~ ଲକ୍ଷେଶ୍ଵର ମନ୍ଦିର ଓ କୁଆଖାଇ ~
ଲେଖା: ଅମୃତେଶ ଖଟୁଆ
ନିଃସର୍ଗର ଦେଶ ଉତ୍କଳ । ଅସ୍ମିତାର ଆଗ୍ନେୟ ତେଜପୁଞ୍ଜରେ ଏହାର ଦଗ୍ଧକନକ ସଦୃଶ ପ୍ରାକୃତିକ ନିଚ୍ଛକତା ଓ ସୁଷମାସମୃଦ୍ଧି ସମଗ୍ର ଭାରତବର୍ଷରେ ଅନବଦ୍ୟ ସୌନ୍ଦର୍ଯ୍ୟର ବିଜ୍ଞାପକ ଅଟେ । ଏହାର ମୃତ୍ତିକାର ମୂର୍ତ୍ତିମନ୍ତ ପରିଗ୍ରହ ଭାବସମୁଦ୍ରର ରସସମ୍ବେଦୀ ତଟିନୀମାନଙ୍କ ଦ୍ବାରା ପରିପାଳିତ । ଏହାର ସ୍ରୋତ ଐତିହ୍ୟର ଆବେଗ, ଉତ୍କଣ୍ଠା, ମତି ଓ ହର୍ଷର ଉତ୍ଥାନ ଓ ପତନ ମଧ୍ୟରେ କ୍ରମଶଃ କ୍ଷୟବର୍ତ୍ତୀ ଇତିହାସକୁ ଦୀନତାରୁ ଉଶ୍ଵାସ ପ୍ରଦାନ କରି ଆସୁଅଛି ।
ସଭ୍ୟତାର ଉନ୍ମୁଖ ଓ ଶିଳ୍ପୋନ୍ନତ ଦେଶରେ ଏପରି ଅନେକ କୀର୍ତ୍ତି ରହିଅଛି ଯାହା କାଳରୂପୀ ବିଷମ ଅରାତିକବଳରେ ଚୂର୍ଣ୍ଣକୁନ୍ତଳ ହୋଇ ପତିତ । ଇତିହାସର ଗାର୍ହସ୍ଥ୍ୟ ସୁଖ ଆସ୍ଵାଦନ ଲାଗି ବର୍ତ୍ତମାନ ସମୟର ଭଗ୍ନସ୍ତୂପ ମାନଙ୍କ ମଧ୍ୟରେ ତାହାର ସନ୍ନ୍ୟାସ ହେଲେ ବି ସ୍ଵୀକାର କରିପାରୁ ନାହିଁ ସମକାଳୀନ ସଭ୍ୟତା । ଆଜି ଉତ୍କଳର ବିହିତ ଓ ସର୍ବାଙ୍ଗୀନ ପ୍ରସିଦ୍ଧି ସହ ତୃପ୍ତିମନସ୍କ ଅପାର୍ଥିବ ତତ୍ତ୍ଵକୁ କେତେ କିଛି ଇୟତ୍ତା ରହିଯାଏ । ହେଲେ ମଧ୍ୟ ଏମାନଙ୍କ ଗାତ୍ରରେ ଆଜି ବି ସଭ୍ୟତାର ଶାନ୍ତି ରସାସ୍ପଦ ଧ୍ଵନି ଅନୁରଣି ଉଠୁଛି ।
କଥିତବ୍ୟ ଯେ ଏକଦା ଏହି ସ୍ଥାନଟି ପ୍ରାଚୀ ସଭ୍ୟତାର ଅଂଶଭୁକ୍ତ ରହିଆସିଥିବାର କେତେ ଐତିହାସିକ, ଇତିହାସାନୁରକ୍ତ ତଥା ଇତିହାସପ୍ରୋଥିତ ଭୂଗୋଳ ଅଭିଜ୍ଞମାନଙ୍କ ଅନୁସନ୍ଧିତ୍ସାରୁ ଅବଗତ ହେଇପାରୁଛୁ । ଆମ୍ଭର ସବୁ ଜାତୀୟ ସତ୍ତା ଓ ଗୌରବ ପ୍ରତୀକିତ ଐତିହ୍ୟର ଦାୟିତ୍ଵମାନଙ୍କ ଆଗରେ ସେ ସମସ୍ତ ନତ । ଏହିମତେ ଆମ୍ଭର ଶିଳ୍ପନୈପୁଣ୍ୟର ନିରୁପଦ୍ରୁତ ଛଟାର ପତନାବସ୍ଥା ବଞ୍ଚିତ ଅନେକତଃ ଅନୁଭାବଗୁଡିକ ସଜ୍ଞାନରେ ଦୃଷ୍ଟିଗୋଚର ହେଇଛି । ମାତ୍ର ସର୍ବସ୍ଵ ହରା ମାଟିର ଅବନତ ଦଶାକୁ କହି ଉଠୁଛନ୍ତି ପାଷାଣ ଖୋଦା ରନ୍ଧ୍ରରୁ ତ କେଉଁ ମାଳଭୂମିର ମଳୟସଞ୍ଚାରୀ ମୁକୁଳ ମୁଞ୍ଜରିତ ସୂଚୀଭେଦ୍ୟ ତିମିର ତଥା ଆଲୋକର ବୋହୂବୋହୂକା ଖେଳ ହେଇ । ହେଲେ ବି ସେମାନଙ୍କ ମୂକସାକ୍ଷୀ ଭାବରେ ସ୍ନିଗ୍ଧ ଇତିହାସର ସିଦ୍ଧାନ୍ତ ମାନ ଗୃହୀତ ଓ ଅବହିତ ।
କଳାରାହାଙ୍ଗ ଗ୍ରାମ ପୂର୍ବରୁ ଦହମାନଙ୍କ ଦ୍ଵାରା ପ୍ରଚୁର ଭାବରେ ଆପ୍ଳୁତ ରହିଆସି ନାନାପ୍ରକାର ପୁଷ୍ପପ୍ରସବର ସୂତିକାଗାର ରୂପେ ସମଗ୍ର ଅଞ୍ଚଳକୁ ଜଳକନ୍ଦଳୀର ଅନ୍ତର୍ଜାଲରେ ନୀଳୋତ୍ପଳକୁ ନିବିଡ଼ ରଖି ସୀମନ୍ତର ଆଜୀବନ ସ୍ବପ୍ନ ଓ ଜିଜୀବିଷା ଦ୍ଵାରା କୋରକିତ ହେଇ ସାରିଥିଲା । ବର୍ତ୍ତମାନର ଇଞ୍ଜଣା ଓ କଳାରାହାଙ୍ଗ ଦେଇ ଗଲେ ସୁଷମା ଆବିର୍ଭାବରେ ନୟନପ୍ରାର୍ଥୀ ଦର୍ଶକର ସ୍ଵୟଂସମ୍ପୂର୍ଣ୍ଣ ଅନୁଭବ ପାଇପାରିବ ଦହମାନଙ୍କ ମଧ୍ୟରେ ପଙ୍କିଳ ସବୁଜିମାର ସମ୍ଭାର ।
ପଟିଆ ଦହ ହିଁ ଏହିପରି ଏକ ସୃଷ୍ଟ ଗଡମାନଙ୍କ ମଧ୍ୟରେ ଶିରୋନ୍ନତ କୀର୍ତ୍ତି ଭାବରେ ଦିନେ ବୀରତ୍ଵ ସହକାରେ ଫଳନ୍ତୀ ହେଇପାରିଥିଲା । ଯାହାର ପ୍ରମାଣଗରିଷ୍ଠ ଉପପାଦ୍ୟ ଭାବରେ ଏହି ସମଗ୍ର ଅଞ୍ଚଳରେ ଇତିହାସର କୃଶଗର୍ଭା ଓ କୁବ୍ଜବତୀ ମାଟି ଉପରେ ତିଷ୍ଠିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଦେବାୟତନ ପ୍ରଦାନ କରି ଆସିଛି । ଭୁବନେଶ୍ଵରର ସୀମା ପ୍ରାକ୍ତନ ସମୟରେ ବହୁବାର ପରିବର୍ତ୍ତନ ହେଇଥିବା ସମୟରେ ପଟିଆ ଇଂରେଜଙ୍କ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ଏକ ଲାଖରାଜ କିଲ୍ଲା ଭାବେ ଜଣାଯାଏ ।
ଏହି ପଟିଆ ପାଇଁ ଭୁବନେଶ୍ଵରର ଉତ୍ତର ଦକ୍ଷିଣାଭିମୁଖୀ ବିସ୍ତୃତି ସର୍ବାଦୌ ଉନ୍ମୁଖ ରହିଆସିଛି । ତେବେ ପୂର୍ବୋକ୍ତ ପ୍ରସଙ୍ଗରେ ଆମ୍ଭ ଦ୍ଵାରା ଉତ୍ଥାପିତ ପ୍ରାଚୀ ନଦୀ ଭୁବନେଶ୍ୱର ଉପକଣ୍ଠରେ ନୀରଗର୍ଭା ହୋଇ ଦିନେ ପ୍ରବାହିତା ଥିଲା । ‘ପଦ୍ମପୁରାଣ’ର ବିଶେଷ କେତେକ ଅଧ୍ୟାୟମାନଙ୍କରେ ବକ୍ଷ୍ୟମାଣ ବିଷୟହେତୁକ ପ୍ରସଙ୍ଗମାନଙ୍କର ସୁବିଦିତ ଆଲୋଚନା ଲାଗି ଆମ୍ଭ ନିକଟରେ ଉପଲବ୍ଧ ସୂତ୍ରଟି ହେଉଛି ‘ପ୍ରାଚୀ ମାହାତ୍ମ୍ୟ’ । ଏହାର ପୌରାଣିକ ପ୍ରସଙ୍ଗ ନିଶ୍ଚିତ ଆଲୋଚ୍ୟ ।
ଭାରତର ପ୍ରସିଦ୍ଧ ତ୍ରିବେଣୀସଙ୍ଗମର ଅନ୍ୟତମ ପୂତନୀରା ସରସ୍ଵତୀ ସତ୍ୟଯୁଗରେ ବ୍ରହ୍ମାଙ୍କ କମଣ୍ଡଳୁରୁ ପାଣି ତଳେ ପଡି ସୃଷ୍ଟି ହୋଇଛି । ‘ପ୍ରାଚୀ ମାହାତ୍ମ୍ୟ’ ଅନୁଯାୟୀ ଶିବଙ୍କ ରେତଃପାତ ଯୋଗୁଁ ଯେଉଁ ବାଡବାଗ୍ନି ଚିହିଁକି ଉଠେ, ତାହାର ପ୍ରକୋପରୁ ରକ୍ଷା କରିବା ଲାଗି ଦେବାନୁଗ୍ରହରେ କନକଗିରିରୁ ଜାତ ସରସ୍ଵତୀ ପୂର୍ବମୁଖୀ ହୋଇ ପାତାଳରୁ ବାହାରନ୍ତେ ଏହା ପ୍ରଶମିତ ହେଲା । ଏହି ପ୍ରାଚୀ ନଦୀ ବର୍ତ୍ତମାନ ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାମାନଙ୍କ ଦେଇ ପ୍ରବାହିତ ।
(Image Courtesy: Google)
ବର୍ତ୍ତମାନର ପ୍ରାଚୀ ନଦୀ କୂଳରେ ସିନ୍ଧୁସଭ୍ୟତାଠୁ ମଧ୍ୟ ଅର୍ବାଚୀନ ଇତିହାସର ପ୍ରାମାଣିକ ଠାବ ଦୃଷ୍ଟାନ୍ତସ୍ଥାନୀୟ । ଆଉ ଏହି ପ୍ରାଚୀ ନଦୀ ବର୍ତ୍ତମାନର ପୁରୀ ମୁଖ୍ୟ ଅବବାହିକାରୁ ଯାଉଥିବା ଅନ୍ୟତମ ପ୍ରମୁଖ ସ୍ରୋତ ଭାବରେ ପୂର୍ବେ ବେଶ୍ ପ୍ରସିଦ୍ଧ ଓ ପ୍ରଶସ୍ତ ଥିଲା । ଏହାର ବିବରଣୀ ଛପାଏ ୧୯୦୩ ମସିହାର ପୁରୀର ଜିଲ୍ଲା ସୂଚୀଗତ ବିଜ୍ଞପ୍ତି (ଗେଜେଟିୟର୍) । ଆଉ କାଠଯୋଡି ସେହି କାଳେ କ୍ଷୁଦ୍ରସ୍ରୋତରେ ବହୁଥିବାର ଦୃଷ୍ଟାନ୍ତ ରହିଛି । କୁହାଯାଏ ଯେ ଏହି କୃଶତା ଲାଗି ଦୁଇଖଣ୍ଡ କାଠ ଯୋଡି ଲୋକ ନଦୀପାରି ହୋଇ ପାରୁଥିବାରୁ ଏପରି ନାମକରଣ ।
ସେଥିପାଇଁ ବର୍ତ୍ତମାନର (ଦକ୍ଷିଣଗାମିନୀ) କୁଆଖାଇ, କାଠଯୋଡି, ଭାର୍ଗବୀ, ଦୟା, କୁଶଭଦ୍ରା ପ୍ରଭୃତିର ଉତ୍ପତ୍ତି ପୂର୍ବରୁ ପ୍ରାଚୀନଦୀର ସୃଷ୍ଟି । କଥିତବ୍ୟ ଯେ ଭୁବନେଶ୍ୱର ଉପକଣ୍ଠରେ ସ୍ଥିତ ଫୁଲନଖରା ଓ ତେଲେଙ୍ଗାପେଣ୍ଠ ପାଖରେ ସ୍ଵଗୃହୀତନାମା ଗଣ୍ଡ ଓ ଦହ ଥିଲା । ଏବଂ ସେହି ଗଣ୍ଡମାନ ସବୁ ଏତେ ଗଭୀର ଯେ ପ୍ରବାଦମତେ ତାହା ହାତୀକୁ ସୁଦ୍ଧା ବୁଡେଇ ଦେଇପାରିବ । ଏହିପରି ଭାବେ ବର୍ତ୍ତମାନର କଟକ ଓ ଭୁବନେଶ୍ୱର ଉପକଣ୍ଠସ୍ଥିତ ଫୁଲନଖରା ପୂର୍ବରୁ ପାଣ୍ଡରା ଛକ ଦେଇ ଗଲେ କଲ୍ୟାଣପୁର, ବରିମୁଣ୍ଡ, ରୋକଟା ସ୍ଥାନ ଦେଇ ପ୍ରାଚୀ ନଦୀ ବହୁଥିଲା ।
ସେହି ସମୟରେ ଏହି ଉପରୋକ୍ତ ଗ୍ରାମଗୁଡିକ ଅଧିକାଂଶ ସମୟ ବୁଡି ରହୁଥିଲା । ଖାଲଢିପ ଅଞ୍ଚଳକୁ ଉପରତଳ ହୋଇ ଏକାଧିକ ପଙ୍କିଳ ଦହ ସୃଷ୍ଟି ହୋଇ ସାରିଥିଲା । ବର୍ତ୍ତମାନ କିନ୍ତୁ ଆଧୁନିକ କଟକ ଓ ଭୁବନେଶ୍ୱର ମଧ୍ୟରେ ସେତୁ ନିର୍ମାଣ ପରବର୍ତ୍ତୀ କାଳରେ ପ୍ରାଚୀ ନଦୀର ଗତିପଥ ବଦଳିଗଲା । ଯାହା ବର୍ତ୍ତମାନ ଏକ କ୍ଷୁଦ୍ର ସ୍ରୋତ ସ୍ଵରୂପ ବାଲିଅନ୍ତାରେ ପ୍ରବାହିତ । ଏହି ସ୍ଥାନରେ ବର୍ତ୍ତମାନ କୁଆଖାଇ ନଦୀ ପ୍ରବାହିତ । କୁଆଖାଇ ନଦୀ କୂଳରେ ରହିଅଛି ପ୍ରାଚୀ ଉପତ୍ୟକାର ପ୍ରସିଦ୍ଧ ମନ୍ଦିର – ଲକ୍ଷେଶ୍ଵର ମହାଦେବ ।
ସବୁଜିମା ଘେରା ବ୍ରଣଂଦ୍ରଷ୍ଟ ବସତିମାନଙ୍କ ମଧ୍ୟରେ ବୁଢୀ ନଈର ଠିକ୍ ଅପରପାର୍ଶ୍ଵ ସଂଲଗ୍ନ କ୍ଷେତ୍ର ଉପରେ ଲକ୍ଷେଶ୍ଵର ମହାଦେବଙ୍କ ପୀଠ ଅବସ୍ଥିତ । ବେତସ ବନର ହାନ୍ଦୋଳ ବିଧୂନିତ ମନ୍ଥରଗତା କୂଳଂକଷାରୁ ଶୀକର ପୁଞ୍ଜା ପୁଞ୍ଜା ଧାନ କିଆରୀର କନ୍ଦଳକୁ ସ୍ମୃତି ଓ ସ୍ମାରକୀ ମଧ୍ୟରେ ରୋମନ୍ଥନ କରେ । ଏହି ମାଟିରେ ଶିଳାବଦ୍ଧ ଠାବେ ଠାବେ ଦେଉଳମାନଙ୍କ ଅଭିନବ ଭିଆଣ ଆଗହୁଁ ପତ୍ରଝଡା ଓ ସୁବର୍ଣ୍ଣ ଶସ୍ୟସମ୍ଭାରରେ ଆଧିପତ୍ୟ ଆଜି ବି ଅବ୍ୟାହତ ରହିଛି । ହେଲେ ଉଢୁଆଳ ରହିଯାଇଛି ଏମନ୍ତ କୀର୍ତ୍ତି ।
ଏହି କୁଆଖାଇ କୂଳରେ ବରାହ କେଶରୀଙ୍କ ଦ୍ଵାରା ପଳାଶୁଣି ଓ ରସୁଲଗଡର ପରିପାର୍ଶ୍ଵର ଏକ ପୋଲ ଗଢିଥିବାର ମାଦଳାପାଞ୍ଜି ମଧ୍ୟ ଲେଖିଯାଇଛି । କିଛି ଦୂରରେ ଏହାର ପଥରକୋଟ ଠାରେ (ବର୍ତ୍ତମାନର ବାଲିଅନ୍ତା) ରେ ଗଙ୍ଗବଂଶୀୟ ଚତୁର୍ଥ ନରସିଂହ ଦେବଙ୍କ ଦ୍ଵାରା ଶ୍ରୀନୃସିଂହଙ୍କ ମନ୍ଦିର ବିଦ୍ୟମାନ । ଏଠାବରେ କଳାମୁଗୁନିର ହିରଣ୍ୟକଶିପୁ ବିଦାରକ ଶକ୍ତିଧର ନୃସିଂହଙ୍କ ଅପୂର୍ବ ଗଠିତ ମୂର୍ତ୍ତି ପୂଜିତ । ପୂର୍ବେ ଏହି ମନ୍ଦିର ଦେଇ ଜଗନ୍ନାଥ ସଡକ ରହିଥିଲା ।
ଲକ୍ଷେଶ୍ଵର ମନ୍ଦିର ସୋମବଂଶୀ କୀର୍ତ୍ତି । କଳାରାହାଙ୍ଗ ଜଳେଶ୍ବର ମନ୍ଦିରଠାରୁ ଏହା ୫ କିଲୋମିଟର ଦୂରରେ କୁଆଖାଇ ନଦୀବନ୍ଧର ଅପରପାର୍ଶ୍ଵରେ ଅବସ୍ଥିତ । ସୁନ୍ଦର କାରୁକାର୍ଯ୍ୟର ଗନ୍ତାଘର ଭାବେ ଦିନେ ପରିଚିତ ଥିବା ଏହି ମନ୍ଦିର ୧୯୯୯ ମସିହା ବେଳକୁ ଧବଳ ଚୂନଲେପ ଦ୍ଵାରା ରକ୍ଷିତ ହେବାରୁ ବର୍ତ୍ତମାନ କେବଳ ଗାତ୍ରଖୋଦିତ ମୁଷ୍ଟିମେୟ ମୂର୍ତ୍ତି ହିଁ ସୁଦୃଷ୍ଟ । ଏହା ୧୯୬୦ ଦଶନ୍ଧି ବେଳକୁ ରାଜ୍ୟ ପ୍ରତ୍ନତତ୍ତ୍ଵ ସଂସ୍ଥା ଦ୍ଵାରା ସଂରକ୍ଷିତ ହେବା ସହ ଏହାର ଚତୁର୍ପାର୍ଶ୍ଵରେ ପଥରପ୍ରାଚୀର ଉଠାଯାଇଛି । ପ୍ରଭୁ ଲକ୍ଷେଶ୍ଵର ମହାଦେବଙ୍କ ସ୍ଫୀତ ତନିମାର ଦମ୍ଭନତ ସନ୍ଦର୍ଶନ ଉପଲକ୍ଷ୍ୟରେ ଶସ୍ୟଶ୍ୟାମଳିମା ପୁଷ୍ଟ ।
ସ୍ଵର୍ଣ୍ଣାଦ୍ରିର ତୀରଫୁଲ ଅବା ତମସାର ରଣିଫୁଲ ପରି ଚହଟଚିକ୍କଣ, ଏକକ ଓ ଛବିଳ ! ଘନଶ୍ୟାମ ବନ୍ୟଯୂଥିର ଛିଟାରେ ବର୍ତ୍ତମାନର ହେମନ୍ତ ସ୍ଵର୍ଣ୍ଣଶୀର୍ଷ ଓ ଧାରାହତ ତଣ୍ଡିପଠା ମାନଙ୍କ କ୍ଳେଦଶୂନ୍ଯ ଗ୍ରାମଭୂମି ପ୍ରକୃତିର ଏକ ଏକ ଅଭିଜାତ ଶ୍ରେଣୀ । ଖାଲୁଆ ଜମି ଦେଇ ପରପାରିକୁ କ୍ଷେତ ମଝିରେ ପୁଷ୍ପାବରଣରେ ସହକାର ନଗରୀ ବାସୀଙ୍କ ଉତ୍କଣ୍ଠା ଓ ଉତ୍ସାହର ପେଣ୍ଠସ୍ଥଳୀ । ପୂଗ, ପୁନ୍ନାଗ, ତମାଳ , ତାମ୍ଵୁଳ, ନାରିକେଳ, ବାଉଁଶ ପ୍ରଭୃତି ଦେଇ ସମୀରଣ ଅଘନ ଗହଳରୁ ଐକ୍ୟତାନ ଭସାଇ ଆଣେ !
(ଜଗମୋହନ ଉପରଭାଗରେ ରାଜାଙ୍କ ଚିତ୍ର ବିଦ୍ୟମାନ)
ଲୋକଶ୍ରୁତିରୁ ବହୁଳ ଭାବରେ ଯାହା ଜଣାଯାଏ, ତାହା ହେଉଛି ଅତୀତର ପୋତବାହୀ ସାଧବମାନଙ୍କ ନିର୍ବିଘ୍ନ ଲକ୍ଷ୍ୟର ପଥିକୃତ ପୀଠ ଥିଲା ଲକ୍ଷେଶ୍ଵର ମନ୍ଦିର । ଲକ୍ଷେଶ୍ଵର ମହାଦେବ ପୂର୍ବରୁ କୁଆଖାଇ ନଦୀର ଆରପଟରେ ପୂଜା ପାଉଥିଲେ । ପୂର୍ବୋକ୍ତ ଆଲୋଚନାରୁ ଯାହା ଆମେ ଜାଣିଅଛୁ ତାହା ହେଉଛି ଏହିଠାବେ ପ୍ରାଚୀ ନଦୀ ବହିଯାଉଥିଲା । ହେଲେ ବେପାର ବାଣିଜ୍ୟ ଉଦ୍ଦିଷ୍ଟ ଅଭିଯାତ୍ରାରେ ବାହାରିଥିବା ସାଧବପୁଅମାନଙ୍କ ପାଇଁ ନଖରାର ଗଣ୍ଡ ମୃତ୍ୟୁଦୂତ ଭାବେ ଉଭା ହେଇ ରହୁଥିଲା । ସେଠାରେ ଅନେକ ଡଙ୍ଗା ବୁଡିଯାଉଥିଲା ।
ସେହିପରି ଭାବରେ ଜଣେ ବଣିକ ଥରେ ପ୍ରାଚୀ ନଦୀ ଦେଇ ବଣିଜ ଉଦ୍ଦେଶ୍ୟରେ ଯାଉଥିବା ସମୟରେ ତାଙ୍କର ନାବଟି କୂଳରେ ଦୁର୍ଘଟଣାଗ୍ରସ୍ତ ହୁଏ । ଫଳସ୍ଵରୂପ, ନିଜର ବଣିଜ ଉଦ୍ଦେଶ୍ୟକୁ ଭଣ୍ଡୁର ହେବାର ଆଶଙ୍କା କରି ଦେବ ଦେବ ମହାଦେବଙ୍କୁ ସ୍ମରଣ କରି ସେହି କୂଳରେ ସ୍ଥାପନା କରି ପୂଜା କରିଲେ । ଆକସ୍ମିକ ଭାବେ ତାଙ୍କ ପୋତଟି ବର୍ତ୍ତମାନ ଦୁର୍ଘଟଣାରୁ ବ୍ୟାହତ ରହି ଠିକ୍ ହେଲା ପରେ ଲକ୍ଷେଶ୍ଵର ମହାଦେବଙ୍କ ମହିମା ଲୋକସମାଜରେ ପ୍ରକଟିତ ହେଲା ।
ପରବର୍ତ୍ତୀ ସମୟରେ ଜନୈକ ଭକ୍ତ ଆଦ୍ୟ ଲକ୍ଷେଶ୍ଵରଙ୍କ ଦର୍ଶନାର୍ଥୀ ହୋଇ ପ୍ରାଚୀ ନଦୀ ପାରିହେବାକୁ ମନସ୍ଥ କରେ । ମାତ୍ର ପ୍ରାଚୀ ନଦୀରେ ସେହି ସମୟରେ ବନ୍ୟାଜଳ ପ୍ରବାହିତ ହେତୁ ନଦୀ ପାରି ହେବା ଅସମ୍ଭବ । ମ୍ରିୟମାଣ ଭକ୍ତର ଦୁଃଖାବହ ବାରଣ ଲାଗି ପ୍ରଭୁ ଆଦ୍ୟ ଲକ୍ଷେଶ୍ଵର ସ୍ଵପ୍ନାଦେଶ କଲେ ଯେ ସେ ପ୍ରାଚୀ ନଦୀର ଅପର ପାର୍ଶ୍ଵରେ ବିଦ୍ୟମାନ ରହି ଭକ୍ତଙ୍କୁ ଦର୍ଶନ ଦେବେ । ବର୍ତ୍ତମାନର ପ୍ରତିଷ୍ଠିତ ସୁଖ୍ୟାତ ଦେଉଳ ହେଉଛନ୍ତି ସେହି ବିଲ ଲକ୍ଷେଶ୍ଵର ମହାଦେବ ମନ୍ଦିର ।
ଏହାଙ୍କୁ ସ୍ମରଣ କରି ପୂର୍ବେ ନୌଯାତ୍ରାକୁ ନିର୍ବିଘ୍ନ ହେବା ଲାଗି ସାଧବ ବଣିକମାନେ ଅଧ୍ୟା ପଢି ଦେଶଦେଶାନ୍ତରକୁ ଯାଉଥିଲେ । ଲକ୍ଷ୍ଯସ୍ଥଳରେ ଏକଲୟ ମନସ୍ଥ ଭକ୍ତର ପଥକୁ ସୁଗମ କରି ନାମ ବହିଲେ ଲକ୍ଷେଶ୍ଵର । ଠାକୁରଙ୍କ ମହିମାରୁ ନୌବାହୀ ସାଧବମାନେ ବାଧାଶୂନ୍ୟ ବଣିଜ କରି ଘରଫେରନ୍ତା ହେଇପାରୁଥିଲେ । ରସୁଲଗଡ ଆଗକୁ ସ୍ଥିତ ଏନ୍ ଏଚ୍ – ୧୬ ଠାରୁ ମାତ୍ର ୬ କିଲୋମିଟର ଆଭ୍ୟନ୍ତରୀଣ ରାସ୍ତା ଘେନି ଲକ୍ଷେଶ୍ଵର ମନ୍ଦିର ଦୃଶ୍ୟମାନ ହୁଏ । ଆଉ ଗ୍ରାମର ନାମ ବରିମୁଣ୍ଡ ।
ଦୁଇ ଏକର ଜମିରେ ପରିବେଷ୍ଟିତ ରେଖାଶୈଳୀରେ ଭିଆଣ ହେଇଥିବା ପଞ୍ଚରଥ ଶୈଳୀର ଏହି ମନ୍ଦିରରେ ରହିଛି ସୁନ୍ଦର ମୁଖଶାଳାକୁ ସମ୍ମୁଖସ୍ଥ ନାଟ୍ୟମଣ୍ଡପ, ଦୋଳମଣ୍ଡପ ଓ ପାର୍ଶ୍ଵସ୍ଥ ଯଜ୍ଞବେଦୀ, ରୋଷଘର ଓ ପୃଷ୍ଠପଟ୍ଟକୁ ଏକ ପୁଷ୍କରିଣୀ । ବୃକ୍ଷମାନଙ୍କ ମଧ୍ୟରେ ଥିବା ଏହି ମନ୍ଦିର ପୂର୍ବରୁ ଗଡାଣିକୁ ଏକ ଛୋଟ ସାହି ପରେ ମନ୍ଦିର ପଡିବ । ଜଳେଶ୍ବର ମହାଦେବଙ୍କ ବ୍ୟତିକ୍ରମରେ ପୂର୍ବ ଦେଉଳମାନଙ୍କ ପରି ଏହା ପୂର୍ବମୁଖୀନ । ଏହି ସ୍ଥାନକୁ ଲାଗି ବହୁ କଦଳୀ ଓ ନଡିଆ ଗଛ ଫଳିଥାଏ ।
ଏହାର ପଶ୍ଚିମପାର୍ଶ୍ଵକୁ କାର୍ତ୍ତିକେୟ, ଦକ୍ଷିଣପାର୍ଶ୍ଵକୁ ପାର୍ବତୀ ତଥା ଉତ୍ତରପାର୍ଶ୍ଵକୁ ଗଣେଶ ରହିଛନ୍ତି । ଏଥି ସହ କାରୁକାର୍ଯ୍ୟ କହିଲେ କେତେକ ସ୍ଥାନରେ ନାଗନାଗୀ ମୂର୍ତ୍ତି ଚୂନଲେପ ଭିତରେ ରହିଛି ଓ ଅନ୍ୟତ୍ର ଚାରୋଟି ତୂରୀ, ଭେରୀ, ବଂଶୀ ଓ ଘୋଷବାଦ୍ୟ ଧରିଥିବା କନ୍ୟାମାନଙ୍କ ଛବି । ଏହିଠାରେ ବିରଳ ମୂର୍ତ୍ତି ଭାବରେ ରହିଅଛି ବିଷ୍ଣୁଙ୍କ (ନୀଳମାଧବ) ଅଭଙ୍ଗ ଅଥଚ ସୂକ୍ଷ୍ମ ମକର ତୋରଣ ଶୋଭିତ କଳାମୁଗୁନି ବିଗ୍ରହ । ଏହା ମନ୍ଦିରର ଦକ୍ଷିଣପାର୍ଶ୍ଵରେ ସ୍ଥାନୀତ ରହି ହରିହର ପୀଠର ପରିଚିତି ଦିଏ ।
କିମ୍ଵଦନ୍ତୀ ଅନୁସାରେ, ଏହି ବିଷ୍ଣୁପ୍ରତିମାକୁ ମନ୍ଦିର ପାଖରେ ଫିଙ୍ଗି ଦେଇଥିଲା କଳାପାହାଡ଼ । ସେତେବେଳେ ମନ୍ଦିରମାନଙ୍କୁ ଆକ୍ରମଣ କରିବା ସମୟରେ ଲକ୍ଷେଶ୍ଵର ମନ୍ଦିର ମଧ୍ୟ ଏହି ବର୍ବର ଯବନର ଚକ୍ଷୁଶୂଳ ହୁଏ । ହେଲେ ପରବର୍ତ୍ତୀ ସମୟରେ ତାହାକୁ ଉଦ୍ଧାର କରାଯାଇ ପୂଜା କରାଯାଉଛି । ସ୍ଫଟିକ ନେତ୍ରଦ୍ଵୟକୁ ଚତୁର୍ଭୁଜ ରୂପରେ ରହି ଗଦାବ୍ଜ ଚକ୍ରଧାରୀଙ୍କ ମନୋରମ ଛଟା ଦେଖି ଦର୍ଶନାର୍ଥୀ ଅଭିଭୂତ ହୋଇଯାଏ। ହେଲେ ଆଜି ନାହିଁ ସେହି ସାତତାଳ ସ୍ଵଚ୍ଛ ପୁଷ୍କରିଣୀ କିମ୍ବା ପ୍ରାଚୀନ ମାନ୍ୟତାର ସ୍ଵାଭିମାନ !
ଇତିହାସ ଅନୁସାରେ ମହାମେଘବାହନ ଐର ଖାରବେଳ ଅନେକ ନାଳ ତୋଳାଇଥିଲେ । ଯାହା ମଧ୍ୟରୁ ଅନ୍ୟତମ ହେଉଛି ତ୍ରିଶୂଳିଆ ବା ପ୍ରାଚୀନ ”ତନଶୂଲ୍ୟା” । ହାତୀଗୁମ୍ଫା ଶିଳାଲେଖର ଷଷ୍ଠ ଧାଡି ଏହାର ସମୁଚିତ ଉଲ୍ଲେଖ କରି ଜଣାଏ । ଏହି ନାଳକୁ ସେ ବିସ୍ତୃତି ପ୍ରଦାନ କରିବା ପୂର୍ବରୁ ପ୍ରାକ୍ତନ ରାଜା ନନ୍ଦବର୍ଦ୍ଧନ ତୋଳାଇ ଥିଲେ । ଏହାକୁ ସେ ନିଜର ରାଜଧାନୀ ଯାଏ ଖୋଳାଇବା କାଳେ ପ୍ରାଚୀ ଓ ଶୋଲ ନଦୀକୁ କୁଆଖାଇରୁ ଖୋଳାଇ ଆଣିଥିଲେ। ଆଉ ଏହି ଶୋଲ ନଦୀ ଆମର ପୂର୍ବୋକ୍ତ ବାଲିଅନ୍ତା ପାର୍ଶ୍ଵବର୍ତ୍ତୀ ଜଗନ୍ନାଥ ସଡକର ପୂର୍ବରେ ଉତ୍ପତ୍ତି ।
ତେବେ ବିଶିଷ୍ଟ ଗବେଷକ ସୁଧାକର ପଟ୍ଟନାୟକଙ୍କ “Extract From a Report On the Ancient Fort of Churang” (୧୯୩୦) ସମ୍ୟକ୍ ଭାବରେ ଦର୍ଶାଇଥାଏ ଯେ ନରାଜର ପ୍ରାୟ ଏକ ମାଇଲ୍ ଊର୍ଦ୍ଧ୍ଵରେ ମହାନଦୀର ଦକ୍ଷିଣ ତୀରକୁ ‘ଡାକିଆମ୍ଵା’ ନାମକ ସ୍ଥାନରେ ଅବବାହିକା ଖୋଳାଯାଏ । ଉକ୍ତ ଅବବାହିକା ଚୂଡଙ୍ଗ ଦୁର୍ଗର ଉପରରେ ଥିବା ବାରଙ୍ଗ ନଦୀ ରୂପେ ସମ୍ଭବତଃ ଖାରବେଳଙ୍କ ରାଜଧାନୀ ଯାଏଁ ବ୍ୟାପ୍ତ ଥିବାର ଅନୁମେୟ ।
(ମା ଜାଗୁଳାଇ ଓ ସମ୍ମୁଖସ୍ଥ କୁଆଖାଇ ନଦୀ)
କାରଣ ଭୌଗୋଳିକ ବିବରଣୀ ଓ ଖାରବେଳଙ୍କ ଶିଳାଲେଖ ସହ ଗବେଷକ ମହାଭାଗଙ୍କ ଉଲ୍ଲେଖ ଖାପ ଖାଇବାରୂ ସ୍ପଷ୍ଟତଃ କୁଆଖାଇ ନଦୀର ସୃଷ୍ଟି ଜଣାପଡୁଛି । ଜଗନ୍ନାଥ ସଡକର ପଶ୍ଚିମ ଦେଇ କୁଆଖାଇ ପ୍ରବାହିତ । ଆଉ କୁଆଖାଇର ପଶ୍ଚିମ ଭାଗକୁ ୭-୮ କିଲୋମିଟର ଦୂରକୁ ବାରଙ୍ଗ ନଦୀ ଓ ଏହାର ୭-୮ କିମି ଦୂରକୁ ପଶ୍ଚିମରେ ଡାକିଆମ୍ଵା । ଶୋଲ ନଦୀର ଉତ୍ପତ୍ତି ଗମ୍ଭାରି ଗଣ୍ଡରୁ (ଜଗନ୍ନାଥ ସଡକର ପୂର୍ବରେ ପୁରାକାଳରେ ଅବସ୍ଥିତ ଏକ ଗଭୀର ଗଣ୍ଡ) ହୋଇଥିବା ବେଳେ ଏହି ଗଣ୍ଡକୁ ଲାଗି ଫୁଲନଖରା ପୋଲ କୁଆଖାଇ ଓ ଗଣ୍ଡ ମଧ୍ୟରେ ରହିଛି ।
ଏହି ଶୋଲ ଉକ୍ତ ଗଣ୍ଡରୁ ପ୍ରାୟ ଦୁଇ ମାଇଲ ଯାଏ ଗଲା ଅନ୍ତେ ବାଲିପାଟଣା ଥାନାସ୍ଥ ଭିଙ୍ଗାରପୁରରେ ସ୍ଥିତ ପଶ୍ଚିମପଟକୁ କୁଶଭଦ୍ରାରେ ମିଶେ । ତହିଁ ଉତ୍ତାରୁ କୁଆଖାଇର ନଦୀଶଯ୍ୟାରେ ଧାତବପଦାର୍ଥର ପରିମାଣ ବେଶ୍ ସମୃଦ୍ଧ ଥିବାର ସଦ୍ୟତମ ଗବେଷଣା ଜଣାଯାଏ । ଭୁବନେଶ୍ଵରର ପ୍ରାକୃତିକ ପରିବେଶ ଏହି ଲକ୍ଷେଶ୍ଵର ମନ୍ଦିର ଅଞ୍ଚଳରେ ଅଧ୍ୟୟନଯୋଗ୍ୟ । କଙ୍କର, ବାଲିସିଆ, ପଟୁ ତଥା ପାହାଡ ବା ଅନୁଚ୍ଚ ମାଳଭୂମି ଦ୍ଵାରା ମୁଖ୍ୟତଃ ଗଠିତ ।
ଆମ୍ଭର ଆଲୋଚ୍ୟ ବାଣୀଭୂଷଣ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ‘ନରାଜ’ କାବ୍ୟର ଭୌଗୋଳିକ ବାସ୍ତବତାରୁ ଯାହା ସମୀକ୍ଷଣ ସାପେକ୍ଷ ତାହା ହେଉଛି ଟଙ୍କିଳ ଗିରି ଓ ନଦୀଶଯ୍ୟାର ବିସ୍ତୃତିର ବିବରଣୀ । ଏହି ଟଙ୍କିଳ ମାଳଭୂମିକୁ ବେଢି ରହିଥିବା କ୍ଷୁଦ୍ରକାୟ ପାହାଡ଼ ଓ ମୁଣ୍ଡିଆ (“ଦକ୍ଷିଣେ ପାଟଳ ନେତଲ ମୁଣ୍ଡିଆ”) ସ୍ଥାନେ ସ୍ଥାନେ ମୁଣ୍ଡ ଟେକିଥିଲା । ମାଳଭୂମିର ଟଙ୍କିଳ ସ୍ଥାନଟି ବିସ୍ତୃତିକ୍ରମେ ବର୍ତ୍ତମାନ ଟାଙ୍ଗି ନାମରେ ଅଭିହିତ । ପୂର୍ବେ ଏହାକୁ ଜଙ୍ଗଲ ଓ ତୃଣଭୂମି ବହୁଳ ଭାବେ ଆଚ୍ଛାଦିତ କରି ରଖୁଥିଲା ।
ସାଧାରଣତଃ, ଦହ ସବୁ ଖୁବ୍ ଉଚ୍ଚମାନର ଭୂମିଜ ପଦାର୍ଥସମ୍ପନ୍ନ ଭୂତଳ ଜଳଭାଗ ଦ୍ଵାରା ପରିବେଷ୍ଟିତ । ଏଥିରେ ଅମ୍ଳର ପରିମାଣ ସ୍ଥାନ ବିଶେଷରେ ପୃଥକ୍ ପରିଲକ୍ଷିତ କରାଯାଏ, ଯାହା କ୍ଷାରତା, ଭୂମିଜ ପଦାର୍ଥର ସାନ୍ଦ୍ରତା ତଥା ଭୂତଳ ଜଳର ପ୍ରବେଶ ଓ ନିବେଶ ଉପରେ ନିର୍ଭରଶୀଳ । ମାତ୍ର, ଶୈବାଳରାଶିର ଆଧିକ୍ୟ ହେତୁ ଦହ ସମସ୍ତ ଭୂମିଜ ପଦାର୍ଥ ଅପେକ୍ଷା ବର୍ଷାରୁ ଜଳ ଓ ଅଧିକାଂଶ ଭୂମିଜ ପଦାର୍ଥ ଗ୍ରହଣ କରିଥାଆନ୍ତି । ଯାହାର ଅଧ୍ୟୟନ କୁଆଖାଇ ଓ ଏହା ପାର୍ଶ୍ଵବର୍ତ୍ତୀ ଭୂଗୋଳ ଉପରେ ପ୍ରଭାବ ପକାଏ ।
ଏହି ଦହମାନ ପାର୍ଶ୍ଵବର୍ତ୍ତୀ ପ୍ରାକୃତିକ ନିଃସର୍ଗରୁ ଖୁବ୍ ବେଶୀରେ ସ୍ଵତନ୍ତ୍ର ରହିଥାଆନ୍ତି । ଉକ୍ତ ମେଘପାୟୀ ଦହମାନଙ୍କର ଭୂମିଜ ପଦାର୍ଥର ସମ୍ପନ୍ନତା ଲାଗି ଏହାଙ୍କ ଦ୍ଵାରା ପାର୍ଶ୍ଵବର୍ତ୍ତୀ ଅନୁଚ୍ଚ ଗିରି ଶ୍ରେଣୀ ମାନଙ୍କରେ ଖଡିପଥର ବା କନ୍ଦାପଥର, ଗେଙ୍ଗୁଟି ପ୍ରଭୃତି ସୁଲଭରେ ପ୍ରାପ୍ତ ହୁଏ । ତେବେ ଏ ଦହମାନଙ୍କ ବିଶେଷ ଭୂମିକା ଏହି ଗିରିଶ୍ରେଣୀଙ୍କ ଲାଗି ଉପକାରୀ ହୋଇ ଆସିଛି ତାହାର ପ୍ରମାଣ ଆଜିର ଅନେକ ମନ୍ଦିର ଓ କୀର୍ତ୍ତି ମଧ୍ୟରେ ଥିବା ପ୍ରାଚୀନ ପଥର ସମୂହ ଜଣାଇଥାନ୍ତି ।
(ସୁଲଳିତ ଭଙ୍ଗୀରେ ତିଷ୍ଠିଥିବା ଗଣେଶ,
ସୌଜନ୍ୟ : ବିକାଶ ଦାସ)
ଦୃଷ୍ଟାନ୍ତସ୍ଵରୂପ, ଗଙ୍ଗୁଆ ଉପରେ ବରାହ କେଶରୀଙ୍କ ପୋଲ ମଧ୍ୟ ଏହି କନ୍ଦାପଥର ଦ୍ଵାରା ଗହୀର ମଧ୍ୟରେ ନିର୍ମିତ । ଏହିଠାରେ ଗଙ୍ଗୁଆର ଧାର ‘କିମ୍ଭିରିଆ ଯୋର’ ନାମରେ ବିଦିତ । ସେହିପରି ଭାବରେ ପଟିଆ ଓ ଚନ୍ଦକାରୁ ପୂର୍ବେ ଛତ୍ରୀ, ବେଦବତୀ ଭଳି ଝର ଯାଇଁ ମିଶୁଥିଲା କୁଆଖାଇରେ । ବର୍ତ୍ତମାନ କିନ୍ତୁ ଟାଙ୍ଗରା ଅଞ୍ଚଳରୁ ଜଳସ୍ରୋତଟିଏ ବାହାରି ଗଙ୍ଗୁଆ ନାମରେ ବହିଯାଇ କପାଳମୋଚନ ପୀଠ ସମୀପସ୍ଥ ଭୁବନେଶ୍ୱର ସୀମାରେ କୁଆଖାଇରେ ମିଳିତ ହୋଇଅଛି ।
ଏପରିକି ଚୂଡଙ୍ଗଗଡ, ଗୁଆଳିଗଡ, ପଟିଆଗଡ, ନରାଜ ପ୍ରଭୃତି ସ୍ଥାନରୁ ବୌଦ୍ଧ ମୂର୍ତ୍ତି, ଜୈନମୂର୍ତ୍ତି ତଥା ଦୁର୍ଗାଞ୍ଚଳରୁ ଉଦ୍ଧୃତ କଳା ଓ ମାଙ୍କଡା ପଥରର ପ୍ରାଚୀରର ପୁରାତନ ଅବଶେଷ ଏହାର ଅନେକ ସୂଚନା ଦିଏ । ପୂର୍ବ ପ୍ରସଙ୍ଗମାନଙ୍କରେ ଆମ୍ଭେ ଯାହା ଜାଣିବାକୁ ପାଇଲୁ ତାହା ହେଉଛି ଦହମାନଙ୍କ ପାର୍ଶ୍ଵବର୍ତ୍ତୀ ଅନୁଚ୍ଚ ଗିରିଶ୍ରେଣୀର ଭୂମିଜ ପଦାର୍ଥ ସମ୍ପନ୍ନ ପ୍ରସ୍ତରରାଜି । ଏହି ପାହାଡ ଗୁଡିକରୁ ପୁରାକାଳରେ ବହୁ ପରିମାଣରେ ପଥର କଟା ଯାଇ କୁଆଖାଇ, ଭାର୍ଗବୀ, ଦୟା ତଥା ପ୍ରାଚୀ କୂଳରେ ଅସଂଖ୍ୟ ମନ୍ଦିର ଗଢିଉଠିଥିଲା ।
ଫଳସ୍ଵରୂପ, ଲକ୍ଷେଶ୍ଵର ମନ୍ଦିରରେ ବ୍ୟବହୃତ ଓ ସମକାଳୀନ ତଟବର୍ତ୍ତୀ ଓ ଅଞ୍ଚଳ ମଧ୍ୟରେ ସ୍ଥିତ ମନ୍ଦିରମାନଙ୍କରେ ବ୍ୟବହୃତ ପଥର ସହିତ ଭୁବନେଶ୍ୱର ଓ କଟକ ଭଳି ଆଖପାଖ ଅଞ୍ଚଳର ପାହାଡ ପଥର ସହ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଲକ୍ଷେଶ୍ଵର ମନ୍ଦିରକୁ ପୂର୍ବେ ଜଗନ୍ନାଥ ସଡକ ଖୁବ୍ ନିକଟବର୍ତ୍ତୀ ଥିଲା ଓ ସେ ସମୟରେ ମହାପ୍ରଭୁଙ୍କ ଆନୀତ ରଥକାଠ ଏହି ମନ୍ଦିର ଠାବରେ ରହିକି ଯାଉଥିବାର ଜଣାଯାଏ । ଏହି ଅଞ୍ଚଳ ପ୍ରାଗୈତିହାସିକ କାଳର ଆଦିମ ଜନଜୀବନର ନିରୀକ୍ଷଣ ଲାଗି ଖୁବ୍ ଉପଯୁକ୍ତ ମନେହୁଏ ।
କୁଆଖାଇ ନଦୀର ବହୁ ଗ୍ରାମ ଓ ସ୍ଥାନ ପ୍ରାକ୍ତନ ଇତିହାସର ଘୁଣାକ୍ଷର ଆଜି । ପୂର୍ବେ ଏହିଠାରୁ ଭାଣପୁର, ଅଡସପୁରକଲ୍ୟାଣପୁର ଭଳି ଅଞ୍ଚଳରେ ଜୈନ ସମ୍ପ୍ରଦାୟଙ୍କ ବିଗ୍ରହସମୂହ ଗ୍ରାମଦେବତା ରୂପେ ପୂଜା ପାଇ ଆସୁଥିଲେ । ମାନ୍ୟ ଐତିହାସିକ କେଦାରନାଥ ମହାପାତ୍ର ସ୍ଵୟଂ ସୋଲ ଓ କୁଆଖାଇ ନଦୀର ପାର୍ଶ୍ଵ ବର୍ତ୍ତୀ ଜନପଦମାନଙ୍କରୁ ଜୈନମୂର୍ତ୍ତି ଆବିଷ୍କାର କରିଥିଲେ । ‘ନରାଜ’ କାବ୍ୟର ଅନେକାଂଶରେ ଶିଳାବାହୀ ଶ୍ରମିକଙ୍କ ସମ୍ପର୍କରେ କେତେକ ଆଲୋକପାତ କରାଯାଏ :
“ଭାରବନ୍ତ ଶିଳ ବସାଇ ମସ୍ତକେ
ଆସୁଛନ୍ତି ଥୋକେ ଖଣିରୁ ବାହକେ ।
ତାଙ୍କ ବିନା ଆଉ ସେ ଶିଳାଭାଜନ
ବହିବାକୁ କିଏ ହେବା ବା ଭାଜନ ?
× × ×
ସେଠା ବିଚିତ୍ରତା ନୋହିବଟି ହୁଡି
ମୁଦ ଦମକରେ ହୃଦ ଯାଏ ବୁଡି ।
ପ୍ରତି ଅର୍ଗଳିରେ ଯନ୍ତ୍ରାର୍ଗଳ ମାୟା
ଦେଖି ପାସୋରିବ କିଏ ତାର ଛାୟା ?”
ସେହିପରି ଭାବରେ ଲକ୍ଷେଶ୍ଵର ମନ୍ଦିର ପାଖରେ ଥିବା ମା ଜାଗୁଳାଇଙ୍କ କ୍ଷୁଦ୍ର ମନ୍ଦିର ଆଲୋଚ୍ୟ । ପଟିଆର ଶେଷ ଆଡକୁ ଗାଡକଣ ଗ୍ରାମ ନିକଟରେ ସ୍ଥିତ ବରିମୁଣ୍ଡ ଗ୍ରାମ ମୋଗଲ ଓ ଉତ୍କଳୀୟ ସାମ୍ରାଜ୍ୟାଧିକାରୀଙ୍କ ସୀମା ରହିଆସିଥିଲା । ଜଳେଶ୍ବର ମହାଦେବଙ୍କ ସ୍ଥାପନା ପୂର୍ବରୁ ସାରଙ୍ଗଗଡର କେଶରୀବଂଶୀ ରାଜା ଶ୍ରୀଲିଙ୍ଗରାଜଙ୍କୁ ପ୍ରତ୍ୟହ ଦର୍ଶନ କରିବା ପାଇଁ ଏକ ୧୫ କିମି ରାସ୍ତା ତିଆରିଥିଲେ । ଆଉ ଆଜିର ବରିମୁଣ୍ଡରେ ଥିବା କୁଆଖାଇ ସ୍ଥିତ ନଦୀବନ୍ଧ ସେହି ପ୍ରାଚୀନ ଚୂଡଙ୍ଗ ରାଜପଥର ଅବଶେଷ ।
(କାର୍ତ୍ତିକେୟ ବିଗ୍ରହ)
ଏଥି ସହିତ ଗଙ୍ଗବଂଶୀ ଚୋଡଗଙ୍ଗ ଦେବଙ୍କ ରାଜୁତିରେ ଏହି ରାସ୍ତା ମୁଣ୍ଡଳି, ନରାଜ, ଯାତମୁଣ୍ଡିଆ, ଡମପଡା ଦେଇ ବାଙ୍କୀ ରାସ୍ତା ଭାବରେ ତ୍ରିଶୂଳିଆ ଅଭିମୁଖୀନ । ବରିମୁଣ୍ଡ ଦେଇ ଯାଉଥିବା ରାସ୍ତା ଆଜି ମଧ୍ୟ ବହୁ ବ୍ୟବସାୟୀ ଓ ଯୋଗାଯୋଗର ଆବଶ୍ୟକ ସ୍ଥଳପଥ ରୂପେ ବ୍ୟବହୃତ । ଏହି ବରିମୁଣ୍ଡ ଦେଇ ଗଲେ ଶେଷକୁ କଲ୍ୟାଣପୁର ଗ୍ରାମ ଅତିକ୍ରମ କରି ପୁରୀ ମୁଖ୍ୟ ଅବବାହିକାର ଏକ ବଙ୍କିମ ଧାର ପାଖରେ ମା’ ଧାକୁଲେଇଙ୍କ ପୀଠ ଅବସ୍ଥିତ । ଏହା ମଧ୍ୟ ଏକ ସୁନ୍ଦର ଐତିହାସିକ ପୀଠ ।
ଏହା ପୂର୍ବରୁ ପୁରାତନ ତୋଷାଳୀର ରାଜପଥ ଭାବେ ମଧ୍ୟ ଏହି ବରିମୁଣ୍ଡ ବ୍ୟବହୃତ ହେଉଥିଲା । ବାଲିଅନ୍ତା ଦେଇ ଏହି ରାସ୍ତା ବରିମୁଣ୍ଡକୁ ହଂସପାଳ ପରେ ପରେ ଫୁଲନଖରା ପାର୍ଶ୍ଵବର୍ତ୍ତୀ ଗଙ୍ଗେଶ୍ଵର ଗଡର ରାସ୍ତାକୁ ଉନ୍ମୁକ୍ତ । ଏହା ଆଖପାଖ ସବୁ ସ୍ଥାନ ନାମକରଣ ମଧ୍ୟ ସମକାଳୀନ ସାମରିକ ଗୁରୁତ୍ଵକୁ ସ୍ଥାନମାନଙ୍କର ସ୍ଵାତନ୍ତ୍ର୍ୟ ପ୍ରତିପାଦନ ଲାଗି ସମ୍ୟକ ଜଣାଏ । ଯେପରି ‘ପାହାଳ’, ‘ଗିଲାମୁଣ୍ଡ’, ‘ରଣମାଟିଦଣ୍ଡା’, ‘କନ୍ଦଳମୁଣ୍ଡ’ ଆଦି । ବରିମୁଣ୍ଡ ତେବେ ବାଣିଜ୍ୟ ହେଉଥିବାର କଥା ମଧ୍ୟ ପ୍ରମାଣିତ |
ବରିମୁଣ୍ଡ ଗ୍ରାମରେ ଶତ୍ରୁମାନଙ୍କ ଶିରଶ୍ଛେଦ କରାଯାଉଥିବାରୁ ତାହା “ବୈରୀମୁଣ୍ଡ” ଭାବରେ ପୂର୍ବରୁ ପରିଚିତି ଲାଭ କରିଥିଲା । ଗଙ୍ଗଙ୍କ ପରେ ଯାବନିକ ଆଫଗାନ୍ ଓ ମୋଗଲ ଆକ୍ରମଣ ସମୟରେ ଏହି ସ୍ଥାନ ପଟିଆ ଜିଲ୍ଲାକୁ ସୁଡଙ୍ଗ ପ୍ରଶସ୍ତ କରେଇଥିଲା । ମୋଗଲ ମାନେ ଯେତେବେଳେ ପଟିଆଗଡ ଆକ୍ରମଣ କରନ୍ତି, ସେହି କାଳେ ବରିମୁଣ୍ଡରୁ ନିଯୁକ୍ତ ସୈନ୍ୟମାନେ ପ୍ରତ୍ୟାକ୍ରମଣ କରନ୍ତି । ଯୋଦ୍ଧୃଭୂମିର ଏ ନୃଶଂସ ବିଦାରକ ଇତିହାସ ଆଜି ଶ୍ମଶାନିତ ।
ବର୍ତ୍ତମାନ କେବଳ ଲକ୍ଷେଶ୍ଵର ମନ୍ଦିର ସହ ପାର୍ଶ୍ଵବର୍ତ୍ତୀ ଜାଗୁଳାଇ, ଦୁଲାଦେଇ, ବାସୁଳେଇ, ହାଡବାଇ ମନ୍ଦିର ରହିଅଛି । ଜାଗୁଳାଇ ମନ୍ଦିର ପାଖରେ ସ୍ଥିତ କାଠଯୋଡି ବନ୍ଧ ନିକଟରେ ଚନ୍ଦନଯାତ୍ରା ଅବସରରେ ଏଗାର ଦିନ ଧରି ଲକ୍ଷେଶ୍ଵର ମହାଦେବଙ୍କ ଯାନିଯାତ ଲାଗିରହେ। ଭୁବନେଶ୍ୱର ଉପକଣ୍ଠରେ ପ୍ରଚଳିତ ‘ଜାଙ୍ଗୁଳୀ ଧମିଲ୍ଲ’ଙ୍କ ସମ୍ପର୍କୀୟ କିମ୍ଵଦନ୍ତୀ ସବୁଠାରୁ ପ୍ରଚଳିତ ଓ ପ୍ରସିଦ୍ଧ । କଥିତବ୍ୟ ଯେ ତୋଷାଳୀ ରାଜ୍ୟର ରାଜଜେମା ଜାଙ୍ଗୁଳୀ ଧମିଲ୍ଲ ଜଣେ କୁହୁକିନୀ ଥିଲେ । କୁହୁକ ବିଦ୍ୟାପ୍ରବୀଣା ହେବା ସହ ତୋଷାଳୀର ସର୍ବୋଚ୍ଚ ସେନାଧ୍ୟକ୍ଷା ମଧ୍ୟ ଥିଲେ ।
ତାଙ୍କ ନେତୃତ୍ୱରେ ହିଁ ତୋଷାଳୀର ଏକ ଦୁର୍ଦ୍ଧର୍ଷ ସୈନ୍ୟ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ସହ ଲଢେଇ କରିଥିଲା । କୁହୁକ ବଳରେ ସେ ମଗଧ ସୈନ୍ୟକୁ ତଟକା କରିଦେଉଥିଲେ । ଯାହା ଫଳରେ କେତେ ମଗଧ ସେନାନୀ ଅଧାରୁ ଛତ୍ରଭଙ୍ଗ ଦେବା ସହିତ ସବୁ ତୋଷାଳୀର ଜନପଦମାନଙ୍କୁ ସଂଗଠିତ କରିଥିଲେ ଏହି ଜାଙ୍ଗୁଳୀ ଧମିଲ୍ଲ । ପୁନରାୟ ଅଶୋକଙ୍କୁ ଏହି ବରିମୁଣ୍ଡ ଠାରେ ଯଜ୍ଞ କରାଇ ମାରିବା ଲାଗି ପ୍ରସ୍ତୁତ ଥିଲେ ସୁଦ୍ଧା ସେ ମଗଧ ସୈନ୍ୟର ତ୍ଵରିତ ପ୍ରତ୍ୟାବର୍ତ୍ତନ ସର୍ତ୍ତ କ୍ରମେ ତାଙ୍କୁ ମୁକୁଳାଇ ଥିଲେ ।
ଆଉ ଏହି ଜାଙ୍ଗୁଳୀ ଧମିଲ୍ଲଙ୍କ ନାଁରେ “ଜାଗୁଳେଇ” ବିଗ୍ରହ ସେଠାରେ ଅଦ୍ୟାପି ପୂଜାରତ । ୧୯୯୨ ମସିହାରେ କଟକର ଆକାଶବାଣୀରୁ ଏହି ଚରିତ୍ରଙ୍କ ସମ୍ପର୍କରେ ଏକ ନାଟକ ପ୍ରସାରିତ ହେଇଥିବାର ଜଣାଯାଏ । କୁଆଖାଇ କୂଳବର୍ତ୍ତୀ ବାଲିଅନ୍ତା ଗ୍ରାମ ମଧ୍ୟରେ ଏହାଙ୍କ ନାମରେ ଏକ ପାଟକ ରହିଛି। ପୁଣି ଏହିଠାରେ ସ୍ଥିତ ଏକ ମହାଶ୍ମଶାନ ଓ ଜାଗୁଳାଇଙ୍କ ବହୁପ୍ରାଚୀନ ବିଗ୍ରହରୁ କିମ୍ଵଦନ୍ତୀର କେତେକ ଗାଥା ସତ୍ୟତା ଅବଗାହୀ; ତେବେ ଏହା ବିଶେଷ ବିଶ୍ଳେଷଣସାପେକ୍ଷ ହୋଇପାରି ନାହିଁ ।
ପୂର୍ବୋକ୍ତ ପ୍ରସଙ୍ଗକ୍ରମେ ତୋଷାଳୀ ଓ ସୁବର୍ଣ୍ଣପୁର (ବାଙ୍କି) ରାସ୍ତା ଏକ ଗୁରୁତ୍ଵପୂର୍ଣ୍ଣ ରାଜପଥ ରହିଆସିଥିଲା । ବ୍ଯବସାୟୀଙ୍କ ନିତ୍ୟ ବଣିଜ ପସରାର ପେଣ୍ଠସ୍ଥଳୀ ଭାବେ ଏହି ବିଦିତ । ପୂର୍ବେ ଏହା ସନ୍ନିକଟବର୍ତ୍ତୀ ନୂଆପାଟଣା ଠାରେ କୁଆଖାଇ ନଦୀ ସଂଯୁକ୍ତ ଥିଲା ସୋଲ ନଦୀ ସହିତ ଓ ତତ୍କାଳୀନ ଜଗନ୍ନାଥ ସଡକର ପାର୍ଶ୍ଵରେ ଏକ ସେତୁ ଥିଲା । ୧୯୩୨ ମସିହାରେ ଏହି ଜୀର୍ଣ୍ଣ ସେତୁ ପ୍ରବଳ ବନ୍ୟାରେ ଭାସି ଯିବା ପରେ ସୋଲ ନଦୀର ମୁହାଣ ବାଲିବସ୍ତା ପକେଇ ବନ୍ଦ କରିଦିଆଗଲା ।
ହେଲେ ଜନତାଙ୍କ ମତଦ୍ଵୈଧ ଆଗରେ ଫିରିଙ୍ଗି ସରକାର ଅସହାୟ ଥିଲେ । ତତ୍କାଳୀନ ସ୍ଥାନୀୟ ନେତୃତ୍ୱ ନେଇଥିବା ସ୍ଵର୍ଗତ ଭଗବାନ ମହାନ୍ତିଙ୍କ ଜନ ଆନ୍ଦୋଳନ ହୋଇ ମକଦ୍ଦମା ହୁଏ । ହେଲେ ଏହି ମକଦ୍ଦମା ଖାରଜ ହୁଏ । ତେବେ ସୋଲ ନଦୀର ମୁହାଣ ଅବରୁଦ୍ଧ ହେବା କ୍ଷଣି ଅପ୍ରଶସ୍ତ କୁଆଖାଇର ଦୈର୍ଘ୍ୟ ବଢିଗଲା । ଆଉ ଏହି ଠାବରେ କଟକ ଗଲା ସମୟରେ ଫୁଲନଖରାର ଗମ୍ଭାରି ଗଣ୍ଡର କଡରେ ଦେଖାଯାଏ ଅନେକ ଭଗ୍ନ କୀର୍ତ୍ତିମାନଙ୍କ ଅବଶେଷ ।
ଆଜି ସେ କୁଆଖାଇ ମନ୍ଥରଗାମିନୀ ଅଥଚ ବେଶ୍ ପ୍ରଦୂଷିତା । ଏପରିକି ଏହା ସହିତ ପ୍ରବାହିତ ପଟିଆ, ଗାଡକଣ, ଚକେଇସିଆଣୀ, ରୋକଟା, ନହରକଣ୍ଟା, କଲ୍ୟାଣପୁର, ବରିମୁଣ୍ଡ, ଡମଣା, ଇଞ୍ଜଣା, କଳାରାହାଙ୍ଗ, ଢାଉଆ, ଭିଙ୍ଗାରପୁର, ଟଙ୍କପାଣି, ପାଣ୍ଡରା ପ୍ରଭୃତି ଅଞ୍ଚଳରୁ ଉଦ୍ଗତା ଝରସମୂହ ବିଶୁଷ୍କ ଓ ସମ୍ପୂର୍ଣ୍ଣ ବିଲୁପ୍ତ କହିଲେ ଚଳେ । ଅମ୍ଳପ୍ରଚୁର ଦୁର୍ଗନ୍ଧ ସ୍ଫୁରିତ ନାଳ ମାନଙ୍କରେ ବର୍ତ୍ତମାନ ସେ ସମସ୍ତ ବିଲୀନ । ହେଲେ ବି ସେମାନଙ୍କ ଦ୍ଵାରା ଊର୍ବର ଏ ମାଟିର ଗନ୍ଧରେ ସେମାନଙ୍କ ଅବଦାନ ଆଜି ବି ଅକ୍ଷୁଣ୍ଣ ।
କୁଆଖାଇ କୂଳରେ ଆଉ କେତେକ କୀର୍ତ୍ତି ମଧ୍ୟରେ ପ୍ରସିଦ୍ଧ ଚୌଷଠି ଯୋଗିନୀ ମନ୍ଦିର, ମଞ୍ଚନାଥ ମହାଦେବ, ନିକୁଞ୍ଜବିହାରୀ ମନ୍ଦିର, ଟଙ୍କପାଣି ମନ୍ଦିର ଅନ୍ୟତମ । ଏହି କୁଆଖାଇ କୂଳରେ ପୁଣି ମହାତ୍ମା ଗାନ୍ଧୀ ୧୯୩୪ ମସିହାରେ ଚନ୍ଦନପୁର, ସାକ୍ଷୀଗୋପାଳ ହେଇ ବାଳକାଟି, ସତ୍ୟଭାମାପୁର ଓ ଶେଷକୁ ବାଲିଅନ୍ତାର ନିକୁଞ୍ଜ ବିହାରୀ ମନ୍ଦିରରେ ହରିଜନ ପ୍ରବେଶ କରାଇ ଏକ ଅଭୂତପୂର୍ବ କୀର୍ତ୍ତି ସ୍ଥାପନ କରିଥିଲେ । ଆଜି ବି ସେ ପରିଲକ୍ଷିତ ଅଥଚ ମଳିନ !
ଆଜି ବି ଅଛି ବରିମୁଣ୍ଡ, ଆଜି ବି ପୂଜିତ ଲକ୍ଷେଶ୍ଵର, ଅଛି ପୁଣି କୁଆଖାଇ, ହେଲେ କାଳଗର୍ଭରେ ସମସ୍ତେ କ୍ଷୀୟମାଣ । ସମୟର ଯୌନାଚାର ଯେ ବୃଦ୍ଧାବସ୍ଥାର ବପୁକୁ ଏହାର ସିକତାରେ ଢାଳି ସାରିଅଛି, ଆଉ କିଛି ଗୋପ୍ୟ ଓ ମୁହ୍ୟମାନ ରହିନାହିଁ । ସ୍ବପ୍ନିଳ ବ୍ୟୋମଦେଶରେ ପତ୍ରଗହଳର ନିର୍ଜନତା ଓ ବିସ୍ତୀର୍ଣ୍ଣ ଶ୍ୟାମଳିମାକୁ ଦଳିତ କରୁଥିବା ସହରୀମାନଙ୍କ ମଧ୍ୟରେ ତାହା ମର୍ମର କରେ । ଶରତରେ ଫୁଟେ କାଶତଣ୍ଡୀ, ବସନ୍ତରେ ଅଶୋକ, ଟଗର, ନିଆଳୀ କୁଞ୍ଜ ସହକାର ସୃଷ୍ଟି ହୋଇଯାଏ ।
(କୁଆଖାଇ ବନ୍ଧ)
ଇତିହାସର ପୂର୍ଣ୍ଣଗର୍ଭା ଉତ୍କଳୀୟ ମାଟିପ୍ରାଣତା । ତାହା ମଧ୍ୟରେ ଏହି ସ୍ଥାନମାନଙ୍କର ସ୍ଵାତନ୍ତ୍ର୍ୟଲବ୍ଧ ସୁଷମା ଦ୍ଵାରା ଯେ ସମ୍ପନ୍ନତର , ତାହା ଅନୁଭବୀକୁ ଦିଏ ଏକ ଅଭିନବ ଆକାଶର ପ୍ରସାରଣ, ଅସୀମକୁ ସୃଜନଶିଳ୍ପୀର ଆୟାସପ୍ରାଣକୁ ଅନୁଭବ କରିବାର ଆବର୍ତ୍ତିତ ଉପୋଦ୍ଘାତ । ଶତ୍ରୁମାନଙ୍କର ଦର୍ପ ବିଦାରଣ କରି ଏହି ମାଟି ହେଲା ବରିମୁଣ୍ଡ ଆଉ ଉତ୍କୃଷ୍ଟ କଳାତ୍ମକତା ଦ୍ଵାରା ଆହୂତ ଗୁରୁତା ଅବଗାହନ କରି ଆଜି ସମସ୍ତଙ୍କ ମଧ୍ୟରେ ସ୍ମାରକୀ ବହିର୍ଭୂତ ଏକ ସମୁଚ୍ଚୟୀ !
© Amritesh Khatua
ଫଟୋଚିତ୍ର : ଅନୁଶୀର୍ଷକରେ ସୌଜନ୍ୟ ବ୍ୟତୀତ ଅବଶିଷ୍ଟ ସମସ୍ତ ଫଟୋଚିତ୍ର ମୋ ବିଗତ ପର୍ଯ୍ୟଟନରୁ ଉତ୍ତୋଳିତ
Lakheswar Temple  Nakhara Kuakhai Prachi
Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

3 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago