~ ପଖାଳ ~

ଲେଖା: ଡ. ଜୟଶ୍ରୀ ନନ୍ଦ
ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ। ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ପଖାଳ ବିଷୟରେ କବିତାଟିଏ . .
ବଡଘର ବଡ ଗୁମର କଥା

ବଡ ପଣେ ସେ ତ ବଡଦେବତା,
କୋଟି ଓଡ଼ିଆର ମଉଡମଣି,
କେ ନ ଜାଣେ ତାର ସେ ବଡ ଠାଣି।
ମାନବୀୟ ଲୀଳା କରେ କାଳିଆ
କାଳିଆ ବି ମୋର ପଖାଳଖିଆ,
କଥାରେ କହନ୍ତି ସତେ ଓଡ଼ିଆ
ଓଡ଼ିଆ ଅଟନ୍ତି ପଖାଳଖିଆ ।
ପଖାଳରେ ଭାରି ଶରଧା ତାର,
ପଖାଳ ଖାଏ ଯେ ବଡଠାକୁର।
କେତେବେଳେ ଭାସେ ପଖାଳେ ଘିଅ
ପଖାଳଖିଆ ପା ଆମରି ଦିଅଁ।
ନିଦ ଆସେ ନାହିଁ ଚକାଆଖିକୁ
ପଖାଳ ଖାଇ ସେ ଯାଏ ଶେଯକୁ।
ବଡଖିଆ ପରା କଳାଠାକୁର
ପଖାଳ ଖାଏ ସେ କେତେ ପ୍ରକାର।
ସୁବାସପଖାଳ, ଦହିପଖାଳ
ଚୁପୁଡା ପଖାଳ, ମିଠାପଖାଳ
ପାଣିପଖାଳ ତ ମଲ୍ଲିପଖାଳ
ଘିଅ ପଖାଳରେ ଶରଧା ତାର।
ସୁଗନ୍ଧିତ ଅନ୍ନେ ପାଣି ମିଶାଇ
ଅଦାକଟା ଭଜା ଜିରା ପଡଇ,
#ସୁବାସପଖାଳ କାଳିଆ ପାଇଁ
ଏତେ ଜତନରେ ପରଷା ହୋଇ।
ପ୍ରସାଦ ଲାଗଇ କାଳିଆ ଆଗେ
ତାକୁ କି ଅଜଣା ସୁଆଦ ତେବେ
ବଡଖିଆ ସେତ ବଡଠାକୁର
ବଡଖିଆ ପୁଣି ନାମଟି ତାର।
#ଚୁପୁଡାପଖାଳ, ଚୁପୁଡାହୁଏ
ମାଟି କୁଡୁଆରେ ପରଷା ଯାଏ
ଭଜା ଜିରା ଦହି ସାଥିରେ ଲୁଣ
କେ ନ ଜାଣେ ତାର ଖାଇବା ଗୁଣ।
ଷାଠିଏ ପଉଟି କାଳିଆ ଖାଏ
ବଡଖିଆ ବୋଲି ବଡ ଦେଖାଏ,
ସାଧାସିଧା ଖାଦ୍ୟେ ଲୋଭ ତାହାର
#ପାଣିପଖାଳରେ ଶରଧା ଯାର।
ସାଧା ଅନ୍ନରେ ଯେ ପାଣି ମିଶାଇ
ଲୁଣ ପଡିଥାଏ ସ୍ବାଦାନୁଯାୟୀ,
କାଳିଆ ଆଗରେ ପରଷା ଯାଏ
କାଳିଆ ନୁହେଁ ତ ଓଡିଆ ସିଏ।
ଶୁଖିଲା ଅନ୍ନରେ ଦହି ଗୋଳାଇ
ଦହି ମାତ୍ରା ଟିକେ ଅଧିକ ଦେଇ,
ଭଜାଜିରା ସାଥେ ଅଦା ପକାଇ
#ଦହିପଖାଳଟି ପରଷା ଯାଇ।
ରସିକ ପଣରେ ରସନାଗର
ଖାଇବା ସଉକ ସାଆନ୍ତେଙ୍କର
ପଖାଳପରଷା ହୁଅଇ ଯେବେ
ନିଦଟି ହୁଅଇ ଜଗାକୁ ତେବେ।
ଧଳାଗୁଡ ଅବା ଚିନି ପକାଇ
ସାଧା ଅନ୍ନ ଯେବେ ରନ୍ଧା ହୁଅଇ
ଖଣ୍ଡଅଦା ଭଜାଜିରାର ସଙ୍ଗେ
#ମିଠାପଖାଳଟି ବଢା ତା ଆଗେ।
ପଖାଳରେ ମଲ୍ଲିଫୁଲ ପକାଇ
#ମଲ୍ଲିଫୁଲପଖାଳ କାଳିଆ ଖାଇ,
ସଉକ ଜାଣଇ ନନ୍ଦର ବଳା
ସେଥିପାଇଁ ପରା ଷୋହଳକଳା ।
#ଘିଅପଖାଳ ଯେ କାଳିଆ ଖାଏ
କଦଳୀ ଭଜାଟି ସାଙ୍ଗରେ ଥାଏ ,
ବଡସିଂହାର ବା ପହୁଡ ଆଗେ
ପଖାଳପରଷା ହୁଅଇ ତେବେ।
ସାଧାଅନ୍ନେ ଦହି ଅଦା ଓ ଜିରା
ଲୁଣ ସାଥେ ଥାଏ ଘିଅଟି ପରା,
ପଖାଳ ଖାଇଲେ ନିଦଟି ଆସେ
ପଖାଳ ଖାଇକି କାଳିଆ ହସେ।
କାଳିଆ ଆମର ବଡବଡିଆ
ତା ନାମେ ଲଗାଇ କଥାଟି କୁହା
ତୋ ବାପା ଖାଇଥିଲା ପଖାଳେ ଘିଅ
ମୋ କାଳିଆ ହେଉଛି ଓଡିଆ ପୁଅ (ଓଡିଆ ଦିଅଁ)।
© Dr. Jayashree Nanda
Pakhala
Spread the love
admin

Share
Published by
admin
Tags: ପଖାଳ

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago