ହସ୍ତା। ଏହି ଦେବୀଙ୍କର ବାମପାଦ ପୀଠ ଉପରେ ଲମ୍ବା ଭାବରେ ଓ ଦକ୍ଷିଣପାଦ ବାମ ଜାନୁ ଉପରେ ରହିଛି । ଚତୁର୍ଭୁଜ ମଧ୍ୟରୁ ଉପର ଦୁଇ ଭୂଜରେ ପଦ୍ମକଳିକା ଓ ପୂର୍ଣ୍ଣଚନ୍ଦ୍ର ତଥା ତଳ ଦୁଇ ଭୂଜରେ ଜପମାଳା ରହିଅଛି | ଚକ୍ଷୁ ଅର୍ଦ୍ଧ ଉନ୍ମିଳିତ ଓ ମୁଖ ଗୋଲାକାର । ଜଟା ସ୍କନ୍ଧ ଦେଶ ପର୍ଯ୍ୟନ୍ତ ଲମ୍ବିତ । ମା’ଙ୍କ ମୂର୍ତ୍ତି ଅତ୍ୟନ୍ତ ରମଣୀୟ, ଆକର୍ଷଣୀୟ ଓ ସୌମ୍ୟ ।


୫୦ଫୁଟ ଉଚ୍ଚତା ବିଶିଷ୍ଟ ମା’ ମଙ୍ଗଳାଙ୍କ ମନ୍ଦିର ମୁଖଶାଳାର ଉଚ୍ଚତା ୪୫ ଫୁଟ, ଜଗମୋହନର ଉଚ୍ଚତା ୨୦ ଫୁଟ । ମନ୍ଦିର ପରିସରରେ ମଧ୍ୟ ରହିଛି ନାଟମଣ୍ଡପ । ପୂର୍ବଦିଗରେ ସିଂହଦ୍ଵାରରେ ଦୁଇଗୋଟି ବିଶାଳକାୟ ସିଂହ ବିଦ୍ୟମାନ । ୧୦ଫୁଟ ଉଚ୍ଚତାର ପ୍ରାଚୀର ମନ୍ଦିରକୁ ବେଢ଼ିରହିଛି । ପୂର୍ବ ପାର୍ଶ୍ଵରେ ସ୍ନାନମଣ୍ଡପ ଓ ଦକ୍ଷିଣ ପାର୍ଶ୍ଵରେ ଭଣ୍ଡାରଘର ମଧ୍ୟ ରହିଛି । ବେଢ଼ା ମଧ୍ୟରେ ପାକଶାଳା, ଦୁଇଗୋଟି କୂପ, ପତିତପାବନ ମଣ୍ଡପ ଓ ଆସ୍ଥାନ ମଣ୍ଡପ ପ୍ରଭୃତି ବିଦ୍ୟମାନ ।ପ୍ରତ୍ୟହପାଞ୍ଚ ଧୂପ ଓ ତିନି ଅବକାଶ ରୀତିରେ ମା’ଙ୍କର ଦୈନନ୍ଦିନ ନୀତି ସମ୍ପନ୍ନ ହୁଏ । ପ୍ରାତଃ କାଳରେ ଦେବୀଙ୍କର ସ୍ନାନ ଓ ମାଜଣା ହେବାପରେ ଖଇ, ଦହି ଓ କେଳି ପ୍ରଭୃତି ବାଳଭୋଗ ଲାଗି ହୁଏ । ଏହାପରେ ପୂର୍ବାହ୍ନ ଘ୧୦ଣ୍ଟାରୁ ଘ.୧୧ଣ୍ଟା ମଧ୍ୟରେ ଖେଚୁଡ଼ି ଭୋଗ ଏବଂ ମଧ୍ୟାହ୍ନରେ ମଧ୍ୟାହ୍ନଧୂପ ପରେ ପରେ ଭୋଗମଣ୍ଡପ ହୋଇ ଦେବୀ ପହଡ଼ ଯାଆନ୍ତି | । ଅପରାହ୍ନରେ ପହୁଡ଼ ଫିଟିକା ପରେ ଠାକୁରାଣୀ ମାଜଣା ହୋଇ ବେଶ ହୋଇଥାନ୍ତି । ଏହାପରେ ସନ୍ଧ୍ୟା ଆଳତି ହୁଏ । ରାତ୍ରି ଘ.୮ଣ୍ଟା ରେ ଅନ୍ନ, ଡାଲି, ତରକାରୀ, ଖଟା, ଭଜା, କ୍ଷୀରୀ ଓ ପିଠା ପ୍ରଭୃତି ଭୋଗ ହୋଇଥାଏ । ଶେଷ ରାତ୍ରି ଘ.୧୦ଣ୍ଟାରେ କେଳି, ପିଠା, ଛେନା ପ୍ରଭୃତି ବଡ଼ସିଂହାର ଭୋଗ ହୋଇ ଦେବୀଙ୍କର ପହଡ଼ ପଡେ ।

ମା’ ମଙ୍ଗଳାଙ୍କୁ ପ୍ରତ୍ୟହ ମହପ୍ରସାଦ ସମର୍ପଣ ମନ୍ଦିରର ବିଶେଷବିଧି । ଯାତ୍ରୀ ଓ ଭକ୍ତମାନେ ସଂଙ୍ଖୁଡ଼ି ଭୋଗ ମଧ୍ୟ ସେବକଙ୍କ ଜରିଆରେ ଲାଗି କରିଥାନ୍ତି ।

ନିତ୍ୟନୈମିରିକ ସେବା ପୂଜାନିମିତ୍ତ ପୂଜାପଣ୍ଡା, ସୂପକାର, ଯୋଗାଡ଼ିଆ, ମାଳିକାହାଳିଆ ପ୍ରଭୃତି ବଂଶାନୁକ୍ରମେ କାର୍ଯ୍ୟ କରୁ ଅଛନ୍ତି ।

ଦେବୀଙ୍କର ପର୍ବପର୍ବାଣୀ ମଧ୍ୟରେ ଚୈତ୍ର ମଙ୍ଗଳବାର ପ୍ରଧାନ । ଚୈତ୍ରମାସର ପ୍ରଥମରୁ ଚତୁର୍ଥ ମଙ୍ଗଳବାର ପର୍ଯ୍ୟନ୍ତ ପାଳିଯାତ୍ରା ହୁଏ । ଚୈତ୍ରର ଶେଷ ମଙ୍ଗଳବାର ବା ବୈଶାଖ ମାସର ପ୍ରଥମ ମଙ୍ଗଳବାର ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୁଏ । ଏତଦ୍‌ଭିନ୍ନ ପୀଠରେ ଶାରଦୀୟ ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ପୂଜା ଆଡ଼ମ୍ବର ସହକାରେ ପାଳନ କରାଯାଏ ।

ମଧୁପାର୍ବଣରେ ତ୍ରିଦିନାତ୍ମକ ପୂଜା ହୁଏ । ଶାରଦୀୟ ପୂଜା ସମୟରେ ମା’ ମଙ୍ଗଳାଙ୍କର ବିଭିନ୍ନ ବେଶ ହୋଇଥାଏ । ମନ୍ଦିରରେ ବିଜେ ହୋଇଥିବା ପତିତପାବନଙ୍କର ସ୍ନାନଯାତ୍ରା ସ୍ନାନମଣ୍ଡପରେ ହୋଇଥାଏ । ଅଥଚ ରଥଯାତ୍ରା ହୁଏ ନାହିଁ । ତଦନୁରୂପ ବେଢ଼ା ମଧ୍ୟରେ ଥିବା ରାଧାମାଧବଙ୍କର ଚନ୍ଦନଯାତ୍ରାଝୁଲଣଯାତ୍ରା ପ୍ରଭୃତି ସବିଧି ଅନୁଷ୍ଠିତ ହୋଇଥାଏ । ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା ସୁବିଖ୍ୟାତ ।


ଶ୍ରୀଜଗନ୍ନାଥଙ୍କ ନବକଳେବର ପୂର୍ବରୁ ଚୈତ୍ରଶୁକ୍ଳ ଦଶମୀ ତିଥିରେ ସେବକଗଣ ମା’ ମଙ୍ଗଳା ମନ୍ଦିରକୁ ଯାତ୍ରା କରିଥାନ୍ତି । ସେମାନେ ମା’ଙ୍କ ଆଦିପୀଠ ଦେଉଳୀମଠରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଏ । ତହିଁ ପରଦିନ ମଙ୍ଗଳାଙ୍କ ସେବକଗଣ ସେମାନଙ୍କୁ ନିମନ୍ତ୍ରଣ କରନ୍ତି ଓ ସଭିଏ ମିଳିତ ଭାବରେ ମାଜଣା ସାମଗ୍ରୀ ସହ ମଙ୍ଗଳା ମନ୍ଦିରକୁ ଯାତ୍ରା କରିଥାନ୍ତି । ମଙ୍ଗଳାଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା, ମାର୍ଜଣା, ନବବସ୍ତ୍ର ପରିଧାନ, ମହାପ୍ରସାଦ ସମର୍ପଣ ଓ ଚଣ୍ଡୀପାଠ ହୁଏ । ଆଚାର୍ଯ୍ୟ, ପତିମହାପାତ୍ର ଓ ବିଶ୍ଵାବସୁ ସେବକ ୧୦୮ ଥର ସ୍ବପ୍ନାବତୀ ମନ୍ତ୍ର ଜପ ପୂର୍ବକ ମଙ୍ଗଳାଙ୍କ ଜଗମୋହନରେ ଶୟନ କରନ୍ତି ଜଗଜ୍ଜନନୀ ମଙ୍ଗଳାଙ୍କ କରୁଣାକୁ ଭରସା କରି ସେବକବୃନ୍ଦ ମହାଦାରୁ ସନ୍ଧାନରେ ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତି । ଅନ୍ଵେଷଣ ଉପରାନ୍ତେ ରାତ୍ରିରେ ଦେଉଳୀମଠରେ ରହିଥାନ୍ତି । ପରିଶେଷରେ ମା’ଙ୍କ କୃପାରୁ ମହାଦାରୁ ସନ୍ଧାନ ମିଳିଥାଏ । ମହାରାଜା ଯଯାତି ଏହି ପରମ୍ପରାରେ ମହାଦାରୁ ଅନ୍ଵେଷଣପୂର୍ବକ ନବବିଗ୍ରହ ନିର୍ମାଣ କରାଇଥିଲେ । ସେହି ପରମ୍ପରା ଅଦ୍ୟାବଧି ପ୍ରଚଳିତ ।ଓଡ଼ିଶାର ଧର୍ମ, ପରମ୍ପରା ଓ ଲୋକସଂସ୍କୃତିରେ ମା’ ମଙ୍ଗଳା ସ୍ଵତନ୍ତ୍ର ଆସନ ଅଳଙ୍କୃତ କରିଛନ୍ତି । ଓଡ଼ିଶାରେ ପ୍ରାୟ ପ୍ରତି ପରିବାରରେ ମଙ୍ଗଳ କାମନାରେ ମଙ୍ଗଳାସ୍ତୁତି ବୋଲା ହୋଇ ପଣା ଦିଆଯାଏ । ମଙ୍ଗଳାଙ୍କ ବିଜେ ପ୍ରତିମା ଭାବରେ ଅନେକ ବିଗ୍ରହ ସ୍ଵତନ୍ତ୍ର ପୂଜକ ମଙ୍ଗଳ ଚଣ୍ଡୀଆଙ୍କ ଦ୍ଵାରା ଗ୍ରାମେ ଗ୍ରାମେ ବୁଲାଯାଏ ।

ଉତ୍କଳୀୟ ଚେତନାରେ ମା’ ମଙ୍ଗଳା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ଓଡ଼ିଆ ସାହିତ୍ୟରେ ମଙ୍ଗଳାଙ୍କ ମହିମା ବହୁଳ ଭାବରେ ବର୍ଣ୍ଣିତ । ଦେଵୀ ମଙ୍ଗଳା କେବଳ ଶ୍ରୀକ୍ଷେତ୍ରର ରକ୍ଷୟିତ୍ରୀ ନୁହଁନ୍ତି ବରଂ ସମଗ୍ର ଓଡ଼ିଶାର ରକ୍ଷୟିତ୍ରୀ ।

ତଥ୍ୟ: ଡ. ଅନ୍ତର୍ଯ୍ୟାମୀ ମିଶ୍ର
Images: Cuttack Puja Festival FB Page

Leave a Comment

Your email address will not be published. Required fields are marked *

Scroll to Top