ଭଗବତୀ ଚରଣ ପାଣିଗ୍ରାହୀ

ଲେଖା: ନିରଞ୍ଜନ ସାହୁ
~ ଭଗବତୀ ଚରଣ ପାଣିଗ୍ରାହୀ ~
୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ ନବଚେତନାର ଉନ୍ମାଦ ଅଂକୁରିତ ହୁଏ ବିଶ୍ଵଜୀବନରେ । ଅଭୂତପୂର୍ବ ଆଶା ସଂଚାର ହେତୁ ଏହା ଆଦର୍ଶଗତ ତତ୍ତ୍ଵ ରୂପେ ପରିଗୃହିତ ହୁଏ । ଏହାର ସ୍ଵାଭାବିକ ପ୍ରଭାବ ଓ ପରିଣତିରେ ବିଶ୍ଵ ସାହିତ୍ୟର ଧାରାରେ ମଧ୍ୟ ମାର୍କସବାଦୀ ଚେତନାର ଆହ୍ବାନ ପ୍ରତିଧ୍ଵନିତ ହୋଇ ସାରିଥାଏ । କୌଣସି ଏକ ଶ୍ରେଣୀହୀନ ସମାଜ ଗଠନ ଦିଗରେ ସୃଷ୍ଟି ହୋଇଥାଏ ଅନେକ ଆଶା ଓ ସମ୍ଭାବନା । ତେଣୁ ସାହିତ୍ୟ କ୍ଷେତ୍ରରେ ଏହାର ପ୍ରଭାବ ହୋଇଯାଇଥାଏ ସୁନିଶ୍ଚିତ । ଏହି ମାର୍କସବାଦୀ ଆଦର୍ଶକୁ ଅନୁସରଣ କରି ଗଢ଼ିଉଠେ ଯେଉଁ ସାହିତ୍ୟର ସାରସ୍ଵତ ବୁନିଆଦ, ତାହା ପରିଚିତ ହୁଏ #ପ୍ରଗତିବାଦୀ ସାହିତ୍ୟ ନାମରେ । କାରଣ ମାର୍କସବାଦ ଥିଲା ସାମାଜିକ ପ୍ରଗତିର ଏକ ଉଦାତ୍ତ ସୂତ୍ର ଏବଂ ମେହନତୀ ମଣିଷର ଆଦର୍ଶ ଜୀବନ ସଂହିତା ।
୧୯୩୬ ମସିହା ବେଳକୁ ଭାରତୀୟ ସାହିତ୍ୟରେ ସାମ୍ୟବାଦୀ ଭାବନା ପ୍ରବେଶ କରି ଆସୁଥିଲା । ଭାରତୀୟ ରାଜନୀତିରେ ମଧ୍ୟ ଅନୁଭୂତ ହୋଇଥିଲା ଏହି ଚିନ୍ତାଧାରା । ପ୍ରଗତିଶୀଳ ସାହିତ୍ୟ ଉପରେ ଆଲୋଚନା କରିବାକୁ ଯାଇ ମୁନସୀ ପ୍ରେମଚନ୍ଦ ଏକଦା କହିଥିଲେ: “ଯେଉଁ ସାହିତ୍ୟ ଆମ ଭିତରେ ଏକ ସମୀକ୍ଷାତ୍ମକ ଦୃଷ୍ଟିକୋଣ ଜାଗ୍ରତ କରାଇ ଆଣିପାରେ ନାହିଁ, ଆମର ଆଧ୍ୟାତ୍ମିକ ତଥା ବୌଦ୍ଧିକ ଆବଶ୍ୟକତା ଗୁଡ଼ିକର ତର୍ପଣ କରିପାରେ ନାହିଁ, ଯେଉଁ ସାହିତ୍ୟ ଶକ୍ତି ବା ଗତିଶୀଳତା ଆଣିଦିଏ ନାହିଁ, ଯାହା ଆମ ସୌନ୍ଦର୍ଯ୍ୟବୋଧର ଜାଗୃତି ଘଟାଇ ପାରେ ନାହିଁ ଏବଂ ଯଥେଷ୍ଟ ସଂକଳ୍ପର ସହିତ ଯାହା ଆମକୁ ଜୀବନର ନିରାଟ ବାସ୍ତବତା ଗୁଡ଼ିକର ସମ୍ମୁଖୀନ ହେବାର କୌଣସି ସାହାଯ୍ୟ କରେନାହିଁ, ଆଜି ଆମ ଲାଗି ସେ ସାହିତ୍ୟର ଆଦୌ ପ୍ରୟୋଜନ ନାହିଁ । ତାହାକୁ ସାହିତ୍ୟ ବୋଲି କହିବା ଆଦୌ ପ୍ରୟୋଜନ ନାହିଁ”ଏ ସବୁକୁ ଆଧାର କରି ଆମେ ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ରଚନା ଓ ସାହିତ୍ୟିକ ଗୋଷ୍ଠୀ ଉପରେ ଆଲୋଚନା କରିପାରିବା ।
 
ଓଡ଼ିଶା ମାଟିରେ ମାର୍କସବାଦୀ ପ୍ରଗତିଶୀଳ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ହେଉଛନ୍ତି ଭଗବତୀ ଚରଣ ପାଣିଗ୍ରାହୀ । ଅବଶ୍ୟ ତାଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ ବାସ୍ତବଧର୍ମୀ ଚିନ୍ତାଧାରା ପ୍ରବେଶ କରି ସାରିଥିଲା ଫକୀରମୋହନ, ଗୋପବନ୍ଧୁଗୋଦାବରୀଶ ମିଶ୍ରଙ୍କ ଲେଖା ମାନଙ୍କରେ ଯାହା କିଛି ସମାଲୋଚନା ମୂଳକ ବାସ୍ତବବାଦୀ କଥା, ମାତ୍ର ଅଭାବ ରହିଥିଲା ସାମାଜିକ ବାସ୍ତବବାଦ  (Social Realism)। ଯାହା ଫଳରେ ଚରିତ୍ର ଗୁଡ଼ିକ ଧର୍ମଦ୍ଵାରରେ ଶାସ୍ତି ପାଇଛନ୍ତି; କିନ୍ତୁ ଶ୍ରେଣୀବଦ୍ଧ ଭାବେ ଶୋଷିତ ମାନେ (ଛ’ ମାଣ ଆଠଗୁଣ୍ଠର ଭଗିଆ, ସାରିଆ ) ପ୍ରତିରୋଧ କରିପାରି ନାହାନ୍ତି । କାହିଁକି ନା ସେତେବେଳେ ଶୋଷିତ ଓ ଅତ୍ୟାଚାରିତ ଜାଣି ନ ଥିଲେ ମୁକାବିଲା ଓ ପ୍ରତିରୋଧ କ’ଣ ଏବଂ ଏସବୁକୁ ମୁଣ୍ଡପାତି ଭାଗ୍ୟ ଦୋଷ କହି ସହି ଯାଉଥିଲେ । ପ୍ରଗତିଶୀଳ ସାହିତ୍ୟରେ କିନ୍ତୁ ଏହାର ପଦଧ୍ଵନି ଗଭୀର ଭାବରେ ସୁସ୍ପଷ୍ଟ । ଏହି ଧାରାର ପ୍ରବର୍ତ୍ତକ ଭାବେ ଭଗବତୀ ଚରଣ ପାଣିଗ୍ରାହୀ ହେଲେ ପ୍ରଗତିଶୀଳ ସାହିତ୍ୟର ପ୍ରାଣପ୍ରତିଷ୍ଠାତା । 
~ ଆଦ୍ୟ କଥନ ~
୧୯୦୮ ମସିହା ଫେବୃଆରୀ ମାସ ପ୍ରଥମ ଦିବସ। ପୁରୀ ଜିଲ୍ଲାର ବିଶ୍ଵନାଥପୁର ଶାସନ । ଏକ କୁଳୀନ ବ୍ରାହ୍ମଣ ପରିବାରରେ ଧରାବତରଣ ହେଲେ ଗୋଟିଏ ଶିଶୁ, ଯେ ଭବିଷ୍ୟତରେ ସାରା ଓଡ଼ିଶା ଭୂଖଣ୍ଡରେ ବାସ ଚହଟାଇ ଦେଲେ ଗୋଟିଏ ଶେଫାଳୀ ପୁଷ୍ପ ସଦୃଶ । ସେହି ଶିଶୁ, ‘ଭଗବତୀ ଚରଣ ପାଣିଗ୍ରାହୀ’। ବାପା, ମା ଦୁହେଁ ମା’ ଭଗବତୀଙ୍କ ପରମ ଭକ୍ତ ଥିବାରୁ ପିଲାଟିର ନାଁ ଦେଇଥିଲେ ଭଗବତୀ ଚରଣ । ସେଥିପାଇଁ ବୋଧେ ଭଗବତୀ ଭାରତୀଙ୍କ କୃପା ବୃଷ୍ଟି ହୋଇଥିଲା ପିଲାଟି ଉପରେ, ଫଳତଃ ବିଦିତ ହେଲେ ଜଣେ ଅଭୂତକର୍ମା ଚିନ୍ତାନାୟକ ରୂପରେ ଓଡ଼ିଶା ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ । ଏବଂ ଭଗିରଥ ସଦୃଶ ଓଡ଼ିଶା ରାଜନୀତି ଓ ସାହିତ୍ୟ ଉଭୟରେ ହେତୁବାଦୀ ଚେତନାଯୁକ୍ତ ସାରଥୀ ଭାବେ ପ୍ରବେଶ କରାଇଲେ ମାର୍କସବାଦୀ ଚିନ୍ତାଧାରା ।‌ ନୂତନ ଦୃଷ୍ଟିଭଙ୍ଗୀ ନେଇ ଆଧୁନିକ ସମାଜ ଗଠନ ସମ୍ଭବ; ମାତ୍ର ସ୍ଵପ୍ନରେ ନୁହେଁ କାର୍ଯ୍ୟରେ ଓ କର୍ମରେ – ଏହା ଥିଲା ଭଗବତୀ ଚରଣଙ୍କର ଦୃଢ଼ ପ୍ରତ୍ୟୟ । ସେଥିପାଇଁ ପ୍ରତି ଶିକ୍ଷିତ ଓଡିଶାବାସୀଙ୍କ ହୃଦୟରେ ତାଙ୍କର ଆସନ ସ୍ଵତନ୍ତ୍ର ।
ସାମ୍ପ୍ରତିକ କାଳରେ ମଣିଷର ଭାବନାକୁ ରାଜନୀତିରୁ ବାଦ୍ ଦେଲେ ତାହା ଯେପରି ଅସମ୍ପୂର୍ଣ୍ଣ, ତଦୁପରି ଅର୍ଥନୀତିକ ଆଭିମୁଖ୍ୟରୁ ଜୀବନକୁ ବାଦ୍ ଦେଲେ ଆତ୍ମପ୍ରତିଷ୍ଠା ଏକାନ୍ତ ଅସମ୍ଭବ । ପୁନଶ୍ଚ, ଜୀବନର ବାସ୍ତବ ଓ ବିଶ୍ଵସ୍ତ ପ୍ରତିଫଳନ ହେଉଛି ସାହିତ୍ୟ । ସୁତରାଂ ଜୀବନ, ସାହିତ୍ୟ ଓ ରାଜନୀତି ପରସ୍ପର ଘନିଷ୍ଠ – ଏକ ଓ ଅଭିନ୍ନ । ଜୀବନ ଓ ସାହିତ୍ୟକୁ ଏକାତ୍ମ କରି ବିବେଚନା କରିବାର ସାରସ୍ଵତ ପରମ୍ପରା ହିଁ ପ୍ରଗତିବାଦୀ ଚେତନା, ଯାହା କର୍ମ, ଚିନ୍ତା, ସାମାଜିକ ଉତ୍ଥାନ, ରାଜନୀତି, ସାହିତ୍ୟ କ୍ଷେତ୍ରରେ ଥିଲା ଭଗବତୀ ଚରଣଙ୍କର ବଳିଷ୍ଠ ପଦକ୍ଷେପ । 
~ ଏକ ନୂତନ ପ୍ରସ୍ଥ ~
୧୯୩୫ ମସିହା ନଭେମ୍ବର ମାସ ୨୯ ତାରିଖ । କଟକର ଶ୍ରୀରାମଚନ୍ଦ୍ର ଭବନ ବିଶିଷ୍ଟ କୃତବିଦ୍ୟ, ଧିଶକ୍ତି ସମ୍ପନ୍ନ ବୁଦ୍ଧିଜୀବୀମାନଙ୍କ ସହଯୋଗ ଓ ଉପସ୍ଥିତିରେ ରୂପ ନେଇଛି ଏକ ଐତିହାସିକ ମିଳନ, ଛ’ ଦିନ ବ୍ୟାପୀ । ପ୍ରଥମ ଦିନର ଉଦଘାଟକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ (ଭଗବତୀଙ୍କ ବଡ଼ଭାଇ) । ଅନ୍ୟ ପାଞ୍ଚଦିନ ସଭାପତି ଆସନରେ ଅଧ୍ୟାପକ ହରିବନ୍ଧୁ ମହାନ୍ତି (ବିଜ୍ଞାନ), ଅଧ୍ୟାପକ ମୋହିନୀ ମୋହନ ସେନାପତି (ଦର୍ଶନ), ଲକ୍ଷ୍ମୀନାରାୟଣ ସାହୁ (ସମାଜସେବା), ଅଧ୍ୟାପକ ଘନଶ୍ୟାମ ଦାସ (ଇତିହାସ) ଓ ହରିହର ମହାପାତ୍ର (ସାହିତ୍ୟ) ଏବଂ ସେଇଠି ଜନ୍ମଲାଭ କରିଥିଲା #ନବଯୁଗ #ସାହିତ୍ୟ #ସଂସଦ । କବି ଅନନ୍ତ ପଟ୍ଟନାୟକଙ୍କ ଗୀତ ଥିଲା ଉଦବୋଧନୀ ସଂଗୀତ:
“ନବୀନ ଯୁଗର ତରୁଣ ଜାଗରେ
ଜାଗ ବନ୍ଧନହରା
ବକ୍ଷ ଶୋଣିତ ଲକ୍ଷ ଜୀବରେ
ଖେଳାଅ ଆଲୋକ ଧାରା ।
ଛିନ୍ନ କରରେ ବନ୍ଧନ ରାଜି
କ୍ରନ୍ଦନ ହେଉ ଶେଷ
ଲୁପ୍ତ ହେଉରେ ଜାତି-ଉପଜାତି
ଖଣ୍ଡିତ ଶତ ଦେଶ
ମହାମାନବର ଶଙ୍ଖ ଶବଦେ
ଶମୁରେ ଦୁଃଖ ଜ୍ଵାଳା
ଜାଗ ବନ୍ଧନହରା” ।
ଏହି ସଂଗଠନର ପ୍ରତି କ୍ଷେତ୍ରରେ ପ୍ରୋତ୍ସାହନ ଥିଲା ବାଗ୍ମୀ #ପଣ୍ଡିତ #ନୀଳକଂଠ #ଦାସଙ୍କର । ତାଂକ ପ୍ରତିଷ୍ଠିତ ‘ନବ ଭାରତର ନୂତନ ପ୍ରସ୍ଥ’ ଜାନୁଆରୀ ୧୯୩୬ ସଂଖ୍ୟାରେ ନବଯୁଗ ସାହିତ୍ୟ ସଂସଦ ଓ ତାର ମୁଖପତ୍ର #ଆଧୁନିକ ଉପରେ ରୁଚିପୂର୍ଣ୍ଣ ଘୋଷଣା ଓ ଟିପ୍ପଣୀ ଥିଲା ନୀଳକଣ୍ଠଙ୍କର ।
~ ନୂତନ ଚେତନାର ବାର୍ତ୍ତାବହ ~
ସାମାଜିକ ଭାବ ପ୍ରବାହ ସହିତ ମଣିଷକୁ ଆଗେଇ ନେବା ପାଇଁ ‘ଆଧୁନିକ’ ଥିଲା ଶପଥବଦ୍ଧ ସାହିତ୍ୟ ପତ୍ର । ବିଶ୍ଵର ଗତିଶୀଳତା ସହ ପରିବର୍ତ୍ତିତ ପରିସ୍ଥିତିରେ ସମତାଳ ଦେଇ ଦେଶବାସୀ ଆଗେଇ ଯିବା ପାଇଁ ଆହ୍ଵାନ ଯାହା ଭଗବତୀଙ୍କର ଆଭିମୁଖ୍ୟ ଥିଲା #ଆଧୁନିକ ମାଧ୍ୟମରେ । ପ୍ରଥମ ସମ୍ପାଦକୀୟ ବହନ କରିଥିଲା ଏହି ବାର୍ତ୍ତା: “ଏହି ପରିବର୍ତ୍ତନର ବାର୍ତ୍ତା ଓଡ଼ିଶାର ଦ୍ଵାରେ ଦ୍ଵାରେ ଆଘାତ କରିଗଲାଣି । କିନ୍ତୁ ଅନେକ ସେ ବିଷୟରେ ସଚେତନ ନୁହନ୍ତି । ଏହି ବାର୍ତ୍ତା ଯେ ଆସି ଆଘାତ କଲାଣି, ‘ଆଧୁନିକ’ ତାହା ହିଁ ତା’ର ସ୍ଵରରେ ପ୍ରଚାର କରିବ । ଅର୍ଥାତ୍ କାକତାଳୀୟ ନ୍ୟାୟରେ ‘ଆଧୁନିକ’ ଯଦି କିଛି କରିପାରିଲା, ତାହା ଆମର ଯଥେଷ୍ଟ । ଗଛରେ ତାଳଟିଏ ଫଳାଇବା କିମ୍ବା ପାଚିଲା ତାଳଟିଏ ଭିଆଣ କରିବାର ଦୁରାଶା ଆଧୁନିକ ପୋଷଣ କରିନାହିଁ । ତାଳ ଫଳିବା ଓ ପାଚିବା କାମ ଆପେ ହେବ । ପାଚିଲା ତାଳଟିକୁ ଉପଯୁକ୍ତ ଅବସ୍ଥାରେ ଝଡ଼ାଇବା ହିଁ ‘ଆଧୁନିକ’ର ଉଦ୍ଦେଶ୍ୟ ।” 
ସତ୍ୟଶୀଳ ହୋଇ ଜୀବନର ବାସ୍ତବ ଦିଗଟିକୁ ଦେଖିବାକୁ ‘ଆଧୁନିକ’ ପତ୍ରିକାର ଲେଖକମାନେ ଥିଲେ ସର୍ବଦା ଯତ୍ନଶୀଳ । ପତ୍ରିକାର ବିଷୟ ସମୂହ ଥିଲା ଅତ୍ୟଂତ ଉଚ୍ଚକୋଟୀର । ସର୍ବଶ୍ରୀ ଅନନ୍ତ ପଟ୍ଟନାୟକ, ପ୍ରାଣବନ୍ଧୁ କର, ଗୋପୀନାଥ ମହାନ୍ତି, ଗୁରୁ ଚରଣ ପଟ୍ଟନାୟକ, ସଚ୍ଚି ରାଉତରାୟ ଥିଲେ ନିୟମିତ ଲେଖକ ଏବଂ ସମ୍ପାଦକୀୟ ରହୁଥିଲା ଭଗବତୀ ଚରଣଙ୍କର । ସାମ୍ୟବାଦର ସ୍ଵର ଅନୁରଣିତ ହେଉଥିଲା ପତ୍ରିକାର ବହୁଳାଂଶରେ –
“ସଂଖ୍ୟା ଅଗଣ ତବ, ଜାଗ ଜାଗ ଭୈରବ
ଶୋଷଣ କର ଆଜି ଶେଷ,
ସାମ୍ୟରେ ପୂରୁ ଦିଗ ଦେଶ ।
ଜଠରେ ଜଠରେ ତବ କ୍ଷୁଧିତର
ବହ୍ନିରେ ଚକ୍ଷୁରେ ନବୀନର ଜ୍ୟୋତି,
ଭସ୍ମକର ରେ ସବୁ ସନ୍ଦେହ ସଂଶୟ
ଖୋଜି ଆଣ ପୁଲକର ମୋତି ।
ମୃତ୍ୟୁର ତଳେ ତଳେ ଜୀବନର ଦୀପ ଜଳେ
ଶଂକାରେ ଶିର ନୋହୁ ପୋତି” ।
ଜୀବନ ପାଇଁ ସାହିତ୍ୟ – ଏହି ଚିନ୍ତାଧାରା ଥିଲା ‘ଆଧୁନିକ’ର ପରିଚୟ !
~ ଅନନ୍ୟ କଥାକାର ~
ମାର୍କସବାଦୀ ଚେତନାର ଦ୍ୟୋତନା ବହନ କରିଥିଲା ତାଙ୍କର ସୃଷ୍ଟି ସମୂହ । ନୂତନ ଆଭିମୁଖ୍ୟ, କ୍ରାନ୍ତିକାରୀ ଉପଲବ୍ଧି ପରିପୁଷ୍ଟ ହୋଇଥିଲା ଗଳ୍ପ ସର୍ଜନାରେ ।‌ ରାଜନୈତିକ ସଂଗଠନ ଗଢ଼ିବାକୁ ଯାଇ ବିଶେଷ ସମୟ ଦେଇ ପାରିନଥିଲେ ସୃଜନୀ ନିମିତ୍ତ । ତଥାପି, କାଳଜୟୀ ସୃଷ୍ଟି ଥିଲା ଗଳ୍ପ ସମୂହ:- ‘ଶିକାର, ଜଙ୍ଗଲି, ମିଶ୍ରଙ୍କ କୋପ, ସମୟାତୀତ, ବଞ୍ଚିତା, ଜୀବନର ସମାଧି, ଝଡ଼, ଆରମ୍ଭ ଓ ଶେଷ ମୀମାଂସା, ମୃତ୍ୟୁର ବିବେଚନା, ମଜଲିସ୍, ହାତୁଡି଼ ଦା’ ଇତ୍ୟାଦି । ଏସବୁ ଗଳ୍ପମାନଙ୍କ ମଧ୍ୟରୁ ତାଙ୍କର ଶିକାରୀ ଗଳ୍ପ ପାଇଁ ଓଡ଼ିଶା କାହିଁକି ଏପରିକି ଅନ୍ୟ ଭାଷାଭାଷୀ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଓ ପରିଚିତ ।
~ ରାଜନୀତିକ ନୂଆ ଆଭିମୁଖ୍ୟ ~
ସାମ୍ୟବାଦ, ମାର୍କସବାଦୀ ଚିନ୍ତାଧାରା ଓ ସୋଭିଏତ ଋଷର ପ୍ରଭାବ ହେତୁ ୧୯୩୪-୩୫ ମସିହାରେ କଂଗ୍ରେସ ସାମୁଖ୍ୟ ଭିତରେ ଆତ୍ମପ୍ରକାଶ କରେ ଏକ ସମାନ୍ତରାଳ ମଞ୍ଚ ‘କଂଗ୍ରେସ ସୋସାଲିଷ୍ଟ ପାର୍ଟି’ ଏବଂ ଭାରତୀୟ କମ୍ୟୁନିଷ୍ଟ ସଂଘ (୧୯୩୫)। ମାତ୍ର ଏହା ପୂର୍ବରୁ ୧୯୩୨ ମସିହାରେ ଦୂରଦୃଷ୍ଟି ସମ୍ପନ୍ନ ଜନନେତା ନବକୃଷ୍ଣ ଚୌଧୁରୀ ଗଠନ କରି ସାରିଥିଲେ ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ । ତେବେ ୧୯୩୫ ମସିହାରେ ସାମ୍ୟବାଦୀ ଆଦର୍ଶର ମୂଖ୍ୟ ପୃଷ୍ଠପୋଷକ ଭାବେ ଉଭା ହେଲେ ଭଗବତୀ ଚରଣ ପାଣିଗ୍ରାହୀ ଓ ଗଠନ କଲେ ନବଯୁଗ ସାହିତ୍ୟ ସଂସଦ । ପରବର୍ତ୍ତୀ ସମୟରେ ରାଜନୈତିକ ମତଭେଦ ଯୋଗୁଁ କଂଗ୍ରେସ ସୋସାଲିଷ୍ଟ ପାର୍ଟି ତ୍ୟାଗ କରି ଗଢ଼ିଲେ #ଉତ୍କଳ #କମ୍ୟୁନିଷ୍ଟ #ପାର୍ଟି ୧୯୩୮ ମସିହାରେ । ଏଇଠାରୁ ହିଁ ଆରମ୍ଭ ହେଲା ଆନୁଷ୍ଠାନିକ ଭିତ୍ତିପ୍ରସ୍ତର ଏକ ନୂତନ ରାଜନୈତିକ ଦଳ ଉତ୍କଳ କମ୍ୟୁନିଷ୍ଟ ପାର୍ଟି ଯାହା ସମ୍ପୂର୍ଣ୍ଣ ଭାବେ ମାର୍କସବାଦୀ ଚିନ୍ତାଧାରାରେ କବଳିତ ।‌
~ ଶେଷ ଯାତ୍ରା ~
ଶେଷ ଗତି ନୁହେଁ ମୋର
ମୃତ୍ୟୁ କେଉଁ କାଳରେ
ମରିବାକୁ ଫୁଟି ନାହିଁ
ଭବତରୁ ଡାଳରେ
(କୁନ୍ତଳା କୁମାରୀ )
ମାତ୍ର ୩୫ ବର୍ଷ । ଜୀବନ ଯେଉଁଠୁ ଆରମ୍ଭ କରିବା ପାଇଁ ସ୍ଵପ୍ନ ଦେଖନ୍ତି ଅନେକେ, ସେଇଠି କିନ୍ତୁ ଶେଷ ହୋଇଯାଇଥିଲା ଅକ୍ଟୋବର ୨୩ ତାରିଖ ୧୯୪୩ ମସିହାରେ । ଆଉ ଶୁଭି ଯାଉଥିଲା: “ଆମେ ଚାହୁଁ ସତ୍ୟବାନ ଓ ସାହସୀ ହେବୁ । ମନୁଷ୍ୟ ମୁକ୍ତ, ସ୍ଵାଧୀନ ହେଲେ ସୌନ୍ଦର୍ଯ୍ୟର କଥା ପରେ ବିଚାର କରିବ ।”
ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟ ସାଧକ, ଚିନ୍ତାନାୟକ ଡ. ମାୟାଧର ମାନସିଂହଙ୍କ ଭାଷାରେ – “ଉତ୍କଳ ଦେଶରେ ମାର୍କସୀୟ ଭାବଧାରାର ଯିଏ ଥିଲେ ପ୍ରକୃତ ଭଗୀରଥ ତାଙ୍କର ରଚନାରେ ଏସବୁ ଦୁର୍ଗୁଣ କିଛି ହେଲେ ନଥିଲା । ସେ ଥିଲେ ବାହାରକୁ ନିରୀହ, ନିରହଙ୍କାର, ଆସ୍ଫାଳନହୀନ ଏକ ତରୁଣ ଯାହାଙ୍କର ଅନ୍ତର ଥିଲା ସଂସ୍କୃତିର ନିର୍ଯ୍ୟାସରେ ଭରା। ତାଙ୍କ ବାଣୀରେ ନଥିଲା କୌଣସି ପ୍ରକାର ଅସ୍ପଷ୍ଟତା, କି ନଥିଲା ତାଙ୍କରି କୌଣସି ପ୍ରକାର ଛଦ୍ମତା ବା କୌଣସି ଅଯଥାର୍ଥ ଦାବିର ପ୍ରୟାସ । ସେ ହେଉଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସାନଭାଇ ସ୍ଵର୍ଗତ ଭଗବତୀ ଚରଣ ପାଣିଗ୍ରାହୀ, ଯାହାଙ୍କର ଅକାଳ ମୃତ୍ୟୁ ଓଡ଼ିଶା ପ୍ରତି ହୋଇ ଉଠିଲା ଏକ ଅପୂରଣୀୟ ସାଂସ୍କୃତିକ ହାନି । ଗଳ୍ପ, ପ୍ରବନ୍ଧ ଓ ବାସ୍ତବ ଜନସେବା ଦେଇ ଭଗବତୀ ଉତ୍କଳ ଦେଶରେ ବାମପନ୍ଥୀ ଚିନ୍ତାଧାରାର ମୂଳ ପତ୍ତନ ପକାଇ ଯାଇଛନ୍ତି ।”
 
ତଥ୍ୟ ଆଧାର: ବିଶିଷ୍ଟ ଐତିହାସିକ (ସାହିତ୍ୟ) ମାନଙ୍କର ପ୍ରବନ୍ଧସମୂହ

Leave a Comment

Your email address will not be published. Required fields are marked *

Scroll to Top