ଲେଖା: ଡ. ଜୟଶ୍ରୀ ନନ୍ଦ

~ ମୁଆଁ ~
ବାରମାସେ ତେର ଯାତ । ପୁନେଇଁପରବ ସବୁ ପଛକୁ ପଛ ବର୍ଷସାରା ଲାଗିଥାଏ ଆମ ଓଡ଼ିଆ ଘରେ । ହେଲେ ଶୀତଦିନରେ ଥଣ୍ଡାପଡେ ବୋଲି କି କ’ଣ ଅନ୍ୟ ୠତୁ ଅପେକ୍ଷା ଏ ଶୀତୠତୁରେ ଆମର ଖାଦ୍ୟ ସବୁ ଅଲଗା ହୋଇଥାଏ । ଶୀତରୁ ରକ୍ଷା ପାଇବା ପାଇଁ ବା ଥଣ୍ଡା ଜର ଏ ସବୁ ନ ହେବା ପାଇଁ ଆମ ପୂର୍ବପୁରୁଷ ମାନେ ଅନେକ ପ୍ରକାରର ଖାଦ୍ୟ ଆମକୁ ଭେଟି ସ୍ବରୂପ ଦେଇଛନ୍ତି । ଏଠାରେ ଭାବିବା କଥା ଆମେ ଏ ସବୁ ଆମ ପର ପିଢିଙ୍କୁ ଖୁଆଉଛେ ବା ଶିଖାଉଛେ କି ନାହିଁ ? ପ୍ରଶ୍ନ ଆମମାନଙ୍କ ପାଇଁ ।
(ଉଖୁଡାମୁଆଁ)
ଆମ ଦେବାଦେବୀଙ୍କ ପାଖରେ ମଧ୍ୟ ଭିନ୍ନ ଭିନ୍ନ ଭୋଗ ଲାଗେ । ଯେମିତି ଖଇ, ଉଖୁଡା ବର୍ଷସାରା ଭୋଗ ଲାଗୁଥିଲେ ବି ଏ ଶୀତଦନେ/ଧନୁ ସଂକ୍ରାନ୍ତିରେ ଧନୁମୁଆଁ/ମକର ସଂକ୍ରାନ୍ତିରେ ମକରମୁଆଁ/କାର୍ତ୍ତିକରେ ବେଣ୍ଟମୁଆଁ ଏ ସବୁ ଭୋଗଲାଗେ । ଏ ସବୁ ମୁଆଁ ବଜାରରେ ଦେଖିବାକୁ ମିଳେ । ତାକୁ ବଜାରରେ ପୁଷ ରବିବାର ମୁଆଁ, ଧନୁମୁଆଁ, ମକରମୁଆଁ ଏମିତି ଅଲଗା ଅଲଗା ନାଁରେ ବିକ୍ରି କରନ୍ତି । #କାର୍ତ୍ତିକରୁ ଆରମ୍ଭ ହୁଏ ଏ ସବୁ । କାର୍ତ୍ତିକରେ #ବେଣ୍ଟମୁଆଁ ମିଳେ ।
(ବେଣ୍ଟମୁଆଁ)
କଇଁଫୁଲର ମଞ୍ଜିରୁ ଏ ମୁଆଁ ତିଆରି ହୁଏ । ପିଲାବେଳେ ଖୁଦୁରୁକୁଣୀ ଓଷା ସମୟରେ କଇଁଫୁଲ ତୋଳିବା ସହ ତାର ମଞ୍ଜି (କଇଁମଣ୍ଡୁଳା) ପିଲାମାନଙ୍କ ହାତରେ ଯଦି ଗୋଟେ ମିଳିଗଲା ତାହାହେଲେ ମନେ ହେଉଥିଲା ହୀରା ମିଳିବା ପରି । ଖୁଦୁରୁକୁଣୀ ସମୟରେ ଗଡିଆରେ ପଶି କଇଁ ତୋଳିବା ବେଳେ ସେ ସବୁ ନିଜ ହାତରେ ତୋଳିବାର ଖୁସି ଯେ ପାଇଛି ସେ ହିଁ ସେ ଅନୁଭବ କଥା ବା ସ୍ମୃତିକୁ ଏ ବେଣ୍ଟମୁଆଁ ଖାଇବା ବେଳେ ନିଶ୍ଚେ ପୁଣିଥରେ ବାଲ୍ୟାବସ୍ଥାକୁ ଯାଇ ବୁଲିଆସିବ ସେ କଥା ମନେ ପକାଇ ହସିବ ।
(କଇଁମଣ୍ଡୁଳା/କଇଁବେଣ୍ଟ/କଇଁମାଢି/କଇଁବେଣ୍ଟୁଳା/ବେଣ୍ଟକର)
କଇଁମଣ୍ଡୁଳା ଦେଖିବାକୁ ଛୋଟ କଷି ଡାଳିମ୍ବ (ସବୁଜ ରଙ୍ଗ) ପରି ଦିଶେ । ଚିତ୍ର ମଧ୍ୟ ତଳେ ଦିଆଯାଇଛି । ସେ ମଣ୍ଡୁଳାକୁ ଦୁଇ ଫାଳକରି ସେଥିରୁ ମଞ୍ଜି ବାହାର କରି ଶୁଖାଯାଏ। ଶୁଖିଗଲା ପରେ ତାକୁ ବାଲି ଦେଇ ମାଟି ହାଣ୍ଡିରେ ଭଜାଯାଏ । ତା ପରେ ତାକୁ ଗୁଡ ପାଗ ବା ଚିନି ପାଗ କରି ମୁଆଁ ତିଆରି କରାଯାଏ । କଇଁଫୁଲ ମଞ୍ଜି ସଂଗ୍ରହ କରିବା ଶୁଖାଇବା ଓ ମୁଆଁ ତିଆରି କରିବା କଷ୍ଟ ଓ ସମୟ ସାପେକ୍ଷ । କଇଁମଣ୍ଡୁଳା ଭୋଇ ଲୋକ ମାନେ ସଂଗ୍ରହ କରି ଖରାରେ ଶୁଖାଇ ତାକୁ ଗୁଡିଆ ମାନଙ୍କୁ ଦେଇଥାନ୍ତି l ଗୁଡ଼ିଆ ଏହାକୁ ଭାଜି ଛଡାଇ ରଖନ୍ତି ଓ କାର୍ତ୍ତିକ ମାସରେ ଗୁଡ ଓ ମସଲା ପାଗ କରି ଲଡୁ ତିଆରି କରନ୍ତି ଓ ବଜାରରେ ବିକ୍ରି କରିଥାନ୍ତି ।
(କଇଁମଣ୍ଡୁଳାରୁ ମଞ୍ଜି)
ବେଣ୍ଟମୁଆଁ ପ୍ରଥମ ଥର ମିଳିଲେ ଆଗ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ଏହା ଟିକେ ଅଧିକ ଦାମ୍ ଲାଗିପାରେ । କିନ୍ତୁ ଏହା ପଛରେ ଥିବା ପରିଶ୍ରମକୁ ସମ୍ମାନ ଜଣାଇ ଥରେ ଅତ୍ୟନ୍ତ କିଣିକି ଖାଇ ଖୁସି ହେଇ ପାରିବେ ଏବଂ ତାର ନିଆରା ସ୍ବାଦକୁ ଉପଭୋଗ କରିବେ । ଏହା ଚିନି ଓ ଗୁଡ ଉଭୟ ପାଗରେ ତିଆରି ହୁଏ। ଏହି ମୁଆଁ ଠାରୁ ଓଡ଼ିଆଙ୍କର ଶୀତଦିନେ ମୁଆଁ ଭୋଗ ଆରମ୍ଭ ହୋଇଯାଏ । କେହି କେହି କହନ୍ତି ଭୋଇ ଲୋକ ମାନେ ଏ ସବୁ ସଂଗ୍ରହ କରନ୍ତି କିନ୍ତୁ ଗାଁ ଗହଳରେ ଯାହା ଘର ପାଖେ କଇଁ ଫୁଟୁଥିବା ପୋଖରୀ ବା ଗଡିଆ ଥାଏ ସେମାନେ ବି ସଂଗ୍ରହ କରିଥାନ୍ତି ଓ ଖରାରେ ଶୁଖାଇ ଗୁଡ ଓ ମସଲା ପାଗ କରି ଲଡୁ ତିଆରି କରନ୍ତି । ଏ ତ ଗଲା ବେଣ୍ଟମୁଆଁ ।
(କଇଁମଞ୍ଜିରୁ ଖଇ ଓ ମୁଆଁ)
#ଧନୁମୁଆଁ: ଧନୁସଂକ୍ରାନ୍ତିରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରୁ ପ୍ରତି ଦେବାଦେବୀ ମନ୍ଦିର, ପ୍ରତି ଘରେ ଘରେ ଠାକୁରଙ୍କ ପାଖେ ଧନୁମୁଆଁ ଭୋଗଲାଗେ। ଖଇ ରେ ଗୁଡପାଗ, ନଡିଆ, ଗୋଲମରିଚ ଆଦି ପକାଇ ଖଇମୁଆଁ, ଉଖୁଡା ମୁଆଁ (ଧନୁମୁଆଁ) ତିଆରି ହୋଇଥାଏ । ସମସ୍ତେ ଏ ସବୁ ଖାଇବା ପାଇଁ ଭଲ ପାଆନ୍ତି ।
(ଧନୁମୁଆଁ ଗୁଡପାଗ)
#ଚୁଡ଼ାପୁଆ: ଚୁଡାକୁ ଭାଜି ଗୁଡ ପାଗ କରି ଗୋଲ ଗୋଲ ଆକାରରେ ବନାଇଲେ ତାକୁ ଚୁଡା ମୁଆଁ କହନ୍ତି । ଚୁଡାମୁଆଁ ବି ଅନ୍ୟ ମୁଆଁ ପରି ନୂଆ ଧାନ ଅମଳ ହୋଇ ଚୁଡା ହେବାବେଳେ ଘରେ ଘରେ ଦେଖିବାକୁ ମିଳେ । ଚୁଡା, ଗୁଡପାଗ କରି ତାକୁ ଆକାର ନ ଦେଲେ ତାକୁ ଚୁଡାପୁଆ ବୋଲି କୁହନ୍ତି । ଏ ଚୁଡାପୁଆ ଆମ କଳାସାଆନ୍ତଙ୍କୁ ପୌଷମାସରେ ଅର୍ପଣ କରାଯାଏ ।
(ଧନୁମୁଆଁ ଚିନିପାଗ)
#ମୁଢିମୁଆଁ: ଶୀତଦିନ ସହ ଏ ମୁଢିର ପ୍ରାଧାନ୍ୟତା ସବୁଠୁ ଅଧିକ। ଚା ସାଙ୍ଗେ ମୁଢି ତ ମୁଢି ନଡିଆ।କିନ୍ତୁ ମୁଢିମୁଆଁର ପ୍ରାଧାନ୍ୟତା ବେଶି ବଢିଯାଏ ଏଇ ସମୟରେ। ଧନୁମୁଆଁ ବେଣ୍ଟମୁଆଁ ସହ ମୁଢିମୁଆଁ ବି ବଜାରରେ ମିଳେ । ଘରେ ଘରେ ତିଆରି ହୁଏ । ମୁଢି ମୁଆଁରେ ନଡିଆ ବାଦାମ ଗୁଡପାଗରେ ତିଆରି ହୋଇଥାଏ । ଏ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ମୁଆଁ ପାଇଁ ମିଠାର ଚାହିଦା ଟିକେ କମିଯାଏ ବୋଧେ । ଝିଅଝିଆଣି ବନ୍ଧୁଘର ଗଲେ ବି ଲୋକ ମୁଆଁ ନେଇ ଯାଆନ୍ତି । ମକର ସଂକ୍ରାନ୍ତିରେ ମକର ଚାଉଳ ସହ ମୁଆଁ ଭୋଗ ବି ଠାକୁରଙ୍କୁ ଭୋଗଲାଗେ ।
(ମୁଢିମୁଆଁ)
ଓଡ଼ିଆଙ୍କ ପୁରୁଣା ମିଠା ହେଉଛି ମୁଆଁ । ଯାହା ସବୁ ମିଠାକୁ ଏ ପୁଷମାସରେ ତଳେ ପକାଇ ବଡ ଚାହିଦା ନିଏ । ଆମ ଓଡ଼ିଆଙ୍କ ମିଠା ମୁଆଁ । ଏ ସବୁ ମୁଆଁ ବି ଥଣ୍ଡାଦିନରେ ଶରୀର ପାଇଁ ସ୍ବାସ୍ଥ୍ୟକର ବୋଲି ଅନେକ ମତ ଦିଅନ୍ତି । ଓଡ଼ିଶାରେ ପ୍ରତି ଜିଲ୍ଲାରେ ସବୁ ପର୍ବପର୍ବାଣୀ ଅନେକ ସମାନ ହେଲେ ବି ଏ ସବୁ ପାଳିବାରେ କିଛି ଭିନ୍ନତା ବି ଥାଏ । ସବୁ ଜିଲ୍ଲା ଅପେକ୍ଷା ପୁରୀରେ ପର୍ବପର୍ବାଣୀ ଯାନୀଯାତ ପାଳିବା ଟିକେ ଅଲଗା ଥାଏ । କାରଣ ଆମ କାଳିଆ ସାଆନ୍ତଙ୍କର ଠାଣି ଟିକେ ଅଲଗା । ଏ ଧନୁ ସଂକ୍ରାନ୍ତିରୁ ମା’ ସାଆନ୍ତାଣୀ ଯାଆନ୍ତି ପିତାଙ୍କ ଘର ମାସେ ପାଇଁ ।
ଉତ୍କଳୀୟ ପରମ୍ପରା ଅତି ନିଆରା । ଉତ୍କଳୀୟ ଜନଜୀବନ କୃଷିଭିତ୍ତିକ । ଧାନ ଅମଳ ଧାନକଟା ଏ ସବୁ ପୁଷମାସ ଆଡକୁ ସବୁ ସରିଆସେ । ସମସ୍ତେ ଟିକେ ସମୟ ପାଆନ୍ତି ଏହି ସମୟରେ । ବେଶିକରି ଚାଷୀ ଘରେ ଘରଣୀଟିକୁ ଟିକେ ସମୟମିଳେ ।
(ମକର ଚାଉଳ ସହ ମୁଆଁ)
ପୁରୀରେ ପୁଷ ମାସରେ ବିବାହିତା ଝିଅମାନେ ବାପଘରକୁ ଯିବାର ବିଧି ଅଛି । ଶ୍ରୀମନ୍ଦିରରେ ମଧ୍ୟ ଏହି ବିଧି ପାଳିତ ହୋଇଥାଏ । ମା ସାନ୍ତାଣୀ ମଧ୍ୟ ଧନୁ ସଂକ୍ରାନ୍ତି ରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାପଘରକୁ ବିଜେ କରନ୍ତି । ବିବାହିତା ଝିଅମାନେ ଗୋଟିଏ ମାସ ପାଇଁ ନ‌ ହେଲେ ମଧ୍ୟ ବିଧି ରକ୍ଷା ପାଇଁ ପୁଷ ମାସରେ ଗୋଟିଏ ଦିନ ବାପଘରକୁ ଯାଇଥାନ୍ତି। ଏଥିପାଇଁ ଝିଅ ମାନଙ୍କୁ ପୁଷ ଡାକରା କରାଯାଇଥାଏ । ଝିଅ ମାନଙ୍କ ହସରେ ଘର ପୁରି ଉଠେ। ଶୀତ ଦିନିଆ ଖାଦ୍ୟପେୟର ଆସର ଜମେ । ଝିଅ ଶାଶୁଘରକୁ ଫେରିବା ବେଳେ ନୂଆ ଶାଢ଼ୀ ପିନ୍ଧାଇ ମୁଆଁ ଦେଇ ବିଦା କରିବାର ପରମ୍ପରା ରହିଛି। କିନ୍ତୁ ଅନ୍ୟ କେତେକ ସ୍ଥାନରେ ଏ ପୌଷ ମାସରେ ମାମୁଁଘରୁ ମୁଆଁ ଆସେ । ମାମୁଁଘରୁ ମୁଆଁ ଭାର ଆସିଛି ବୋଲି ସମସ୍ତେ କହନ୍ତି। ଦେଶକେ ଫାଙ୍କ ନଈ କେ ବାଙ୍କ ପରି । ଆଜି ର ପିଢ଼ି ମଧ୍ୟ ଏ ମୁଆଁକୁ ପସନ୍ଦ କରୁଛନ୍ତି । ଗୋଲ ଗୋଲ ମିଠା କୁଡ୍ କୁଡିଆ ମୁଆଁ ଯାହା ପାଟିକୁ ଭଲ ନ ଲାଗେ, ତା’ର ସ୍ଵାଦ ଜ୍ଞାନ ନାହିଁ ।
ଆମେ ଆରମ୍ଭରୁ ଯାହା ଆମ ପିଲାଙ୍କୁ ଖୁଆଇବା, ସେଇଟା ତାଙ୍କର ଖାଦ୍ୟାଭାସରେ ପରିଣତ ହେବ । ଶୀତଦିନରେ ନିଶ୍ଚେ ଏ ମୁଆଁ ସବୁ ଖାଆନ୍ତୁ ଏହାର ଅନନ୍ୟ ସ୍ବାଦକୁ ଉପଭୋଗ କରନ୍ତୁ । ଆମ ପରମ୍ପରାକୁ ବଜାୟ ରଖନ୍ତୁ । ଆମ କଳାସାଆନ୍ତ ଛପନ ଭୋଗଖାଇ ଆରିସା କାକରା ମଗଜ ଲଡୁ ସବୁଦିନ ଖାଇ ବି ଏ ଶୀତ ମାସରେ ଯଦି ମୁଆଁ ଖାଉଛନ୍ତି ତେବେ ଆମେ ବି ଏ ପରମ୍ପରାକୁ ଅନୁସରଣ କରିବା ।
ଅନ୍ୟଠୁ ଶିଖିବା ଜାଣିବା ସମସ୍ତଙ୍କୁ ଆମ ଓଡ଼ିଆ ପାରମ୍ପରିକ ଖାଦ୍ୟ ବିଷୟରେ ଜଣାଇ ଆମ ଖାଦ୍ୟକୁ ପରପିଢିକୁ ପରିଚିତ କରାଇବା। ଓଡ଼ିଆ ବୋଲି ଗର୍ବିତ ହେବା ଓ ଓଡ଼ିଶାକୁ ଗୌରବାନ୍ବିତ କରିବା ।
© Dr. Jayashree Nanda
ଫଟୋ ସୌଜନ୍ୟ ଓ ତଥ୍ୟ: Google and Ama Puri ଆମ ପୁରୀ
Muan, Muaan
Spread the love
admin

Share
Published by
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 day ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

1 week ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago