ଲେଖା: ଡ. ଜୟଶ୍ରୀ ନନ୍ଦ

~ କୋଳଥ ଡାଲି ~
କଥାରେ କହନ୍ତି “ବିରି ମାଡ ଦେଖି କୋଳଥ ଚେପା”। ଉପରୋକ୍ତ ଲୋକକଥାଟିରୁ ତ ଆପଣ ଠଉରାଇ ସାରିବେଣି ଆଜି କାହା ଉପରେ ଏ ଲେଖା । ଆମ ଓଡ଼ିଆ ଘର ଖାଦ୍ୟ ଖୁବ୍ ସନ୍ତୁଳିତ ଖାଦ୍ୟ । ଓଡ଼ିଶା ଯେଣୁ କୃଷିଭିତ୍ତିକ ରାଜ୍ୟ ସମସ୍ତେ ପ୍ରାୟ ଭାତ ପ୍ରିୟ । ଭାତ ସହ ଡାଲି ତ ଯେମିତି ହେଲେ ହେବ। ଡାଲି, ଶାଗ, ବଡିଚୁରା, ଭଜା ଏ ସବୁ ଭାତଥାଳି ଚାରିପଟେ ନ ରହିଲେ ହେବନି । ଯେମିତି ଠାକୁର ସେମିତି ପ୍ରଜା । ଛପନ ଭୋଗ କାଳିଆର । ଆମର ବି ଛ ତୁଣ ନ ଭଜା । ଡାଲି ଓଡିଶାରେ ବହୁତ ଅମଳ ହୁଏ । ହରଡ, ମୁଗ, ବିରି, କୋଳଥ ଆଦି । କୋଳଥ ଡାଲି ଧନୀରୁ ଗରିବ ସବୁ ଚାଷୀ ନିଶ୍ଚିତ ବୁଣି ଥାନ୍ତି ବିଲରେ । ଅନ୍ୟ ଡାଲି ଥାଉ ନ ଥାଉ ଘରେ କୋଲଥ ଡାଲି ଥାଏ । ଖାଲି ମଣିଷ ନୁହେଁ ଗାଈ ବଳଦଙ୍କୁ ବି ବଟାଯାଇ କୋଳଥ ଖାଇବାକୁ ଦିଆଯାଏ । ଶୀତଦିନେ ତ ନିଶ୍ଚେ ହୁଏ । କୋଳଥ ଅମଳ ପରେ ବହୁତ ଦିନ ଯାଏ ରହେ । ଜମିରୁ କୋଳଥ ଆଣିବା ପରେ ତାକୁ ଶୁଖାଇ ପିଟଣାରେ ବାଡାଯାଏ । ତାକୁ ଶୁଖାଇ ବର୍ଷକ ବାର ମାସ ପାଇଁ କୃଷକ ସାଇତି ରଖେ ।
(ଭଜା କୋଳଥ ଜାଇ/ଡାଲି)
କୋଳଥ ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ଡାଲି । ଅନେକ ଲୋକ କୋଳଥ ଖାଇବାକୁ ବେଶ୍ ଭଲପା’ନ୍ତି । କୋଳଥ ଡାଲି ବେଶ୍‌ ସୁଆଦିଆ ଲାଗେ । ଆସନ୍ତୁ ସଂକ୍ଷେପରେ ତାର ପ୍ରସ୍ତୁତି ପ୍ରଣାଳୀ ଜାଣିବା । ବିଭିନ୍ନ ସ୍ଥାନରେ ବିଭିନ୍ନ ଭାବରେ କହନ୍ତି କୋଳଥ ଭଜା ଫାଳ ହୋଇଥିଲେ ତାକୁ କୋଳଥ ଜାଇ କହନ୍ତି, କେହି କେହି ତାକୁ କୋଳଥ ଡାଲି କହନ୍ତି ।
(ପେଶା ବା ଫେଶା, ଯେଉଁଥିରେ କୋଳଥ ଓ ଅନ୍ୟ ଡାଲି
ଗୋଟା ଡାଲି ଫାଳ ଓ ଗୁଣ୍ଡ ହୁଏ, ଫଟୋ ସୌଜନ୍ୟ ବୀଣାପାଣୀ ସାହୁ)
#କୋଳଥଡାଲି: ଗୋଟା କୋଳଥକୁ ଭାଜି ତାକୁ କୁଲାରେ ପାଛୁଡି ପେଶା/ଫେଶାରେ ରଗଡା ଯାଏ । ତାପରେ ପାଛୁଡି ତାର ଚୋପାକୁ ବାହାର କରାଯାଏ । ତାକୁ ଧୋଇ ଡାଲି ତିଆରି କରାଯାଏ । ଆଗେ ଲୋକ ପ୍ରେସର୍ କୁକର ବ୍ୟବହାର କରୁ ନଥିଲେ । ତେଣୁ ଜଦି ଡାଲି ବନେଇବାକୁ ଥିବ ଡାଲିକୁ ଧୋଇ ସେଥିରେ ଲୁଣ ହଳଦୀ ଓ ତେଜପତ୍ରଟେ ପକାଇ କାଠଚୁଲି ନିଆଁରେ ଗୋବର ଘଷି ପକାଇ ଦୁକୁଦୁକୁ ନିଆଁରେ ବସାଇ ଦିଅନ୍ତି । କାରଣ ଏହା ସିଝିବା ପାଇଁ ବହୁତ ସମୟ ନିଏ । ଡାଲି ସିଝିଗଲେ ତାକୁ କାଠ ଡାଲିଘୋଟାରେ ଘୋଟି ଟିକେ ଅଧା ଚିକ୍କଣ କରି ସେଥିରେ ଆମ୍ବୁଲ, ଗୁଡ ଓ ଛୁଙ୍କ ଦିଆଯାଏ (ରସୁଣ ବା ପିଆଜ) ଯାହାକୁ ଯାହା ପସନ୍ଦ । ଏ ଡାଲି ଖଟାମିଠା ସ୍ବାଦ ଖୁବ୍ ସୁଆଦିଆ ।
#କୋଳଥଅଟାଡାଲି: ଭଜା କୋଳଥକୁ ପେଶି ଅଟା ବନାଇ କୋଳଥ ଅଟାଡାଲି ବନାହୁଏ । ଅଟାଡାଲି ସମୟ ସାପେକ୍ଷ ହେଲେ ସ୍ବାଦ ବି ସେମିତି। କୋଳଥ ଅଟାକୁ ପାଣିରେ ମିଶାଇ ମଣ୍ଡ ପରି ବନାଯାଏ । ତାକୁ ହାଣ୍ଡି ବା କଡାଇରେ ଚୁଲିରେ ଆଉଟି ଆଉଟି ବନାଯାଏ । ଲୁଣ ଅଳ୍ପଟିକେ ହଳଦୀ (ଅଣ ହଳଦିଆ ଖିଆ ଯାଏନି ବୋଲି ଅଳ୍ପଟିକେ ହଳଦୀ ପଡେ) ରସୁଣ ଛେଚା, (ଆମ୍ବୁଲ ଅବା ଶୀତଦିନେ ଓଉ ମିଳେ, ଓଉ ଖଣ୍ଡ ପକାଯାଏ)। ଅଟା ଡାଲି ଟିକେ ଖଟାଳିଆ ବନାଇଲେ ଭଲ ଲାଗେ । ଅଟାଡାଲି ସିଝି ବହଳିଆ ହୋଇ ଆସିଲେ ତେଲ ଶୁଖିଲା ଲଙ୍କା, କଞ୍ଚାଲଙ୍କା ରସୁଣ ଦର ଦର ଛେଚା ଓ ପଞ୍ଚଫୁଟଣ ପକାଇ ଛୁଙ୍କ ହୁଏ ।
(କୋଳଥ ଭଜା କାଠଚୁଲିରେ, ଫଟୋ ସୌଜନ୍ୟ ବୀଣାପାଣୀ ସାହୁ)
ସେ ଅଟା ଡାଲି ହେଉ ବା କୋଳଥ ଡାଲି ହେଉ ସେଥିରେ ପଡିଥିବା ଆମ୍ବୁଲ ଫଡା ବା ଓଉ ଫଡାର ସ୍ବାଦ ଡାଲି ଠାରୁ ଆହୁରି ବେଶି । ଆଜି କାଲି ନୂଆ ପିଢି ଖାଉଥିବା ସୁପ୍ ଠାରୁ ଗରମ ଗରମ ଅଟାଡାଲିର ସ୍ବାଦ ଶତଗୁଣ ଅଧିକ ସ୍ବାଦଯୁକ୍ତ । ସଜ କୋଳଥଡାଲି ବା କୋଳଥ ଅଟାଡାଲି ଠାରୁ ବେଶି ଲୋକେ ପରଦିନ (ବାସିଦିନ ଡାଲି) ଖାଇବା ପାଇଁ ଭଲ ପାଆନ୍ତି । ପିଲାବେଳେ ଏ ସବୁ ଡାଲି ବନିଲେ ଅନେକ ଭାତ ଖାଆନ୍ତିନି । ଏ ଡାଲିରୁ ବଡ ଗିନାରେ ଗିନେ ଡାଲି ଖାଇଦେଲେ ହେଲା ।
କୋଳଥ ଡାଲି ଅଟା କଲାବେଳେ ମା ଖୁଡି ବୁଢୀମା ପିଉସୀ ସବୁ ଦୁଈ ଦୁଈ ଜଣ ବସି ଫେଶା/ପେଶାରେ କୋଳଥ ପେଶି କୋଳଥ ଅଟା ବନାଉ ଥାଆନ୍ତି। ସୁଖ ଦୁଃଖ ହେଉ ଥାଆନ୍ତି । କୋଳଥ ବା କୋଳଥ ଅଟାଡାଲି ହେଲେ ସାଇ ପଡିଶା ଦିଆଯାଏ । ଜଣେ ଏ ଡାଲି ଯଦି ଘରେ ବନେଇବ ତାର ବାସ ଚଉଦିଗକୁ ଛୁଟିଯାଏ । କେହି କେହି ପଚାରନ୍ତି ଆଜି କଣ ଅଟାଡାଲି ବନେଇଛୁକି ? ମା’ ବା ଖୁଡୀ ଯିଏ ପଚାରନ୍ତି ତାଙ୍କ ପାଇଁ ବି ରଖିଥାଆନ୍ତି। ଏ ସବୁ ପରସ୍ପରକୁ ସ୍ନେହ ବନ୍ଧନରେ ବି ବାନ୍ଧିଦିଏ । ଗାଁଗାଉଁଲିରେ ଯିଏ ବଢିଛି ଏ ସବୁ ସେ ସିନା ପାଇଛି ଆଉ ଦେଇଛି । ଯୌଥ ପରିବାରରେ ଏ ହରଡ ଡାଲି ଖୁବ୍ କମ୍ ହେଉଥିଲା । ଚାଷୀ ଆଉ ଯୌଥ ପରିବାରରେ ବର୍ଷକ ବାରମାସ ବନ୍ଧୁବାନ୍ଧବ । ବଡ ପରିବାରରେ ମୁଗ, କୋଳଥ, ବିରି ଏ ସବୁ ଡାଲି ସବୁବେଳେ ହୁଏ ।
(ଭଜା କୋଳଥ କୁଲାରେ, ଫଟୋ ସୌଜନ୍ୟ ବୀଣାପାଣୀ ସାହୁ)
#ପରିବାପଡିକୋଳଥଡାଲି: ପଶ୍ଚିମ ଓଡ଼ିଶାରେ କୋଳଥ ଡାଲିରେ ଶିମ୍ବ, ବାଇଗଣ ଓ ବିଲାତି ବାଇଗଣ ପକାଇ ତେଲ ଫୁଟଣ ଓ ରସୁଣ ଛୁଙ୍କ ଦେଇ ମଧ୍ୟ ବନାହୁଏ ।
#କୋଳଥବଟା: ଗାଈ ବଳଦଙ୍କ ପାଇଁ ରାତିରେ କୋଳଥ ଭିଜାଇ ସକାଳୁ କୋଳଥ ଶିଳରେ ବଟା ଯାଇ ଖାଇବା ପାଇଁ ଦିଆଯାଏ । ବେଶିକରି ଶୀତଦିନରେ କାରଣ ଏହା ଦେହକୁ ଗରମ ରଖେ।
ଉପକୂଳ ଓଡ଼ିଶାରେ କୋଳଥଚୁନା ଡାଲିକୁ “ଚୁରାଡାଲି” କୁହାଯାଏ । ସଜଠୁ ଅଧିକ ବାସିରେ ସ୍ବାଦ ଲାଗିଥାଏ। ଗାଁ ଗହଳିରେ ଆଗରୁ କୋଳଥଗୁଡ ପାଗକରି ପୁରଦେଇ ମଣ୍ଡାପିଠା ବି ହେଉଥିଲା । ରାହୁଗ୍ରହ ଶାନ୍ତି ପୂଜାରେ ଗଜାକୋଳଥ ଗୁଡ, କୋଳଥମଣ୍ଡା ହୁଏ । କୋଳଥଦାନ ଦିଆଯାଏ । ପୂର୍ବରୁ ଯେବେ ପଥୁରିଆ ଜମିରେ କୂଅ ଖୋଳା ହେଉଥିଲା ବେଳେ, ପାଣି ନମିଳିଲେ ପଥର ପଡ଼ିଲେ ବସ୍ତାଏ ଦି ବସ୍ତା କୋଳଥ ପକୈଇ ପୋତି ଦିଅନ୍ତି, କୁହନ୍ତି କିଛି ବର୍ଷ ପରେ ସେଠାରେ ପଥର କ୍ଷୟ ହୋଇ ପାଣିବାଟ ଫିଟିଯାଏ, ଏଥିରୁ ଅନୁମେୟ ପଥୁରି (ଷ୍ଟୋନ୍) ପାଇଁ ଏହା କାହିଁକି ଏତେ ହିତକାରୀ।
କୋଳଥ ଏକ ଡାଲି ଜାତୀୟ ଶସ୍ୟ । ଏହା ଓଡ଼ିଶାର ବିଭିନ୍ନ ଜାଗାରେ ଚାଷ କରାଯାଏ । ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ । ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ । ଏହିସବୁ ଡାଲି ଛଡା କୋଳଥ ବେଶି ଚାଷ ହୁଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହି ଡାଲିର ଫାଇଦା ଆପଣଙ୍କୁ ସୁସ୍ଥ ରଖିବା ସହିତ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ । ଶରୀରର ଅନେକ ପ୍ରୋଟିନର ଅଭାବକୁ ପୂରଣ କରିଥାଏ । କୋଳଥରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ । ପୃଷ୍ଟିସାର, ଲୌହସାର, କ୍ୟାଲସିୟମରେ ଭରପୁର । ଏଥିରେ ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ । ଏହାବ୍ୟତୀତ ଏହି ଡାଲି ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ଏବଂ ଓଜନ ହ୍ରାସ ପାଇଥାଏ । ଋତୁକାଳୀନ ସମସ୍ୟା ଭୋଗୁଥିବା ମହିଳାମାନଙ୍କୁ ଗାଁ ଗାଉଁଲିରେ କୋଳଥ ଡାଲି ଖାଇବା ପାଇଁ ଅନେକ ଉପଦେଶ ଦିଅନ୍ତି ଯାହା ଆଜିର ଡାକ୍ତରମାନେ ବି ଏହା ଠିକ୍ ବୋଲି କହୁଛନ୍ତି। । ଏହା ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମେ । ହିମୋଗ୍ଲୋବିନ୍ ମାତ୍ରା ବଢେ଼ । ରକ୍ତହୀନତାରେ ପଡ଼ିବା ଆଶଙ୍କା ରହେ ନାହିଁ । ପୋଷକ ତତ୍ତ୍ୱରେ ଭରପୂର ଏ ଡାଲି ନିୟମିତ ରୂପେ ଖାଇବା ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ଦୂରେଇ ରହିଥାଏ । ନିଜ ଖାଇବାରେ ଏ ଡାଲିକୁ ନିଶ୍ଚିତ ସାମିଲ କରନ୍ତୁ । ଏ ଡାଲି ପଥୁରି (stone) ରୋଗପାଇଁ ହିତକାରକ ଏହା ଚିକିତ୍ସକ ମାନେ ବି କହନ୍ତି । ବେଶି କରି ଶୀତଦିନେ ଥଣ୍ଡା, କାଶ ସମସ୍ୟାରୁ ରକ୍ଷା କରିବାରେ ଏହା ବେଶ ସହାୟକ ହୁଏ ।
(କୋଳଥ ଅଟାଡାଲି, ଫଟୋ ସୌଜନ୍ୟ ବୀଣାପାଣୀ ସାହୁ)
ଯିଏ ଦେଶ ବାହାରେ ବା ରାଜ୍ୟ ବାହାରେ ରହନ୍ତି ଓଡ଼ିଶାରୁ କର୍ମକ୍ଷେତ୍ରକୁ ଆସିବା ବେଳକୁ ମା ମାନେ ନିଶ୍ଚେ ଭଜାକୋଳଥ ଡାଲି, ଆମ୍ବୁଲ ତ ନିଶ୍ଚେ ଦେଇଥିବେ ସାଙ୍ଗରେ । ଝିଅ ଝିଆଣି ବି ଘରକୁ ଆସିଲେ ଶାଶୁଘରକୁ ଗଲାବେଳେ ମା’ ବୁଢୀମା ଯେଉଁ ଡାଲି ଘରେ ଅମଳ ହୁଏ ତାହା ବି ଝିଅ ଘରକୁ ବନ୍ଧୁ ବାନ୍ଧବ ଘରକୁ ଦିଅନ୍ତି । କାରଣ ଏହା ପାରମ୍ପରିକ ଖାଦ୍ୟ ଆମର । ଏହାକୁ ସମସ୍ତେ ଭଲପାଆନ୍ତି ।
(କୋଳଥ ପାମ୍ପଡ)
ଆମ ଓଡ଼ିଶାରେ ବିରି ପାମ୍ପଡ, ମୁଗ ପାମ୍ପଡ ଓ ଚାଉଳ ପାମ୍ପଡର ଅନେକ ଚାହିଦା । କିଛିଦିନ ତଳେ ଏହି କୋଳଥ ପାମ୍ପଡ ଜଣେ ଦକ୍ଷିଣ ଭାରତୀୟ ସାଙ୍ଗଙ୍କ ଘରେ ଖାଇ ମନରେ ପ୍ରଶ୍ନ ଉଠିଲା ଏ କୋଳଥ ପାମ୍ପଡ ଆମ ଓଡ଼ିଶାରେ ବନେ କି ନାହିଁ । ଏହା ଖୁବ୍ ସ୍ବାସ୍ଥ୍ୟ କର। ଏହାକୁ ତେଲରେ ଛଣା ଯାଏନି । ଖାଲି ନିଆଁରେ ସେକି ଖାଇ ହୁଏ । ତିଆରି ପ୍ରଣାଳୀ ବି ଅନ୍ୟ ପାମ୍ପଡ ପରି । ଏ ସବୁ ଯଦି ବନା ହେଉଥିବ ଖୁବ୍ ଭଲ, ଯେହେତୁ ଏ ଡାଲି ଅନ୍ୟ ଡାଲି ଠାରୁ କମ୍ ଦାମ୍’ରେ ବିକ୍ରିହୁଏ ଓ ଓଡ଼ିଶାରେ ଅମଳ ହୁଏ ଏ ପାମ୍ପଡ ବନାଇଲେ ମଧ୍ୟ ଲୋକମାନେ କିଣି ଖାଇ ପାରିବେ ଯାହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ । ତା ସହ କିଛି ଲୋକଙ୍କର ଏହା ଭରଣପୋଷଣର ମାଧ୍ୟମ ହୋଇପାରିବ ବୋଲି ଆଶା ।
ଏହି କୋଳଥ ଡାଲି ଆମ ଓଡ଼ିଶାରେ ବେଶ ପରିଚିତ ଘରେ ଘରେ । ଏହା ଆମର ପାରମ୍ପରିକ ଖାଦ୍ୟ । ଆମେ ଆମର ପାରମ୍ପରିକ ଖାଦ୍ୟକୁ ସମ୍ମାନ ଦେବା ଓ ଏହାକୁ ଆଗକୁ ନେବା । ସମସ୍ତେ ସମସ୍ତଙ୍କଠୁ ଶିଖିବା ଜାଣିବା ଏ ସବୁ ବ୍ୟଞ୍ଜନ ତିଆରି କରି ଖାଇବା ଓ ଖୁଆଇବା, ତା ହେଲେ ସିନା ଏହାର ପ୍ରଚାର ପ୍ରସାର ହୋଇ ପାରିବ ।
© Dr. Jayashree Nanda
କୃତଜ୍ଞତା: Ashish Kumar Das
Kolatha Dali, Horse Gram Dal
Spread the love
admin

View Comments

  • ଦେହକୁ ହିତ , ବଢ଼ିଆ ?। ଆଗରୁ ଗାଁରେ ଖାଉଥିଲେ ଲୋକେ। ଏବେ ସହରୀ ମୁହାଁ କୋଳଥ .....

Recent Posts

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 weeks ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

5 months ago